Categories
ଜାତୀୟ ଖବର ବିଶେଷ ଖବର

ପଶ୍ଚିମବଙ୍ଗ ନିର୍ବାଚନର ସପ୍ତମ ପର୍ଯ୍ୟାୟ ପାଇଁ ମତଦାନ ଜାରି, ଆଜି ସରିବ ଶେଷ ପର୍ଯ୍ୟାୟ ପ୍ରଚାର

West Bengal Election: ଆଜି ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟ ଅନୁଷ୍ଠିତ ହେଉଛି। ଏହି ପର୍ଯ୍ୟାୟରେ ପାଞ୍ଚଟି ଜିଲ୍ଲାର 34 ଟି ନିର୍ବାଚନମଣ୍ଡଳୀରେ ଭୋଟ୍ ଦିଆଯାଉଛି। ସକାଳ 7 ଟାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା 6:30 ପର୍ଯ୍ୟନ୍ତ ଚାଲିବ।

ଏହି ପର୍ଯ୍ୟାୟ ପାଇଁ ନିର୍ବାଚନ ଆୟୋଗ କେନ୍ଦ୍ରୀୟ ବାହିନୀର 653 କମ୍ପାନୀ ନିୟୋଜିତ କରିଛନ୍ତି। ପାଞ୍ଚଟି ଜିଲ୍ଲା ମଧ୍ୟରୁ ତିନୋଟି – ମାଲଦା, ମୁର୍ସିଦାବାଦ ଏବଂ ଦକ୍ଷିଣ ଦିନାଜପୁର – ବାଂଲାଦେଶ ସୀମାବର୍ତ୍ତୀ ଜିଲ୍ଲା ପାଇଁ ଅଧିକ ବାହିନୀ ନିୟୋଜନ କରାଯାଇଛି।

ନିର୍ବାଚନ ସମୟରେ ଅନୁପ୍ରବେଶକୁ ରୋକିବା ସହ କୌଣସି ପ୍ରକାରର ହିଂସାକୁ ରୋକିବା ପାଇଁ ଏହି ପଦକ୍ଷପ ନିଆଯାଇଛି।  ନିର୍ବାଚନ ଆୟୋଗ ତରଫରୁ ମୁକ୍ତ, ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ ଭୋଟ୍ ପାଇଁ ପ୍ରଚେଷ୍ଠା ଜାରୀ ରହିଛି।

ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ବିଶ୍ୱସନୀୟତା ବଜାୟ ରଖିବା ପାଇଁ ଇଲେକ୍ଟ୍ରୋ ନିକ୍ ଭୋଟିଂ ମେସିନ୍ ସହିତ ପ୍ରତ୍ୟେକ ମତଦାନ ବୁଥରେ ଭୋଟର ନିଶ୍ଚିତକରଣ ସ୍ଲିପ୍ ମେସିନ୍ ବ୍ୟବହାର କରାଯାଉଛି।

ପ୍ରଚଳିତ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଘରେ ରହୁଥିବା ସଂକ୍ରମିତ କିମ୍ବା ସନ୍ଦିଗ୍ଧ ସଂକ୍ରମିତ ଲୋକଙ୍କୁ ଦକ୍ଷ ଅଧିକାରୀଙ୍କ ପ୍ରମାଣପତ୍ରରେ ଡାକଘର ଭୋଟ୍ ଦେଇ ଭୋଟ୍ ଦେବାର ସୁବିଧା ଦିଆଯାଇଛି। ଭିନ୍ନକ୍ଷମ ଏବଂ 80 ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ପାଇଁ ସମସ୍ତ ମତଦାନ କେନ୍ଦ୍ରରେ ଆବଶ୍ୟକ ସୁବିଧା ଯୋଗାଇ ଦିଆଯାଇଛି।

ମତଦାନ କେନ୍ଦ୍ରଗୁଡିକ ବାଧ୍ୟତାମୂଳକ ଭାବେ ପରିମଳ କରାଯାଇଛି ଏବଂ ଭୋଟରମାନଙ୍କୁ ଥର୍ମାଲି ପରୀକ୍ଷା କରାଯାଉଛି। ଯଦି ତାପମାତ୍ରା ନିର୍ଦ୍ଧାରିତ ସୀମା ଅତିକ୍ରମ କରେ, ତେବେ ଭୋଟରଙ୍କୁ ଏକ ଟୋକନ୍ ଦିଆଯିବ ଏବଂ ମତଦାନର ଶେଷ ଘଣ୍ଟାରେ ଭୋଟ୍ ଦେବାକୁ ଆସିବାକୁ କୁହାଯିବ।

ସପ୍ତମ ପର୍ଯ୍ୟାୟ ପାଇଁ 37 ଜଣ ମହିଳାଙ୍କ ସମେତ 268 ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତାରେ ଅଛନ୍ତି। ପ୍ରାର୍ଥୀଙ୍କ ମୃତ୍ୟୁ ପରେ ଶ୍ୟାମଶେରଗଞ୍ଜ ଏବଂ ଜାଙ୍ଗିପୁର ଆସନ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି।

ଅନ୍ୟପଟେ ଅଷ୍ଟମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଆଜି ସନ୍ଧ୍ୟାରେ ଶେଷ ହେବ। କରୋନା ସଂକ୍ରମଣର ବୃଦ୍ଧିକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗର ନିର୍ଦ୍ଦେଶାବଳୀ ଅନୁଯାୟୀ ଏକ ଭର୍ଚୁଆଲ୍ ମାଧ୍ୟମରେ ଏହି ଅଭିଯାନ ବ୍ୟାପକ ପରିମାଣରେ କରାଯାଇଥିଲା। ସମସ୍ତ ପ୍ରମୁଖ ରାଜନୈତିକ ଦଳ ବଡ଼ ରାଲି ଏବଂ ସାଧାରଣ ସଭା ନ କରିବାକୁ ନିଷ୍ପତ୍ତି ନେଇଥିଲେ। କର୍ମୀମାନେ ଘରକୁ ଘର ବୁଲି ନିର୍ବାଚନ ପ୍ରଚାର ଉପରେ ଧ୍ୟାନ ଦେଉଛନ୍ତି।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟରେ ବହୁ ସଂଖ୍ୟାରେ ଭୋଟ୍ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକଙ୍କୁ ନିବେଦନ କରିଛନ୍ତି। ଟୁଇଟ ମାଧ୍ୟମରେ ମୋଦୀ ଭୋଟରଙ୍କୁ କୋଭିଡ ସହ ଜଡିତ ନିର୍ଦ୍ଦେଶାବଳୀକୁ ସମ୍ପୂର୍ଣ୍ଣରୂପେ ପାଳନ କରିବାକୁ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଶେଷରେ ପଶ୍ଚିମବଂଗ ନିର୍ବାଚନ ପ୍ରଚାରକୁ ବାତିଲ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ, ଶେଷରେ ପଶ୍ଚିମବଂଗ ନିର୍ବାଚନ ପ୍ରଚାର କାର୍ଯ୍ୟକୁ ବାତିଲ କରିବାକୁ ବାଧ୍ୟ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତାକାଲି ବର୍ତ୍ତମାନର କୋଭିଡ-୧୯ ସ୍ଥିତିର ସମୀକ୍ଷା ନିମନ୍ତେ ପ୍ରଧାନମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ସେଥିପାଇଁ ଏହି ପ୍ରଚାର ଗସ୍ତକୁ ବାତିଲ କରିଛନ୍ତି।

