Categories
ଆଜିର ଖବର

ବାଲୁଗାଁ ଜାତୀୟ ରାଜପଥରେ ପୁଣି ଲୁଟେରା ସକ୍ରିୟ: ପାଟ୍ରୋଲିଂ ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ

ସୀତାରାମ ଅଗ୍ରୱାଲ

ବାଣପୁର: କିଛି ଦିନର ବ୍ୟବଧାନ ପରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର-ବାଲୁଗାଁ ୧୬ ନମ୍ବର ଜାତୀୟ ରାଜପଥରେ ପୁଣି ଲୁଟ ହୋଇଛି।

ସୂଚନା ମୁତାବକ ଗତକାଲି କଟକ ଜଗତପୁରରୁ ଏକ ଘରୋଇ ଆଇସକ୍ରିମ କମ୍ପାନୀ ଗାଡି (ଓଡ଼ି୦୫ ଏଭି୩୮୯୫) ଆଇସକ୍ରିମ ନେଇ ବ୍ରହ୍ମପୁର ଯାଇଥିଲା। ବ୍ରହ୍ମପୁରରୁ ଆଇସକ୍ରିମ ଖାଲି କରି ଜଗତପୁର ଫେରୁଥୁବା ବେଳେ ଆଜି ପାଖାପାଖି ସକାଳ ୬ ଘଟିକାରେ ବାଣପୁର-ବାଲୁଗାଁ ବାଇପାସ ଓଭରବ୍ରିଜ ଠାରେ ପୂର୍ବରୁ ପିଛା କରି ଆସୁଥିବା ଏକ ପିକ୍ ଅପ ଗାଡିରେ ଚାରି ଜଣ ଦୁର୍ବୃତ୍ତ ଆସି ଆଇସକ୍ରିମ ଗାଡିକୁ ଅଟକାଇଥିଲେ। ପରବର୍ତ୍ତୀ ସମୟରେ ଆଇସକ୍ରିମ ଗାଡି ଚାଳକ ଏବଂ ତାଙ୍କ ସହଯୋଗିଙ୍କୁ ମାରଧର କରିବା ସହ ଖଣ୍ଡା ଦେଖାଇ ଭୟଭୀତ କରାଇ ୨ ଟି ମୋବାଇଲ ଏବଂ ଗାଡି ଚାବି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଖବର ପାଇବା ମାତ୍ରେ ବାଲୁଗାଁ ଏସଡ଼ିପିଓଙ୍କ ନିର୍ଦ୍ଦେଶକ୍ରମେ ବାଣପୁର ପୋଲିସ ବର୍ତ୍ତମାନ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଦେଇଛି।

ଉଲ୍ଲେଖଯୋଗ୍ୟ ଗତ ୧ ତାରିଖରେ ଜାତୀୟ ରାଜପଥରେ ଲୁଟ୍ କୁ ରୋକ ଲଗେଇବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ପିତାପଲ୍ଲୀ ଠାରୁ ବାଲୁଗାଁ ପର୍ଯ୍ୟନ୍ତ ପାଟ୍ରୋଲିଂ ବ୍ୟବସ୍ଥା ଉଦଘାଟନ କରିଥିଲେ। ତେବେ ଆଜିର ଲୁଟ ପାଟ୍ରୋଲିଂ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।