Categories
ବିଶେଷ ଖବର ସ୍ବାସ୍ଥ୍ୟ

ମୁଖ୍ୟ ଶାସନ ସଚିବ ଓ ‘‘୫-ଟି’’ ସଚିବଙ୍କ ବାଗ୍‌ଚୀ-ଶ୍ରୀ ଶଙ୍କର କ୍ୟାନ୍‌ସର ହସ୍‌ପିଟାଲ୍‌ ପରିଦର୍ଶନ

ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, “୫-ଟି” ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ଆଜି ଭୁବନେଶ୍ୱର ଇନଫୋଭ୍ୟାଲି-୨ ସ୍ଥିତ ବାଗ୍‌ଚୀ-ଶ୍ରୀ ଶଙ୍କର କ୍ୟାନ୍‌ସର ହସ୍‌ପିଟାଲ୍‌ ଓ ଗବେଷଣା କେନ୍ଦ୍ର ପରିଦର୍ଶନ କରିଥିଲେ। ଆଜି ଏହି ଡାକ୍ତରଖାନାର ଗୃହ ପ୍ରତିଷ୍ଠା ପୂଜା ଅବସରରେ ମୁଖ୍ୟ ଶାସନ ସଚିବ ଓ  “୫-ଟି” ସଚିବ ଏଠାରେ ଯୋଗଦେଇ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ତଥା ହସ୍‌ପିଟାଲର ପ୍ରମୁଖ ଟ୍ରଷ୍ଟି ସୁବ୍ରତୋ ବାଗ୍‌ଚୀ ଏବଂ ହସ୍‌ପିଟାଲ୍‌ର ପ୍ରତିଷ୍ଠାତା ଡ. ସାଇନାଥଙ୍କ ସହ ହସ୍‌ପିଟାଲ୍‌ର ନିର୍ମାଣ ଓ ପ୍ରସ୍ତୁତି ସଂପର୍କରେ ବହୁ ସମୟ ଧରି ଆଲୋଚନା କରିବା ସହ ଡାକ୍ତରଖାନାର ସମସ୍ତ ବିଭାଗ ବୁଲି ଦେଖିଥିଲେ।

ଏହି ପରିଦର୍ଶନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ମିଶନ ଶକ୍ତି ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ, ସ୍ୱାସ୍ଥ୍ୟ ବିଭାଗ କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ, ସୁବ୍ରତୋ ବାଗ୍‌ଚୀଙ୍କ ସହ ଧର୍ମିଣୀ ତଥା ମୋ ସ୍କୁଲ୍‌ର ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ ଉପସ୍ଥିତ ଥିଲେ।

ଡାକ୍ତରଖାନା ତରଫରୁ ଡଃ ସାଇନାଥ ଏହାର ପ୍ରସ୍ତୁତି ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ, ମାତ୍ର ଏକ ବର୍ଷ ତିନି ମାସ ମଧ୍ୟରେ ଏହି ଡାକ୍ତରଖାନାର ନିର୍ମାଣକାର୍ଯ୍ୟ ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କ୍ୟାନ୍‌ସର ହସ୍‌ପିଟାଲ ସ୍ଥାପନ ଲାଗି ଆମକୁ ଉତ୍ସାହିତ କରିବା ଏବଂ ରାଜ୍ୟ ସରକାରଙ୍କ ସହଯୋଗ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ପ୍ରଥମେ ଦୁରତା ଓ ଆନୁଷଙ୍ଗିକ ଆବଶ୍ୟକତା ଦୃଷ୍ଟିରୁ ଯଦିଓ ଆମେ ଏଠାରେ ଡାକ୍ତରଖାନା ସ୍ଥାପନ ପାଇଁ କୁଣ୍ଠିତ ଥିଲୁ, କିନ୍ତୁ ମୁଖ୍ୟମନ୍ତ୍ରୀଙ୍କର ଓଡ଼ିଶାରେ ଏକ ଅତ୍ୟାଧୂନିକ କ୍ୟାନ୍‌ସର ହସ୍ପିଟାଲ୍‌ ପ୍ରତିଷ୍ଠା କରିବାର ଲକ୍ଷ୍ୟ ଏବଂ ଓଡ଼ିଶାବାସୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାରେ ପ୍ରତିବଦ୍ଧତା ଏଦିଗରେ ଆମକୁ ଉତ୍ସାହିତ କରିଥିଲା। ୨୦ ଏକର ପରିମିତ ଜାଗା ଆମକୁ ବିନା ଅସୁବିଧାରେ ମିଳିଥିଲା। ମୁଖ୍ୟମନ୍ତ୍ରୀ ଏଠାରେ ୭୫୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା କରିବାକୁ ନିର୍ଦ୍ଦେଶ ଦେଇଥିଲେ, ଯାହାକି ପୂରଣ ହେବାକୁ ଯାଉଛି। ବର୍ତ୍ତମାନ ତଳ ଫ୍ଲୋର ବ୍ୟତୀତ ଏଠାରେ ୬ ମହଲା ବିଶିଷ୍ଟ କୋଠା ନିର୍ମାଣ ହୋଇଛି। ପ୍ରତି ଫ୍ଲୋର ୧୫ ହଜାର ବର୍ଗ ଫୁଟ ରହିଛି ଏବଂ ଏହି ଡାକ୍ତରଖାନାରେ ଡାକ୍ତର, ରୋଗୀ  ତଥା ସେମାନଙ୍କ ଆଟେଣ୍ଡାଣ୍ଟ ଆଦିଙ୍କ ଯାତାୟତ ପାଇଁ ଯଥେଷ୍ଟ ସ୍ଥାନ ରହିଛି। ଓଡ଼ିଶା ରାଜ୍ୟ ସରକାର, ଆର୍କିଟେକ୍ଟ ଓ ସବୁ ମହଲରୁ ସହଯୋଗ ଯୋଗୁଁ ଡାକ୍ତରଖାନା କାର୍ଯ୍ୟ ସଫଳତାର ସହ ଆରମ୍ଭ ହେବାକୁ ଯାଉଛି।