ମୋଦୀ ଟ୍ବିଟ୍ କରିଛନ୍ତି, “ଆସନ୍ତାକାଲି, ବର୍ତ୍ତମାନର କୋଭିଡ-୧୯ ସ୍ଥିତି ସମୀକ୍ଷା ଲାଗି ଏକ ଉଚ୍ଚସ୍ତରୀୟ ବୈଠକରେ ଅଂଶଗ୍ରହଣ କରିବି। ଏହି କାରଣରୁ, ମୁଁ ପଶ୍ଚିମବଙ୍ଗ ଗସ୍ତରେ ଯିବି ନାହିଁ।”

ବର୍ତ୍ତମାନ ଦେଶରେ କରୋନା ସ୍ଥିତି ଭୟଙ୍କର ଥିବା ବେଳେ ମୋଦି ସାହାଙ୍କ ନିର୍ବାଚନ ପ୍ରଚାରକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। ଶହଶହ ଶବ ଉପରେ ମୋଦି କିପରି ପ୍ରଚାର କରୁଛନ୍ତି ବୋଲି ସାମାଜିକ ଗଣ ମାଧ୍ୟମରେ ଟ୍ରେଣ୍ଟିଂ ହେବାରେ ଲାଗିଛି। ଏପରି ପରିସ୍ଥିତିରେ ମୋଦି ନିର୍ବାଚନ ପ୍ରଚାର କାର୍ଯ୍ୟ ବାତିଲ କରିବାକୁ ବାଧ୍ୟ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

Assembly Election2021: ଶାନ୍ତି ଶୃଙ୍ଖଳାର ସହ ଚାଲିଛି ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ, ଆଜି ସକାଳୁ ଆସାମ ଏବଂ ପଶ୍ଚିମବଂଗର ବିଧାନ ସଭା ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଆସାମର 47 ଏବଂ ପଶ୍ଚିମବଂଗର 30ଟି ଆସନ ପାଇଁ ଭୋଟିଂ ଚାଲିଛି। କୋଭିଡ19 କଟକଣା ଭିତରେ ଭୋଟରମାନେ ସାମାଜିକ ଦୂରତା ରଖି ଭୋଟ ଗ୍ରହଣ କେନ୍ଦ୍ରକୁ ଭୋଟ ଦେବା ପାଇଁ ଯାଉଛନ୍ତି।

ଭୋଟ ଗ୍ରହଣ କେନ୍ଦ୍ରକୁ ଯିବା ପୂର୍ବରୁ ସେମାନଙ୍କୁ ଥର୍ମାଲ ଟେଷ୍ଟିଂ ସହିତ ସାନିଟାଇଜିଂ କରି ଛଡାଯାଉଛି। ଆସାମରେ ଦିନ 11 ଟା ସୁଦ୍ଧା 24.48 ପ୍ରତିଶତ ମତଦାନ ହୋଇଥିବାର ଜଣାପଡିଛି। ସେହିପରି ପଶ୍ଚିମବଂଗରେ 16.41 ପ୍ରତିଶତ ମତଦାନ ହୋଇଥିବାର ଜଣାପଡିଛି।

Categories
ଜାତୀୟ ଖବର ବିଶେଷ ଖବର

ଆଉ ଜଣେ ଟିଏମସି ନେତାଙ୍କ ବିରୋଧରେ ସିବିଆଇ ଜାରି କଲା ନୋଟିସ, କାହିଁକି ଜାଣନ୍ତି କି ?

ନୂଆଦିଲ୍ଲୀ: ତ୍ରୁଣମୂଳ କଂଗ୍ରେସ ସାଂସଦ ଅଭିଷେକ ବାନାର୍ଜୀଙ୍କ ଘନିଷ୍ଠ ବିଜୟ ମିଶ୍ରଙ୍କ ଭାଇ ବିନୟ ମିଶ୍ରଙ୍କ ବିରୋଧରେ ଗୋରୁ ଚୋରା ଚାଲାଣ ମାମଲାରେ ସିବିଆଇ ନୋଟିସ ଜାରି କରିଛି। ଏ ନେଇ ସିବିଆଇ ତରଫରୁ ଶନିବାର ଦିନ ସୂଚନା ଦିଆଯାଇଛି।

ସିବିଆଇ କହିଛି ଯେ ବିନୟ ମିଶ୍ରଙ୍କ ବିରୋଧରେ ରେଡକ୍ରନର୍ ନୋଟିସ୍ ଜାରି କରିବା ପାଇଁ ଇଣ୍ଟରପୋଲ ସହିତ ଯୋଗାଯୋଗ କରିବାକୁ ଚିନ୍ତା କରାଯାଉଛି। ବିନୟ ମିଶ୍ରଙ୍କୁ ଏପର୍ଯ୍ୟନ୍ତ ତଦନ୍ତ ପରିସର ଭୁକ୍ତ କରାଯାଇ ନାହିଁ। ସିବିଆଇର ଜଣେ ଅଧିକାରୀ କହିଛନ୍ତି, ଟିଏମସି ନେତା ବିନୟ ମିଶ୍ରଙ୍କ ଭାଇ ବିଜୟ ମିଶ୍ରଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି କରାଯାଇଛି।

ସୋମବାର ପଚରାଉଚରା ପାଇଁ ଏଜେନ୍ସି ଦୁଇ ବରିଷ୍ଠ ପୋଲିସ ଅଧିକାରୀ – ଇନ୍ସପେକ୍ଟର ଜେନେରାଲ ଏବଂ ପଶ୍ଚିମବଙ୍ଗର ପୋଲିସ ଅଧୀକ୍ଷକଙ୍କୁ ମଧ୍ୟ ଡକାଇଛି। ସେ କହିଛନ୍ତି ଯେ ବିନୟ ମିଶ୍ର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ନିକଟତର ବୋଲି କୁହାଯାଉଛି।

