Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ ଘୋଷଣା: ନୂତନ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ନେଲେ ନିଷ୍ପତ୍ତି

ନୂଆଦିଲ୍ଲୀ: ଆଜି ଗୁରୁ ପର୍ବ ଏବଂ କାର୍ତ୍ତିକ ପୂର୍ଣ୍ଣିମାର ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ବଡ ଘୋଷଣା କରିଛନ୍ତି। ତିନୋଟି ବିବାଦୀୟ ନୂତନ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ଦେଶବାସୀଙ୍କୁ କ୍ଷମା ମାଗିବାବେଳେ ମୁଁ କହିବାକୁ ଚାହେଁ ଯେ, ଆମର ତାପସ୍ୟାରେ କିଛି ଅଭାବ ରହିଯାଇଥିବ। କିଛି ଚାଷୀ ଭାଇମାନଙ୍କୁ ଆମେ ବୁଝାଇପାରିଲୁ ନାହିଁ।

ଆଜି ଗୁରୁ ନାନକ ଦେବଙ୍କ ପବିତ୍ର ପର୍ବ। କାହାକୁ ଦୋଷ ଦେବା ପାଇଁ ଏହା ସମୟ ନୁହେଁ। ଆଜି ମୁଁ ସମଗ୍ର ଦେଶକୁ ଜଣାଇବାକୁ ଆସିଛି ଯେ, ସରକାର ଏହି ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି। ସେ କହିଛନ୍ତି ଯେ, ଚଳିତ ମାସ ଶେଷ ସୁଦ୍ଧା ଏହି ତିନି କୃଷି ଆଇନ ପ୍ରତ୍ୟାହାର କରିବାର ସାମ୍ବିଧାନିକ ପ୍ରକ୍ରିୟା ଆରମ୍ଭ କରିବେ। ଏଥିସହ ଆନ୍ଦୋଳନରେ ବସିଥିବା ଲୋକଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ନିଜ ଘରକୁ ଫେରିବାକୁ ନିବେଦନ କରିଛନ୍ତି।