Categories
ଆଞ୍ଚଳିକ

ବାଣପୁରରେ ଆବାସ ଯୋଜନାରେ ଦୁର୍ନୀତି: ପ୍ରଧାନମନ୍ତ୍ରୀ ଆବାସ କରେଇବା ପାଇଁ ଲାଞ୍ଚ ମାଗୁଛନ୍ତି କୁଜିନେତା

ସୀତାରାମ ଅଗ୍ରୱାଲ

ବାଣପୁର: ଗରିବଙ୍କ ପାଇଁ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ଘର ନଥିବା ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦିଆଯାଉଛି। କିନ୍ତୁ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ମିଳିବା ନେଇ କୁଜି ନେତାମାନେ ଲାଞ୍ଚ ମାଗୁଥିବାର ଅଭିଯୋଗ ହେଉଛି। ଏପରି ଏକ ଅଭିଯୋଗ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରୁ ଆସିଛି।

ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ତୁମୁରାପୁଟ ପଞ୍ଚାତର ରତନପୁର ଗ୍ରାମ ନିବାସୀ ସୁକାନ୍ତ ବେହେରା ଜଣେ ଦିନ ମଜୁରିଆ। ମା’ ବାପା ଓ ପିଲାପିଲିଙ୍କୁ ନେଇ ସମୁଦାୟ ୬ ପ୍ରାଣୀ କୁଟୁମ୍ବ ତାଙ୍କର। ଅଭାବ ଅସୁବିଧାରେ ଜୀବନ ବଞ୍ଚୁଥିବାବେଳେ ମୁଣ୍ଡ ଗୁଞ୍ଜିବା ପାଇଁ ତାଙ୍କ ଘରେ ପକ୍କା ଘରଟେ ନାହିଁ। ବର୍ତ୍ତମାନ ବର୍ଷାଋତୁ ଆସି ଯାଇଥିବା ବେଳେ ଟିକେ ବର୍ଷା ହେଲେ ଭଙ୍ଗା କୁଡ଼ିଆ ଘରେ ପାଣି ଭର୍ତ୍ତି ହୋଇଯାଉଛି। ଘରର ଉପର ଭାଗରେ ପାଲ ପଡ଼ିଥିବା ବେଳେ ଆଉ ଅନ୍ୟ ସ୍ଥାନ ସବୁ ଖୋଲା ଅଛି।

ସୁକାନ୍ତ ଓ ତାଙ୍କ ସ୍ତ୍ରୀ ରୀନା ବେହେରା ଦୀର୍ଘ ୩ ବର୍ଷ ହେଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ସରପଞ୍ଚଙ୍କ କାର୍ଯ୍ୟାଳୟ ଓ ବାଣପୁର ବ୍ଲକ ଅଫିସ ଧାଉଁଥିବା ବେଳେ କିଛି ସୁଫଳ ମିଳୁନି। ସେ ମଇ ୨୯, ୨0୧୭ ରେ ପ୍ରଥମ ଆବେଦନ କରିଥିବା ବେଳେ ଆଜି ସୁଦ୍ଧା ପାଖାପଖି ଚାରି ଥର ଆବେଦନ କରିସାରିଲେଣି ଏବଂ ବାରମ୍ବାର ସରକାରୀ ଅଧିକାରୀ ଘର ନିରୀକ୍ଷଣ ପାଇଁ ଆସି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନିଶ୍ଚିତ ପାଇବ ବୋଲି ଆଶ୍ୱାସନା ଦେଇ ଚାଲି ଯାଉଛନ୍ତି। କିନ୍ତୁ ଗାଁ ର କୁଜିନେତା ମାନେ ସରପଞ୍ଚଙ୍କ ନାମରେ ଆବାସ ଯୋଜନା କରାଇଦେବା ପାଇଁ ୨୦୦୦୦ ଟଙ୍କା ଲାଞ୍ଚ ମାଗୁଥିବାର ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ରୀନା। ଦଳୀୟ ଭିତ୍ତିରେ ଆବାସ ଯୋଜନା ବଣ୍ଟା ହେଉଛି ବୋଲି ଅଭିଯୋଗ ଆଣିଛନ୍ତି।

ଇତି ମଧ୍ୟରେ ସେ ସରପଞ୍ଚ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବ୍ଲକ ଅଧ୍ୟକ୍ଷା ସମସ୍ତଙ୍କୁ ତାଙ୍କ ଦୁଃଖ ଶୁଣେଇଲା ପରେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ପରିବାର ରୋଜଗାର ଶୂନ୍ୟ ଥିବାରୁ ବାଧ୍ୟ ହୋଇ ରିନାଙ୍କ ସ୍ୱାମୀ ସୁକାନ୍ତ କିଛି ମାସ ତଳେ ସୁଦୂର କେରଳ ଯାଇ ଦାଦନ ଖଟୁଥିଲେ ଏବଂ ବର୍ତ୍ତମାନ କରୋନା ମହାମାରୀ ଲାଗି ନିଜ ଗ୍ରାମକୁ ଫେରିଛନ୍ତି। ହେଲେ ୬ ପ୍ରାଣୀ କୁଟୁମ୍ବର ପରିବାର ଚଲେଇବା ତାଙ୍କ ଲାଗି ଏବେ କଷ୍ଟକର ହୋଇପଡିଛି।