ଫେବୃଆରୀ 18 ରେ, ଭାରତ-ବାଂଲାଦେଶ ସୀମାରେ ଗୋରୁ ଚୋରା କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ସୀମା ସୁରକ୍ଷା ବଳ (ବିଏସଏଫ) କମାଣ୍ଡାଣ୍ଟ ସତୀଶ କୁମାର ଏବଂ ଅନ୍ୟ ଛଅ ଜଣଙ୍କ ବିରୋଧରେ ପଶ୍ଚିମବଙ୍ଗର ଆସାନସୋଲରେ ଥିବା ସିବିଆଇ କୋର୍ଟରେ ଚାର୍ଜସିଟ ଦାଖଲ କରାଯାଇଥିଲା।

ସେଣ୍ଟ୍ରାଲ ଇନଭେଷ୍ଟିଗେସନ୍ ଏଜେନ୍ସି ଅଭିଷେକ ବାନାର୍ଜୀଙ୍କ ପତ୍ନୀ ରୁଜିରା ଏବଂ ତାଙ୍କ ଭଉଣୀ ମନେକା ଗମ୍ଭୀରଙ୍କୁ ଇଷ୍ଟର୍ନ କୋଇଲଫିଲ୍ଡ ଲିମିଟେଡ୍ ବେଆଇନ କୋଇଲା ଖଣିରୁ କୋଇଲା ଚୋରି ସହ ଜଡିତ ଅନ୍ୟ ଏକ ମାମଲାରେ ଜେରା କରିଛି।

Categories
ଆଜିର ଖବର ଜାତୀୟ ଖବର

BENGAL ELECTION: ମୋଦିଙ୍କ ଫଟୋକୁ ନେଇ ନିର୍ବାଚନ କମିଶନରଙ୍କ ନିକଟରେ ଅଭିଯୋଗ କଲା ଟିଏମସି

କୋଲକାତା, ନିର୍ବାଚନ ଯେତିକି ପାଖଉଛି, ପଶ୍ଚିମ ବଂଗ ନିର୍ବାଚନ ସେତିକି ସରଗରମ ହେଉଛି। ଆଜି ନିର୍ବାଚନ କମିଶନରଙ୍କ ନିକଟରେ ମୋଦିଙ୍କ ଫଟୋକୁ ନେଇ ଅଭିଯୋଗ କରିଛି ତୃଣମୂଳ କଂଗ୍ରେସ। ଦଳ କହିଛି ଯେ, ବର୍ତ୍ତମାନ କୋଭିଡ ଟୀକା ଦେବା ପରେ ଏକ ଡିଜିଟାଲ ପ୍ରମାଣ ପତ୍ର ଦିଆଯାଉଛି। ଏହି ପ୍ରମାଣ ପତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ରହିଛି। ବର୍ତ୍ତମାନ ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହେଉଥିବାରୁ ଏହାକୁ ବନ୍ଦ କରାଯାଉ ବୋଲି ଦଳ ଅଭିଯୋଗ କରିଛି।

ଟିଏମସର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଅଧିକାରଙ୍କ ନିକଟରେ ଏହି ଅଭିଯୋଗ କରିଛନ୍ତି। ବର୍ତ୍ତମାନ ପଶ୍ଚିମବଂଗରେ ଆଠଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ସେଥିପାଇଁ ଭାରତ ନିର୍ବାଚନ କମିଶନର ତାରିଖ ଘୋଷଣା କରିସାରିଛନ୍ତି। ସେହିଦିନଠାରୁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି। ଏପରି କ୍ଷେତ୍ରରେ ମୋଦିଙ୍କ ଫଟୋ କିପରି ବ୍ୟବହାର କରାଯାଉଛି ବୋଲି ଟିଏମସି ଅଭିଯୋଗ କରିଛି।

Categories
ଆଜିର ଖବର ଜାତୀୟ ଖବର

BENGAL ELECTION: ତୃଣମୂଳ କଂଗ୍ରେସକୁ ସମର୍ଥନ କରିବ ଆରଜେଡି, ମମତା ତେଜସ୍ବୀଙ୍କ ଘୋଷଣା

କୋଲକାତା, ପଶ୍ଚମବଂଗ ବିଧାନସଭା ନିର୍ବାଚନରେ ବିହାରର ରାଷ୍ଟ୍ରିୟ ଜନତା ଦଳ ତୃଣମୂଳ କଂଗ୍ରେସକୁ ସମର୍ଥନ କରିବ। ଏନେଇ ଉଭୟ ମମତା ବାନାର୍ଜୀ ଏବଂ ତେଜସ୍ବୀ ଯାଦବ ଘୋଷଣା କରିଛନ୍ତି। ତେଜସ୍ବୀ କୋଲକାତା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିଛନ୍ତି। ସେ କହିଛନ୍ତି ଯେ, ଆରଜେଡି ମୁଖ୍ୟ ଲାଲୁ ଯାଦବ ମମତା ଦିଦିଙ୍କୁ ପୂର୍ଣ୍ଣ ସମର୍ଥନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେଥିପାଇଁ ଦଳ ମମତାଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ କରିବା ପାଇଁ ସମସ୍ତ ସହଯୋଗ ଦେବ ବୋଲି ତେଜସ୍ବୀ କହିଛନ୍ତି।

ଉଭୟ ଦୀର୍ଘ ସମୟ କଥାବାର୍ତ୍ତା ହେବା ପରେ ବାହାରକୁ ଆସି ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଥିଲେ। ତେବେ ଆରଜେଡି କେବଳ ମମତାଙ୍କୁ ସମର୍ଥନ ଦେବ। ନିର୍ବାଚନ ପ୍ରଚାରରେ ସାମିଲ ହେବ। କୌଣସି ପ୍ରାର୍ଥୀ ଦେବ ନାହିଁ। ଏହାକୁ ନେଇ ମମତା କହିଛନ୍ତି ଯେ ବିହାରରେ ବିଜେପି ସରକାର ଭାଙ୍ଗିବ, ପଶ୍ଚିମବଂଗରେ ବିଜେପି ହାରିବ। ଏହାକୁ ନେଇ ବର୍ତ୍ତମାନ ପଶ୍ଚିମବଂଗ ରାଜନୀତି ବେଶ ସରଗରମ ହୋଇପଡିଛି।

