Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ମା’ଭଗବତୀଙ୍କ ପୀଠରେ ମହାକାର୍ତ୍ତିକ ନୀତିକାନ୍ତି

ସୀତାରାମ ଅଗ୍ରୱାଲ

ବାଣପୁର: ଆଶ୍ଵିନର ଶାରଦୀୟ ପର୍ବପରେ ମା’ ଭଗବତୀଙ୍କ ପୀଠରେ ଆରମ୍ଭ ହୋଇଛି ମହାକାର୍ତ୍ତିକ ନୀତିକାନ୍ତି। ମା’ ଭଗବତୀ ପରମ ବୈଷ୍ଣବୀ। ଯାହାଙ୍କୁ ମାଜଣା ପରେ ପ୍ରତ୍ୟହ ମହାପ୍ରସାଦ ଅର୍ପଣ କରିବାର ପରମ୍ପରା କାହିଁ କେଉଁ କାଳରୁ ଚଳି ଆସିଛି। ଓଡ଼ିଆ ଘରର ଚଳଣିରେ ସ୍ନାନ ପରେ ପରେ ଜଗନ୍ନାଥଙ୍କ ନିର୍ମାଲ୍ୟ ମହାପସ୍ରାଦ ସେବନ କରିବା ପରି ମା’ଙ୍କ ନୀତି କାନ୍ତିରେ ମହାପ୍ରସାଦ ଅର୍ପଣରୁ ମା’ଙ୍କ ପୀଠ ପରମ ବୈଷ୍ଣବ ପୀଠ ଭାବରେ ପରିଚିତ।

ମହାକାର୍ତ୍ତିକର ପ୍ରାରମ୍ଭରୁ ପ୍ରତ୍ୟହ ଭୋର ୫ ଘଟିକାରେ ଦ୍ଵାର ଫିଟା, ମା’ଙ୍କ ଅଙ୍ଗରାଗ ମାଜଣା, ମହାପ୍ରସାଦ ଅର୍ପଣ, ନାମ ସଂକୀର୍ତ୍ତନ, ସକାଳ ୭ ଘଟିକାରେ ବଲ୍ଲଭ ଆଳତୀ, ବେଢ଼ା ପରିକ୍ରମା, ବେଶ, ସର୍ବସାଧାରଣଙ୍କ ନୈବେଦ୍ୟ ଲାଗି, ଦିବା ୧୨ ଘଟିକାରେ ଶଙ୍କୁଡ଼ି ଧୂପ, ତାପରେ ଏଣ୍ଡୁରୀ ସହ ଶଙ୍କୁଡ଼ି ଲାଗି। ଦିବା ୨ଘଟିକାରେ ଦିବା ପହୁଡ। ଦିବା ୩ ଘଟିକାରୁ ଦ୍ଵାର ଫିଟା ସର୍ବସାଧାରଣ ଦର୍ଶନ। ସଂଧ୍ୟା ଛଅ ଘଟିକାରେ ନିଶଙ୍କୁଡ଼ି ଖଜା, କାନ୍ତି, ସରପୁଳି, ମାଠ ପୁଳି, ଧୂପସହ ଆଳତି, ପୁରାଣ ପାଠ। ରାତ୍ର ୧୦ ଘଟିକାରେ ଦହି ପଖାଳ, ଗୁଣ୍ଡି ଭଜା, ଛେନାପଣା, କାକରା ମାଠ ପୁଳି ଧୂପ ପରେ ବଡସିଂହାର ବେଶ, ରାତ୍ର ପହୁଡ଼।

ମା’ଙ୍କ ବଲ୍ଲଭ ଆଳତିଦର୍ଶନ ପାଇଁ ହବିଷ୍ୟାଳୀଙ୍କ ପ୍ରବଳ ଭିଡ଼ ସହିତ ହରିବୋଲ ହୁଳହୁଳି ଶବ୍ଦରେ ମନ୍ଦିର ବେଢାରେ ଆଧାତ୍ମିକ ପରିବେଶ ପରିଲକ୍ଷିତ ହେଉଛି। ସର୍ବସାଧାରଣଙ୍କ ଅନୁରୋଧକ୍ରମେ ପୁରୀର ଶ୍ରୀମନ୍ଦିର ପରି ମହାକାର୍ତ୍ତିକରେ ଚଳିତ ବର୍ଷ ମନ୍ଦିର ପ୍ରଶାସନ ତରଫରୁ ମା’ଙ୍କ ପୀଠକୁ ସ୍ଵଚ୍ଛ, ପବିତ୍ର, ଶୁଦ୍ଧପୂତ ରଖିବା ସହିତ ପରିବେଶ ପ୍ରଦୂଷଣ ମୁକ୍ତ ରଖିବାପାଇଁ ବାହାରର ଅପମିଶ୍ରିତ ଘିଅ ଦୀପ ମନ୍ଦିର ଭିତରେ ନ ଜାଳିବାକୁ ଶ୍ରଦ୍ଧାଳୁମାନଙ୍କୁ ଅନୁରୋଧ କରାଯିବା ସହିତ ମନ୍ଦିର ବେଢାରେ ଶ୍ରୀମନ୍ଦିର ପରି ଶୁଦ୍ଧ ଭଲ ଘିଅ ଓଡ଼ିଶା ସରକାରଙ୍କ ଭରଷାଯୋଗ୍ୟ ଓମ୍ ଫେଡ୍‌ ଘିଅ ଦୀପ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି।