Categories
ଧର୍ମ ବିଶେଷ ଖବର ସଂସ୍କୃତି

ଆଜିଠାରୁ ଆରମ୍ଭ ହେଲା ପଞ୍ଚୁକ, ଏହି ପାଞ୍ଚଦିନ କରନ୍ତୁ ଏପରି କାମ, ମିଳିବ ସଫଳତା

ଭୁବନେଶ୍ବର: କାର୍ତ୍ତିକ ମାସର ଶେଷ ପାଞ୍ଚଦିନ (କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣିମା ପର‌୍ୟ୍ୟନ୍ତ)କୁ ପବିତ୍ର ପଞ୍ଚକ ଭାବେ ପାଳନ କରାଯାଏ। ଏହା ମହା ପଞ୍ଚକ, ବକପଞ୍ଚକ ବା ଭୀଷ୍ମପଞ୍ଚକ ବି ବିଷ୍ଣୁ ପଞ୍ଚକ ଭାବେ ମଧ୍ୟ ଜଣାଶୁଣା।

ଯେଉଁମାନେ କାର୍ତ୍ତିକ ମାସ ସାରା ହବିଷ୍ୟ କରିପାରନ୍ତି ନାହିଁ, ସେମାନେ ଏହି ପାଞ୍ଚଦିନ ହବିଷ୍ୟ ପାଳନ କରନ୍ତି। ଅନେକ ଅଁଳା ନବମୀ, ରାଧାପାଦ ଦର୍ଶନ ଦିବସ ଠାରୁ ସାତଦିନ ହବିଷ୍ୟ କରନ୍ତି। ଏହି ପାଞ୍ଚଦିନ ହିନ୍ଦୁମାନେ ଆମିଷ ପରିତ୍ୟାଗ କରି ଶୁଦ୍ଧ, ସାତ୍ତ୍ୱିକ ଖାଦ୍ୟ ଭୋଜନ କରନ୍ତି। ଏହିପଞ୍ଚକରେ ବକମାନେ ମଧ୍ୟ ଆମିଷ ଭୋଜନରୁ ନିବୃତ୍ତ ରୁହନ୍ତି ବୋଲି କଥିତ ଅଛି । ତେଣୁ ଏହାକୁ ‘ବକ ପଞ୍ଚକ’ କୁହାଯାଏ।

ଶର ଶଯ୍ୟା ଉପରେ ଶାୟିତ ପିତାମହ ଭୀଷ୍ମ ରାଜଧର୍ମ, ମୋକ୍ଷଧର୍ମ, ଦାନଧର୍ମ ବର୍ଣ୍ଣନା କରିଥିଲେ, ଯାହାକୁ ପାଣ୍ଡବମାନଙ୍କ ସହିତ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଶୁଣିଥିଲେ । ଏଥିରେ ପ୍ରସନ୍ନ ହୋଇ ଶ୍ରୀବାସୁଦେବ କହିଲେ ଆପଣ ଧନ୍ୟ। ଧର୍ମର ଗୂଢ଼ ରହସ୍ୟ ବର୍ଣ୍ଣନା କରିଛନ୍ତି। କାର୍ତ୍ତିକ ଏକାଦଶୀ ଦିନ ତମେ ଜଳର ଇଚ୍ଛା କରିଛ।

ଅର୍ଜୁନ ବାଣଦ୍ୱାରା ଗଙ୍ଗାଜଳ ପ୍ରସ୍ତୁତ କଲେ, ଯଦ୍ୱାରା ତମର ତନ, ମନ, ପ୍ରାଣ ସନ୍ତୁଷ୍ଟ ହେଲା। ଏଣୁ ଆଜିଠାରୁ ପୂର୍ଣ୍ଣିମା ପର‌୍ୟ୍ୟନ୍ତ ପାଞ୍ଚଦିନ ଯେଉଁମାନେ ତୁମକୁ ଜଳ ଅର୍ଘଦାନ କରିବେ- ସେମାନେ ମୋତେ ତୃପ୍ତକରିବେ । ଏହା ହେଉଛି ଭୀଷ୍ମପଞ୍ଚକ- ପ୍ରତିବର୍ଷ ପାଳିତ ହେବ। ସାଧାରଣତଃ ସନ୍ତାନପ୍ରାପ୍ତି ଉଦ୍ଦେଶ୍ୟରେ ଅନେକ ଏହି ଭୀଷ୍ମପଞ୍ଚକ ବ୍ରତ ପାଳନ କରନ୍ତି ।