Categories
ଜାତୀୟ ଖବର ବିଶେଷ ଖବର

ପଶ୍ଚିମବଂଗରେ ମୋଟ 8ଟି ପର୍ଯ୍ୟାୟରେ ହେବ ନିର୍ବାଚନ, ମେ ଦୁଇ ତାରିଖରେ ଭୋଟ ଗଣତି

West Bengal Election: ଭାରତ ନିର୍ବାଚନ କମିଶନର ଆଜି ପାଞ୍ଚୋଟି ରାଜ୍ୟର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ସେହି ଅନୁସାରେ ପଶ୍ଚିମବଂଗ ନିର୍ବାଚନ ଆଠଟି ପର୍ଯ୍ୟାୟରେ ହେବ ବୋଲି ନିର୍ବାଚନ କମିଶନର କହିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଏହି ଘୋଷଣା କରିଛନ୍ତି।

ଘୋଷଣା ଅନୁସାରେ ପଶ୍ଚିମବଂଗର ନିମ୍ନଲିଖିତ ତାରିଖ ଅନୁସାରେ ଭୋଟଗ୍ରହଣ କରାଯିବ।

27 ମାର୍ଚ୍ଚରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ

ଏହି ପର୍ଯ୍ୟାୟରେ ପଶ୍ଚିମବଂଗର 30ଟି ବିଧାନସଭା କ୍ଷେତ୍ରରେ ନିର୍ବାଚନ ଅନୁଷ୍ଠିତ ହେବ। ସେଥିପାଇଁ 2 ମାର୍ଚ୍ଚରେ ବିଜ୍ଞପ୍ତି ପ୍ରକାଶ ପାଇ ନାମଙ୍କନ ଦାଖଲ ପକ୍ରିୟା ଆରମ୍ଭ ହେବ। ସେହିପରି ନାମାଙ୍କନ ପ୍ରତ୍ୟାହାର ତାରିଖ ରହିଛି 12 ମାର୍ଚ୍ଚ।

1 ଏପ୍ରିଲରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ପଶ୍ଚିମବଂଗର 30ଟି ଆସନ ପାଇଁ ଭୋଟ ଗ୍ରହଣ ହେବ। ଏଥିପାଇଁ ମାର୍ଚ୍ଚ 5 ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ମାର୍ଚ୍ଚା 12 ତାରିଖରେ ନାମାଙ୍କନ ଦାଖଲର ଶେଷ ତାରିଖ ରହିବ। ଏହାପରେ 22 ମାର୍ଚ୍ଚରେ ନାମାଙ୍କନ ପତ୍ର ପ୍ରତ୍ୟାହାର ଦିନ ଧାର୍ଯ୍ୟ କରାଯାଇଛି।

6 ଏପ୍ରିଲରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ପଶ୍ଚିମ ବଂଗର 31ଟି ଆସନ ପାଇଁ ନିର୍ବାଚନ ହେବ। ସେଥିପାଇଁ 12 ମାର୍ଚ୍ଚରେ ବିଜ୍ଞପ୍ତି ପ୍ରକାଶ ପାଇବ। ନାମାଙ୍କନ ଦାଖଲର ଶେଷ ତାରିଖ ରହିବ 19 ତାରିଖ ଏବଂ ପ୍ରତ୍ୟାହାର ତାରିଖ 22 ମାର୍ଚ୍ଚ ରହିବ।

13 ଏପ୍ରିଲରେ ହେବ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ପଶ୍ଚିମବଂଗର 42ଟି ବିଧାନସଭା ଆସନ ପାଇଁ ହେବ। ସେଥିପାଇଁ  16 ମାର୍ଚ୍ଚରେ ବିଜ୍ଞପ୍ତି ପ୍ରକାଶ ପାଇବ। ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ 23 ମାର୍ଚ୍ଚ ରହିବ। ନାମାଙ୍କନ ପ୍ରତ୍ୟାହାର 27 ମାର୍ଚ୍ଚ ରହିବ। 13 ତାରିଖରେ ଭୋଟ ଗ୍ରହଣ ହେବ।

17 ଏପ୍ରିଲରେ ହେବ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ

ପଶ୍ଚିମବଂଗର ପଞ୍ଚମ ପର୍ଯ୍ୟାୟ ନିର୍ବାଚନ 45 ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହେବ। ସେଥିପାଇଁ  23 ମାର୍ଚ୍ଚରରେ ବିଜ୍ଞପ୍ତି ପ୍ରକାଶ ପାଇବ 31 ନାମାଙ୍କନ ଦାଖଲ ଶେଷ ତାରିଖ। 3 ଏପ୍ରିଲରେ ନାମାଙ୍କନ ପ୍ରତ୍ୟାହାର କରାଯିବ।

22 ଏପ୍ରିଲରେ ହେବ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ

ଷଷ୍ଠ ପର୍ଯ୍ୟାୟ ନିର୍ବାଚନ 43ଟି ବିଧାନସଭାରେ କରାଯିବ। ସେଥିପାଇଁ 26 ମାର୍ଚ୍ଚରେ ବିଜ୍ଞପ୍ତି ପ୍ରକାଶ ପାଇବ। 3 ଏପ୍ରିଲରେ ନାମାଙ୍କନ ଦାଖଲ ଶେଷ ତାରିଖ। ନାମାଙ୍କନ ପ୍ରତ୍ୟାହାର 7 ଏପ୍ରିଲ ରହିଛି।

26 ଏପ୍ରିଲରେ ହେବ ସପ୍ତମ ପର୍ଯ୍ୟାୟ ନିର୍ବାଚନ

ଏହି ସପ୍ତମ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟର 36ଟି ବିଧାନସଭା ମଣ୍ଡଳିରେ ଅନୁଷ୍ଠିତ ହେବ। ଏଥିପାଇଁ 31 ମାର୍ଚ୍ଚରେ ବିଜ୍ଞପ୍ତି ପ୍ରକାଶ ପାଇବ। 7 ଏପ୍ରିଲରେ ନାମାଙ୍କନ ଦାଖଲର ଶେଷ ତାରିଖ ରହିବ। 12 ଏପ୍ରିଲ ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ ରହିବ। 26 ଏପ୍ରିଲରେ ଭୋଟ ଗ୍ରହଣ ହେବ।

ଶେଷ ପର୍ଯ୍ୟାୟ ନିର୍ବାଚନ 29 ଏପ୍ରିଲରେ ହେବ

ଏହି ପର୍ଯ୍ୟାୟରେ 35 ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ  ଗ୍ରହଣ ହେବ। ଏଥିରେ 31ମାର୍ଚ୍ଚ  ତାରିଖରେ ବିଜ୍ଞପ୍ତି ପ୍ରକାଶ ସହିତ ନାମାଙ୍କନ ଦାଖଲ ହେବ। ସେହିପରି 7 ଏପ୍ରିଲରେ ନାମାଙ୍କନ ଦାଖଲ ଶେଷ ତାରିଖ। 12 ଏପ୍ରିଲ ତାରିଖରେ ନାମାଙ୍କନ ଦାଖଲ ଶେଷ ତାରିଖ ହେବ।

