Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ନିର୍ବାଚନ ପାଇଁ ଏବେଠାରୁ ଆରମ୍ଭ ହେବ ଚଢାଉ, ମୁଖ୍ୟ ଶାସନ ସଚିବଙ୍କ ବୈଠକରେ ନିଷ୍ପତି

ଭୁବନେଶ୍ବର: ଆଗାମୀ ଲୋକସେବା ଏବଂ ବିଧାନସଭା ସାଧାରଣ ନିର୍ବାଚନ ୨୦୨୪ କୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବା ବିଭିନ୍ନ ପ୍ରବର୍ତ୍ତନ ସଂସ୍ଥା (ଏନଫୋର୍ସମେଣ୍ଟ ଏଜେନ୍ସି) ମାନଙ୍କ ସହିତ ଏକ ରାଜ୍ୟସ୍ତରୀୟ ସମନ୍ୱୟ ବୈଠକ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି।

ବୈଠକରେ ଆଗାମୀ ନିର୍ବାଚନ ସମୟରେ ଯେପରି ମାଦକ ଦ୍ରବ୍ୟ ସେବନ, ମାଦକ ଦ୍ରବ୍ୟ ଚୋରା ଚାଲାଣ ଏବଂ ବେଆଇନ୍ ଅସ୍ତ୍ରଶସ୍ତ୍ର କାରବାର ଜନିତ କୌଣସି ବିଶୃଙ୍ଖଳା ନ ହୁଏ, ଅପରାଧିକ କାର୍ଯ୍ୟକଳାପ ସୃଷ୍ଟି ନ ହୁଏ, ସେଥିପ୍ରତି ସମ୍ମିଳିତ ପ୍ରୟାସରେ ଆଇନ୍ ଖିଲାପକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି।

ପୁଲିସ୍ ବିଭାଗ, ଅବକାରୀବିଭାଗ, ଜଙ୍ଗଲବିଭାଗ, ବାଣିଜ୍ୟକର ବିଭାଗ ଆଦି ସମନ୍ୱୟରେ ଚଢ଼ାଉକୁ ଗୁରୁତ୍ୱ ଦିଆଯିବ। ପୋଲିସ୍ ଦ୍ୱାରା ଆନ୍ତଃ ରାଜ୍ୟସୀମା ଏବଂ ପୋଲିସ୍ ଚେକ୍ ପୋଷ୍ଟଗୁଡିକରେ କଡ଼ା ନଜର ରଖାଯିବ। ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଓଡିଶା ସୀମାକୁ ଲାଗି ଥିବା ୧୧୮ଟି ପୁଲିସ୍ ଚେକ୍ ପୋଷ୍ଟରେ କଡା ନଜର ରହିବ। ମାଦକ ଦ୍ରବ୍ୟ ଯଥା ମଦ, ଗଞ୍ଜେଇ, ଭାଙ୍ଗ, ମଦ ଆଦି ଚୋରା ଚାଲାଣକୁ କଡାକଡି ଭାବେ ରୋକାଯିବ।

ନିର୍ବାଚନ ପୂର୍ବରୁ ବିଭିନ୍ନ ବର୍ଷରେ ହୋଇଥିବା ମାଦକ ଦ୍ରବ୍ୟ ଚଢ଼ାଉ ସଂପର୍କରେ ପୋଲିସ ବିଭାଗ ତରଫରୁ ତଥ୍ୟ ପ୍ରଦାନ କରାଯାଇଥିଲା। ଏହି ବୈଠକରେ ରାଜ୍ୟ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଂଜନ କୁମାର ସିଂ, ରାଜସ୍ୱ, ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର ଯୋଗ ଦେଇଥିଲେ।

ସେହିପରି ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ଷଢ଼ଙ୍ଗୀ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ, ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ପିସିସିଏଫ୍ ଓ୍ୱାଇଲଡ୍ ଲାଇଫ ଶ୍ରୀ ଶୁଶାନ୍ତ ନନ୍ଦ , ପରିବହନ ବିଭାଗ କମିଶନର ଶ୍ରୀ ଅମିତାଭ ଠାକୁର ଓ ଅବକାରୀ କମିଶନର ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।