Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୁଣି ଗୁଟ୍‌ଖା ବ୍ୟବସାୟୀ ସକ୍ରିୟ: ନିରାପଦ ମଣୁଛନ୍ତି ସଦରଥାନା ଅଂଚଳକୁ…!

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କିଛି ଦିନର ବ୍ୟବଧାନ ପରେ ସହରର ବଛା ବଛା ଜାଗା ନିରୂପଣ କରି ନକଲି ଗୁଟ୍‌ଖା କାରଖାନା ଗଢ଼ି ଉଠିଥିବା ବିଶେଷ ସୂତ୍ରରୁ ଖବର ମିଳିଲାଣି। ତଳ ଦିନେ ବ୍ରହ୍ମପୁର ଉପଜିଲ୍ଲାପାଳ ଏବଂ କୁକୁଡ଼ାଖଣ୍ଡି ତହସିଲ୍‌ଦାରଙ୍କ ମିଳିତ ଚଢ଼ାଉରେ ଅନେକ ଗୁଟ୍‌ଖା କାରଖାନା ସିଲ୍ କରିବା ସହ ପାଖାପାଖି କୋଟିଏ ଟଙ୍କାର ସାମଗ୍ରୀ ଜବତ କରାଯାଇଥିଲା।

କିନ୍ତୁ କିଛି ଦିନର ନିରବତା ପରେ ପୁଣିଥରେ କୁକୁଡ଼ାଖଣ୍ଡି ବ୍ଲକ୍‌, ସଦର ଥାନା ଅଂଚଳରେ ପୁଣି ବ୍ୟବସାୟୀମାନେ ସକ୍ରିୟ ହୋଇ ଉଠିଛନ୍ତି। ମୁଖ୍ୟତଃ ଗୁଟ୍‌ଖା ବ୍ୟବସାୟୀମାନେ ସହରର ତଳି ଅଂଚଳ ତଥା ସଦର ଥାନା ଅଂଚଳକୁ ନିରାପଦ ମନେ କରୁଛନ୍ତି। ଶୁଣିବାକୁ ମିଳୁଛି ସଦର ଥାନା ଅଂଚଳରେ ଏକ ଛତୁ ଫାର୍ମ ଭିତରେ ଏକ ନକଲି ଗୁଟ୍‌ଖା କାରଖାନା ଚାଲି ଆସିଛି। ତାହା ପୋଲିସ୍‌ର ଜାଣତରେ କିମ୍ବା ଅଜାଣତରେ ତାହା ସାଧାରଣରେ ଚର୍ଚ୍ଚା ହେଉଛି। କାରଣ ତଳ ଦିନେ କୁକୁଡ଼ାଖଣ୍ଡି ତହସିଲ୍‌ଦାରଙ୍କ ତତ୍ତ୍ୱାବଧାନରେ ସଦର ଅଂଚଳରେ ଅନେକ ଗୁଡ଼ିଏ ଗୁଟ୍‌ଖା କାରଖାନାକୁ ଠାବ କରି ସିଲ୍ କରାଯାଇଥିଲା। ଯାହାକି ସଦରଥାନା ଆଇଆଇସିଙ୍କ ନଜରରେ ନଥିଲାପରି ମନେ ହେଉଥିଲା।

ଏହି କାରଖାନାଟି ମଧ୍ୟ ସଦରଥାନାରୁ ମାତ୍ର କିଛି ଦୂରରେ ରହିଛି। ଦୈନନ୍ଦିନ ପୋଲିସ୍ ଏହି ରାସ୍ତାଦେଇ ପୋଲିସ୍ ଗାଡ଼ି ପେଟ୍ରୋଲିଂ କରୁଥିଲେ ସୁଦ୍ଧା ଏହାପ୍ରତି ଦୃଷ୍ଟି ନଦେବା ସାଧାରଣରେ ସଂଦେହ ଘନିଭୂତ ହେଉଛି। ସାଧାରଣ ଲୋକ ଅଭିଯୋଗ କରିବାକୁ ମଧ୍ୟ ଏକପ୍ରକାର ଭୟ କରୁଛନ୍ତି। କାରଣ କୁକୁଡ଼ାଖଣ୍ଡି ତଥା ସଦରଥାନା ଆଇଆଇସିଙ୍କ ପ୍ରତି ଲୋକଙ୍କ ବିଶ୍ୱାସ ତୁଟିଯାଇଛି।

କୌଣସି ତଥ୍ୟ ଯଦି ପ୍ରଦାନ କରାଯାଏ ତେବେ ଥାନାରୁ ହିଁ ତଥ୍ୟ ଉକ୍ତ ମାଫିଆମାନଙ୍କୁ ଜଣେଇ ଦେବା ଭୟ ଜାଗ୍ରତ ହୁଏ। ତେଣୁ ଅଂଚଳର ବୁଦ୍ଧିଜୀବୀ ଏବଂ ସାଧାରଣ ସବୁ ଜାଣି ସୁଦ୍ଧା ନୀରବ ରହୁଛନ୍ତି। ଏଥି ପ୍ରତି ଜିଲ୍ଲା ପ୍ରଶାସନ ଏବଂ ଏସ୍‌ପି ଦୃଷ୍ଟି ଦେବାକୁ ଅନୁରୋଧ କରାଯାଇଛି।