ପାଞ୍ଚୋଟି ରାଜ୍ୟର ଭୋଟ ଭୋଟ ଗଣତି ମେ 2 ତାରିଖରେ ହେବ

Categories
ଜାତୀୟ ଖବର ବିଶେଷ ଖବର

ପ୍ରାକ ନିର୍ବାଚନୀ ହିଂସା : ପଶ୍ଚିମବଂଗର ମନ୍ତ୍ରୀଙ୍କୁ ଆକ୍ରମଣ ଘଟଣା ଏକ ରାଜନୈତିକ ଚକ୍ରାନ୍ତ ବୋଲି କହିଲେ ମମତା

ବାହରାମପୁର (ପଶ୍ଚିମବଙ୍ଗ): ନିର୍ବାଚନ ଘୋଷଣା ହେବାର ସମୟ ଯେତିକି ପାଖଉଛି ପଶ୍ଚିମ ବଂଗରେ ହିଂସାତ୍ମକ କାର୍ଯ୍ୟ ସେତିକି ବଢିବାରେ ଲାଗିଛି। ଦଳବଦଳଠାରୁ ଆରମ୍ଭ କରି ସଭାସ୍ଥଳରେ ଭଙ୍ଗାରୁଜା କରିବା, ନେତାମାନଙ୍କୁ ଆକ୍ରମଣ କରିବା ପରି ପରିସ୍ଥିତି ମଧ୍ୟ ପରିଲକ୍ଷିତ ହେବାରେ ଲାଗିଛି। ବିଶେଷ କରି ବିଜେପି ଓ ତ୍ରୁଣମୂଳ କଂଗ୍ରେସ ମଧ୍ୟରେ ଏହା ତୀବ୍ର ରୂପ ଧାରଣ କରିଛି।

ଗତକାଲି ରାତିରେ କେତେକ ଅଜଣା ଆକ୍ରମଣକାରୀଙ୍କ ଦ୍ୱାରା ରାଜ୍ୟ ମନ୍ତ୍ରୀ ଜାକିର ହୁସେନ୍ ଗୁରୁତର ଆହତ ହୋଇଛନ୍ତି।ଏହି ଆକ୍ରମଣରେ ମନ୍ତ୍ରୀଙ୍କ ସହ ଉପସ୍ଥିତ ଥିବା ଅତି କମରେ ଦୁଇଜଣ ଲୋକ ମଧ୍ୟ ଆହତ ହୋଇଥିବା ପୋଲିସ କହିଛି।ପଶ୍ଚିମବଙ୍ଗ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ରାତି 10 ଟା ସମୟରେ ହୁସେନ୍ ଷ୍ଟେସନର 2 ନମ୍ବର ପ୍ଲାଟଫର୍ମରେ କୋଲକାତା ଯାଉଥିବା ଟ୍ରେନକୁ ଅପେକ୍ଷା କରିଥିଲେ। ଏହି ସମୟରେ ତାଙ୍କ ଉପରେ କେତେକ ଦୁର୍ବୁତ ବୋମା ପିଙ୍ଗି ମାରାଣତ୍ମାକ ଆକ୍ରମଣ କରିଥିଲେ। ଏଥିରେ ମନ୍ତ୍ରୀଙ୍କ ଗୋଡ ଏବଂ ତଳ ପେଟରେ ଆଘାତ ଲାଗିଛି।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଦିନ ଅଭିଯୋଗ କରିଛନ୍ତି ଯେ ରାଜ୍ୟ ମନ୍ତ୍ରୀ ଜାକିର ହୁସେନ୍‌ଙ୍କ ଉପରେ ହୋଇଥିବା ଏହି ବୋମା ଆକ୍ରମଣ ଏକ ଷଡଯନ୍ତ୍ରର ଅଂଶ ଏବଂ କିଛି ଲୋକ ଅନ୍ୟ ଦଳରେ ଯୋଗଦେବାକୁ ଚାପ ପକାଉଛନ୍ତି। ସେ ତାହାକୁ ନ ମାନିଲେ ତାଙ୍କ ଉପରେ ଏପରି ଆକ୍ରମଣ କରାଯାଉଛି। ଯାହାର ଶିକାର ଜାକିର ବୋଲି ମମତା କହିଛନ୍ତି।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହୁସେନ୍‌ଙ୍କୁ ଭେଟିବା ପାଇଁ ଡାକ୍ତରଖାନାରେ ପହଞ୍ଚିଥିଲେ। ସେଠାରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ ମନ୍ତ୍ରୀ ଜାକିର ହୁସେନ୍‌ଙ୍କ ଉପରେ ହୋଇଥିବା ଆକ୍ରମଣ ଏକ ଯୋଜନାବଦ୍ଧ ଷଡଯନ୍ତ୍ର।  ଗତ କିଛି ମାସ ଧରି ଜାକିର ହୁସେନ୍‌ଙ୍କ ଉପରେ ଏକ ଦଳର ନେତାମାନେ ତାଙ୍ଚାକ ଦଳରେ ଯୋଗଦେବାକୁ ଚାପ ପକାଉଥିଲେ । ତେବେ ଏହାର ତଦନ୍ତ ଚାଲିଥିବାରୁ ମୁଁ ଅଧିକ ସୂଚନା ଦେବି ନାହିଁ। ‘

ଏହି ଆକ୍ରମଣରେ ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ ପାଞ୍ଚ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ପ୍ରତ୍ୟେକଙ୍କୁ 1 ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।ଏହି ଆକ୍ରମଣରେ 26 ଜଣ ଆହତ ହୋଇଥିବା ବାନାର୍ଜୀ କହିଛନ୍ତି। ରାଜ୍ୟ ସରକାର ଏହି ତଦନ୍ତକୁ ଅପରାଧ ଅନୁସନ୍ଧାନ ବିଭାଗ ବା ସିଆଇଡି କୁ ହସ୍ତାନ୍ତର କରିଛନ୍ତି।