ଏଠାରେ କର୍କଟ ରୋଗ ଚିକିତ୍ସା ସଂପର୍କିତ ମେଡକାଲ ଅଂକୋଲୋଜି, ରେଡିଏସନ ଅଂକୋଲୋଜି, ସର୍ଜିକାଲ ଅଂକୋଲୋଜି ଆଦି ବିଭିନ୍ନ ବିଭାଗ ପ୍ରସ୍ତୁତ କରାଯାଉଛି। ଏହି ଡାକ୍ତରଖାନା ଦ୍ୱାରା ଆଗାମୀ ଦିନରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାରଖଣ୍ଡ, ଛତିଶଗଡ଼ ଆଦି ପଡ଼ୋଶୀ ରାଜ୍ୟର କର୍କଟ ରୋଗୀ ଚିକିତ୍ସା ପାଇବେ ବୋଲି ଡକ୍ଟର ସାଇନାଥ ପ୍ରକାଶ କରିଥିଲେ।

ପୂର୍ବପ୍ରସ୍ତୁତି ଅନୁସାରେ ଆଗାମୀ ରଥଯାତ୍ରା ଦିନରୁ ଆମେ ପ୍ରଥମ ରୋଗୀଙ୍କୁ ଡାକ୍ତରଖାନାରେ ଗ୍ରହଣ କରି ଚିକିତ୍ସା ଆରମ୍ଭ କରିବୁ ବୋଲି ଶ୍ରୀ ବାଗ୍‌ଚୀ କହିଥିଲେ।  ଏହି ହସ୍‌ପିଟାଲ୍‌ରେ ରୋଗୀମାନେ ଯେପରି ସୁବିଧାରେ ଚିକିତ୍ସା ପାଇବେ, ସେଥିପ୍ରତି ସମସ୍ତ ପ୍ରକାର ଧ୍ୟାନ ଦିଆଯାଉଥିବା ଶ୍ରୀ ବାଗ୍‌ଚୀ ପ୍ରକାଶ କରିଛନ୍ତି। ଏହି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଯେପରି ମନ୍ଦିର ଭଳି ପରିବେଶ ଅନୁଭବ କରିବେ, ତାହା ଆମର ଲକ୍ଷ୍ୟ ରହିଛି ବୋଲି ଶ୍ରୀ ବାଗ୍‌ଚୀ କହିଛନ୍ତି। ଏଥିରେ ଯୋଗଦେଇ ହସ୍‌ପିଟାଲ୍‌ର ମୁଖ୍ୟ ଆର୍କିଟେକ୍‌ଟ୍‌ ସୁନ୍ଦର ରମଣ ଡାକ୍ତରଖାନା ନିର୍ମାଣ ସମ୍ପର୍କରେ ଅବଗତ କରାଇବା ସହ ରାଜ୍ୟ ସରକାର ଏବଂ ହସ୍‌ପିଟାଲ କର୍ତ୍ତୃପକ୍ଷ ଏହି ସୁଯୋଗ ଦେଇଥିବାରୁ ଧନ୍ୟବାଦ ଜ୍ଞାପନ କରିଥିଲେ।

