Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚିଲିକାରୁ ମୁଁ ପ୍ରାର୍ଥୀ ହେବାକୁ ଚାହୁଁଥିଲି, ହେଲେ ପାଣ୍ଡିଆନ କରିଦେଲେ ଚକ୍ରାନ୍ତ-ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ବର: ପୂର୍ବତନ ବିଜେଡି ନେତା ତଥା ବର୍ତ୍ତମାନର ବିଜେପି ନେତା ପ୍ରସନ୍ନ ପାଟ୍ଟଶାଣୀ ନବୀନ ଏବଂ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ମୁଁ ଚିଲିକାରୁ ଟିକେଟ ପାଇଁ ଆଶାୟୀ ଥିଲି, ହେଲେ ପାଣ୍ଡିଆନ ସାଲିସ କରି ମୋର ଟିକେଟ କାଟିଦେଲେ। ଏ କଥା ଖୋଲମଖୋଲା କହିଛନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ। ଆଜି ଗଣମାଧ୍ୟମକୁ ନିଜର ମନ୍ତବ୍ୟ ଦେଇ ସେ କହିଛନ୍ତି ଯେ, ପାଣ୍ଡିଆନ ଯୋଗୁଁ ବିଜେଡି ହାରିଲା,ପାଣ୍ଡିଆନ ଯୋଗୁଁ ବିଜେଡି ବୁଡିବ।

ଚିଲିକାରେ ପାଣ୍ଡିଆନ ସାଲିସ କରି ଟିକେଟ କାଟିଦେଲେ ବୋଲି ପାଟ୍ଟଶାଣୀ କହିଛନ୍ତି। ହେଲେ ସେ ସାଲିସ କଣ ତାହା କହି ନାହିଁନ୍ତି। ଗତ ନିର୍ବାଚନରେ ବିଜେଡି ରଘୁନାଥ ସାହୁଙ୍କୁ ଟିକେଟ ଦେଇଥିଲା। ହେଲେ ସେ ହାରିଗଲେ। କିନ୍ତୁ ପାଣ୍ଡିଆନଙ୍କ ସାଲିସ କଣ, ସେ ରଘୁନାଥ ସାହୁଙ୍କ ସହିତ କିଛି ସାଲିସ କରିଛନ୍ତି କି? ତାହା ସେ ସ୍ପଷ୍ଟ କରି ନ ଥିଲେ। ହେଲେ ସେତେବେଳେ ପ୍ରସନ୍ନ ପାଟ୍ଟଶାଣୀ ଟିକେଟ ଆଲୋଚନା ପାଇଁ ଦୁଇଥର ନବୀନ ନିବାସ ଯାଇଥିଲେ।

ସେହିପରି ସେ କହିଛନ୍ତି ଯେ, ନବୀନ ପଟ୍ଟନାୟକ ଭୀଷଣ ମିଛ କହୁଛନ୍ତି। ବର୍ତ୍ତମାନ ମଧ୍ୟ ପାଣ୍ଡିଆନ ବିଜେଡି କଥା ବୁଝୁଛନ୍ତି। ତାଙ୍କ କଥାରେ ନବୀନ ପରିଚାଳିତ ହେଉଛନ୍ତି। ଦଳ ଭାଙ୍ଗି ଖଣ୍ଡଖଣ୍ଡ ହୋଇଯିବ ପଛେ ନବୀନ ପାଣ୍ଡିଆନଙ୍କୁ ଛାଡିପାରିବେ ନାହିଁ। ଏହାକୁ ନେଇ ଦଳୀୟ ନେତାମାନେ ଅଣନିଃଶ୍ବାସୀ ହୋଇପଡିଲେଣି। ବର୍ତ୍ତମାନ ନବୀନ ଯାହା ଚେତାବନୀ ଦେଲେ ମଧ୍ୟ ତାହା କିଛି କାମ କରିବ ନାହିଁ ବୋଲି ପାଟ୍ଟଶାଣୀ କହିଛନ୍ତି।

ପାଟ୍ଟଶାଣୀ ପୁଣି କହିଛନ୍ତି ଯେ, ପାଣ୍ଡିଆନ ପାଇଁ ଦଳ ବୁଡିବାରେ ଲାଗିଛି। ତଥାପି କାହିଁକି ନବୀନଙ୍କ ଚେତା ପଶୁ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ପାଟ୍ଟଶାଣୀ। ପାଣ୍ଡିଆନଙ୍କ ବିରୋଧରେ ଜଣଙ୍କ ପରେ ଜଣେ ନେତା ବିରୋଧ କରୁଥିଲେ ମଧ୍ୟ ନବୀନ ତାଙ୍କୁ କ୍ଲିନ ଚିଟ ଦେବାରେ ଲାଗିଛନ୍ତି। ଏହା ରାଜନୀତିରେ ଠିକ ନୁହେଁ ବୋଲି ସେ କହିଛନ୍ତି। ନବୀନଙ୍କୁ କିପରି ଲାଜ ଲାଗୁ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି ଯେ, ନବୀନ ପାଣ୍ଡିଆନ ସଂପର୍କ କଣ ମୁଁ ଜାଣିଛି, ତାହା କହିହେବ ନାହିଁ। ମୁଁ ଏସବୁ ଦେଖିବା ପରେ ସେ ଦଳ ଛାଡି ପଳାଇ ଆସିଲି। ମୁଁ ଠିକ ସମୟରେ ଠିକ ନିଷ୍ପତି ନେଇଛି ବୋଲି ପାଟ୍ଟଶାଣୀ କରିଛନ୍ତି। ସେ ପୁଣି କହିଛନ୍ତି ଯେ, ମହୁଫେଣାରେ ମହୁ ଅଛି, ତେଣୁ ସେ କେମିତି ଛାଡିବେ ବୋଲି ତେରଚ୍ଛା ବାଣ ମାରିଛନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ।

Categories
ବିଶେଷ ଖବର ରାଜ୍ୟ ଖବର

ସାଂଘାତିକ ହେଲାଣି ବିଜେଡିର ଭବିଷ୍ୟତ, ପାଣ୍ଡିଆନଙ୍କୁ ଘଣ୍ଟ ଘୋଡାଉଥିବାରୁ ଏବେ ନବୀନଙ୍କୁ ଟାର୍ଗେଟ କଲେଣି ଦଳର ନେତା

ଭୁବନେଶ୍ବର: ଧିରେ ଧିରେ ବିଜେଡିର ଗୋଷ୍ଠୀ କନ୍ଦଳ ଏକ ସାଂଘାତିକ ସ୍ଥିତି ଆଡକୁ ଗତି କରିବାରେ ଲାଗିଛି। କାରଣ ଦିନକୁ ଦିନ ଦଳର ବରିଷ୍ଠ ନେତାମାନେ ଯେପରି ବିବୃତି ଦେବାରେ ଲାଗିଛନ୍ତି ତାହା ଦଳର କନ୍ଦଳକୁ ସ୍ପଷ୍ଟ ସୂଚାଇ ଦେଉଛି। ତେବେ ପୂର୍ବରୁ  ନେତାମାନେ ଦଳର ଆଭିମୁଖ୍ୟ ନେଇ ଅସନ୍ତୋଷ ଜାହିରୀ କରି ଭି କେ ପାଣ୍ଡିଆନଙ୍କୁ ଟାର୍ଗେଟ କରୁଥିଲେ।

ହେଲେ ବର୍ତ୍ତମାନ ପାଣ୍ଡିଆନଙ୍କ ସହ ନେତାମାନେ ସିଧା ଦଳର ସୁପ୍ରିମୋଙ୍କୁ ମଧ୍ୟ ଟାର୍ଗେଟ କଲେଣି। ଯାହାର ଜ୍ବଳନ୍ତ ଉଦାହର ହେଉଛି ପୂର୍ବତ୍ତନ ମନ୍ତ୍ରୀ ପ୍ରଫୁଲ ମଲ୍ଲିକଙ୍କୁ ମନ୍ତବ୍ୟ। ପ୍ରଫୁଲ ସିଧା ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଦେ ଶୁଣେଇ ଦେଇଛନ୍ତି। ସେ କହିଛନ୍ତି ଯେ, ଆମେ ହୋଟେଲରେ ବୈଠକ କଲେ କେହି ମନା କରିପାରିବେ ନାହିଁ। ସେ ନାଲି ଆଖିକୁ ଆମେ ଡରିବୁ ନାହିଁ। ଆମ ଇଚ୍ଛା ଆମେ ଯେଉଁଠି ଚାହିଁବୁ ସେଠି ବସିବୁ। ଏଥିପାଇଁ କାହାର ଅନୁମତି ନେବା ଆବଶ୍ୟକ ନାହିଁ।

ହୋଟେଲରେ କେତେକ ବିଜେଡି ନେତା ମେଳି କରିଥିବାରୁ ତାହାକୁ ନାପସନ୍ଦ କରିଥିଲେ ନବୀନ ପଟ୍ଟନାୟକ। ସେ ଗଣମାଧ୍ୟମକୁ କହିଥିଲେ ଯେ, ବିଜେଡି ନେତାଙ୍କର ବୈଠକ କରିବା ପାଇଁ ଦଳୀୟ କାର୍ଯ୍ୟାଳୟ ଶଙ୍ଖ ଭବନ ରହିଛି। ସେଠାରେ ବୈଠକ କରନ୍ତୁ। ବାହାରେ ସଭା କରିବା ଠିକ ନୁହେଁ ବୋଲି ନବୀନ କହିଥିଲେ। ଯାହାର ଯବାବ ଦେଇଛନ୍ତି ପ୍ରଫୁଲ ମଲ୍ଲିକ। ଏହା ସିଧା ନବୀନଙ୍କୁ ଧମକ ବୋଲି କୁହାଯିବ।

ପ୍ରଫୁଲ କହିଛନ୍ତି ଯେ, ଯେତେବେଳ ଦଳୀୟ ବୈଠକ ହେବ କିମ୍ବା କମିଟ ବୈଠକ ହେବ ସେତେବେଳେ ଆମେ ପାର୍ଟି ଅଫିସରେ ବସିବୁ। ଅନ୍ୟ ସମୟରେ କାହିଁକି ପାର୍ଟି ଅଫିସରେ ବସିବୁ ବୋଲି ସେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, ଆମର ବୟସ ହେଲାଣି, ଆମେ କେଉଁଠି ବସି ହସଖୁସି କରିବୁ ସେଥିରେ କେହି ଆମକୁ ବାରଣ କରିପାରିବେ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି।

ଫଳରେ ପାଣ୍ଡିଆନ ପାଇଁ ବର୍ତ୍ତମାନ ନବୀନ ଟାର୍ଗେଟକୁ ଆସି ଗଲେଣି। ଯାହା କେବେ ଘଟି ନ ଥିଲା। ଯଦି ଏହି ପରି ନବୀନଙ୍କୁ ଆଉ କିଛି ନେତା ଟାର୍ଗେଟ କରିବେ ତେବେ ତାହା ଏକ ସାଂଘାତିକ ଘଟଣା ହେବ। କାରଣ ଦଳର ସୁପ୍ରିମୋଙ୍କୁ ନେତାମାନେ ଟାର୍ଗେଟ କରିବା ନିଶ୍ଚିତ ଏକ ବଡ ଘଟଣା। ଅନୁମାନ କରିହେଉଛି ଯେ, ନେତାମାନେ ଦୀର୍ଘ ବର୍ଷ ଧରି ସହି ସହି ଆସିଲେଣି। ତେଣୁ ଆଉ ନବୀନଙ୍କ ପାଣ୍ଡିଆନ ପ୍ରୀତିଙ୍କୁ ଆଉ ବିଜେଡି ନେତା ହଜମ କରିବା ପରିସ୍ଥିତିରେ ନାହାଁନ୍ତି ବୋଲି ସ୍ପଷ୍ଟ ହୋଇଛି।

ସେହିପରି ପାଣ୍ଡିଆନ ପ୍ରସଂଗରେ ମଧ୍ୟ ପ୍ରଫୁଲ ଛାଡି ନାହାଁନ୍ତି। ସେ କହିଛନ୍ତି ଯେ, ପାଣ୍ଡିଆନ ସନ୍ୟାସୀ ହୋଇଥିଲେ ମଧ୍ୟ ବର୍ତ୍ତମାନ ଦଳୀୟ କାର୍ଯ୍ୟରେ ମୁଣ୍ଡ ଖେଳାଉଛନ୍ତି। ଯଦି ସେ ସେପରି କାର୍ଯ୍ୟ କରୁ ନାହାଁନ୍ତି ତେବେ ମିଡିଆ ଆଗରେ ପାଣ୍ଡିଆନ ପ୍ରକାଶ କରନ୍ତୁ ବୋଲି ପ୍ରଫୁଲ କହିଛନ୍ତି। ସେ ୱାକଫ ବିଲ୍ କୁ ନେଇ କହିଛନ୍ତି ଦଳ ଯେପରି ନିଷ୍ପତି ନେଲା ତାହା ଏକ ଅନ୍ତଃର୍ଘାତୀ କାମ। ଏପରି କାମକୁ ଲୋକେ କେବେ କ୍ଷମା ଦେବେ ନାହିଁ ବୋଲି ପ୍ରଫୁଲ କହିଛନ୍ତି। ଏପରି ପରିସ୍ଥିତିରେ ବିଜେଡି ଭବିଷ୍ୟତ କଣ ହେବ ତାହାକୁ ନେଇ ସନ୍ଦେହ ସୃଷ୍ଟି ହେଲାଣି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଶେଷରେ ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ପାଣ୍ଡିଆନଙ୍କୁ ନେଇ କହିଲେ……..

ଭୁବନେଶ୍ବର: ଶେଷରେ ମୁହଁ ଖୋଲିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ଆଜି ନବୀନ ନିବାସରେ ନିଜର ମତ ରଖିଛନ୍ତି। ଦୀର୍ଘଦିନ ଧରି ଦଳ ଭିତରେ ଯେଉଁ ମେଳି ଚାଲିଛି ତାହା ଉପରେ କହିଛନ୍ତି। ଯାହାକୁ ନେଇ ପାଣ୍ଡିଆନ ବିରୋଧୀଙ୍କ ମୁଣ୍ଡ ଅକଲ ହୋଇଯାଇଛି। ସେପଟେ ପାଣ୍ଡିଆନ ସପକ୍ଷ ଗୋଷ୍ଠୀ ଏହାକୁ ନେଇ ବେଶ ଉତ୍ସାହିତ ହୋଇପଡିଛନ୍ତି।

ଆଜି ନବୀନ ତାଙ୍କର ଗଣମାଧ୍ୟମକୁ ଦେଇଥିବା ମନ୍ତବ୍ୟ ତିନିଟି ଭାଗରେ ବିଭକ୍ତ କରିଛନ୍ତି। ପ୍ରଥମେ ସେ ବିଜେଡି ନେତାଙ୍କ ବିଭିନ୍ନ ମେଳିକୁ ନେଇ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ନେତାମାନେ ବିଭିନ୍ନ ସ୍ଥାନରେ ବା ହୋଟେଲରେ ବୈଠକ କରୁଛନ୍ତି। ସେମାନଙ୍କର ଦଳୀୟ କାର୍ଯ୍ୟାଳୟ ଶଙ୍ଖ ଭବନ ଅଛି। ସେଠାରେ ସେମାନେ ବୈଠକ କରନ୍ତୁ ବୋଲି ନବୀନ କହିଛନ୍ତି।

ସେହିପରି ପ୍ରଭାତ ତ୍ରିପାଠୀଙ୍କ ବୟାନକୁ ନେଇ ନବୀନ କହିଛନ୍ତି ଯେ, ସେ ବହୁତ ବର୍ଷ ତଳେ ଦଳରୁ ବହିସ୍କାର ହୋଇଛନ୍ତି। ସେ ଚିଟ ଫଣ୍ଡ ଟଙ୍କା ଠକେଇରେ ଜେଲ ଯାଇଛନ୍ତି। ସେ ଯାହା କହୁଛନ୍ତି ସେଥିରେ କିଛି ଗୁରୁତ୍ବ ନାହିଁ। ସେ ଦଳର କିଛି ନୁହଁନ୍ତି ବୋଲି ନବୀନ କହିଛନ୍ତି।

ଅନ୍ୟପକ୍ଷରେ ପାଣ୍ଡିଆନଙ୍କୁ ନେଇ ନବୀନ କହିଛନ୍ତି ଯେ, କାର୍ତ୍ତିକେୟନ ପାଣ୍ଡିଆନ ବିଗତ ବର୍ଷରେ ବେଶ ଭଲ କାମ କରିଛନ୍ତି। ହେଲେ ନିର୍ବାଚନ ପରେ ସେ ଦଳ ଛାଡି ଦେଇଛନ୍ତି। ସେ ପ୍ରାୟ ଦଶ ମାସ ହେଲା ଦଳରେ ନାହାଁନ୍ତି। ତେଣୁ ସେ ଦଳର କୌଣସି କାର୍ଯ୍ୟରେ ସାମିଲ ନାହାଁନ୍ତି ବୋଲି ନବୀନ କହିଛନ୍ତି।

ତେବେ ୱାକଫ ବିଲ ଉପରେ ନବୀନ କିଛି କହି ନ ଥିଲେ। ସେ ନିର୍ଦ୍ଦେଶ ଦେଇଥିଲେ କି ନାହିଁ ସେ ଉପରେ ନବୀନ କିଛି ମନ୍ତବ୍ୟ ଦେଇ ନ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପାଣ୍ଡିଆନଙ୍କ ସପକ୍ଷରେ ବାହାରିଲେ ସାଂସଦ ମାନସ ମଙ୍ଗରାଜ, ଦେବାଶିଷ ସାମନ୍ତରାୟଙ୍କୁ ଟାର୍ଗେଟ

ଭୁବନେଶ୍ବର: ବର୍ତ୍ତମାନ ଭି କେ ପାଣ୍ଡିଆନଙ୍କ ବିରୋଧରେ ଏକ ସ୍ବର ଉତ୍ତୋଳନ ଆରମ୍ଭ ହୋଇଛି। ଆଜି ନବୀନ ନିବାସରେ ବିଜେଡି କର୍ମିମାନେ ପାଣ୍ଡିଆନ ହଟାଅ ବିଜେଡି ବଞ୍ଚାଅ ବୋଲି ସ୍ଲୋଗାନ ଦେଇଥିଲେ। ତା ପୂର୍ବରୁ ସାଂସଦ ଦେବାଶିଷ ସାମନ୍ତରାୟ ପାଣ୍ଡିଆନକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ୱାକଫ ବିଲ୍ ଷଢଯନ୍ତ୍ର ପଛରେ ଅଛନ୍ତି ପାଣ୍ଡିଆନ। ତାଙ୍କ ନିର୍ଦ୍ଦେଶରେ ଏପରି ହୋଇଛି।

ଏହାକୁ ନେଇ ସାଂସଦ ମାନସ ମଙ୍ଗରାଜ ତାଙ୍କ ଟୁଇଟରେ ଦେବାଶିଷଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, “ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ମୋର ରାଜ୍ୟସଭା ସହଯୋଗୀ ଶ୍ରୀ ଦେବାଶିଷ ସାମନ୍ତରାୟ ଶ୍ରୀ ଭିକେ ପାଣ୍ଡିଆନଙ୍କୁ ୱାକଫ ବିଲ୍ ନିଷ୍ପତ୍ତି ଉପରେ ସମାଲୋଚନା କରିଛନ୍ତି, ଯଦିଓ ପାଣ୍ଡିଆନ 10 ମାସ ପୂର୍ବରୁ ରାଜନୀତିରୁ ଅବସର ନେଇସାରିଛନ୍ତି ଏବଂ କୌଣସି ବୈଠକ କିମ୍ବା ରାଜନୈତିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରୁନାହାଁନ୍ତି। ହେଲେ ତାଙ୍କ ନାମ ସେ ନେଇଛନ୍ତି।

ଆମର ଜଣେ ନେତା ଅଛନ୍ତି, ଶ୍ରୀ ନବୀନ ପଟ୍ଟନାୟକ, ଯିଏ ଆମ ଦଳର ସଭାପତି ଏବଂ ସମସ୍ତ ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ନିଅନ୍ତି। ଯଦି ଆମର କୌଣସି ଅଭିଯୋଗ କିମ୍ବା ଚିନ୍ତା ଥାଏ, ତେବେ ଏହାକୁ ଦଳୀୟ ଫୋରମରେ ଉଠାଇବା ସର୍ବଦା ଉପଯୁକ୍ତ। ଗତ କିଛି ଦିନ ମଧ୍ୟରେ ଅନେକ ବରିଷ୍ଠ ନେତା ମଧ୍ୟ ସେହିପରି କରିଥିଲେ। ଶ୍ରୀ ସାମନ୍ତରାୟ ଏହାକୁ ଅନୁସରଣ କରିବା ପରିବର୍ତ୍ତେ ଗଣମାଧ୍ୟମକୁ ଯାଇ ଦଳୀୟ ରାଜନୀତିରେ ନଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କଥାବାର୍ତ୍ତା କରିବା, କିଛି ନ୍ୟସ୍ତ ସ୍ୱାର୍ଥ ଦ୍ୱାରା ଭୁଲ ଉଦ୍ଦେଶ୍ୟ ପ୍ରଦର୍ଶନ କରୁଛି।”

Categories
ଆଜିର ଖବର ରାଜ୍ୟ ଖବର

ବିଜେଡି ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ପାଣ୍ଡିଆନଙ୍କୁ ନେଇ ଯେଉଁ ପ୍ରଶ୍ନ ଥିଲା, ତାହାର ଉତ୍ତର ଦେବାକୁ ବିଜେପି ଚୁପ କାହିଁକ ?

ଭୁବନେଶ୍ବର: ବିଧାନସଭାରେ ପାଣ୍ଡିଆନଙ୍କୁ ନେଇ ବିଜେଡିର ଯୁବ ବିଧାୟକ ଅରବିନ୍ଦ ମହାପାତ୍ର ଯେଉଁ ପ୍ରଶ୍ନ କରିଥିଲେ ତାହାର ଉତ୍ତର ଏ ପର୍ଯ୍ୟନ୍ତ ମିଳିଲା ନାହିଁ। ବିଧାନସଭାରେ ସେ ଏହି ପ୍ରଶ୍ନ ପଚାରିଥିଲେ। ହେଲେ ନା ସରକାର ଏହାର ଉତ୍ତର ଦେଲେ, ନା ବିଜେପି ଦଳ ଏହାର ସ୍ପଷ୍ଟିକରଣ ଦେଲେ। ଯାହାକୁ ନେଇ ସାଧାରଣରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି।

ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ବିଧାନ ସଭାରେ ପ୍ରଶ୍ନ କରିଥିଲେ ଯେ, ବିଜେପି ସରକାର ଯିଏ ହେଲିକାପ୍ଚରରେ ବୁଲି ପ୍ରଚାର କରୁଥିଲେ ତାଙ୍କ ବିରୋଧରେ ତଦନ୍ତ ହେବ ବୋଲି କହିଥିଲେ। ହେଲେ ସରକାର ଆସିବାର ଏତେଦିନ ହେଲାଣି କାହିଁ ତାହାର କିଛି ତଦନ୍ତ ହେଲା କି? ବିଜେପି ସରକାର ସେପରି ତାକତ ନାହିଁ ବୋଲି ଅରବିନ୍ଦ କହିଥିଲେ।

ସେହିପରି ଅରବିନ୍ଦ କହିଥିଲେ ଯେ, ବିଜେପି ସରକାର ଦୁଇ ଜଣ ଅଣ ଓଡିଆ ଆଇପିଏସ ଅଫିସର ବିଜେଡି କାମ କରୁଛନ୍ତି ବୋଲି ଅଭିଯୋଗ କରୁଥିଲେ। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠ କରାଯିବ ବୋଲି ବାହ୍ୟସ୍ପୋଟ ମାରିଲେ। ହେଲେ ସେମାନଙ୍କୁ ମୁଖ୍ୟମନ୍ତ୍ରୀ କିପରି କ୍ଲିନ ଚିଟ ଦେଲେ। ସେମାନଙ୍କୁ କିପରି କେନ୍ଦ୍ର ସରକାର ଭଲ ଯାଗାରେ ଥଇଥାନ କଲେ। ଏହିପରି ରାଜ୍ୟ ସରକାରଙ୍କୁ ପ୍ରଶ୍ନବାଣ କରିଥିଲେ ଯୁବ ବିଧାୟକ ଅରବିନ୍ଦ ମହାପାତ୍ର।

ତେବେ ଏହାର ଉତ୍ତର ନା ସରକାର ଦେଉଛନ୍ତି ନା ସରକାରୀ ଦଳ। ବିଜେପିର ଏପରି ପରିସ୍ଥିତି ଦେଖି ଅରବିନ୍ଦ କଟାକ୍ଷ କରି କହିଛନ୍ତି ଯେ, ବିଜେପି ନା ଅଯାଗା ଘା କାହାକୁ ଦେଖାଇପାରୁଛି ନା ନିଜେ ଦେଖିପାରୁଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ପାଣ୍ଡିଆନ ଓଡିଶା ଛାଡିବେ ବୋଲି ଚାରିଆଡେ ଚର୍ଚ୍ଚା; ତେବେ ସେ କୁଆଡେ ଯିବେ, କଣ କରିବେ

ଭୁବନେଶ୍ବର: ବିଜେଡିର ଚାଣକ୍ୟ ବୋଲି କୁହାଯାଉଥିବା ଭି  କେ ପାଣ୍ଡିଆନଙ୍କୁ ନେଇ ଚର୍ଚ୍ଚା ପୁଣି ଆରମ୍ଭ ହୋଇଯାଇଛି। ତାହା ହେଲା ଯେ, ସେ କୁଆଡେ ଓଡିଶା ଛାଡିବେ। ଅର୍ଥାତ ଆଉ ନବୀନ ନିବାସରେ ଡେରା ପକାଇବେ ନାହିଁ। ଆଉ ସେ ବିଜେଡି କଥା ବୁଝିବେ ନାହିଁ। ଆଉ ଓଡିଶା ଛାଡିବାର କାରଣ ହେଲା ସେ କୁଆଡେ ଏକ ଆନ୍ତର୍ଜାତୀୟ ସଂସ୍ଥାରେ ଚାକିରୀ କରିବା ପାଇଁ ଅଫର ପାଇଛନ୍ତି।

ସୂଚନା ଅନୁସାରେ ତାଙ୍କୁ ଲଣ୍ଡନର ଏକ କଂପାନୀ ଅଫର ଦେଇଛି ବୋଲି କୁହାଯାଉଛି। କେତେକ ବିଲ ଗେଟସ ସଂସ୍ଥାରୁ ଅଫର ମିଳିଛି ବୋଲି ସେ କେତେକ ନେତାଙ୍କ ସହିତ ଆଲୋଚନା କରିଛନ୍ତି। ତେବେ ସେହି ସଂସ୍ଥାର ଦିଲ୍ଲୀରେ ମଧ୍ୟ ଏକ ଶାଖା ରହିଛି। ତେବେ ସେ ଲଣ୍ଡନ ଯିବେ କି ଦିଲ୍ଲୀରେ ରହିବେ କିଛି ଚିନ୍ତା କରିପାରି ନାହିଁନ୍ତି ବୋଲି ଜଣାପଡିଛି। ସେ ଯାହା ହେଲେ ମଧ୍ୟ ପାଣ୍ଡିଆନ ଏକ ଅନ୍ତର୍ଜାତୀୟ ସଂସ୍ଥାରେ ଚାକିରୀ କରିବା ନିଶ୍ଚିତ ବୋଲି ତାଙ୍କ ସମର୍ଥକମାନେ କହିବାରେ ଲାଗିଛନ୍ତି।

ଏହି ଖବରକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି। କାରଣ ହେଲା ଯେ,ସେ ଥିଲେ ବିଜେଡିର ହର୍ତ୍ତାକର୍ତ୍ତା। ତାଙ୍କ ନିର୍ଦ୍ଦେଶ ବିନା ବିଜେଡିରେ କିଛି ହେଉ ନ ଥିଲା। ତାଙ୍କ ନେତୃତ୍ବରେ ଏଥର ବିଜେଡି ନିର୍ବାଚନ ଯୁଦ୍ଧରେ ଅବତୀର୍ଣ୍ଣ ହୋଇଥିଲା। ହେଲେ ଦଳର ବଡ ବିପର୍ଯ୍ୟୟ ଘଟିଲା। ଆଉ ସମସ୍ତେ ସେହି ପାଣ୍ଡିଆନଙ୍କୁ ଦୋଷ ଦେବାରେ ଲାଗିଲେ। ତାଙ୍କ ଯୋଗୁ ଦଳ ହାରିଲା ବୋଲି ସମସ୍ତ କହିଲେ। ଯାହାକୁ ନେଇ ନିଜେ ପାଣ୍ଡିଆନ ଅଡୁଆରେ ପଡିଲେ।

ସେତେକି ନୁହେଁ ଦଳ ଭିତରୁ ମଧ୍ୟ ତାଙ୍କୁ ତୀବ୍ର ବିରୋଧ ଆରମ୍ଭ ହୋଇଗଲା। ନିର୍ବାଚନ ପରେ ସେ ରାଜନୀତିରୁ ସନ୍ୟାସ ନେଇଛନ୍ତି ବୋଲି ଘୋଷଣା କରିଥିଲେ। ହେଲେ ସେ ନବୀନ ନିବାସରେ ରହି ବିଜେଡିକୁ ପରିଚାଳନା କରୁଛନ୍ତି ବୋଲି ଚର୍ଚ୍ଚା ହେଲା। ତାଙ୍କ ବ୍ୟତିରକେ ବିଜେଡିର ସେମିତି କେହି ମଙ୍ଗ ଧରିବାକୁ ନାହାଁନ୍ତି ବୋଲି କୁହାଗଲା। ହେଲେ ନିର୍ବାଚନ ପରେ ସେ କେବେ ବି ବିଜେଡି ରାଜନୀତିରେ ମୁଣ୍ଡ ପୁରାଇ ନାହାଁନ୍ତି ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି।

ଯଦି ସତରେ ପାଣ୍ଡିଆନ ଓଡିଶା ଛାଡୁଛନ୍ତି ତେବେ ବିଜେଡି ଭାଗ୍ୟ କଣ ହେବ ସେ ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି। କାରଣ ବିଜେଡିର ଯେତେ ନେତା ଅଛନ୍ତି ସେମାନେ କେବେ କାହାର ନେତୃତ୍ବକୁ ମାନିବାକୁ ପ୍ରସ୍ତୁତ ହେବେ ନାହିଁ। ଦେବୀ ମିଶ୍ର ହୁଅନ୍ତୁ କିମ୍ବା ବବି ଦାସ। ଏମାନଙ୍କୁ ବଡ ନେତାମାନେ କିପରି ମାନିବେ ସେ ନେଇ ସନ୍ଦେହ ରହିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପାଣ୍ଡିଆନଙ୍କ ସଂପର୍କରେ ପ୍ରକାଶ ପାଇଥିବା ଖବରକୁ ଖଣ୍ଡନ କଲେ ନବୀନ ପଟ୍ଟନାୟକ, ଜାଣନ୍ତୁ କଣ?

ଭୁବନେଶ୍ବର: ଚଳିତ ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ପରେ ସମସ୍ତେ ଭାବି ଥିଲେ ଯେ, ନବୀନ ପଟ୍ଟନାୟକ ଭି କେ ପାଣ୍ଡିଆନଙ୍କୁ ବାହାର କରିଦେବେ। ହେଲେ ତାହା କରିବା ଦୂର କଥା ବର୍ତ୍ତମାନ ପୁଣି ଥରେ ପାଣ୍ଡିଆନ ସପକ୍ଷରେ ବାହାରିଛନ୍ତି ନବୀନ। ସେ କହିଛନ୍ତି ଯେ, ପାଣ୍ଡିଆନ ରାଜ୍ୟ ତଥା ବିଜେଡି ପାଇଁ ବହୁତ ପରିଶ୍ରମ କରୁଛନ୍ତି। ସେଥିପାଇଁ ତାଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି।

ଜାତୀୟ ଗଣମାଧ୍ୟମ ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସରେ ବାହାରିଥିବା ଏକ ରିପୋର୍ଟକୁ ଆଧାର କରି ନବୀନ ଏହା କହିଛନ୍ତି। ଏଥିରେ ପ୍ରକାଶ ପାଇଛି ଯେ, ଭି କେ ପାଣ୍ଡିଆନଙ୍କୁ କୁଆଡେ ନବୀନ  ଲାତ ମାରି ବାହାର କରିଦେଛନ୍ତି। ତାଙ୍କୁ ଆଉ କୌଣସି କାର୍ଯ୍ୟରେ ଲୋଡୁ ନାହାଁନ୍ତି। ଏଥିରେ କୁହାଯାଇଛି ଯେ, ଆଇଏଏସରୁ ରାଜନୀତିକୁ ଆସିଥିବା ପାଣ୍ଡିଆନ ନବୀନଙ୍କ ଖାସ ଲୋକ। ହେଲେ ନିର୍ବାଚନର ବିପର୍ଯ୍ୟୟ ପରେ ତାଙ୍କୁ ବାହାର କରିଦେଇଛନ୍ତି।

ତେବେ ରିପୋର୍ଟ ଅନୁସାରେ ଗତ ସପ୍ତାହରେ କୁଆଡେ ଅମିତ ସାହ ନୀବନଙ୍କୁ ଫୋନ କରି ରାଜ୍ୟସଭାରେ ବିଜେଡିର ସମର୍ଥନ ପାଇଁ ଅନୁରୋଧ କରିଥିଲେ। ଏପରିକି ଆଗାମୀ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ଏନଡିଏକୁ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ।

ତେବେ ଏହାର ଉତ୍ତରେ ନବୀନ କହିଥିଲେ ଯେ, ମୁଁ ପୂର୍ବପରି ସମର୍ଥନ ଦେବାକୁ ରାଜି, ହେଲେ ବିଜେପି ପାଣ୍ଡିଆନଙ୍କୁ ଆଉ ପ୍ରତ୍ସାହିତ ନ କରିବ ବୋଲି ପ୍ରତିଶୃତି ଦେଉ। ଏହି ଖବରଟି ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶ ପାଇବା ପରେ ନବୀନ ଏହା ସଂପୂର୍ଣ୍ଣ ମିଛ ବୋଲି ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, ଏହି ଖବର ସଂପୂର୍ଣ୍ଣ ମିଥ୍ୟା, ଉଦ୍ଦେଶ୍ୟ ପ୍ରଣୋଦିତ, ସମ୍ମାନହାନୀ ଏବଂ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ନବୀନ କହିଛନ୍ତି।

ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସର ଏହି ଖବରକୁ ନିଜ ଟୁଇଟରରେ ପୋଷ୍ଟ କରି ନବୀନ କହିଛନ୍ତି ଯେ, ପାଣ୍ଡିଆନ ଉତ୍ସର୍ଗିକୃତ ଏବଂ ଦକ୍ଷତାର ସହିତ ରାଜ୍ୟ ତଥା ଦଳ ପାଇଁ ସେବା କରିଆସୁଛନ୍ତି। ସେଥିପାଇଁ ସେ ପ୍ରଶଂସିତ ବୋଲି ନବୀନ କହିଛନ୍ତି। ତେବେ ନବୀନଙ୍କ ଉତ୍ତର ପରେ ଏହି ଖବରକୁ ନେଇ ବର୍ତ୍ତମାନ ଜାତୀୟ ଗଣମାଧ୍ୟମ ଜଗତରେ ବେଶ ଚର୍ଚ୍ଚା ଚାଲିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ହାତରେ ଚାକିରୀ ନାହିଁ, ରାଜନୀତି ନାହିଁ, ଏବେ କଣ କରିବେ ପାଣ୍ଡିଆନ ? ନିଜେ ଦେଲେ ଉତ୍ତର

ଭୁବନେଶ୍ବର: ପୂର୍ବରୁ ଆଇଏଏସ ଚାକିରୀ ଛାଡିଲେ,ଏବେ ରାଜନୀତି ଛାଡିଲେ ବୋଲି ଘୋଷଣା କଲେ କାର୍ତ୍ତିକ ପାଣ୍ଡିଆନ। ତେବେ ଏହାପରେ ସେ କଣ କରିବେ ସେ ନେଇ ବର୍ତ୍ତମାନ କଳ୍ପନା ଜଳ୍ପନା ପ୍ରକାଶ ପାଇବାରେ ଲାଗିଛି। ତେବେ ଏ ନେଇ ସେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ତାଙ୍କର ଭବିଷ୍ୟତ କଥା କହିଛନ୍ତି।

ରାଜନୀତିରୁ ସନ୍ୟାସ ନେଲି ବୋଲି ଘୋଷଣା କରିବା ପରେ ତାଙ୍କୁ ବିଭିନ୍ନ ଗଣମାଧ୍ୟମ ପରବର୍ତ୍ତି ପଦକ୍ଷେପ ସଂପର୍କରେ ପଚାରିଛନ୍ତି। ତେବେ ପାଣ୍ଡିଆନ କହିଛନ୍ତି ଯେ, ମୁଁ ଓଡିଶାରେ ମୁଖ୍ୟମନ୍ତ୍ରୀ ହେବାକୁ ରାଜନୀତିକୁ ଆସି ନ ଥିଲି, ଏପରିକି ବିଜେଡିର କୌଣସି ପଦପଦବୀରେ ମଧ୍ୟ ନ ଥିଲି। ମୋର ଏକମାତ୍ର ଲକ୍ଷ୍ୟ ଥିଲା ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ ଆସନରେ ବସାଇବି। ହେଲେ ତାହା ହେଲା ନାହିଁ।

ବିଜେଡିର ବିପର୍ଯ୍ୟୟ ପରେ ମୁଁ ନିଜକୁ ଦୋଷୀ ମନେକରି ରାଜନୀତିରୁ ସନ୍ୟାସ ନେଲି। ତେବେ ଭବିଷ୍ୟରେ ମୁଁ କଣ କରିବି ଏ ପର୍ଯ୍ୟନ୍ତ ଚିନ୍ତା କରି ନାହିଁ ବୋଲି କହିଛନ୍ତି ପାଣ୍ଡିଆନ। ମୋର ଭବିଷ୍ୟତ ଭଗବାନ ଜାଣିଥିବେ ମୁଁ କିଛି ଜାଣି ନାହିଁ ବୋଲି ପାଣ୍ଡିଆନ କହିଛନ୍ତି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଟମାଟୋ ମାଡ ପରେ ପାଣ୍ଡିଆନ କହିଲେ.. ମୋତେ ଗୁଳିମାର ପଛେ ମୁଁ ଲୋକଙ୍କ ସେବା କରିବାକୁ ଆସିବି

ଭୁବନେଶ୍ବର: ଆଜି 5ଟି ଅଧ୍ୟକ୍ଷ ତଥା ଆମ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଗଂଜାମ ଗସ୍ତ ବେଳେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ତାହା ହେଲା ସେ ସଭାକୁ ଯିବା ବେଳେ ତାଙ୍କ ଉପରକୁ କେହି ଜଣେ ଟମାଟୋ ମାରିଛି।

ବେଳଗୁଣ୍ଠାଠାରେ ଆୟୋଜିତ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମକୁ ଯିବା ବେଳେ ଏହି ଟମାଟୋ ମାଡ କରାଯାଇଛି। ତେବେ ସେଠାରେ ଉପସ୍ଥିତ ଥିବା ବିଜେଡି କର୍ମି ସେ ବ୍ୟକ୍ତିଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି। ପୋଲିସ ତାଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ତେବେ ସେ ଜଣେ କଂଗ୍ରେସ କର୍ମି ବୋଲି ଜଣାପଡିଛି।

ଏହି ଘଟଣା ପରେ ମଧ୍ୟ ସତସାହସ କରି ସଭା କରିଥିଲେ କାର୍ତ୍ତିକ ପାଣ୍ଡିଆନ। ସେଠାରେ ଉପସ୍ଥିତ ଥିବା ହଜାର ହଜାର ଲୋକଙ୍କୁ ସେ ତାଙ୍କର ଶୈଳୀରେ ସମ୍ବୋଧିତ କରିଥିଲେ। ତେବେ ସେ ସେଠାରେ କହିଥିଲେ ଯେ, ମୋତେ ଟମାଟୋ ମାର, ଚପଲ ମାର, କାଳି ମାର ଏପରିକି ଗୁଳି ମାର ମୁଁ ଡରିବାର ନାହିଁ।

ଏହି କଥା କହିବା ପରେ ସେଠାରେ ଉପସ୍ଥିତ ଲୋକେ ତାଳି ମାରି ପାଣ୍ଡିଆନଙ୍କୁ ସାହାସ ଦେଇଥିଲେ। ପାଣ୍ଡିଆନ କହିଲେ ଯେ, ମୋତେ ମୁଖ୍ୟମନ୍ତ୍ରୀ ଲୋକଙ୍କ କଥା ବୁଝିବାକୁ ପଠାଇଛନ୍ତି। ମୋତେ ଯେତେ ଯିଏ ବିରୋଧ କଲେ ମଧ୍ୟ ମୁଁ ମୋର ଜନସେବା ଜାରୀ ରଖିବି। ଏହାପରେ ସେ ଯେମିତି ସଭା କରିବା କଥା ତାହା କରିଥିଲେ।

ଏହି ଗୋଟିଏ ଘଟଣା ନୁହେଁ ପୂର୍ବରୁ ପିପିଲିରେ ତାଙ୍କ ଉପରେ କାଳି ଫୋପଡା ଯାଇଥିଲା। ସେଥିରେ ମଧ୍ୟ ସେ ସାଧାରଣ ଲୋକଙ୍କୁ ଭେଟିଥିଲେ। ଏପରିକି ମହିଳାମାନେ ତାଙ୍କ ପଣତ କାନିରେ ତାଙ୍କ ମୁହଁପୋଛି ଦେଇଥିଲେ। ସେତେବେଳେ ମଧ୍ୟ ସେହି ବ୍ୟକ୍ତିଙ୍କୁ ପୋଲିସ ପଚରାଉଚୁରା କରି ଛାଡି ଦେଇଥିଲା।

ବହୁ ପୂର୍ବରୁ ପାଣ୍ଡିଆନଙ୍କ ଏହି ଗସ୍ତକୁ ନେଇ ବିରୋଧୀ ପ୍ରବଳ ବିରୋଧ କରିଆସିଛନ୍ତି। ସେ ଯେତେବେଳେ ଚାକିରୀରେ ଥିଲେ ସେତେବେଳେ ଏହି ବିରୋଧ ତୀବ୍ରତର ହୋଇଥିଲା। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ନେବା ପାଇଁ ବିଜେପି କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଅଭିଯୋଗ କରିଥିଲେ। ହେଲେ ପାଣ୍ଡିଆନ ଗସ୍ତକୁ କେହି ରୋକି ପାରିଲେ ନାହିଁ।

ବିଜେପି ଓ କଂଗ୍ରେସ ମିଳିତ ଭାବେ ପାଣ୍ଡିଆନ ଗସ୍ତକୁ ରୋକିବାକୁ ଚେଷ୍ଠା କରି ବିଫଳ ହୋଇଛନ୍ତି। ସେ ପୂର୍ବପରି ସତସାହସ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଧାରାକୁ ବଢାଇବାରେ ଲାଗିଛନ୍ତି। ଅନ୍ୟପକ୍ଷରେ ପାଣ୍ଡିଆନଙ୍କ ଏହି ଗସ୍ତ ଲୋକଙ୍କ ଉପରେ ବେଶ ପ୍ରଭାବ ପକାଇବାରେ ଲାଗିଛି।

Categories
ଆଜିର ଖବର

5T ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତ ରିପୋର୍ଟ ଭିତ୍ତିରେ, ସିକିମ ସ୍ୱତ୍ୱ ଚାଷୀଙ୍କ ବହୁ ବର୍ଷର ସମସ୍ୟାର ହେଲା ସମାଧାନ

ଭୁବନେଶ୍ବର: ଦୀର୍ଘ ବର୍ଷର ଜମିଜମା ସମସ୍ୟାର ହେଲା ସମାଧାନ। ସିକିମ ସ୍ୱତ୍ୱ ରୟତ ଚାଷୀଙ୍କୁ ମିଳିଲା ଜମି ପଟ୍ଟା। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଏକ ସ୍ୱତନ୍ତ୍ର ସମାରୋହରେ ପ୍ରଥମ ଦିନରେ ୨୬ଟି ଜିଲ୍ଲାର ଦଶ ହଜାର ସିକିମ ରୟତ ଚାଷୀମାନଙ୍କୁ ଜମି ପଟ୍ଟା ବଣ୍ଟନ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଜନସାଧାରଣଙ୍କ ସମସ୍ୟାର ସମାଧାନ ଉପରେ ତାଙ୍କ ସରକାର ସର୍ବାଧିକ ପ୍ରାଥମିକତା ଦେଇ ଆସିଛି। ସିକିମ ରୟତମାନଙ୍କର ସମସ୍ୟା ବହୁ ଦିନର ସମସ୍ୟା ଥିଲା। ଜମି ଉପରେ ସେମାନଙ୍କ ଅଧିକାର ନ ଥିବାରୁ ସେମାନଙ୍କର ଆର୍ଥିକ ଓ ସାମାଜିକ ଜୀବନ ପ୍ରଭାବିତ ହେଉଥିଲା ।

ସରକାରଙ୍କ ବିଭିନ୍ନ କୃଷି ବିକାଶ କାର୍ଯ୍ୟକ୍ରମରେ ମଧ୍ୟ ସେମାନେ ଲାଭ ପାଇପାରୁନଥିଲେ। ସିକିମ ରୟତମାନଙ୍କର ଶହ ଶହ ବର୍ଷର ସମସ୍ୟାର ସମାଧାନକୁ ଏକ ଐତିହାସିକ ପଦକ୍ଷେପ ଭାବରେ ବର୍ଣ୍ଣନା କରି ଲୋକମାନଙ୍କର ଖୁସି ହିଁ ତାଙ୍କର ସବୁଠାରୁ ବଡ ପୁରସ୍କାର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ 5T ଓ ନବୀନ ଓଡିଶା ଅଧ୍ୟକ୍ଷଙ୍କ କେନ୍ଦ୍ରାପଡା ଜିଲ୍ଲା ଗସ୍ତ ଅବସରରେ ସିକିମ ରୟତମାନେ ତାଙ୍କୁ ଭେଟି ସେମାନଙ୍କର ଅସୁବିଧା ବିଷୟରେ ଜଣାଇଥିଲେ । 5T ଓ ନବୀନ ଓଡିଶା ଅଧ୍ୟକ୍ଷ ଏ ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ମୁଖ୍ୟମନ୍ତ୍ରୀ ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗଂଜାମ ଜିଲ୍ଲାରେ ଗ୍ରାମକଣ୍ଠ ଓ ପରମ୍ବୋକ ଜମି ସମସ୍ୟାର ମଧ୍ୟ କିଛି ଦିନ ତଳେ ସମାଧାନ କରାଯାଇଥିଲା। ଜନସାଧାରଣଙ୍କ ସମସ୍ୟାର ସମାଧାନ ପ୍ରତି ଏହା ତାଙ୍କ ସରକାରଙ୍କ ପ୍ରତିବଦ୍ଧତା ଓ ନିଷ୍ଠାର ପରିଚୟ ବୋଲି ସେ କହିଥିଲେ।

ରାଜ୍ୟ ସରକାରଙ୍କ ଏହି ଆଇନଗତ ପଦକ୍ଷେପ ବଳରେ ସିକିମ ଜମି ଉପରେ ଜମି ସ୍ୱତ୍ୱ ଥିବା ରୟତମାନେ ବଂଶାନୁକ୍ରମିକ ଓ ହସ୍ତାନ୍ତରଯୋଗ୍ୟ ଅଧିକାର ପ୍ରାପ୍ତ ହେଲେ। ଏଥି ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନିଜ ଆଡୁ ମକଦମା କରି ଏହି ସବୁ ସିକିମ ଜମି ସମସ୍ୟାର ସମାଧାନ କରିଥିବାରୁ ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିଥିଲେ।

5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରି କହିଥିଲେ ଯେ ଏହି ସିକିମ ରୟତ ସମସ୍ୟା ଦୀର୍ଘ ୫୦ ବର୍ଷରୁ ଅଧିକ ବର୍ଷର ସମସ୍ୟା ହୋଇ ରହିଥିଲା। ଜିଲ୍ଲାଗସ୍ତ ସମୟରେ କେନ୍ଦ୍ରାପଡା ଜିଲ୍ଲାରୁ ପ୍ରଥମେ ଏହି ଆବେଦନ ଆସିଥିଲା। ଖୁବ ଶୀଘ୍ର ଏହାର ସମାଧାନ କରାଗଲା। ବାକି ରହିଯାଇଥିବା ଜମି ପଟ୍ଟା ପ୍ରଦାନ କାର୍ଯ୍ୟକୁ ଶୀଘ୍ର ଶେଷ କରି ସ୍ୱଚ୍ଛତା ଓ ସମ୍ମାନର ସହ ବଣ୍ଟନ କରିବା ପାଇଁ ଜିଲ୍ଲା ପ୍ରଶାସନମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଥିଲେ ଯେ ଗଂଜାମ ଜିଲ୍ଲାର ୧୦୦ ବର୍ଷରୁ ଉର୍ଦ୍ଧ୍ୱ ଗ୍ରାମକଣ୍ଠ ପରମ୍ବୋକ ସମସ୍ୟା ରହିଥିଲା । ୨୦୦୯ ବର୍ଷରେ ଆଇନ ବଦଳାଇ ମୁଖ୍ୟମନ୍ତ୍ରୀ ତା’ର ସଂଶୋଧନ କଲେ। ଆପଣମାନେ ସମସ୍ତେ ଏହାର ଉପକୃତ ହେଲେ। ଜଗତସିଂହପୁର ଓ ପୁରୀ ଜିଲ୍ଲାରେ ଚକ ଜମି ବିକ୍ରୀ ଅସୁବିଧାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଦୂର କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିରେ ଲୋକଙ୍କ ସେବା ପାଇଁ, ଲୋକଙ୍କୁ ସଶକ୍ତ କରିବ ପାଇଁ ଆଇନ ରହିଛି। ଲୋକଙ୍କ ହିତ ପାଇଁ ଆଇନକୁ ମଧ୍ୟ ସଂଶୋଧନ କରାଯିବ ବୋଲି ସେ କହିଥିଲେ।

କେନ୍ଦ୍ରାପଡାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ଅତନୁ ସାବ୍ୟସାଚୀ ନାୟକ, ଜଗତସିଂହପୁରରେ ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି, କଟକରେ ବିଧାୟକ ଶ୍ରୀ ପ୍ରତାପ କୁମାର ଜେନା, ବାଲେଶ୍ୱରରେ ବିଧାୟକ ଶ୍ରୀ ସ୍ୱରୂପ ଦାସ, ଖୋର୍ଦ୍ଧାରେ ବିଧାୟକ ଶ୍ରୀ ରାଜେନ୍ଦ୍ର କୁମାର ସାହୁ, ଗଂଜାମରେ ବିଧାୟକ ଶ୍ରୀ ସୁବାଷ ଚନ୍ଦ୍ର ବେହେରା ଓ ପୁରୀରେ ରାଜ୍ୟ ଯୋଜନା ବୋର୍ଡ ପୂର୍ବତନ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ଦାସବର୍ମା ପ୍ରମୁଖ ଆୟୋଜିତ ଜିଲ୍ଲା ସ୍ତରୀୟ ସମାରୋହରେ ଉପସ୍ଥିତ ରହି ସିକିମ ରୟତ ଚାଷୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ସିକିମ ରୟତ ପଟ୍ଟା ବଣ୍ଟନ କରିଥିଲେ।

କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ଓ ଦୂରଦର୍ଶୀ ନେତୃତ୍ୱ ଯୋଗୁ ବହୁ ବର୍ଷର ସମସ୍ୟା ହୋଇ ପଡିରହିଥିବା ଏହି ସିକିମ ରୟତ ସମସ୍ୟାର ଆଜି ସମାଧାନ ହୋଇଛି। ଏଥି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଯେତେ ଧନ୍ୟବାଦ ଦେଲେ ମଧ୍ୟ କମ୍‌ ହେବ।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ 5T ତଥା ନବୀନ ଓଡିଶାର ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ଲୋକମାନଙ୍କଠାରୁ ସିକିମ ସ୍ୱତ୍ୱ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ନିବେଦନ ପତ୍ର ପାଇଥିଲେ । ସିକିମ ସ୍ୱତ୍ୱ ଭାବରେ ରେକର୍ଡ ହୋଇଥିବା ଜମିକୁ ଦଖଲକରୁଥିବା ବ୍ୟକ୍ତିମାନଙ୍କୁ ଉପ-ରୟତ କିମ୍ବା ଅଧସ୍ତନ-ରୟତ କୁହାଯାଏ । ଓଡିଶା ଭୂ-ସଂସ୍କାର ଆଇନ, ୧୯୬୦ ଅନୁଯାୟୀ ସିକିମ ଜମିରେ ରୟତି ଘୋଷଣା ନିମନ୍ତେ ଆବେଦନ କରିବାର ଶେଷ ଅବଧି ୧୯୭୭ ମସିହା ପର୍ଯ୍ୟନ୍ତ ଥିଲା ।

ସମସ୍ତ ସିକିମ ଚାଷୀ ଏହି ସମୟ ଅବଧି ଭିତରେ ଆବେଦନ କରିପାରି ନ ଥିଲେ । ଏହି ସବୁ ନିବେଦନ ପତ୍ରକୁ ଅନୁଧ୍ୟାନ କରି ସିକିମ ସ୍ୱତ୍ୱ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ରାଜସ୍ୱ ଟାସ୍କଫୋର୍ସକୁ ଏହା ପ୍ରେରଣ କରାଯାଇଥିଲା। ରାଜସ୍ୱ ଟାସ୍କଫୋର୍ସ ରାଜସ୍ୱ ଆୟୁକ୍ତ, ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ରାଜସ୍ୱ ବିଭାଗର କାର୍ଯ୍ୟରତ ବରିଷ୍ଠ ଅଧିକାରୀ ତଥା ବିଭିନ୍ନ ବିଶେଷଜ୍ଞ ମାନେ ବ୍ୟାପକ ବିଚାର ବିମର୍ଶ କରି ଓଡିଶା ଭୂ-ସଂସ୍କାର ଆଇନକୁ ସଂଶୋଧନ କରିବା ପାଇଁ ପରାମର୍ଶ ଦେଇଥିଲେ। ଯାହା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ତ୍ୱରିତ ସଂଶୋଧିତ ହୋଇଥିଲା ।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜସ୍ବ ବିଭାଗ ତରଫରୁ ସ୍ଵତଃସ୍ପୂର୍ତ suo moto ଭାବେ ସିକିମ ରୟତ ମାନଙ୍କ ତରଫରୁ ଦରଖାସ୍ତ ଆବେଦନ କରାଯାଇ ବହୁ ସିକିମ ପଟ୍ଟା ସିକିମ ରୟତ କିମ୍ବା ସେମାନଙ୍କର ଉତ୍ତରାଧିକାରୀମାନଙ୍କ ନାମରେ ସଂଶୋଧିତ ହୋଇସାରିଛି।

ଏହି ଐତିହାସିକ ପଦକ୍ଷେପ ଫଳରେ ଓଡ଼ିଶାର ପ୍ରାୟ 2,50,000 ସିକିମ ରୟତ ଓ ତାଙ୍କ ଉତ୍ତରାଧିକାରୀ ଉପକୃତ ହେବେ । କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ସ୍ୱାଗତ ଭାଷଣ ଦେଇ ସିକିମ ସତ୍ତ୍ଵ ସମସ୍ୟା ଓ ବିଭାଗ ପକ୍ଷରୁ ଏହାର ସମାଧାନ ନିମନ୍ତେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଆଲୋକପାତ କରିଥିଲେ

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ରାଜ୍ୟସଭାରେ ଜିତିବା ପରେ ମୁଖ୍ୟମନ୍ତ୍ରୀ ଏବଂ ପାଣ୍ଡିଆନଙ୍କୁ ଭେଟିଲେ ଦେବାଶିଷ ଏବଂ ଶୁଭାଶିଷ

ଭୁବନେଶ୍ବର: ଆଜି ରାଜ୍ୟସଭା ଆସନରେ ନିର୍ଦ୍ବନ୍ଦରେ ଜିତିବା ପରେ ଦୁଇ ବିଜେଡି ପ୍ରାର୍ଥୀ ଆଜି ମୁଖ୍ୟମନ୍ତ୍ରୀ ଏବଂ ପାଣ୍ଡିଆନଙ୍କୁ ସାକ୍ଷାତ କରିଛନ୍ତି। ସେମାନେ ହେଲେ ଦେବାଶିଷ ସାମନ୍ତରାୟ ଏବଂ ଶୁଭାଶିଷ ଖୁଣ୍ଟିଆ। ଉଭୟ ନବୀନ ନିବାସ ଯାଇ ସେଠାରେ ନବୀନଙ୍କ ଆର୍ଶିବାଦ ନେଇଛନ୍ତି।

ଆଜି ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହର ଶେଷ ଦିନ ଥିଲା। ତିନୋଟି ଆସନ ପାଇଁ ତିନିଜଣ ପ୍ରାର୍ଥୀଥିବାରୁ ଏବଂ କେହି ନାମାଙ୍କନ ପତ୍ର ପ୍ରତ୍ୟାହାର ନ କରିବାରୁ ସମସ୍ତଙ୍କୁ ବିଜୟ ଘୋଷଣା କରାଯାଇଛି। ଏହାପରେ ସମସ୍ତେ ନୂଆଦିଲ୍ଲୀ ଗସ୍ତ କରି ଶପଥ ନେବେ ବୋଲି ଜଣାପଡିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପୁରୀ ହେବ ବିଶ୍ୱ ଐତିହ୍ୟ ସହର, ୧୨୦୦ କୋଟି ଟଙ୍କାର ପ୍ରକଳ୍ପର ସୂଚନା ଦେଲେ ପାଣ୍ଡିଆନ

ଭୁବନେଶ୍ୱର : ପୁରୀ ଜିଲ୍ଲା ସାରା ରାଜ୍ୟର ହେବ ଅର୍ଥନୈତିକ ମେରୁଦଣ୍ଡ। ବିଶ୍ବର ଐତିହ୍ୟ ସହର ହେବ ପୁରୀ। ପୁରୀ ସହରକୁ ବାଦ ଦେଇ ପୁରୀ ଜିଲ୍ଲା ପାଇଁ ୧୨୦୦ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଲକ୍ଷ୍ୟ ପୂରଣ ଲାଗି ଆହୁରି ଲମ୍ବା ବାଟ ଯିବାର ଅଛି ବୋଲି କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ପୁରୀ ତାଳବଣିଆଠାରେ ସାଧାରଣ ସଭାରେ ଯୋଗ ଦେବା ଅବସରରେ ଏହି କଥା କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ପୁରୀରେ ଆନ୍ତର୍ଜାତିକ ବିମାନ ବନ୍ଦର ହେବ। ରାଜଧାନୀ ଭୁବନେଶ୍ବର-ପୁରୀ ଆଠ ଲେନ୍ ରାସ୍ତା ହେବ। କଟକ-ପୁରୀ ଭୁବନେଶ୍ବର ମେଟ୍ରୋ ଟ୍ରେନ ପୁରୀ ପର‌୍ୟ୍ୟନ୍ତ ସମ୍ପ୍ରସାରଣ ହେବ। ୫୦୦ ବର୍ଷ ଧରି ଯେଉଁ କାମ ହୋଇନଥିଲା ତାହା ୩ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ କରି ଦେଖାଇଛନ୍ତି। ସେଥିପାଇଁ ମୁଖ୍ୟମନ୍ତ୍ରୀ ସର୍ବଦା ପୁରୀ ବାସୀ ଏବଂ ଶ୍ରୀମନ୍ଦିରର ସେବାୟତଙ୍କ ତ୍ୟାଗକୁ ସମ୍ମାନ କରିବା ସହ ଧନ୍ୟବାଦ ପ୍ରଦାନ କରିଆସିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉପରେ ମହାପ୍ରଭୂଙ୍କ ଆଶୀର୍ବାଦ ରହିଛି। ପୁରୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ପ୍ଲାନ ରହିଛି ବୋଲି କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ପୁରୀ ଜିଲ୍ଲାରେ ଲକ୍ଷ୍ମୀ ଯୋଜନା ଆରମ୍ଭ ହେବ। ପ୍ରତି ପଞ୍ଚାଯତରେ ଆମ ବ୍ୟାଙ୍କ ସେବା ଆରମ୍ଭ ହେବ। ସବୁ ପ୍ରକାର ଭତ୍ତା ବଢାଇବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ। ବିଏସକେଵାଇ ନବୀନ କାର୍ଡର ଲାଭ ନେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିରେ ଗ୍ୟାରେଣ୍ଟି ଉନ୍ନତ ଚିକିତ୍ସା ସେବାର ସୁବିଧା ପାଇବେ ଲୋକେ। ଧନୀ ଲୋକ ଯେଉଁ ହସ୍ପିଟାଲକୁ ଯିବେ ଗରିବ ଲୋକ ବି ସେହି ହସ୍ପିଟାଲକୁ ଯିବେ। ସାଢେ ୪ କୋଟି ଲୋକଙ୍କୁ ନିଜ ପରିବାର ବୋଲି ଭାବନ୍ତି ମୁଖ୍ୟମନ୍ତ୍ରୀ। ସବୁ ନିର୍ବାଚନମଣ୍ଡଳୀରେ ଶଙ୍ଖ ଛିହ୍ନ ଛଡା ଆଉ କିଛି ଚିହ୍ନ ଦେଖିବାନି। ମୁଖ୍ୟମନ୍ତ୍ରୀ ଆପଣ ସମସ୍ତଙ୍କୁ ପରିବାର ଭାବି ଦିନରାତି ଖଟୁଛନ୍ତି। ଆପଣ ମଧ୍ୟ ତାଙ୍କୁ ଆଶୀର୍ବାଦ କରିବେ ବୋଲି କହିଥିଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ଗତ ଅଗଷ୍ଟ ମାସରେ ସେ ପୁରୀ ଗସ୍ତ କରିଥିଲେ। ଏହି ୬ ମାସରେ ପୁରୀ ଜିଲ୍ଲା ପାଇଁ ୩୧୦ କୋଟି ମଂଜୁର ହୋଇଛି। ପୁରୀ ସଦର, କଣାସ, ବ୍ରହ୍ମଗିରି ଓ କୃଷ୍ଣପ୍ରସାଦରେ ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀ ଲାଗି ୨୦ କୋଟି ମଂଜୁର ହୋଇଛି। ପିପିଲିରେ ବିଦ୍ୟୁତ ସମସ୍ୟାର ସମାଧାନ ହୋଇଛି। ସେହିପରି ଧର୍ମାନୁଷ୍ଠାନ ଓ କମ୍ୟୁନିଟି ସେଣ୍ଟର ଲାଗି ଅର୍ଥ ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। ସିରୁଳି ମହାବୀର ମନ୍ଦିର ଲାଗି ୬ କୋଟି ୨ ଲକ୍ଷ, ନିମାପଡ଼ା ସୋମନାଥ ମନ୍ଦିର ଲାଗି ୫ କୋଟି, ଦାଣ୍ଡମୁକୁନ୍ଦପୁରର ଗୋପୀନାଥ ମନ୍ଦିର ଲାଗି ୨ କୋଟି, କୃଷ୍ଣପ୍ରସାଦର ସମଲେଶ୍ବର ମନ୍ଦିର ଲାଗି ୨ କୋଟି ୨୫ ଲକ୍ଷ ମଂଜୁର ହୋଇଛି।

ସେହିପରି ଜଟେଶ୍ବର ମନ୍ଦିର ଲାଗି ୧ କୋଟି ୪୦ ଲକ୍ଷ, ଡେଲାଙ୍ଗର ଉନ୍ନତିଲାଗି ୧ କୋଟି, ସତ୍ୟବାଦୀ ଷ୍ଟାଡିୟମ ଲାଗି ୧ କୋଟି, କଣାସ ଷ୍ଟାଡିୟମ ଲାଗି ୧ କୋଟି, କଣାସର ମଙ୍ଗଳା ମନ୍ଦିର ଲାଗି ୫୦ ଲକ୍ଷ, କଣାସ ବୈଦ୍ୟନାଥ ମନ୍ଦିର ଲାଗି ୫୦ ଲକ୍ଷ, ଡେଲାଙ୍ଗ ଦାରୁବ୍ରହ୍ମ ମଠ ଲାଗି ୧ କୋଟି, ବରାଳ ବାଲୁଙ୍କେଶ୍ବର ମନ୍ଦିର ଲାଗି ୯୦ ଲକ୍ଷ ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ।

ନିମାପଡା ଓ କାକଟପୁର ଅଞ୍ଚଳର ପାନଚାଷୀଙ୍କ ସମସ୍ୟାର ହେବ ସମାଧାନ ହେବ। ୨୩ ହଜାର ପାନଚାଷୀ ରହିଛନ୍ତି। ପାନ ଚାଷୀଙ୍କୁ ୧ ଲକ୍ଷ ପର‌୍ୟ୍ୟନ୍ତ ବିନା ସୁଧରେ ଋଣ ପ୍ରଦାନ କରାଯିବ। ପ୍ରତି ପାନଚାଷୀ ୟୁନିଟକୁ ଅଢେଇ ହଜାର ଟଙ୍କା ପ୍ରଦାନ କରାୟିବ। ଏଥିରୁ ୪ ହଜାର ପାନଚାଷୀ ଲାଭ ପାଇବେ। କାକଟପୁରରେ ପଟ୍ଟା ସମସ୍ୟାର ସମାଧାନ ନେଇ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ। ବରିମୁଣ୍ଡା ଓ ବେଲଦଳରେ ପଟା ପ୍ରଦାନ ଆରମ୍ଭ ହୋଇଛି। ସମସ୍ତ ଜମି ପଟ୍ଟା ସମସ୍ୟା ସମାଧାନ ନେଇ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ବୋଲି ପାଣ୍ଡିଆନ ସୂଚନା ଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ପାଞ୍ଚ ଶହ ବର୍ଷ ଧରି ଯାହା ହୋଇପାରୁ ନ ଥିଲା ୩ ବର୍ଷରେ କରି ଦେଖାଇଲେ ମୁଖ୍ୟମନ୍ତ୍ରୀ: ପାଣ୍ଡିଆନ

ଭୁବନେଶ୍ୱର: ପୁରୀ ଜିଲ୍ଲା ସାରା ରାଜ୍ୟର ହେବ ଅର୍ଥନୈତିକ ମେରୁଦଣ୍ଡ। ବିଶ୍ବର ଐତିହ୍ୟ ସହର ହେବ ପୁରୀ। ପୁରୀ ସହରକୁ ବାଦ ଦେଇ ପୁରୀ ଜିଲ୍ଲା ପାଇଁ ୧୨୦୦ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଲକ୍ଷ୍ୟ ପୂରଣ ଲାଗି ଆହୁରି ଲମ୍ବା ବାଟ ଯିବାର ଅଛି ବୋଲି କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ପୁରୀ ତାଳବଣିଆଠାରେ ସାଧାରଣ ସଭାରେ ଯୋଗ ଦେବା ଅବସରରେ ଏହି କଥା କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ପୁରୀରେ ଆନ୍ତର୍ଜାତିକ ବିମାନ ବନ୍ଦର ହେବ। ରାଜଧାନୀ ଭୁବନେଶ୍ବର-ପୁରୀ ଆଠ ଲେନ୍ ରାସ୍ତା ହେବ। କଟକ-ପୁରୀ ଭୁବନେଶ୍ବର ମେଟ୍ରୋ ଟ୍ରେନ ପୁରୀ ପର‌୍ୟ୍ୟନ୍ତ ସମ୍ପ୍ରସାରଣ ହେବ। ୫୦୦ ବର୍ଷ ଧରି ଯେଉଁ କାମ ହୋଇନଥିଲା ତାହା ୩ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ କରି ଦେଖାଇଛନ୍ତି। ସେଥିପାଇଁ ମୁଖ୍ୟମନ୍ତ୍ରୀ ସର୍ବଦା ପୁରୀ ବାସୀ ଏବଂ ଶ୍ରୀମନ୍ଦିରର ସେବାୟତଙ୍କ ତ୍ୟାଗକୁ ସମ୍ମାନ କରିବା ସହ ଧନ୍ୟବାଦ ପ୍ରଦାନ କରିଆସିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉପରେ ମହାପ୍ରଭୂଙ୍କ ଆଶୀର୍ବାଦ ରହିଛି। ପୁରୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ପ୍ଲାନ ରହିଛି ବୋଲି କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ କେମିତି ଲାଗୁଛି ବୋଲି ପଚାରିଥିଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ୫ଶହ ବର୍ଷରେ ଯେଉଁ କାମ ହୋଇନଥିଲା ସେହି କାମକୁ ମୁଖ୍ୟମନ୍ତ୍ରୀ ୩ ବର୍ଷରେ ସାରିଛନ୍ତି। ମହାପ୍ରଭୁଙ୍କ ଆଶୀର୍ବଦ ନେଇ ସାହସର ସହ କାମ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ। ରାଜା ମହାରାଜାଙ୍କଠାରୁ ଆରମ୍ଭ କରି ବ୍ରିଟିଶ ଅମଳରେ ଅନେକ ଜିଲ୍ଲାପାଳ ଏହି କାମ କରିବାକୁ ଚାହିଁଥିଲେ ମଧ୍ୟ ବିଫଳ ହୋଇଥିଲେ। ଏପରିକି ଅତୀତରେ ଦୁଇ ଦୁଇ ଜଣ ମୁଖ୍ୟମନ୍ତ୍ରୀ ମଧ୍ୟ ପୂର୍ବରୁ ଏହି କାମ କରିବାକୁ ଚେଷ୍ଟା କରି ଫେଲ ମାରିଥିଲେ।

ପରିକ୍ରମା ପ୍ରକଳ୍ପ ପରିକଳ୍ପନା ସମୟର କିଛି ଘଟଣାବଳୀ ଉପସ୍ଥାପନ କରିଥିଲେ କାର୍ତ୍ତିକ ପାଣ୍ଡିଆନ। କିଭଳି ପରିକ୍ରମା ପ୍ରକଳ୍ପ ଏକ ସମ୍ବେଦନଶୀଳ ପ୍ରସଂଗ ଥିଲା ଓ ତାକୁ ନେଇ ବହୁ ଲୋକ ବିଭିନ୍ନ ଆଶା ଆଶଂକା ପ୍ରକାଶ କରୁଥିଲେ। ତେବେ କୌଣସି ଆଶଂକାକୁ ଭୃକ୍ଷେପ ନକରି ମୁଖ୍ୟମନ୍ତ୍ରୀ କିଭଳି ଆଗକୁ ବଢିଥିଲେ ସେ କାହାଣି କହିଥିଲେ ପାଣ୍ଡିଆନ। ପରିକ୍ରମା ପ୍ରକଳ୍ପ ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ହାତ ମାରିବା ରିସ୍କ ବୋଲି ସମସ୍ତେ ପରାମର୍ଶ ଦେଇଥିଲେ।

ତେବେ ଏହି ରିସ୍କ ନେବା ପାଇଁ ପ୍ରସ୍ତୁତ ହୋଇଥିଲେ ମୁଖ୍ୟମନ୍ତ୍ରୀ। ଏଥିରେ ହାତ ମାରିବା ଲାଗି ଅନେକ ଲୋକ ବାରଣ କରିଥିଲେ। ସାମାନ୍ୟ ତ୍ରୁଟି ହେଲେ ସରକାର ଭାଂଗିଯିବାର ଆଶଂକା ରହିଛି ବୋଲି ସତର୍କ କରିଦେଇଥିଲେ। ବିଜୁ ଜନତା ଦଳ ବୁଡିଯିବ ବୋଲି ମଧ୍ୟ କହିଥିଲେ।

ତେବେ ମୁଖ୍ୟମନ୍ତ୍ରୀ କହିଲେ, ସେ ମହାପ୍ରଭୁଙ୍କର କାମ କରିବେ। ମହାପ୍ରଭୁଙ୍କର କାମ କରିକି ଦେଖାଇବେ। ଓଡିଶାବାସୀଙ୍କ ଯାହା ଦରକାର ତାହା କରିବେ। ତାଙ୍କର କହିବା କଥା ଥିଲା ଚୌକି ନୁହଁ, ଜନତାଙ୍କ ସହିତ ତାଙ୍କର ସମ୍ପର୍କ। ଲୋକମାନେ ଯାହା ଚାହିଁବେ ତାଙ୍କ ପାଇଁ କରିବାର ଅଛି। ପୁରୀରେ ଯେଉଁ କାମ ହୋଇଛି ଆଗାମୀ ୨ ହଜାର ବର୍ଷ ପର‌୍ୟ୍ୟନ୍ତ କାମ ଦରକାର ନାହି ବୋଲି କହିଥିଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ପୁରୀକୁ ବିଶ୍ବସ୍ତରୀୟ ଐତିହ୍ୟସ୍ଥଳ କରିବା ପାଇଁ ପ୍ରଯାସ ଜାରି ରହିଛି। ଏବେ ଏହି କାମ ଆରମ୍ଭ ହୋଇଛି। ମହାପ୍ରଭୁଙ୍କ ମନ୍ଦିରରୁ ଏହି କାମ ଆରମ୍ଭ ହୋଇଛି। ଆହୁରି ବହୁତ ଲମ୍ବା ବାଟ ଯିବାର ଅଛି। ବହୁତ ଲୋକ ଚେଷ୍ଟା କରିଥିଲେ କାମରେ ପ୍ରତିବନ୍ଧକ ସୃଷ୍ଟି କରି ଏହାକୁ ବନ୍ଦ କରିବା ଲାଗି। ଏ କାମ ହୋଇଗଲେ ମୁଖ୍ୟମନ୍ତ୍ରୀଙ୍କ ନାଁ ଯୁଗ ଯୁଗ ଧରି ସ୍ମରଣୀୟ ହୋଇ ରହିଯିବ ବୋଲି କାମ କରାଇଦେବାକୁ ଚାହୁଁନଥିବା ଲୋକଙ୍କ ଧାରଣା। କାମକୁ କେମିତି ହେଲେ ବନ୍ଦ କରିବାକୁ ଚକ୍ରାନ୍ତ ହୋଇଥିଲା।

ନିର୍ବାଚନ ଜିତିବାକୁ ମୁଖ୍ୟମନ୍ତ୍ରୀ ଏ କାମ କରୁନାହାନ୍ତି। ଲୋକଙ୍କ ପାଁଇ କାମ କରୁଛନ୍ତି, ଓଡ଼ିଶାବାସୀଙ୍କ ପାଇଁ କରୁଛନ୍ତି। ଲୋକେ ଯାହା ଚାହିଁବେ ମୁଖ୍ୟମନ୍ତ୍ରୀ ତାହା କରିକି ଦେଖାଇବେ। ମୁଖ୍ୟମନ୍ତ୍ରୀ କଥା କମ କାମ ବେଶି କରନ୍ତି। ପୁରୀ ଜିଲ୍ଲାର ୨ ନିର୍ବାଚନମଣ୍ଡଳି ପୁରୀ ସଦର ଓ ବ୍ରହ୍ମଗିରିବାସୀ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରନ୍ତୁ ବୋଲି ପାଣ୍ଡିଆନ ଜନସାଧାରଣଙ୍କୁ ଆହ୍ବାନ ଦେଇଥିଲେ। ସମସ୍ତେ ଏକାଠି ହୋଇ ଲଢିବା। ଯେଉମାନେ ମୁଖ୍ୟମନ୍ତ୍ରୀଙ୍କୁ ଚାହୁଁଛନ୍ତି ଆଶୀର୍ବାଦ ଦେବେ। ଏକାଠି ଲଢିଲେ ପାଖକୁ କିଏ ଆସିପାରିବେନି ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ବଲାଙ୍ଗିର ଓ ସୁବର୍ଣ୍ଣପୁରରେ କାର୍ତ୍ତିକ ପାଣ୍ଡିଆନ, ଉଦାହରଣ ଦେଇ ଛାତ୍ରଛାତ୍ରୀଙ୍କୁ ବାଣ୍ଟିଲେ ସଫଳତାର ମନ୍ତ୍ର

ଭୁବନେଶ୍ୱର: ସରକାରୀ ସ୍କୁଲରେ ପାଠପଢି ମଧ୍ୟ ଭଲ କ୍ୟାରିଅର କରିହେବ ଏବଂ ଶୀର୍ଷକୁ ଯାଇ ହେବ। ଏହି ବାର୍ତ୍ତା ଦେଇଛନ୍ତି ଫାଇଭ ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଆଜି ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଛାତ୍ରଛାତ୍ରୀଙ୍କୁ ସଫଳତାର ଗୁରୁମନ୍ତ୍ର ଦେଇଛନ୍ତି। କଠିନ ପରିଶ୍ରମ ହିଁ ସଫଳତାର ସୂତ୍ର।

କଠିନ ପରିଶ୍ରମର ବିକଳ୍ପ ନାହିଁ। ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସରକାରୀ ସ୍କୁଲରେ ପଢି ଆଜି ସଫଳତାର ଶୀର୍ଷରେ ଥିବା କିଛି ବ୍ୟକ୍ତଙ୍କ ଉଦାହରଣ ଦେଇଥିଲେ ପାଣ୍ଡିଆନ।
ଏ ଅବସରରେ ସଫଳ ଉଦ୍ୟୋଗୀ ସୁବ୍ରତ ବାଗଚିଙ୍କ ଉଦାହରଣ ଦେଇଥିଲେ ପାଣ୍ଡିଆନ। ପାଟଣାଗଡ଼ରେ ୧୯୫୭ ମସିହାରେ ଜନ୍ମ ହୋଇଥିଲେ ସୁବ୍ରତ ବାଗଚି।

ପାଟଣାଗଡ଼ରେ ସରକାରୀ ସ୍କୁଲରେ ପାଠ ପଢି ଓଡ଼ିଶା ସେକ୍ରେଟାରିଆଟରେ ଜଣେ କିରାଣୀ ଭାବେ କାର‌୍ୟ୍ୟ ଆରମ୍ଭ କରିଥିଲେ। ଏହାପରେ ଚାକିରି ଛାଡି ଆଇଟି କ୍ଷେତ୍ରରେ ଯୋଗ ଦେଇଥିଲେ। ଆଇଟି ଇଣ୍ଡଷ୍ଟ୍ରିରେ ଯୋଗ ଦେଇ ସେ ଆଜି ଜଣେ ସଫଳ ଉଦ୍ୟୋଗୀ ହୋଇପାରିଛନ୍ତି। ମାଇଣ୍ଡ ଟ୍ରି ଭଳି ଆଇଟି କମ୍ପାନୀ କରି ୨୦ ହଜାରରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି।

ସେହିପରି ଆଉ ଜଣେ ସଫଳ ବ୍ୟକ୍ତିତ୍ବ ହେଉଛନ୍ତି ସିନେ ନିର୍ଦ୍ଦେଶକ ନୀଳମାଧବ ପଣ୍ଡା। ସୁବର୍ଣ୍ଣପୁର ଜିଲ୍ଲାର ଏହି ବ୍ୟକ୍ତିତ୍ବ ଗାଁ କଲେଜରେ ପାଠ ପଢୁଥିଲେ। ଯୁକ୍ତ ଦୁଇ ଫେଲ ହୋଇଯିବା ପରେ ସେ ଦିଲ୍ଲୀ ଚାଲିଯାଇଥିଲେ। ସେଠାରେ ସିନେମାଟୋଗ୍ରାଫି ଶିକ୍ଷା ନେଇଥିଲେ। କଠିନ ପରିଶ୍ରମ ବଳରେ ସେ ଆଜି ଭାରତୀୟ ସିନେମା ଜଗତର ଜଣେ ଆଗ ଧାଡ଼ିର ନିର୍ଦ୍ଦେଶକ। ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କୁ ନେଇ ଚଳଚ୍ଚିତ୍ର ନିର୍ମାଣ କରି ବେଶ ପ୍ରଶଂସା ସାଉଁଟିଛନ୍ତି ନୀଳମାଧବ। ସିନେମା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି।

ଆଉ ଜଣେ ବ୍ୟକ୍ତିତ୍ବ ହେଉଛନ୍ତି ଜଷ୍ଟିସ ସଂଜୟ ମିଶ୍ର। ବଲାଙ୍ଗିର ପୃଥ୍ବୀରାଜ ସରକାରୀ ହାଇସ୍କୁଲରୁ ପାଠ ପଢି ସେ ଝାରଖଣ୍ଡର ହାଇକୋର୍ଟରେ ମୁଖ୍ୟ ବିଚାରପତି ହୋଇପାରି ଥିଲେ। ବଲାଙ୍ଗିରର ସେଇ ପୃଥ୍ବୀରାଜ ହାଇସ୍କୁଲରୁ ପାଠ ପଢିଥିବା ଅରୁଣ ଷଡ଼ଙ୍ଗୀ ଆଜି ଓଡିଶାର ପୋଲିସ ଡିଜି ପାହ୍ୟାକୁ ଯାଇପାରିଛନ୍ତି।

ଆଉ ଜଣେ ଆତ୍ମବିଶ୍ବାସର ଭରପୁର ଥିବା ବ୍ୟକ୍ତିତ୍ବ ପାୟଲଙ୍କ ଉଦାହରଣ ଦେଇଥିଲେ ପାଣ୍ଡିଆନ। ଦୁର୍ଘଟଣାରେ ତାଙ୍କର ଦୁଇ ହାତ ଓ ଗୋଡ଼ ସେ ହରାଇଛନ୍ତି। ତେବେ ପାୟଲଙ୍କ ଭିତରେ ଥିବା ଗଭୀର ଆତ୍ମବିଶ୍ବାସ ତାଙ୍କୁ ବଡ଼ ଲକ୍ଷ୍ୟ ହାସଲ କରିବାକୁ ଦେଇଛି ଶକ୍ତି। ପାରା ଆଥଲେଟିକ୍ ପାଇଁ ଅଭ୍ୟାସ କରୁଛନ୍ତି ବଲାଙ୍ଗିର ଝିଅ ପାୟଲ। ନିକଟରେ ସେ ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ପାଇଛନ୍ତି।

ନିଜେ ମଧ୍ୟ ସରକାରୀ ସ୍କୁଲରେ ପାଠ ପଢି ଆଇଏଏସ ହୋଇପାରିଥିଲେ ବୋଲି ପାଣ୍ଡିଆନ ପିଲାମାନଙ୍କୁ କହିଥିଲେ। ପ୍ରତିଦିନ ୨୦ କିଲୋମିଟର ସାଇକଲ ଚଳାଇ ସ୍କୁଲକୁ ଯା ଆସ କରୁଥିଲେ। ସରକାରୀ ସ୍କୁଲରେ ପାଠପଢି କଠିନ ପରିଶ୍ରମ ଓ ଆତ୍ମବିଶ୍ବାସ ବଳରେ ଏ ସମସ୍ତେ ଆଜି ସଫଳତା ହାସଲ କରି ସଫଳ ବ୍ୟକ୍ତିତ୍ବର ପରିଚୟ ପାଇଛନ୍ତି।

ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶର ଉନ୍ନତି ଲାଗି ଏହି ନୂଆ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ କରିଛନ୍ତି। ଛାତ୍ରଛାତ୍ରୀମାନେ ଏବେ ସେମାନଙ୍କ ଜୀବନର ଗୋଲଡେନ ପିରିୟଡରେ ଅଛନ୍ତି। ୫ବର୍ଷରେ ଯାହା କରିବେ ତା ଉପରେ ନିର୍ଭର କରିବ ଆଗାମୀ ୫୦ ବର୍ଷ କେମିତି କଟିବ। ସଫଳତା ଲାଗି ପାଠ ପଢିବା ଜରୁରୀ। ସାମଗ୍ରିକ ବ୍ୟକ୍ତିତ୍ବର ବିକାଶ କରିବାକୁ ପଡିବ।

ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ବାହାରକୁ ଆଣିବାକୁ ପଡିବ। କୋ-କରିକୁଲାର କାର‌୍ୟ୍ୟକ୍ରମରେ ଭାଗ ନେଲେ ସେମାନଙ୍କର ବ୍ୟକ୍ତିତ୍ବର ସାମଗ୍ରିକ ଉନ୍ନତି ହେବ। ସଫଳ ହେବାକୁ ହେଲେ ବ୍ୟକ୍ତିତ୍ବ ବିକାଶ କରିବାକୁ ପଡିବ। ସେଥିଲାଗି ବିଭିନ୍ନ କାର‌୍ୟ୍ୟକ୍ରମରେ ଅଂଶଗ୍ରହଣ ଛାତ୍ରଛାତ୍ରୀଙ୍କ ଲାଗି ଗୁରୁତ୍ବପୂର୍ଣ୍ଣ। ଏହି ଚିନ୍ତାଧାରାକୁ ନେଇ ମୁଖ୍ୟମନ୍ତ୍ରୀ ଏହି ନୂଆ-ଓ ପ୍ଲାଟଫର୍ମ ଦେଇଛନ୍ତି।

କଠିନ ପରିଶ୍ରମ କରିବାକୁ ହେଲେ ଆପଣମାନଙ୍କୁ ସୁସ୍ଥ ରହିବାକୁ ପଡିବ। ସୁସ୍ଥ ରହିବାକୁ କମରେ ୩୦ମିନିଟ ଶାରୀରିକ ବ୍ୟାୟାମ ସହ ମସ୍ତିସ୍କର ବିକାଶ ଲାଗି ୧୫ ମିନିଟଧ୍ୟାନ କରନ୍ତୁ ବୋଲି କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ଏ ଫିଟ ବଡି ଗିଭ୍ ଫିଟ୍ ମାଇଣ୍ଡ୍। ସୁସ୍ଥ ରହିଲେ ମନ ସୁସ୍ଥ ରହିବ ଏବଂ ପରିଶ୍ରମ କରିପାରିବେ। ଭବିଷ୍ୟତ ଉଜ୍ଜଳ କରିବାକୁ ହେଲେ ଦିନରାତି ଏକ କରି ପଢିବାକୁ ପଡିବ। କଠିନ ପରିଶ୍ରମ କରିବା ସହ ବାପା ମା ଓ ଗୁରୁଜନଙ୍କ କଥା ମାନିବାକୁ ଛାତ୍ରଛାତ୍ରୀଙ୍କୁ କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆକ୍ରମଣ ପରେ ଆକ୍ରମଣ, ପୁଣି ଥରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ପାଣ୍ଡିଆନ

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ଆକ୍ରମଣ ପରେ ଆକ୍ରମଣ କରିବାରେ ଲାଗିଛନ୍ତି 5ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଆଜି ରଣପୁରରେ ସେ କେନ୍ଦ୍ରମନ୍ତ୍ରୀଙ୍କ ନାମ ନ ନେଇ ସିଧା ଆକ୍ରମଣ କରିଛନ୍ତି। କେବଳ ଆକ୍ରମଣ ନୁହେଁ ସେ ଏଥର ସିଧା କେନ୍ଦ୍ରମନ୍ତ୍ରୀଙ୍କୁ କରିଛନ୍ତି ଚ୍ୟାଲେଞ୍ଜ।

ଆଜି ପାଣ୍ଡିଆନ ବାଣପୁର ସଭା ଶେଷ କରି ରଣପୁରରେ ପହଞ୍ଚି ଥିଲେ। ସେଠାରେ ସେ ଏକ ବିଶାଳ ଜନସମାବେଶକୁ ଉଦବୋଧନ ଦେଇ ସେ ଏହି ଚ୍ୟାଲେଞ୍ଜ ଦେଇଛନ୍ତି। ସେ କହିଛନ୍ତି ଯଦି କେନ୍ଦ୍ରମନ୍ତ୍ରୀଙ୍କ ସତସାହସ ଅଛି ତେବେ ବିଏସକେୱାଇ କାର୍ଡକୁ ରଦ୍ଦ କରି ଦିଅନ୍ତୁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ସତସାହସ ଅଛି ତେବେ ବିଜେପି ତାହାର ନିର୍ବାଚନ ଇସ୍ତାହାରରେ ବିଏସକେୱାଇ କାର୍ଡ ବନ୍ଦ କରିବାକୁ ସ୍ଥାନିତ କରୁ। ଇସ୍ତାହାରର ଏକ ନମ୍ବରରେ ସେମାନେ ଏହି କାର୍ଡକୁ ରଦ୍ଦ କରିବେ ବୋଲି ସ୍ଥାନିତ କରନ୍ତୁ। ଯଦି କରିପାରିବେ ତେବେ ଆପଣଙ୍କୁ ଓଡିଶାର ଲୋକେ ଠିକ ଜବାବ ଦେବେ ବୋଲି ପାଣ୍ଡିଆନ କହିଥିଲେ।

ନିକଟରେ ସମ୍ବଲପୁର ଏକ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ବିଜେପି ସରକାରକୁ ଆସିଲେ ପ୍ରଥମେ ବିଏସକେୱାଇ କାର୍ଡକୁ ରଦ୍ଦ କରିବ। ଏହି କାର୍ଡ ନେଇ ଲୋକେ ହଇରାଣ ହେଉଛନ୍ତି। କୌଣସି କାମରେ ଆସୁ ନାହିଁ ବୋଲି ଧର୍ମେନ୍ଦ୍ର କହିଥିଲେ। ଏହି ମନ୍ତବ୍ୟର ଉଚିତ ଜବାବ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ।

ପୂର୍ବରୁ ପାଣ୍ଡିଆନ ଧାମନଗରରେ ମଧ୍ୟ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିଥିଲେ। ସେହିପରି ଅନୁଗୁଳରେ ମଧ୍ୟ ସେ ସିଧା ଧର୍ମେନ୍ଦ୍ରଙ୍କୁ ସମାଲୋଚନା କରିଥିଲେ। ଧାମନଗର ଭୋଟର ବିଜେପିକୁ ଭୋଟ ଦେଇ ଜିତାଇବା ପରେ ଆଉ କେନ୍ଦ୍ରମନ୍ତ୍ରୀଙ୍କ ଦେଖା ନାହିଁ। ସେହିପରି ଅନୁଗୁଳରେ ମଧ୍ୟ ପାଣ୍ଡିଆନ କହିଥିଲେ ଯେ, କେନ୍ଦ୍ରମନ୍ତ୍ରୀ ତାଙ୍କ ଗାଁ ପାଇଁ କିଛି କରି ନାହାଁନ୍ତି।

ବର୍ତ୍ତମାନ ପାଣ୍ଡିଆନ ଓଡିଶା ସାରା ବୁଲି ବୁଲି କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଅଙ୍ଗନବାଡି ଏବଂ ଆଶା କର୍ମିଙ୍କ ବଢିବ ଦରମା, ନବରଂଗପୁରରେ ପାଣ୍ଡିଆନ ଦେଲେ ସୂଚନା

ନବରଙ୍ଗପୁର: ଆଜି 5ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ନବରଂଗପୁର ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏଥିସହିତ ସେ ଏକ ବିଶାଳ ଜନସମାଜକୁ ସମ୍ବୋଧିତ ମଧ୍ୟ କରିଛନ୍ତି। ଏହି ସମୟରେ ସେ ରାଇଘର ଏକ କାର୍ଯ୍ୟକ୍ରମରେ ଏକ ବଡ ସୂଚନା ଦେଇଛନ୍ତି। ତାହା ହେଲା ଅଙ୍ଗନବାଡି ଏବଂ ଆଶା କର୍ମିଙ୍କର ଦରମା ବଢିବ। ଏପରିକି କମ୍ୟୁନିଣ୍ଟ ସେଣ୍ଟର କର୍ମଚାରୀଙ୍କ ମଧ୍ୟ ଦରମା ବଢିବ।

ସେ ସୂଚନା ଦେଇ କହିଥିଲେ ଯେ, ଖୁବ ଶିଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆପଣମାନଙ୍କୁ ଏକ ଖୁସିଖବର ଦେବେ। ତାହା ହେଲା ଅଙ୍ଗନବାଡି ଏବଂ ଆଶାକର୍ମିଙ୍କ ଦରମା ବୃଦ୍ଧି। ଆପଣମାନେ କିଛିଦିନ ପରେ ଏହି ଖୁସି ଖବର ଶୁଣିବେ ବୋଲି ପାଣ୍ଡିଆନ କହିଥିଲେ। ଏହି ସୂଚନା ଦେବାପରେ ସେଠାରେ ଥିବା ଜନ ସମାଜ ବେଶ ତାଳିମାରି ଖୁସି ପ୍ରକଟ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଚିଲିକା ନିର୍ବାଚନ ମଣ୍ଡଳୀକୁ ଆସୁଛନ୍ତି ପାଣ୍ଡିଆନ, ମିଶନ ଶକ୍ତି ମହିଳାଙ୍କ ସହ କରିବେ ଭୋଜନ

ଚିଲିକା( ସୀତାରାମ ଅଗ୍ରୱାଲ): ବେଶ କିଛିଦିନ ନିରବତା ପରେ ଏବେ ଚିଲିକା ରାଜନୀତି ବେଶ ସରଗରମ ହୋଇପଡିଛି। ବିଶେଷ କରି ଚିଲିକା ବିଜେଡି ଶିବିରରେ ଉତ୍ସହ ଭରିଯାଇଥିବାର ପରିଲକ୍ଷିତ ହୋଇଛି। ଏହାର କାରଣ ହେଲା ଆସନ୍ତାକାଲି ବୁଧବାର ଦିନ ଚିଲିକା ନିର୍ବାଚନ ମଣ୍ଡଳୀକୁ ଦିନିକିଆ ଗସ୍ତରେ ଆସୁଛନ୍ତି ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ସେ ଆସନ୍ତାକାଲି ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲା ଗସ୍ତ କରିବେ। ସେ ପ୍ରଥମେ ଭୁବନେଶ୍ବରରୁ ବାହାରି ଖୋର୍ଦ୍ଧା ହାବେଳି ପଡିଆରେ କାର୍ଯ୍ୟକ୍ରମ କରିବେ। ସେଠାରୁ ଗସ୍ତ ଶେଷ କରି ସେ ବାଣପୁର ଆସିବେ। ଏଥିପାଇଁ କାର୍ଯ୍ୟ ନିର୍ଘଣ୍ଟ ସ୍ଥିର ହୋଇଛି। ସେହି ଅନୁସାରେ ସେ ଆସନ୍ତାକାଲି ଦିନ ୧୨ ଟାରରୁ ଖୋର୍ଦ୍ଧାରୁ ବାହାରି ଜାତୀୟ ରାଜପଥରେ ବାଣପୁର ଆସିବେ। ସେଠାରେ ସେ ଦିନ ଗୋଟାଏ ବେଳେ ମା ଭଗବତୀଙ୍କୁ ଦର୍ଶନ କରିବେ। ଏଥିସହିତ ମା ଭଗବତୀ ଉନ୍ନୟନ କାର୍ଯ୍ୟ ତଦାରଖ କରିବେ।

ଏହାପରେ ସେ ଭଗବତୀ ମନ୍ଦିରରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବାଣପୁର ପଲଟନ ପଡିଆକୁ ଆସିବେ। ସେଠାରେ ସେ ଏକ ବିଶାଳ ଜନସମାବେଶକୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ସେଠାରେ ସେ ଦୀର୍ଘ ୪୫ ମିନଟ ଧରି ଲୋକଙ୍କ ସହିତ ଆଲୋଚନା ସହ ଭାଷଣ ପ୍ରଦାନ କରିବେ। ଏହି ପଡିଆରେ ପ୍ରାୟ ୧୦ ହଜାର ଲୋକ ବସିବା ପାଇଁ ବ୍ୟବସ୍ଥା କରାଯାଇଛି।