କାର୍ତ୍ତିକ ମାସର ଶେଷ ପାଞ୍ଚଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣମୀ ପର‌୍ୟ୍ୟନ୍ତ ପରମ ପବିତ୍ର ଦିବସ। ଏହି ପଞ୍ଚକରେ ତେତିଶ କୋଟି ଦେବତା ମନୁଷ୍ୟମାନଙ୍କର ସନ୍ନିକଟ ହୋଇଯାନ୍ତି ଓ ଏହି ସମୟରେ ଏକଲକ୍ଷ ତୁଳସୀପତ୍ର ଚଢାଇ ବିଷ୍ଣୁଙ୍କୁ ପୂଜାକଲେ, ସମସ୍ତ ଦେବତା ପ୍ରସନ୍ନହୋଇ ବର ପ୍ରଦାନକରନ୍ତି।

“ ସର୍ବଦେବ ନମସ୍କାରଃ କେଶବଂ ପ୍ରତିଗଚ୍ଛତି ଓ” ଭଗବାନ୍ ବିଷ୍ଣୁ ଇପ୍ସିତ ବର ପ୍ରଦାନକରନ୍ତି ଓ ଗୋଟିଏ ଗୋଟିଏ ତୁଳସୀ ଦଳ ଗୋଟିଏ ଗୋଟିଏ ମୋତି ହୋଇଯାଏ ଓ ପାଞ୍ଚଦିନ ଗୋବିନ୍ଦ ନାମ ସ୍ମରଣକଲେ ଅକ୍ଷୟପୁଣ୍ୟ ପ୍ରାପ୍ତିହୁଏ। “ଗୋବିନ୍ଦ ଗୋବିନ୍ଦ ହରେ ମୁରାରେ ଗୋବିନ୍ଦ ଗୋବିନ୍ଦ ମୁକୁନ୍ଦକୃଷ୍ଣ / ଗୋବିନ୍ଦ ଗୋବିନ୍ଦ ରଥାଙ୍ଗ ପାଣେ ଗୋବିନ୍ଦ ଦାମୋଦର ମାଧବେତି ।” ଭାଗବତ ଏବଂ ଗୀତା ପାଠ କରିବା ବିଧେୟ ଓ ଏହିସମୟରେ ପ୍ରତ୍ୟେହ ଗୀତାର ଗୋଟିଏ ଶ୍ଳୋକ ପାଠକରି ମଧ୍ୟ ମନୁଷ୍ୟ ଜୀବନ୍ମୁକ୍ତ ହୋଇଯିବ । ସ୍କନ୍ଦ ପୁରାଣ ମତରେ

“ କାର୍ତ୍ତିକ ମାସି ବିପ୍ରେନ୍ଦ୍ର ଯସ୍ତୁଗୀତାଂ ପଠେନ୍ନରଃ
ତସ୍ୟ ପୁଣ୍ୟଫଳଂ ବକ୍ତୁଂ ମମଶକ୍ତି ର୍ନ ବିଦୀତେ
ଗୀତାୟାସ୍ତୁ ସମଂ ଶାସ୍ତ୍ରଂ ନ ଭୂତଂ ନ ଭବିଷ୍ୟତି
ସର୍ବ ପାପହରା ନିତ୍ୟଂ ଗୀତୈକା ମୋକ୍ଷଦାୟିନୀ
ଶ୍ରୀମଦ୍ ଭଗବତସ୍ୟାପି ଶ୍ରବଣଂ ଯଃ ସମାଚରେତ୍
ସର୍ବପାପ ବିନିର୍ମୁକ୍ତଃ ପରଂ ନିର୍ବାଣ ମୃଚ୍ଛତି ”

ଏହି ପାଞ୍ଚଦିନକୁ ଭୀଷ୍ମ ପଞ୍ଚକ କୁହାଯିବାର ପୌରାଣିକ ରହସ୍ୟ ହେଉଛି – ବାଣ ଶଯ୍ୟା ଉପରେ ଶାୟିତ ପିତାମହ ଭୀଷ୍ମ ରାଜଧର୍ମ, ମୋକ୍ଷଧର୍ମ, ଦାନଧର୍ମ ବର୍ଣ୍ଣନା କରିଥିଲେ, ଯାହାକୁ ପାଣ୍ଡବମାନଙ୍କ ସହିତ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଶୁଣିଥିଲେ ଓ ଏଥିରେ ପ୍ରସନ୍ନ ହୋଇ ଶ୍ରୀବାସୁଦେବ କହିଲେ ଆପଣ ଧନ୍ୟ ଓ ଧର୍ମର ଗୂଢ଼ ରହସ୍ୟ ବର୍ଣ୍ଣନା କରିଛନ୍ତି ଓ କାର୍ତ୍ତିକ ଏକାଦଶୀଦିନ ତମେ ଜଳର ଯାଚନା କରିଛ ଓ ଅର୍ଜୁନ ବାଣର ବେଗରେ ଗଙ୍ଗାଜଳ ପ୍ରସ୍ତୁତ କଲେ, ଯଦ୍ୱାରା ତମର ତନ, ମନ, ପ୍ରାଣ ସନ୍ତୁଷ୍ଟ କଲା।

ଏଣୁ ଆଜିଠାରୁ ପୂର୍ଣ୍ଣିମା ପର‌୍ୟ୍ୟନ୍ତ ପାଞ୍ଚଦିନ ଯେଉଁମାନେ ତୁମକୁ ଜଳ ଅର୍ଘଦାନ କରିବେ – ସେମାନେ ମୋତେ ତୃପ୍ତ କରିବେ ଓ ଏହା ହେଉଛି ଭୀଷ୍ମପଞ୍ଚକ – ପ୍ରତିବର୍ଷ ପାଳିତ ହେବ ଓ ବ୍ରତଧାରୀ ସବ୍ୟ ହୋଇ ମହାତ୍ମା ଭୀଷ୍ମଙ୍କ ପାଇଁ ତର୍ପଣ କରିବେ ଓ ଏହିଭୀଷ୍ମ ତର୍ପଣ ସମସ୍ତ ବର୍ଣ୍ଣର ଲୋକେ କରିପାରିବେ।

ମନ୍ତ୍ର ହେଉଛି-

“ ସତ୍ୟବ୍ରତାୟ ଶୁଚିୟେ ଗାଙ୍ଗେୟାୟ ମହାତ୍ମନେ
ଭୀଷ୍ମାୟୈତଦ୍ ଦଦାମ୍ୟର୍ଘ୍ୟ ମାଜନ୍ମ ବ୍ରହ୍ମଚାରିଣେ ଓ”

ଆଜନ୍ମ ବ୍ରାହ୍ମଚର‌୍ୟ୍ୟ ପାଳନକର୍ତ୍ତା ପରମ ପବିତ୍ର ସତ୍ୟବ୍ରତ ପରାୟଣ ଗଙ୍ଗାନନ୍ଦନ ଭୀଷ୍ମଙ୍କୁ ମୁଁ ଏହି ଅର୍ଘ୍ୟ ପ୍ରଦାନ କରୁଛି । ସନ୍ତାନ ପ୍ରାପ୍ତି ଉଦ୍ଦେଶ୍ୟରେ ଅନେକ ଏହି ଭୀଷ୍ମପଞ୍ଚକ ବ୍ରତ ମଧ୍ୟ ପାଳନ କରନ୍ତି।

Categories
ଆଜିର ଖବର ଜୀବନ ଶୈଳୀ ଧର୍ମ ରାଜ୍ୟ ଖବର ସଂସ୍କୃତି

କାର୍ତ୍ତିକ ପଞ୍ଚୁକରେ କାହିଁକି ସ୍ଥାପନ ହୁଏ ଆକାଶ ଦ୍ବୀପ

ଭୁବନେଶ୍ବର: ସାଧାରଣତଃ କାର୍ତ୍ତିକ ମାସରେ ଆକାଶ ଦୀପ ଲଗାଯାଇଥାଏ। ବିଶ୍ବାସ ରହିଛି ଏହି ଆକାଶ ଦୀପ ଲାଗିଲେ ନିଜ ଜ୍ଞାନର ଆଲୋକ ଜଳି ଉଠେ। ସେଥିପାଇଁ ଏହି ଦୀପ ଲଗାଯାଇଥାଏ। ଯହେତୁ କାର୍ତ୍ତିକ ମାସ ହେଉଛି ସବୁମାସଠାରୁ ଶ୍ରେଷ୍ଠ ମାସ, ସେଥିପାଇଁ ଏହି କାର୍ତ୍ତିକ ମାସରେ ଏହି ଆକାଶ ଦୀପ ଲଗାଯାଇଥାଏ।

ସାଧାରଣ ଦୀପଠାରୁ ଆକାଶ ଦୀପ ଭିନ୍ନ ପ୍ରକାରର ହୋଇଥାଏ। ଏକ ମାଟି ହାଣ୍ଡିର ଉପରି ଭାଗରେ କେତେକ ଛିଦ୍ର କରିବା ପରେ ସେଥିରେ ବାଲି ରଖାଯାଇଥାଏ। ଏହି ବାଲି ଉପରେ ଏକ ଦୀପ ରଖାଯାଇ ଅଗ୍ନି ସଂଯୋଗ କରାଯାଇଥାଏ। ଏହାପରେ ଏକ ମାଟି ଢାଙ୍କୁଣୀ ଦ୍ବାରା ଢଙ୍କଯାଇ ଶିକାରେ ରଖାଯାଏ।

ଏହି ଦୀପ ଶିକାକୁ ଏକ ଉଚ୍ଚ ବାଉଁଶରେ ବାନ୍ଧି ଉପରକୁ ଉଠାଯାଏ। ସାଧାରଣତଃ ଜାତୀୟ ପତାକା ବାନ୍ଧିବା ପରେ ଏହାକୁ ଏକ ରଶି ସାହାର୍ଯ୍ୟରେ ଉପରକୁ ଭିଡାଯାଏ। କାରଣ ପୁଣି ତେଲ ସରିଗଲେ ସେହି ରଶି ଦ୍ବାରା ଦୀପକୁ ତଳକୁ ଖସାଯାଇଥାଏ।

ଏହି ଆକାଶ ଦୀପ ପରଂପରା କାହିଁ କେଉଁ କାଳରୁ ପ୍ରଚଳିତ ହୋଇ ଆସୁଛି। ସଂଧ୍ୟାବେଳେ ବୟସ୍କା ମହିଳାମାନେ ଚଉଁରା ମୂଳେ ଏହି ଆକାଶ ଦୀପ ସ୍ଥାପନା କରିଥାନ୍ତି। ବିଶ୍ବାସ ରହିଛି ଯେ ଯାହାର ଆକାଶ ଦୀପ ଯେତେ ଉଚ୍ଚା ତାହାର ପୂଣ୍ୟର ମାତ୍ର ସେତେ ଅଧିକ ହେବ।

ଏଥିସହିତ ଆକାଶ ଦୀପର ଆଉ ଏକ କାରଣ ରହିଛି। ତାହା ହେଲା ମହାଳୟାକୁ ପୂର୍ବପୁରୁଷମାନେ ପୃଥିବୀକୁ ଆସିଥାନ୍ତି। ଆଉ ଦୀପାବଳି ଦିନ ଦିପରେ ଆଲୋକରେ ସେମାନେ ଫେରିଯାଆନ୍ତି। ସେଥିପାଇଁ ବହୁ ଉଚ୍ଚରେ ଏହି ଆକାଶ ଦୀପ ସେମାନଙ୍କୁ ବାଟ କଢାଇଥାଏ ବୋଲି ଏକ ବିଶ୍ବାସ ମଧ୍ୟ ରହିଛି।

ଅନେକ ପୁରା କାର୍ତ୍ତିକ ମାସ ସାରା ଏହି ଦୀପ ଲଗାଇଥାନ୍ତି। ହେଲେ କେତେକ ସ୍ଥାନରେ ଦୀପାବଳି ପରେ, କେତେକ ସ୍ଥାନରେ ଅଁଳା ନବମୀ ପରେ କରିଥାନ୍ତି। ହେଲେ ଅଧିକାଂଶ ପଞ୍ଚୁକ ପାଞ୍ଚଦିନ ଏହି ଆକାଶ ଦୀପ ସ୍ଥାପନ କରୁଥିବାର ପରିଲକ୍ଷିତ ହୋଇଛି।