ଏହି ଆକ୍ରମଣକୁ ନେଇ ବିଜେପି ରାଜ୍ୟ ସଭାପତି ଦିଲୀପ ଘୋଷ କହିଛନ୍ତି ଯେ ଏହି ଘଟଣା ଦର୍ଶାଉଛି ପଶ୍ଚିମବଙ୍ଗ ମନ୍ତ୍ରୀମାନଙ୍କ ପାଇଁ ମଧ୍ୟ ସୁରକ୍ଷିତ ନୁହେଁ। ସରକାର ଆଇନ ଶୃଙ୍ଖଳା ରକ୍ଷା କରିବାରେ ବିଫଳ ହୋଇଛନ୍ତି। ସେପଟେ ବୁଧବାର ରାତିରେ ଉତ୍ତର କୋଲକାତାର ବେଲାଘାଟା ଅଞ୍ଚଳରେ ଅଜ୍ଞାତ ବ୍ୟକ୍ତି ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ରାଲିରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ଦଳର ଉତ୍ତର କୋଲକାତା ଜିଲ୍ଲା ସଭାପତି ଶିବାଜୀ ସିଙ୍ଗା ରୟଙ୍କ ସମେତ ଦୁଇ ବିଜେପି କର୍ମୀ ଆହତ ହୋଇଛନ୍ତି। ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର

ପଶ୍ଚିମବଂଗରେ ବିଜେପି କେତେ ସିଟ ପାଇବ ବୋଲି ଭବିଷ୍ୟବାଣୀ କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି

କୋଲକାତା, ପଶ୍ଚିମବଙ୍ଗରେ ଟିଏମସି 200ରୁ ଅଧିକ ଆସନ ଜିତିବ। ଏପରି ଦ୍ରୁଢକ୍ତି ପ୍ରକାଶ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ନନ୍ଦିଗ୍ରାମରେ ଆୟୋଜିତ ଏକ ସାଧାରଣ ସଭାରେ ଏପରି ଦାବି କରିଛନ୍ତି ମମତା। ଏହା ସହିତ ସେ ଭାରତୀୟ ଜନତା ପାର୍ଟି ପଶ୍ଚିମବଙ୍ଗରେ ମିଥ୍ୟା ଖବର ପ୍ରସାରଣ କରୁଥିବାର ମଧ୍ୟ ଅଭିଯୋଗ କରିଛନ୍ତି।

ସାଧାରଣ ସଭାକୁ ସମ୍ବୋଧିତ କରି ମମତା କହିଛନ୍ତି ଯେ ଏକ ସର୍ଭେ ରିପୋର୍ଟ ଆଧାରରେ ସେ ଏହା କହୁଛନ୍ତି। ଏହି ସର୍ଭେରୁ ଜଣାପଡିଛି ଯେ ଟିଏମସି 200 ରୁ ଅଧିକ ସିଟ୍ ଜିତୁଥିବା ବେଳେ ବିଜେପି ମାତ୍ର 51 ଟି ସିଟ୍ ପାଇବ। ଏଥିସହିତ ମମତା ନନ୍ଦିଗ୍ରାମ ଆସନରୁ ପ୍ରତିଦ୍ବନ୍ଦିତା କରିବେ ବୋଲି ମଧ୍ୟ ଘୋଷଣା କରିଛନ୍ତି।

ବିଜେପିର ଆଇଟି ସେଲକୁ ମିଥ୍ୟା ଖବର ପ୍ରଚାର କରୁଥିବା ଅଭିଯୋଗ କରି ସେ କହିଛନ୍ତି ଯେ ଛଦ୍ମବେଶରେ ସେମାନେ ବିଭିନ୍ନ ନାଟକ ପ୍ରସ୍ତୁତ କରୁଛନ୍ତି ଏବଂ ଏହାକୁ ବଙ୍ଗଳାରେ ପ୍ରସାର କରୁଛନ୍ତି। ଲୋକମାନେ ବିଶ୍ୱାସ କରିବା ପରି ମିଥ୍ୟା ଖବର ପ୍ରଚାର କରିବା ସେମାନଙ୍କର ଅଭ୍ୟାସ।

ଏଥିପାଇଁ ବିଜେପି ହଜାର ହଜାର ଟଙ୍କା ବିନିଯୋଗ ମଧ୍ୟ କରୁଛି ଏପରି ଫେକ ଖବର ପ୍ରତି ଧ୍ୟାନ ଦେବାର କୌଣସି ଆବଶ୍ୟକତା ନାହିଁ ବୋଲି ମମତା କହିଛନ୍ତି। ଏଥିସହିତ ସେ କହିଛନ୍ତି ଯେ ସମସ୍ତ ଭିଡିଓ ଏବଂ ହ୍ବାଟସ୍ ଆପ୍କୁ ବିଶ୍ବାସ କରିବାର କୌଣସି ଆବଶ୍ୟକତା ନାହିଁ। ଏହି ସମୟରେ ମମତା ବାନାର୍ଜୀ ମଧ୍ୟ ନନ୍ଦିଗ୍ରାମର ଲୋକଙ୍କୁ ଅନେକ ଆଶ୍ୱାସନା ଦେଇଥିଲେ। ସେ କହିଛନ୍ତି ଯେ ସେ ହଳଦିଆ ପାଇଁ ବିଭିନ୍ନ ଯୋଜନା ବିଷୟରେ ଚିନ୍ତା କରୁଛନ୍ତି, ଯେଉଁଥିରେ ଏଠାରୁ ଯୁବକ ଯୁବତୀମାନେ ଚାକିରୀ ପାଇବେ।

Categories
ଜାତୀୟ ଖବର ବିଶେଷ ଖବର

ପଶ୍ଚିମବଂଗ ନିର୍ବାଚନରେ ପ୍ରାର୍ଥୀ ଦେବ ଶିବସେନା, ଏହାଦ୍ବାରା ଲାଭ କାହାର, ବିଜେପିର ନା ଟିଏମସିର !

ମୁମ୍ବାଇ, ପଶ୍ଚିମବଂଗ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବ ମହାରଷ୍ଟ୍ର ସରକାରରେ ଥିବା ଶିବସେନା ଦଳ। ଆଜି ଏ ନେଇ ଦଳର ବରିଷ୍ଠ ନେତା ତଥା ସାଂସଦ ସଂଜୟ ରାଉତ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ପଶ୍ଚିମବଂଗରେ ନିର୍ବାଚନ ଲଢିବା ପାଇଁ ବହୁ ଆଗରୁ ପ୍ରସ୍ତୁତି ଚାଲିଥିଲା। ହେଲେ ତାହା ଠିକରେ ରୂପରେଖ ନେଇପାରି ନ ଥିଲା। ବର୍ତ୍ତମାନ ଦଳର ମୁଖ୍ୟ ଉଦ୍ଧବ ଠାକରେ ରାଜି ହେବା ପରେ ଆମେ ପଶ୍ଚିମବଂଗରେ ପ୍ରାର୍ଥୀ ଠିଆ କରାଇବୁ।