ପଲଟନ ପଡିଆ କାର୍ଯ୍ୟକ୍ରମ ସାରି ସେ ସେହି ନିକଟରେ ଥିବା ମିଶନ ଶକ୍ତି କେଫ୍ ପରିଦର୍ଶନରେ ଯିବେ। ସେଥିପାଇଁ ମିଶନ ଶକ୍ତି ବିଭାଗ ତରଫରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ସେହିଠାରେ ପାଣ୍ଡିଆନ ମହିଳା ସଦସ୍ୟଙ୍କ ସହିତ ଆଲୋଚନା କରିବେ। ଏହାପରେ ସେ ସେମାନଙ୍କ ସହିତ ମିଶି ମଧ୍ୟାହ୍ନ ଭୋଜନ ମଧ୍ୟ କରିବେ ବୋଲି ଜଣାପଡିଛି। ଏହାପରେ ଦିନ ପ୍ରାୟ ୨ ଟା ୩୦ ମିନିଟରେ ସେ ବାଣପୁରରୁ ନିକଟସ୍ଥ ହେଲିପ୍ୟାଡକୁ ଯାଇ ସେଠାରୁ ରଣପୁର ଗସ୍ତରେ ଯିବେ।

ତେବେ ପାଣ୍ଡିଆନ ଗସ୍ତକୁ ନେଇ ସବୁ ବିଜେଡି ନେତା ଏକାଠି ହୋଇଯାଇଛନ୍ତି। ସେଥିପାଇଁ ବାଣପୁରରେ ରାଜ୍ୟସ୍ତରୀୟ ନେତା ମଧ୍ୟ ଗତକାଲିଠାରୁ ପହଞ୍ଚି ସମସ୍ତ କାର୍ଯ୍ୟ ତଦାରଖ କରୁଛନ୍ତି। ସେହିପରି ପୋଲିସ ପ୍ରଶାସନ ମଧ୍ୟ ବେଶ ତତ୍ପର ହୋଇ ଉଠିଛି। ପାଣ୍ଡିଆନ ଗସ୍ତ ସମୟରେ ଭିଡ ଏବଂ ପଲଟନ ପଡିଆରେ ଲୋକଙ୍କ ସମାବେଶକୁ ସୁନିୟନ୍ତ୍ରଣ କରିବା ପାଇଁ ପୋଲିସ ଫୋର୍ସ ମୁତୟନ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସିକିମ ସ୍ୱତ୍ତ୍ୱ ସମସ୍ୟାର ସମାଧାନ, ୨ ଲକ୍ଷ ୫୦ ହଜାର ରୟତ ଓ ଉତ୍ତରାଧିକାରୀ ହେବେ ଉପକୃତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫-‘ଟି’ ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଭି. କେ. ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ଲୋକମାନଙ୍କଠୁ ସିକିମ ସ୍ୱତ୍ତ୍ୱ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ନିବେଦନ ପତ୍ର ପ୍ରାପ୍ତ ହୋଇଥିଲା।

ଏହି ସବୁ ନିବେଦନ ପତ୍ରକୁ ଅନୁଧ୍ୟାନ କରି ସିକିମ ସ୍ୱତ୍ତ୍ୱ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଗଠିତ ରାଜସ୍ୱ ଟାସ୍କଫୋର୍ସକୁ ପ୍ରେରଣ କରାଯାଇଥିଲା।

ରାଜସ୍ୱ ଟାସ୍କଫୋର୍ସ ରାଜସ୍ୱ ଆୟୁକ୍ତ, ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ରାଜସ୍ୱ ବିଭାଗର କାର୍ଯ୍ୟରତ ବରିଷ୍ଠ ଅଧିକାରୀ ତଥା ବିଭିନ୍ନ ବିଶେଷଜ୍ଞମାନଙ୍କ ସହ ପରାମର୍ଶ କରି ଓଡିଶା ଭୂ-ସଂସ୍କାର ଆଇନକୁ ସଂଶୋଧନ କରିବା ନିମନ୍ତେ ସରକାରଙ୍କୁ ପରାମର୍ଶ ଦେଇଥିଲେ।

ଏଠାରେ ସୂଚନାଯୋଗ୍ୟ କି ରାଜ୍ୟରେ ୮୧,୫୨୪ ଗୋଟି ଖାତାରେ ପ୍ରାୟ ଏ ୧,୨୩,୧୧୧ ଡି ଜମି ସିକିମ ଭାବରେ ରେକର୍ଡ ହୋଇଅଛି । ସିକିମ ଭାବରେ ରେକର୍ଡ ହୋଇଥିବା ଜମିକୁ ଦଖଲ କରୁଥିବା ବ୍ୟକ୍ତିମାନଙ୍କୁ ଉପ-ରୟତ କିମ୍ବା ଅଧସ୍ତନ-ରୟତ କୁହାଯାଏ।

ଓଡିଶା ଭୂ-ସଂସ୍କାର ଆଇନ, ୧୯୬୦ ଅନୁସାରେ ସିକିମ ଜମିରେ ରୟତି ଘୋଷଣା ନିମନ୍ତେ ଆବେଦନ କରିବାର ଶେଷ ଅବଧି ୧୯୭୭ ମସିହା ପର୍ଯ୍ୟନ୍ତ ଥିଲା। ସମସ୍ତ ସିକିମ ଚାଷୀ ଏହି ସମୟ ଅବଧି ଭିତରେ ଆବେଦନ କରିପାରି ନଥିଲେ। ତେଣୁ, ସିକିମ ଭାବରେ ରେକର୍ଡ ହୋଇଥିବା ଜମିକୁ ଦଖଲ କରୁଥିବା ଉପ-ରୟତ କିମ୍ବା ଅଧସ୍ତନ-ରୟତ ଅଥବା ସେମାନଙ୍କର ଉତ୍ତରାଧିକାରୀମାନଙ୍କୁ ସେହି ଜମି ଉପରେ ରୟତି ଅଧିକାର ଦେବା ପାଇଁ ଓଡିଶା ଭୂ-ସଂସ୍କାର ଆଇନ, ୧୯୬୦ର ଆବଶ୍ୟକୀୟ ସଂଶୋଧନ ବିଧାନ ସଭା ଦ୍ୱାରା ପାରିତ ହୋଇ ବିଧି ବିଭାଗ ଦ୍ୱାରା ବିଜ୍ଞପ୍ତି ପ୍ରକାଶ ହୋଇଛି।

ଯାହା ଫଳରେ ସିକିମ ଜମିକୁ ଚାଷ ଓ ବାସଗୃହ ଭାବେ ବ୍ୟବହାର କରୁଥିଲେ, ସେହି ଜମିରେ ରୟତି ଅଧିକାର ପାଇବା ପାଇଁ ଦୁଇ ବର୍ଷ ମଧ୍ୟରେ ରାଜସ୍ୱ ଅଧିକାରୀଙ୍କ ନିକଟରେ ସମ୍ପୃକ୍ତ ଚାଷୀମାନେ ଆବେଦନ କରିପାରିବେ।

ତହସୀଲଦାର ମଧ୍ୟ ସ୍ୱତଃପୂର୍ତ୍ତ ଭାବେ ସିକିମ ଭାବରେ ରେକର୍ଡ ହୋଇଥିବା ଜମିକୁ ଦଖଲ କରୁଥିବା ଉପ-ରୟତ କିମ୍ବା ଅଧସ୍ତନ-ରୟତ ଅଥବା ସେମାନଙ୍କର ଉତ୍ତରାଧିକାରୀମାନଙ୍କୁ ସେହି ଜମି ଉପରେ ରୟତି ଅଧିକାର ଦେବାପାଇଁ କାର୍ଯ୍ୟ ଆରମ୍ଭ କରିପାରିବେ। ଆବଶ୍ୟକତା ଅନୁସାରେ ସରକାର ଏହି ସମୟ ସୀମାକୁ ବୃଦ୍ଧି କରିପାରନ୍ତି।

ରାଜସ୍ୱ ଅଧିକାରୀ ଆଦେଶନାମା ଜାରି କଲାବେଳେ ଷ୍ଟାଣ୍ଡାର୍ଡ ଏକର ପିଛା ୧୪,୨୦୦ ଟଙ୍କା ହିସାବରେ କ୍ଷତିପୂରଣ ସ୍ଥିର କରିବେ। ଏହି କ୍ଷତିପୂରଣ ଟଙ୍କା ଉପ-ରୟତ କିମ୍ବା ଅଧସ୍ତନ-ରୟତ ଅଥବା ସେମାନଙ୍କର ଉତ୍ତରାଧିକାରୀମାନେ ଏହି ସିକିମ ଜମିର ମୂଳ ରୟତଙ୍କୁ କିମ୍ବା ଉତ୍ତରାଧିକାରୀମାନଙ୍କୁ ପ୍ରଦାନ କରିବେ। ଏହି କ୍ଷତିପୂରଣ ରାଶିର ପରିମାଣ ସରକାର ସମୟାନୁକ୍ରମେ ପରିବର୍ତ୍ତନ କରିପାରନ୍ତି।

ଏହାପରେ ଏହି ସିକିମ ଜମି ଉପରେ ଉପ-ରୟତ କିମ୍ବା ଅଧସ୍ତନ-ରୟତ ଅଥବା ସେମାନଙ୍କର ଉତ୍ତରାଧିକାରୀମାନେ ରୟତ ଭାବରେ ଘୋଷିତ ହେବେ ଏବଂ ଏହି ଜମି ଉପରେ ସେମାନଙ୍କର ବଂଶାନୁକ୍ରମିକ ଓ ହସ୍ତାନ୍ତରଯୋଗ୍ୟ ଅଧିକାର ପ୍ରାପ୍ତି ହେବ।

ଏହି ସଂଶୋଧନ ଫଳରେ ଓଡ଼ିଶାର ୨୬ଟି ଜିଲ୍ଲାର ପ୍ରାୟ ୨ ଲକ୍ଷ ପଚାଶ ହଜାର ରୟତ ଓ ତାଙ୍କର ଉତ୍ତରାଧିକାରୀମାନେ ଉପକୃତ ହେବେ। ଏ ସମ୍ବନ୍ଧରେ ବିସ୍ତୃତ ନିୟମାବଳୀ ଆଜି ସମସ୍ତ ଜିଲ୍ଲାପାଳ ଓ ରାଜସ୍ୱ ଅଧିକାରୀଙ୍କୁ ପ୍ରେରଣ କରାଯାଇଛି ଓ ତ୍ୱରିତ ପଦକ୍ଷେପ ନେବା ପାଇଁ ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ଫେବ୍ରୁଆରୀ ଶେଷ ସୁଦ୍ଧା କଟକରେ ଚାଲିବ ଲକ୍ଷ୍ମୀବସ, ବିଶାଳ ଜନସମାବେଶରେ କହିଲେ ପାଣ୍ଡିଆନ

ଭୁବନେଶ୍ୱର: ବଡଠାକୁରଙ୍କ ପରିକ୍ରମା ପ୍ରକଳ୍ପ ଆଉ ବଡ ମେ ଡିକାଲର ରୂପାନ୍ତରଣ ମୁଖ୍ୟମନ୍ତ୍ରୀଙ୍କ ବଡ ସ୍ୱପ୍ନ ଥିଲା। କଟକ ଏସସିବି ମେଡିକାଲର ରୂପାନ୍ତରଣ କରାଯାଇଛି। ମୁଖ୍ୟମନ୍ତ୍ରୀ ଚାହୁଁଥିଲେ, ଚିକିତ୍ସା ପାଇଁ କେହି ଓଡ଼ିଶା ବାହାରକୁ ନ ଯାଆନ୍ତୁ। ଏମସ ପ୍ଲସ ଭଳି ଏସସିବିକୁ କରିବାକୁ ଚାହୁଁଥିଲେ।

ଏବେ ଏହାକୁ ଭାରତରେ ୫ନମ୍ବର ବଡ଼ ହସପିଟାଲ କରିଛନ୍ତି। ବଡଠାକୁରଙ୍କ ପରିକ୍ରମା ପ୍ରକଳ୍ପ ଆଉ ବଡ ମେଡିକାଲର ରୂପାନ୍ତରଣ କାମ ମୁଖ୍ୟମନ୍ତ୍ରୀଙ୍କ ବଡ ସ୍ୱପ୍ନ ଥିଲା ବୋଲି କହିଛନ୍ତି ପାଣ୍ଡିଆନ। ଆସନ୍ତା ଶହେ ବର୍ଷକୁ ପ୍ଲାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପରି ରୂପାନ୍ତରଣ କରିଛନ୍ତି। ଦିନିକିଆ କଟକ ଗସ୍ତରେ ଯାଇଥିବାବେଳେ ଉପର ବାଲିଯାତ୍ରା ପଡିଆଠାରେ ଆୟୋଜିତ ସଭାରେ ଏହା କହିଛନ୍ତି ଫାଇଭ ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

କଟକର ମେରୁଦଣ୍ଡ ତାଳଦଣ୍ଡା କେନାଲକୁ ନୂଆ ରୂପ ଦିଆଯିବା ପଛର କାହାଣୀ କହିଥିଲେ ପାଣ୍ଡିଆନ। ସେ କହିଥିଲେ ଯେ, ଥରେ କେନ୍ଦ୍ରାପଡ଼ାରୁ ହେଲିକପ୍ଟରରେ ଆସିଲା ବେଳେ ମୁଖ୍ୟମନ୍ତ୍ରୀ ତାଳଦଣ୍ଡା କେନାଲ କଥା କହିଥିଲେ। ତାଳଦଣ୍ଡା କେନାଲର ଐତିହ୍ୟ ଓ କେମିତି ବ୍ରିଟିଶ ଅମଳରେ ଜାହାଜ ଚଳପ୍ରଚଳ କରୁଥିଲା ସେ ସମ୍ପର୍କରେ ବଖାଣିଥିଲେ। ତେବେ ତାଳଦଣ୍ଡା କେନାଲ ସଂକୁଚିତ ଓ ଦୂଷିତ ହୋଇ ରହିଥିବା ଯୋଗୁଁ ତାଙ୍କ ମନ ଭିତରେ କେଉଁଠି ନା କେଉଁଠି ଦୁଃଖ ଥିବା ଜଣାପଡୁଥିଲା।

ତାଳଦଣ୍ଡା କେନାଲ ସଫା ହୋଇପାରିଲେ ସେ ବହୁତ ଖୁସୀ ହେବେ ବୋଲି ମଧ୍ୟ କହିଥିଲେ।ମୁଖ୍ୟମନ୍ତ୍ରୀଙ୍କ ଆଖିରେ ନିଜ ଜନ୍ମମାଟି କଟକ ପ୍ରତି ପ୍ରଚଣ୍ଡ ଭଲପାଇବା ସ୍ପଷ୍ଟ ବାରି ହୋଇ ପଡୁଥିଲା। ପହଞ୍ଚିବା ପରେ ତାଳଦଣ୍ଡା କେନାଲ ସଫା କରିବାକୁ ସ୍ଥାନୀୟ ନେତୃବୃନ୍ଦ ଓ ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିଲା। ମାତ୍ର ଗୋଟିଏ ବର୍ଷ ଭିତରେ ତାଳଦଣ୍ଡା କେନାଲ ଏବେ ପ୍ୟାରିସ, ଭେନିସ ଭଳି ଲାଗୁଛି। ସେଠାରେ ରାତିରେ ବୋଟିଂ ଚାଲିଛି ବୋଲି କହିଥିଲେ କାର୍ତ୍ତିକ ପାଣ୍ଡିଆନ।

ବାଦାମବାଡ଼ି ବସଷ୍ଟାଣ୍ଡକୁ ନେତାଜୀ ବସ ଟର୍ମିନାଲ କରାଯାଇଛି। କଟକ ଚଣ୍ଡିମନ୍ଦିରର ରୂପାନ୍ତରଣ ଚାଲିଛି। ସାରା ରାଜ୍ୟରେ କଟକରେ ହିଁ ସବୁଠୁ ବେଶୀ ରୂପାନ୍ତରଣ କରାଯାଇଛି। ପ୍ରତି ପଞ୍ଚାୟତକୁ ଲକ୍ଷ୍ମୀ ଯୋଜନାରେ ସରକାରୀ ବସ ଗଡିବ ଏବଂ ୬ଟି ଜିଲ୍ଲାରେ ଲକ୍ଷ୍ମୀବସ ଗଡିଲାଣି।

