Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଓଡ଼ିଶା ପବନ ଶକ୍ତି ସମ୍ମିଳନୀ: ମିଳିଲା ୪ ହଜାର ୯୪୦ କୋଟି ଟଙ୍କାର ପୁଂଜି ନିବେଶ ପ୍ରତିଶ୍ରୁତି

ଭୁବନେଶ୍ବର: ରାଜ୍ୟରେ ଅକ୍ଷୟ ଶକ୍ତିର ବିକାଶ ନିମନ୍ତେ ଗ୍ରୀଡକୋ ପକ୍ଷରୁ ଆଜି ଓଡ଼ିଶା ୱିଣ୍ଡ୍ ଏନର୍ଜି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ପବନ ଶକ୍ତି କ୍ଷେତ୍ରରେ ପୁଞ୍ଜି ବିନିଯୋଗର ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଅନୁଷ୍ଠିତ ଏହି ସମ୍ମିଳନୀରେ ପବନ ଶକ୍ତି ଉତ୍ପାଦନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଦେଶର ପ୍ରମୁଖ ୨୫ଟି ସଂସ୍ଥା ଯୋଗ ଦେଇଥିଲେ। ପବନ ଶକ୍ତି ଉତ୍ପାଦନ ଏବଂ ୱିଣ୍ଡ୍ ଟର୍ବାଇନ୍ ନିର୍ମାଣକାରୀମାନଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିବାରେ ଏହି ସମ୍ମିଳନୀ ବିଶେଷ ସହାୟକ ହୋଇଥିଲା।

ଏଥିରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ଅଭିଭାଷଣ ରଖି, ରାଜ୍ୟରେ ପବନ ଶକ୍ତି ଶିଳ୍ପକୁ ବ୍ୟାପକ ସହାୟତା ପ୍ରଦାନ କରିବା ସହ ରାଜ୍ୟରେ ଅକ୍ଷୟ ଶକ୍ତି ପାୱାର୍ ପ୍ଲାଣ୍ଟ୍ ଏବଂ ମ୍ୟାନୁଫ୍ୟାକଚରିଂ ହବ୍ ପ୍ରତିଷ୍ଠା ନେଇ ରାଜ୍ୟର ପ୍ରତିବଦ୍ଧତାକୁ ଦୋହରାଇଥିଲେ।

ପ୍ରାରମ୍ଭରେ, ନିଜର ଉଦଘାଟନୀ ଅଭିଭାଷଣରେ ରାଜ୍ୟ ଅର୍ଥ, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ତଥା ଗ୍ରୀଡକୋର ଅଧ୍ୟକ୍ଷ ଶ୍ରୀ ବିଶାଲ କୁମାର ଦେବ ଯୋଗଦେଇ  ଓଡ଼ିଶା ଅକ୍ଷୟ ଶକ୍ତି ନୀତି– ୨୦୨୨ ଓ ଶିଳ୍ପ ନୀତି– ୨୦୨୨ ଆଧାରରେ ରାଜ୍ୟରେ ପବନ ଶକ୍ତି ଉତ୍ପାଦନ କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ଉପସ୍ଥିତ ନିବେଶକମାନଙ୍କୁ ଉତ୍ସାହିତ କରିଥିଲେ।

ଏହି ସମ୍ମଳନୀରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ନୂତନ ତଥା ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟର ଯୁଗ୍ମ ଶାସନ ସଚିବ ଶ୍ରୀ ଦୀନେଶ ଦୟାନନ୍ଦ ଜଗଦଲେ ସ୍ୱଚ୍ଛ ଏବଂ ସବୁଜ ଶକ୍ତି ଲକ୍ଷ୍ୟ ହାସଲ କରିଥିବାରୁ ଓଡ଼ିଶା ସରକାରଙ୍କ ସକ୍ରିୟ ପଦକ୍ଷେପକୁ ପ୍ରଶଂସା କରିଥିଲେ।

ଏଥିରେ  ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଉଇଣ୍ଡ ଏନର୍ଜି (ଏନ୍ଆଇଡବ୍ୟୁଇ)ର ମହାନିର୍ଦ୍ଦେଶକ ଡକ୍ଟର ରାଜେଶ କଟ୍ୟାଲ୍ ଯୋଗଦେଇ କହିଥିଲେ ଯେ, ରାଜ୍ୟରେ ପବନ ଶକ୍ତିର ପୂର୍ଣ୍ଣ ସମ୍ଭାବନାକୁ ବ୍ୟବହାର କରିବା ପାଇଁ ଏନ୍ଆଇଡବ୍ୟୁଇ  ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଏବଂ ବୈଷୟିକ ସହାୟତା ଯୋଗାଇ ଦିଆଯିବ। ବୈଠକରେ ଯୋଗ ଦେଇ ଇଡକୋ ତଥା ଇପିକଲର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭୁପିନ୍ଦର ସିଂ ପୁନିଆ ରାଜ୍ୟରେ ପବନ ଶକ୍ତି ପ୍ରକଳ୍ପର ଅଭିବୃଦ୍ଧି ତଥା ଏହାର ସ୍ଥାୟିତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ।

ସମ୍ମିଳନୀରେ କାଉନସିଲ୍ ଅନ୍ ଏନର୍ଜି ଏନଭାଇରନମେଣ୍ଟ୍ ଆଣ୍ଡ୍ ୱାଟର୍  (ସିଇଇଡବ୍ଲୁ) ପକ୍ଷରୁ ପବନ ଶକ୍ତି କ୍ଷେତ୍ରରେ ଓଡ଼ିଶାରେ ଥିବା ବିପୁଳ ସମ୍ଭାବନା ସମ୍ପର୍କିତ ଏକ ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଥିଲା। ସେହିପରି ଗ୍ରୀଡକୋର ବୈଷୟିକ ସହଯୋଗୀ ସଂସ୍ଥା  ଆଇ-ଫରେଷ୍ଟ ପକ୍ଷରୁ ମଧ୍ୟ ପବନ ଶକ୍ତି କ୍ଷେତ୍ରର ବିକାଶ ଦିଗରେ ରାଜ୍ୟର ପ୍ରସ୍ତୁତି ଓ ପ୍ରତିବଦ୍ଧତା ସଂପର୍କରେ ଏକ ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଥିଲା। ସମ୍ମିଳନୀରେ ଗ୍ରୀଡକୋ ଓ ଇପିକଲ୍ ପକ୍ଷରୁ ଓଡ଼ିଶା ଅକ୍ଷୟ ଶକ୍ତି ନୀତି ଏବଂ ଶିଳ୍ପ ନୀତି ସଂପର୍କରେ ଅଂଶଗ୍ରହଣକାରୀଙ୍କୁ ବିଶଦ ସୂଚନା ପ୍ରଦାନ କରାଯାଇଥିଲା।

ସମ୍ମିଳନୀର ଉଦଯାପନୀ ଅଧିବେଶନରେ ଶିଳ୍ପ ବିଭାଗର ଅତିରିକ୍ତ ସଚିବ ଶ୍ରୀ ଶୁଭେନ୍ଦ୍ର କୁମାର ନାୟକ, ଆଗ୍ରହୀ ନିବେଶକମାନଙ୍କ ନିମନ୍ତେ ଓଡ଼ିଶା ସରକାର ସମସ୍ତ ସୁବିଧା ଯୋଗାଇଦେବା ସହ ବ୍ୟବସାୟ ଅନୁକୁଳ ପରିବେଶ ସୁନିଶ୍ଚିତ କରିବା ଦିଗରେ ସମ୍ପୁର୍ଣ୍ଣ ରୂପେ ପ୍ରତିବଦ୍ଧ ବୋଲି କହିଥିଲେ।

ସମ୍ମିଳନୀରେ ବିଭିନ୍ନ ନିବେଶକ ମାନଙ୍କ ସହ ବରିଷ୍ଠ ସରକାରୀ ଅଧିକାରୀ ଏବଂ ଗ୍ରୀଡକୋର ବରିଷ୍ଠ ଅଧିକାରୀ ମାନେ ପୁଞ୍ଜିନିବେଶ ସଂପର୍କିତ ଏକ ବିଶେଷ କାର୍ଯ୍ୟକ୍ରମରେ ଆଲୋଚନା କରିଥିଲେ। ଏହି ଆଲୋଚନା ବେଳେ ନିବେଶକମାନେ ପ୍ରାରମ୍ଭିକ ପର୍ଯ୍ୟାୟରେ ପବନ ଶକ୍ତି ବିକାଶ କ୍ଷେତ୍ରରେ ମୋଟ ୫୭୫ ମେଗାୱାଟ କ୍ଷମତା ବିଶିଷ୍ଟ ପ୍ରକଳ୍ପ ପାଇଁ   ୪୯୪୦ କୋଟି ଟଙ୍କା ବିନିଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ନାଲକୋ ସିଏମଡି, ଆଇଡବ୍ଲୁଟିଏମଏର ମହାସଚିବ, ଡବ୍ଲୁଆଇପିପିଏ ର ସଚିବ, ଗ୍ରୀଡକୋର ପରିଚାଳନା ନିର୍ଦ୍ଦେଶକ ତଥା ଅନ୍ୟ ନିର୍ଦ୍ଦେଶକଗଣ, ଓପିଟିସିଏଲ୍ ର ସିଏମଡି, ଓଏଚପିସିର ପରିଚାଳନା ନିର୍ଦ୍ଦେଶକ, ଆଇ-ଫରେଷ୍ଟ ର କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଯୋଗଦେଇ ରାଜ୍ୟରେ ଅକ୍ଷୟ ଶକ୍ତିର ବିକାଶ ଦିଗରେ ନିଜ ନିଜ ସୁଚିନ୍ତିତ ମତ ଓ ମନ୍ତବ୍ୟ ରଖିଥିଲେ।

ସେହିପରି ଏହି ସମ୍ମିଳନୀରେ ଏନଟିପିସି, ଓଟିପିସି, ଏନଏଚପିସି, ଏସଜେଭିଏନ୍ଏଲ୍, ନାଲକୋ ଏବଂ ଏମସିଏଲ୍ ପ୍ରମୁଖ ରାଷ୍ଟ୍ରାୟତ୍ତ ଉଦ୍ୟୋଗର  ପ୍ରତିନିଧି ତଥା ଅନ୍ୟ ଘରୋଇ ସଂସ୍ଥାର ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ବିଦ୍ୟୁତ ବିକ୍ରି ରାଜିନାମା ଅଧୀନରେ ଗ୍ରିଡକୋକୁ 600 ମେଗାୱାଟ୍‌ ପବନ ଶକ୍ତି ଯୋଗାଇ ଦେବ ଏସଇସିଆଇ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଅଧୀନ ଭାରତୀୟ ସୌର ଶକ୍ତି ନିଗମ (ଏସଇସିଆଇ) ଓଡ଼ିଶା ସରକାରଙ୍କ ଗ୍ରିଡକୋକୁ 600 ମେଗାୱାଟ୍‌ ପବନ ବିଦ୍ୟୁତ ଶକ୍ତି ଯୋଗାଇ ଦେବ। ଏଥିପାଇଁ ଉଭୟ ପକ୍ଷ ମଧ୍ୟରେ ଏକ ବିଦ୍ୟୁତ ବିକ୍ରି ରାଜିନାମା ସ୍ୱାକ୍ଷରିତ ହୋଇଛି। ଏହି ରାଜିନାମା ଅଧୀନରେ ଓଡ଼ିଶାର ଗ୍ରିଡକୋ ଭାରତୀୟ ସୌର ଶକ୍ତି ନିଗମ ଠାରୁ ପବନ ବିଦ୍ୟୁତ ପ୍ରକଳ୍ପ ଯୋଜନା ସହ ଜଡ଼ିତ ଆଇଏସଟିଏସ (ଆନ୍ତରାଜ୍ୟ ସଞ୍ଚାରଣ ପ୍ରଣାଳୀ)ର ଭାଗ – XIII ଅଧୀନରେ 600 ମେଗାୱାଟ୍‌ ପବନ ବିଦ୍ୟୁତ ଶକ୍ତି କିଣିବ। ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟର ଆଇଏସଟିଏସ ଯୋଜନା ଅଧୀନରେ ଅକ୍ଷୟ ଶକ୍ତି ସମ୍ପଦରେ ସମୃଦ୍ଧ ରାଜ୍ୟରେ ଉତ୍ପାଦିତ ହେଉଥିବା ବିଦ୍ୟୁତକୁ ଅକ୍ଷୟ ଶକ୍ତି ଅଭାବ ଥିବା ରାଜ୍ୟମାନଙ୍କୁ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି।

ଆଜି, 9 ଜୁନ 2023ରେ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ଉପସ୍ଥିତିରେ ଭୁବନେଶ୍ୱର ଠାରେ ଏସଇସିଆଇ ଏବଂ ଗ୍ରିଡକୋ ମଧ୍ୟରେ ରାଜିନାମା ସ୍ୱାକ୍ଷରିତ ହୋଇଥିଲା। ଗ୍ରିଡକୋ ଦ୍ୱାରା 600 ମେଗାୱାଡ୍‌ ପବନ ବିଦ୍ୟୁତ କ୍ରୟ ପାଇଁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ପୂର୍ବରୁ ନୀତିଗତ ମଞ୍ଜୁରି ଦେଇ ସାରିଛନ୍ତି। ବିଦ୍ୟୁତ ପ୍ରକଳ୍ପର  ଉତ୍ପାଦନକାରୀଙ୍କ ସହିତ ବିଦ୍ୟୁତ କ୍ରୟ ରାଜିନାମା ସ୍ୱାକ୍ଷର ହେବା ତାରିଖ ଠାରୁ 24 ମାସ ମଧ୍ୟରେ ବିଦ୍ୟୁତ ଯୋଗାଇ ଦିଆଯିବ।

ଗୁଜରାଟ, କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ଥିବା ବିଦ୍ୟୁତ ଉତ୍ପାଦନକାରୀମାନେ 600 ମେଗାୱାଟ୍‌ ପବନ ବିଦ୍ୟୁତ ଶକ୍ତି ଯୋଗାଇ ଦେବେ।

ଏସଇସିଆଇ ହେଉଛି କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଅଧୀନ ଏକ ମିନିରତ୍ନ ପ୍ରଥମ ଶ୍ରେଣୀର କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଯାହାକୁ 2011ରେ ଗଠନ କରାଯାଇଥିଲା। ଭାରତର ଅନ୍ତର୍ଜାତୀୟ ପ୍ରତିବଦ୍ଧତାକୁ ପୂରଣ କରିବା ନିମନ୍ତେ ଅକ୍ଷୟ ଶକ୍ତି ଯୋଜନା ଏବଂ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରିବା ଲାଗି ଏହା ମନ୍ତ୍ରଣାଳୟର ପ୍ରମୁଖ ସଂସ୍ଥା ଭାବେ କାର୍ଯ୍ୟ କରିଥାଏ।

ବର୍ତ୍ତମାନ ସୁଦ୍ଧା ଏସଇସିଆଇ 58 ଗିଗାୱାଟ୍‌ରୁ ଅଧିକ ଅକ୍ଷୟ ଶକ୍ତି ପ୍ରକଳ୍ପର କ୍ଷମତା ପ୍ରସ୍ତୁତ କରିଛି। ଏସଇସିଆଇ ନିଜସ୍ୱ ନିବେଶ ସହିତ ପ୍ରକଳ୍ପ ପରିଚାଳନା ପରାମର୍ଶଦାତା (ପିଏମସି) ରୂପରେ ରାଷ୍ଟ୍ରାୟତ୍ତ କ୍ଷେତ୍ରର ଅନ୍ୟ ସଂସ୍ଥାମାନଙ୍କ ଲାଗି ପ୍ରକଳ୍ପର ପ୍ରତିଷ୍ଠାରେ ମଧ୍ୟ ସକ୍ରିୟ ରହିଛି। ଏସଇସିଆଇକୁ ଆଇସିଆରଏର ଟ୍ରିପଲ୍‌ ଏ କ୍ରେଡିଟ୍‌ ରେଟିଂ ମିଳିଛି।

ଗ୍ରିଡକୋ ବର୍ତ୍ତମାନ ଓଡ଼ିଶା ରାଜ୍ୟର ଚାରିଟି ବିଦ୍ୟୁତ ବିତରଣ କମ୍ପାନୀ ପାଇଁ ମୋଟ ଆକାରରେ ବିଦ୍ୟୁତ କିଣିବା ଓ ବିକ୍ରି କରିବା ଦାୟିତ୍ୱ ବହନ କରୁଛି । ପଡ଼ୋଶୀ ରାଜ୍ୟ ସହ ବିଦ୍ୟୁତ ବିନିମୟକୁ ପ୍ରୋତ୍ସାହନ ଦେବା ଲାଗି ବ୍ୟବସାୟୀମାନଙ୍କ ମାଧ୍ୟମରେ ବଳକା ବିଦ୍ୟୁତ ବିକ୍ରି କରିବା କ୍ଷେତ୍ରରେ ମଧ୍ୟ ଏହା କାର୍ଯ୍ୟ କରିଥାଏ।