Categories
ଆଜିର ଖବର ଜାତୀୟ ଖବର

ଗତବର୍ଷର ୪ ଲକ୍ଷ ମେଟ୍ରିକ ଟନ୍‌ ୟୁରିଆ ଯୋଗାଣ ଅବ୍ୟାହତ ରଖିବା ପାଇଁ କୃଷିମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଦାବି

ଭୁବନେଶ୍ୱର: ରାଜ୍ୟର ଚାଷୀମାନେ କୃଷିକାର୍ଯ୍ୟରେ ପାରମ୍ପରିକ ୟୁରିଆ ସାର ବ୍ୟବହାର କରିଥାଆନ୍ତି। ରାଜ୍ୟରେ ‘ନାନୋ’ ୟୁରିଆ ସାରର ପ୍ରଚଳନ ଆରମ୍ଭ ହୋଇଯାଇଛି। ଚାଷୀମାନେ ପାରମ୍ପରିକ ୟୁରିଆ ସାର ବ୍ୟବହାରକୁ ପସନ୍ଦ କରୁଥିବାରୁ ବର୍ତ୍ତମାନ ପରିପ୍ରେକ୍ଷୀରେ ୟୁରିଆ ସାର ବ୍ୟବହାର କମ୍‌ କରିବା ଦ୍ୱାରା କୃଷି ଉତ୍ପାଦନ ବ୍ୟାହତ ହେବାର ଆଶଙ୍କା ରହିଛି।
ଏହି ପରିପ୍ରେକ୍ଷୀରେ ଓଡ଼ିଶାକୁ କେନ୍ଦ୍ର ତରଫରୁ ଗତବର୍ଷ ପରି ୪ ଲକ୍ଷ ମେଟ୍ରିକ୍‌ ଟନ୍‌ ୟୁରିଆ ଯୋଗାଣକୁ ଅବ୍ୟାହତ ରଖିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।
ଆଜି ଭିଡ଼ିଓ କନ୍‌ଫରେନ୍ସ ଜରିଆରେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ ସାର ଉଚିତ ପରିମାଣରେ ଉପଲବ୍ଧ ନହେଲେ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯିବାର ସମ୍ଭାବନା ରହିଛି। ଏଥି ସହିତ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ରାସାୟନିକ ସାରର ବ୍ୟବହାର କମ୍‌ ହେଉଥିବା ପରିପ୍ରେକ୍ଷୀରେ ‘ପିଏମ୍‌-ପ୍ରଣାମ’ ଯୋଜନାରେ ସଞ୍ଚୟ ହେବାକୁ ଥିବା ଅର୍ଥରୁ ସହାୟତା ରାଶିର ସର୍ବୋଚ୍ଚ ପରିମାଣ ୫୦ ପ୍ରତିଶତ ନିୟମକୁ ରାଜ୍ୟ ନିମନ୍ତେ କୋହଳ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ। ଅନ୍ୟଥା ରାଜ୍ୟ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ଏଥି ସହିତ ରାଜ୍ୟରେ ମୋଟ ୭୦ ପ୍ରତିଶତ ଚାଷ ଜମିରେ ଅମ୍ଳ ଏବଂ ୬ ପ୍ରତିଶତ ଚାଷଜମିରେ ଲବଣାଂଶ ଅଧିକ ରହୁଥିବା ଦୃଷ୍ଟିରୁ ମୃତ୍ତିକା ସ୍ୱାସ୍ଥ୍ୟର ଉନ୍ନତି ନିମନ୍ତେ ଅଧିକ ପରିମାଣର କେନ୍ଦ୍ର ସହାୟତା ଯୋଗାଇଦେବା ଆବଶ୍ୟକ। ପର୍ଯ୍ୟାୟ କ୍ରମେ ‘ନାନୋ’ ୟୁରିଆ ବ୍ୟବହାର ସଂପର୍କରେ ଓଡ଼ିଶାର ଚାଷୀମାନଙ୍କୁ ସଚେତନ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।
ଏହି ପରିପ୍ରେକ୍ଷୀରେ ପୂର୍ବ ବର୍ଷ ପରି ଚଳିତ ଋତୁରେ ୪ ଲକ୍ଷ ମେଟି୍ରକ୍‌ ଟନ୍‌ ୟୁରିଆ ଯୋଗାଇଦେବା ସହିତ ୭୫ ହଜାର ମେଟି୍ରକ୍‌ ଟନ ଏମ୍‌ଓପି ସାର ଯୋଗାଇଦେବାକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଅନୁରୋଧ କରିଛି। ସଂପ୍ରତି ରାଜ୍ୟରେ ପ୍ରାୟ ୩୯ ହଜାର ମେଟି୍ରକ୍‌ ଟନ୍‌ ଏମ୍‌ଓପି ସାର ନିଅଣ୍ଟ ରହିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ବୈଠକରେ ପ୍ରକାଶ କରିଥିଲେ।
ବୈଠକରେ କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ବିଭିନ୍ନ ରାଜ୍ୟର କୃଷି ମନ୍ତ୍ରୀଙ୍କ ସମେତ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ ଯୋଗଦେଇଥିଲେ।