ମୁଖ୍ୟ ଶାସନ ସଚିବ ଜେନା ହସ୍‌ପିଟାଲ୍‌ ପ୍ରସ୍ତୁତି ସଂପର୍କରେ ଅନୁଧ୍ୟାନ କରି ସନ୍ତୋଷ ପ୍ରକାଶ କରିବା ସହ ଆଗାମୀ ଦିନରେ ଏହାର କାର୍ଯ୍ୟକାରିତା ନେଇ ଯାହା ସହାୟତା ଆବଶ୍ୟକ ରହିବ, ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟ ଶାସନ ସଚିବଙ୍କ ସହ ଡ୍ରାଇଭର ମହାସଂଘର ବୈଠକ: ଏହି ପ୍ରତିଶ୍ରୁତି ଦେଲେ ରାଜ୍ୟ ସରକାର

ଭୁବନେଶ୍ବର: ଆଜି ସନ୍ଧ୍ୟା ୭ ଟା ସମୟରେ ଡ୍ରାଇଭର ଏକତା ମହାସଂଘ ପ୍ରତିନିଧିଙ୍କ ସହ ରାଜ୍ୟର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନାଙ୍କ ଦ୍ଵାରା ମହାସଂଘକୁ ଲିଖିତ ପ୍ରତିଶ୍ରୁତି ପ୍ରଦାନ କରାଯାଇଛି। ପ୍ରତିଶ୍ରୁତି ଅନୁଯାୟୀ, ଆଗାମୀ ୩ ମାସରେ ଡ୍ରାଇଭର ମହାସଂଘର ଦାବୀଗୁଡିକୁ ସମାଧାନ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଲିଖିତ ଆକାରରେ ପ୍ରତିଶ୍ରୁତି ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

Breaking News: ଶେଷରେ ମୁଖ୍ୟ ଶାସନ ସଚିବ ହେଲେ ପ୍ରଦୀପ ଜେନା

ଭୁବନେଶ୍ବର: ଶେଷରେ ମୁଖ୍ୟ ଶାସନ ସଚିବ ହେଲେ ବରିଷ୍ଠ ଆଇଏଏସ ଅଫିସର ପ୍ରଦୀପ କୁମାର ଜେନା। ଆଜି ଏ ନେଇ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏବେ ମୁଖ୍ୟ ଶାସନ ସଚିବ ଥିବା ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ଫେବ୍ରୁଆରୀ ୨୮ ତାରିଖରେ ସରୁଛି। ଏହାପରେ କିଏ ମୁଖ୍ୟ ଶାସନ ସଚିବ ହେବେ ସେ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ଏବେ ତାହାର ପୂର୍ଣ୍ଣଛେଦ ପଡିଛି।

୧୯୮୯ ବ୍ୟାଚର ଆଇଏଏସ୍ ଅଧିକାରୀ ପ୍ରଦୀପ ଜେନା ମାର୍ଚ୍ଚ ୧ରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ। ଶ୍ରୀ ଜେନା ଏବେ ଉନ୍ନୟନ କମିଶନର, ସ୍ୱତନ୍ତ୍ର ରିଲିଫ୍ କମିଶନର ଦାୟିତ୍ବରେ ଅଛନ୍ତି। ସେହିପରି ବରିଷ୍ଠ ଆଇଏଏସ ଅଫିସର ଅନୁ ଗର୍ଗଙ୍କୁ ଡିସି ଭାବେ ନିଯୁକ୍ତି ଦିଆଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ବ୍ୟାଙ୍କମାନଙ୍କୁ ଏହି ପରାମର୍ଶ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟର ଆର୍ଥିକ ଅଭିବୃଦ୍ଧି ନିମନ୍ତେ ବ୍ୟାଙ୍କଗୁଡ଼ିକ ସବୁକ୍ଷେତ୍ରକୁ ଋଣ ପ୍ରଦାନ ବୃଦ୍ଧି କରିବାକୁ ଉନ୍ନୟନ କମିଶନର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ପ୍ରଦୀପ କୁମାର ଜେନା ଆଜି ଅନୁଷ୍ଠିତ ୧୬୯ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି ବୈଠକରେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି।

