ନୂଆଦିଲ୍ଲୀ: ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ତ୍ରୁଟିକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ସୁପ୍ରିମକୋର୍ଟ କହିଛନ୍ତି ଯେ, ଏହି ଘଟଣାର ତଦନ୍ତ ପାଇଁ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯିବ। ଏଥିରେ ଚଣ୍ଡିଗଡ଼ର ଡିଜିପି, ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ଏବଂ ଆଉ ଜଣେ ଅଧିକାରୀ ସେଥିରେ ସାମିଲ ହେବେ। ଏହା ବ୍ୟତୀତ ଏନଆଇଏ ଆଇଜି ଏବଂ ଆଇବି ଅଧିକାରୀମାନେ ମଧ୍ୟ କମିଟିର ଅଂଶ ହେବେ।
Tag: ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଦେଶରେ କୋଭିଡ-୧୯ ମହାମାରୀର ପରିସ୍ଥିତି, ସ୍ୱାସ୍ଥ୍ୟ ଭିତ୍ତିଭୂମି ଏବଂ ପରିବହନ ପ୍ରସ୍ତୁତି, ଦେଶରେ ଟୀକାକରଣ ଅଭିଯାନର ସ୍ଥିତି ଏବଂ ନୂତନ କୋଭିଡ -୧୯ ଭାରିଆଣ୍ଟ ଓମିକ୍ରନ ଏବଂ ଦେଶର ଜନସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ଉପରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା।
କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ବର୍ତ୍ତମାନ ସର୍ବଭାରତୀୟ ସ୍ତରରେ ରିପୋର୍ଟ ହେଉଥିବା ମାମଲାଗୁଡ଼ିକର ବୃଦ୍ଧି ଉପରେ ଆଲୋକପାତ କରିବା ସହିତ ଏକ ବିସ୍ତୃତ ରିପୋର୍ଟ ଉପସ୍ଥାପନ କରିଥିଲେ। ଭାରତରେ କୋଭିଡ-୧୯ ର ସ୍ଥିତି ବିଭିନ୍ନ ରାଜ୍ୟ ତଥା ଜିଲ୍ଲା ଗୁଡିକରେ ମାମଲା ବୃଦ୍ଧି ଏବଂ ସକରାତ୍ମକ ପଦକ୍ଷେପ ଉପରେ ଆଲୋକପାତ କରାଯାଇଥିଲା। ଆହୁରି ମଧ୍ୟ, ଅଗାମୀ ଆହ୍ୱାନକୁ ମୁକାବିଲା କରିବା ପାଇଁ ରାଜ୍ୟଗୁଡିକୁ ସମର୍ଥନ କରିବା ଦିଗରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପ୍ରୟାସ ଉପରେ ଆଲୋକପାତ କରାଯାଇଥିଲା। ସର୍ବୋଚ୍ଚ ମାମଲାଗୁଡ଼ିକର ଆଗାମୀ ପରିସ୍ଥିତି ମଧ୍ୟ ଉପସ୍ଥାପିତ ହୋଇଥିଲା।
ସ୍ୱାସ୍ଥ୍ୟ ଭିତ୍ତିଭୂମି, ପରୀକ୍ଷଣ କ୍ଷମତା, ଅମ୍ଳଜାନ ଏବଂ ଆଇସିୟୁ ଶଯ୍ୟା ଉପଲବ୍ଧତା ଏବଂ ଜରୁରୀକାଳୀନ କୋଭିଡ ରେସପନ୍ସ ପ୍ୟାକେଜ (ଇସିଆରପି-୨) ଅଧୀନରେ କୋଭିଡ ଅତ୍ୟାବଶ୍ୟକ ଔଷଧର ବ୍ୟାପକ ମହଜୁଦର ନବୀକରଣ ପାଇଁ ରାଜ୍ୟମାନଙ୍କୁ ଦିଆଯାଉଥିବା ସହାୟତା ଉପସ୍ଥାପନ ହୋଇଥିଲା। ଜିଲ୍ଲା ସ୍ତରରେ ପର୍ଯ୍ୟାପ୍ତ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁନିଶ୍ଚିତ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ରାଜ୍ୟଗୁଡିକ ସହ ଏହି ସଂକ୍ରାନ୍ତରେ ସମନ୍ୱୟ ରକ୍ଷା କରିବାକୁ ସେ ଅଧିକାରୀମାନଙ୍କୁ କହିଛନ୍ତି।
ଏହି ଉପସ୍ଥାପନା ଟୀକାକରଣ ଅଭିଯାନରେ ଭାରତର ନିରନ୍ତର ପ୍ରୟାସକୁ ଧ୍ୟାନ ଦେଇଛି, ୧୫-୧୮ ବର୍ଷ ବୟସର ୩୧% କିଶୋରଙ୍କୁ ୭ ଦିନ ମଧ୍ୟରେ ଏପର୍ଯ୍ୟନ୍ତ ପ୍ରଥମ ଡୋଜ୍ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଏହି ସଫଳତାକୁ ଉଲ୍ଲେଖ କରିଛନ୍ତି ଏବଂ ମିଶନ ମୋଡରେ କିଶୋରମାନଙ୍କ ପାଇଁ ଟିକା ଅଭିଯାନକୁ ଆହୁରି ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଛନ୍ତି।
ବିସ୍ତୃତ ଆଲୋଚନା ପରେ, ମାନ୍ୟବର ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଯେ ଅଧିକ ମାମଲା ରିପୋର୍ଟ କରୁଥିବା ଅଞ୍ଚଳରେ କଣ୍ଟେନମେଣ୍ଟ ଏବଂ ସକ୍ରିୟ ନୀରିକ୍ଷଣ ଜାରି ରଖିବା ଉଚିତ ଏବଂ ବର୍ତ୍ତମାନ ଅଧିକ ମାମଲା ରିପୋର୍ଟ କରୁଥିବା ରାଜ୍ୟଗୁଡିକୁ ଆବଶ୍ୟକ ବୈଷୟିକ ସହାୟତା ପ୍ରଦାନ କରାଯିବା ଉଚିଚ। ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ମାସ୍କର ପ୍ରଭାବଶାଳୀ ବ୍ୟବହାର ଏବଂ ଶାରୀରିକ ଦୂରତା ପଦକ୍ଷେପଗୁଡିକର ସୁନିଶ୍ଚିତତା ଉପରେ ସେ ଆଲୋକପାତ କରିଥିଲେ। ସାମାନ୍ୟ / ଲକ୍ଷଣହୀନ ମାମଲାଗୁଡ଼ିକ ପାଇଁ ଗୃହ ସଙ୍ଗରୋଧର ପ୍ରଭାବଶାଳୀ କାର୍ଯ୍ୟକାରିତା ଏବଂ ଗୋଷ୍ଠି ସ୍ତରରେ ପ୍ରକୃତ ତଥ୍ୟ ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ର୍ନିଦ୍ଦିଷ୍ଟ ପରିସ୍ଥିତି, ସର୍ବୋତ୍ତମ ଅଭ୍ୟାସ ଏବଂ ଜନସ୍ୱାସ୍ଥ୍ୟ ପ୍ରତିକ୍ରିୟା ଉପରେ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀମାନଙ୍କ ସହ ଏକ ବୈଠକ ଡକାଯିବ।
ସେ ଆହୁରି ମଧ୍ୟ ବର୍ତ୍ତମାନ କୋଭିଡ୍ ମାମଲା ପରିଚାଳନା କରୁଥିବାବେଳେ ଅଣ-କୋଭିଡ୍ ସ୍ୱାସ୍ଥ୍ୟ ସେବାର ନିରନ୍ତରତା ନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଦୁର୍ଗମ ତଥା ଗ୍ରାମାଞ୍ଚଳର ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଉପଲବ୍ଧତା ନିଶ୍ଚିତ କରିବାକୁ ଟେଲି ମେଡିସିନ୍ ବ୍ୟବହାର କରିବାର ଆବଶ୍ୟକତା ବିଷୟରେ ସେ କହିଥିଲେ।
କୋଭିଡ-୧୯ ପରିଚାଳନାରେ ସ୍ୱାସ୍ଥ୍ୟସେବା ଦ୍ୱାରା ପ୍ରଦାନ କରାଯାଇଥିବା ନିରନ୍ତର ସେବା ପାଇଁ ସେ କୃତଜ୍ଞତା ଜଣାଇବାବେଳେ, ମିଶନ ମୋଡରେ ସ୍ୱାସ୍ଥ୍ୟସେବା କର୍ମଚାରୀ, ଆଗଧାଡିର କର୍ମଚାରୀଙ୍କ ପାଇଁ ବୁଷ୍ଟର ଡୋଜ୍ ନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି।
ନିୟମିତ ଭାବେ ଭାଇରସ ବଢୁଥିବାରୁ ପରୀକ୍ଷଣ, ଟିକା ଏବଂ ଔଷଧିୟ ହସ୍ତକ୍ଷେପ ସହିତ ଜିନୋମ ସିକ୍ୱେନ୍ସି ଉପରେ ବୈଜ୍ଞାନିକ ଅନୁସନ୍ଧାନର ଗୁରୁତ୍ୱ ବିଷୟରେ ପ୍ରଧାନମନ୍ତ୍ରୀ ମଧ୍ୟ କହିଥିଲେ।
ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀନ ପାୱାର, ନୀତି ଆୟୋଗର ସଦସ୍ୟ (ସ୍ୱାସ୍ଥ୍ୟ) ଡକ୍ଟର ଭି କେ ପଲ, କ୍ୟାବିନେଟ ସଚିବ ରାଜୀବ ଗୌବା, ସ୍ୱରାଷ୍ଟ୍ର ସଚିବ ଏ.କେ. ଭଲା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ରାଜେଶ ଭୂଷଣ, ସଚିବ (ଫାର୍ମାସ୍ୟୁଟିକାଲ୍ସ); ଡକ୍ଟର ରାଜେଶ ଗୋଖଲେ, ସଚିବ (ବାୟୋଟେକ୍ନୋଲୋଜି); ଡକ୍ଟର ବଳରାମ ଭାର୍ଗବ, ଆଇସିଏମ୍ଆର ମହାନିର୍ଦ୍ଦେଶକ ଆର.ଏସ୍. ଶର୍ମା, ଜାତୀୟ ସ୍ୱାସ୍ଥ୍ୟ ମିଶନର ସିଇଓ. ଫାର୍ମାସ୍ୟୁଟିକାଲ୍ସ ସଚିବ, ବେସାମରିକ ବିମାନ ଚଳାଚଳ ସଚିବ, ବୈଦେଶିକ ବ୍ୟାପାର ସଚିବ, ଏନ୍ଡିଏମ୍ଏ ସଦସ୍ୟଙ୍କ ସହିତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ନୂଆଦିଲ୍ଲୀ: କାନପୁର ମେଟ୍ରୋ ପ୍ରକଳ୍ପର ନୂତନ ବିଭାଗକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଛନ୍ତି। ଏହା ୧୧ ହଜାର କୋଟି ଟଙ୍କାର ପ୍ରକଳ୍ପ। ଉଦଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କାନପୁର ମେଟ୍ରୋରେ ଯାତ୍ରା କରିଛନ୍ତି। ଏହି ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ତାଙ୍କ ସହ ଥିଲେ, ସେ ଆଇଆଇଟି ମେଟ୍ରୋ ଷ୍ଟେସନରୁ ଗୀତା ନଗର ଷ୍ଟେସନକୁ ଯାତ୍ରା କରିଥିଲେ। ଏହି ବିଭାଗଟି ଆଇଆଇଟି କାନପୁରରୁ ମୋତି ହ୍ରଦ ପର୍ଯ୍ୟନ୍ତ ପ୍ରାୟ ୯ କିଲୋମିଟର ଲମ୍ବା। ପିଏମଓ ଅନୁଯାୟୀ, କାନପୁରରେ ମେଟ୍ରୋ ପ୍ରକଳ୍ପର ମୋଟ ଲମ୍ବ ୩୨ କିଲୋମିଟର ଏବଂ ଏହା ୧୧ ହଜାର କୋଟି ଟଙ୍କା ବ୍ୟୟରେ ପ୍ରସ୍ତୁତ ହେଉଛି।
କାନପୁର ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ୩୫୬ କିଲୋମିଟର ଲମ୍ବା ପାଇପଲାଇନ ପ୍ରକଳ୍ପ ମଧ୍ୟ ଆରମ୍ଭ କରିବେ। ବିନା-ପନକୀ ପାଇପଲାଇନ ପ୍ରକଳ୍ପର କ୍ଷମତା ବାର୍ଷିକ ପ୍ରାୟ ୩.୪୫ ନିୟୁତ ମେଟ୍ରିକ ଟନ୍ ଅଟେ। ମଧ୍ୟପ୍ରଦେଶର ବିନା ରିଫାଇନାରୀ ଠାରୁ କାନପୁରର ପନକୀ ପର୍ଯ୍ୟନ୍ତ ଏହି ପ୍ରକଳ୍ପ ପାଇଁ ୧୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ।
ମଣ୍ଡି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୨୭-୧୨-୨୧) ହିମାଚଳ ପ୍ରଦେଶର ମଣ୍ଡିଠାରେ ଦ୍ୱିତୀୟ ହିମାଚଳ ପ୍ରଦେଶ ବୈଶ୍ୱିକ ନିବେଶକ ଉତ୍ସବରେ ଅଧ୍ୟକ୍ଷତା କରିଛନ୍ତି। ପ୍ରାୟ ୨୮ହଜାର କୋଟି ଟଙ୍କା ପ୍ରକଳ୍ପ ଦ୍ୱାରା ଏହି ରାଜ୍ୟରେ ପୁଞ୍ଜିନିବେଶକୁ ବେଶ୍ ପ୍ରୋତ୍ସାହିତ ମିଳିବ। ସେ ମଧ୍ୟ ୧୧,୦୦୦ କୋଟି ଟଙ୍କାର ଜଳବିଦ୍ୟୁତ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି। କେତେକ ଜଳବିଦ୍ୟୁତ ପ୍ରକଳ୍ପ ରେଣୁକାଜୀ ନଦୀବନ୍ଧ ପ୍ରକଳ୍ପ, ଲୁହରୀ ପ୍ରଥମ ପର୍ଯ୍ୟାୟ ଜଳବିଦ୍ୟୁତ ଏବଂ ଧୌଲାସିଦ୍ଧ ଜଳ ବିଦ୍ୟୁତ ପ୍ରକଳ୍ପ। ସେ ମଧ୍ୟ ସ୍ୱର କୁନ୍ଦୁ ଜଳବିଦ୍ୟୁତ ପ୍ରକଳ୍ପର ଉଦ୍ଘାଟନ କରିଥିଲେ। ହିମାଚଳପ୍ରଦେଶ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ୍ ଆର୍ଲେକର, ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର, କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂହ ଠାକୁର ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।
ସମବେତ ଜନତାଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ହିମାଚଳ ପ୍ରଦେଶ ପାହାଡ ତାଙ୍କ ଜୀବନରେ ଏକ ମୁଖ୍ୟ ଭୂମିକା ନେଇଥିବା ଭାବାବେଗପୂର୍ଣ୍ଣ ସ୍ମୃତିଚାରଣ କରିଥିଲେ। ସେ ମଧ୍ୟ ହିମାଚଳବାସୀଙ୍କୁ ସେମାନଙ୍କ ଚାରିବର୍ଷର ଡବଲ ଇଞ୍ଜିନ ସରକାର ପାଇଁ ଅଭିନନ୍ଦନ ଜଣାଇଥିଲେ। ଏହି ଚାରିବର୍ଷ ମଧ୍ୟରେ ରାଜ୍ୟ ବୈଶ୍ୱିକ ମହାମାରୀ ଆହ୍ୱାନର ମୁକାବିଲା କରିବା ସହ ବିକାଶର ମଧ୍ୟ ନୂତନ ଶିଖର ଛୁଇଁଛି। “ଜୟରାମ ଜୀ ଓ ତାଙ୍କ କର୍ତ୍ତବ୍ୟନିଷ୍ଠ ଦଳ ହିମାଚଳ ପ୍ରଦେଶ ଜନସାଧାରଣଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ କୌଣସି ଅବହେଳା କରିନାହାଁନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ଜନସାଧାରଣଙ୍କ ସ୍ୱଚ୍ଛନ୍ଦରେ ରହିବା ହେଉଛି ଗୋଟିଏ ପ୍ରାଥମିକତା ଓ ସେଥିପାଇଁ ବିଦ୍ୟୁତ ଶକ୍ତିର ଏକ ବିରାଟ ଭୂମିକା ରହିଛି। ଆଜିର ଜଳବିଦ୍ୟୁତ ପ୍ରକଳ୍ପ ପରିବେଶ ଅନୁକୂଳ ବିକାଶର ଅଙ୍ଗୀକାରବଦ୍ଧତାର ପ୍ରତିଫଳନ। “ଯେତେବେଳେ ଗିର୍ ନଦୀର ରେଣୁକାଜୀ ପ୍ରକଳ୍ପ କାର୍ଯ୍ୟକାରୀ ହେବ, ସେତେବେଳେ ବିଶାଳ ଅଞ୍ଚଳ ଏହାଦ୍ୱାରା ପ୍ରତ୍ୟକ୍ଷ ସୁବିଧା ପାଇବ। ପ୍ରକଳ୍ପରୁ ଯେତେ ଆୟ ହେବ, ତା’ର ଅଧିକାଂଶ ଭାଗ ଏଠାକାର ବିକାଶ ବାବଦକୁ ଖର୍ଚ୍ଚ ହେବ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ପ୍ରଧାନମନ୍ତ୍ରୀ ନବ ଭାରତରର ପରିବର୍ତ୍ତିତ କାର୍ଯ୍ୟଧାରା ବିଷୟ ଦୋହରାଇ ଥିଲେ। ଯେଉଁ ଗତିରେ ଭାରତ ତା’ର ପରିବେଶଜନିତ ଲକ୍ଷ୍ୟ ପଥରେ ଅଗ୍ରସର ହେଉଛି, ତାହା ସେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୧୬ରେ ଭାରତ ଲକ୍ଷ୍ୟ ରଖିଥିଲା ଯେ ୨୦୩୦ ସୁଦ୍ଧା ଦେଶର ବିଦ୍ୟୁତ ଶକ୍ତି ଚାହିଦାର ଶତକଡା ୪୦ଭାଗ, ଅଣ ଜୀବାଶ୍ମ ଶକ୍ତି ଉତ୍ସରୁ ଉତ୍ପାଦିତ ହେବ। ଚଳିତବର୍ଷ ନଭେମ୍ବର ମାସରେ ହିଁ ଭାରତ ଏହି ଲକ୍ଷ୍ୟ ହାସଲ କରିସାରିଛି। ସମଗ୍ର ବିଶ୍ୱ ଆଜି ଭାରତକୁ ପ୍ରଶଂସା କରୁଛି ଏହାର ପରିବେଶର ସୁରକ୍ଷା କରି ପ୍ରଗତିକୁ ତ୍ୱରାନ୍ୱିତ କିପରି କରୁଛି ବୋଲି। ସୌରଶକ୍ତିରୁ ଜଳବିଦ୍ୟୁତ, ପବନ ଶକ୍ତିରୁ ସବୁଜ ଉଦଜାନ ଶକ୍ତି, ସମଗ୍ର ଦେଶ ନିରବଚ୍ଛିନ୍ନ ଭାବେ ଅକ୍ଷୟ ଶକ୍ତି ସମ୍ପଦର ସମ୍ପୂର୍ଣ୍ଣ ବିନିଯୋଗ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ପ୍ରଧାନମନ୍ତ୍ରୀ ଏକକ ବ୍ୟବହାର ଯୋଗ୍ୟ ପ୍ଳାଷ୍ଟିକ ଉପରେ ଆଲୋଚନା କରିଥିଲେ। ପ୍ଳାଷ୍ଟିକ ବ୍ୟବହାର ପାଇଁ ପାହାଡ ଗୁଡିକରେ ହେଉଥିବା କ୍ଷତି ନେଇ ସରକାର ସତର୍କ ଅଛନ୍ତି । ଏକକ ବ୍ୟବହାରକ୍ଷମ ପ୍ଲାଷ୍ଟିକ ବିରୁ୍ଦ୍ଧରେ ଅଭିଯାନ ଜାରି ରହିଥିଲାବେଳେ, ସରକାର ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନା ଉପରେ ମଧ୍ୟ କାର୍ଯ୍ୟ କରୁଛନ୍ତି। ବ୍ୟବହାରରେ ପରିବର୍ତ୍ତନକୁ ନେଇ ଶ୍ରୀ ମୋଦି କହିଥିଲେ ଯେ “ପର୍ଯ୍ୟଟକମାନଙ୍କ ମଧ୍ୟ ହିମାଚଳକୁ ପରିଷ୍କାର ରଖିବା ନେଇ ଏକ ବଡ ଭୂମିକା ରହିଛି। ପ୍ଲାଷ୍ଟିକ ଚାରିଆଡେ ଖେଳିଯାଇଛି, ପ୍ଲାଷ୍ଟିକ ନଦୀରେ ମିଶୁଛି। ହିମାଚଳରେ ହେଉଥିବା କ୍ଷତି ଯେପରି ରୋକାଯାଇପାରିବ ତାହାକୁ ଆମ ସମସ୍ତଙ୍କୁ ଦେଖିବାକୁ ପଡିବ।”
ହିମାଚଳ ପ୍ରଦେଶର ଔଷଧପତ୍ର ପ୍ରସ୍ତୁତି କ୍ଷେତ୍ରରେ ହୋଇଥିବା ଅଭିବୃଦ୍ଧି ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। “ଆଜି ଯଦି ଭାରତକୁ ବିଶ୍ୱର ଫାର୍ମାସୀ କୁହାଯାଏ , ତେବେ ଏହା ପଛରେ ହିମାଚଳ ପ୍ରଦେଶର ପ୍ରଚ୍ଛନ୍ନ ଶକ୍ତି ରହିଛି। ହିମାଚଳ ପ୍ରଦେଶ କେବଳ ଅନ୍ୟ ରାଜ୍ୟଗୁଡିକୁ ସାହାଯ୍ୟ କରିନାହିଁ, ବରଂ କରୋନା ବୈଶ୍ୱିକ ମହାମାରୀ କାଳରେ ଏହା ଅନ୍ୟାନ୍ୟ ଦେଶଗୁଡିକୁ ମଧ୍ୟ ସାହାଯ୍ୟ କରିଛି।
ରାଜ୍ୟ ବିଶାଳ ଦକ୍ଷତାର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ହିମାଚଳ ଅନ୍ୟ ରାଜ୍ୟ ତୁଳନାରେ ଟିକାକରଣରେ ସର୍ବାଗ୍ରେ ରହି ତା’ର ସମସ୍ତ ସମର୍ଥ ଜନସଂଖ୍ୟାର ଟିକାକରଣ କରିପାରିଛି। ଏଠି ଯେଉଁମାନେ ସରକାରରେ ଅଛନ୍ତି ସେମାନେ ରାଜନୀତିକ ସ୍ୱାର୍ଥପରତାରେ ବୁଡି ନ ଯାଇ ହିମାଚଳରେ ପ୍ରତ୍ୟେକ ନାଗରିକ କିପରି ଟିକା ନେବେ ସେଥିପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେଇଛନ୍ତି।”
ପ୍ରଧାନମନ୍ତ୍ରୀ ନିକଟରେ ଝିଅମାନଙ୍କ ବିବାହ ବୟସର ପରିବର୍ତ୍ତନ ନିଷ୍ପତ୍ତି ସମ୍ପର୍କରେ ତାଙ୍କର ଉକ୍ତି ଦୋହରାଇଥିଲେ। “ ଆମେ ନିଷ୍ପତ୍ତି ନେଲୁ ଯେ ଝିଅମାନଙ୍କ ବିବାହ ଯୋଗ୍ୟ ବୟସ ପୁଅମାନଙ୍କ ଭଳି ହେବା ଦରକାର। ସେଥିପାଇଁ ଆମେ ଝିଅମାନଙ୍କ ବିବାହ ବୟସ ୨୧କୁ ବୃଦ୍ଧି କଲୁ, ଯାହା ଦ୍ୱାରା ସେମାନେ ପାଠପଢି ସେମାନଙ୍କ ବୃତ୍ତି ଚୟନ ପାଇଁ ଯଥେଷ୍ଟ ସମୟ ପାଇବେ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ପ୍ରଧାନମନ୍ତ୍ରୀ ନିକଟରେ ନୂତନ ଟିକାକରଣ ଶ୍ରେଣୀ ଉପରେ କହିଥିଲେ। ସେ କହିଥିଲେ ଯେ ସରକାର ସମସ୍ତ ସମ୍ବେଦନଶୀଳତା ଓ ସାବଧାନତାର ସହ ସମସ୍ତ ଆବଶ୍ୟକତାକୁ ନେଇ କାର୍ଯ୍ୟ କରୁଛନ୍ତି। ଏଣିକି ଜାନୁୟାରୀ ତିନିତାରିଖଠାରୁ ସରକାର ୧୫ରୁ ୧୮ବର୍ଷ ପିଲାମାନଙ୍କୁ ଟିକା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମ ସ୍ୱାସ୍ଥ୍ୟକ୍ଷେତ୍ରରେ ନିୟୋଜିତ ବ୍ୟକ୍ତି, ସମ୍ମୁଖ ଯୋଦ୍ଧା, ଗତ ଦୁଇବର୍ଷ ଧରି କରୋନା ବିରୁଦ୍ଧ ସଂଗ୍ରାମରେ ଦେଶର ଶକ୍ତିଭାବେ ଉଭା ହୋଇଛନ୍ତି। ଜାନୁୟାରୀ ୧୦ ତାରିଖଠାରୁ ସେମାନଙ୍କୁ ପ୍ରତିଷେଧକ ମାତ୍ରା ଦିଆ ହେବା ଆରମ୍ଭ ହେବ। ୬୦ବର୍ଷରୁ ଅଧିକ ବୟସର ବ୍ୟକ୍ତି ଯେଉଁମାନେ ଗୁରୁତର ରୋଗରେ ପୀଡିତ ସେମାନଙ୍କୁ ଡାକ୍ତରଙ୍କ ପରାମର୍ଶକ୍ରମେ ପ୍ରତିଷେଧକ ମାତ୍ରା ଦିଆଯାଇପାରିବ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ସବ୍କା ସାଥ୍, ସବକା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ ମନ୍ତ୍ରକୁ ପାଥେୟ କରି କାର୍ଯ୍ୟ କରିବାକୁ ଅଙ୍ଗୀକାରବଦ୍ଧ। “ପ୍ରତ୍ୟେକ ଦେଶର ବିଭିନ୍ନ ଆଦର୍ଶବାଦ ଅଛି, ମାତ୍ର ଆଜି ଆମ ଦେଶର ଲୋକେ ସ୍ପଷ୍ଟଭାବେ ଦୁଇଟି ଆଦର୍ଶବାଦ ଦେଖୁଛନ୍ତି । ଗୋଟିଏ ଆଦର୍ଶ ବିଳମ୍ବର ହେଉଥିବାବେଳେ ଅନ୍ୟଟି ବିକାଶର। ଯେଉଁମାନଙ୍କ ବିଳମ୍ବ ଆଦର୍ଶ ଅଛି, ସେମାନେ ପାହାଡର ବିକାଶ ନେଇ କେବେ ବି ଚିନ୍ତିନ ନୁହଁନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହି ବିଳମ୍ବ ଆଦର୍ଶ ଯୋଗୁଁ ହିମାଚଳ ଲୋକଙ୍କୁ ଅନେକ ଦିନ ଅଟଳ ଟନେଲ ପାଇଁ ଅପେକ୍ଷା କରିବାକୁ ପଡିଲା। ରେଣୁକାଜୀ ପ୍ରକଳ୍ପ ମଧ୍ୟ ତିନି ଦଶନ୍ଧି ବିଳମ୍ବିତ ହେଲା। ସରକାରଙ୍କ ଅଙ୍ଗୀକାରବଦ୍ଧତା କେବଳ ବିକାଶ। ଅଟଳ ଟନେଲ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସହ ଚଣ୍ଡିଗଡରୁ ମନାଲୀ ଓ ସିମଲାକୁ ସଡକ ମଧ୍ୟ ପ୍ରଶସ୍ତ କରା ହେଲା ବୋଲି ସେ କହିଥିଲେ।
ହିମାଚଳରେ ବହୁ ପ୍ରତିରକ୍ଷା କର୍ମଚାରୀ ଅଛନ୍ତି। ପ୍ରତିରକ୍ଷା କର୍ମଚାରୀ ଓ ପୁରୁଣା ସଦସ୍ୟଙ୍କ ନିମନ୍ତେ ଅନେକ ପଦକ୍ଷେପ ନିଆ ହୋଇଥିବା ପ୍ରଧାନମନ୍ତ୍ରୀ କହିଥିଲେ। ହିମାଚଳ ପ୍ରଦେଶର ପ୍ରତ୍ୟେକ ଘରେ ଦେଶରକ୍ଷା କରିଥିବା ବୀର ପୁଅଝିଅମାନେ ଅଛନ୍ତି। ଗତ ସାତବର୍ଷରେ ଦେଶର ସୁରକ୍ଷା ବୃଦ୍ଧି ପାଇଁ ଆମ ସରକାରା କରିଥିବା କାର୍ଯ୍ୟ, ସୈନିକ ଓ ଭୂତପୂର୍ବ ସୈନିକମାନଙ୍କ ପାଇଁ ନିଆଯାଉଥିବା ନିଷ୍ପତ୍ତି ଯୋଗୁଁ ହିମାଚଳବାସୀ ବିଶେଷ ଉପକୃତ ହୋଇଛନ୍ତି ବୋଲି ସେ କହିଥିଲେ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତରପ୍ରଦେଶର ବାରାଣସୀସ୍ଥିତ ରାଜ୍ୟ ଉଦ୍ୟୋଗ ବିକାଶ ପ୍ରାଧିକରଣ ଫୁଡ୍ ପାର୍କ, କାରଖିୟାଁଠାରେ ‘ବନସ ଡେରୀ ସଙ୍କୁଳ’ର ଭିତିପ୍ରସ୍ତର ସ୍ଥାପନ କରିଥିଲେ। ୩୦ ଏକର ଜମିରେ ବ୍ୟାପ୍ତ ଏହି ଡେରୀର ନିର୍ମାଣରେ ପ୍ରାୟ ୪୭୫ କୋଟି ଟଙ୍କା ଖର୍ଚ୍ଚ କରାଯିବ ଏବଂ ଏଥିରେ ପ୍ରତିଦିନ ୫ ଲକ୍ଷ ଲିଟର ଦୁଗ୍ଧର ପ୍ରକ୍ରିୟାକରଣ କରାଯିବାର ସୁବିଧା ରହିବ।
ପ୍ରଧାନମନ୍ତ୍ରୀ ବନସ ଡେରୀ ସହିତ ଯୋଡି ହୋଇଥିବା ୧.୭ ଲକ୍ଷରୁ ଅଧିକ ଦୁଗ୍ଧ ଉତ୍ପାଦକମାନଙ୍କ ବ୍ୟାଙ୍କଖାତାଗୁଡିକୁ ପ୍ରାୟ ୩୫ କୋଟି ଟଙ୍କାର ବୋନସ୍ ଡିଜିଟାଲ୍ ମାଧ୍ୟମରେ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ବାରାଣସୀର ରାମନଗରସ୍ଥିତ ଦୁଗ୍ଧ ଉତ୍ପାଦକ ସମବାୟ ସଂଘ ପ୍ଲାଂଟ୍ ନିମନ୍ତେ ବାୟୋଗ୍ୟାସ୍ ଆଧାରିତ ବିଦ୍ୟୁତ୍ ଉତ୍ପାଦନ ପ୍ଲାଂଟ୍ର ଭିତିପ୍ରସ୍ତର ସ୍ଥାପନ କରିଥିଲେ। ପ୍ରଧାନମନ୍ତ୍ରୀ ଜାତୀୟ ଡେରୀ ବିକାଶ ବୋର୍ଡ (ଏନ୍ଡିଡିବି)ର ସହାୟତରେ ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍) ଦ୍ୱାରା ବିକଶିତ ଦୁଗ୍ଧ ଉତ୍ପାଦଗୁଡିକ ଅନୁରୂପ ଆକଳନ ଯୋଜନା ନିମନ୍ତେ ସମର୍ପିତ ଏକ ପୋର୍ଟାଲ୍ ଏବଂ ଏକ ଲୋଗୋର ଉନ୍ମୋଚନ କରିଥିଲେ।
ତୃଣମୂଳ ସ୍ତରରେ ଜମିର ମାଲିକାନା ସମସ୍ୟାକୁ ହ୍ରାସ କରିବାର ଅନ୍ୟ ଏକ ପ୍ରୟାସରେ ପ୍ରଧାନମନ୍ତ୍ରୀ ଉତରପ୍ରଦେଶର ୨୦ ଲକ୍ଷରୁ ଅଧିକ ଅଧିବାସୀଙ୍କୁ କେନ୍ଦ୍ର ପଂଚାୟତିରାଜ ମନ୍ତ୍ରଣାଳୟର ସ୍ୱାମିତ୍ୱ ଯୋଜନା ଅନୁସାରେ ଭର୍ଚୁଆଲି (ପ୍ରତୀୟମାନ ଭାବରେ କମ୍ପୁଟର ସାହାଯ୍ୟରେ) ଗ୍ରାମୀଣ ଆବାସିକ ଅଧିକାର ରେକର୍ଡ ‘ଘରୌନି’ର ବିତରଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବାରାଣସୀରେ ୧୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିଥିଲେ। ଏହା ବାରାଣସୀରେ ଚାଲୁ ରହିଥିବା ୩୬୦ ଡିଗ୍ରୀ/ ସମ୍ପୂର୍ଣ୍ଣ ପରିବର୍ତନକୁ ଆହୁରି ଅଧିକ ସୁଦୃଢ଼ କରିବ।
ଏହି ଅବସରରେ ଉତରପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ଏବଂ କେନ୍ଦ୍ରମନ୍ତ୍ରୀ ଡ. ମହେନ୍ଦ୍ର ନାଥ ପାଣ୍ଡେ ମଧ୍ୟ ଉପସ୍ଥିତ ଥିଲେ।
ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହ, ଯାହାଙ୍କର ଜନ୍ମଦିବସକୁ କୃଷକ ଦିବସ ଭାବେ ପାଳନ କରାଯାଉଛି, ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ପ୍ରଧାନମନ୍ତ୍ରୀ ପ୍ରାଣୀଧନର ମହତ୍ୱ ଉପରେ ରେଖାଙ୍କିତ କରିଥିଲେ। ସେ କହିଥିଲେ ଯେ “ଗାଈମାନଙ୍କ ବିଷୟରେ କଥା ହେବା କିଛି ଲୋକଙ୍କ ନିମନ୍ତେ ଅପରାଧ ହୋଇପାରେ, ଗାଈକୁ ଆମେମାନେ ମାତା ରୂପେ ସମ୍ମାନ ଜଣାଇ ଥାଉ। ଯେଉଁ ଲୋକମାନେ ଗାଈ- ମଇଁଷିମାନଙ୍କୁ ନେଇ ପରିହାସ କରୁଛନ୍ତି, ସେମାନେ ଭୁଲି ଯାଉଛନ୍ତି ଯେ ଏହିଭଳି ପ୍ରାଣୀମାନଙ୍କ ଯୋଗୁଁ ଦେଶର ୮ କୋଟି ପରିବାରଙ୍କ ଜୀବନ- ଜୀବିକା ନିର୍ବାହ ହୋଇଥାଏ।” ସେ ଆହୁରି ମଧ୍ୟ କହିଥିଲେ ଯେ “ଭାରତର ଡେରୀ କ୍ଷେତ୍ରକୁ ସୁଦୃଢ଼ କରିବା ଆମ ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତାଗୁଡିକ ମଧ୍ୟରୁ ଗୋଟିଏ।
ଏହି ଧାରାରେ ଆଜି ଏଠାରେ ବନସକାଶୀସଙ୍କୁଳର ଶିଳାନ୍ୟାସ କରାଯାଇ ଅଛି। ସେ ଗାଈଗୋରୁଙ୍କର ପାଦ ଏବଂ ପାଟିରେ ହେଉଥିବା ରୋଗ ନିମନ୍ତେ ଦେଶବ୍ୟାପି ଟୀକାକରଣ ସମ୍ପର୍କରେ ମଧ୍ୟ କହିଥିଲେ। ଦେଶରେ ଦୁଗ୍ଧ ଉତ୍ପାଦନ ୬-୭ ବର୍ଷ ପୂର୍ବେ ଯାହା ଥିଲା, ବର୍ତମାନ ତାହା ତୁଳନାରେ ପ୍ରାୟ ୪୫ ପ୍ରତିଶତ ବୃଦ୍ଧି ପାଇଛି। ଆଜି ଭାରତ ସମଗ୍ର ବିଶ୍ୱରେ ଉତ୍ପାଦିତ ହେଉଥିବା ଦୁଗ୍ଧର ପ୍ରାୟ ୨୨ ପ୍ରତିଶତ ଦୁଗ୍ଧ ଉତ୍ପାଦନ କରୁଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଆଜି ମୁଁ ବହୁତ ଖୁସି ଯେ ଉତରପ୍ରଦେଶ କେବଳ ଦେଶର ସବୁଠାରୁ ଅଧିକ ଦୁଗ୍ଧ ଉତ୍ପାଦନକାରୀ ରାଜ୍ୟ ନୁହେଁ, ଏହା ମଧ୍ୟ ଉଲ୍ଲେଖନୀୟ ଭାବରେ ଡେରୀ କ୍ଷେତ୍ରରେ ବିସ୍ତାର କରିବାରେ ବହୁତ ଆଗରେ ଅଛି।”
ପ୍ରଧାନମନ୍ତ୍ରୀ ଡେରୀ କ୍ଷେତ୍ର, ପଶୁପାଳନର ଭୂମିକା ଏବଂ କୃଷକମାନଙ୍କର ଜୀବନରେ ପରିବର୍ତନ ଆଣିବା କ୍ଷେତ୍ରରେ ଶ୍ୱେତ ବିପ୍ଳବର ନୂତନ ପ୍ରୟାସ ଉପରେ ନିଜର ଦୃଢ଼ ବିଶ୍ୱାସ ବ୍ୟକ୍ତ କରିଥିଲେ । ସେ କହିଥିଲେ ଯେ ପ୍ରଥମତଃ ପଶୁପାଳନ ଦେଶରେ କ୍ଷୁଦ୍ର କୃଷକମାନଙ୍କ ନିମନ୍ତେ ଅତିରିକ୍ତ ଆୟର ଏକ ବଡ ଉତ୍ସ ହୋଇ ପାରିବ, ଯାହାର ସଂଖ୍ୟା ୧୦ କୋଟିରୁ ମଧ୍ୟ ଅଧିକ ଅଟେ। ଦ୍ୱିତୀୟତଃ, ଭାରତର ଡେରୀ ଉତ୍ପାଦଗୁଡିକର ବିଦେଶରେ ବହୁତ ବଡ ବଜାର ରହିଛି, ଯେଉଁ କ୍ଷେତ୍ରରେ ବୃଦ୍ଧି ହେବାର ଅନେକ ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ପୁନଶ୍ଚ କହିଥିଲେ ଯେ ତୃତୀୟତଃ, ପଶୁପାଳନ ମହିଳାମାନଙ୍କର ଆର୍ôଥକ ଉତ୍ଥାନ ନିମନ୍ତେ, ସେମାନଙ୍କର ଉଦ୍ୟୋଗୀ ମନୋବୃତିକୁ ଆଗେଇ ନେବା ପାଇଁ ଏକ ଭଲ ମାଧ୍ୟମ ଅଟେ।
ଚତୁର୍ଥରେ, ପ୍ରାଣୀଧନ ମଧ୍ୟ ବାୟୋ ଗ୍ୟାସ୍, ଜୈବିକ କୃଷିଏବଂ ପ୍ରାକୃତିକ କୃଷିର ଏକ ବଡ଼ ଆଧାର ଅଟେ। ଭାରତୀୟ ମାନକ ବ୍ୟୁରୋ ଦେଶ ନିମନ୍ତେ ଏକ ଏକୀକୃତ ବ୍ୟବସ୍ଥା ଜାରି କରି ଅଛନ୍ତି । ଏହାର ପ୍ରମାଣ ନିମନ୍ତେ କାମଧେନୁ ଗାଈର ବିଶେଷତା ରହିଥିବା ଏକ ସମନ୍ୱିତ ଲୋଗୋ (ଚିହ୍ନ)ର ମଧ୍ୟ ଶୁଭାରମ୍ଭ କରାଯାଇଛି। ପ୍ରମାଣ ନିମନ୍ତେ, ଯଦି ଉତ୍ପାଦ ଉପରେ ଏହି ଲୋଗୋ ରହିଛି, ତେବେ ଶୁଦ୍ଧତାର ଚିହ୍ନଟ ସହଜରେ ହୋଇ ପାରିବ ଏବଂ ଭାରତର ଦୁଗ୍ଧ ଉତ୍ପାଦଗୁଡିକର ବିଶ୍ୱସନୀୟତା ମଧ୍ୟ ବୃଦ୍ଧି ପାଇବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇ କହିଥିଲେ।
ପ୍ରାକୃତିକ କୃଷି ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମୟ ଅତିକ୍ରମ କରିବା ସହିତ ପ୍ରାକୃତିକ କୃଷିର ପରିସର କମ୍ ହୋଇ ଯାଇଛି ଏବଂ ରାସାୟନିକ କୃଷି ପ୍ରଭାବଶାଳୀ ହେବାରେ ଲାଗିଛି। “ଧରିତ୍ରୀ ମାତାଙ୍କର ନବୀକରଣ ନିମନ୍ତେ, ଆମ ମାଟିର ସୁରକ୍ଷା ନିମନ୍ତେ, ଆଗାମୀ ପିଢ଼ିଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ନିମନ୍ତେ ଆମକୁ ପୁଣି ଥରେ ପ୍ରାକୃତିକ କୃଷି ଆଡ଼କୁ ମୁହାଁଇବାକୁ ପଡ଼ିବ। ଏହା ଆଜିର ସମୟର ଆବଶ୍ୟକତା ଅଟେ” ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ କୃଷକମାନଙ୍କୁ ପ୍ରାକୃତିକ କୃଷି ଏବଂ ଜୈବିକ ଫସଲକୁ ଆପଣେଇବା ପାଇଁ ନିବେଦନ କରିଥିଲେ। ସେ କହିଥିଲେ ଯେ ଏହା ଫଳରେ ଆମ କୃଷିକୁ ଦୀର୍ଘକାଳୀନ ଭିତିରେ ଆତ୍ମନିର୍ଭର କରିବା ନିମନ୍ତେ ପର୍ଯ୍ୟାପ୍ତ ସହାୟତା ପ୍ରାପ୍ତ ହେବ।
ପ୍ରଧାନମନ୍ତ୍ରୀ ଉତରପ୍ରଦେଶର ୨୦ ଲକ୍ଷରୁ ଅଧିକ ବାସିନ୍ଦାଙ୍କୁ କେନ୍ଦ୍ର ପଂଚାୟତିରାଜ ମନ୍ତ୍ରଣାଳୟର ସ୍ୱାମିତ୍ୱ ଯୋଜନା ଅଧୀନରେ ଭର୍ଚୁଆଲି (ପ୍ରତୀୟମାନ ଭାବରେ କମ୍ପ୍ୟୁଟର ସାହାଯ୍ୟରେ) ଗ୍ରାମୀଣ ଆବାସିକ ଅଧିକାର ରେକର୍ଡ ‘ଘରୌନୀ’ର ବିତରଣ କରିଥିଲେ। ସେ କହିଥିଲେ ଯେ ଏହା ଗ୍ରାମୀଣ ଗରିବମାନଙ୍କ ନିମନ୍ତେ ବିକାଶ ଏବଂ ସମ୍ମାନ ନିମନ୍ତେ ନୂତନ ରାସ୍ତା ଖୋଲିବ ଏବଂ ସେମାନଙ୍କୁ ବିକାଶର କାହାଣୀର ଅଂଶୀଦାର କରିବ।
ସେ କହିଥିଲେ ଯେ ବାରାଣସୀ ଦ୍ରୁତ ଗତିରେ ବିକାଶର ମଡେଲ୍ରେ ପରିବର୍ତିତ ହେଉଛି। ନୂତନ ପ୍ରକଳ୍ପଗୁଡିକ ବାରାଣସୀର ଲୋକମାନଙ୍କ ପାଇଁ ଅଭୂତପୂର୍ବ ସୁଗମତା ଏବଂ ସୁବିଧା ଆଣୁଛି। ସେ କହିଥିଲେ ଯେ ଆଜି ଉଦ୍ଘାଟିତ ହୋଇଥିବା ଏବଂ ଆରମ୍ଭ କରାଯାଇଥିବା ପ୍ରକଳ୍ପଗୁଡିକରେ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଭିତିଭୂମି ସହିତ ଯୋଡିହୋଇ ରହିଥିବା ଚିତ୍ର ଆହୁରି ମଜଭୁତ ହେବ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତରପ୍ରଦେଶର ରାଜନୀତିକୁ ଜାତି, ମତ, ଧର୍ମର ଚଷମା ପିନ୍ଧି ଦେଖୁଥିବା ଲୋକମାନେ ଡବଲ୍ ଇଞ୍ଜିନ୍ (ଦୁଇ ଇଞ୍ଜିନ୍ବିଶିଷ୍ଟ)ର ଦୁଇଗୁଣା ଶକ୍ତିକୁ ନେଇ ଚିନ୍ତିତ ହୋଇ ପଡ଼ୁଛନ୍ତି । ସେ କହିଥିଲେ ଯେ ଏଭଳି ଲୋକମାନେ ସ୍କୁଲ୍, କଲେଜ୍, ସଡକ, ପାଣି, ଗରିବମାନଙ୍କ ନିମନ୍ତେ ଘର, ଗ୍ୟାସ୍ ସଂଯୋଗ ଏବଂ ଶୌଚାଳୟକୁ ବିକାଶର ଅଂଶ ବୋଲି ମାନନ୍ତି ନାହିଁ।” ଉତ୍ତରପ୍ରଦେଶର ଲୋକମାନଙ୍କୁ ପ୍ରଥମେ ଯାହା ମିଳିଥିଲା ଏବଂ ଉତରପ୍ରଦେଶର ଲୋକଙ୍କୁ ଆଜି ଆମ ସରକାରଙ୍କ ତରଫରୁ ଯାହା ମିଳୁଛି, ତାହା ମଧ୍ୟରେ ରହିଥିବା ପାର୍ଥକ୍ୟ ସ୍ପଷ୍ଟ ରୂପରେ ଦିଶୁଛି। ଆମେ ଉତରପ୍ରଦେଶର ଐତିହ୍ୟକୁ ବୃଦ୍ଧି କରୁଛୁ ଏବଂ ଆମେ ଉତରପ୍ରଦେଶର ବିକାଶ ମଧ୍ୟ କରୁଛୁ” ବୋଲି କହି ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣକୁ ଶେଷ କରିଥିଲେ।
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିବା ଶିକ୍ଷା କ୍ଷେତ୍ରର ପ୍ରକଳ୍ପ ଗୁଡିକରେ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରଣାଳୟର ଇଂଟର ୟୁନିଭର୍ସିଟି ସେଂଟର ଫର୍ ଟିଚର୍ସ ଏଜୁକେସନ୍, ପ୍ରାୟ ୧୦୭ କୋଟି ଟଙ୍କା ଖର୍ଚ୍ଚରେରେ ନିର୍ମିତ ହୋଇଛି ଏବଂ କେନ୍ଦ୍ରୀୟ ଉଚ୍ଚ ତିବ୍ବତ ଅଧ୍ୟୟନ ସଂସ୍ଥାନରେ ଏକ ଶିକ୍ଷକ ଶିକ୍ଷା କେନ୍ଦ୍ର ୭ କୋଟି ଟଙ୍କାରୁ ଅଧିକ ଅର୍ଥ ବ୍ୟୟ କରି ନିର୍ମାଣ କରାଯାଇଛି। ଏହା ବ୍ୟତୀତ, ପ୍ରଧାନମନ୍ତ୍ରୀ ବିଏଚ୍ୟୁ ଏବଂ ଆଇଟିଆଇ କରଉଣ୍ଡିରେ ଆବାସିକ ଫ୍ଲାଟ୍ ଏବଂ ଷ୍ଟାଫ୍ କ୍ୱାର୍ଟରଗୁଡିକର ମଧ୍ୟ ଉଦ୍ଘାଟନ କରିଥିଲେ।
ସ୍ୱାସ୍ଥ୍ୟ କ୍ଷେତ୍ରରେ, ମହାମାନ୍ୟ ପଣ୍ଡିତ ମଦନ ମୋହନ ମାଲବ୍ୟ କ୍ୟାନସର କେନ୍ଦ୍ରରେ ଡାକ୍ତରମାନଙ୍କର ଛାତ୍ରାବାସ, ଏକ ନର୍ସ ଛାତ୍ରାବାସ, ଏବଂ ଆଶ୍ରମ ଗୃହର ୧୩୦ କୋଟି ଟଙ୍କାର ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିଥିଲେ। ସେ ଭଦ୍ରାସୀଠାରେ ୫୦ ଶଯ୍ୟାବିଶିଷ୍ଟ ସମନ୍ୱିତ ଡାକ୍ତରଖାନାର ଉଦ୍ଘାଟନ କରିଥିଲେ। ସେ ମଧ୍ୟ ଆୟୁଷ ମିଶନ ଅନୁସାରେ ପିଣ୍ଡ୍ରା ତହସିଲ୍ରେ ୪୯ କୋଟି ଟଙ୍କାର ସରକାରୀ ହୋମିଓପ୍ୟାଥିକ୍ ମେଡିକାଲ୍ କଲେଜ୍ର ଭିତିପ୍ରସ୍ତର ସ୍ଥାପନ କରିଥିଲେ
ସଡକ କ୍ଷେତ୍ରରେ ପ୍ରୟାଗରାଜ ଏବଂ ଭଦୋହୀ ସଡକଗୁଡିକ ନିମନ୍ତେ ଦୁଇଟି ‘୪ରୁ ୬ ଲେନ୍\’ ସଡ଼କ ପ୍ରଶସ୍ତିକରଣ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଥିଲେ। ଏଥିରେ ବାରଣାସୀକୁ ସଂଯୋଗ ଉନ୍ନତ ମାନର ହେବ ଏବଂ ଏହା ସହରରେ ଟ୍ରାଫିକ୍ ଜାମ୍ ସମସ୍ୟାର ସମାଧାନ ଦିଗରେ ଏକ ପଦକ୍ଷେପ ହେବ।
ଏହି ପବିତ୍ର ସହରର ପର୍ଯ୍ୟଟନ କ୍ଷମତାକୁ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ ବାରାଣସୀସ୍ଥିତ ଶ୍ରୀ ଗୁରୁ ରବିଦାସଜୀ ମନ୍ଦିର, ସିର ଗୋବର୍ଦ୍ଧନ ସହିତ ସମ୍ବନ୍ଧିତ ପର୍ଯ୍ୟଟନ ବିକାଶ ପ୍ରକଳ୍ପର ପର୍ଯ୍ୟାୟ -୧ର ମଧ୍ୟ ଉଦ୍ଘାଟନ କରିଥିଲେ।
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟନ କରାଯାଇଥିବା ଅନ୍ୟ ପ୍ରକଳ୍ପଗୁଡିକରେ ଆନ୍ତର୍ଜାତିକ ଧାନ ଗବେଷଣା ଅନୁଷ୍ଠାନ, ଦକ୍ଷିଣ ଏସିଆ ଆଂଚଳିକ କେନ୍ଦ୍ରରେ ଏକ ଗତି ପ୍ରଜନନ ସୁବିଧା, ପାୟକପୁର ଗ୍ରାମରେ ଏକ ଆଂଚଳିକ ସନ୍ଦର୍ଭ ମାନକ ପ୍ରୟୋଗଶାଳା ଏବଂ ପିଣ୍ଡ୍ରା ତହସିଲ୍ରେ ଏକ ଆଡ୍ଭୋକେଟ୍ (ଅଧିବକ୍ତା) ଭବନ ଅନ୍ତର୍ଭୁକ୍ତ। (ପିଆଇବି)
ନୂଆଦିଲ୍ଲୀ: ଦେଶରେ ଓମିକ୍ରନ୍ର ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗଛି। ଏହା ମଧ୍ୟରେ କରୋନା ସ୍ଥିତିର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଉଚ୍ଚ ସ୍ତରୀୟ ବୈଠକ ଡାକିଛନ୍ତି। ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, ଜେନୋମ ସିକ୍ଵେସିଂରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୧୬ଟି ଓମିକ୍ରୋନର ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ରରେ ସର୍ବାଧିକ ୬୫ ଟି ମାମଲା ଥିବାବେଳେ ଦିଲ୍ଲୀରେ ୫୭ ଟି, ତେଲେଙ୍ଗାନାରେ ୨୪ ଟି, ଗୁଜୁରାଟରେ ୨୩ ଟି, କର୍ଣ୍ଣାଟକରେ ୧୯ ଟି, ରାଜସ୍ଥାନରେ ୧୮ ଟି, କେରଳର ୯ ଟି ଏବଂ ହରିୟାଣାର ୧ ଟି ଓମିକ୍ରୋନରୁ ରିପୋର୍ଟ ହୋଇଛି। ଏପର୍ଯ୍ୟନ୍ତ ଦେଶର ୧୫ ଟି ରାଜ୍ୟରେ ଓମିକ୍ରନ୍ ମାମଲା ରୁଜୁ ହୋଇଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଚେତାବନୀ ଦେଇଛି ଯେ, କରୋନା ତିନି ଗୁଣ ଦ୍ରୁତ ଗତିରେ ବ୍ୟାପିଥାଏ ଏବଂ ତେଣୁ ସତର୍କ ହେବାର ସମୟ ଆସିଛି। କିନ୍ତୁ ଏହି ବିପଦ ପରେ ମଧ୍ୟ ଦେଶରେ ସତର୍କତା ଦୃଶ୍ୟମାନ ହେଉ ନାହିଁ। ଏହି କାରଣରୁ ତୃତୀୟ ଲହରୀକୁ ରୋକିବା ପାଇଁ କେନ୍ଦ୍ର ରାଜ୍ୟମାନଙ୍କୁ ଏକ ଚିଠି ଲେଖି କହିଛି ଯେ, ଯେଉଁ ଦେଶରେ ସଂକ୍ରମଣ ହାର ୧୦ ପ୍ରତିଶତରୁ ଅଧିକ, ସେହି ଅଞ୍ଚଳରେ ରାତିରେ କର୍ଫ୍ୟୁ ଲାଗୁ କରାଯିବା ଉଚିତ। ବିବାହ ଏବଂ ଅନ୍ତିମ ସଂସ୍କାରରେ ଲୋକଙ୍କ ସଂଖ୍ୟା ହ୍ରାସ କରିବା ସହିତ ବଡ଼ ସମାବେଶରେ କଡା ନିୟମ ଲାଗୁ କରିବାକୁ ପରାମର୍ଶ ଦିଆଯାଇଛି। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ବୈଠକରେ ଅନେକ ପ୍ରଶ୍ନ ଉପରେ ଦୃଷ୍ଟି ଦିଆଯିବ।
ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶ ଶାହାଜାହାନପୁର ଗଙ୍ଗା ଏକ୍ସପ୍ରେସ ୱେର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ କେନ୍ଦ୍ରମନ୍ତ୍ରୀ ବି.ଏଲ ବର୍ମା ଅନ୍ୟମାନଙ୍କ ମଧ୍ୟରେ ଏହି ଅବସରରେ ଉପସ୍ଥିତ ଥିଲେ।
ସମବେତ ଜନତାଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କୋକରୀ ଘଟଣାରେ ବିପ୍ଳବ ରାମପ୍ରସାଦ ବିସମିଲ, ଆସଫାକ୍ଉଲ୍ଲା ଖାଁ ଏବଂ ରୋଶନ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସ୍ଥାନୀୟ ଉପଭାଷାରେ ପ୍ରଧାନମନ୍ତ୍ରୀ ଦାମୋଦର ସ୍ୱରୂପ (ବିଦ୍ରୋହୀ) ରାଜବାହାଦୁର ଭିକଲ ଏବଂ ଅଗ୍ନିବେଶ ଶୁଳ୍କା ସ୍ୱାଧୀନତା ସଂଗ୍ରାମର କବିଗଣଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। “ଆସନ୍ତାକାଲି ରାମପ୍ରସାଦ ବିସମିଲ, ଆସଫାକ ଉଲ୍ଲାଖାଁ, ଠାକୁର ରୋଶନ ସିଂଙ୍କ ଶହୀଦ ଦିବସ। ଏହି ଶାହାଜାହାନପୁର ତିନି ସୁପୁତ୍ରଙ୍କୁ ବ୍ରିଟିଶ ଶାସନ ପ୍ରତି ଆହ୍ୱାନ ଦେଇଥିବାରୁ ଡିସେମ୍ବର ୧୯ତାରିଖ ଦିନ ଫାଶୀ ଦିଆଯାଇଥିଲା । ଏହି ବୀରମାନଙ୍କ ପ୍ରତି ଆମର ବଡ ଋଣ ଅଛି। ଯେଉଁମାନେ ଭାରତରେ ସ୍ୱାଧୀନତା ପାଇଁ ଅମୂଲ୍ୟ ବଳିଦାନ ଦେଇଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ମା’ ଗଙ୍ଗା ହେଉଛନ୍ତି ପ୍ରତ୍ୟେକ ଶୁଭ ଓ ପ୍ରଗତିର ଉତ୍ସ। ମା’ ଗଙ୍ଗା ସମସ୍ତଙ୍କୁ ଖୁସି ଦେଇ ଦୁଃଖକଷ୍ଟ ନେଇଯାଇଥାନ୍ତି। ସେହିପରି ଗଙ୍ଗା ଏକ୍ସପ୍ରେସ ୱେ ଉତ୍ତରପ୍ରଦେଶର ନୂତନ ବିକାଶର ଦ୍ୱାର ଉନ୍ମୁକ୍ତ କରିବ। ଏହା ରାଜ୍ୟର ପାଞ୍ଚଟି ବରଦାନର ଉତ୍ସ ହେବ। ଏକ୍ସପ୍ରେସ ୱେ, ନୂତନ ବିମାନଘାଟୀ ଏବଂ ରେଳପଥର ନଜିର ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରଥମ ବରଦାନ ହେଉଛି ଲୋକମାନଙ୍କୁ ସମୟ ବଂଚାଇବା, ଦ୍ୱିତୀୟ ବରଦାନ ହେଉଛି ଜନସାଧାରଣଙ୍କ ଅସୁବିଧା ଓ କଷ୍ଟଲାଘବ କରିବା, ତୃତୀୟ ବରାଦନା ହେଉଛି ଉତ୍ତରପ୍ରଦେଶର ସମ୍ପଦର ସୁବିନିଯୋଗ, ଚତୁର୍ଥ ହେଲା ଉତ୍ତରପ୍ରଦେଶର ସାମର୍ଥ୍ୟ ବୃଦ୍ଧି ଓ ପଂଚମ ବରଦାନ ହେଉଛି ଉତ୍ତରପ୍ରଦେଶର ସର୍ବାଙ୍ଗୀନ ସମୃଦ୍ଧି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଧୁନିକ ଭିତ୍ତିଭୂମି ଯାହା ଏବେ ଉତ୍ତରପ୍ରଦେଶରେ ବିକଶିତ ହୋଇଛି। ତାହା ଯଥାର୍ଥ ବିନିଯୋଗ ହୋଇଛି। “ଆପଣମାନେ ଦେଖିଥିବେ, ଆଗରୁ ଜନସାଧାରଣଙ୍କ ଅର୍ଥ କିପରି ଖର୍ଚ୍ଚ ହେଉଥିଲା, ମାତ୍ର ଆଜି ଉତ୍ତରପ୍ରଦେଶରେ ଅର୍ଥ ରାଜ୍ୟର ବିକାଶ ଦିଗରେ ବିନିଯୋଗ ହେଉଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଯେତେବେଳେ ସମଗ୍ର ଉତ୍ତରପ୍ରଦେଶର ବିକାଶ ହୁଏ, ସେତେବେଳେ ଦେଶର ମଧ୍ୟ ପ୍ରଗତି ହୋଇଥାଏ। ସେ ଦୃଷ୍ଟିରୁ ଡବଲ ଇଞ୍ଜିନ ସରକାର ଉତ୍ତରପ୍ରଦେଶ ବିକାଶରେ ସହାୟକ ହୋଇଛି। ସବ୍କା ସାଥ, ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଆମେ ଉତ୍ତରପ୍ରଦେଶର ବିକାଶ ପାଇଁ ନିଷ୍ଠାପର ଉଦ୍ୟମ କରୁଛୁ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ପାଂଚବର୍ଷ ତଳର ପରିସ୍ଥିତିକୁ ସ୍ମରଣ କରାଇ କହିଥିଲେ ଯେ ଅଳ୍ପ କେତେକ ଅଞ୍ଚଳକୁ ଛାଡିଦେଲେ ଉତ୍ତରପ୍ରଦେଶର ଅନେକ ସହର ଓ ଗ୍ରାମରେ ବିଦ୍ୟୁତ ଶକ୍ତି ନ ଥିଲା। ମାତ୍ର ଡବଲ ଇଞ୍ଜିନ ସରକାର କେବଳ କେବଳ ଅଶୀ ଲକ୍ଷ ବିଦ୍ୟୁତ ସଂଯୋଗ ଦେଇନାହାନ୍ତି ବରଂ ଆଗ ଅପେକ୍ଷା ଅନେକ ସ୍ଥାନକୁ ବିଦ୍ୟୁତ ସଂଯୋଗ ଯୋଗାଇ ଦେଇଛନ୍ତି। ସେ କହିଥିଲେ ଯେ ୩୦ଲକ୍ଷରୁ ଅଧିକ ଗରିବ ଲୋକ ପକ୍କା ଘର ପାଇଛନ୍ତି ଓ ଏହି ପ୍ରକ୍ରିୟା ଅବଶିଷ୍ଟ ହିତାଧିକାରୀ ପାଇବା ପର୍ଯ୍ୟନ୍ତ ଜାରି ରହିବ। ଶାହାଜାହାନପୁରରେ ମଧ୍ୟ ୫୦ହଜାର ପକ୍କା ଘର ତିଆରି ହୋଇଛି।
ପ୍ରଥମଥର ପାଇଁ ଦଳିତ, ବଞ୍ôଚତ ଓ ଅନଗ୍ରସରମାନଙ୍କୁ ତାଙ୍କ ଦ୍ୱାରା ଅଗ୍ରାଧିକାର ଦିଆଯାଉଛି ବୋଲି ସେ କହିଥିଲେ। ସମାଜରେ ଯିଏ ପଛରେ ପଡିଛି ଓ ଅନଗ୍ରସର ରହିଛି ସେମାନଙ୍କୁ ବିକାଶର ସୁବିଧା ଉପଲବ୍ଧ କରାଇବା ହେଉଛି ସରକାରଙ୍କ ପ୍ରାଥମିକତା। ସେହି ଭାବନା ଆମ କୃଷି ଓ କୃଷି ନୀତିରେ ପ୍ରତିଫଳିତ।”
ପ୍ରଧାନମନ୍ତ୍ରୀ ଦେଶର ଐତିହ୍ୟ ଓ ବିକାଶକୁ ବାଧା ଦେଲାଭଳି କାର୍ଯ୍ୟର ସମାଲୋଚନା କରିଥିଲେ। ସେଭଳି ଲୋକମାନେ ଗରିବ ଓ ସାଧାରଣ ଲୋକଙ୍କୁ ସେମାନଙ୍କ ଉପରେ ନିର୍ଭରଶୀଳ ହେବାକୁ ଚାହୁଁଛନ୍ତି। “ଏହି ଲୋକମାନଙ୍କ ବାବା ବିଶ୍ୱନାଥଙ୍କ କାଶୀର ବିରାଟ ଧାମ ନିର୍ମାଣ ନେଇ ଅସୁବିଧା ହେଉଛି। ସେମାନଙ୍କର ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ନେଇ ଅସୁବିଧା ହେଉଛି। ଗଙ୍ଗାଜୀଙ୍କ ସ୍ୱଚ୍ଛତା ଅଭିଯାନ ପାଇଁ ସେମାନଙ୍କ ଅସୁବିଧା ହେଉଛି। ଏମାନେ ସେହିଲୋକ ଯେଉଁମାନେ ସେନାର ଆତଙ୍କ ମୁକାବିଲା ନେଇ ପ୍ରଶ୍ନ ଉଠାଉଛନ୍ତି। ସେମାନେ ଭାରତୀୟ ବିଜ୍ଞାନୀ ମାନେ ବିକଶିତ କରିଥିବା କରୋନା ଟିକା ଉପରେ ମଧ୍ୟ ପ୍ରଶ୍ନ ଉଠାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ଆଗରୁ ଥିବା ଖରାପ ଆଇନ ଶୃଙ୍ଖଳା ପରିସ୍ଥିତିରେ ଏବେ ପରିବର୍ତ୍ତନ ଆସିଛି। ପ୍ରଧାନମନ୍ତ୍ରୀ ଏକ ସୂତ୍ର ଦେଇଥିଲେ ୟୁ.ପି.ୱାଇ. ଓ ଜି.ଆଇ ୟୁପି ପ୍ଲସ ଯୋଗୀ ବହୁତ ହୈ ଉପଯୋଗୀ।
ଏହି ଏକ୍ସପ୍ରେସୱେ ର ଉତ୍ସାହ ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ସଂଯୋଗୀକରଣ ଦୂରଦୃଷ୍ଟିକୁ ଭିତ୍ତିକରି ଦିଆଯାଇଥିଲା। ୫୯୪କିଲୋମିଟର ବ୍ୟାପି ୬ଲେନ୍ ବିଶିଷ୍ଟ ଏହି ଏକ୍ସପ୍ରେସ ୱେ ୩୬,୨୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବ। ମିରଟର ବିଦାଉଲି ଗ୍ରାମରୁ ଆରମ୍ଭ ହୋଇ ପ୍ରୟାଗରାଜଚ ଜୁଦାପୁର ଭଣ୍ଡୁପର୍ଯ୍ୟନ୍ତ ଯିବ। ଏହା ମିରଟ, ଭାପୁର, ବୁଲେନ୍ଦସର,ଆମରୋହା, ସମ୍ବଲ, ବାଦାଉନ୍, ଶାହାଜାନପୁର, ହରଦୋଇ, ଉନାଡ, ରାୟବରେଲୀ, ପ୍ରତାପଗଡ ଏବଂ ପ୍ରୟାଗରାଜ ପର୍ଯ୍ୟନ୍ତ ଯିବ। କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ଏହା ଉତ୍ତରପ୍ରଦେଶର ସବୁଠାରୁ ଦୀର୍ଘତମ ଏକ୍ସପ୍ରେସ ୱେ ହେବ। ଶାହାଜାନପୁରଠାରେ ୩.୫କିଲୋମିଟର ଦୀର୍ଘ ଏୟାର ଷ୍ଟ୍ରିପ୍ ମଧ୍ୟ ଜରୁରୀକାଳୀନ ବିମାନ ଉଡାଣ ଓ ଅବତରଣ ବ୍ୟବସ୍ଥା ରହିବ। ଏକ୍ସପ୍ରେସ ୱେ ସହ ଏକ ଶିଳ୍ପ ଅଳିନ୍ଦ ମଧ୍ୟ ହେବାର ପ୍ରସ୍ତାବ ରହିଛି।
ଏହି ଏକ୍ସପ୍ରେସ ୱେ ଶିଳ୍ପ ବିକାଶ, ବାଣିଜ୍ୟ, କୃଷି, ପର୍ଯ୍ୟଟନ ଇତ୍ୟାଦି କ୍ଷେତ୍ରକୁ ମଧ୍ୟ ପ୍ରୋତ୍ସାହନ ଦେବ। ଏହା ସେହି ଅଞ୍ଚଳର ସାମାଜିକ ଓ ଆର୍ଥିକ ବିକାଶରେ ମଧ୍ୟ ସହାୟକ ହେବ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ଆଉ ଏକ ଆନ୍ତର୍ଜାତୀୟ ନାଗରିକ ସମ୍ମାନ ଯୋଗ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପଡୋଶୀ ଦେଶ ଭୁଟାନ ସର୍ବୋଚ୍ଚ ନାଗରିକ ପୁରସ୍କାରରେ ସମ୍ମାନିତ କରିବ। ଏହା ଭୁଟାନ ଦ୍ୱାରା ଘୋଷଣା କରାଯାଇଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୁଟାନ ସର୍ବୋଚ୍ଚ ନାଗରିକ ପୁରସ୍କାର ‘ନଗଦଗ ପେଲ ଜି ଖୋରଲୋ’ ଘୋଷଣା କରିଛି। ଏହାପୂର୍ବରୁ ଅନେକ ଦେଶ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ଭୁଟାନ ଗସ୍ତର ଏକ ଫଟୋ ପିଏମଓ ଭୁଟାନ ସେୟାର କରିଛି। ଏଥିସହ ଭୁଟାନର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମ୍ମାନିତ କରିବାକୁ ନିଷ୍ପତ୍ତି ନେଇ ଆମେ ଅତ୍ୟନ୍ତ ଆନନ୍ଦିତ। କରୋନା ମହାମାରୀ ସମୟରେ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଭୁଟାନକୁ ଦେଇଥିବା ସହଯୋଗ ଏବଂ ସମର୍ଥନ ତୁଳନାତ୍ମକ ନୁହେଁ। ତେଣୁ ସେ ଏହି ସମ୍ମାନର ଯୋଗ୍ୟ। ଭୁଟାନର ଲୋକମାନଙ୍କଠାରୁ ଆପଣଙ୍କୁ ଶୁଭେଚ୍ଛା।
ନୂଆଦିଲ୍ଲୀ: ହାଇଦ୍ରାବାଦ ଗୃହରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାକ୍ଷାତ ହୋଇଥିଲା। ଏକବିଂଶତମ ବାର୍ଷିକ ଭାରତ-ଋଷ ସମ୍ମିଳନୀରେ ଉଭୟ ନେତା ଯୋଗ ଦେଇଥିଲେ। ଭାରତ ଏବଂ ଋଷ ମଧ୍ୟରେ ଏହା ହେଉଛି ଏକବିଂଶତମ ବାର୍ଷିକ ସମ୍ମିଳନୀ। ଋଷର ରାଷ୍ଟ୍ରପତି କିଛି ଘଣ୍ଟା ପାଇଁ ଭାରତ ଗସ୍ତରେ ରହିବେ। ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ବାର୍ତ୍ତାଳାପ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଆର୍ଥିକ କ୍ଷେତ୍ରରେ ମଧ୍ୟ ଆମର ସମ୍ପର୍କକୁ ଆଗକୁ ନେବା ପାଇଁ ଆମେ ଏକ ଦୀର୍ଘକାଳୀନ ଦୃଷ୍ଟିକୋଣ ଗ୍ରହଣ କରୁଛୁ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆମେ ୨୦୨୫ ସୁଦ୍ଧା ୩୦ ବିଲିୟନ ଡଲାର ବାଣିଜ୍ୟ ଏବଂ ୫୦ ବିଲିୟନ ଡଲାର ବିନିଯୋଗର ଲକ୍ଷ୍ୟ ସ୍ଥିର କରିଛୁ। କୋଭିଡ ଆହ୍ଵାନ ସତ୍ତ୍ୱେ ଭାରତ ଏବଂ ଋଷ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ସାମରିକ ଭାଗିଦାରୀରେ କୌଣସି ପରିବର୍ତ୍ତନ ହୋଇନାହିଁ। କୋଭିଡ ବିରୋଧରେ ଲଢେଇରେ ଦୁଇ ଦେଶ ମଧ୍ୟରେ ସହଯୋଗ ମଧ୍ୟ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆମର ଦ୍ୱିପାକ୍ଷିକ ସମ୍ପର୍କ ପାଇଁ ୨୦୨୧ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଏହି ବର୍ଷ ଆମର ୧୯୭୧ ଶାନ୍ତି ବନ୍ଧୁତା ଏବଂ ସହଯୋଗ ଚୁକ୍ତିନାମାର ପାଞ୍ଚ ଦଶନ୍ଧି ଏବଂ ଆମର ସାମରିକ ଭାଗିଦାରୀର ୨ ଦଶନ୍ଧି ପୂରଣ କରୁଛି।
ଆଜି ଆମ ମଧ୍ୟରେ ସ୍ୱାକ୍ଷରିତ ବିଭିନ୍ନ ଚୁକ୍ତିନାମା ଏଥିରେ ସାହାଯ୍ୟ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅନ୍ତର୍ଗତ ମୂଳ ବିକାଶ ଏବଂ ସହ-ଉତ୍ପାଦନ ମାଧ୍ୟମରେ ଆମର ପ୍ରତିରକ୍ଷା ସହଯୋଗକୁ ଆହୁରି ମଜବୁତ କରାଯାଉଛି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆମର ପ୍ରତିରକ୍ଷା ଏବଂ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଦ୍ଵିପାକ୍ଷୀୟ ଆଲୋଚନା ହୋଇସାରିଛି। ଆମର ସହଯୋଗରେ ଉନ୍ନତି ଆଣିବା ପାଇଁ ଏହା ହେଉଛି ଏକ ନୂତନ ପ୍ରଣାଳୀ। ଆଫଗାନିସ୍ତାନ ଏବଂ ଅନ୍ୟାନ୍ୟ ଆଞ୍ଚଳିକ ପ୍ରସଙ୍ଗରେ ଆମେ ନିରନ୍ତର ସମ୍ପର୍କରେ ଅଛୁ।
ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ, ମୁଁ ଭାରତ ଗସ୍ତରେ ଆସିଥିବାରୁ ବହୁତ ଖୁସି। ଗତ ବର୍ଷ ଦୁଇ ଦେଶ ମଧ୍ୟରେ ବାଣିଜ୍ୟରେ ୧୭% ହ୍ରାସ ଘଟିଥିଲା। କିନ୍ତୁ ଚଳିତ ବର୍ଷ ପ୍ରଥମ ୯ ମାସରେ ବାଣିଜ୍ୟରେ ୩୮% ବୃଦ୍ଧି ଘଟିଛି। ସେ କହିଛନ୍ତି ଯେ, ଆମେ ସହଯୋଗୀ ଏବଂ ବହୁତ ଗୁରୁତ୍ୱପୂର୍ଣ୍ଣ ଜିନିଷ ଉପରେ ଏକାଠି କାମ କରୁଛୁ, ଯେଉଁଥିରେ ଶକ୍ତି କ୍ଷେତ୍ର, ଅନ୍ତରିକ୍ଷ କ୍ଷେତ୍ର ସମେତ ଉଚ୍ଚ ଟେକ୍ନୋଲୋଜି ଅନ୍ତର୍ଭୁକ୍ତ। ଆଜି ଆମେ ଏଠାରେ ଆଲୋଚନା କରିଥିବା କାର୍ଯ୍ୟକ୍ରମଗୁଡିକ ମଧ୍ୟରେ ଭାରତୀୟ ମହାକାଶଚାରୀଙ୍କ ତାଲିମ ସାମିଲ ଥିଲା।
ଗତ ଦୁଇ ବର୍ଷ ମଧ୍ୟରେ ପୁଟିନ ଭାରତ ଗସ୍ତ କରିନଥିଲେ। କରୋନା ମହାମାରୀ ହେତୁ ସେ ଜି-୨୦ ଏବଂ ସିଓପି-୨୬ ପରି ସମ୍ମିଳନୀରେ ମଧ୍ୟ ଯୋଗ ଦେଇପାରିନଥିଲେ। କୋଭିଡ ଯୋଗୁଁ ସେ ଚୀନ୍ ଗସ୍ତକୁ ମଧ୍ୟ ସ୍ଥଗିତ ରଖିଥିଲେ। ତେବେ ଏହି ବର୍ଷ ସେ କେବଳ ଆମେରିକାର ରାଷ୍ଟ୍ରପତିଙ୍କୁ ଭେଟିଥିଲେ। ପୁଟିନ ଜୁନ୍ ୧୬ ତାରିଖରେ ଜେନେଭାରେ ପହଞ୍ଚିଥିଲେ।
ନୂଆଦିଲ୍ଲୀ: ଆଜିଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଯାଇଛି। ଚଳିତ ଅଧିବେଶନରେ ବିରୋଧୀମାନେ ଦେଶର ଅନେକ ସମସ୍ୟାକୁ ନେଇ ସରକାରକୁ ଘେରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି। ତେଣୁ ସଂସଦରେ ଅନେକ ଉତ୍ତେଜନା ଦେଖାଯିବା ନେଇ ଆଶଙ୍କା କରାଯାଉଛି। ତେବେ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଏକ ପ୍ରେସ ବାର୍ତ୍ତା ଦେଇଛନ୍ତି। ଚଳିତ ଅଧିବେଶନକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ପ୍ରେସ ବିବୃତ୍ତିରେ କଣ ମତ ରଖିଲେ, ଆସନ୍ତୁ ଜାଣିବା…..
