Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାମ ମନ୍ଦିର ନା ଜାତି ଗଣନା, ୨୦୨୪ ନିର୍ବାଚନରେ ସବୁଠାରୁ ବଡ଼ ପ୍ରସଙ୍ଗ କ’ଣ ହେବ ?

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ସବୁ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଗୋଟିଏ ପଟେ ଭାରତୀୟ ଜନତା ପାର୍ଟି (ବିଜେପି) ୨୦୨୪ ସାଧାରଣ ନିର୍ବାଚନଜିତି କେନ୍ଦ୍ରରେ ତୃତୀୟ ଥର ପାଇଁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠ ତା’ର ସରକାର ଗଢ଼ିବାକୁ ଚାହୁଁଥିବାବେଳେ ବିରୋଧୀ ଦଳଗୁଡ଼ିକ ସବୁ ପରିସ୍ଥିତିରେ ବିଜେପିକୁ କ୍ଷମତାରୁ ହଟାଇବାକୁ ଚେଷ୍ଟା କରୁଛନ୍ତି ।

ଗୋଟିଏ ପଟେ କଂଗ୍ରେସ ବେରୋଜଗାରୀ ଓ ଜାତିଗଣନା ଭଳି ପ୍ରସଙ୍ଗ ଉଠାଉଛି । ଅନ୍ୟପକ୍ଷରେ ରାମ ମନ୍ଦିର ଓ ହିନ୍ଦୁତ୍ୱ ଭଳି ପ୍ରସଙ୍ଗରେ ବିଜେପି ନିର୍ବାଚନ ଲଢ଼ିପାରେ । ଇତିମଧ୍ୟରେ ସି-ଭୋଟର ଏବିପି ନ୍ୟୁଜ୍ ୨୦୨୪ର ପ୍ରଥମ ଜନମତ ସର୍ଭେ କରିଛି। ଏହି ସର୍ଭେରେ ସାଧାରଣ ନିର୍ବାଚନର ସବୁଠାରୁ ବଡ ପ୍ରସଙ୍ଗ କଣ ହେବ ସେ ବିଷୟରେ ଲୋକଙ୍କୁ ପଚରାଯାଇଛି ।

ଲୋକସଭା ନିର୍ବାଚନର ସବୁଠାରୁ ବଡ଼ ପ୍ରସଙ୍ଗ

୨୦୨୪ ନିର୍ବାଚନରେ ସବୁଠାରୁ ବଡ଼ ପ୍ରସଙ୍ଗ କ’ଣ ହେବ ? ଏହାର ଜବାବରେ ୨୯ ପ୍ରତିଶତ ଲୋକ ନିର୍ବାଚନରେ ରାମ ମନ୍ଦିର ସବୁଠାରୁ ବଡ଼ ପ୍ରସଙ୍ଗ ହେବ ବୋଲି କହିଥିବାବେଳେ ୪୧ ପ୍ରତିଶତ ଲୋକ ବେରୋଜଗାରୀ ସବୁଠାରୁ ବଡ଼ ପ୍ରସଙ୍ଗ ହେବ ବୋଲି ବିଶ୍ୱାସ କରନ୍ତି । ସେହିପରି ୧୦ ପ୍ରତିଶତ ଲୋକ ଜାତିଗତ ଜନଗଣନା କହୁଥିବାବେଳେ ୧୦ ପ୍ରତିଶତ ଲୋକ କଳାଧନକୁ ବଡ଼ ପ୍ରସଙ୍ଗ ବୋଲି କହୁଥିବାବେଳେ ୧୧ ପ୍ରତିଶତ ଲୋକ ଏହାର ଉତ୍ତର ଦେଇପାରିନାହାନ୍ତି ।

୫୪୩ ଲୋକସଭା ଆସନ ଉପରେ ସର୍ଭେ

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସର୍ଭେରେ ସମସ୍ତ ୫୪୩ ଲୋକସଭା ଆସନରେ ୧୩ ହଜାର ୧୧୫ ଜଣଙ୍କ ମତାମତ ଉପରେ ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଡିସେମ୍ବର ୧୫ରୁ ଡିସେମ୍ବର ୨୧ ମଧ୍ୟରେ ଏହି ସର୍ଭେ କରାଯାଇଥିଲା । ତ୍ରୁଟିର ମାର୍ଜିନ ମାଇନସ୍ ୩ରୁ ଅଧିକ ମାଇନସ୍ ୫ ପ୍ରତିଶତ ରହିଛି ।

ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତିରେ ସବୁ ରାଜନୈତିକ ଦଳ ନିୟୋଜିତ ଥିବାବେଳେ ଏହି ସର୍ଭେ କରାଯାଇଛି। ୪୦୦ ଲୋକସଭା ଆସନ ଜିତିବା ଲକ୍ଷ୍ୟ ହାସଲ ପାଇଁ ରଣନୀତି ପ୍ରସ୍ତୁତ କରୁଛି ବିଜେପି । ସେପଟେ ଇଣ୍ଡି ମେଣ୍ଟର ଦଳଗୁଡ଼ିକ ଆସନ ବଣ୍ଟନ ନେଇ ଆଲୋଚନା କରିବା ସହ ବିଜେପିକୁ ଅଟକାଉଛନ୍ତ।