ଉନ୍ନୟନ କମିଶନର ଶ୍ରୀ ଜେନା କହିଲେ ଯେ ଆର୍ଥିକ ଅନ୍ତର୍ଭୁକ୍ତିକରଣ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ। ସବୁ ଅଞ୍ଚଳରେ ବ୍ୟାଙ୍କିଂ ସୁବିଧା ଉପଲବ୍ଧ ନଥିବାରୁ ସାଧାରଣ ବ୍ୟାଙ୍କିଂ ସୁବିଧାରୁ କେତେକ ଅଞ୍ଚଳର ଜନସାଧାରଣ ବଞ୍ଚିତ ହେଉଛନ୍ତି। ରାଜ୍ୟର ଗ୍ରାମାଞ୍ଚଳରେ ୪୦ ପ୍ରତିଶତରୁ କମ୍‌ ଗ୍ରାମପଞ୍ଚାୟତରେ ସ୍ଥାୟୀ ବ୍ୟାଙ୍କ ରହିଛି।

ଜାତୀୟ ସ୍ତରରେ ଏକ ଲକ୍ଷ ଜନସଂଖ୍ୟାର ୧୮.୧୨ ପ୍ରତିଶତ ସ୍ଥାୟୀ ବ୍ୟାଙ୍କ ଥିବାବେଳେ ଆମ ରାଜ୍ୟରେ ଏହା ୧୩.୦୬ ପ୍ରତିଶତ ରହିଛି। ଏହି ବ୍ୟବଧାନକୁ ଖୁବ୍‌ଶୀଘ୍ର ହ୍ରାସ କରିବା ପାଇଁ ପଦକ୍ଷେପ ନେବାକୁ ଉନ୍ନୟନ କମିଶନର ଶ୍ରୀ ଜେନା ସବୁ ବ୍ୟାଙ୍କଗୁଡ଼ିକର ନିୟନ୍ତ୍ରଣ ମୁଖ୍ୟମାନଙ୍କୁ ପରାମର୍ଶ ଦେଇଥିଲେ। ନଗଦ ଜମା ଅନୁପାତ ପ୍ରତିବ୍ୟାଙ୍କ ପାଇଁ ମୁଖ୍ୟ ସୂଚକ ହୋଇଥିବାବେଳେ ରାଜ୍ୟରେ ପ୍ରତିବ୍ୟାଙ୍କର ନଗଦ ଜମା ଅନୁପାତରେ ଉଲ୍ଲେଖନୀୟ ଉନ୍ନତି ହୋଇ ସେପେଫମ୍ବର ୩୦ ସୁଦ୍ଧା ୭୬.୮୫ ପ୍ରତିଶତ ହୋଇଛି।

କିନ୍ତୁ ବର୍ତ୍ତମାନ ସୁଦ୍ଧା ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଓ ପଞ୍ଜାବ ଏବଂ ସିନ୍ଧ୍‌ ବ୍ୟାଙ୍କ ନଗଦ ଜମା ଅନୁପାତରେ ଉଲ୍ଲେଖନୀୟ ଉନ୍ନତି କରିପାରିନାହାନ୍ତି। ଆଗାମୀ ଦିନରେ ଏ କ୍ଷେତ୍ରରେ ଅଗ୍ରଗତି ପାଇଁ ଦୃଷ୍ଟି ଦେବାକୁ ସେ ବ୍ୟାଙ୍କମାନଙ୍କୁ କହିଥିଲେ।

