Categories
ଆଞ୍ଚଳିକ

ରାଜ୍ୟ ସଂଯୋଜକ ଭାବେ ନିର୍ବାଚିତ ହେଲେ ନୟାଗଡ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି

ରଣପୁର: ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ରାଜ୍ୟ ସ୍ତରୀୟ ସାମ୍ବିଧାନିକ ସମ୍ମିଳନୀ ଓ ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଭୁବନେଶ୍ୱର ସ୍ଥିତ କସ୍ତୁରବା ଗାନ୍ଧୀ ନାରୀ ମହଲ ସଭାଗୃହରେ ସଂଗଠନର ସଭାପତି ହୃଦାନନ୍ଦ ଦ୍ୱିବେଦୀଙ୍କ ଅଧ୍ୟକ୍ଷତାରେ ମେ ୭, ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶିକ୍ଷକମାନଙ୍କ ସାଧୁତା ବିଦ୍ୟାଳୟ ତଥା ଛାତ୍ରଛାତ୍ରୀମାନଙ୍କର ଗୁଣାତ୍ମକ ବିକାଶ ଘଟିବା ସଙ୍ଗେସଙ୍ଗେ ରାଜ୍ୟରେ ଶିକ୍ଷାର ବିକାଶ ଘଟିବ ବୋଲି ଉପସ୍ଥିତ ଶିକ୍ଷକ ମାନଙ୍କ ଉଦ୍ଦେଶ୍ୟରେ ଉଦବୋଧନ ରଖିଥିଲେ।

ଉକ୍ତ ସଭାରେ ସଂଗଠନର ସଭାପତି ଶ୍ରୀଯୁକ୍ତ ଦ୍ୱିବେଦୀ ଅନୁଷ୍ଠାନର ୧୦ ବର୍ଷର ଅନୁଭୂତି ସମ୍ବନ୍ଧରେ ଉଦବୋଧିତ କରିଥିଲେ।

ସଭାର ଦ୍ୱିତୀୟ ଅଧିବେଶନରେ ସାଙ୍ଗଠନିକ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ନିର୍ବାଚନ ପରିଚାଳନା ପାଇଁ ପୂର୍ବ ନିଷ୍ପତ୍ତି କ୍ରମେ ସାଙ୍ଗଠନିକ ନିର୍ବାଚନ ଅନୁଷ୍ଠିତ କରାଯାଇ ଶ୍ରୀଯୁକ୍ତ ଦ୍ୱିବେଦୀ ମହାସଚିବ, ସଭାପତି, ସଂଯୋଜକ, କୋଷାଧ୍ୟକ୍ଷ, ୧୦ ଜଣ ଉପ ସଭାପତି, ଆଞ୍ଚଳିକ ସମ୍ପାଦକଙ୍କୁ ବିଭିନ୍ନ ଦାୟିତ୍ବ ହସ୍ତାନ୍ତର କରିଥିଲେ।

ସୂଚନା ଥାଉକି, ଏହି ସାଙ୍ଗଠନିକ ନିର୍ବାଚନରେ ନୟାଗଡ଼ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ତଥା ରଣପୁର ଅଞ୍ଚଳର ଜଣଶୁଣା ଶିକ୍ଷକ ନେତା ଆଦର୍ଶ ଶିକ୍ଷକ ଜ୍ୟୋତିରଂଜନ ଦାଶ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ରାଜ୍ୟ ସଂଯୋଜକ ଭାବେ ନିର୍ବାଚିତ ହୋଇଛନ୍ତି।

ସେଥିପାଇଁ ନିଜ ଜିଲ୍ଲା ଓ ଜିଲ୍ଲା ବାହାରୁ ଅଭିନନ୍ଦନ ଓ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟିଥିବାର ଦେଖିବାକୁ ମିଳିଛି। କର୍ତ୍ତବ୍ୟ ପରାୟଣ,ତ୍ୟାଗ,ନିଷ୍ଠା ଓ ସଚ୍ଚୋଟ ପଣିଆକୁ ଗୁରୁତ୍ୱ ଦେଉଥିବା ନିରଳସ ସାଧକ ଶ୍ରୀଯୁକ୍ତ ଦାଶ ରଣପୁର ଶିକ୍ଷାବ୍ଳକର ରାମଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଧୁନା କାର୍ଯ୍ୟରତ। ତାଙ୍କର ସାଙ୍ଗଠନିକ ଦକ୍ଷତା, ନିଷ୍ଠା, ଶିକ୍ଷକ ସମାଜ ନିମନ୍ତେ କାର୍ଯ୍ୟ କରିବା ତରିକା ପାଇଁ ସମଗ୍ର ଶିକ୍ଷା ଜିଲ୍ଲାରେ ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଏଥିପାଇଁ ସେ ଶିକ୍ଷକ ମହଲରେ ସମସ୍ତଙ୍କ ନିକଟତର ହୋଇ ପାରିଛନ୍ତି।

ଏହା ପୂର୍ବରୁ ଶ୍ରୀଯୁକ୍ତ ଦାଶ ରଣପୁର ବ୍ଳକ୍ ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ଦାୟିତ୍ୱ ତୁଲାଇଥିଲେ। ବର୍ତ୍ତମାନ ପ୍ରାୟ ୧୦ ବର୍ଷ ଧରି ନୟାଗଡ଼ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଭାବେ ଦାୟିତ୍ବ ନିର୍ବାହ କରିଚାଲିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖଣିରେ ଚଢ଼ାଉ ବେଳେ ଏନଫୋର୍ସମେଣ୍ଟ ଟିମକୁ ଗାଡି ଚଢାଇ ମାରିଦେବା ଉଦ୍ୟମ

ରଣପୁର: ନୟାଗଡ ଜିଲ୍ଲାର ରଣପୁର ତହସିଲ ଅଞ୍ଚଳରେ ବେଆଇନ ଖଣି ମାଫିଆଙ୍କ ଉତ୍ପାତ ଦେଖିବାକୁ ମିଳିଛି। ରଣପୁରର ବେଆଇନ ଖଣିକୁ ନେଇ ସାରା ନୟାଗଡ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ଏକ ଅଘଟଣ ଦେଖିବାକୁ ମିଳିଛି। ରଣପୁର ତହସିଲ ଏନଫୋର୍ସମେଣ୍ଟ ଟିମକୁ ଆଜି ଖଣି ମାଫିଆ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି।  ଏନଫୋର୍ସମେଣ୍ଟ ଟିମ ପକ୍ଷରୁ ଆଜି ଚାନ୍ଦପୁର ଥାନା ପଟିଆ ପଞ୍ଚାୟତ କୁଶୁପଲ୍ଲା ବେଆଇନ ଖଣି ଉପରେ ଚଢ଼ାଉ କରାଯାଇଥିଲା। ଖଣି ମାଫିଆମାନେ ଜବରଦସ୍ତ ଗାଡି ନେଇଯିବା ସହ ଗାଡି ଚଢାଇ ଦେବା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏଥିରେ ଆହତ ସୁଦାମ ଚରଣ ବେହେରା ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଆଜି ରଣପୁର ଅତିରିକ୍ତ ତହସିଲଦାର ଅବିନାଶ କୁମାର ମାହାରଙ୍କ ନେତୃତ୍ୱରେ ଏକ ସାତ ଜଣିଆ ଟିମ କୁଶପଲ୍ଲା ବେଆଇନ ଖଣି ଉପରେ ଚଢ଼ାଉ କରାଯାଇଥିଲା। ଏମାନେ ପହଂଚିବା ମାତ୍ରେ ଉପସ୍ଥିତ ଖଣି ମାଫିଆମାନେ ଗାଡି ଚଢାଇ ଦେବାକୁ ଉଦ୍ୟମ କରି ଫେରାର ହୋଇଯାଇଥିଲେ। ସମ୍ପୃକ୍ତ ଆହତ କର୍ମଚାରୀଙ୍କୁ ଚାନ୍ଦପୁର ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇ ଚାନ୍ଦପୁର ଥାନାରେ ଏକ ମାମଲା ରୁଜୁ କରାଯିବା ନେଇ ପ୍ରକାଶ କରିଛନ୍ତି ଅତିରିକ୍ତ ତହସିଲଦାର।

ଆଜିର ଏହି ଚଢ଼ାଉ କାର୍ଯ୍ୟରେ ରାଜସ୍ବ ସୁପର ଭାଇଜର ଶିବନାରାୟଣ ପ୍ରଧାନ, ଝାରପଡା ଆରଆଇ ଅନିଲ ବେହେରା, ରାୟପଡା ଆରଆଇ ରାକେଶ ରଞ୍ଜନ ସେଠି ଓ ରଣପୁର ତହସିଲର ଚାରି ଜଣ ଅମିନ ସାମିଲ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁର ରଥଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରଣପୁର: ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ନୟାଗଡ ଜିଲ୍ଲା ରଣପୁର ଜଗନ୍ନାଥ ମନ୍ଦିରରେ ଆସନ୍ତା ଜୁନ୍ ମାସ ଆଷାଢ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥି ମଙ୍ଗଳବାରରେ ଅନୁଷ୍ଠିତ ହେବ ଠାକୁରମାନଙ୍କ ଘୋଷଯାତ୍ରା। ସେଥିପାଇଁ ଅକ୍ଷି ତୃତୀୟା ଠାରୁ ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ କରାଯାଇଛି। ଏହି ଯାତ୍ରାକୁ କିଭଳି ଭାବେ ସରସ ସୁନ୍ଦର ସହିତ ଆଇନ ଶୃଙ୍ଖଳା ଓ ବିଭିନ୍ନ ଏଜେଣ୍ଡାକୁ ନେଇ ସୋମବାର ଦିନ ରଣପୁର ବ୍ଲକ ପରିସରରେ ଥିବା ପଚାୟତ ସମିତିର ବୈଠକ ଘରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକ ରଣପୁର ତହସିଲଦାର ତଥା ଦେବୋତ୍ତର ବିଭାଗର କାର୍ଯ୍ୟ ନିର୍ବାହୀ ଅଧିକାରୀ ଇପ୍ସିତ କୁମାର ସାହୁଙ୍କ ସଭାପତିତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା, ରଣପୁର ସାଂସଦ ପ୍ରତିନିଧି ସ୍ୱରାଜ ମହାନ୍ତି, ଅତିରିକ୍ତ ତହସିଲଦାର ଅବିନାଶ କୁମାର ମାହର, ରେଞ୍ଜର ଦେବାଶିଷ ଭୋଇ, ସବ୍‌-ଇନସପପେକ୍‌ଟର ସଞ୍ଜୟ କୁମାର ପରିଡା, ରଣପୁର ଗୋଷ୍ଠୀ ସ୍ୱସ୍ଥ୍ୟ ଅଧିକାରୀ ବୈଦ୍ୟନାଥ ଭୋଇ ପ୍ରମୂଖ ମଂଚାସୀନ ଥିଲେ।

ଦେବୋତ୍ତର ମ୍ୟାନେଜର ରମେଶ ଚନ୍ଦ୍ର ପ୍ରଧାନ ବିଭିନ୍ନ ଏଜେଣ୍ଡା ଉପସ୍ଥାପନା କରିଥିଲେ। ରଥ କାଠ ସଂଗ୍ରହ, ରଥ ପ୍ରତିଷ୍ଠା, ରଥଯାତ୍ରା ସମୟରେ ଆଇନ ଶୃଙ୍ଖଳା ଓ ଟ୍ରାଫିକ ବ୍ୟବସ୍ଥା ସମାଧାନ, ପରିମଳ ବ୍ୟବସ୍ଥା ସହ ପାନୀୟ ଜଳ ବ୍ୟବସ୍ଥା, ରଥଯାତ୍ରା ସମୟରେ ମେଡିକାଲ ସେବା କ୍ୟାମ୍ପ, ଶ୍ରୀ ମନ୍ଦିର ଓ ପାଶ୍ୱର୍ ଦେବାଦେବୀଙ୍କ ମନ୍ଦିର ରଙ୍ଗ ଦେବା, ଦମକଳ ବାହିନୀ ସଜାଗ ରହିବା, ବିଜୁଳି ବ୍ୟବସ୍ଥା, ବାଇପାସ୍ ରାସ୍ତା ମରାମତି, ନୀତି ନିର୍ଘଂଟ କମିଟି, ରଥ ପରିଚାଳନା କମିଟି, ଶୃଙ୍ଖଳା କମିଟି, ପ୍ରଚାର ପ୍ରସାର କମିଟି, ଧାରା ବିବରଣୀ କମିଟି, ୧୪୪ ଧାରା ବ୍ୟବସ୍ଥା, ରାଜା ସାହେବଙ୍କ ଛେରା ପହଁରା, ଖାଦ୍ୟ କମିଟି ଆଦି ଏଜେଣ୍ଡା ବିଷୟରେ ଆଲୋଚନା କରାଯାଇଥିଲା।

ଏହି ବୈଠକରେ ଅବସରପ୍ରାପ୍ତ ଖାଉଟି ଫୋରମ ଅଧିକାରୀ ନାରାୟଣ ମହାପାତ୍ର, ଚୈତନ୍ୟ ମଠ ର ମହନ୍ତ ପର୍ଶୁରାମ ଦାଶ ମହାରାଜ ନଗର ସଭାପତି ଲିଙ୍ଗରାଜ ନାୟକ, ବିରଂଚି ନାରାୟଣ ତ୍ରିପାଠି, ସତ୍ୟ ନାରାୟଣ ମହାପାତ୍ର, ସୁଶାନ୍ତ ମିଶ୍ର, ସୁରେଶ ମିଶ୍ରଙ୍କ ସମେତ ସମସ୍ତ ପୂଜା ପଣ୍ଡା, ସେବାୟତ, ବିଭିନ୍ନ ସରକାରୀ ଅଧିକାରୀ, ସାମ୍ବାଦିକ, ରଥ କାରିଗର, ଯୁବପିଢି ଉପସ୍ଥିତ ରହି ନିଜ ମତାମତ ଉପସ୍ଥାପନା କରିଥିଲେ।

Categories
ଆଞ୍ଚଳିକ

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଅଧ୍ୟକ୍ଷଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା “ସୁବାସଙ୍କ ସୁବାସ” ପାଳିତ

ରଣପୁର: ଆଜି ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ. ସୁବାସ ଚନ୍ଦ୍ର ଦାସଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି। ଏହି ସମ୍ବର୍ଦ୍ଧନା ସଭାକୁ “ସୁବାସଙ୍କ ସୁବାସ” ନାମରେ ନାମିତ କରାଯାଇଥିଲା।

ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ଭୁବନେଶ୍ୱର ଟିଇ ଆଣ୍ଡ ଏସ.ସି.ଆର.ଟି ର ଉପନିର୍ଦ୍ଦେଶିକା ଡ଼ା. ଅପର୍ଣ୍ଣା ମିଶ୍ର, ମୁଖ୍ୟ ବକ୍ତା ଭାବେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ଼. ତାପସ କୁମାର ନାୟକ, ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଓଡିଶା ଭୁବନେଶ୍ୱର ଟିଇ ଆଣ୍ଡ ଏସ.ସି.ଆର.ଟି ର ସହ ନିର୍ଦ୍ଦେଶକ ଡ. ମନୋରଞ୍ଜନ ମହାପାତ୍ର, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ସହ ନିର୍ଦ୍ଦେଶକ ଡ. ପ୍ରଶାନ୍ତ କୁମାର ରଥ, ପ୍ରାକ୍ତନ ଅଧ୍ୟକ୍ଷା ଡ. ସୁସନ୍ଧ୍ୟା ମହାନ୍ତି, ପ୍ରାକ୍ତନ ଅଧ୍ୟକ୍ଷ ଡ. ସଚ୍ଚିଦାନନ୍ଦ ମିଶ୍ର, ପ୍ରାକ୍ତନ ଅଧ୍ୟକ୍ଷ ଡ. ପ୍ରଭାକର ତ୍ରିପାଠୀ, ପ୍ରାକ୍ତନ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଡ. ବ୍ରଜବନ୍ଧୁ ନାୟକ, ପୁରୀ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ. ସନ୍ତୋଷ କୁମାର ପରିଡା, ଭଞ୍ଜନଗର କେ.ଏସ.ୟୁ.ବି. ର ସହକାରୀ ପ୍ରଫେସର ପ୍ରକାଶ କୁମାର ସାହୁ, ରଣପୁର ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ବସନ୍ତ କୁମାର ରାଉତ, ଖଣ୍ଡପଡାର ପ୍ରାକ୍ତନ ବ୍ଲକ ଶିକ୍ଷା ଅଧିକାରୀ ଜୟନ୍ତୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏହି ସଭାରେ ବିଜୟ କୁମାର ତ୍ରିପାଠୀ ସଭାପତିତ୍ୱ କରିଥିଲେ।

ଶିକ୍ଷକ ପ୍ରଶିକ୍ଷକ ମନୋରଞ୍ଜନ ଦାଶ ମଞ୍ଚ କାର୍ଯ୍ୟ ପରିଚାଳନା କରିଥିବା ବେଳେ ବଟକୃଷ୍ଣ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରଥମେ ଅତିଥିମାନେ ପ୍ରଭୁ ଜଗନ୍ନାଥଙ୍କୁ ଧୂପ ଓ ଦେଇ ସଭାକାର୍ଯ୍ୟ ଆରମ୍ଭ କରିଥିଲେ। ଏହାପରେ ଅନୁଷ୍ଠାନର ପୂର୍ବତନ ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରି ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ଏହାପରେ ଶିକ୍ଷକ ପ୍ରଶିକ୍ଷିକା ଦିପ୍ତୀପ୍ରଭା ଦାଶ ଓ ଅନିନ୍ଦିତା ପ୍ରିୟଦର୍ଶିନୀ ଅତିଥିମାନଙ୍କୁ ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଶିକ୍ଷକ ପ୍ରଶିକ୍ଷକ ମାନସ କୁମାର ସାହୁ ବିଦାୟୀ ଅଧ୍ୟକ୍ଷଙ୍କ ଗୁଣ ଗାନ କରିଥିଲେ। ଶିକ୍ଷକ ପ୍ରଭାତ କୁମାର ପଣ୍ଡା, ମାନସ କୁମାର ପଟ୍ଟନାୟକ ଅଧ୍ୟକ୍ଷଙ୍କ ଜୀବନ କାହାଣୀକୁ ସଙ୍ଗୀତ ମାଧ୍ୟମରେ ଗାନ କରିଥିବା ବେଳେ ଶରତ କୁମାର ମଲ୍ଲିକ ବାଦ୍ୟ ବାଦନରେ ସହଯୋଗ କରିଥିଲେ।

ଏହି କାର୍ଯ୍ୟକ୍ରମରେ ନୟାଗଡ ଜିଲ୍ଲାର ବିଭିନ୍ନ ବ୍ଲକର ଶିକ୍ଷକ, ସାଧନ କେନ୍ଦ୍ର କର୍ମୀ, ବ୍ଲକ ଶିକ୍ଷା ଅଧିକାରୀ ଓ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇ ଅବସର ପ୍ରାପ୍ତ ଅଧ୍ୟକ୍ଷଙ୍କ ଗୁଣ ଗାନ କରିଥିଲେ। ଉପସ୍ଥିତ ଥିବା ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଓ ଅତିଥମାନଙ୍କ ଅଭିଭାଷଣରୁ ଅବସର ପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ଦାଶ ଜଣେ କର୍ତ୍ତବ୍ୟନିଷ୍ଠ, ସମୟାନୁବର୍ତ୍ତିତା, କର୍ମ ତତ୍ପର ଥିଲେ ବୋଲି ଜଣା ପଡିଛି। ଏହା ସହିତ ତାଙ୍କର ଅବଶିଷ୍ଟ ଜୀବନ ସୁଖମୟ ହେଉ ବୋଲି ସମସ୍ତେ ଈଶ୍ୱରଙ୍କ ନିକଟରେ ପାର୍ଥନା କରିଥିଲେ।

Categories
ଆଞ୍ଚଳିକ

ରଣପୁର: ଆଦର୍ଶ ଶିକ୍ଷୟତ୍ରୀଙ୍କ ସ୍ମୃତି ଚାରଣ ସଭା

ରଣପୁର: ଆଜି ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନସ୍ଥ ମାର୍ଥା ପଦର ଗ୍ରାମରେ ଆଦର୍ଶ ଶିକ୍ଷୟତ୍ରୀ ସ୍ବର୍ଗତ ସଂଯୁକ୍ତା ପ୍ରଧାନଙ୍କ ଏକାଦଶାହ ଅବସରରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ବିଶେଷ ଅତିଥି ଭାବେ ପ୍ରଭାତ କୁମାର ଦଳବେହେରା, ସ୍ଥାନୀୟ କାଉନସିଲର ରମାକାନ୍ତ ସାହୁ, ସମ୍ମାନିତ ଅତିଥି ଭାବେ ରଣପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘର ସଭାପତି ପ୍ରଫୁଲ କୁମାର ବିଶ୍ୱାଳ, ସମ୍ପାଦକ ଜଗନ୍ନାଥ ଦାଶ, ମଧ୍ୟ ଇଁରାଜୀ ବିଦ୍ୟାଳୟ ଶିକ୍ଷକ ସଙ୍ଘର ସଭାପତି ଅଶୋକ କୁମାର ଦାଶ, ଏକ୍ସ କ୍ୟାଡର ଓ ଗଣ ଶିକ୍ଷକ ସଙ୍ଘର ନୟାଗଡ ବ୍ଲକ କର୍ମ କର୍ତ୍ତା ସନ୍ତୋଷ କୁମାର ପଣ୍ଡା, ଭଗବାନ ପଣ୍ଡା, ବୈଷ୍ଣବ ଚରଣ ମହାନ୍ତି, ଶିବ ନାୟକ, ବିଜୟ ସାହୁ, ନୟାଗଡ଼ ଜିଲ୍ଲା କର୍ମକର୍ତ୍ତା ପବିତ୍ର ପ୍ରଧାନ, ନରସିଂହପୁର ସି.ଆର.ସି.ସି. ଶକ୍ତି ପ୍ରସାଦ ଆଚାର୍ଯ୍ୟ, ସୁଶିଲ କୁମାର ରଣା ପ୍ରମୁଖ ଉପସ୍ଥିତ ଥିଲେ।

ଏହି ସଭାରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘର ସଭାପତି ଜ୍ୟୋତି ରଞ୍ଜନ ଦାଶ ସଭାପତିତ୍ୱ କରିଥିଲେ। ପ୍ରକାଶ ଚନ୍ଦ୍ର ରଣହାନ୍ଦୋଳ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସ୍ବର୍ଗତ ସଂଯୁକ୍ତା ପ୍ରଧାନ ଜଣେ ଆଦର୍ଶ ଶିକ୍ଷୟତ୍ରୀ ଥିଲେ। ସେ ପିଲାମାନଙ୍କୁ ଅତ୍ୟନ୍ତ ସ୍ନେହ କରିବା ସହିତ ପିଲାମାନଙ୍କ ସୁଖ ଦୁଃଖ ବୁଝିବା ସହ ପିଲାମାନଙ୍କୁ ଅତି ସରଳ ଧାରାରେ ପାଠ ପଢାଉ ଥିଲେ। ସେ ପିଲାମାନଙ୍କର ଅତ୍ୟନ୍ତ ପ୍ରିୟ ଥିଲେ।

ସେ ୧୯୭୨ ମସିହାରେ ଜନ୍ମ ଗ୍ରହଣ କରିଥିଲେ ଏବଂ ୨୦୨୩ ମସିହା ଏପ୍ରିଲ ମାସ ୬ ତାରିଖରେ ସେ ଧରା ପୃଷ୍ଠରୁ ବିଦାୟ ନେଇଥିଲେ। ମୃତ୍ୟୁ ବେଳକୁ ସେ ଆରଡ଼ା ପ୍ରାଥମିକ ବିଦ୍ୟାଳୟରେ ଏକ୍ସ କ୍ୟାଡର ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ଥିଲେ।

ସଙ୍ଘର ସମ୍ପାଦକ କୁଳମଣି ପଟ୍ଟନାୟକଙ୍କ ସହ ସଙ୍ଘର ସମସ୍ତ କର୍ମକର୍ତ୍ତା ଓ ଶିକ୍ଷକ ଶିକ୍ଷୟତ୍ରୀମାନେ ଉପସ୍ଥିତ ରହି ସ୍ବର୍ଗତ ଶିକ୍ଷୟତ୍ରୀଙ୍କ ଗୁଣ କରିବା ସହ ଦୁଃଖରେ ମ୍ରିୟମାଣ ହୋଇ ପଡିଥିଲେ। ସ୍ବର୍ଗତ ଶିକ୍ଷୟତ୍ରୀଙ୍କ ଦୁଇ ଜଣ ଝିଅ ଓ ଏକମାତ୍ର ପୁଅ ଅଛନ୍ତି। ଶିକ୍ଷକ ରଘୁନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ”ଆମ ସଂସ୍କୃତି ଆମ ଖେଳନା” କର୍ମଶାଳା ଅନୁଷ୍ଠିତ

ରଣପୁର: ଆଜି ନୟାଗଡ ଜିଲ୍ଲା ରଣପୁର ଶିକ୍ଷା ବ୍ଲକର ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ପିଲାମାନଙ୍କ ଶିକ୍ଷଣ ଉଦ୍ଦେଶ୍ୟରେ ଆମ ସଂସ୍କୃତି ଆମ ଖେଳନା କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। ଏହି କର୍ମଶାଳା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଧନ କେନ୍ଦ୍ର କର୍ମୀ ସନ୍ତୋଷ କୁମାର ମିଶ୍ର, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ଲକ୍ଷ୍ମୀଧର ସାହୁ, ସମ୍ମାନିତ ଅତିଥି ଭାବେ ପିମ୍ପଲ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସେଠି, କ୍ଷେତ୍ରୀବରପୁର ମଧ୍ୟ ଇଁରାଜୀ ବିଦ୍ୟାଳୟର ଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ସେଠି, ୱାର୍ଡ଼ ମେମ୍ବର ସରୋଜିନୀ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ମନ୍ଦାକିନୀ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ବେହେରା ସଭାପତି ଭାବେ ସଭାକାର୍ଯ୍ୟ ପରିଚାଳନା କରିଥିଲେ।

ବରିଷ୍ଠ ଶିକ୍ଷକ ନୃସିଂହ ଚରଣ ଚୌଧୁରୀ ପ୍ରଶିକ୍ଷକ ଭାବେ ଯୋଗ ଦେଇ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଖବର କାଗଜରେ ବିଭିନ୍ନ ପ୍ରକାରର ଟୋପି, ରଙ୍ଗୀନ କାଗଜରେ ଫିଙ୍ଗର ପପେଟ, ବିଭିନ୍ନ ମୁଖା, କପଡାରେ ବିଭିନ୍ନ ପ୍ରକାର କଣ୍ଢେଇ ଓ ପାଠ୍ୟ ଉପକରଣ ପ୍ରସ୍ତୁତି ପ୍ରକ୍ରିୟା ଶିଖାଇ ଥିଲେ। ସେହିପରି କୈଳାଶ ଚନ୍ଦ୍ର ମହାରଣା, ଶରତ ଚନ୍ଦ୍ର ମହାରଣା, ସନ୍ତୋଷ କୁମାର ମୁଦୁଲି ପ୍ରମୁଖ ଯୋଗ ଦେଇ ପିଲାମାନଙ୍କୁ ଫୋମ ତୁଳାରେ ବିଭିନ୍ନ ପ୍ରକାର ଟେଡି, ନଡ଼ିଆ କତାରେ ବଗ, ଚଢେଇ ବସା, କଇଁଛ ଏବଂ ମାଟିରେ ହାତୀ, କଇଁଛ, ଗଣେଷ, ଘୋଡା, ଫୁଲ ଦାନୀ ଭଳି ବିଭିନ୍ନ ପ୍ରକାର ଜିନିଷ ପ୍ରସ୍ତୁତି ପ୍ରକ୍ରିୟାର କୌଶଳ ପିଲାମାନଙ୍କୁ ଶିଖାଇ ଥିଲେ। ପିଲାମାନେ ମଧ୍ୟ କାଗଜରେ ଟୋପି, ଫୋମ ତୁଳାରେ କଣ୍ଢେଇ, ନଡ଼ିଆ କତାରେ ଚଢେଇ, ମାଟିରେ କଇଁଛ ତିଆରି କରିଥିଲେ।

ମୁଖ୍ୟ ଅତିଥି ଶ୍ରୀ ମିଶ୍ର, ମୁଖ୍ୟ ବକ୍ତା ଶ୍ରୀ ସାହୁ ଓ ଅନ୍ୟାନ୍ୟ ଅତିଥିମାନେ ଏହି କାର୍ଯ୍ୟକ୍ରମ ଦ୍ୱାରା ପିଲାମାନେ ଆତ୍ମ ନିର୍ଭରଶୀଳ ହେବା ସହିତ ନିଜେ ନିଜେ ବିଭିନ୍ନ ପାଠ୍ୟ ସହାୟକ ଉପକରଣ ପ୍ରସ୍ତୁତ କରି ପାରିବେ ବୋଲି ମତ ରଖିଥିଲେ। କାର୍ଯ୍ୟକ୍ରମ ଶେଷରେ ପ୍ରଶିକ୍ଷକ ନୃସିଂହ ଚରଣ ଚୌଧୁରୀ, କୈଳାଶ ଚନ୍ଦ୍ର ମହାରଣା, ଶରତ ଚନ୍ଦ୍ର ମହାରଣା, ସନ୍ତୋଷ କୁମାର ମୁଦୁଲି, ଶିକ୍ଷାବିତ ଲକ୍ଷ୍ମୀଧର ସାହୁ, ସାଧନ କେନ୍ଦ୍ର କର୍ମୀଙ୍କୁ ଉପଢୌକନ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣାଙ୍କ ନେତୃତ୍ୱରେ ଶିକ୍ଷୟତ୍ରୀ ପଦ୍ମାବତୀ ବେହେରା, ଅଙ୍ଗନବାଡି କର୍ମୀ ପୁଷ୍ପମଞ୍ଜରୀ ଦେଇ, କନନବାଳା ସାହୁ ଏହି କର୍ମଶାଳାରେ ସହଯୋଗ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ସଦସ୍ୟା ଓ ଗ୍ରାମବାସୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ପୂର୍ଣ୍ଣ ସମର୍ଥନ କରିଥିଲେ।

Categories
ଆଞ୍ଚଳିକ

ରଣପୁରରେ ଜନ ଶୁଣାଣି ଶିବିର

ରଣପୁର: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି. ଏଥିରେ ନୟାଗଡ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ, ନୟାଗଡ ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପହି, ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଞ୍ଜିନିଅର ଦେବାଶିଷ ପଟ୍ଟନାୟକ, ରଣପୁର ବିଡ଼ିଓ ଜ୍ୟୋତି ପ୍ରକାଶ ସେଠି ପ୍ରମୁଖ ଉପସ୍ଥିତ ରହି ଲୋକମାନଙ୍କ ଅଭିଯୋଗ ଶୁଣିବା ସହିତ ସମସ୍ୟାର ସମାଧାନ କରିଥିଲେ।

ଏଥିରେ ମୋଟ ୪୯୧ ଟି ଅଭିଯୋଗ ଆସିଥିଲା। ସେଥି ମଧ୍ୟରୁ ୪୮୫ ଟି ବ୍ୟକ୍ତିଗତ ଅଭିଯୋଗ, ୩ଟି ଗ୍ରାମ୍ୟ ଘଟଣା ସହିତ ଅନ୍ୟାନ୍ୟ ଅଭିଯୋଗ ଆସିଥିଲା। ସେଥି ମଧ୍ୟରୁ ୧୨୭ ଟି ଘଟଣା ସମାଧାନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କିତ ୨୭୨ଟି ଅଭିଯୋଗ ଆସିଥିଲା।

ଜନ ଶୁଣାଣି ଶିବିର ସମ୍ପର୍କରେ ସର୍ବ ସାଧାରଣଙ୍କୁ ସଠିକ ଭାବେ ସୂଚନା ଦିଆ ଯାଉ ନହିଁ, ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ଗଣମାଧ୍ୟ୍ୟମ ପ୍ରତିନିଧିଙ୍କୁ ସଠିକ ଭାବେ ସୂଚନା ଦିଆ ଯାଉ ନହିଁ।

Categories
ଆଜିର ଖବର ରାଜ୍ୟ ଖବର

ରଣପୁର ବ୍ଲକ କାର୍ଯ୍ୟାଳୟକୁ ଘେରିଲେ ଶହ ଶହ ସଂଖ୍ୟକ ହିତାଧିକାରୀ

ରଣପୁର: ଗତକାଲି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସମ୍ଭବ୍ୟ ତାଲିକା ପ୍ରକାଶ ପାଇବା ପରେ କିଛି ଯୋଗ୍ୟ ହିତାଧିକାରୀ ସେଥିରୁ ବାଦ ପଡ଼ିଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଆଜି ନୟାଗଡ ଜ଼ିଲ୍ଲା ରଣପୁର ବ୍ଲକର ବଳଭଦ୍ର ପୁର, ବାଉଁଶ ଗଡ଼, ତାଳକଣି, ଖତିଆ, ଦର୍ପନାରାୟଣ ପୁର ଓ ନରସିଂହ ପୁର ଗ୍ରାମ ପଞ୍ଚାୟତର ଶହ ଶହ ସଂଖ୍ୟକ ଯୋଗ୍ୟ ହିତାଧିକାରୀ ରଣପୁର ବ୍ଲକ ସମୁଖରେ ଧାରଣାରେ ବସିବା ସହ ପ୍ରତିବାଦ କରିଥିଲେ।

ତେବେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଆବାସ ଯୋଜନାରୁ ବଞ୍ଚିତ ହିତାଧିକାରୀମାନଙ୍କୁ ରଣପୁର ବିଡ଼ିଓ ବୁଝାସୁଝା କରିଵା ସହ ଖୁବ ଶୀଘ୍ର ସେମାନଙ୍କ ନାମ ଆବାସ ଯୋଜନାରେ ସାମିଲ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି।

ତେବେ ଘଟଣା ସ୍ଥଳରେ ବିଜେପିର ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ବ୍ଲକ ପରିସରରେ ପହଞ୍ଚି ହିତାଧିକାରୀମାନଙ୍କ ସହ ଆଲୋଚନା କରିବା ସହ ତୁରନ୍ତ କିପରି ଯୋଗ୍ୟ ହିତାଧିକାରୀ ମାନେ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ ସେ ସମ୍ପର୍କରେ ରଣପୁର ବିଡ଼ିଓଙ୍କ ସହ ଆଲୋକପାତ କରିଥିଲେ।

ରଣପୁର ବ୍ଲକରେ ମୋଟ ୬୨୬୨ ଜଣ ଯୋଗ୍ୟ ହିତାଧିକାରୀ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୩୮୨୫ ଜଣ ହିତାଧିକାରୀଙ୍କ ନାମ ଆସିଥିବା ବେଳେ ଖୁବଶୀଘ୍ର ଅନ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରାଯିବ ବୋଲି ରଣପୁର ବିଡ଼ିଓ ଜ୍ୟୋତି ପ୍ରକାଶ ସେଠି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନୟାଗଡ଼ ଜିଲ୍ଲାକୁ ମାଡିଲା ଧଳା ଜହର: କୋଟିଏରୁ ଉର୍ଦ୍ଧ୍ଵ ମୂଲ୍ୟର ବ୍ରାଉନ ସୁଗାର ଜବତ କଲା ଏସଟିଏଫ

ନୟାଗଡ: ଭୁବନେଶ୍ୱର ଏସଟିଏଫ ନୟାଗଡ଼ ଜିଲ୍ଲା କଣ୍ଟିଲୋ ଅଞ୍ଚଳରେ ଚଢ଼ାଉ କରି କୋଟିଏରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ସୂଚନା ମୁତାବକ ଗତକାଲି ସଂନ୍ଧ୍ୟାରେ ଫତେଗଡ଼ ଥାନା ଅନ୍ତର୍ଗତ କଣ୍ଟିଲୋ ସ୍ଥିତ ନାରାୟଣୀ ପିଠରେ ବ୍ରାଉନ ସୁଗାରର ଏକ ବଡ଼ ଡ଼ିଲ ହେଉଥିବାର ଖବର ପାଇ ଏସଟିଏଫ ଚଢ଼ାଉ କରିଥିଲା।

ଚଢ଼ାଉ ବେଳେ ଖଣ୍ଡପଡା ଥାନା ଛାମୁସାହିର ଅଭିଯୁକ୍ତ ହର ପ୍ରସାଦ ପୃଷ୍ଟି ଗିରଫ ହୋଇଥିବା ବେଳେ ତାଙ୍କ ନିକଟରୁ ୧ କେଜି ୧୯୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଏସଟିଏଫ।  ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୧ କୋଟି ୧୯ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।

ଏହି ପରିପ୍ରେକ୍ଷୀରେ ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେସ ନମ୍ବର ୨/୨୩ ରେ ଏକ ମାମଲା ରୁଜୁ କରି ଆଜି କୋର୍ଟଚାଲାଣ କରିବ ବୋଲି ସୂଚନା ମିଳିଛି।

Categories
ଆଞ୍ଚଳିକ

ମଣ୍ଡଳ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ: ୧୮୫ ଟି ପ୍ରକଳ୍ପ ପ୍ରଦର୍ଶିତ

ରଣପୁର: ଆଜି ନୟାଗଡ ଜିଲ୍ଲା ରଣପୁର ଶିକ୍ଷା ବ୍ଲକରେ ମଣ୍ଡଳ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ମଝିଆଖଣ୍ଡ ରଘୁନାଥ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି।  ରଣପୁର ମଣ୍ଡଳ ଶିକ୍ଷା ଅଧିକାରିଣୀ ବନଲତା ବେହେରାଙ୍କ ଅଧ୍ୟକ୍ଷତାରେ ଓ ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁଙ୍କ ଆବାହକତ୍ବରେ ଅନୁଷ୍ଠିତ ହୋଇଥିବା ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ରଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ନିର୍ମଳା ବେହେରା, ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ପ୍ରଫୁଲ ପ୍ରଧାନ, ସମ୍ମାନିତ ଅତିଥି ଭାବେ ମଝିଆଖଣ୍ଡ ସରପଞ୍ଚ ମଧୁମିତା ତରାଇ, ସମିତି ସଭ୍ୟ ସୋମ୍ୟ ରଞ୍ଜନ ବେହେରା, ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ ଶାନ୍ତିଲତା ଦେଇ, ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ରସାନନ୍ଦ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।

ସେହିପରି ଭାବେ ଏହାର ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ମୁଖ୍ୟ ବକ୍ତା ଭାବେ ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଞ୍ଜିନିଅର ଦେବାଶିଷ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ ଶାନ୍ତିଲତା ଦେଇ, ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ବସନ୍ତ କୁମାର ରାଉତ ପ୍ରମୁଖ ଯୋଗ ଦେଇଥିଲେ। ମଣ୍ଡଳ ଶିକ୍ଷା ଅଧିକାରିଣୀ ବନଲତା ବେହେରା ଏଥିରେ ସଭାପତିତ୍ବ କରିଥିଲେ। ଏହି ବିଜ୍ଞାନ ପ୍ରଦର୍ଶନୀରେ ୧୮୫ ଟି ପ୍ରକଳ୍ପ ପ୍ରଦର୍ଶନୀ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷକ ସଙ୍ଘର କର୍ମକର୍ତ୍ତା, ସମସ୍ତ ସାଧନ କେନ୍ଦ୍ର କର୍ମୀ, ସ୍ଥାନୀୟ ବିଦ୍ୟାଳୟ ଓ ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କଟକ, ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାର ମିଶନ ଶକ୍ତି ମା ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ସଂଧ୍ୟାରେ ନବୀନ ନିବାସଠାରେ କଟକ, ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାର ମିଶନ ଶକ୍ତି ଗୋଷ୍ଠୀର ମା ମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଥିଲେ । ଏହି ଅବସରରେ ଗତ ଅଗଷ୍ଟ ୧୫ ତାରିଖ ୭୫ତମ ସ୍ବାଧୀନତା ଦିବସ ପାଳନ ଅବସରରେ ମା ମାନେ ଜାତୀୟ ପତାକା ତିଆରି ଦାୟିତ୍ବ ନେଇ ଦକ୍ଷତାର ସହ ତୁଲାଇ ଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ମିଶନ ଶକ୍ତି ମା ମାନଙ୍କ କାର୍ଯ୍ୟର ପ୍ରଶଂସା କରି କହିଥିଲେ ଯେ ଆପଣମାନଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ସଂପୂର୍ଣ୍ଣ ଭରସା ରହିଛି। ଆପଣମାନେ ମଧ୍ୟ ଗାଁ ଗାଁରେ ବିକାଶର ନେତୃତ୍ବ ନେଇ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ଓ ଭରସାକୁ ସାକାର କରିପାରିଛନ୍ତି।

ଜାତୀୟ ପତାକା ତିଆରି ପରି ଏକ ମର୍ଯ୍ୟଦାପୂର୍ଣ୍ଣ ଦାୟିତ୍ବ ଅର୍ପଣ କରିଥିବାରୁ ମିଶନ ଶକ୍ତିର ମା ମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇ ଥିଲେ। ମିଶନ ଶକ୍ତିରେ ସାମିଲ ହୋଇ ଆମେ ଗର୍ବିତ ବୋଲି ସେମାନେ ପ୍ରକାଶ କରିବା ସହିତ ଏଥିପାଇଁ ଆଜି ବିଭିନ୍ନ କ୍ଷେତ୍ରରେ ନିଜର ପ୍ରତିଭାର ବିକାଶ ହୋଇପାରିଛି ବୋଲି ସେମାନେ କହିଥିଲେ ।

ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ସ୍ବାଧୀନତାର ୭୫ତମ ପୂର୍ତ୍ତି ଅବସରରେ ରାଜ୍ୟ ସରକାର ମିଶନ ଶକ୍ତି ମା ମାନଙ୍କୁ ୩୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତି ଓ ବଣ୍ଟନ ଦାୟିତ୍ବ ଦେଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ରଣପୁର: ନାବାଳିକା ଛାତ୍ରୀଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ କରି ଟ୍ୟୁସନ୍ ଶିକ୍ଷକ ଗିରଫ

ରଣପୁର: ନାବାଳିକା ଛାତ୍ରୀଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ କରି ଟ୍ୟୁସନ୍ ଶିକ୍ଷକ ଗିରଫ ହୋଇଛନ୍ତି। ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧିନସ୍ଥ ରାଜସୁନାଖଳା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।

ଅଭିଯୋଗ ମୁତାବକ କୋଭିଡ଼ ସମୟରେ ଛାତ୍ରୀଙ୍କୁ ଅଶ୍ଲୀଳ ଭିଡ଼ିଓ ଦେଖାଇ ଅଭିଯୁକ୍ତ ଶିକ୍ଷକ ଦୁଷ୍କର୍ମ କରୁଥିଲା। ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ଓ ଫଟୋ କରି ଅଭିଯୁକ୍ତ ଶିକ୍ଷକଜଣଙ୍କ ଭାଇରାଲ କରିଥିଲା। ଭାଇରାଲ ପରେ ଦୁଇ ନାବାଳିକାର ପରିବାର ରଣପୁର ଥାନାରେ ଅଭିଯୋଗ କରିଥିଲେ। ତେଣୁ ଏହି ମାମଲାରେ ରଣପୁର ପୋଲିସ୍ ୨ ଟି ମାମଲା ରୁଜୁ କରି ତଦନ୍ତ କରିଥିଲା। ତଦନ୍ତ ପରେ ଅଭିଯୁକ୍ତ ଶିକ୍ଷକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ରଣପୁର ପୋଲିସ ପୋକ୍ସୋ ଆକ୍ଟ ଲଗାଇଛି। କୋର୍ଟ ଚାଲାଣ ପରେ ଅଭିଯୁକ୍ତ ଶିକ୍ଷକର ଆଉ କେଉଁ ନାବାଳିକା ସହ ସମ୍ପର୍କ ଅଛି, ତାହାର ତଦନ୍ତ କରିବାକୁ ରଣପୁର ପୋଲିସ ୧୫ ଦିନଆ ରିମାଣ୍ଡ ପାଇଁ ଆବେଦନ କରିଛି। ଅଭିଯୁକ୍ତ ଶିକ୍ଷକ ଜଣକ ଜଣେ ମେଧାବୀ ଛାତ୍ର। କିଛି ମାସ ହେବ ସେ ସରକାରୀ ଶିକ୍ଷକ ଭାବେ ଓଡ଼ଗାଁ ସ୍କୁଲରେ ନିଯୁକ୍ତି ପାଇଥିଲେ।

ଚାକିରି ପୁର୍ବରୁ ରାଜସୁନାଖଳାରେ ଏକ ଘରୋଇ ସ୍କୁଲରେ ଅଭିଯୁକ୍ତ ଶିକ୍ଷକଜଣଙ୍କ ଶିକ୍ଷକତା କରୁଥିଲା। କୋଭିଡ଼ ସମୟରେ ନବମ ଓ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଏକାକୀ ଡାକି ସେମାନଙ୍କୁ ବିଭିନ୍ନ ଅଶ୍ଲୀଳ ଭିଡ଼ିଓ ଦେଖାଇ ସେମାନଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲା ଓ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡ଼ିଓକୁ ମୋବାଇଲରେ ସେଭ୍ କରି ରଖୁଥିଲା। ଅଭିଯୁକ୍ତ ଏମିତି କେତେ ଜଣଙ୍କ ସହ ସମ୍ପର୍କ ରଖିଛି, ତାହାର ତଦନ୍ତ ପାଇଁ ରଣପୁର ପୋଲିସ ରିମାଣ୍ଡରେ ଆଣିବ।

Categories
ଆଜିର ଖବର ରାଜ୍ୟ ଖବର

ନୟାଗଡ଼ ଜିଲ୍ଲା ପୋଲିସ ବିଭାଗରେ ଅଦଳ ବଦଳ, ଦେଖନ୍ତୁ ତାଲିକା

ନୟାଗଡ଼: ଖୋର୍ଦ୍ଧା ଜିଲ୍ଲା ପରେ ଏବେ ନୟାଗଡ଼ ଜିଲ୍ଲା ପୋଲିସ ବିଭାଗରେ ଛୋଟ ଧରଣର ଅଦଳ ବଦଳ ହୋଇଛି। ଜିଲ୍ଲାର ବିଭିନ୍ନ ଥାନାର ଆଇଆଇସିଙ୍କ ବଦଳି ସମେତ ନୂତନ ଭାବେ ପଦୋନ୍ନତି ପାଇଥିବା ଇନ୍ସପେକ୍ଟରଙ୍କୁ ଥାନାରେ ନିଯୁକ୍ତି ଦିଆଯାଇଛି। ଜିଲ୍ଲା ଏଷ୍ଟାବ୍ଲିସମେଣ୍ଟ ବୋର୍ଡର ମୁଖ୍ୟ ତଥା ଏସପି ଅଲେଖ ଚନ୍ଦ୍ର ପହିଙ୍କ ନିଷ୍ପତ୍ତିକ୍ରମେ ଉକ୍ତ ବଦଳି ହୋଇଛି।

ବଦଳି ତାଲିକା:

ବାଣିଗୋଛା ଥାନା ଆଇଆଇସି ମୁକେଶ କୁମାର ବେହେରାଙ୍କୁ ଚାନ୍ଦପୁର ଥାନା, ଇଟାମାଟି ଥାନା ଆଇଆଇସି ରମେଶ କୁମାର ଦେବତାଙ୍କୁ ଖଣ୍ଡପଡ଼ା ଥାନା, ଖଣ୍ଡପଡ଼ା ଥାନା ଆଇଆଇସି ବିଶ୍ବଜିତ ରାଉତରାୟଙ୍କୁ ଇଟାମାଟି ଥାନା, ଆଇଆଇସି ସଞ୍ଜୟ କୁମାର ମଲ୍ଲିକଙ୍କୁ ବାଣିଗୋଛା ଥାନା, ନୂଆଗାଁ ଥାନା ଆଇଆଇସି ବସନ୍ତ କୁମାର ସାହୁଙ୍କୁ ଦଶପଲ୍ଲା ଥାନାକୁ ବଦଳି କରାଯାଇଥିବା ବେଳେ ନୂତନ ଇନ୍ସପେକ୍ଟର ପୁଷ୍ପଲତା ବେହେରାଙ୍କୁ ନୂଆଗାଁ ଥାନାର ଆଇଆଇସି ଭାବେ ନିଯୁକ୍ତ କରାଯାଇଛି। ସମସ୍ତ ଅଧିକାରୀ ମାନେ ତୁରନ୍ତ ନୂତନ ସ୍ଥାନରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ ରହିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚମ୍ପାଗଡ ଜଙ୍ଗଲରୁ ଦୁଇଟି ଲୁହା ରଡ୍ ବୋଝେଇ ଟ୍ରଲର ଜବତ: ଚୋରା ଚାଲାଣ ଅଭିଯୋଗରେ ୪ ଗିରଫ

ଚାନ୍ଦପୁର: ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ ଚମ୍ପାଗଡ ଜଙ୍ଗଲରୁ ଦୁଇଟି ଲୁହା ରଡ୍ ବୋଝେଇ ଟ୍ରଲର ଜବତ କରିଛି। ଲୁହା ରଡ୍ ଚୋରା ଚାଲାଣ ଅଭିଯୋଗରେ ଉଭୟ ଟ୍ରଲର ଦୁଇ ଚାଳକ ଏବଂ ୨ ଜଣ ସ୍ଥାନୀୟ ମାଫିଆଙ୍କୁ ଚାନ୍ଦପୁର ପୋଲିସ ଗିରଫ କରିଛି।

ସୂଚନା ଅନୁଯାୟୀ, ଚମ୍ପାଗଡ ଜଙ୍ଗଲରେ ଲୁହା ରଡ୍ ଚୋରା କାରବାର ଚାଲିଥିବାର ନୟାଗଡ଼ ଏସପି ଅଲେଖ ଚନ୍ଦ୍ର ପହି ବିଶେଷ ସୂତ୍ରରୁ ଖବର ପାଇଥିଲେ। ସଙ୍ଗେ ସଙ୍ଗେ ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ଏସଡିପିଓଙ୍କ ତତ୍ୱାବଧାନରେ ଚାନ୍ଦପୁର ଆଇଆଇସି ରଶ୍ମିରଂଜନ ଦାସଙ୍କ ନେତୃତ୍ୱରେ ଏକ ଟିମ ଉକ୍ତ ସ୍ଥାନରେ ଚଢାଉ କରି ୨ ଗୋଟି ଲୁହା ରଡ୍ ବୋଝେଇ ଟ୍ରଲର ଜବତ କରିଥିଲା। କର୍ଣ୍ଣାଟକରୁ ବଡବିଲ ଯାଉଥିବା ବେଳେ ଉକ୍ତ ଜଙ୍ଗଲରେ ମାଫିଆ ମାନେ ଲୁହା ରଡ୍ ଚୋରା ଚାଲାଣ କରୁଥିବା ବେଳେ ଚଢାଉ କରାଯାଇଥିଲା। ଚଢାଉ ବେଳେ ୨ ଟ୍ରଲର ଚାଳକଙ୍କ ସହ ୨ ଜଣ ସ୍ଥାନୀୟ ମାଫିଆଙ୍କୁ ଗିରଫ ପୋଲିସ୍ କରିଥିଲା।

ତତସହିତ ସମୁଦାୟ ୪୦ ଫୁଟ ଲମ୍ବର ୬୬ ଗୋଟି ଲୁହା ରଡ଼ ପୋଲିସ ଜବତ କରିଥିଲା।  ଯାହାର ଆନୁମାନିକ ମୂଲ୍ୟ ୭୦ ହଜାର ଟଙ୍କା ହେବ।

ଏହି ସଂକ୍ରାନ୍ତରେ ଚାନ୍ଦପୁର ଥାନାରେ କେଶ ନମ୍ବର ୫୯/୨୨ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବାର ଆଇଆଇସି କହିଛନ୍ତି।

Categories
ଆଞ୍ଚଳିକ

ନୟାଗଡ: ଓଡିଶା ପୋଲିସର ୮୭ ତମ ପ୍ରତିଷ୍ଠା ଦିବସରେ ସମ୍ମାନିତ ହେଲେ ଚାନ୍ଦପୁର ଏସଆଇ ଅଞ୍ଜଳି ସା

ନୟାଗଡ: ଆଜି ଓଡିଶା ପୋଲିସର ୮୭ ତମ ପ୍ରତିଷ୍ଠା ଦିବସ। ଏହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା ପୋଲିସ ପକ୍ଷରୁ ନୟାଗଡ଼ ସ୍ଥିତ ପୋଲିସ ଟ୍ରେନିଂ ପଡିଆରେ ଉକ୍ତ ଦିବସ ପାଳିତ ହୋଇଯାଇଛି।

ଏହି ଅବସରରେ ନୟାଗଡ଼ ଜିଲ୍ଲାର ଶ୍ରେଷ୍ଠ ସବ ଇନ୍ସପେକ୍ଟର ଭାବେ ସମ୍ମାନିତ ହୋଇଛନ୍ତି ଚାନ୍ଦପୁର ଥାନା ମହିଳା ଏସଆଇ ଅଞ୍ଜଳି ସା। ନୟାଗଡ଼ ଏସପି ଆଇପିଏସ ସିଦ୍ଧାର୍ଥ କାଟାରିଆ ଅଞ୍ଜଳିଙ୍କୁ ଏଥି ନିମନ୍ତେ ପୁରସ୍କୃତ କରିଛନ୍ତି। ଅଞ୍ଜଳି ଜଣେ ଦକ୍ଷ ପୋଲିସ ଅଧିକାରିଣୀ ଭାବେ ସମଗ୍ର ଜିଲ୍ଲାରେ ବେଶ ଜଣାଶୁଣା। ୨୦୧୭ ବ୍ୟାଚର ଉକ୍ତ ଏସଆଇ ପ୍ରଥମ ପୋଷ୍ଟିଙ୍ଗ ଇଟାମାଟି ଥାନାରେ ପାଇଥିବା ବେଳେ ସେଠାରେ ମଧ୍ୟ ଉଲ୍ଲେଖନୀୟ କାର୍ଯ୍ୟକରି ପ୍ରଶଂସିତ ହୋଇଥିଲେ।

୨୦୨୧ ରେ ଚାନ୍ଦପୁର ଥାନାରେ ପୋଷ୍ଟିଙ୍ଗ ହେବା ପରଠାରୁ ମାତ୍ର ଏକ ବର୍ଷ ମଧ୍ୟରେ ଚାନ୍ଦପୁର ଥାନା ଅଞ୍ଚଳରେ ଏକାଧିକ ଅପରାଧିକ ଗତିବିଧିଙ୍କୁ ରୋକ ଲଗାଇବାରେ ଅଞ୍ଜଳି ସଫଳ ହୋଇପାରିଛନ୍ତି। ବିଶେଷ କରି ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣ ରୋକିବା, ଏକାଧିକ ନାବାଳିକାଙ୍କୁ ଉଦ୍ଧାର କରିବା, ଅବକାରୀ ଚଢ଼ାଉ ଏବଂ ୱାରେଣ୍ଟ ଗିରଫ କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ କରି ଅଞ୍ଜଳି ଅନେକ ପ୍ରଶଂସା ସାଉଁଟିପାରିଛନ୍ତି।

ଚାନ୍ଦପୁର ଥାନା ଆଇଆଇସି ରଶ୍ମିରଂଜନ ଦାସ କୁହନ୍ତି ଏସଆଇ ଅଞ୍ଜଳି ଜଣେ ଦକ୍ଷ ଓ କର୍ତ୍ତବ୍ୟନିଷ୍ଠା ପୋଲିସ ଅଧିକାରିଣୀ ଏବଂ ତାଙ୍କ କାର୍ଯ୍ୟାଳୟ ମଧ୍ୟରେ ବହୁ ଅପରାଧିକ ମାମଲାକୁ ସମାଧାନ କରିପାରିଛନ୍ତି। ଚାନ୍ଦପୁର ଥାନା ପ୍ରତିଷ୍ଠା ସମୟରୁ ଆଜି ପର୍ଯ୍ୟନ୍ତ କୌଣସି ଏସଆଇ ଏହି ପୁରସ୍କାର ପାଇନଥିବା ବେଳେ ଅଞ୍ଜଳିଙ୍କ ଏହି କୃତିତ୍ୱ ନିମନ୍ତେ ଚାନ୍ଦପୁର ଥାନାର ସମସ୍ତ ପୋଲିସ କର୍ମଚାରୀଙ୍କ ସମେତ ସାରା ଚାନ୍ଦପୁରବାସି ଅଞ୍ଜଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବେଆଇନ ଗ୍ରାନାଇଟ ଖଣିରେ ଅତର୍କିତ ଚଢ଼ାଉ: କୋଟିଏରୁ ଉର୍ଦ୍ଧ୍ଵ ଟଙ୍କାର ବିସ୍ଫୋରକ ଜବତ, ୧୬ ଗିରଫ

ନୟାଗଡ଼/ରଣପୁର: ନୟାଗଡ଼ ଜିଲ୍ଲା ରଣପୁର ତହସିଲ ଅଞ୍ଚଳରେ ବେଆଇନ ଗ୍ରାନାଇଟ ଖଣି ଗୁଡ଼ିକରେ ବ୍ଲାଷ୍ଟିଙ୍ଗ ଯୋଗୁଁ ବହୁ ଜନସାଧାରଣ ହଇରାଣ ହେବା ସହ ସେମାନଙ୍କ ଘର ଦ୍ୱାରା ଭାଙ୍ଗି ଯାଉଛି। ଯାହା ଫଳରେ ବିଗତ ଦିନରେ ରଣପୁର ତହସିଲ ଅଧିନସ୍ଥ କୋଇଲିମା, ଲେଖପୁର, ବୃନ୍ଦାବନପୁର ଆଦି ଗ୍ରାମର ଗ୍ରାମବାସୀମାନେ ଯଥାଶୀଘ୍ର ଉକ୍ତ ବେଆଇନ ଗ୍ରାନାଇଟ ଖଣିରେ ବ୍ଲାଷ୍ଟିଙ୍ଗ ବନ୍ଦ କରିବା ପାଇଁ ସ୍ଥାନୀୟ ତହସିଲଦାର ତଥା ଜିଲ୍ଲା ପ୍ରଶାସନକୁ ଦାବିପତ୍ର ଦେଇଥିଲେ ଏବଂ ଯଦି ଏହା ବନ୍ଦ ନହୁଏ ତେବେ ସମସ୍ତ ଗ୍ରାମବାସୀ ମାନେ ଧାରଣାରେ ବସିବେ ବୋଲି ପ୍ରଶାସନକୁ ଚେତାବନୀ ମଧ୍ୟ ଦେଇଥିଲେ।

ଘଟଣାକୁ ଗମ୍ଭୀରତାର ସହ ନେଇ ନୟାଗଡ଼ ଏସପି ଉକ୍ତ ସମସ୍ୟାର ସମାଧାନ ପାଇଁ ଚାନ୍ଦପୁର ଥାନା ଆଇଆଇସି ରଶ୍ମିରଂଜନ ଦାସଙ୍କୁ ଛଅ ଦିନ ପାଇଁ ରଣପୁର ଥାନାର ଅତିରିକ୍ତ ଦାଇତ୍ୱ ପ୍ରଦାନ କରିବା ସହ ଉକ୍ତ ବେଆଇନ ଗ୍ରାନାଇଟ ଖଣିଉପରେ ଚଢ଼ାଉ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଉକ୍ତ ଅଞ୍ଚଳର ଚାରି ଗୋଟି ବେଆଇନ ଗ୍ରାନାଇଟ ଖଣି ଗୁଡ଼ିକ ଉପରେ ଆଇଆଇସି ଶ୍ରୀ ଦାସ ଅତର୍କିତ ଚଢ଼ାଉ କରି ୧୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କୋଟିଏରୁ ଉର୍ଦ୍ଧ୍ଵ ଟଙ୍କାର ବିସ୍ଫୋରକ ଏବଂ ବ୍ଲାଷ୍ଟିଂ ଉପକରଣ ଜବତ କରିଛନ୍ତି।

ଏହା ସହିତ ୭ ଗୋଟି କମ୍ପ୍ରେସର ସହ ସଂଯୁକ୍ତ ହୋଇଥିବା ଟ୍ରାକ୍ଟର ଏବଂ ଗୋଟାଏ ମଲ୍ଟି କମ୍ପ୍ରେସର ମଧ୍ୟ ଜବତ କରିଛନ୍ତି ଆଇଆଇସି। ଏ ସଂକ୍ରାନ୍ତରେ ରଣପୁର ଥାନାରେ କେସ ନମ୍ବର ୨୫୯/୨୧ ରେ ଏକ ମାମଲା ରୁଜୁ ହେବା ସହ ଗିରଫ ସମସ୍ତ ୧୬ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବାର ଆଇଆଇସି ଶ୍ରୀ ଦାସ ସୂଚନା ଦେଇଛନ୍ତି।

ତେବେ ଉକ୍ତ ଚଢ଼ାଉ ଦ୍ୱାରା ଜନସାଧାରଣ ମାନେ ଆଶ୍ବସ୍ତି ଲାଭ କରିଥିବାବେଳେ ଏହା ଜିଲ୍ଲାର ସବୁଠାରୁ ବଡ଼ ବେଆଇନ ଖଣି ଚଢ଼ାଉ ଭାବେ ବିବେଚିତ ହୋଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚାନ୍ଦପୁର: ପିଡ଼ିଏସ ସାମଗ୍ରୀ ଚୋରି ଅଭିଯୋଗରେ ଦୁଇ ଜଣଙ୍କୁ ବାନ୍ଧିଲା ପୋଲିସ, ପିଇଓ ଫେରାର

ନୟାଗଡ: ଗରିବ ହିତାଧିକାରୀଙ୍କ ପାଇଁ ସରକାର ବିଭିନ୍ନ ଯୋଜନାମାନ ପ୍ରଣୟନ କରୁଛନ୍ତି।  କିନ୍ତୁ ତାହାକୁ କିଛି ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀ, ଜନପ୍ରତିନିଧି ଏବଂ ସେମାନଙ୍କ ସମ୍ପର୍କୀୟମାନେ ବାଟମାରଣା କରିବା ପାଇଁ ଚେଷ୍ଟା କରୁଛନ୍ତି। ଯାହାର ଏକାଧିକ ଉଦାହରଣ ପୂର୍ବରୁ ରହିଛି। ତେବେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ କେରଣ୍ଡାଟାଙ୍ଗୀ ପଞ୍ଚାୟତରେ ସମାନ ଜିନିଷ ଦେଖିବାକୁ ମିଳିଛି।

ଉକ୍ତ ପଞ୍ଚାୟତରେ ଆସୁଥିବା ପିଡ଼ିଏସ ସାମଗ୍ରୀ ଯଥା ଗହମ, ଚାଉଳ, କେରୋସିନ ଆଦିକୁ ଚୋରି କରି ବେସରକାରୀ ଦରରେ ବିକିବା ଅଭିଯୋଗରେ ଚାନ୍ଦପୁର ପୋଲିସ ଆଜି ଦୁଇ ଜଣଙ୍କୁ ଗିରଫ କରିଛି। ଉକ୍ତ ଦୁଇ ଅଭିଯୁକ୍ତମାନେ ହେଲେ କେରଣ୍ଡାଟାଙ୍ଗୀ ଗ୍ରାମର କେଦାର ସ୍ୱାଇଁ ଏବଂ ପୂର୍ଣଚନ୍ଦ୍ର ଦଳାଇ। ସେହିଭଳି ଉକ୍ତ ଦୁଇ ଜଣଙ୍କ ସମେତ ପଞ୍ଚାୟତ ପିଇଓ ସୁନୀଲ ବେହେରା ଏବଂ ସରପଞ୍ଚଙ୍କ ଭାଇ ଧୀରେନ୍ଦ୍ର ପ୍ରଧାନ ମଧ୍ୟ ପିଡ଼ିଏସ ସାମଗ୍ରୀ ଚୋରି ଓ ଆତ୍ମସାତରେ ସମ୍ପୃକ୍ତ ଥିବା ବେଳେ ଉକ୍ତ ଦୁଇ ଜଣ ଅଦ୍ୟାବଧି ଫେରାର ଥିବା ଚାନ୍ଦପୁର ଆଇଆଇସି ରଶ୍ମିରଂଜନ ଦାସ ସୂଚନା ଦେଇଛନ୍ତି।

ତେବେ ଫେରାର ଅଭିଯୁକ୍ତଙ୍କୁ ଖୋଜା ଚାଲିଥିବାବେଳେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଚାନ୍ଦପୁର ଥାନାରେ ଚୋରି ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ଅଧିନିୟମ ଅନୁଯାୟୀ କେସ ନମ୍ବର ୭୭/୨୧ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରିରହିଥିବାର ଆଇଆଇସି କହିଛନ୍ତି।

ସୂଚନା ଥାଉକି ବିଗତ ଦିନରେ ରଣପୁର ଅଞ୍ଚଳରେ ଉକ୍ତ ପିଡ଼ିଏସ ସାମଗ୍ରୀ ଚୋରିକୁ ନେଇ ଏକ ଭିଡିଓ ଭାଇରାଲ ହୋଇଥିଲା ଏବଂ ଏହାପରେ ରଣପୁର ବିଡ଼ିଓ ଚାନ୍ଦପୁର ପୋଲିସକୁ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ନୂତନ ତହସିଲଦାର ଭାବେ ଯୋଗଦେଲେ ଓଏଏସ ଅଧିକାରୀ କୁଞ୍ଜବିହାରୀ ବଡ଼ଜେନା

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ତହସିଲରେ ଆଜି ନୂତନ ତହସିଲଦାର ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି ଓଏଏସ ଅଧିକାରୀ କୁଞ୍ଜବିହାରୀ ବଡ଼ଜେନା। ଶ୍ରୀ ବଡ଼ଜେନା ଏହା ପୂର୍ବରୁ ନୟାଗଡ଼ ଜିଲ୍ଲାରେ ସହକାରୀ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ। ତେବେ ବାଣପୁର ତହସିଲ ଖୋର୍ଦ୍ଧା ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ତହସିଲ ହୋଇଥିବାବେଳେ ଏଠାରେ ଜନସାଧାରଣଙ୍କ ଅଭିଯୋଗକୁ ପ୍ରାଥମିକତା ଭିତ୍ତିରେ ସମାଧାନ କରିବେ ବୋଲି ତହସିଲଦାର ଆମ ପ୍ରତିନିଧିଙ୍କୁ କହିଛନ୍ତି।

ଅନୁରୂପ ଭାବେ ମ୍ୟୁଟେସନ, ଜମି ପଟ୍ଟା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡିକୁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଆବେଦନକାରୀଙ୍କୁ ପ୍ରଦାନ କରାଯିବ ବୋଲି ଶ୍ରୀ ବଡ଼ଜେନା କହିଛନ୍ତି। ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣକୁ ଆଦୌ ପ୍ରଶ୍ରୟ ଦିଆଯିବନାହିଁ ଏବଂ ସରକାରୀ ରାଜସ୍ୱ ଲୁଟୁଥୁବା ଚୋରା ଲଘୁ ଖଣିଜଦ୍ରବ୍ୟ ମାଫିଆଙ୍କୁ ଦୃଢ଼ହସ୍ତରେ ଦମନ କରାଯିବ ବୋଲି ତହସିଲଦାର କହିଛନ୍ତି।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସୋସିଆଲ ମିଡ଼ିଆ ‘ଟ୍ୱିଟର’ ଦ୍ୱାରା ଜନସାଧାରଣଙ୍କ ଅଭିଯୋଗକୁ ସମାଧାନ କରିବାକୁ ପ୍ରାଥମିକତା ଦିଆଯିବ ବୋଲି ତହସିଲଦାର କହିଛନ୍ତି।  ତେବେ ଆଜି କାର୍ଯ୍ୟଭାର ସମ୍ଭାଳିବା ପରେ ତହସିଲର ସମସ୍ତ କର୍ମଚାରୀମାନେ ନୂତନ ତହସିଲଦାରଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ଶୁଭେଚ୍ଛା ଜଣାଇଥିଲେ।

ସୂଚନା ଥାଉକି ଗତ ଜୁନ ମାସ ୩୦ ତାରିଖରେ ପୂର୍ବତନ ତହସିଲଦାର ମନ୍ମଥ ବେହରାଙ୍କ କାର୍ଯ୍ୟକାଳ ସରିବା ପରଠାରୁ ଦୀର୍ଘ ଚାରି ମାସ ହେଲା ଉକ୍ତ ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡିଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜୁଆ ନଖେଳିବା ପାଇଁ ଚାନ୍ଦପୁର ପୋଲିସର ଅଭିନଵ ଉପାୟ: ସଚେତନତା ବାର୍ତ୍ତା ମାଧ୍ୟମରେ ଦେଲା ଚେତାବନୀ

ନୟାଗଡ଼/ଚାନ୍ଦପୁର: ଜୁଆ ଖେଳନ୍ତୁ ନାହିଁ କି କାହାକୁ ଖେଳିବା ପାଇଁ ପ୍ରୋତ୍ସାହନ ଦିଅନ୍ତୁ ନାହିଁ। ଜୁଆ ଖେଳ ଦ୍ୱାରା ପରିବାର ସର୍ବସ୍ୱାନ୍ତ ହୋଇଯାଏ। ଯଦି କିଏ ଜୁଆ ଖେଳୁଛି ତେବେ ଆମକୁ ଖବର ଦିଅନ୍ତୁ।  ଏପରି କିଛି ସଚେତନତାର ବାର୍ତ୍ତା ଦେଉଥିବା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଚାନ୍ଦପୁର ଅଞ୍ଚଳରେ।

ଖୋଦ ଚାନ୍ଦପୁର ଆଇଆଇସି ରଶ୍ମିରଞ୍ଜନ ଦାସଙ୍କ ନେତୃତ୍ୱରେ ଚାନ୍ଦପୁର ଥାନା ଅଞ୍ଚଳରେ ଚାଲିଛି ଏପରି ପ୍ରଚାର। ପୋଲିସ କର୍ମଚାରୀ ମାନେ ହାତରେ ଡାକବାଜି ଯନ୍ତ୍ର ଧରି ବୁଲି ବୁଲି କରୁଛନ୍ତି ପ୍ରଚାର। ତେବେ ଆଗକୁ କୁମାର ପୂର୍ଣ୍ଣିମା ଥିବାବେଳେ ଚାନ୍ଦପୁର ଅଞ୍ଚଳରେ କେତେକ ଜୁଆଡ଼ି ସକ୍ରିୟ ହୋଇଉଠିଥିବାର ଖବର ପାଇଛି ପୋଲିସ। ତେଣୁ ଆଗୁଆ ପଦକ୍ଷେପ ସ୍ୱରୂପ ଚାନ୍ଦପୁର ପୋଲିସ ଆଜି ଏପରି ଏକ ଅଭିନଵ ଉପାୟ ହାତକୁ ନେଇଛି।

ଡାକବାଜି ଯନ୍ତ୍ର ଦ୍ୱାରା ଚାନ୍ଦପୁର ଅଞ୍ଚଳରେ ସଚେତନତା ପ୍ରଚାର ଅଭିଯାନକୁ ବ୍ୟାପକ କରିଛନ୍ତି ଆଇଆଇସି। ଜୁଆ ଖେଳ ଠୁ ଦୁରେଇ ରୁହନ୍ତୁ ଏବଂ ଯଦି କେଉଁ ବ୍ୟକ୍ତି ଜୁଆ ଖେଳେ କିମ୍ବା ଖେଳିବା ପାଇଁ ଅନ୍ୟମାନଙ୍କୁ ପ୍ରୋତ୍ସାହନ ଦିଅନ୍ତି, ତେବେ ତୁରନ୍ତ ଉକ୍ତ ସୂଚନା ଚାନ୍ଦପୁର ଥାନାରେ ଦେବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତ ଆଇଆଇସି ଶ୍ରୀ ଦାସ।

ସେହିପରି ଭାବେ ଯଦି କୌଣସି ବ୍ୟକ୍ତି ଜୁଆ ଖେଳୁଥିବା ବେଳେ ଧରାପଡନ୍ତି, ତେବେ ତାଙ୍କ ଉପରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଆଇସି କହିଛନ୍ତି।

ସୂଚନା ଥାଉକି ଚାନ୍ଦପୁର ଅଞ୍ଚଳକୁ ଜୁଆ ମୁକ୍ତ କରିବା ପାଇଁ ଗତ ବର୍ଷରୁ ପ୍ରୟାସ ଜାରି ରଖିଛନ୍ତି ଆଇଆଇସି ଶ୍ରୀ ଦାସ। ଏହି ପରିପ୍ରେକ୍ଷୀରେ ଗତ ବର୍ଷ କୁମାର ପୂର୍ଣ୍ଣିମାରେ ୧୫ ଜଣ ଜୁଆଡ଼ିଙ୍କୁ ଚାନ୍ଦପୁର ପୋଲିସ ଗିରଫ ମଧ୍ୟ କରିଥିଲା। ତେବେ ଚାନ୍ଦପୁର ପୋଲିସର ଉକ୍ତ ଆଗୁଆ ପଦକ୍ଷେପକୁ ଅଞ୍ଚଳ ବାସି ସ୍ବାଗତ କରିବା ସହ ଭୁୟସୀ ପ୍ରଶଂସା କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚାନ୍ଦପୁରରେ ମାତିଛନ୍ତି ଆନ୍ତରାଜ୍ୟ ଲୁଟେରା: ଦୁଇ ମହିଳା ଗିରଫ, ୨ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଗହଣା ଜବତ

ନୟାଗଡ଼/ଚାନ୍ଦପୁର: ନୟାଗଡ଼ ଜିଲ୍ଲା ଚାନ୍ଦପୁର ପୋଲିସକୁ ସଫଳତା ମିଳିଛି। ଲୁଟ ହେବାର ୧୨ ଘଣ୍ଟା ମଧ୍ୟରେ ଲୁଟେରାଙ୍କୁ ଗିରଫ କରିବା ସହ ଲୁଟ ହୋଇଥିବା ଲକ୍ଷାଧିକ ଟଙ୍କାର ଗହଣା ପୋଲିସ ଉଦ୍ଧାର କରିଛି।

ସୂଚନା ମୁତାବକ ଚାନ୍ଦପୁର ଅଞ୍ଚଳର ସୁଶାନ୍ତ ନାୟକଙ୍କ ଘରୁ ଗତକାଲି ରାତିରେ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଗହଣା ଚୋରି ହୋଇଯାଇଥିଲା। ଏ ନେଇ ସୁଶାନ୍ତ ଚାନ୍ଦପୁର ଥାନାରେ ଏକ ଲିଖିତ ଅଭିଯୋଗ କରିବାପରେ ପୋଲିସ ଆକ୍ସନ ମୁଡ଼ରେ ଆସିଥିଲା।  ଅନୁସନ୍ଧାନରେ ପୋଲିସ ଜାଣିବାକୁ ପାଇଥିଲା ଯେ, ପଶ୍ଚିମବଙ୍ଗର ମେଦିନାପୁର ଅଞ୍ଚଳରୁ ଆସିଥିବା ଯାଯାବର ଗ୍ୟାଙ୍ଗ ଉକ୍ତ କାଣ୍ଡ ଘଟାଇଛନ୍ତି। ସଙ୍ଗେ ସଙ୍ଗେ ଆଇଆଇସି ରଶ୍ମିରଞ୍ଜନ ଦାସଙ୍କ ନେତୃତ୍ୱରେ ଏକ ଟିମ ଗଠିତ ହୋଇ ଚାନ୍ଦପୁର ଥାନା ଅଞ୍ଚଳର ସମସ୍ତ ଅଞ୍ଚଳକୁ ସିଲ୍ କରାଯାଇଥିଲା। ଏବଂ ରାତିତମାମ ବିଭିନ୍ନ ଅଞ୍ଚଳରେ ପୋଲିସ ସର୍ଚ୍ଚ ଅପେରସନ ଜାରି ରଖିଥିଲା।

ତେବେ ଆଜି ପୂର୍ବାହ୍ନରେ ସ୍ଥାନୀୟ ଜନସାଧାରଣ ଏବଂ ଜିଲ୍ଲା ପରିଷଦ ସଭ୍ୟ ବିଜୟ କେତନ ସାହୁଙ୍କ ସହଯୋଗ କ୍ରମେ ଉକ୍ତ ଚୋରିରେ ସାମିଲ ଥିବା ଦୁଇ ମହିଳା ଅଭିଯୁକ୍ତଙ୍କୁ ଚାନ୍ଦପୁର ପୋଲିସ ଗିରଫ କରିବା ସହ ସେମାନଙ୍କ ନିକଟରୁ ୪୨ ଗ୍ରାମ ସୁନା ଗହଣା ଏବଂ ୫୩୯ ଗ୍ରାମ ରୁପା ଗହଣା ଜବତ କରିବାରେ ସକ୍ଷମ ହୋଇଛି। ଯାହାର ମୂଲ୍ୟ ୨ ଲକ୍ଷ ୧୫ ହଜାର ୯୫୦ ଟଙ୍କା ହେବ। ଏ ସଂକ୍ରାନ୍ତରେ ଚାନ୍ଦପୁର ପୋଲିସ କେସ ନମ୍ବର ୧୨୯/୨୧ ରେ ମାମଲା ରୁଜୁ କରି ତଦନ୍ତ ଜାରିରଖିବା ସହ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୋଜିବାରେ ଲାଗିଛି।

ଆଇଆଇସିଙ୍କ କହିବା ମୁତାବକ ଉକ୍ତ ଗ୍ୟାଙ୍ଗରେ ଉଭୟ ପୁରୁଷ ଏବଂ ମହିଳା ଦୁର୍ବୁତ୍ତ ମାନେ ଅଛନ୍ତି। ସେମାନେ ଦିନ ବେଳେ ବିଭିନ୍ନ ଘରେ କାମ କରିବା ବାହାନାରେ ଯାଆନ୍ତି ଏବଂ ରାତିରେ ଉକ୍ତ ଘରଗୁଡିକରୁ ଚୋରି କରିଥାନ୍ତି। ଅନୁରୂପ ଭାବେ ଜନସାଧାରଣ ମାନେ ରାଜ୍ୟ ବାହାରୁ ଆସୁଥିବା ଏପରି ସଂନ୍ଦିଗ୍ଧ ବ୍ୟକ୍ତିମାନଙ୍କୁ ଦେଖିଲେ ତୁରନ୍ତ ଥାନାକୁ ଜଣାଇବାକୁ ଚାନ୍ଦପୁର ଆଇଆଇସି ଶ୍ରୀ ଦାସ ଅନୁରୋଧ କରିଛନ୍ତି।

ତେବେ ଏହି ସବୁ ଦୁର୍ବୁତ୍ତମାନେ ନୟାଗଡ ଜିଲ୍ଲାର ଚାନ୍ଦପୁର ଅଞ୍ଚଳ ଏବଂ ଖୋର୍ଦ୍ଧା ଜିଲ୍ଲାର ଚିଲିକା ନିର୍ବାଚନମଣ୍ଡଳୀରେ କାମ କରିବା ବାହାନାରେ ଗାଁ ଗାଁ ବୁଲି ଚୋରୀ କରୁଥିବା ସୂଚନା ମିଳିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦୁଇ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କଲା ଚାନ୍ଦପୁର ପୋଲିସ

ନୟାଗଡ: ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ପୋଲିସ ଦୁଇ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ ଗତ ଦୁଇ ଦିନ ତଳେ ଚାନ୍ଦପୁର ଥାନା ଚମ୍ପାପେଡି ଗ୍ରାମର ଗୋପୀ ବେହେରା ଉକ୍ତ ଗ୍ରାମର ପର୍ଶୁରାମ ପାଇକରାୟଙ୍କ ବେକକୁ ଛୁରି ଦ୍ୱାରା ଆକ୍ରମଣ କରି ଫେରାର ହୋଇଯାଇଥିଲେ। ପର୍ଶୁରାମ ଭୁବନେଶ୍ୱର ଏମ୍ସ ରେ ଚିକିତ୍ସିତ ହେଉଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ଚାନ୍ଦପୁର ପୋଲିସ ଗୋପୀଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଛି।

ସେହିପରି ଭାବେ ୨୦୦୯ ମସିହାରେ ଜଣେ ବ୍ୟକ୍ତିଙ୍କୁ ଏକାଧିକ ଦୁର୍ବୁତ୍ତ ମାନେ ହତ୍ୟା କରି ଏକ କୂଅରେ ଫୋପାଡିଦେଇଥିଲେ। ଉକ୍ତ ମାମଲାରେ ଫେରାର ଥିବା ଉପେନ୍ଦ୍ର ପୁର ଗ୍ରାମର ସିନ୍ଧୁ ସାଗର ଜେନାଙ୍କୁ ଗତକାଲି ରାତିରେ ଚାନ୍ଦପୁର ପୋଲିସ ଗିରଫ କରିଛି।  ଏହି ଗିରଫ ଅଭିଯାନରେ ଚାନ୍ଦପୁର ଆଇଆଇସି ରଶ୍ମିରଂଜନ ଦାସ, ଏସଆଇ ଅଞ୍ଜଳି ସା, ଏଏସଆଇ ରମେଶ ବେହେରା ଆଦି ସାମିଲ ଥିଲେ।