Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ପାସପୋର୍ଟ ହଜାଇବା ଦଣ୍ଡ: ୧୮ ବର୍ଷ ପାକିସ୍ଥାନ ଜେଲରେ ରହି ଘରକୁ ଫେରିଲେ ମହିଳା

ନୂଆଦିଲ୍ଲୀ: ବିଦେଶରେ ଭାରତୀୟ ପାସପୋର୍ଟ କେତେ ଯେ ମହତ୍ବପୂର୍ଣ୍ଣ, ତାହା କେବଳ ୧୮ ବର୍ଷ ଜେଲ ଭୋଗିଥିବା ଜଣେ ୬୫ ବର୍ଷିୟା ମହିଳାଙ୍କ ଠାରୁ ବୁଝିପାରିବେ। ସେ ମହିଳାଜଣଙ୍କ ହେଉଛନ୍ତି ହସିନା ବେଗମ। ୨୦୦୨ ମସିହାରେ ହସିନା ବେଗମ ନିଜ ସମ୍ପର୍କୀୟଙ୍କୁ ମିଶିବା ପାଇଁ ପାକିସ୍ଥାନର ଲାହୋର ଯାଇଥିଲେ। ହେଲେ ସେଠାରେ ତାଙ୍କର ପାସପୋର୍ଟ ହଜିଯାଇଥିଲା।

ତାପରେ ତାଙ୍କର ସମସ୍ୟା ଆରମ୍ଭ ହୋଇଥିଲା। ପାକିସ୍ଥାନ ସରକାର ତାଙ୍କୁ ଜେଲରେ ବନ୍ଦ କରିଦେଇଥିଲା। କୌଣସି ଦୋଷ ନକରି ଦୀର୍ଘ ୧୮ ବର୍ଷ ପର୍ଯ୍ୟନ୍ତ ହସିନା ଜେଲରେ ରହିଲେ। ସାଧାରଣତନ୍ତ୍ର ଦିବସରେ ସେ ପାକିସ୍ଥାନ ଜେଲରୁ ମୁକ୍ତ ହୋଇଛନ୍ତି। ଔରଙ୍ଗାବାଦ ପୋଲିସର ପ୍ରୟାସ ଯୋଗୁଁ ଏହା ସମ୍ଭବ ହୋଇପାରିଛି।

ହସିନା ନିଜ ଦେଶକୁ ଫେରି ଆସିବାପରେ ଜେଲରେ କାଟିଥିବା ଖରାପ ସମୟର ଅନୁଭୂତିକୁ ଲୋକଙ୍କ ଆଗରେ ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ନିଜ ଦେଶକୁ ଫେରି ଏବେ ଶାନ୍ତି ଅନୁଭବ ହେଉଛି, ଯେମିତିକି ମୁଁ ସ୍ବର୍ଗରେ ଅଛି। ଔରଙ୍ଗାବାଦ ପୋଲିସର ପ୍ରୟାସରେ ଦେଶକୁ ଫେରିଥିବାରୁ ସେ ପୋଲିସକୁ ଧନ୍ୟବାଦ ଦେଇଥିଲେ। ଏହାସହିତ ପୋଲିସ ମଧ୍ୟ ତାଙ୍କୁ ସ୍ଵାଗତ କରିଥିଲା।

ଉଲ୍ଲେଖଯୋଗ୍ୟ ଯେ, ହସିନା ବେଗମ ଉତ୍ତରପ୍ରଦେଶ ସହାରାନପୁରର ଦିଲସାଦ ଅହମ୍ମଦଙ୍କୁ ବିବାହ କରିଥିଲେ। ଔରଙ୍ଗାବାଦର ସିଟି ଛକ ଥାନା ଅଞ୍ଚଳର ମହିଳାଙ୍କ ଘର ବୋଲି ଜଣାପଡିଛି।