୨୦୨୨-୨୩ ଆର୍ଥିକ ବର୍ଷରେ ବ୍ୟାଙ୍କଗୁଡ଼ିକ ବାର୍ଷିକ ଋଣ ଯୋଜନାର ୫୦ ପ୍ରତିଶତ ଲକ୍ଷ୍ୟ ହାସଲ କରିଥିବାବେଳେ ପୂର୍ବବର୍ଷ ଏହା ୩୭.୪୧ ପ୍ରତିଶତ ଥିଲା। ଏହି ଉଲ୍ଲେଖନୀୟ ସଫଳତା ପାଇଁ ଉନ୍ନୟନ କମିଶନର ବ୍ୟାଙ୍କଗୁଡ଼ିକୁ ପ୍ରଶଂସା କରିଥିଲେ। ବାର୍ଷିକ ଋଣ ଯୋଜନା ଲକ୍ଷ୍ୟ ହାସଲରେ ବେସରକାରୀ ବ୍ୟାଙ୍କଗୁଡ଼ିକ ସରକାରୀ ବ୍ୟଙ୍କମାନଙ୍କଠାରୁ ଅଧିକ ସଫଳତା ପାଇଛନ୍ତି। ବ୍ୟାଙ୍କଗୁଡ଼ିକ ଏବଂ ଜିଲ୍ଲାପାଳମାନଙ୍କ ମିଳିତ ଉଦ୍ୟମରେ କୃଷିକ୍ଷେତ୍ରରେ ୫୫.୪୦ ପ୍ରତିଶତ ଲକ୍ଷ୍ୟ ହାସଲ ହୋଇପାରିଛି ବୋଲି ଉନ୍ନୟନ କମିଶନର ଦର୍ଶାଇଥିଲେ।

ଅର୍ଥ ସଚିବ ଶ୍ରୀ ବିଶାଲ କୁମାର ଦେବ ବୈଠକରେ ଉପସ୍ଥିତ ରହି ରାଜ୍ୟର ନଗଦ ଜମା ଅନୁପାତ, ବାର୍ଷିକ ଋଣ ଯୋଜନା କ୍ଷେତ୍ରର ଲକ୍ଷ୍ୟ ହାସଲ ଏବଂ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର, ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର, ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନର ହାରାହାରି ଋଣ ପରିମାଣକୁ ୨.୭୦ ଲକ୍ଷରୁ ୪ ଲକ୍ଷକୁ ବୃଦ୍ଧି କରିବା ଏବଂ ମିଶନ ଶକ୍ତିକୁ ଅଧିକ ସଶକ୍ତ କରିବା ସମ୍ବନ୍ଧରେ ଆଲୋଚନାରେ ମତ ରଖିଥିଲେ। କୃଷି, ଉଦ୍ୟୋଗ, ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଆର୍ଥିକ ବିକାଶ ଏବଂ ରାଜ୍ୟର ପ୍ରଗତି ପାଇଁ ବ୍ୟାଙ୍କଗୁଡ଼ିକର ସମୟୋଚିତ ଋଣ ପ୍ରଦାନ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ବୋଲି ବୈଠକରେ ମତପ୍ରକାଶ ପାଇଥିଲା।

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ଏମ୍‌ଏସ୍‌ଏମ୍‌ଇର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶର କମିଶନର ତଥା ଶାସନ ସଚିବ ଶ୍ରୀ ଏସ୍‌.କେ. ବଶିଷ୍ଠ, ରିଜର୍ଭ ବ୍ୟାଙ୍କ, ଭୁବନେଶ୍ୱର ଶାଖାର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ଏଚ୍‌. ଏନ୍‌. ପଣ୍ଡା, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଗୋପବନ୍ଧୁ ଶତପଥୀ, ନାବାର୍ଡର ମୁଖ୍ୟ ସାଧାରଣ ପରିଚାଳକ ଶ୍ରୀ ସି ଉଦୟ ଭାସ୍କର, ଏସ୍‌ବିଆଇର ମୁଖ୍ୟ ସାଧାରଣ ପରିଚାଳକ ଶ୍ରୀ ଚନ୍ଦର ଶେଖର ଶର୍ମା, ଏସ୍‌ଏଲ୍‌ବିସିର ଅଧ୍ୟକ୍ଷ ତଥା ୟୁକୋ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ସୋମାଶଙ୍କର ପ୍ରସାଦ ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ମତାମତ ରଖିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଓଡିଶା ସରକାର ଏବଂ ଆନ୍ତର୍ଜାତିକ ଅର୍ଥ ନିଗମ ମଧ୍ୟରେ ସ୍ବାକ୍ଷରିତ ହେଲା ବୁଝାମଣାପତ୍ର, ଜାଣନ୍ତୁ କଣ 