ଏହାକୁ ନେଇ ଉଭୟ ମହାରାଷ୍ଟ୍ର ଏବଂ ପଶ୍ଚିମବଂଗ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ବିଶେଷ କରି ଟିଏମସି ନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଚିନ୍ତାରେ ପଡି ଯାଇଛନ୍ତି।ଜୟ ହିନ୍ଦ ଜୟ ବଙ୍ଗଳା କହି ସଂଜୟ କହିଛନ୍ତି ଯେ, ଖୁବ ଶିଘ୍ର ଆମେ କୋଲକାତାରେ ପହଁଞ୍ଚିବୁ।

ଶିବସେନାର ଏପରି ଘୋଷଣା ପରେ ବର୍ତ୍ତମାନ ରାଜନୈତିକ ମହଲରେ ଅଙ୍କ କଷା ଆରମ୍ଭ ହୋଇଯାଇଛି। କାରଣ ପୂର୍ବରୁ ଏଆଇଏମଆଇଏମ ମଧ୍ୟ ପଶ୍ଚିମବଂଗରେ ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଛି। ଫଳରେ ଏହି ସମୀକରଣ ବିଜେପି ନା ଟିଏମସି କାହାକୁ ସୁହାଇବ ତାହା ଜଣାପଡି ନାହିଁ।

ମହାରାଷ୍ଟ୍ରରେ ଶିବ ସେନା କଂଗ୍ରେସ ଏବଂ ଏନସିପି ସହିତ ମିଳିତ ଭାବେ ସରକାର ଗଠନ କରିଛନ୍ତି। ବିଜେପିକୁ କଡା ଟକ୍କର ଦେଇ ଏହି ମେଣ୍ଟ ସରକାରକୁ ଆସିଛି। ବର୍ତ୍ତମାନ ପଶ୍ଚିମ ବଂଗରେ ଦଳର ଆଭିମୁଖ୍ୟ କଣ ରହିବ ତାହା ସ୍ପଟ ହୋଇ ନାହିଁ। ହେଲେ ଏହା ନିଶ୍ଚିତ ଯେ, ଶିବ ସେନା ନିଶ୍ଚିତ ଭାବେ ବିଜେପି ବିରୋଧରେ ଲଢେଇ ଜାରି ରଖିବ।

ତେବେ ଶିବ ସେନା କଂଗ୍ରେସ ସହିତ ପଶ୍ଚିମ ବଂଗରେ ମେଣ୍ଟ କରିବ କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ। ପଶ୍ଚିମ ବଂଗର ରାଜନୈତିକ ସମୀକ୍ଷକଙ୍କ ମତରେ ଶିବ ସେନା ପଶ୍ଚିମ ବଂଗରେ ତାହା ଭିତ୍ତିଭୂମି ନାହିଁ। ହେଲେ ବିଜେପିକୁ ପରାସ୍ତ କରିବା ପାଇଁ ହୁଏତ ଶିବସେନା ଟିଏମସି ସହିତ ମେଣ୍ଟ କରିପାରେ ବୋଲି ଅନୁମାନ କରାଯାଉଛି।

ପଶ୍ଚିମବଂଗ ସରକାରଙ୍କ କାର୍ଯ୍ୟକାଳ ଆସନ୍ତା ମେ 27  ତାରିଖରେ ଶେଷ ହେଉଛି। 294 ଆସନ ପାଇଁ ଏପ୍ରିଲ ମେ ରେ ନିର୍ବାଚନ ହେବ ବୋଲି ଜଣାପଡିଛି।

Categories
ଜାତୀୟ ଖବର ବିଶେଷ ଖବର

ପଶ୍ଚିମବଂଗ ରାଜନୀତିରେ ଆସୁଛି ଏକ ବଡ କଂପନ, ମୋଦୀଶାହାଙ୍କୁ ଟକ୍କର ଦେବା ପାଇଁ ମମତାଙ୍କ ନୂଆ ରଣନୀତି

ନୂଆଦିଲ୍ଲୀ, ପଶ୍ଚିମବଂଗ ଆସନକୁ ପୁଣି ଥରେ ହାତେଇବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି। ହେଲେ ତାଙ୍କ ରାସ୍ତାରେ ଏକ ବଡ କଣ୍ଟା ହୋଇ ଛିଡା ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। କୁହାଯାଉଛି ଯେ ଅମିତ ଶାହାଙ୍କ ପ୍ରରୋଚନାରେ ମମତାଙ୍କର ଟିଏମସିର ନେତାମାନେ ଇସ୍ତଫା ଦେବାରେ ଲାଗିଛନ୍ତି। ଯାହାକୁ ନେଇ ମମତା ବ୍ୟତିବ୍ୟସ୍ତ ହୋଇପଡିଲେଣି। ମମତା ଯେତେ ସବୁ ନୂଆରାସ୍ତା ଆପଣେଇ ନିର୍ବାଚନ ଜିତିବାକୁ ରଣକୌଶଳ କରୁଛନ୍ତି, ତାହାକୁ ଅମିତ ସାହା ଭାଙ୍ଗି ଦେବାରେ ଲାଗିଛନ୍ତି। ଗତକିଛି ଦିନର ପରିସ୍ଥିତିକୁ ଅନୁଧ୍ୟାନ କଲେ ପଶ୍ଚିମବଂଗରେ ବର୍ତ୍ତମାନ ରକ୍ତାତ ସଂଘର୍ଷ ଜାରୀ ରହିଛି।

ତେବେ ପଶ୍ଚିମ ବଂଗ ରାଜନୀତିରେ ଏକ ନୂଆ ରଣନୀତି ପ୍ରସ୍ତୁତି ଚାଲିଛି, ଯାହା ରାଜ୍ୟ ରାଜନୀତିରେ ଏକ ବଡ କଂପନ ସୃଷ୍ଟି କରିବ। ଖବର ଅନୁସାରେ ମମତା ବାନାର୍ଜି ବର୍ତ୍ତମାନ ଦେଶର ପ୍ରମୁଖ ନେତା ଶରଦ ପାୱାରଙ୍କ ଶରଣ ପଶିଛନ୍ତି। ମହାରାଷ୍ଟ୍ରରେ ଯେପରି ଉଦ୍ଧବ ଠାକରେ ଏବଂ ଶରଦ ପାୱାରଙ୍କ ଯୋଡି ମୋଦୀସାହା ଯୋଡିଙ୍କୁ ଯବାବ ଦେଲେ ସେହି ରଣନୀତି ପଶ୍ଚିମ ବଂଗରେ ଲାଗୁ କରିବା ପାଇଁ ଯୋଜନା ଚାଲିଛି। ଏଥିରେ ମଧ୍ୟ ଶରଦ ପାୱାର ରାଜି ଅଛନ୍ତି।

ଯାହା ଜଣାପଡିଛି ଆସନ୍ତା ନୂଆବର୍ଷରେ ଶରଦ ପାୱାର କୋଲକତା ଗସ୍ତ କରୁଛନ୍ତି। ଉଭୟ ମିଳିତ ଭାବେ ଏକ ରାଲି କରିବେ। ଏକଦା ଶରଦ ପାୱାର କଂଗ୍ରେସ ପ୍ରତି ଅସନ୍ତୁଷ୍ଠ ହୋଇ ଆଞ୍ଚଳିକ ଦଳ ଗଠନ କରିଥିଲେ। ସେହିପରି ମମତା ବାନାର୍ଜି ମଧ୍ୟ କଂଗ୍ରେସ ଛାଡି ଆଞ୍ଚଳିକ ଦଳ ଗଠନ କରିଥିଲେ। ଆଉ ଉଭୟ ବର୍ତ୍ତମାନ ମୋଦୀଶାହା ଯୋଡିର ତୀବ୍ର ବିରୋଧୀ।

ଶରଦ ପାୱାରଙ୍କୁ ଭାରତୀୟ ରାଜନୀତିରେ ରାଜନୈତିକ ଗୁରୁ ବୋଲି ଅନେକ ବିବେଚନା କରନ୍ତି। ଏପରିକି ଦେଶର ଅନେକ ନେତା ଖୋଲାଖୋଲି ଭାବେ ଶରଦ ପାୱାରଙ୍କୁ ଗୁରୁ ବୋଲି ସ୍ବୀକାର ମଧ୍ୟ କରିଛନ୍ତି। ନିକଟରେ ମହାରାଷ୍ଟ୍ର ରାଜନୀତିରେ ଯେପରି ଘଟଣା ଘଟିଲା ତାହା କେବଳ ଶରଦ ପାୱାରଙ୍କ ପାଇଁ ସମ୍ଭବ ହୋଇପାରିଥିଲା। ଫଳରେ ବିଜେପିକୁ ଟକ୍କର ଦେବା ପାଇଁ ବର୍ତ୍ତମାନ ଶଦର ପାୱାରଙ୍କୁ ମମତା ତାଙ୍କର ଗୁରୁ ତଥା ପରାମର୍ଶଦାତା ଭାବେ ଗ୍ରହଣ କରିବେ।

କୁହାଯାଉଛି ଯେ, ବିଭିନ୍ନ ରାଜନୈତିକ ସଂକଟ ବେଳେ ପାୱାରଙ୍କ ରଣନୀତି ବେଶ ଭଲ କାମ କରିଥାଏ। ସେଥିପାଇଁ ଦଳମତ ନିର୍ବିଶେଷରେ ଆଜି ପର୍ଯ୍ୟନ୍ତ ଅନେକ ନେତା ତଥା ମୁଖ୍ୟମନ୍ତ୍ରୀମାନେ ତାଙ୍କର ପରାମର୍ଶ ନେଉଛନ୍ତି। ସେମାନଙ୍କ ମଧ୍ୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ, ଛତିଶଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, କମଳନାଥ ଏବଂ ଅମରେନ୍ଦ୍ର ସିଂ ଅଛନ୍ତି।

ଶରଦ ପାୱାର ଗାନ୍ଧୀ ପରିବାରଙ୍କୁ ଛାଡି ଅନ୍ୟ ନେତାମାନଙ୍କୁ ଯାହାର ଆବଶ୍ୟକ ପଡେ ତାଙ୍କୁ ଗୁରୁମନ୍ତ୍ର ଦେଉଛନ୍ତି। ଏସବୁକୁ ପାଥେୟ କରି ଅଣ ନିଃଶ୍ବାସୀ ହୋଇପଡିଥିବା ମମତା ବାନାର୍ଜି ବର୍ତ୍ତମାନ ଶରଦ ପାୱାରଙ୍କ ସାହାର୍ଯ୍ୟ ନେବେ ବୋଲି ଜଣାପଡିଛି।

ରାଜନୈତିକ ମହଲରେ ଯାହା ଆଲୋଚନା ଚାଲିଛି ତାହା ହେଲା ଯେ, ଶରଦ ପାୱାରଙ୍କ ଜାନୁୟାରୀ ଦ୍ବିତୀୟ ସପ୍ତାହରେ କୋଲକାତା ଆସୁଛନ୍ତି। ତେବେ ତା ପୂର୍ବରୁ ପାୱାର ମମତାଙ୍କୁ ଚୁପ ରହିବା ପାଇଁ କହିଥିବାର ଜଣାପଡିଛି।  ସାଧାରଣ ସଭାରେ ମୋଦୀଶାହାଙ୍କ ଉପରେ ଅତ୍ୟଧିକ ଉତ୍ୟେକ୍ତ ହୁଅନ୍ତୁ ନାହିଁ ବୋଲି ଉପେଦଶ ଦେଇଛ୍ତି। ସେହି ଅନୁସାରେ ଦିଦି ବେଶ କିଛି ଦିନ ଧରି ଚୁପ ରହିଛନ୍ତି ବୋଲି ତାଙ୍କର ନିକତମ ମହଲରୁ ଜଣାପଡିଛି।

ପଶ୍ଚିମବଂଗ ରାଜନୀତିରେ ଯଦି ପାୱାର ପ୍ଲେ ଆରମ୍ଭ ହେବ ତେବେ ନିଶ୍ଚିତ ଭାବେ ତାହା ଏକ କଂପନ ସୃଷ୍ଟି କରିବ। କାରଣ ଭାରତ ରାଜନୀତିରେ ଗୁରୁ ବୋଲି କୁହାଯାଉଥିବା ଶରଦ ପାୱାର କିଛି ନା କିଛି ମ୍ୟାଜିକ କରି ଦେଖାଇବେ ଏଥିରେ ସନ୍ଦେହ ନାହିଁ।

ସେତିକି ନୁହେଁ ମମତା ମଧ୍ୟ ତେଯଶ୍ବୀ ଯାଦବ, ଅଖିଲେଶ ଯାଦବ, ଚନ୍ଦ୍ରବାବୁ ନାଇଡୁ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ,  ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ପରି ନେତାଙ୍କୁ ଟିଏମସି ପ୍ରଚାରରେ ସାମିଲ କରିବା ପାଇଁ ଯୋଜନା କରୁଛନ୍ତି। ଏହା ଯଦି ସମ୍ଭବ ହୁଏ ତେବେ ପଶ୍ଚିମବଂଗ ନିର୍ବାଚନ ଏକ ମିନି ଭାରତ ନିର୍ବାଚନ ଭାବେ ପରିଗଣିତ ହେବ।