ରାଜ୍ୟ ସରକାର ମହିଳାଙ୍କୁ ଯଥେଷ୍ଟ ସମ୍ମାନ ଦେଉଥିବାର ଡିଣ୍ଡିମ ପିଟୁଥିବାବେଳେ ଜଣେ ମହିଳା ହିସାବରେ ସେ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ନୟାନ୍ତ ହୋଇସାରିଲେଣି କିନ୍ତୁ ତାଙ୍କ ଅଭିଯୋଗକୁ ଶୁଣିବା ଦୂରର କଥା ତାଙ୍କୁ ଦଳୀୟ ଭିତ୍ତିରେ  ବ୍ୟବହାର କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ରୀନା। ସରକାର ଯଥା ଶୀଘ୍ର ଏଭଳି ଏକ ଗରିବ ପରିବାରଙ୍କୁ ବିନା ଲାଞ୍ଚରେ ଇନ୍ଦିରା ଆବାସ ଯୋଜନା କରାଇଦେବା ପାଇଁ ନିବେଦନ କରିଛନ୍ତି ରୀନା।

Categories
ଆଜିର ଖବର ଜାତୀୟ ଖବର

ଦିଗହରା ସ୍ବଚ୍ଛ ଭାରତ ମିଶନ : ଶୌଚାଳୟ ପାଲଟିଛି ରୋଷେଇ ଘର

ଉତ୍ତରପ୍ରଦେଶ : ସ୍ବଚ୍ଛ ଭାରତ ମିଶନର ଡିଣ୍ଡିମ ପିଟୁଥିବାବେଳେ ଖୋଦ୍‌ ବିଜେପି ସରକାରଙ୍କ ରାଜ୍ୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ସ୍ବଚ୍ଛ ଭାରତକୁ ନେଇ ସରକାର ଅନେକ ପ୍ରଚାର କରୁଥିବାବେଳେ ଉତ୍ତରପ୍ରଦେଶର ଏହା କେତେଦୂର କାର୍ଯ୍ୟକାରୀ ତାହା ନିମ୍ନ ଘଟଣାରୁ ବେଶ୍‌ ସ୍ପଷ୍ଟ ହୋଇଯିବ।

ଉତ୍ତରପ୍ରଦେଶର ବାରବାଙ୍ଗି ଜିଲ୍ଲାରେ ଏକ ଅଭିନବ ଘଟଣା ଦେଖିବାକୁ ମିଳିଛି। ଏହି ଜିଲ୍ଲାର ଜଣେ ପରିବାର ଶୌଚାଳୟକୁ ନିଜ ରୋଷେଇ ଘର ରୂପେ ବ୍ୟବହାର କରୁଛନ୍ତି। ଏହି ପରିବାରର ସଦସ୍ୟ ରାମ ପ୍ରକାଶଙ୍କ କହିବାନୁସାରେ ତାଙ୍କ ପାଖରେ ଝାଟି ମାଟିର ଘର ରହିଥିବାବେଳେ ସାମାନ୍ୟ ବର୍ଷାରେ ଘର ଭିତର ଜଳମୟ ହୋଇପଡୁଛି। ଯାହା ଫଳରେ କି ସେମାନେ ଚୁଲି ଜାଳିବା ପାଇଁ ଶୁଖିଲା ସ୍ଥାନ ମଧ୍ୟ ପାଇପାରୁନଥିଲେ। ଏପରି ସମୟରେ ବର୍ଷ ତଳେ ତିଆରି ହୋଇଥିବା ଏକ ଶୌଚାଳୟକୁ ସେମାନେ ଏବେ ରୋଷେଇ ଘରେ ରୂପେ ବ୍ୟବହାର କରୁଛନ୍ତି। ଏବେ ବର୍ଷା ହେଲେ ରୋଷେଇ ବନ୍ଦ ହେବାର ଚିନ୍ତାରୁ ମୁକ୍ତି ଦେଇଛି ସ୍ବଚ୍ଛ ମିଶନ ଜରିଆରେ ମିଳିଥିବା ଶୌଚାଳୟ।

ରାମ ପ୍ରକାଶ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଙ୍କୁ ଘର ତ ମିଳିଲା ନାହିଁ କିନ୍ତୁ ସ୍ବଚ୍ଛ ଭାରତ ମିଶନ ଜରିଆରେ ଏକ ଶୌଚାଳୟ ନିର୍ମାଣ ହୋଇପାରିଲା। ବର୍ଷା ଜୋର୍‌ରେ ହେଲେ ସେମାନେ ରୋଷେଇ କରିବା ସହିତ ସେଠାରେ ଶୋଉଛନ୍ତି। ପ୍ରକାଶ ସ୍ବୀକାର କରିଛନ୍ତି ଯେ, ସେମାନେ ଏବେ ବି  ବାହାରେ ଶୌଚ କରୁଛନ୍ତି। ଏହି ଘଟଣାଟି ବାହାରକୁ ଆସିବା ପରେ ଜିଲ୍ଲା ମାଜିଷ୍ଟ୍ରେଟ୍‌ କହିଛନ୍ତି ଯେ, ଏହି ପରିବାରଙ୍କ ତରଫରୁ ଘର ନିର୍ମାଣ କରିବା ନେଇ କୌଣସି ଅନୁରୋଧ ଆସିନାହିଁ। ତେବେ ଏହି ଘଟଣାର ତଦନ୍ତ କରାଯାଇ ତାଙ୍କୁ ଉଚିତ୍‌ ନ୍ୟାୟ ପ୍ରଦାନ କରାଯିବ। ଯଦି ଏହି ଘଟଣା ପାଇଁ ଯଦି ପଞ୍ଚାୟତ କିମ୍ବା ପଞ୍ଚାୟତ ମୁଖଆ ଦାୟୀ ରହିଥିବେ, ତେବେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

ଜଣେ ସାମାଜିକ କର୍ମୀଙ୍କ କହିବାନୁସାରେ ବାରବାଙ୍କି ଜିଲ୍ଲାର ଅଧିକାଂଶ ପରିବାର ଏବେବି ବାହାରେ ଶୌଚ କରୁଛନ୍ତି। ଶୌଚାଳୟ ନାମରେ ଏଠାରେ କେବଳ କାନ୍ଥର ନିର୍ମାଣ ହୋଇଛି ପାଇଖାନା ତିଆରି ହୋଇନାହିଁ। ଏଠାରେ କିଛି ଲୋକଙ୍କ ପାଖରେ ମୁଣ୍ଡ ଗୁଞ୍ଜିବାକୁ ଘର ନଥିବାବେଳେ ତାଙ୍କୁ ନା  ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିଛି ନା ସ୍ବଚ୍ଛ ମିଶନରେ ଶୌଚାଳୟ। ଏଠାରେ ଅଧିକାଂଶ ଲୋକ ବାହାରେ ଶୌଚ କରୁଛନ୍ତି ବୋଲି ସୂଚନା ମିଳିଛି। ଏଠାରେ ବହୁ ସଂଖ୍ୟାରେ ଶୌଚାଳୟ ନିର୍ମାଣ ନ ହୋଇ ଅଧପନ୍ତରିଆ ଭାବେ ପଡି ରହିଥିବାବେଳେ ଗ୍ରାମର ମୁଖିଆ ଏହାକୁ ସମ୍ପୂର୍ଣ୍ଣ କରିବାରେ ଚେଷ୍ଟା ମଧ୍ୟ କରୁନାହାନ୍ତି। ସେହିପରି ଏହି ସଂକ୍ରାନ୍ତରେ ଗ୍ରାମ ସଚିବଙ୍କୁ ଅନୁରୋଧ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ।

ସ୍ବଚ୍ଛ ଭାରତ ମିଶନ ଗ୍ରାମୀଣ ଓ୍ବେବସାଇଟ୍‌ରେ ଉପଲବ୍ଧ ଥିବା ତଥ୍ୟ ଅନୁସାରେ ହଜରତପୁର ଗ୍ରାମ ପଞ୍ଚାୟତରେ ୬୨୦ଟି ଘର ରହିଥିବାବେଳେ ୧୧୬ଜଣଙ୍କ ଘରେ ଶୌଚାଳୟ ନଥିବାବେଳେ ୮ ଜଣ ଗରିବ ସୀମାରେଖା ତଳେ ରହିଛନ୍ତି।

ସ୍ବଚ୍ଛ ଭାରତ ମିଶନକୁ କେବଳ ପ୍ରଚାର ପ୍ରସାରରେ ସୀମିତ ନରଖି ଏହାର କାର୍ଯ୍ୟକାରିତା ଉପରେ ପଦକ୍ଷେପ ନେବା ଉଚିତ୍‌। ସରକାରଙ୍କ ଦ୍ବାରା କରାଯାଇଥିବା ଜନମଙ୍ଗଳ ଯୋଜନାଗୁଡ଼ିକ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚିବା ନେଇ ଏ ଉପରେ ପଦକ୍ଷେପ ଉଠେଇବା ଅତ୍ୟନ୍ତ ଜରୁରୀ। (ଏଜେନ୍ସି)