ଭୁବନେଶ୍ୱର: ଉତ୍ତମ ସେବା ଯୋଗାଣ କ୍ଷେତ୍ରରେ ଅନ୍ୟ ଏକ ପଦକ୍ଷେପ ଭାବେ ରାଷ୍ଟ୍ରାୟତ୍ତ ସଂପତ୍ତି ମୁଦି୍ରକରଣ ଓ ପୁନଃବିନିଯୋଗ ପାଇଁ ଆଜି ରାଜ୍ୟ ସରକାର ଏବଂ ବିଶ୍ୱ ବ୍ୟାଙ୍କର ଆନ୍ତର୍ଜାତିକ ଅର୍ଥ ନିଗମ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି ।

ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଓ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ରାଜ୍ୟ ଲୋକସେବା ଭବନ ସଭାଗୃହଠାରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଏହା ସାର୍ବଜନୀନ ସଂପତ୍ତିର ବୃତ୍ତିଗତ ଆର୍ଥିକ ପରିଚାଳନା ତଥା ରାଜ୍ୟର ଆର୍ଥିକ ଅଭିବୃଦ୍ଧିରେ ବିଶେଷ ସହାୟକ ହେବ । ଏହା ମାଧ୍ୟମରେ ସାର୍ବଜନୀନ ସଂପତ୍ତିର ଏକ ବୃହତ ରାଶି ବେସରକାରୀ ପୁଂଜିବିନିଯୋଗକୁ ବ୍ୟାପକ କରିବ ।

ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ଯେ ବୁଝାମଣାପତ୍ର ଅନୁସାରେ ରାଷ୍ଟ୍ରାୟତ୍ତ ଅଚଳ ସଂପତ୍ତିଗୁଡ଼ିକର ମୁଦି୍ରକରଣ ଓ ସେଥିରେ ଘରୋଇ ପୁଂଜିବିନିଯୋଗ ପ୍ରକ୍ରିୟାକୁ ସରଳ କରିବା ପାଇଁ ଆଇଏଫ୍‌ସି ବୈଷୟିକ ଓ ବୃତ୍ତିଗତ ସହାୟତା ଯୋଗାଇବ। ଏହା ରାଜ୍ୟର ଶିଳ୍ପ ଭିତ୍ତିଭୂମି ଓ ଶିଳ୍ପାନ୍ୱୟନ ବାତାବରଣ ବିକାଶରେ ବିଶେଷ ସହାୟକ ହେବ।

ଏହା ମଧ୍ୟ ଖୋଲାବଜାରରୁ ଋଣ ଉଠାଣ ଆବଶ୍ୟକତାକୁ ବହୁଭାବେ ହ୍ରାସ କରିବ ଓ ଭିତ୍ତିଭୂମି ବିକାଶ ପାଇଁ ଆର୍ଥିକ ବ୍ୟବଧାନ ଦୂର କରିବ । ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ଯେ ଏହି ପ୍ରଚେଷ୍ଟା ଘରୋଇ ପୁଂଜିବିନିଯୋଗ ଓ ଅଧିକ କର୍ମନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ବିଶେଷ ସହାୟକ ହେବ ।

ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା, ଶକ୍ତି ବିଭାଗ ପ୍ରମୁଖ ସଚିବ ଶ୍ରୀ ନିକୁଞ୍ଜବିହାରୀ ଧଳ, ଶିଳ୍ପ ବିଭାଗ ପ୍ରମୁଖ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା, ପୂର୍ତ୍ତ ସଚିବ ଶ୍ରୀ ବୀର ବିକ୍ରମ ଯାଦବ, ଶିଳ୍ପ ବିଭାଗ ଅତିରିକ୍ତ ସଚିବ ଶ୍ରୀ ଶୁଭେନ୍ଦ୍ର କୁମାର ନାୟକଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଓଡ଼ିଶା ସରକାରଙ୍କ ତରଫରୁ ଇପିକଲର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ ଓ ଆନ୍ତର୍ଜାତିକ ଅର୍ଥ ନିଗମର ସର୍ବଭାରତୀୟ ଅଧିକାରୀ ସୁଶ୍ରୀ ରୋଶିକା ସିଂହ ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ପାଇଁ ମଂଜୁର ହେଲା ୫୩୩ କୋଟି ଟଙ୍କା, ଜାଣନ୍ତୁ କେଉଁ ଜିଲ୍ଲାକୁ କେତେ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ ଦେବ, ଓମ୍ବାଡିସିର ମୁଖ୍ୟ ନିର୍ବାହୀ ଅଧିକାରୀ ଉମାନାନ୍ଦୁରୀ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଉପସ୍ଥିତିରେ ସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ଉକ୍ତ ବୈଠକର ନିଷ୍ପତ୍ତି ଅନୁଯାୟୀ ହାଇସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଅଧୀନରେ ନୂତନ ଭାବେ ୮୮୯ ସ୍କୁଲ ପାଇଁ ୫୩୩ କୋଟି ୪୦ ଲକ୍ଷ ଟଙ୍କାର ନୂତନ ପ୍ରକଳ୍ପ ଅନୁମୋଦନ ପାଇଁ ଓମ୍ବାଡିସିଙ୍କୁ ପ୍ରେରଣ କରାଯାଇଥିଲା । ଓମ୍ବାଡିସି ବୋର୍ଡ କମିଟି ଦ୍ୱାରା ଗୃହୀତ ହୋଇଥିଲା ଏବଂ ୫୩୩ କୋଟି ୪୦ ଲକ୍ଷ ଟଙ୍କା ଓମ୍ବାଡିସି ବୋର୍ଡ ଦ୍ୱାରା ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା । ଏହା ଦ୍ୱାରା ଆଦିବାସୀ ଓ ଉପାନ୍ତ ଅଞ୍ଚଳରେ ଛାତ୍ରଛାତ୍ରୀ ଆନନ୍ଦଦାୟକ ଶିକ୍ଷା ପାଇପାରିବେ ।

ବୈଠକର ନିଷ୍ପତ୍ତି ଅନୁଯାୟୀ ଅନୁଗୋଳ ଜିଲ୍ଲାର ୧୬ଟି ସ୍କୁଲ ପାଇଁ ୯ କୋଟି ୬୦ ଲକ୍ଷ ଟଙ୍କା, ଦେବଗଡ଼ର ୪୭ ସ୍କୁଲ ପାଇଁ ୨୮ କୋଟି ୨୦ ଲକ୍ଷ ଟଙ୍କା, ଢେଙ୍କାନାଳ ଜିଲ୍ଲାର ୧୭ଟି ସ୍କୁଲ ପାଇଁ ୧୦ କୋଟି ୨୦ ଲକ୍ଷ ଟଙ୍କା, ଯାଜପୁର ଜିଲ୍ଲାର ୧୯୫ ସ୍କୁଲ ପାଇଁ ୧୧୭ କୋଟି ଟଙ୍କା, ଝାରସୁଗୁଡ଼ା ଜିଲ୍ଲାର ୮୦ଟି ସ୍କୁଲ ପାଇଁ ୪୮ କୋଟି ଟଙ୍କା, ମୟୂରଭଞ୍ଜ ଜିଲ୍ଲାର ୩୩୯ଟି ସ୍କୁଲ ପାଇଁ ୨୦୩ କୋଟି ୪୦ ଲକ୍ଷ ଟଙ୍କା ଏବଂ ସୁନ୍ଦରଗଡ଼ ଜିଲ୍ଲାର ୧୯୫ଟି ସ୍କୁଲ ପାଇଁ ୧୧୭ କୋଟି ଟଙ୍କା ହାଇସ୍କୁଲ ରୂପାନ୍ତରୀକରଣ ପାଇଁ ମଂଜୁର ହୋଇଛି।

ପ୍ରତି ସ୍କୁଲ ପାଇଁ ୬୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଥିବାବେଳେ ଏହି ସ୍କୁଲଗୁଡ଼ିକରେ ସ୍ମାର୍ଟ କ୍ଲାସ୍‌ରୁମ୍‌, ବିଜ୍ଞାନାଗାର, ଇ-ପାଠାଗାର, ସ୍କୁଲ ପରିବେଶର ଉନ୍ନତିକରଣ, ପୁରାତନ ଛାତ୍ର ସଂଘ ଏବଂ ସ୍କୁଲ ପରିଚାଳନା କମିଟି ଦ୍ୱାରା ସ୍କୁଲ ପରିଚାଳନା ଓ ପିଲାମାନଙ୍କ ଦକ୍ଷତା ବିକାଶ ପରିଚାଳନା ଆଦି ଏହି ଅର୍ଥରୁ ଭରଣା କରାଯିବ ।

