Categories
ବିଶେଷ ଖବର ସ୍ବାସ୍ଥ୍ୟ

କରୋନା ନ ଯାଉଣୁ ୪ଟି ରାଜ୍ୟରେ ବର୍ତ୍ତମାନ ବାର୍ଡ ଫ୍ଲୁ ର ଆତଙ୍କ, ଜାଣନ୍ତୁ ଏହି ରୋଗ କଣ ଓ ଏହାର ସ୍ଥିତି

ନୂଆଦିଲ୍ଲୀ,  ଆଭିଏନ ଇନ୍‍ଫ୍ଲୁଏଞ୍ଜା  ବା ବାର୍ଡ ଫ୍ଲୁ ବା ପକ୍ଷୀ ଜ୍ବର ଭୂତାଣୁ ଶତାବ୍ଦୀ ଶତାବ୍ଦୀ ଧରି ବିଶ୍ୱବ୍ୟାପୀ ଘୁରି ବୁଲୁଛି । ଗତ ଶତାବ୍ଦୀରେ ଏହି ପକ୍ଷୀଜ୍ୱର ବିଶ୍ୱରେ ୪ ଥର ବଡ଼ ଧରଣର ବ୍ୟାପିଥିଲା । ୨୦୦୬ରେ ଭାରତ ପ୍ରଥମେ ଆଭିଏନ ଇନ୍‍ଫ୍ଲୁଏଞ୍ଜା ସଂକ୍ରମଣ ଦେଖାଦେଇଥିଲା। ଯାହାକୁ  ସରକାରୀ ଭାବେ ବିଜ୍ଞପ୍ତି ପ୍ରକାଶ କରି ଏହି ରୋଗ ସଂପର୍କରେ କୁହାଯାଇଥିଲା ।

ତେବେ ଭାରତରେ ଏଥର ଏଯାଏଁ କୌଣସି ମଣିଷ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଖବର ମିଳିନାହିଁ । ଏହି ରୋଗଟି ଜୁନୋଟିକ୍‍ ବା ଏକ ପଶୁଜନ୍ୟ ରୋଗ । ହେଲେ ସଂକ୍ରମିତ କୁକୁଡା, ବତକ ମାଂସ ଓ ଅଣ୍ଡା ଆଦି ଖାଇଲେ ଏହି ଭୂତାଣୁ ମଣିଷକୁ ସଂକ୍ରମିତ କରିବାର କୌଣସି ପ୍ରତ୍ୟକ୍ଷ ପ୍ରମାଣ ଏ ଯାଏଁ ମିଳିନାହିଁ ।ତେବେ ଏଥିପାଇଁ ସଚେତନ ହେବାର ଆବଶ୍ୟକ।

ତଥାପି ଏହି ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ କେତେକ ସତର୍କତା ଅବଲମ୍ବନ ଜରୁରୀ । ସେଗୁଡିକ ମଧ୍ୟରେ ରହିଛି ଜୈବ ନିରାପତ୍ତା ପାଳନ, ବ୍ୟକ୍ତିଗତ ସ୍ୱାସ୍ଥ୍ୟରକ୍ଷା ନିୟମ ପାଳନ, ପରିଚ୍ଛନ୍ନତା ଓ ବିଶୋଧନ, ରୋଷେଇ କରିବାର ପ୍ରଣାଳୀ ଇତ୍ୟାଦି । ଏହାକୁ ମାନି ଚଳିଲେ ଏହି ରୋଗକୁ ଦୂରେଇ ରଖିହେବ ।

ଭାରତରେ ଏହି ରୋଗ ମୁଖ୍ୟତଃ ଶୀତକାଳରେ ବ୍ୟାପୀଥାଏ। ଶୀତଦିନେ ସେପ୍‍ଟେମ୍ବରରୁ ଅକ୍ଟୋବର ଓ ଫେବୃୟାରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ଆତଯାତ କରୁଥିବା ବିଦେଶ ପକ୍ଷୀଙ୍କ ଦ୍ୱାରା ଏହି ରୋଗ ମୁଖ୍ୟତଃ ବ୍ୟାପେ । ଦ୍ୱିତୀୟରେ ସଂକ୍ରମଣକାରୀ ପଦାର୍ଥ ସଂସ୍ପର୍ଶରେ ମଣିଷ ଆସିଲେ ଏହା ମଧ୍ୟ ବ୍ୟାପିଥାଏ ।