କଟକରେ ଫେବ୍ରୁଆରୀ ଶେଷ ସୁଦ୍ଧା ଯୋଜନାର ଶୁଭାରମ୍ଭ କରାଯିବ। ମହିଳା ଓ ଛାତ୍ରଛାତ୍ରୀମାନେ ମାତ୍ର ୫ ଟଙ୍କାରେ ଲକ୍ଷ୍ମୀ ବସରେ ଯାତାୟତ କରିପାରିବେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏ ନେଇ ସଚେତନତା ସୃଷ୍ଟି କରିବା ଲାଗି କାର୍ତ୍ତିକ ପାଣ୍ଡିଆନ ନିଜ ଦଳର ଛାତ୍ର ଓ ଯୁବ ସଂଗଠନକୁ ଆହ୍ୱାନ ଦେଇଥିଲେ।

ଆମ ବ୍ୟାଙ୍କ ଯୋଜନାରେ କଟକ ଜିଲ୍ଲାର ସବୁ ପଞ୍ଚାୟତରେ ବ୍ୟାଙ୍କିଂ ସୁବିଧା ମିଳିବ। ୫ଞରେ ସମସ୍ତ ସ୍କୁଲ ଓ କଲେଜର ରୂପାନ୍ତରଣ କରାଯାଉଛି। ୮୦ ପ୍ରତିଶତ ଲୋକ ସରକାରୀ ସ୍କୁଲ ଉପରେ ନିର୍ଭର କରନ୍ତି। ସେମାନଙ୍କ ସ୍ୱପ୍ନକୁ ସାକାର କରିବାକୁ ସଶକ୍ତ କରାଯାଉଛି ବୋଲି କହିଥିଲେ ପାଣ୍ଡିଆନ।

କଟକ ଜିଲ୍ଲାରେ ବିଜେଡିର ସ୍ଥିତି ମଜବୁତ ରହିଛି। ଜିଲ୍ଲାର ସବୁ ନିର୍ବାଚନମଣ୍ଡଳିରେ ବିଜେଡି ଜିତିକି ଆସିବ। ୨୦୧୪ ଓ ୨୦୧୯ ନିର୍ବାଚନରେ କେଉଁ ନିର୍ବାଚନମଣ୍ଡଳୀରେ କେତେ ମାର୍ଜିନରେ ଜିତିଛନ୍ତି ତାହା ଜଣାଅଛି। ଏବେ ୨୦୨୪ରେ ରେକର୍ଡ ମାର୍ଜିନରେ ଜିତି ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନ ଦେବାକୁ ୫ଟି ଅଧ୍ୟକ୍ଷ ଆହ୍ୱାନ ଦେଇଛନ୍ତି।

ଯେଉଁ ବୁଥରେ ପୂର୍ବ ମାର୍ଜିନରୁ ଅଧିକ ଭୋଟ୍ ଅର୍ଥାତ ୫୦ ପ୍ରତିଶତରୁ ଅଧିକ ଭୋଟ କରିକି ଦେଖାଇବେ ସେମାନଙ୍କୁ ନବୀନ ନିବାସ ଡକାଯାଇ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ମାନିତ କରାଯିବ। ସେମାନଙ୍କ କାମ ମଧ୍ୟ ଜୋରଦାର ହେବ ବୋଲି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି।

ଜିଲ୍ଲାରେ ବହୁ ବିକାଶମୂଳକ କାର୍ଯ୍ୟ ଚାଲିଛି। କିନ୍ତୁ ସେ କହୁଥିବା କାର୍ଯ୍ୟକ୍ରମଗୁଡିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆନ୍ତରିକତାର ସହ ସେ ସବୁର ସଠିକ ତଦାରଖ କଲେ ୧୦ ବର୍ଷ ଭିତରେ ସଶକ୍ତ ଓ ସମୃଦ୍ଧ ଓଡିଶା ଗଠନ ହେବ ବୋଲି କହିଛନ୍ତି ଫାଇଭ ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ଗ୍ରାମାଞ୍ଚଳ ପରେ ସହରାଞ୍ଚଳ ଲୋକ ଓ ସରକାରୀ କର୍ମଚାରୀ ପର୍ଯ୍ୟାୟକ୍ରମେ ବିଏସକେଓ୍ବାଇ ନବୀନ କାର୍ଡ ପାଇବେ। କଟକ ବାଲିଯାତ୍ରା ଉପର ପଡ଼ିଆରେ ଏନେଇ ସୂଚନା ଦେଇଛନ୍ତି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଏବେ ଗ୍ରାମାଞ୍ଚଳରେ ସମସ୍ତଙ୍କୁ ବିଏସକେଓ୍ବାଇ ନବୀନ କାର୍ଡ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲିଠୁ ଏଥିପାଇଁ ଅନଲାଇନରେ ପଂଜୀକରଣ କରାଯିବ। ଏହି ପଞ୍ଜିକରଣ ଚଳିତମାସ ୧୬ ତାରିଖ ଯାଏଁ ଚାଲିବ। ପ୍ରତି ପଞ୍ଚାୟତରେ ବାକି ରହିଥିବା ଲୋକଙ୍କୁ ଯୋଜନାରେ ସାମିଲ କରିବାକୁ ୫ଟି ଅଧ୍ୟକ୍ଷ ଆହ୍ୱାନ ଦେଇଛନ୍ତି।

ଏଥିପୂର୍ବରୁ କଟକ ବାଲିଯାତ୍ରା ତଳ ପଡିଆରେ ନୂଆ-ଓ କାର‌୍ୟ୍ୟକ୍ରମରେ ଯୋଗ ଦେଇଥିଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ନୂଆ ଓ କାର‌୍ୟ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସଫଳତାର ଗୁରୁମନ୍ତ୍ର ଦେଇଛନ୍ତି ଫାଇଭ ଟି -ଅଧ୍ୟକ୍ଷ। ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ବୋଲି ସେ କହିଥିଲେ।ଛାତ୍ରଛାତ୍ରୀମାନେ ଏବେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ଅଛନ୍ତି।

ସଫଳତା ପାଇବାକୁ ଛାତ୍ରଛାତ୍ରୀଙ୍କୁ ଭଲ ପାଠ ପଢିବାର ଅଛି। ହେଲେ କେବଳ ଭଲ ପାଠ ପଢିଲେ ସଫଳତା ପାଇବେନି। ସଫଳତା ପାଇବାକୁ ହେଲେ ସମସ୍ତ କ୍ଷେତ୍ରରେ ସଫଳତା ହାସଲ କରିବାକୁ ପଡିବ। ନିଜ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ବାହାରକୁ ଆଣିବାକୁ ପଡିବ। ସେଥିଲାଗି ଏ ନୂଆ ଓ କାର୍ଯ୍ୟକ୍ରମ ବୋଲି କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଭାର ବିକାଶ ଗୁରୁତ୍ୱପୂର୍ଣ୍ଣ। ଛାତ୍ରଛାତ୍ରୀମାନେ ବିଜୟ ହେଲେ ଖୁସି ଲାଗିବ। ସେଥିଲାଗି ଅଂଶଗ୍ରହଣ କରିବାକୁ ପଡିବ। ସବୁଥିରେ ଅଂଶଗ୍ରହଣ କଲେ ବହୁତ ଜିନିଷ ଶିଖି ପାରିବେ। ଯାହା ଜୀବନରେ ଅନେକ କାର‌୍ୟ୍ୟରେ ଆସିବ। ଏହା ଆତ୍ମବିଶ୍ୱାସ ବଢାଇବ। ପ୍ରତିଯୋଗିତାକୁ ସାମନା କରିବାକୁ ହେଲେ ଆତ୍ମବିଶ୍ୱାସ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ଛାତ୍ରଛାତ୍ରୀ ନିଜ ପାଇଁ ବିଶ୍ୱସ୍ତ ରୁହନ୍ତୁ। ପ୍ରତିଦିନ ୩୦ ମିନିଟ ଶରୀର ପାଇଁ ଧ୍ୟାନ ଦିଅନ୍ତୁ। ଶାରିରୀକ ବ୍ୟାୟାମ ସହ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନେବା ମଧ୍ୟ ଆବଶ୍ୟକ। ମାନସିକ ସ୍ୱାସ୍ଥ୍ୟ ପାଇଁ ଦିନକୁ ୧୫ ମିନିଟ ଧ୍ୟାନ କରନ୍ତୁ।

ଆତ୍ମବିଶ୍ୱାସ ବୃଦ୍ଧି କରିବାକୁ କଠିନ ପରିଶ୍ରମ ଆବଶ୍ୟକ। ଦିନରାତି ଯିଏ ଏକା କରି ଖଟିବ ସିଏ ଉପରକୁ ଯିବ। ସିଏ ସଫଳତା ହାସଲ କରିବ। ସଫଳତାର କାରଣ କଠିନ ପରିଶ୍ରମ, ଏହାର କୌଣସି ବିକଳ୍ପ ନାହିଁ ବୋଲି କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ। ସଚ୍ଚିନ ତେନ୍ଦୁଲକର ଓ ଶାହାରୁଖ ଖାନଙ୍କ ଭଳି ସଫଳ ବ୍ୟକ୍ତିତ୍ୱମାନେ ମଧ୍ୟ ସଫଳତାର ଗୋଟିଏ ସୂତ୍ର- କଠିନ ପରିଶ୍ରମ ବୋଲି ତାଙ୍କୁ କହିଥିଲେ ବୋଲି ପିଲାଙ୍କୁ ପାଣ୍ଡିଆନ କହିଥିଲେ। ଆତ୍ମବିଶ୍ୱାସ, କଠିନ ପରିଶ୍ରମ ପାଇଁ ସମସ୍ତେ ଲାଗି ପଡିବେ।

୫ ବର୍ଷ ପରିଶ୍ରମ କଲେ ୫୦ ବର୍ଷ ଖୁସିରେ ରହିବେ। ଆପଣମାନଙ୍କର ଭବିଷ୍ୟତ ଉଜ୍ଜଳ ହେଲେ ଓଡ଼ିଶାର ଭବିଷ୍ୟତ ଉଜ୍ଜଳ ହେବ ବୋଲି କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। କଟକ ବାଲିଯାତ୍ରା ତଳ ପଡିଆରେ କଟକ ଜିଲ୍ଲାର ୧୪୦ଟି କଲେଜରୁ ୧୮ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏଠାରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କାର୍ତ୍ତିକ ପାଣ୍ଡିଆନଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ଜନ ସମୁଦ୍ର, ପୋଲିସ ନାକେଦମ୍

ଭୁବନେଶ୍ବର: ଆଜି 5ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ନୂଆ ବର୍ଷ ଅଭିନନ୍ଦନ ଜଣାଇବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା। ଆଜି ସକାଳୁ ନବୀନ ନିବାସରେ ଲାଗିଥିଲା ପ୍ରବଳ ଭିଡ। ବିଭିନ୍ନ ବର୍ଗର ଲୋକେ ଆସି ତାଙ୍କୁ ଫୁଲତୋଡା ଦେବା ସହିତ ନୂଆ ବର୍ଷ ଶୁଭେଚ୍ଛା ଜଣାଇଥିଲେ।

ପୂର୍ବରୁ ସେ 5ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷ ହେବା ପରେ ବିଭିନ୍ନ ସଂଗଠନର ସଦସ୍ୟମାନେ ଆସି ତାଙ୍କୁ ଅଭିନନ୍ଦନ ଜଣାଇବାରେ ଲାଗିଛନ୍ତି। ହେଲେ ଆଜି ନୂଆବର୍ଷ ଥିବାରୁ ଏହି ଅଭିନନ୍ଦନ ବା ଶୁଭେଚ୍ଛା ପରିମାଣ ବେଶ ବଢିଯାଇଥିଲା। ନବୀନ ନିବାସରେ ପୋଲସି ସୁରକ୍ଷା ବ୍ୟବସ୍ଥା ତଦାରଖ କରିବାରେ ନାକେଦନ ହୋଇପଡିଥିଲେ।

 

Categories
ବିଶେଷ ଖବର ରାଜ୍ୟ ଖବର

5T ଅଧ୍ୟକ୍ଷଙ୍କ କଟକ ଗସ୍ତ: ଚଣ୍ଡୀ ମନ୍ଦିର, ମେଡିକାଲ କଲେଜ, ତାଳଦଣ୍ଡା କେନାଲ ଓ ବିଦ୍ୟାଳୟ ପରିଦର୍ଶନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ଆଜି ସଂଧ୍ୟାରେ କଟକ ଗସ୍ତରେ ଯାଇ ବିଭିନ୍ନ ରୂପାନ୍ତର କାମର ସମୀକ୍ଷା କରିଛନ୍ତି। ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜ, ଚଣ୍ଡୀ ମନ୍ଦିର, ତାଳଦଣ୍ଡା କେନାଲ ଓ ରେଭେନ୍‌ସା ବାଳିକା ବିଦ୍ୟାଳୟ ଆଦି ପରିଦର୍ଶନ କରି ଥିଲେ।

କଟକ ଚଣ୍ଡୀ ମନ୍ଦିର ପରିଦର୍ଶନ କରି ସେ ମା’ଙ୍କ ଦର୍ଶନ କରିବା ସହିତ ମନ୍ଦିରର ବିଭିନ୍ନ ରୂପାନ୍ତର କାମ ସଂପର୍କରେ ପୂଜକ, ଜିଲ୍ଲାପ୍ରଶାସନ ସହିତ ଆଲୋଚନା କରିଛନ୍ତି।

ସୂଚନାଯୋଗ୍ୟ ଯେ 5T ଉପକ୍ରମରେ ମା’ଙ୍କ ମନ୍ଦିରର ରୂପାନ୍ତର ଓ ସୌନ୍ଦର୍ଯ୍ୟକରଣ କାମ ଚାଲିଛି। ମନ୍ଦିରର ସୌନ୍ଦର୍ଯ୍ୟକରଣ ସହିତ ଜଳ ନିଷ୍କାସନ, ପାର୍କିଂ ଓ ଅନ୍ୟାନ୍ୟ କାର୍ଯ୍ୟକୁ ଅନୁଧ୍ୟାନ କରି ଶ୍ରୀ ପାଣ୍ଡିଆନ ଏହାକୁ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଯାତ୍ରୀମାନେ ଯେପରି ସୁବିଧାରେ ଓ ଶୃଙ୍ଖଳିତ ଭାବରେ ମା’ଙ୍କ ଦର୍ଶନ କରିପାରିବେ ଏବଂ ଏକ ଦିବ୍ୟ ଅନୁଭବ ଲାଭ କରିବେ, ସେଥିପ୍ରତି ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ।

5T ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜ ଓ ହସ୍‌ପିଟାଲ ପରିଦର୍ଶନ କରି ଏହାର ରୂପାନ୍ତର କାମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ। ୪ଟି କ୍ଲିନିକାଲ ବ୍ଲକ୍‌ ଓ ୧୩ଟି ଆବାସିକ ବ୍ଲକ୍‌ର ନିର୍ମାଣ କାର୍ଯ୍ୟ ଯଥା ଶୀଘ୍ର ସଂପୂର୍ଣ୍ଣ ଭାବେ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।

ଶ୍ରୀ ପାଣ୍ଡିଆନ ଏହାପରେ ରେଭେନ୍‌ସା ବାଳିକା ବିଦ୍ୟାଳୟ ବୁଲି ଦେଖିଥିଲେ, ସେଠାରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ ଓ ଐତିହ୍ୟ କୋଠାକୁ ସଂରକ୍ଷିତ କରିବା ପାଇଁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ l 5T ଉପକ୍ରମ ରେ ସ୍କୁଲ ର ବିକାଶ କରାଯିବ ବୋଲି ଶ୍ରୀ ପାଣ୍ଡିଆନ୍ ପ୍ରକାଶ କରି ଥିଲେ।

5T ଅଧ୍ୟକ୍ଷତଙ୍କ ଗସ୍ତ ସମୟରେ ପୂର୍ତ୍ତ ବିଭାଗ ପ୍ରମୂଖ ସଚିବ, ଜିଲ୍ଲାପାଳ, ସିଏମସି କମିଶନର, ଡିସିପି, ଓବିସିସିର ପରିଚାଳନା ନିର୍ଦ୍ଦେଶକ ଓ ପୂର୍ତ୍ତ ବିଭାଗର ବରିଷ୍ଠ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।