ସେହିପରି ସ୍ମାର୍ଟ ବୋର୍ଡ, ଡିଜିଟାଲ୍‌ କ୍ଲାସ୍‌ ରୁମ୍‌ ପାଇଁ ଆବଶ୍ୟକୀୟ ଉପକରଣ ପରି ଆଇ.ସି.ଟି ଉପକରଣ, ସ୍କୁଲ ମୁଖ୍ୟଦ୍ୱାରର ପରିବର୍ତ୍ତନ, ଖେଳପଡ଼ିଆର ଉନ୍ନତିକରଣ, ପାଠ୍ୟଖସଡ଼ାର ଉନ୍ନତିକରଣ, ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ତାଲିମ ଆଦି ପାଇଁ ମଧ୍ୟ ଏହି ଅର୍ଥ ଖର୍ଚ୍ଚ କରାଯିବ । ଗୋଷ୍ଠୀ ସଂପୃକ୍ତିକରଣ ଏବଂ ପୁରାତନ ବିଦ୍ୟାର୍ଥୀଙ୍କ ସହ ସ୍କୁଲ କମିଟିର ଯୋଗାଯୋଗ ମାଧ୍ୟମରେ ଏହି କାର୍ଯ୍ୟକ୍ରମଗୁଡ଼ିକର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରାଯିବ ।

ମୁଖ୍ୟମନ୍ତ୍ରୀଙ୍କ ମାନସସନ୍ତାନ ୫-‘ଟି’ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ରୂପାନ୍ତରୀକରଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ପ୍ରକାଶ କରିଛନ୍ତି । ଏହି ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଦ୍ୱାରା ରାଜ୍ୟର ଶିକ୍ଷାକ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିବ ବୋଲି ସମସ୍ତ ଉପସ୍ଥିତ ସଭ୍ୟସଭ୍ୟା ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ତ୍ୱରିତ କାର୍ଯ୍ୟକାରୀ କରିବାକୁ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସାହୁ ସମସ୍ତ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ।

ଏହି ବୈଠକରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ମୋନା ଶର୍ମା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଶାସନ ସଚିବ ଶ୍ରୀ ଭାସ୍କର ଶର୍ମା, ଓଡ଼ିଶା ସ୍କୁଲ ଶିକ୍ଷା ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ସୀମାନ୍ତବର୍ତ୍ତି ୬ ଟି ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ: ଏହି ଦୁଇ ରାଜ୍ୟରୁ ଫେରିଲେ ଲାଗିବ କଟକଣା

ଭୁବନେଶ୍ବର: ଛତିଶଗଡ ଏବଂ ପଶ୍ଚିମବଙ୍ଗ ପରେ ଏବେ ରାଜ୍ୟ ସରକାର ଆନ୍ଧ୍ରା ଓ ତେଲେଙ୍ଗାନା ଉପରେ ନଜର ରଖିଛନ୍ତି। ଏହି ଦୁଇ ରାଜ୍ୟର ଷ୍ଟ୍ରେନକୁ ନେଇ ସୀମାନ୍ତବର୍ତ୍ତି ଜିଲ୍ଲାଗୁଡିକୁ ସତର୍କ କରାଯାଇଛି। ଓଡିଶା ଫେରୁଥିବା ଲୋକଙ୍କ ଉପରେ କଡା ନଜର ରଖିବା ପାଇଁ ସୀମାନ୍ତବର୍ତ୍ତି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସ୍ଵତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି।

ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଏସଆରସି ପ୍ରଦୀପ କୁମାର ଜେନା ସତର୍କ କରିଛନ୍ତି।

ତେବେ ଆନ୍ଧ୍ରା ଏବଂ ତେଲେଙ୍ଗାନାରୁ ଫେରୁଥିବା ଲୋକଙ୍କ ପାଇଁ କ୍ଵାରେଣ୍ଟିନ ବାଧ୍ୟତାମୂଳକ କରାଯାଇଛି। ଫେରନ୍ତାଙ୍କୁ ୧୪ ଦିନ କ୍ଵାରେଣ୍ଟିନରେ ରଖିବା ପାଇଁ ଜିଲ୍ଲାପାଳମାନଙ୍କୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି। ତେବେ ୪୮ ଘଣ୍ଟା ପୂର୍ବର ଆରଟିପିସିଆର ନେଗେରିଭ ରିପୋର୍ଟ ଥିବା ଫେରନ୍ତାଙ୍କୁ ୭ ଦିନ କ୍ଵାରେଣ୍ଟିନରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି।