Categories
ଆଜିର ଖବର ରାଜ୍ୟ ଖବର

ଶିକ୍ଷକ ଡେପୁଟେସନ୍ ନିର୍ଦ୍ଦେଶାନାମା ରଦ୍ଦ ଦାବୀ: ସରକାର ନ ଶୁଣିଲେ ବିଦ୍ୟାଳୟରେ ତାଲା ମାରିବାକୁ ଧମକ

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ଉପଖଣ୍ଡ ଡଇଁଚା ଗ୍ରାମରେ ଥିବା ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦିନକୁ ଦିନ ଶିକ୍ଷକ ଅଭାବ ଦେଖିବାକୁ ମିଳିଛି। ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ ମନଇଚ୍ଛା ଶିକ୍ଷକ ମାନଙ୍କୁ ଡେପୁଟେସନରେ ପଠାଉଥିବାରୁ ବିଦ୍ୟାଳୟରେ ପାଠ ପଢାରେ ଘୋର ସମସ୍ୟା ଦେଖା ଦେଇଥିବାରୁ ଗ୍ରାମବାସୀ ପୁଣିଥରେ ବିଦ୍ୟାଳୟରେ ତାଲା ପକାଇ ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି।

ଡଇଁଚା ବାପୁଜୀ ସରକାରୀ ବିଦ୍ୟାଳୟରେ ବର୍ତମାନ ୨୮୮ ଜଣ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି। ଏହି ବିଦ୍ୟାଳୟରେ ଷଷ୍ଠ ରୁ ଦଶମ ପର୍ଯ୍ୟନ୍ତ ରହିଛି। ସରକାର ମଡେଲ୍ ସ୍କୁଲ ଭାବରେ ମଧ୍ୟ ଘୋଷଣା କରିବା ସହ ଆସନ୍ତା ନଭେନମ୍ବର ମାସରେ ଏହି ମଡେଲ୍ ସ୍କୁଲକୁ ଉଦ୍ଘାଟନ କରିବାର ଲକ୍ଷ ରଖିଛନ୍ତି। ଶିକ୍ଷକ ଓ ଶିକ୍ଷାକର୍ମଚାରୀଙ୍କ ଅଭାବ ଥିବା ବେଳେ ବାରମ୍ବାର ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନଙ୍କୁ ଅନ୍ୟତ୍ର ଡେପୁଟେସନରେ ପଠାଯାଉଥିବାରୁ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହେଉଛି।

ଏଠାରେ ଥିବା କିରାଣୀ ମଦନ ମୋହନ ପ୍ରଧାନଙ୍କୁ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ନାକଟିଦେଉଳକୁ ଡେପୁଟେସନ୍, ଶିକ୍ଷୟତ୍ରୀ ସଂଧ୍ୟାରାଣୀ ବିଶିଙ୍କୁ ବାରବାଙ୍କ ଓ ପରେ ପରେ ଚାଟୁଣି ପ୍ରାଥମିକ ବିଦ୍ୟାଳୟକୁ ଡେପୁଟେସନ୍ ପଠାଇସାରିବା ପରେ ପୁଣି ସରକାରୀ ଶିକ୍ଷକ ମଧୁସୂଦନ ରାଉଳଙ୍କୁ ଘୋଷରାମାଳ ଉଚ୍ଚ ବିଦ୍ୟାଳୟକୁ ଡେପୁଟେସନ୍ ରେ ପଠାଯାଇଥିବାରୁ ଗ୍ରାମବାସୀ ଆଗାମୀ ୩ ଦିନ ମଧ୍ୟରେ ସେମାନଙ୍କୁ ନ ଫେରାଇଲେ ଆସନ୍ତା ୨୬/୯/୨୦୨୧ ସୋମବାର ଦିନ ବିଦ୍ୟାଳୟରେ ଶିକ୍ଷା କମିଟି ତଥା ଗ୍ରାମବାସୀ ତାଲା ପକାଇବାକୁ ଚେତାବନୀ ଦେଇଛନ୍ତି। ଶିକ୍ଷା କମିଟିର ସଦସ୍ୟ ଓ ଗ୍ରାମବାସୀ ଲିଖିତାକାରରେ ୫ଟି ସଚିବ , ମୁଖ୍ୟମନ୍ତ୍ରୀ , ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଜଣାଇଥିବା ଜଣା ପଡିଛି।