Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ରାମେଶ୍ୱରରୁ କୁହୁଡି ଅଂଚଳକୁ ଆସୁଥିଲା ଚୋରା ମଦ: ୩ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ମଦ ଜବତ କଲା ଚାନ୍ଦପୁର ପୋଲିସ

ନୟାଗଡ/ଚାନ୍ଦପୁର: ବେଧଡକ ଭାବେ ଚୋରା ମଦ କାରବାର ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅଞ୍ଚଳରେ ଚାଲୁଛି। ବେଆଇନ ମଦ କାରବାରରେ ଲିପ୍ତ ଥିବା ବ୍ୟକ୍ତିମାନଙ୍କୁ ଧରିବା ପାଇଁ ଚାନ୍ଦପୁର ପୋଲିସ ଉଦ୍ୟମ ଜାରି ରଖୁଛି। ହେଲେ ତଥାପି ଏହି ଚୋରା କାରବାରରେ ବ୍ରେକ ଲାଗିପାରୁନି। ମଦ ବୋଝେଇ ମାରୁତି ଭ୍ୟାନରୁ ପୋଲିସ ଲକ୍ଷାଧିକ ଟଙ୍କାର ମଦ ଜବତ କରିଛି।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱରରୁ କୁହୁଡି ଅଂଚଳକୁ ବିଦେଶୀ ମଦ ଚାଲାଣ କରାଯାଉଥିଲା। ଖବର ପାଇ  ଚାନ୍ଦପୁର ପୋଲିସ୍ ରଚିଥିଲା ଚକ୍ରବ୍ୟୁହ। ୨ ଟି ସନ୍ଦିଗ୍ଧ ମାରୁତି ଭ୍ୟାନକୁ ଚାନ୍ଦପୁର ପୋଲିସ୍ ଜାତୀୟ ରାଜପଥରେ ପିଛା କରିଥିଲା। ଚାନ୍ଦପୁର ନିକଟରେ  ପୋଲିସ୍  ଗାଡି ୨ ଟିକୁ ଅଟକାଇବା  ବେଳେ ଗାଡି ଛାଡି କାର୍ ଚାଳକ ଦ୍ୱୟ ଫେରାର ହୋଇଯାଇଥିଲେ। ପୋଲିସ ଗାଡି ଦୁଇଟିକୁ ଜବତ କରିବା ବେଳେ ସେଥିରେ ବିଦେଶୀ ମଦ ଲୋଡ ହେବାର ଦେଖିବାକୁ ପାଇଥିଲା।

ଜବତ ହୋଇଥିବା ଗାଡିରୁ ପ୍ରାୟ ୩ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ମଦ ମହଜୁଦ ଥିବା ଜଣାପଡିଛି। ଏହି ମାରୁତି ଭ୍ୟାନରେ ବାକାର୍ଡୀ, ମାକଡୁଏଲ ନଂ ୧ ପ୍ରିମିୟମ, ହଣ୍ଟର ଆଦି ଦାମୀ ବିଦେଶୀ ମଦ ବୋତଲ ଥିବା ଜଣା ପଡିଛି। ଏହି ୨ ଟି ଭ୍ୟାନରେ ୧୪୫୨ ମଦ ବୋତଲ ଥିବା ପୋଲିସ୍ ଏସଡିପିଓ ଏସ୍ ଟପ୍ନୋ ପ୍ରକାଶ କରିଛନ୍ତି। ଗାଡି ମାଲିକ କୁହୁଡି ଅଂଚଳର ବୋଲି ପୋଲିସ୍ ଜାଣିବାକୁ ପାଇଛି। ଏ ନେଇ ପୋଲିସ୍ ୧୦୮/୨୧ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ କୁ ଜୋରଦାର କରିଛି। ଚାନ୍ଦପୁର ଥାନା ଆଇଆଇସି ରଶ୍ମିରଂଜନ ଦାସ ଏହି ଚଢାଉରେ ନେତୃତ୍ଵରେ ନେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନୟାଗଡ: ସାପ କାମୁଡ଼ାରେ ୪ ବର୍ଷର ଶିଶୁ କନ୍ୟାର ପ୍ରାଣହାନୀ

ନୟାଗଡ: ସାପ କାମୁଡ଼ାରେ ୪ ବର୍ଷ ର ଶିଶୁ କନ୍ୟାର ମୃତ୍ୟୁ ହୋଇଯାଇଛି। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ବନ୍ଧମୁଣ୍ଡା ପଞ୍ଚାୟତ ଟଭାଡିହ ଗାଁରେ ଏଭଳି ଘଟଣା ଘଟିଯାଇଛି। ଏହି ଗାଁର ମୁରଲୀ ପ୍ରଧାନଙ୍କ ୪ ବର୍ଷର ଝିଅ ଜ୍ୟୋତିର୍ମୟୀ ପ୍ରଧାନଙ୍କୁ ଆଜି ସକାଳ ସମୟରେ ଏକ ବିଷଧର ସାପ କାମୁଡି ଥିଲା।

ଜ୍ୟୋତିର୍ମୟୀକୁ ତୁରନ୍ତ ଚିକିତ୍ସା ପାଇଁ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ ଝିଅର ସତ୍କାର ତଥା ସହାୟତା ପାଇଁ ରଣପୁର ତହସିଲଦାରଙ୍କୁ ଏହି ଗରିବ ପରିବାର ଲିଖିତ ନିବେଦନ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜଣେ ମହିଳାଙ୍କ ସମେତ ଚାରି ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କଲା ଚାନ୍ଦପୁର ପୋଲିସ

ନୟାଗଡ଼/ଚାନ୍ଦପୁର: ଖୋର୍ଦ୍ଧା ଜିଲ୍ଲା ପରେ ବ୍ରାଉନ ସୁଗାର ବେପାରୀଙ୍କ ଟାର୍ଗେଟରେ ଏବେ ନୟାଗଡ଼ ଜିଲ୍ଲା। ଖୋର୍ଦ୍ଧା ବାଟ ଦେଇ ନୟାଗଡ଼ରେ ବ୍ରାଉନ ସୁଗାର ବେପାର ପସରା ମେଲାଇବାକୁ ଉଦ୍ୟତ ହେଉଥିବା ବେଳେ ଆଜି ଜଣେ ମହିଳାଙ୍କ ସମେତ ଚାରି ଜଣ ବେପାରୀଙ୍କୁ ଚାନ୍ଦପୁର ପୋଲିସ ଗିରଫ କରିଛି।

ସୂଚନା ମୁତାବକ ସମ୍ପୃକ୍ତ ଚାରି ଜଣ ବେପାରୀ ବ୍ରାଉନ ସୁଗାର ସହ ଖୋର୍ଦ୍ଧାରୁ ଚାନ୍ଦପୁର ଏବଂ ଟାଙ୍ଗୀକୁ ବିକ୍ରି କରିବା ପାଇଁ ଆସୁଥିବାବେଳେ ଏହାର ସୂଚନା ନୟାଗଡ଼ ଏସପି ସିଦ୍ଧାର୍ଥ କଟାରିଆ ପାଇଥିଲେ।

ଏସପିଙ୍କ ନିର୍ଦ୍ଦେଶକ୍ରମେ ଚାନ୍ଦପୁର ଆଇଆଇସି ରଶ୍ମିରଞ୍ଜନ ଦାସଙ୍କ ନେତୃତ୍ୱରେ ଏସଆଇ ସଞ୍ଜୟ ମଲ୍ଲିକ, ଅଞ୍ଜଳି ସା ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ଏକ ଟିମ ଗଠନ କରାଯାଇଥିଲା। ଏହାପରେ ପୋଲିସ ବିଭିନ୍ନ ଅଞ୍ଚଳ ଖାନତଲାସ ଜାରି ରଖିଥିବାବେଳେ ଶେଷରେ ରାଇପଡ଼ା ନିକଟରେ ଚାରି ଜଣ ବେପାରୀଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ନିକଟରୁ ୭ ଗ୍ରାମ ବ୍ରାଉନ ସୁଗାର ପୋଲିସ ଜବତ କରିଛି।

ଗିରଫ ଅଭିଯୁକ୍ତ ମାନେ ହେଲେ ବାଙ୍କୀ ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମର କୃଷ୍ଣ ଧଳ ଏବଂ ତାଙ୍କ ପତ୍ନୀ ପ୍ରଭାତୀ ଧଳ, ଖୋର୍ଦ୍ଧା ବାସେଳୀ ସାହିର କହେଁଇ ଘଟୁଆଳ ଏବଂ ଖୋର୍ଦ୍ଧା ଘାସିସାହିରେ ଭଡା ଘରେ ରହୁଥିବା ବେଗୁନିଆ ଥାନା ଦେଉଳି ଗ୍ରାମର ସୁମନ୍ତ ନାୟକ।

ତେବେ ଏମାନଙ୍କର ଏକ ବଡ଼ ଗ୍ୟାଙ୍ଗ ଅଛି ଏବଂ ଏମାନେ ବାଲେଶ୍ୱର ଏବଂ ଜଳେଶ୍ୱରରୁ ବ୍ରାଉନ ସୁଗାର କିଣି ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାରେ ବେପାର ଚଳାଇଥିବାର ପୋଲିସ ଜାଣିବାକୁ ପାଇଛି। ଏ ସଂକ୍ରାନ୍ତରେ ଚାନ୍ଦପୁର ପୋଲିସ ଏନଡ଼ିପିଏସ ଆଇନ ଧାରା ୨୧(ଖ) ଅନୁଯାୟୀ ଚାରି ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ କେସ ନମ୍ବର ୭୮/୨୧ ରେ ମାମଲା ରୁଜୁ କରି ଆଜି କୋର୍ଟଚାଲାଣ କରିଥିବାର ଚାନ୍ଦପୁର ଆଇଆଇସି ରଶ୍ମିରଂଜନ ଦାସ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସଂସ୍କୃତି

କୋମଣ୍ଡ ଡଙ୍କନାଶନ ଜୀଉଙ୍କ ନୂତନ ବିଗ୍ରହ ପାଇଁ ଦାରୁ ଛେଦନ

ନୟାଗଡ: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ କୋମଣ୍ଡ ଗ୍ରାମରେ ଶ୍ରୀଶ୍ରୀ ଡଙ୍କନାଶନ ଜୀଉଙ୍କ ନୂତନ ବିଗ୍ରହ ନିର୍ମାଣ ପାଇଁ ଦାରୁ ଛେଦନ ପ୍ରକ୍ରିୟା ଶେଷ ହୋଇଛି। ନାମ ସଂକୀର୍ତ୍ତନ ସାଙ୍ଗକୁ ହୋମଯଜ୍ଞ ଓ ବ୍ରାହ୍ମ ଙ୍କ ବେଦପାଠ ମଧ୍ୟରେ ରୀତିନୀତି ଅନୁଯାୟୀ ଦାରୁ ଛେଦନ କରାଯାଇଥିଲା। ପୁରୀ ମୁକ୍ତିମଣ୍ଡପ ପଣ୍ଡିତଙ୍କ ପରାମର୍ଶ କ୍ରମେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାଇ ଦାରୁ ଚିହ୍ନଟ ହୋଇ ଦାରୁ ଦେବତାଙ୍କ ସ୍ଥାନରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା।

କୋମଣ୍ଡ ନିକଟସ୍ଥ ପଣସଖୋଲ ଠାରେ ଚିହ୍ନଟ ହୋଇଥିବା ଦାରୁ ସ୍ଥଳରେ ଅନୁଷ୍ଠିତ ପୂଜାରେ କୋମଣ୍ଡ ଗ୍ରାମର କୁମର ପ୍ରଧାନ କର୍ତ୍ତା ଭାବେ ପୂଜା ସମାପନ କରିଥିଲେ। ପୂଜାର୍ଚ୍ଚନା ପରେ ଅପରାହ୍ନ ସମୟରେ ଦାରୁ ଛେଦନ କରାଯିବା ସହ ଶଗଡ଼ ଯୋଗେ ଶତାଧିକ ପୁରୁଷ ଓ ମହିଳା ଶ୍ରଦ୍ଧାଳୁ ନାମ ସଂକୀର୍ତ୍ତନ କରି ଗ୍ରାମ ପରିକ୍ରମା କରିଥିଲେ। ପରେ ଠାକୁରଙ୍କ ଦାରୁକୁ ଡଙ୍କନାଶନ ମନ୍ଦିର ପର୍ଯ୍ୟନ୍ତ ଟାଣି ଆଣିଥିଲେ। ଦାରୁ ବୃକ୍ଷର ଅବଶିଷ୍ଟ ଅଂଶ ପାତାଳି କରାଯାଇଛି।

ପୂଜା ସ୍ଥଳରେ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଟ୍ରଷ୍ଟର କର୍ମକର୍ତ୍ତା ସମେତ କୋମଣ୍ଡ ଗ୍ରାମର ବହୁ ବୁଦ୍ଧିଜୀବୀ ଓ ଜନସାଧାରଣ ପୂର୍ଣ୍ଣ ସହଯୋଗ କରିଥିବା ବେଳେ କୋମଣ୍ଡ ପଥର ଖଣି ଆସୋସିଏସନ ପକ୍ଷରୁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା।

ପ୍ରକାଶ ଥାଉକି ଗତ ୧୧ ତାରିଖରେ ମନ୍ଦିର ଗର୍ଭ ଗୃହରେ ନିଆଁ ଲାଗି ଠାକୁରଙ୍କ ବିଗ୍ରହ ଜଳିଯାଇଥିଲା।