ଏହି ଆଭିଏନ ଇନ୍‍ଫ୍ଲୁଏଞ୍ଜା ବିଶ୍ୱବ୍ୟାପୀ ସଂକ୍ରମିତ ହେବାର ଆଂଶକା ଦେଖାଦେବା ପରେ ୨୦୦୫ରେ ଭାରତ ସରକାରଙ୍କ ପଶୁସଂପଦ ଓ ଦୁଗ୍ଧ ବିଭାଗ ପକ୍ଷରୁ ଏକ କାର୍ଯ୍ୟାନୁଷ୍ଠାନ ଯୋଜନା ପ୍ରସ୍ତୁତ କରାଯାଇଥିଲା । ଏହାକୁ ପରିସ୍ଥିତିର ଆବଶ୍ୟକତା ଅନୁସାରେ ୨୦୦୬, ୨୦୧୨, ୨୦୧୫ ଏବଂ ୨୦୨୧ରେ ସଂଶୋଧନ କରାଯାଇ ରାଜ୍ୟ ସରକାରମାନଙ୍କୁ ଏହି ରୋଗ ରୋକିବା ପାଇଁ ନିର୍ଦେଶାବଳୀ ଜାରି କରାଯାଇଛି ।

୨୦୨୦ରେ ଏହି ଇନ୍‍ଫ୍ଲୁଏଞ୍ଜା ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନରେ ତଦାରଖ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା । ଏହି ତଦାରଖ ବ୍ୟବସ୍ଥା ପରେ ଦେଶରେ ଆଭିଏନ ଇନ୍‍ଫ୍ଲୁଏଞ୍ଜାର ଭୟ ନାହିଁ ବୋଲି ୨୦୨୦ ସେପ୍‍ଟେମ୍ବର ୩୦ରେ ଘୋଷଣା କରାଯାଇଥିଲା ।

ଏହି ଶୀତକାଳୀନ ରୋଗର ପୁରୁଣା ଅଭିଜ୍ଞତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିୟମିତ ବ୍ୟବଧାନରେ ନିର୍ଦେଶାବଳୀ ଓ ସତର୍କତାମାନ ଜାରି କରାଯାଉଛି । ଶୀତଦିନ ଆରମ୍ଭ ପୂର୍ବରୁ ଏଥିପାଇଁ ଲୋକଙ୍କୁ ସଚେତନ କରାଇବା ସହ ସମ୍ଭାବ୍ୟ ରୋଗ ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପିପିଇ କିଟ୍ସ ଓ ଅନ୍ୟାନ୍ୟ ଉପକରଣ ଆଦି ପ୍ରସ୍ତୁତ କରି ରଖୁଛନ୍ତି ।

ଏ କ୍ଷେତ୍ରରେ ରାଜ୍ୟମାନଙ୍କୁ ମଧ୍ୟ କେନ୍ଦ୍ର ପକ୍ଷରୁ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଉଛି। ଏହା ବ୍ୟତୀତ ରାଜ୍ୟମାନଙ୍କୁ ଭୋପାଳସ୍ଥିତ ଆଇସିଏଆର-ନିହିସାଦ ରେଫରାଲ ଲ୍ୟାବ୍‍ ପକ୍ଷରୁ ବୈଷୟିକ ସହାୟତା ଯୋଗାଇ ଦିଆଯାଉଛି । କୁକୁଡା, ବତକ ଆଦିଙ୍କୁ ମାରିବା ଏବଂ ସେ ବାବଦରେ ମାଲିକମାନଙ୍କୁ କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରମାନଙ୍କୁ କେନ୍ଦ୍ର ସରକାର ଅର୍ଥ ଯୋଗାଉଛି । ୨୦୨୦ ଅକ୍‍ଟୋବର ୨୨ ତାରିଖରେ ଏହି ରୋଗ ସଂପର୍କରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ପ୍ରସ୍ତୁତ ରହିବାକୁ ଶେଷ ନିର୍ଦେଶାବଳୀ ଜାରି କରାଯାଇଥିଲା ।

ବର୍ତ୍ତମାନର ସଂକ୍ରମଣର ସ୍ଥିତି

ଆଇସିଏଆର ନିହିସାଦ ଦ୍ୱାରା ଏହି ପକ୍ଷୀ ଇନ୍‍ଫ୍ଲୁଏଞ୍ଜାର ପଜିଟିଭ ସାମ୍ପୁଲ ମିଳିବା ନିଶ୍ଚିତ ହେବା ପରେ ଦେଶର ବିଭିନ୍ନ ରାଜ୍ୟର ୧୨ଟି ସ୍ଥାନରେ ଏହି ସଂକ୍ରମଣ ବ୍ୟାପିଥିବା ଜଣାପଡିଛି । ସେଗୁଡିକ ହେଲା ରାଜସ୍ଥାନର ବାରନ୍‍, କୋଟା ଓ ଝଲୱାର; ମଧ୍ୟପ୍ରଦେଶର ମଣ୍ଡସୋର, ଇନ୍ଦୋର ଓ ମାଲୱା; ହିମାଚଳ ପ୍ରଦେଶର କାଙ୍ଗଡା; କେରଳର କୋଟାୟମ ଓ ଆଲ୍‍ପୁଝା ।

ଏହି ୪ଟି ରାଜ୍ୟ ମଧ୍ୟରୁ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ କାଉମଡକ ଦେଖାଦେଇଥିବାବେଳେ ହିମାଚଳ ପ୍ରଦେଶରେ ବିଦେଶୀ ପକ୍ଷୀଙ୍କ ମୃତ୍ୟୁ ଘଟିଛି। ଅପରପକ୍ଷରେ କେରଳରେ କୁକୁଡା ଓ ବତକ ବହୁସଂଖ୍ୟାରେ ମରିଛନ୍ତି। ତଦନୁସାରେ ରାଜସ୍ଥାନ ଓ ମଧ୍ୟପ୍ରଦେଶ ସରକାରଙ୍କୁ ୨୦୨୧ ଜାନୁୟାରୀ ପହିଲାରେ ସ୍ୱାସ୍ଥ୍ୟ ପରାମର୍ଶ ଜାରି କରାଯାଇଥିଲା। ରୋଗ ଯେପରି ଅଧିକ ନ ବ୍ୟାପେ ସେଥିପାଇଁ ପଦକ୍ଷେପ ନେବାକୁ ଏଥିରେ କୁହାଯାଇଥିଲା। ମଧ୍ୟପ୍ରଦେଶ ଓ ରାଜସ୍ଥାନ ସରକାର କେନ୍ଦ୍ରୀୟ ନିର୍ଦେଶାବଳୀ ଅନୁସାରେ ଏହି ସଂକ୍ରମଣକୁ ରୋକିବାକୁ ପଦକ୍ଷେପମାନ ନେଉଛନ୍ତି ।

ସେହିଭଳି ହିମାଚଳ ପ୍ରଦେଶରେ ଏହି ରୋଗ ଦେଖାଦେବା ପରେ ସେଠା ସରକାରଙ୍କୁ ୨୦୨୧ ଜାନୁୟାରୀ ୫ରେ ସ୍ୱାସ୍ଥ୍ୟ ପରାମର୍ଶ ଜାରି କରାଯାଇଥିଲା । ଏହି ରୋଗ ଯେପରି କୁକୁଡା, ବତକଙ୍କୁ ନ ବ୍ୟାପେ ସେଥିପାଇଁ ପଦକ୍ଷେପ ନେବାକୁ କୁହାଯାଇଛି । କେରଳରୁ ମିଳିଥିବା ତଥ୍ୟ ଅନୁସାରେ ସେଠା ସରକାର ଗତ ୫ ତାରିଖଠାରୁ ଏହି ରୋଗର ନିୟନ୍ତ୍ରଣ ପଦକ୍ଷେପ ଆରମ୍ଭ କରିଛନ୍ତି ।

ଯେଉଁଠି ବ୍ଳାର୍ଡ ଫ୍ଲୁ ଦେଖାଦେଇଛି ସେଠାରେ କୁକୁଡା, ବତକ ମାରିବା କାମ ଆରମ୍ଭ କରାଯାଇଛି । କେନ୍ଦ୍ର ପଶୁଧନ ଓ ଡାଏରି ବିଭାଗ ମଧ୍ୟ ଏହି ରୋଗ ପାଇଁ ନୂଆଦିଲ୍ଲୀରେ ନିୟନ୍ତ୍ରଣକକ୍ଷ ସ୍ଥାପନ କରି ଦୈନିକ ଗ୍ରହଣ କରାଯାଉଥିବା ସଂକ୍ରମଣ ବିରୋଧୀ କାର୍ଯ୍ୟାନୁଷ୍ଠାନର ତଦାରଖ କରୁଛି । ଏଥିପାଇଁ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷା କରାଯାଉଛି ।

ଯେଉଁସବୁ ରାଜ୍ୟରେ ଏହି ରୋଗ ସଂକ୍ରମଣ ଆରମ୍ଭ ହୋଇଛି ସେଠାରେ ଏହା ଯେପରି ଅଧିକ ନ ବ୍ୟାପେ ସେଥିପ୍ରତି ଦୃଷ୍ଟି ଦେବା ସହିତ ନିରାକରଣ ପ୍ରକ୍ରିୟା ଉପରେ ଗୁରୁତ୍ୱ ଦିଆଯାଉଛି । କେନ୍ଦ୍ର ଦ୍ୱାରା ଧାର୍ଯ୍ୟ ନିର୍ଦେଶାବଳୀ ଅନୁସାରେ କାମ ଚାଲିଛି । ସଂକ୍ରମିତ ଅଞ୍ଚଳରେ କୁକୁଡା, ବତକ ଆଦିକୁ ହତ୍ୟାକରି ସେଗୁଡିକୁ ପୋତି ଦିଆଯାଉଛି । ଯେଉଁ ପକ୍ଷୀମାନେ ଆକ୍ରାନ୍ତ ହୋଇ ଏଠିସେଠି ମରି ପଡୁଛନ୍ତି ସେ ସବୁକୁ ସଫା କରାଯାଇ ପୋତି ଦିଆଯାଉଛି। ସଂକ୍ରମିତ ଅଞ୍ଚଳରେ ବିଶୋଧନ ଓ ସଫେଇ କାର୍ଯ୍ୟ କରାଯାଉଛି ।

ନିୟମିତ ବ୍ୟବଧାନରେ ପକ୍ଷୀଙ୍କ ନମୁନା ସଂଗ୍ରହ କରାଯାଇ ସଂକ୍ରମଣ ଉପରେ ନଜର ରଖାଯାଇଛି। ଲୋକମାନଙ୍କୁ କୁକୁଡା, ବତକ ମାଂସ ଓ ଅଣ୍ଡା ଆଦି ଖାଇବାବେଳେ ସାବଧାନତା ଅବଲମ୍ବନ କରିବାକୁ କୁହାଯାଉଛି । ସବୁଠୁ ବଡ଼ କଥା ହେଲା ବ୍ୟକ୍ତିଗତ ସ୍ୱାସ୍ଥ୍ୟରକ୍ଷା ଓ ସଚେତନତା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ସଂକ୍ରମିତ ପକ୍ଷୀ ଏବଂ ମଣିଷଙ୍କଠାରୁ ନିରାପଦ ଦୂରତା ରକ୍ଷା କରିବାକୁ କୁହାଯାଉଛି । ଯଦି କେଉଁଠି ଅସ୍ୱାଭାବିକ ପକ୍ଷୀ ମୃତ୍ୟୁର ଖବର ମିଳୁଛି ସେ ସଂପର୍କରେ ଅନୁଧ୍ୟାନ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜଙ୍ଗଲ ବିଭାଗକୁ ନିର୍ଦେଶ ଦିଆଯାଇଛି ।