Categories
ଆଜିର ଖବର

ଜଗତସିଂହପୁର ‘ଚେଷ୍ଟା’ ନିଶାମୁକ୍ତି କେନ୍ଦ୍ର ମାଲିକଙ୍କ ମାଡରେ ଜଣେ ନିଶାଡି ଅନ୍ତେବାସୀଙ୍କର ମୃତ୍ୟୁ

 

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଚାନ୍ଦଗଡ଼ ମଜୁରାଇ ଠାରେ ଥିବା ‘ଚେଷ୍ଟା’ ନିଶାମୁକ୍ତି କେନ୍ଦ୍ରରେ ଜଣେ ନିଶାଡୀ ଅନ୍ତେବାସୀର ମୃତ୍ୟୁ।

ସୂଚନାନୁଯାୟୀ ନିଶାମୁକ୍ତି କେନ୍ଦ୍ରର ମାଲିକ ରାଜକିଶୋର ଦାସଙ୍କ ମାଡରେ ନିଶାଡୀ ସେକ ଜବାର ମୃତ୍ୟୁବରଣ କରିଥିବା ଅଭିଯୋଗ ହେଉଛି। ମୃତ ନିଶାଡୀ ଜଣକ ସ୍ଥାନୀୟ ମଙ୍ଗଳପୁର ଚାଟରା ଗଣ୍ଡିତ ଗାଁର ବୋଲି ଜଣାପଡିଛି।

ଏହି ନିଶାମୁକ୍ତି କେନ୍ଦ୍ରଟି ବର୍ଷକ ପୂର୍ବରୁ ଆରମ୍ଭ କରାଯାଇଥିଲା। ଏହି କେନ୍ଦ୍ରରେ ୧୫ ରୁ ଉର୍ଦ୍ଧ୍ବ ନିଶାସକ୍ତ ବ୍ୟକ୍ତି ରହି ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ତିନି ମାସରେ ନିଶାରୁ ମୁକ୍ତି ମିଳିବ ବୋଲି କେନ୍ଦ୍ରର ମାଲିକ ନିଶାସକ୍ତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ପ୍ରତିଶ୍ରୁତି ଦେବା ସହ ମାସିକ ୧୦ ହଜାର ଟଙ୍କା ଲେଖାଏଁ ତିନି ମାସକୁ ୩୦ ହଜାର ଟଙ୍କା ଚିକିତ୍ସା ଖର୍ଚ୍ଚ ନେଉଥିଲେ ବୋଲି କୁହାଯାଉଛି।

ଗତକାଲି ରାତିରେ ଉକ୍ତ ନିଶାମୁକ୍ତି କେନ୍ଦ୍ରରେ ରହୁଥିବା ନିଶାଗ୍ରସ୍ତ ବ୍ୟକ୍ତି ମାନଙ୍କୁ ନିଶାମୁକ୍ତି କେନ୍ଦ୍ରର ମାଲିକ ଆକ୍ରମଣ କରିଥିବା କୁହାଯାଉଥିବା ବେଳେ ଏହି ଆକ୍ରମଣରେ କେତେକ ନିଶାଡି ଫେରାର ହୋଇଯିବା ସହ ଜଣେ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହେଉଛି।

ଘଟଣା ସ୍ଥଳରେ ଉତ୍ତେଜନା ଲାଗିରହିଥିବାରୁ ଜଗତସିଂହପୁର ସଦର ପୋଲିସ ପହଞ୍ଚି ଶବକୁ ଜବତ କରିବା ସହିତ ଲୋକମାନଙ୍କୁ ବୁଝାସୁଝା କରୁଛି। ଏଭଳି ଏକ ସଂସ୍ଥା ଖୋଲି ନିଶାଗ୍ରସ୍ତ ଲୋକମାନଙ୍କୁ ଭଲ କରିବାର ପ୍ରତିଶୃତି ଦେଇ ନିଶାଡୀ ମାନଙ୍କୁ ନିର୍ଯ୍ୟାତନା ଦିଆଯିବା ଭଳି ଘଟଣା ଏବେ ସାଧାରଣରେ ଚକିତ କରିଛି।

ତେବେ ତୁରନ୍ତ ନିଶାମୁକ୍ତି କେନ୍ଦ୍ରର ମାଲିକଙ୍କୁ ଗିରଫ କରିବା ସହିତ ମାଲିକ ସହିତ ରହି ଏଭଳି କାର୍ଯ୍ୟ କରୁଥିବା ତାର ସହଯୋଗୀ ମାନଙ୍କୁ ଯଥାଶୀଘ୍ର ଗିରଫ କରିବା ପାଇଁ ମୃତ ଯୁବକର ପରିବାର ଲୋକେ ଦାବି କରିଛନ୍ତି।

ଘଟଣା ସ୍ଥଳରେ ସଦର ପୋଲିସ ଏବଂ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଅନ୍ୟ ପକ୍ଷରେ ମାଲିକର ମାଡରେ କେତେଜଣ ଆହତ ହୋଇଛନ୍ତି ତାହା ସଠିକ ଭାବରେ ଜଣାପଡିନାହିଁ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।