ସଂସଦର ଏହି ଅଧିବେଶନ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ। ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି। ହିନ୍ଦୁସ୍ତାନର ଚାରିଆଡ଼େ ଏହି ଆଜାଦୀ କା ଅମୃତ ମହୋତ୍ସବ ନିମନ୍ତେ ସୃଜନଶୀଳ, ସକାରାତ୍ମକ, ଜନହିତ ଲାଗି, ରାଷ୍ଟ୍ରହିତ ଲାଗି ଉଦ୍ଦିଷ୍ଟ, ସାଧାରଣ ନାଗରିକମାନଙ୍କ ପାଇଁ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ସ୍ୱାଧୀନତା ସଂଗ୍ରାମୀମାନେ ଯେଉଁ ସ୍ୱପ୍ନ ଦେଖିଥିଲେ ସେହି ସ୍ୱପ୍ନକୁ ପୂରଣ କରିବା ଲାଗି ସାଧାରଣ ନାଗରିକମାନେ ମଧ୍ୟ ନିଜର କୌଣସି ନା କୌଣସି ଦାୟିତ୍ୱ ନିର୍ବାହ କରିବା ଲାଗି ପ୍ରୟାସ କରୁଛନ୍ତି। ଏସବୁ ଖବର ଭାରତର ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ଅତ୍ୟନ୍ତ ଶୁଭ ସଙ୍କେତ।
ପୂର୍ବରୁ ମଧ୍ୟ ଆମେ ଦେଖିଛୁ, ଗତ କିଛି ଦିନ ତଳେ ସମ୍ବିଧାନ ଦିବସ ଆୟୋଜନ କରାଯାଇଥିଲା। ନୂତନ ସଂକଳ୍ପ ନେଇ ସମ୍ବିଧାନର ଭାବନାକୁ ସାକାର କରିବା ଲାଗି ପ୍ରତ୍ୟେକ ନାଗରିକ ନିଜର ଦାୟିତ୍ୱ ନିର୍ବାହ କରିବା ଲାଗି ଶପଥ କରିଥିଲେ। ସାରା ଦେଶ ମଧ୍ୟ ଏକ ସଂକଳ୍ପ ନେଲା। ଏହି ପରିପ୍ରେକ୍ଷୀରେ ଆମେ ଚାହୁଁଛୁ ଓ ସାରା ଦେଶ ମଧ୍ୟ ଚାହୁଁଛି ଯେ ସଂସଦରେ ଫଳପ୍ରଦ ଆଲୋଚନା ହେଉ। ଭାରତୀୟ ସଂସଦର ଚଳିତ ଅଧିବେଶନ ଏବଂ ଆଗାମୀ ଅଧିବେଶନରେ ମଧ୍ୟ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଭାବନା, ସେମାନଙ୍କର ଲକ୍ଷ୍ୟ, ସ୍ୱାଧୀନତାର ଅମୃତ ମହୋତ୍ସବର ଭାବନା ଅନୁକୂଳ ଏବଂ ଦେଶ ହିତ ପାଇଁ ଆଲୋଚନା କରାଯାଉ। ଦେଶର ପ୍ରଗତି ଓ ବିକାଶ ପାଇଁ ନୂଆ ଉପାୟ ଓ ମାର୍ଗର ସନ୍ଧାନ କରାଯାଉ। ଏହି ଆଲୋଚନାରୁ ଦୂରଗାମୀ ପ୍ରଭାବ ବିସ୍ତାର କରୁଥିବା ସକାରାତ୍ମକ ନିଷ୍ପତ୍ତି ଗ୍ରହଣ କରାଯାଉ। ମୁଁ ଆଶା କରୁଛି ଯେ ଭବିଷ୍ୟତରେ ସଂସଦର ସୁପରିଚାଳନାରେ କେତେ ଯୋଗଦାନ ଦିଆଗଲା ତାହାର ମୂଲ୍ୟାଙ୍କନ କରାଯିବ। କିଏ କେତେ ଜୋର ଲଗାଇ ସଂସଦ ଅଧିବେଶନରେ ବାଧା ଉତ୍ପନ୍ନ କଲା ସେହି ମାନଦଣ୍ଡକୁ ନେଇ ମୂଲ୍ୟାଙ୍କନ କରାଯିବ ନାହିଁ। ସଂସଦରେ କେତେ ଘଣ୍ଟା କାମ ହେଲା, କେତେ ସକାରାତ୍ମକ କାର୍ଯ୍ୟ ହେଲା ସେହି ମାନଦଣ୍ଡକୁ ଗ୍ରହଣ କରାଯିବା ଉଚିତ୍। ସରକାର ପ୍ରତ୍ୟେକ ପ୍ରସଙ୍ଗରେ ଆଲୋଚନା, ବିସ୍ତୃତ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି। ସରକାର ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ରହିଛନ୍ତି ଏବଂ ସ୍ୱାଧୀନତାର ଏହି ଅମୃତ ମହୋତ୍ସବ କାଳରେ ଆମେ ଚାହୁଁଛୁ ଯେ ସଂସଦରେ ପ୍ରଶ୍ନ ଉତ୍ଥାପନ କରାଯାଉ, କିନ୍ତୁ ସଂସଦରେ ଶାନ୍ତି ମଧ୍ୟ ବଜାୟ ରହୁ।
ଆମେ ଚାହୁଁଛୁ, ସଂସଦରେ ସରକାରଙ୍କ ବିରୋଧରେ, ସରକାରୀ ନୀତି ବିରୋଧରେ ସ୍ୱର ଅଧିକ ପ୍ରଖର ହେବା ଉଚିତ୍, କିନ୍ତୁ ସଂସଦର ଗରିମା, ବାଚସ୍ପତିଙ୍କ ଗରିବା, ପଦବୀର ଗରିମା ବଜାୟ ରଖି ଆମେ ଏପରି ଆଚରଣ କରିବା ଯାହା ଆଗାମୀ ଦିନରେ ଦେଶର ଯୁବପିଢ଼ିଙ୍କ ପାଇଁ ଉଦାହରଣ ପାଲଟିବ। ବିଗତ ଅଧିବେଶନ ପରେ କରୋନାର ଏକ ବିକଟ ପରିସ୍ଥିତିରେ ମଧ୍ୟ ଦେଶ ୧୦୦ କୋଟିରୁ ଅଧିକ ଡୋଜ୍ କୋଭିଡ ଟିକାକରଣର ଉପଲବ୍ଧି ହାସଲ କରିପାରିଛି। ଏବେ ଆମେ ୧୫୦ କୋଟି ଡୋଜ୍ ଟିକାକରଣ ଦିଗରେ ଅଗ୍ରସର ହେଉଛୁ। ନୂଆ ଭାରିଆଣ୍ଟର ଖବର ମଧ୍ୟ ଆମକୁ ଆହୁରି ଅଧିକ ସତର୍କ ଓ ସଜାଗ କରି ଦେଇଛି। ମୁଁ ସଂସଦର ସମସ୍ତ ସାଥୀମାନଙ୍କୁ ମଧ୍ୟ ସତର୍କ ରହିବା ଲାଗି ନିବେଦନ କରୁଛି। ଆପଣମାନଙ୍କୁ ମଧ୍ୟ ସତର୍କ ରହିବା ଲାଗି ଅନୁରୋଧ କରୁଛି। କାରଣ ପ୍ରତି ଏ ସଙ୍କଟପୂର୍ଣ୍ଣ ସମୟରେ ଆପଣମାନଙ୍କର, ଦେଶବାସୀଙ୍କର ଉତ୍ତମ ସ୍ୱାସ୍ଥ୍ୟ ଆମେ ପ୍ରାଥମିକତା ଦେଉଛୁ।
ଦେଶର ୮୦ କୋଟିରୁ ଅଧିକ ନାଗରିକମାନଙ୍କୁ ଏହି କରୋନା କାଳର ସଙ୍କଟରେ ଯେମିତି ଅଧିକ କଷ୍ଟ ହେବ ନାହିଁ ସେଥିପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ ମାଗଣାରେ ଖାଦ୍ୟ ଶସ୍ୟ ଯୋଗାଇ ଦେବା ଲାଗି ଯୋଜନା କାର୍ଯ୍ୟକାରୀ କରାଯାଉଛି। ବର୍ତ୍ତମାନ ଏହାକୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ପାଖାପାଖି ୨ ଲକ୍ଷ ୬୦ ହଜାର କୋଟି ଟଙ୍କା ବ୍ୟୟରେ, ୮୦ କୋଟିରୁ ଅଧିକ ଗରିବ ଦେଶବାସୀଙ୍କ ଘରେ ଖାଦ୍ୟର ବ୍ୟବସ୍ଥା କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି। ମୁଁ ଆଶା କରୁଛି ଯେ ଆମେ ସମସ୍ତେ ଏହି ଅଧିବେଶନରେ, ମିଳିମିଶି ରାଷ୍ଟ୍ର ହିତରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିବା। ସାଧାରଣ ଜନତାଙ୍କ ଆଶା-ଆକାଂକ୍ଷାକୁ ପୂରଣ କରିବା ଲାଗି ବିଭିନ୍ନ ନିଷ୍ପତ୍ତି ନେବା। ମୁଁ ଏହି ଆଶା କରୁଛି।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ଏକ ପୂର୍ଣ୍ଣାଙ୍ଗ ଉଚ୍ଚସ୍ତରୀୟ ବୈଠକରେ ଦେଶର କୋଭିଡ୍ ପରିସ୍ଥିତିର ସବିଶେଷ ସମୀକ୍ଷା କରିଛନ୍ତି। ପ୍ରାୟ ଦୁଇଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ନୂଆ କୋଭିଡ ଭୂତାଣୁ “ଓମିକ୍ରନ”ର ସଂକ୍ରମଣ, ଟିକାଦାନ, ଚିକିତ୍ସା ବ୍ୟବସ୍ଥା ଓ ଅନ୍ୟାନ୍ୟ ସ୍ଥିତି ବିଷୟରେ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ।
ଏହି ବୈଠକ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ କୋଭିଡ ମହାମାରୀର ବୈଶ୍ୱିକ ଧାରା, ସଂକ୍ରମଣ ସ୍ଥିତି ଓ ଅନ୍ୟାନ୍ୟ ବିଷୟରେ ଅବଗତ କରାଯାଇଥିଲା। ମହାମାରୀ ଆରମ୍ଭ କାଳରୁ ବିଶ୍ୱର ବିଭିନ୍ନ ଦେଶରେ ତୁହାକୁ ତୁହା ନୂଆପ୍ରକାର ଭୂତାଣୁ ସଂକ୍ରମଣ ଘଟଣାମାନ ଘଟିଆସୁଛି ବୋଲି ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଭାରତରେ ସଂକ୍ରମିତଙ୍କ ସଂଖ୍ୟା ଓ ହାର ସହିତ କୋଭିଡସ୍ଥିତି କ’ଣ ତାହା ମଧ୍ୟ ପ୍ରଧାନମନ୍ତ୍ରୀ ପଚାରି ବୁଝିଥିଲେ।
ଏହି ବୈଠକରେ ଆହୁରି ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଦେଶରେ କୋଭିଡ ଟିକାଦାନର ପ୍ରଗତି ସମ୍ପର୍କରେ ଅବଗତ କରାଯିବା ସହିତ “ହର ଘର ଦସ୍ତକ” ଅଭିଯାନ କିପରି କାର୍ଯ୍ୟକାରୀ ହେଉଛି ସେ ବିଷୟରେ ସୂଚିତ କରାଯାଇଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶରେ ଦ୍ୱିତୀୟ ଡୋଜ ଟିକା ପ୍ରଦାନ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ ଓ କ୍ଷୀପ୍ରତର କରିବାର ଆବଶ୍ୟକତା ରହିଛି। ଯେଉଁମାନେ ପ୍ରଥମ ଡୋଜ ଟିକା ନେଇସାରିଛନ୍ତି, ସେମାନଙ୍କୁ ନିର୍ଦ୍ଧାରିତ ସମୟରେ ଦ୍ୱିତୀୟ ଡୋଜ ଟିକାଦାନକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟମାନଙ୍କୁ ସଚେତନ କରାଇବାକୁ ପ୍ରଧାନମନ୍ତ୍ରୀ କହିଥିଲେ। ଦେଶରେ ସେରୋ ପଜିଟିଭିଟି ସ୍ଥିତି ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ବିଭିନ୍ନ ସମୟରେ ହେଉଥିବା ଏହି ପରୀକ୍ଷାର ସୁଫଳ ସାଧାରଣ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ କିପରି ପଡୁଛି ତାହା ମଧ୍ୟ ପ୍ରଧାନମନ୍ତ୍ରୀ ପଚାରି ବୁଝିଥିଲେ।
ଏବେ ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ନୂଆ କରୋନା ଭୂତାଣୁ ‘ଓମିକ୍ରନ”, ଏହାର ଲକ୍ଷଣ, ବିଭିନ୍ନ ଦେଶରେ ପଡିଥିବା ଏହାର ପ୍ରଭାବ ସମ୍ପର୍କରେ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଭାରତ ଉପରେ ଏହି ଭୂତାଣୁର କି ପ୍ରକାର ସମ୍ଭାବ୍ୟ ପ୍ରଭାବ ପଡିପାରେ ତାହା ମଧ୍ୟ ଆଲୋଚିତ ହୋଇଥିଲା। ନୂଆ ଭୂତାଣୁ ସଂକ୍ରମଣ ପରିପ୍ରେକ୍ଷୀରେ ଏଥିପ୍ରତି ସତର୍କ ଓ ପ୍ରସ୍ତୁତ ରହିବାକୁ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେ ଆହୁରି କହିଥିଲେ ଯେ ନୂଆ ସଂକ୍ରମଣ ପରିପ୍ରେକ୍ଷୀରେ ଜନସାଧାରଣ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ରକ୍ଷା କରି ଚଳିବା ଆବଶ୍ୟକ। ବିଦେଶରୁ ଯେଉଁମାନେ ଦେଶକୁ ଆସୁଛନ୍ତି ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ନିର୍ଦ୍ଧାରିତ ନିର୍ଦ୍ଦେଶାବଳୀ ଅନୁସାରେ କରାଯିବା ଆବଶ୍ୟକ। ଯେଉଁ ଦେଶଗୁଡିକ ସଂକ୍ରମଣ ଦୃଷ୍ଟିରୁ ବିପଦପୂର୍ଣ୍ଣଭାବେ ଚିହ୍ନଟ ହୋଇଛନ୍ତି, ସେଠାରୁ ଆସୁଥିବା ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ସେ କହିଛନ୍ତି। ଯେଉଁ ଦେଶଗୁଡିକ ସଂକ୍ରମଣମୁକ୍ତ ତାହାକୁ ପ୍ରମାଣଭିତ୍ତିରେ ଠାବ କରି ଆନ୍ତର୍ଜାତିକ ଭ୍ରମଣ କଟକଣାକୁ କୋହଳ କରିବାକୁ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ବୈଠକରେ ଦେଶରେ ଚାଲିଥିବା କରୋନା ବିରୋଧୀ ଅନୁ୍କ୍ରମଣ(ସିକ୍ୟୁଏନ୍ସିଂ)ପ୍ରୟାସ ତଥା ସଂକ୍ରମଣକାରୀ ଭୂତାଣୁଗୁଡିକ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ ନିୟମ ଅନୁସାରେ ଆନ୍ତର୍ଜାତିକ ଯାତ୍ରୀ ଓ ସମୁଦାୟଙ୍କ ଜେନମ୍ ସିକ୍ୟୁଏନି୍ସଂ ନମୁନା ସଂଗ୍ରହ କରାଯିବା ଉଚିତ। ସମଗ୍ର ସିକୁଏନି୍ସଂ ପ୍ରକ୍ରିୟାକୁ ବ୍ୟାପକ ଓ ସୁସଂହତ କରିବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ। ଜିଲ୍ଲା ଓ ପ୍ରାଦେଶିକସ୍ତରରେ ନୂଆ ସଂକ୍ରମଣ ରୋକିବାକୁ ଆବଶ୍ୟକ ପ୍ରସ୍ତୁତିକୁ ଗୁରୁତ୍ୱ ଦେଇ ଏଥିପାଇଁ ରାଜ୍ୟମାନଙ୍କୁ ସତର୍କ ଓ ସଚେତନ କରାଇବାକୁ ସେ କହିଥିଲେ। ଯେଉଁସବୁ ରାଜ୍ୟରେ ଅଧିକ ଭୂତାଣୁ ସଂକ୍ରମଣ ଘଟଣା ନିଜରକୁ ଆସୁଛି ସେଠାରେ ତଦାରଖ ଓ କଣ୍ଟେନମେଣ୍ଟ ବ୍ୟବସ୍ଥାକୁ ସୁଦୃଢ କରିବା ସହିତ ଆବଶ୍ୟକ ପଡିଲେ ରାଜ୍ୟ ସରକାରମାନଙ୍କୁ ବୈଷୟିକ ସହାୟତା ଯୋଗାଇଦେବାକୁ କହିଥିଲେ। ବାୟୁ ସଂଚାର ଓ ପବନ ଦ୍ୱାରା କେତେକ କରୋନା ଭୂତାଣୁ ସଂକ୍ରମଣ ବ୍ୟାପୁଥିବାରୁ ସେଥିପ୍ରତି ସଚେତନତା ସୃଷ୍ଟି ଉପରେ ସେ ଗୁରୁତ୍ୱ ଦେଇଥିଲେ।
ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ, କରୋନ ମୁକାବିଲା କ୍ଷେତ୍ରରେ ସେମାନେ ନୂଆ ଔଷଧପତ୍ରର ପ୍ରୟୋଗକୁ ବିଶେଷ ଗୁରୁତ୍ୱ ଦେଉଛନ୍ତି ଏବଂ ଏହାର ସୁବିଧା ଉପଲବ୍ଧ କରାଉଛନ୍ତି । ସବୁ ରାଜ୍ୟରେ ଯେପରି ପର୍ଯ୍ୟାପ୍ତ ପରିମାଣର ଔଷଧପତ୍ର ମହଜୁଦ ରହେ ତାହା ନିଶ୍ଚିତ କରିବାକୁ ଉପଯୁକ୍ତ ସମନ୍ୱୟ ବ୍ୟବସ୍ଥା କରିବା ପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଆହୁରି ମଧ୍ୟ ସବୁ ରାଜ୍ୟର ସ୍ୱାସ୍ଥ୍ୟସେବା ସୁବିଧା, ଭିତ୍ତିଭୂମି ତଥା ବିଶେଷକରି ଶିଶୁଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅଧିକାରୀମାନଙ୍କୁ କହିଥିଲେ। ରାଜ୍ୟମାନଙ୍କରେ ପିଏସ୍ଏ ଅକ୍ସିଜେନ ପ୍ଲାଣ୍ଟ ଓ ଭେଣ୍ଟିଲେଟର ସୁବିଧା କିପରି କାର୍ଯ୍ୟ କରୁଛି ତାହା ଦେଖିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।
ଏହି ବୈଠକରେ କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୌବା, ନୀତି ଆୟୋଗର ସଦସ୍ୟ(ସ୍ୱାସ୍ଥ୍ୟ) ଡକ୍ଟର ଭି.କେ.ପାଲ, ସ୍ୱରାଷ୍ଟ୍ର ସଚିବ ଏ.କେ. ଭଲ୍ଲା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ରାଜେଶ ଭୂଷଣ, ବାୟୋ ଟେକ୍ନୋଲୋଜି ସଚିବ ଡକ୍ଟର ରାଜେଶ ଗୋଖଲେ, ଆଇସିଏମ୍ଆର ଡିଜି ଡକ୍ଟର ବଳରାମ ଭାର୍ଗବ, ଆୟୁଷ ସଚିବ ବୈଦ୍ୟ ରାଜେଶ କୋଟେଚା, ସହରାଞ୍ଚଳ ବିକାଶ ସଚିବ ଦୁର୍ଗାଶଙ୍କର ମିଶ୍ର, ଏନ୍ଏଚ୍ଏର ସିଇଓ ଆର.ଏସ୍.ଶର୍ମା ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ଉପଦେଷ୍ଟା ପ୍ରଫେସର କେ ବିଜୟ ରାଘବନ ଓ ଅନ୍ୟାନ୍ୟ ବରିଷ୍ଠ ସରକାରୀ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶରେ ନୋଏଡା ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଜେନେରାଲ ଭିକେ ସିଂ, ସଞ୍ଜିବ ବାଲିୟାଁ, ଏସପି ସିଂ ବାଘେଲ ଏବଂ ବିଏଲ ବର୍ମା ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।
ସମବେତ ଲୋକମାନଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏକବିଂଶ ଶତାବ୍ଦୀର ନୂତନ ଭାରତ ଆଜି ଶ୍ରେଷ୍ଠତମ ଆଧୁନିକ ଭିତ୍ତିଭୂମି ନିର୍ମାଣ କରୁଛି। “ଉନ୍ନତ ସଡ଼କ, ଉନ୍ନତ ରେଳ ନେଟୱର୍କ, ଉନ୍ନତ ବିମାନ ବନ୍ଦର କେବଳ କେତେଗୁଡ଼ିଏ ଭିତ୍ତିଭୂମି ପ୍ରକଳ୍ପ ନୁହନ୍ତି, ବରଂ ଏଗୁଡ଼ିକ ସମ୍ପୂର୍ଣ୍ଣ ଅଞ୍ଚଳର ବିକାଶ କରିଥାନ୍ତି, ଲୋକମାନଙ୍କ ଜୀବନକୁ ବଦଳାଇ ଦେଇଥାନ୍ତି ବୋଲି ସେ କହିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ନୋଏଡା ଅନ୍ତର୍ଜାତୀୟ ବିମାନ ବନ୍ଦର ଉତ୍ତର ପ୍ରଦେଶର ଲଜିଷ୍ଟିକ୍ସ ପ୍ରବେଶ ଦ୍ୱାରରେ ପରିଣତ ହେବ। ଏହି ବିମାନ ବନ୍ଦର ସମ୍ପୂର୍ଣ୍ଣ ଅଞ୍ଚଳକୁ ଜାତୀୟ ଗତିଶକ୍ତି ମାଷ୍ଟର ପ୍ଲାନର ଏକ ଶକ୍ତିଶାଳୀ ପ୍ରତୀକରେ ପରିଣତ କରିବ ବୋଲି ସେ କହିଥିଲେ।
ଏହି ଭିତ୍ତିଭୂମି ବିକାଶର ଆର୍ଥିକ ପ୍ରଭାବ ବିଷୟରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବିମାନ ବନ୍ଦର ନିର୍ମାଣ ସମୟରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ବିମାନ ବନ୍ଦର ସୁପରିଚାଳନା ପାଇଁ ହଜାର ହଜାର ଲୋକମାନଙ୍କର ଆବଶ୍ୟକତା ଦେଖାଦେବ । ତେଣୁ “ଏହି ବିମାନ ବନ୍ଦର ପଶ୍ଚିମ ଉତ୍ତର ପ୍ରଦେଶର ହଜାର ହଜାର ଲୋକଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇ ଦେବ”, ବୋଲି ସେ କହିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସ୍ୱାଧୀନତାର ସାତ ଦଶନ୍ଧି ପରେ, ପ୍ରଥମ ଥର ପାଇଁ ଉତ୍ତର ପ୍ରଦେଶକୁ ନିଜର ହକ୍ ମିଳିପାରୁଛି। ଡବଲ ଇଞ୍ଜିନ ସରକାରଙ୍କ ପ୍ରୟାସ କାରଣରୁ, ଉତ୍ତର ପ୍ରଦେଶ ଆଜି ଦେଶରେ ସବୁଠୁ ଭଲ ଯୋଗାଯୋଗ ସୁବିଧା ଥିବା ରାଜ୍ୟରେ ପରିଣତ ହୋଇପାରିଛି। ସେ କହିଥିଲେ ଯେ ନୋଏଡ଼ା ଅନ୍ତର୍ଜାତୀୟ ବିମାନ ବନ୍ଦର ଭାରତୀୟ ବିମାନ ଚଳାଚଳ କ୍ଷେତ୍ରର ବିକାଶ କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହା ବିମାନ ରକ୍ଷଣାବେକ୍ଷଣ, ମରାମତି ଏବଂ ପରିଚାଳନାର ଏକ ପ୍ରମୁଖ କେନ୍ଦ୍ରରେ ପରିଣତ ହେବ। ସେ ସୂଚନା ଦେଇଥିଲେ ଯେ ଏହି ବିମାନ ବନ୍ଦର ଠାରେ ନିର୍ମାଣ ହେବାକୁ ଥିବା ବିମାନ ରକ୍ଷଣାବେକ୍ଷଣ, ମରାମତି ଏବଂ ଓଭରହଲ (ଏମଆରଓ) ସୁବିଧା ୪୦ ଏକର ସ୍ଥାନରେ ନିର୍ମାଣ କରାଯିବ। ଏହା ଶହ ଶହ ଯୁବକଯୁବତୀଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ। ବର୍ତ୍ତମାନ ଏସବୁ ସୁବିଧା ପାଇବା ଲାଗି ଭାରତକୁ ବିଦେଶରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି।
ଏଠାରେ ନିର୍ମାଣ ହେବାକୁ ଥିବା ସମନ୍ୱିତ ମଲ୍ଟି-ମୋଡାଲ କାର୍ଗୋ ହବ୍ ବିଷୟରେ ମତବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଉତ୍ତର ପ୍ରଦେଶ ଭଳି ଚତୁର୍ଦ୍ଦିଗରୁ ଭୂଖଣ୍ଡ ଘେରି ରହିଥିବା ରାଜ୍ୟ ପାଇଁ ଏହି ବିମାନ ବନ୍ଦର ବିଶେଷ ଲାଭଜନକ ସାବ୍ୟସ୍ତ ହେବ। ଅଲିଗଡ଼, ମଥୁରା, ମେରଟ, ଆଗ୍ରା, ବିଜନୋର, ମୋରାଦାବାଦ ଏବଂ ବରେଲି ଭଳି ଶିଳ୍ପ କେନ୍ଦ୍ର ପାଇଁ ଏହି ହବ୍ ସୁବିଧା ଯୋଗାଇ ଦେବ। ସେ କହିଥିଲେ ଯେ, “ପ୍ରସ୍ତାବିତ ଭିତ୍ତିଭୂମି ନିର୍ମାଣ ଫଳରେ ଖୁର୍ଜା କଳାକାର, ମେରଟ୍ କ୍ରୀଡ଼ା ଉଦ୍ୟୋଗ, ସାହାରନପୁର ଫର୍ଣ୍ଣିଚର, ମୋରାଦାବାଦର ବ୍ରାସ ଶିଳ୍ପ, ଆଗ୍ରାର ଜୋତା ଶିଳ୍ପ ଏବଂ ପେଠା ଶିଳ୍ପକୁ ବ୍ୟାପକ ସହାୟତା ମିଳିପାରିବ।”
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଉତ୍ତରପ୍ରଦେଶକୁ ପୂର୍ବ ସରକାରମାନେ ଅବହେଳା ଓ ଅନ୍ଧକାର ମଧ୍ୟରେ ରଖିଥିଲେ। ପୂର୍ବ ସରକାରମାନେ ଉତ୍ତର ପ୍ରଦେଶକୁ କେବଳ ମିଥ୍ୟା ସ୍ୱପ୍ନ ଦେଖାଉଥିଲ। କିନ୍ତୁ ଏବେ ଉତ୍ତର ପ୍ରଦେଶ କେବଳ ଜାତୀୟ ସ୍ତରରେ ନୁହେଁ ବରଂ ଅନ୍ତର୍ଜାତୀୟ ସ୍ତରରେ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ପୂର୍ବର ଉତ୍ତର ପ୍ରଦେଶ ସରକାର ଏବଂ କେନ୍ଦ୍ର ସରକାର ପଶ୍ଚିମ ଉତ୍ତର ପ୍ରଦେଶକୁ କିଭଳି ଭାବେ ଅଣଦେଖା କରି ଆସୁଥିଲେ ଜେୱର ବିମାନ ବନ୍ଦର ତାହାର ଏକ ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ସେ କହିଥିଲେ, ଦୁଇ ଦଶନ୍ଧି ପୂର୍ବରୁ ଉତ୍ତର ପ୍ରଦେଶରେ ଥିବା ବିଜେପି ସରକାର ଏହି ପ୍ରକଳ୍ପ ସମ୍ପର୍କରେ ପରିକଳ୍ପନା କରିଥିଲେ। କିନ୍ତୁ ପରେ ପୂର୍ବତନ ଉତ୍ତର ପ୍ରଦେଶ ସରକାର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଟଣାଓଟରା ଯୋଗୁ ଏହି ବିମାନ ବନ୍ଦର ପ୍ରକଳ୍ପ ଝୁଲି ରହିଥିଲା। ଏପରିକି ପୂର୍ବରୁ ଉତ୍ତର ପ୍ରଦେଶରେ କ୍ଷମତାସୀନ ସରକାର ଏହି ବିମାନ ବନ୍ଦର ପ୍ରକଳ୍ପକୁ ବନ୍ଦ କରି ଦେବା ଲାଗି ତତ୍କାଳୀନ କେନ୍ଦ୍ର ସରକାରଙ୍କୁ ବିଧିବଦ୍ଧ ଭାବେ ଚିଠି ମଧ୍ୟ ଲେଖିଥିଲେ। ଏବେ ଡବଲ ଇଞ୍ଜିନ ସରକାରଙ୍କ ପ୍ରୟାସ କାରଣରୁ, ଆଜି ଆମେ ସେହି ସମାନ ବିମାନ ବନ୍ଦର ପାଇଁ ଭୂମି ପୂଜନ କରୁଛୁ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ଆମ ପାଇଁ ଭିତ୍ତିଭୂମି ରାଜନୀତିର ଅଂଶବିଶେଷ ନୁହେଁ ବରଂ ରାଷ୍ଟ୍ରନୀତିର ଅଂଶବିଶେଷ। ପ୍ରକଳ୍ପଗୁଡ଼ିକ ଯେପରି ଅଟକି ରହିବ ନାହିଁ, ଝୁଲନ୍ତା ଅବସ୍ଥାରେ ରହିବ ନାହିଁ କିମ୍ବା ଦିଗହରା ହେବ ନାହିଁ ତାହା ଆମେ ସୁନିଶ୍ଚିତ କରୁଛୁ। ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କିଭଳି ଭାବେ ସମ୍ପୂର୍ଣ୍ଣ ହେବ ତାହା ସୁନିଶ୍ଚିତ କରିବା ଲାଗି ଆମେ ପ୍ରୟାସ କରୁଛୁ।”
ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ ଯେ ଆମ ଦେଶରେ କେତେକ ରାଜନୈତିକ ଦଳ କେବଳ ସେମାନଙ୍କ ନିଜ ସ୍ୱାର୍ଥକୁ ପ୍ରାଥମିକତା ଦେଇଥାନ୍ତି। “ଏପରି ଲୋକମାନଙ୍କର ଚିନ୍ତାଧାରା ହେଉଛି-ନିଜର ସ୍ୱାର୍ଥ, ନିଜର ଏବଂ ନିଜ ପରିବାରର ବିକାଶ। ଅନ୍ୟପକ୍ଷରେ ଆମେ କେବଳ ରାଷ୍ଟ୍ର ପ୍ରଥମ ଭାବନା ନେଇ କାମ କରିଥାଉ। ସବକା ସାଥ-ସବକା ବିକାଶ, ସବକା ବିଶ୍ୱାସ-ସବକା ପ୍ରୟାସ, ଆମର ମନ୍ତ୍ର”, ପ୍ରଧାନମନ୍ତ୍ରୀ କହିଥିଲେ।
ସରକାର ନିକଟରେ ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ତାଲିକା ଦେଇଥିଲେ। ସେ କହିଥିଲେ ଯେ ଆମେ ୧୦୦ କୋଟିରୁ ଅଧିକ କୋଭିଡ ଟିକା ଦେବାର ମାଇଲଖୁଣ୍ଟ ହାସଲ କରିଛୁ। ୨୦୭୦ ସୁଦ୍ଧା ଅଙ୍ଗାରକାମ୍ଳ ନିର୍ଗମନ ଶୂନ୍ୟସ୍ତରକୁ ହ୍ରାସ ପାଇଁ ଆମେ ଲକ୍ଷ୍ୟ ରଖିଛୁ। ଉତ୍ତର ପ୍ରଦେଶରେ କୁଶୀନଗର ବିମାନ ବନ୍ଦର, ୯ଟି ମେଡ଼ିକାଲ କଲେଜ ନିର୍ମାଣ ଓ ଉଦଘାଟନ, ମହୋବାରେ ନୂତନ ନଦୀ ବନ୍ଧ ଓ ଜଳସେଚନ ପ୍ରକଳ୍ପ, ଝାନସିଠାରେ ପ୍ରତିରକ୍ଷା କରିଡର ଏବଂ ତତସଂକ୍ରାନ୍ତ ପ୍ରକଳ୍ପ, ପୂର୍ବାଞ୍ଚଳ ଏକ୍ସପ୍ରେସୱେ, ଜନଜାତୀୟ ଗୌରବ ଦିବସ ସମାରୋହ, ଭୋପାଳରେ ଆଧୁନିକ ରେଳ ଷ୍ଟେସନ, ମହାରାଷ୍ଟ୍ରର ପଣ୍ଢରପୁରରେ ଜାତୀୟ ରାଜପଥ ଏବଂ ଆଜି ନୋଏଡ଼ା ଅନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ଶିଳାନ୍ୟାସ ଆଦି ବିକାଶମୂଳକ ପ୍ରକଳ୍ପ ବିଷୟରେ ପ୍ରଧାନମନ୍ତୀ ଉଲ୍ଲେଖ କରିଥିଲେ। “ଆମର ଦେଶଭକ୍ତି ଓ ରାଷ୍ଟ୍ର ସେବା ସମ୍ମୁଖରେ କେତେକ ରାଜନୈତିକ ଦଳଗୁଡ଼ିକର ସ୍ୱାର୍ଥପର ନୀତି ତିଷ୍ଠି ରହିପାରିବ ନାହିଁ”, ବୋଲି ଶେଷରେ ପ୍ରଧାନମନ୍ତ୍ରୀ ମତ ବ୍ୟକ୍ତ କରିଥିଲେ।
ନୂଆଦିଲ୍ଲୀ: ତିନୋଟି କୃଷି ଆଇନକୁ କେନ୍ଦ୍ର ପ୍ରତ୍ୟାହାର ଘୋଷଣା କରିବା ପରେ ବିଜେପି ସାଂସଦ ବରୁଣ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି। ଚିଠିରେ ବରୁଣ ଗାନ୍ଧୀ ଦାବି କରିଛନ୍ତି ଯେ, ଏମଏସପି ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଆଇନ ପ୍ରଣୟନର ତୁରନ୍ତ ସମାଧାନ କରାଯାଉ। ଏଥିସହ ବରୁଣ ଗାନ୍ଧୀ ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କୁ ବରଖାସ୍ତ କରିବାକୁ ଦାବି କରିଛନ୍ତି। ଗତକାଲି ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ଏହି ତିନୋଟି ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିଥିଲେ।
I welcome the announcement of the withdrawal of the 3 #FarmLaws. It is my humble request that the demand for a law on MSP & other issues must also be decided upon immediately, so our farmers can return home after ending their agitation.
My letter to the Hon’ble Prime Minister: pic.twitter.com/6eh3C6Kwsz
— Varun Gandhi (@varungandhi80) November 20, 2021
ବରୁଣ ଗାନ୍ଧୀ ଟ୍ୱିଟ୍ କରି କହିଛନ୍ତି ଯେ, ଏମଏସପି ତଥା ଅନ୍ୟାନ୍ୟ ପ୍ରସଙ୍ଗରେ ଆଇନ ପ୍ରଣୟନ କରିବାର ତୁରନ୍ତ ନିଷ୍ପତ୍ତି ନେବା ପାଇଁ ମୋର ନମ୍ର ଅନୁରୋଧ। ତେଣୁ ଆନ୍ଦୋଳନ ଶେଷ ହେବା ପରେ କୃଷକ ଭାଇମାନେ ସମ୍ମାନର ସହ ଘରକୁ ଫେରିବେ। ସମ୍ମାନିତ ପ୍ରଧାନମନ୍ତ୍ରୀଙ୍କୁ ଏ ବାବଦରେ ମୋର ଚିଠି।
ନୂଆଦିଲ୍ଲୀ: ଆଜି ଗୁରୁ ପର୍ବ ଏବଂ କାର୍ତ୍ତିକ ପୂର୍ଣ୍ଣିମାର ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ବଡ ଘୋଷଣା କରିଛନ୍ତି। ତିନୋଟି ବିବାଦୀୟ ନୂତନ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ଦେଶବାସୀଙ୍କୁ କ୍ଷମା ମାଗିବାବେଳେ ମୁଁ କହିବାକୁ ଚାହେଁ ଯେ, ଆମର ତାପସ୍ୟାରେ କିଛି ଅଭାବ ରହିଯାଇଥିବ। କିଛି ଚାଷୀ ଭାଇମାନଙ୍କୁ ଆମେ ବୁଝାଇପାରିଲୁ ନାହିଁ।
ଆଜି ଗୁରୁ ନାନକ ଦେବଙ୍କ ପବିତ୍ର ପର୍ବ। କାହାକୁ ଦୋଷ ଦେବା ପାଇଁ ଏହା ସମୟ ନୁହେଁ। ଆଜି ମୁଁ ସମଗ୍ର ଦେଶକୁ ଜଣାଇବାକୁ ଆସିଛି ଯେ, ସରକାର ଏହି ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି। ସେ କହିଛନ୍ତି ଯେ, ଚଳିତ ମାସ ଶେଷ ସୁଦ୍ଧା ଏହି ତିନି କୃଷି ଆଇନ ପ୍ରତ୍ୟାହାର କରିବାର ସାମ୍ବିଧାନିକ ପ୍ରକ୍ରିୟା ଆରମ୍ଭ କରିବେ। ଏଥିସହ ଆନ୍ଦୋଳନରେ ବସିଥିବା ଲୋକଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ନିଜ ଘରକୁ ଫେରିବାକୁ ନିବେଦନ କରିଛନ୍ତି।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ କେନ୍ଦ୍ର ମନ୍ତ୍ରୀ ପରିଷଦ ସହିତ ପାଞ୍ଚଟି ‘ଚିନ୍ତନ ଶିବୀର’ ସମାପ୍ତ କରିଛନ୍ତି। ଏହି ଅଧିବେଶନ ଚାରି ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା। ଯେଉଁଥିରେ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗରେ ବିଚାର ବିମର୍ଶ କରିଥିଲେ। ସୂତ୍ରରୁ ପ୍ରକାଶ ଯେ, ୭୭ ମନ୍ତ୍ରୀଙ୍କୁ ଆଠଟି ଦଳରେ ବିଭକ୍ତ କରାଯାଇଛି, ସେଥିମଧ୍ୟରୁ ପ୍ରତ୍ୟେକଙ୍କ ମଧ୍ୟରୁ ଜଣଙ୍କୁ ସଂଯୋଜକ ଭାବରେ ଚୟନ କରାଯାଇଛି।
ଏହି ବୈଠକକୁ ‘ଚିନ୍ତନ୍ ଶିବୀର୍’ କୁହାଯାଉଥିଲା, ଯାହାକି କାର୍ଯ୍ୟ ଦକ୍ଷତା ଏବଂ ଶାସନରେ ସାମଗ୍ରିକ ଉନ୍ନତି ପାଇଁ ଏକ ଧ୍ୟାନ ଅଧିବେଶନ ଥିଲା। ଏହିପରି ପାଞ୍ଚଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା – ବ୍ୟକ୍ତିଗତ ଦକ୍ଷତା, କେନ୍ଦ୍ରିତ କାର୍ଯ୍ୟକାରିତା, ମନ୍ତ୍ରଣାଳୟର କାର୍ଯ୍ୟକାରିତା ଏବଂ ହିତାଧିକାରୀଙ୍କୁ ଯୋଡିବା, ପାର୍ଟି ସମନ୍ୱୟ ଏବଂ ପ୍ରଭାବୀ ସଂଚାର ଉପରେ ଏବଂ ସଂସଦୀୟ ପ୍ରଥା ଉପରେ ଶେଷ ଅଧିବେଶନ ଅନୁଷ୍ଠିତ ହୋଇଥିଲା।
ନୂଆଦିଲ୍ଲୀ: ଆଜି ସ୍ବାଧୀନ ଭାରତ ପରେ ଦେଶର ଶାସନ ଦାୟିତ୍ୱ ଗ୍ରହଣ କରିଥିବା ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ବାର୍ଷିକୀ। ଦେଶ ଏହାର ପ୍ରଥମ ପ୍ରଧାନମନ୍ତ୍ରୀଙ୍କୁ ସ୍ମରଣ କରିଛି। ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟରେ ଲେଖିଛନ୍ତି ଯେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ ନେହେରୁ ଜୀଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି। ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ବାର୍ଷିକୀରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦିଲ୍ଲୀର ଶାନ୍ତି ବନରେ ପହଞ୍ଚି ତାଙ୍କ ସମାଧୀରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୬ ତାରିଖ ମଙ୍ଗଳବାର ଦିନ ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଭାବରେ ଉପସ୍ଥାପିତ ହୋଇଥିବା ପୂର୍ବାଞ୍ଚଳ ଏକ୍ସପ୍ରେସୱେକୁ ଉଦଘାଟନ କରିବେ। ସରକାରୀ ସୂତ୍ରରୁ ପ୍ରକାଶ ଯେ, ପ୍ରଧାନମନ୍ତ୍ରୀ ମୋଦୀ ଏହାର ଉଦଘାଟନ ପାଇଁ ସୁଲତାନପୁର ଯାଉଛନ୍ତି। ସେ ମଙ୍ଗଳବାର ଅପରାହ୍ନ ୨ ଟାରେ ଏକ ସାଧାରଣ କାର୍ଯ୍ୟକ୍ରମରେ ପୂର୍ବାଞ୍ଚଳ ଏକ୍ସପ୍ରେସୱେକୁ ଦେଶ ପାଇଁ ଉତ୍ସର୍ଗ କରିବେ।
ସୂଚନାଯୋଗ୍ୟ ଯେ, ସାମରିକ ଦୃଷ୍ଟିକୋଣରୁ ଏହି ଏକ୍ସପ୍ରେସ ୱେକୁ ମଧ୍ୟ ମଜବୁତ କରାଯାଇଛି। ସୁଲତାନପୁର ଜିଲ୍ଲାର କୁଦେଭରରେ ଏହି ଏକ୍ସପ୍ରେସୱେରେ ତିନି କିଲୋମିଟର ଲମ୍ବା ରନୱେ ନିର୍ମାଣ କରାଯାଇଛି। ଯେଉଁଥିରେ ଯୁଦ୍ଧ ଜାହାଜ ଅବତରଣ କରିପାରିବ। ପ୍ରଧାନମନ୍ତ୍ରୀ ମୋଦୀ ଏଠାରେ ମଙ୍ଗଳବାର ଦିନ ଅପରାହ୍ନ ୩.୧୫ ମିନିଟରେ ଏୟାର ସୋ ଦେଖିବେ। ଏହି ଏୟାର ସୋକୁ ଭାରତୀୟ ବାୟୁସେନା ଉପସ୍ଥାପନ କରିବ।
ଶ୍ରୀନଗର: ଜମ୍ମୁ କାଶ୍ମୀରର ଗ୍ରୀଷ୍ମ ରାଜଧାନୀ ଶ୍ରୀନଗର, ବିଶ୍ୱର ୪୯ ଟି ସହର ମଧ୍ୟରୁ ଅନ୍ୟତମ, ଯାହା ସୋମବାର ଦିନ ‘ୟୁନେସ୍କୋ କ୍ରିଏଟିଭ୍ ସିଟି ନେଟୱାର୍କ (ୟୁସିସିଏନ୍) ରେ ଅନ୍ତର୍ଭୁକ୍ତ ହୋଇଛି। ଶ୍ରୀନଗରକୁ ୟୁନେସ୍କୋ ତାଲିକାରେ ହସ୍ତଶିଳ୍ପ ଏବଂ ଲୋକକଳା ବର୍ଗରେ ସ୍ଥାନିତ କରାଯାଇଛି। ଏହା ଶ୍ରୀନଗରର ପୁରୁଣା କାରିଗରୀ ଏବଂ ଜାମ୍ମୁ କାଶ୍ମୀରର ଐତିହ୍ୟକୁ ବହୁ ମାନ୍ୟତା ଦେଇଛି।
ୟୁନେସ୍କୋ କ୍ରିଏଟିଭ୍ ସିଟିରେ ଶ୍ରୀନଗରକୁ ଅନ୍ତର୍ଭୁକ୍ତ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି। ଶ୍ରୀନଗରର ସାଂସ୍କୃତିକ ନୈତିକତାକୁ ସ୍ୱୀକୃତି ଦେଇଥିବାରୁ ସେ କାଶ୍ମୀରବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଟୁଇଟ୍ରେ ଲେଖିଛନ୍ତି ଯେ, ଶ୍ରୀନଗରର ସୁନ୍ଦର ସହରକୁ ୟୁନେସ୍କୋ କ୍ରିଏଟିଭ୍ ସିଟି ନେଟୱାର୍କରେ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଶ୍ରୀନଗରର ହସ୍ତତନ୍ତ ଏବଂ ଲୋକକଳା ବିଷୟରେ ବିଶେଷ ଉଲ୍ଲେଖ କରାଯାଇଛି। ଜମ୍ମୁ କାଶ୍ମୀରବାସୀଙ୍କୁ ଅଭିନନ୍ଦନ। “
ନୂଆଦିଲ୍ଲୀ: ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ୧୦୦ କୋଟି ଟୀକାକରଣ ସମଗ୍ର ଦେଶର ସଫଳତା। ଆସନ୍ତୁ ଜାଣିବା ପ୍ରଧାନମନ୍ତ୍ରୀ ମୋଦୀ କ’ଣ କହିଛନ୍ତି-
୧- ଭାରତର ଟିକା ଅଭିଯାନକୁ ତୁଳନା କରାଯାଇପାରିବ ନାହିଁ। ପ୍ରଶ୍ନ ଉଠିଥିଲା ଯେ, ଭାରତ କରୋନା ମହାମାରୀ ସହିତ ଲଢିବାକୁକୁ ସମର୍ଥ ହେବ କି? ଭାରତ କେବେ ଟିକା ପାଇବ? ଭାରତ ଟିକା ପାଇବ କି ନାହିଁ? ଭାରତ ଏତେ ଲୋକଙ୍କୁ ଟିକା ଦେବାରେ ସକ୍ଷମ ହେବ କି?
୨- ଭାରତ ଯେଉଁ ଗତି ସହିତ ଶହେ କୋଟି ସଂଖ୍ୟା ଅତିକ୍ରମ କରିଛି ତାହା ମଧ୍ୟ ପ୍ରଶଂସନୀୟ। ଭାରତ ପ୍ରାୟତଃ ବିଶ୍ଵର ଅନ୍ୟ ଦେଶ ଦ୍ୱାରା ପ୍ରସ୍ତୁତ ଟିକା ଉପରେ ନିର୍ଭରଶୀଳ ଥିଲା। କିନ୍ତୁ ଏଥିରେ ପରିବର୍ତ୍ତନ ଦେଖାଯାଇଛି।
୩- ଭାରତର ସମ୍ପୂର୍ଣ୍ଣ ଟୀକାକରଣ କାର୍ଯ୍ୟକ୍ରମ ବିଜ୍ଞାନର ଗର୍ଭରେ ବୃଦ୍ଧି ପାଇଛି। ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ। ଟୀକା ପ୍ରସ୍ତୁତ ହେବା ପୂର୍ବରୁ ଏବଂ ଟୀକା ଆରମ୍ଭ ହେବା ପର୍ଯ୍ୟନ୍ତ, ଏହି ସମଗ୍ର ଅଭିଯାନରେ ବିଜ୍ଞାନ ଏବଂ ବୈଜ୍ଞାନିକ ଆପ୍ରୋଜ ଅନ୍ତର୍ଭୁକ୍ତ ହୋଇଛି। କରୋନା ମହାମାରୀ ସମୟରୁ, ଭାରତ ବହୁତ ଅସୁବିଧାରେ ପଡ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା।
୪- କେଉଁ ରାଜ୍ୟ କେତେ ଟିକା ପାଇବା ଉଚିତ ଏବଂ କେବେ ଏହା ପହଞ୍ଚିବା ଉଚିତ, ବୈଜ୍ଞାନିକ ସୂତ୍ର ଅନୁଯାୟୀ କାର୍ଯ୍ୟ କରାଯାଇଥିଲା। ଏହା ମଧ୍ୟ ଭାରତର ଲୋକଙ୍କୁ କୁହାଯାଉଥିଲା ଯେ, ଏଠାରେ ଏତେ ସଂଯମତା, ଏତେ ଶୃଙ୍ଖଳା କିପରି କାର୍ଯ୍ୟ କରିବ? କିନ୍ତୁ ଆମ ପାଇଁ ଗଣତନ୍ତ୍ରର ଅର୍ଥ ହେଉଛି ସମସ୍ତଙ୍କର ସମର୍ଥନ।
୫- ଆମ ଦେଶ କୋୱିନ୍ ପ୍ଲାଟଫର୍ମକୁ ଗରିବ, ଧନୀ, ଗାଁ, ସହର, ଦୂର ଦେଶରେ କେବଳ ଗୋଟିଏ ମନ୍ତ୍ର କରିଛି, ଯଦି ଏହି ରୋଗ ଭେଦଭାବ ନକରେ, ତେବେ ଟୀକାରେ ଭେଦଭାବ ହୋଇପାରିବ ନାହିଁ। ୧୦୦ କୋଟି ଟିକା ଡୋଜ ନେଇ ଭାରତର ଲୋକମାନେ ଏପରି ଲୋକଙ୍କୁ ଉତ୍ତର ଦେଇଛନ୍ତି। ଟୀକାକରଣ ଉପରେ କୌଣସି ଭିଆଇପି ସଂସ୍କୃତି ନାହିଁ। ତାଳି-ଥାଳି ବଜେଇ ଦେଶ ଏକଜୁଟ ହୋଇ ଦେଖାଗଲା।
୬- ଆଜି କେବଳ ଭାରତୀୟ କମ୍ପାନୀଗୁଡିକରେ ପୁଞ୍ଜି ବିନିଯୋଗ ନୁହେଁ, ଯୁବକମାନଙ୍କ ପାଇଁ ସୁଯୋଗ ମଧ୍ୟ ସୃଷ୍ଟି କରାଯାଉଛି। କୋୱିନ୍ ପ୍ଲାଟଫର୍ମ ଦୁନିଆରେ ଏକ ଉଦାହରଣ ସୃଷ୍ଟି କରିଛି। କରୋନା ଅବଧିରେ କୃଷି କ୍ଷେତ୍ର ଦେଶର ଅର୍ଥନୀତିକୁ ଅକ୍ଷୁର୍ଣ୍ଣ ରଖିଥିଲା। ବଡ ଲକ୍ଷ୍ୟ ସ୍ଥିର କରିବା ଏବଂ ସେଗୁଡିକ ହାସଲ କରିବା ଦେଶ ଜାଣେ। କିନ୍ତୁ, ଏଥିପାଇଁ ଆମକୁ ନିରନ୍ତର ସତର୍କ ରହିବା ଆବଶ୍ୟକ। ଆମେ ବେପରୁଆ ହେବା ଉଚିତ୍ ନୁହେଁ।
୭- କବଚ ଯେତେ ସୁନ୍ଦର, ଆଧୁନିକ ହେଉ, କବଚର ସୁରକ୍ଷା ସମ୍ପୂର୍ଣ୍ଣ ସୁନିଶ୍ଚିତ ହେବା ଉଚିତ, ଯେପର୍ଯ୍ୟନ୍ତ ଯୁଦ୍ଧ ଚାଲିଥିବା ପର୍ଯ୍ୟନ୍ତ ଅସ୍ତ୍ରଶସ୍ତ୍ର ଫୋପାଡି ଦିଆଯାଏ ନାହିଁ। ମୁଁ ଅନୁରୋଧ କରୁଛି ଯେ ଆମ ପର୍ବକୁ ଅତି ଯତ୍ନର ସହିତ ପାଳନ କରିବାକୁ ପଡିବ। ପ୍ରତ୍ୟେକ ଛୋଟ ଜିନିଷ କିଣିବା ପାଇଁ ଜିଦ୍ କରିବା ଉଚିତ, ଯାହା ମେଡ୍ ଇନ୍ ଇଣ୍ଡିଆ। ଯାହାକୁ ଜଣେ ଭାରତୀୟ ତିଆରିରେ ଝାଳ ବୁହାଇଛନ୍ତି। ଏବଂ ଏହା କେବଳ ସମସ୍ତଙ୍କ ଉଦ୍ୟମରେ ସମ୍ଭବ ହେବ। ଯେପରି ସ୍ଵଚ୍ଛ ଭାରତ ଅଭିଯାନ୍ ଏକ ଜନ ଆନ୍ଦୋଳନ। ସେହିପରି ଭାବରେ, ଭାରତୀୟଙ୍କ ଦ୍ୱାରା ନିର୍ମିତ ଜିନିଷ କିଣିବା, ଲୋକାଲ ପାଇଁ ଭୋକାଲ୍ ହୋଇଥିବାରୁ ଆମକୁ ଏହାକୁ କାର୍ଯ୍ୟକାରୀ କରିବାକୁ ପଡିବ।
୮- ବିଶେଷଜ୍ଞ ତଥା ଦେଶ-ବିଦେଶର ଅନେକ ଏଜେନ୍ସି ଭାରତର ଅର୍ଥନୀତିକୁ ନେଇ ବହୁତ ସକରାତ୍ମକ ଅଟନ୍ତି। ଆଜି କେବଳ ଭାରତୀୟ କମ୍ପାନୀଗୁଡିକରେ ରେକର୍ଡ ବିନିଯୋଗ ଆସୁନାହିଁ ବରଂ ଯୁବକମାନଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରାଯାଉଛି। ଷ୍ଟାର୍ଟ-ଅପରେ ରେକର୍ଡ ବିନିଯୋଗ ସହିତ, ରେକର୍ଡ ଷ୍ଟାର୍ଟ-ଅପ୍ ୟୁନିକର୍ନ ହୋଇଯାଉଛି।
୯- ଭାରତର ଲୋକମାନେ ଟିକା ପାଇବେ କି ନାହିଁ? ମହାମାରୀ ବ୍ୟାପିବା ପାଇଁ ଭାରତ ଯଥେଷ୍ଟ ଲୋକଙ୍କୁ ଟୀକାକରଣ କରିବାକୁ ସକ୍ଷମ ହେବ କି? ବିଭିନ୍ନ ପ୍ରଶ୍ନ ଥିଲା, କିନ୍ତୁ ଆଜି ଏହି ୧୦୦ କୋଟି ଟିକା ଡୋଜ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେଉଛି>
୧୦- ଗତକାଲି ଅକ୍ଟୋବର ୨୧ ତାରିଖରେ, ଭାରତ ୧୦୦ କୋଟି ଟିକା ଡୋଜର କଷ୍ଟସାଧ୍ୟ ଅସାଧାରଣ ଲକ୍ଷ୍ୟ ହାସଲ କରିଛି। ଏହି ସଫଳତା ପଛରେ ୧୩୦ କୋଟି ଦେଶବାସୀଙ୍କର କର୍ତ୍ତବ୍ୟ ଅଛି। ତେଣୁ ଏହି ସଫଳତା ହେଉଛି ଭାରତର ସଫଳତା, ପ୍ରତ୍ୟେକ ଦେଶବାସୀଙ୍କ ସଫଳତା।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ରୀୟ ଦୁର୍ନୀତି ନିବାରଣ ଆୟୋଗ (ସିଭିସି) ଏବଂ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ମିଳିତ ସମ୍ମିଳନୀରେ ଭିଡିଓ ବାର୍ତ୍ତା ପ୍ରଦାନ କରିଛନ୍ତି। ଏହି ସମ୍ମିଳନୀ ଗୁଜରାଟର କେଓଡ଼ିଆ ଠାରେ ଅନୁଷ୍ଠିତ ହେଉଛି।
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ସର୍ଦ୍ଦାର ପଟେଲଙ୍କ ସ୍ମୃତି ସହ ଜଡ଼ିତ ସ୍ଥାନ କେଓଡ଼ିଆରେ ଏହି ସମ୍ମିଳନୀ ଆୟୋଜନ କରାଯାଉଛି। ସର୍ଦ୍ଦାର ପଟେଲ ସବୁବେଳେ ପ୍ରଶାସନକୁ ଭାରତର ପ୍ରଗତି, ଜନସାଧାରଣଙ୍କ ଚିନ୍ତା ଏବଂ ଲୋକକଲ୍ୟାଣର ଆଧାରରେ ପରିଣତ କରିବା ପ୍ରତି ପ୍ରାଥମିକତା ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଭାରତ ଏ ଅମୃତ କାଳରେ ଏକ ବିଶାଳ ଲକ୍ଷ୍ୟ ହାସଲ କରିବା ଦିଗରେ ଅଗ୍ରସର ହେଉଛି। ଆଜି ଯେତେବେଳେ ଆମେ ଲୋକାଭିମୁଖି ଏବଂ ସକ୍ରିୟ ପ୍ରଶାସନକୁ ସୁଦୃଢ଼ କରିବା ଦିଗରେ ସଂକଳ୍ପବଦ୍ଧ ହୋଇଛୁ, ଆପଣମାନଙ୍କର କାର୍ଯ୍ୟ ତତ୍ପରତା ସର୍ଦ୍ଦାର ସାହେବଙ୍କ ଆଦର୍ଶକୁ ଆହୁରି ସୁଦୃଢ଼ କରିବ ବୋଲି ଶ୍ରୀ ମୋଦୀ କହିଥିଲେ।
ରାଷ୍ଟ୍ରୀୟ ଜୀବନର ସମସ୍ତେ କ୍ଷେତ୍ରରେ ଦୁର୍ନୀତି ନିବାରଣ ପାଇଁ ନିଜକୁ ସମର୍ପି ଦେବା ଲାଗି ପ୍ରଧାନମନ୍ତ୍ରୀ ସିବିଆଇ ଏବଂ ସିଭିସି ଅଧିକାରୀମାନଙ୍କୁ ଆହ୍ବାନ କରିଥିଲେ। ସେ କହିଥିଲେ ଯେ, ଦୁର୍ନୀତି ଲୋକମାନଙ୍କର ଅଧିକାରକୁ ଛଡ଼ାଇ ନେଇଥାଏ ଏବଂ ସମସ୍ତଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ବାଧା ସୃଷ୍ଟି କରିଥାଏ। ଏହା ରାଷ୍ଟ୍ରୀୟ ପ୍ରଗତିରେ ବାଧକ ସାଜିବା ସହିତ ରାଷ୍ଟ୍ରର ମିଳିତ ଶକ୍ତିକୁ ପ୍ରଭାବିତ କରିଥାଏ।
ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ, ଦୁର୍ନୀତି ନିବାରଣ ସମ୍ଭବ ବୋଲି ଗତ ୬-୭ ବର୍ଷରେ ସରକାର ବିଶ୍ବାସ ଜନ୍ମାଇବାରେ ସଫଳ ହୋଇଛନ୍ତି। ସେ କହିଥିଲେ, ଦଲାଲ ଓ ମଧ୍ୟସ୍ଥଙ୍କ ବିନା ଲୋକମାନେ ସରକାରୀ ଯୋଜନାଗୁଡ଼ିକର ସମ୍ପୂର୍ଣ୍ଣ ସୁବିଧା ପାଇବା ନେଇ ଏକ ବିଶ୍ବାସ ଆଜି ଦେଶରେ ସୃଷ୍ଟି ହୋଇଛି। ଲୋକମାନଙ୍କ ମନରେ ଏବେ ଏକ ଧାରଣା ସୃଷ୍ଟି ହୋଇଛି ଯେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ଯେତେ ଶକ୍ତିଶାଳୀ ହୁଅନ୍ତୁ ପଛେ, ଯୁଆଡ଼େ ଯାଆନ୍ତୁ ପଛେ, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। “ପୂର୍ବରୁ ସରକାର ଏବଂ ବ୍ୟବସ୍ଥା ଯେପରି ମାର୍ଗରେ ପରିଚାଳିତ ହେଉଥିଲା, ସେଥିରେ ଉଭୟ ରାଜନୈତିକ ଏବଂ ପ୍ରଶାସନିକ ଇଚ୍ଛାଶକ୍ତିର ଅଭାବ ରହିଥିଲା। ଦୁର୍ନୀତି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଆଜି ରାଜନୈତିକ ଇଚ୍ଛାଶକ୍ତି ରହିଛି ଏବଂ ପ୍ରଶାସନିକ ସ୍ତରରେ ନିରନ୍ତର ସୁଧାର ଅଣାଯାଉଛି”, ପ୍ରଧାନମନ୍ତ୍ରୀ କହିଥିଲେ। ପରିବର୍ତ୍ତିତ ଭାରତ ବିଷୟରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଏକବିଂଶ ଶତାବ୍ଦୀର ଭାରତ, ଆଧୁନିକ ଚିନ୍ତାଧାରା ସହିତ ମାନବଜାତିର କଲ୍ୟାଣ ପାଇଁ ପ୍ରଯୁକ୍ତିର ବ୍ୟବହାର ଉପରେ ଗୁରୁତ୍ବାରୋପ କରୁଛି। “ନୂତନ ଭାରତ ନବୋନ୍ମେଷ, ଯୋଜନା ପ୍ରସ୍ତୁତି ଏବଂ ଯୋଜନାକୁ କାର୍ଯ୍ୟକାରୀ କରିବା ଉପରେ ଜୋର ଦେଉଛି। ଦୁର୍ନୀତିକୁ ବ୍ୟବସ୍ଥାର ଅଂଶବିଶେଷ ବୋଲି ଗ୍ରହଣ କରିବା ଲାଗି ନୂତନ ଭାରତ ଏବେ ପ୍ରସ୍ତୁତ ନାହିଁ। ଏହା ପାରଦର୍ଶୀ ବ୍ୟବସ୍ଥା, ଦକ୍ଷ ପ୍ରକ୍ରିୟା ଏବଂ ସକ୍ରିୟ ପ୍ରଶାସନ ଚାହେଁ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ସର୍ବାଧିକ ନିୟନ୍ତ୍ରଣ ଏବଂ ସର୍ବାଧିକ କ୍ଷତି ଠାରୁ ସରକାର ଏବେ ସର୍ବନିମ୍ନ ସରକାର ଏବଂ ସର୍ବାଧିକ ପ୍ରଶାସନର ଯାତ୍ରା ଦିଗରେ ଆଗେଇ ଆସିଛନ୍ତି। ସରକାରୀ ପ୍ରକ୍ରିୟାକୁ ସରଳ କରିବା ମାଧ୍ୟମରେ ସାଧାରଣ ଜନତାଙ୍କ ଜୀବନରୁ ସରକାରୀ ହସ୍ତକ୍ଷେପ କମାଇବା ଲାଗି ସରକାର କିଭଳି ଭାବେ ଲକ୍ଷ୍ୟ ଆଧାରିତ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ପ୍ରଧାନମନ୍ତ୍ରୀ ବିସ୍ତୃତ ଭାବେ କହିଥିଲେ। ନାଗରିକମାନଙ୍କୁ ସଶକ୍ତ କରିବା ଲାଗି ବିଶ୍ବାସ ଓ ପ୍ରଯୁକ୍ତି ଉପରେ ସରକାର କିପରି ଭାବେ ଜୋର ଦେଇ ଆସୁଛନ୍ତି ତାହା ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ, ଏ ସରକାର ନାଗରିକଙ୍କୁ ଅବିଶ୍ବାସ କରନ୍ତି ନାହିଁ ଏବଂ ଏହି କାରଣରୁ ବିଭିନ୍ନ ସ୍ତରରେ ବହୁସଂଖ୍ୟକ କାଗଜପତ୍ର ଯାଞ୍ଚ କରିବାର ପ୍ରକ୍ରିୟାକୁ ଉଠାଇ ଦିଆଯାଇଛି। ଫଳରେ ଜନ୍ମ ପ୍ରମାଣପତ୍ର ଠାରୁ ଆରମ୍ଭ କରି ପେନସନଭୋଗୀଙ୍କ ପାଇଁ ଜୀବନ ପ୍ରମାଣପତ୍ର ପର୍ଯ୍ୟନ୍ତ ମଧ୍ୟସ୍ଥଙ୍କ ହସ୍ତକ୍ଷେପ ବିନା ପ୍ରଯୁକ୍ତି ମାଧ୍ୟମରେ ଜନସାଧାରଣଙ୍କୁ ମିଳିପାରୁଛି। ତୃତୀୟ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପାଇଁ ସାକ୍ଷାତକାର ପରୀକ୍ଷାକୁ ଉଠାଇ ଦିଆଯାଇଛି। ରୋଷେଇ ଗ୍ୟାସ ସିଲିଣ୍ଡର ବୁକିଂ ଠାରୁ ଆରମ୍ଭ କରି ଟିକସ ପଇଠ ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥାରେ ଫେସଲେସ୍ (ବ୍ୟକ୍ତିଗତ ସାକ୍ଷାତକାର ମୁକ୍ତ) ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏସବୁ ପଦକ୍ଷେପ ଦୁର୍ନୀତି ହ୍ରାସ କରିବା କ୍ଷେତ୍ରରେ ବିଶେଷ ସହାୟକ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ବିଶ୍ବାସ ଓ ପ୍ରଯୁକ୍ତି ଅନୁକୂଳ ମନୋଭାବ କାରଣରୁ ଦକ୍ଷ ପ୍ରଶାସନ ଏବଂ ବ୍ୟବସାୟିକ ସୁଗମତା ଅଧିକ ସୁଦୃଢ଼ ହୋଇଛି। ସେ କହିଥିଲେ, ବ୍ୟବସାୟ ପାଇଁ ଅନୁମତି ଏବଂ ଅନୁପାଳନ ସଂକ୍ରାନ୍ତ କେତେକ ପୁରୁଣା କାଳିଆ ନିୟମ ଉଚ୍ଛେଦ କରାଯାଇଛି। ଏଥିସହିତ ବର୍ତ୍ତମାନ ସମୟରେ ଦେଖାଦେଉଥିବା ସମସ୍ୟାର ସମାଧାନ ଲାଗି କେତେକ କଠୋର ଆଇନ ପ୍ରଣୟନ କରାଯାଇଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବହୁସଂଖ୍ୟକ ଅନୁପାଳନ ଆବଶ୍ୟକତାକୁ ଉଚ୍ଛେଦ କରାଯାଇଛି। ଏଥିସହିତ ବିଭିନ୍ନ ଅନୁମତି ଏବଂ ଅନୁପାଳନ ପ୍ରକ୍ରିୟାକୁ ଫେସଲେସ୍ କରାଯାଇଛି। ସେଲ୍ଫ-ଆସେସମେଣ୍ଟ (ଆତ୍ମ-ମୂଲ୍ୟାଙ୍କନ) ଏବଂ ସେଲ୍ଫ ଡିକ୍ଲାରେସନ (ସତ୍ୟପାଠ) ଭଳି ବ୍ୟବସ୍ଥାକୁ ପ୍ରୋତ୍ସାହିତ କରାଯାଉଛି। ସରକାରୀ ଇ-ମାର୍କେଟପ୍ଲେସ ଜିଇଏମ ଇ-ଟେଣ୍ଡର ପ୍ରଦାନ କ୍ଷେତ୍ରରେ ସ୍ବଚ୍ଛତା ଆଣିଛି। ଡିଜିଟାଲ ବ୍ୟବସ୍ଥା ତଦନ୍ତ ପ୍ରକ୍ରିୟାକୁ ସହଜ କରିଛି। ସେହିପରି ପିଏମ ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ ନିଷ୍ପତ୍ତି ଗ୍ରହଣ କରିବା ପ୍ରକ୍ରିୟାରେ ରହିଥିବା ବହୁ ବାଧା ଦୂର କରିବ। ସେ ଜୋର ଦେଇ କହିଥିଲେ ଯେ ବିଶ୍ବାସ ଏବଂ ପ୍ରଯୁକ୍ତିର ଏହି ଯାତ୍ରାରେ ସିଭିସି ଓ ବିବିଆଇ ଭଳି ସଂସ୍ଥା ପ୍ରତି ଦେଶର ଭରସା ରହିବା ଅତି ଜରୁରି। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ରାଷ୍ଟ୍ରକୁ ପ୍ରାଥମିକତା ଏବଂ ପ୍ରମୁଖ ଗୁରୁତ୍ବ ଦେବା ସବୁବେଳେ ଆମର ଲକ୍ଷ୍ୟ ହେବା ଉଚିତ୍। ଆମର କାର୍ଯ୍ୟ ସର୍ବଦା ଜନକଲ୍ୟାଣ ଏବଂ ଜନସାଧାରଣଙ୍କ ଚିନ୍ତା ପ୍ରତି କେନ୍ଦ୍ରିତ ହେବା ଉଚିତ୍ ବୋଲି ସେ କହିଥିଲେ। ଏହି ନିୟମ ପାଳନ କରୁଥିବା ‘କର୍ମଯୋଗୀ’ଙ୍କୁ ସେ ସବୁବେଳେ ସମର୍ଥନ ଯୋଗାଇ ଦେବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
‘ଦୁର୍ନୀତି ନିବାରଣ’ ଉପରେ ପ୍ରଧାନମନ୍ତ୍ରୀ ନିଜର ମତାମତ ପ୍ରଦାନ କରିଥିଲେ। ସେ କହିଥିଲେ ଯେ, ସତର୍କତା ମାଧ୍ୟମରେ ସମ୍ପୂର୍ଣ୍ଣ ଦୁର୍ନୀତି ନିବାରଣ ସମ୍ଭବ। ପ୍ରଯୁକ୍ତି ଏବଂ ଅନୁଭୂତି ମାଧ୍ୟମରେ ଏହାକୁ ସୁଦୃଢ଼ କରାଯାଇପାରିବ। ପ୍ରଯୁକ୍ତି ଓ ସତର୍କତା ସହିତ- ସରଳ, ସ୍ପଷ୍ଟ, ପାରଦର୍ଶୀ ପ୍ରକ୍ରିୟା ଦୁର୍ନୀତି ନିବାରଣ କ୍ଷେତ୍ରରେ ଦୀର୍ଘସ୍ଥାୟୀ ପ୍ରଭାବ ପକାଇବ। ଏହା ଆମ କାର୍ଯ୍ୟକୁ ସରଳ କରିବା ସହିତ ଦେଶର ସମ୍ବଳକୁ ସୁରକ୍ଷିତ ରଖିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ଦୁର୍ନୀତିଗ୍ରସ୍ତ ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରୁ ପଛଘୁଞ୍ଚା ନଦେବା ଲାଗି ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆହ୍ବାନ କରିଥିଲେ। ଦେଶ ଓ ଦେଶବାସୀଙ୍କ ସହ ବିଶ୍ବାସଘାତକତା କରୁଥିବା କୌଣସି ବ୍ୟକ୍ତିଙ୍କୁ ଯେପରି କୌଣସି ସ୍ଥାନରେ ସୁରକ୍ଷିତ ସ୍ଥାନ ମିଳିବ ନାହିଁ ତାହା ସୁନିଶ୍ଚିତ କରାଯିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ କହିଥିଲେ। ସବୁଠୁ ଗରିବ ଅବହେଳିତ ଲୋକମାନଙ୍କ ମନରୁ ବ୍ୟବସ୍ଥା ପ୍ରତି ରହିଥିବା ଭୟ ଦୂର କରିବା ଲାଗି ପ୍ରଧାନମନ୍ତ୍ରୀ ସେମାନଙ୍କୁ ପରାମର୍ଶ ଦେଇଥିଲେ। ପ୍ରଯୁକ୍ତିଜନିତ ଆହ୍ବାନ ଏବଂ ସାଇବର ଠକେଇ ପ୍ରତି ସତର୍କ ଓ ସଜାଗ ରହିବା ଲାଗି ମଧ୍ୟ ସେ ଆହ୍ବାନ କରିଥିଲେ।
ଆଇନ ଓ ପ୍ରକ୍ରିୟାକୁ ସରଳ କରିବା ଲାଗି ନିଜର ସ୍ବାଧୀନତା ଦିବସ ଅଭିଭାଷଣ ଗୁରୁତ୍ବାରୋପ କରିଥିବା ବିଷୟରେ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ନୂତନ ଭାରତ ନିର୍ମାଣରେ ବାଧା ସୃଷ୍ଟି କରୁଥିବା ପ୍ରକ୍ରିୟା ଦୂର କରିବା ଦିଗରେ ସିଭିସି, ସିବିଆଇ ଓ ଅନ୍ୟ ଦୁର୍ନୀତି ନିବାରଣ ସଂସ୍ଥାଗୁଡ଼ିକ ପଦକ୍ଷେପ ଗ୍ରହଣ କରିବା ଉଚିତ୍। ଶ୍ରୀ ମୋଦୀ କହିଥିଲେ ଯେ, ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ପାଇଁ ଭାରତର ନୀତିକୁ ଆପଣମାନେ ସୁଦୃଢ଼ କରିବାର ଆବଶ୍ୟକତା ରହିଛି। ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ ଯେ, ଆପଣମାନେ ଆଇନକୁ ଏପରି ଭାବେ କାର୍ଯ୍ୟକାରୀ କରିବା ଜରୁରି ଯାହାଫଳରେ ଗରିବ ଲୋକମାନେ ବ୍ୟବସ୍ଥାର ଅଧିକ ନିକଟତର ହୋଇପାରିବେ ଏବଂ ଦୁର୍ନୀତିଗ୍ରସ୍ତମାନେ ଏହାଠାରୁ ବାହାରେ ରହିପାରିବେ।
ନୂଆଦିଲ୍ଲୀ: ଦେଶର ମହାକାଶ କ୍ଷେତ୍ରରେ ଅଂଶଗ୍ରହଣ କରିବାକୁ ଇଚ୍ଛା କରୁଥିବା ଶିଳ୍ପସଂସ୍ଥାର ସଂଗଠନ ‘ଇଣ୍ଡିଆନ୍ ସ୍ପେସ୍ ଆସୋସିଏସନ୍’ (ଆଇଏସପିଏ) କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶରେ ଏପରି ନିର୍ଣ୍ଣାୟକ ସରକାର କେବେ ହୋଇ ନାହିଁ। କ୍ଷତିଗ୍ରସ୍ତ ପବ୍ଲିକ ସେକ୍ଟର ଏୟାର ଇଣ୍ଡିଆ ଘରୋଇକରଣରେ ସରକାରଙ୍କ ସଫଳତା ବିଷୟରେ ମୋଦୀ କହିଛନ୍ତି ଯେ, ଏହା ପ୍ରତିବଦ୍ଧତା ଏବଂ ଗମ୍ଭୀରତା ଦର୍ଶାଉଛି। ସାର୍ବଜନୀନ କ୍ଷେତ୍ରକୁ ନେଇ ସରକାରଙ୍କ ନୀତି ହେଉଛି ଯେଉଁ କ୍ଷେତ୍ରଗୁଡ଼ିକର ଆବଶ୍ୟକତା ନାହିଁ ତାହା ଘରୋଇ ଉଦ୍ୟୋଗଗୁଡିକ ପାଇଁ ଖୋଲାଯିବା ଉଚିତ୍। ତାଙ୍କ ସରକାର ଜାତୀୟ ସ୍ୱାର୍ଥ ଏବଂ ବିଭିନ୍ନ ହିତାଧିକାରୀଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖିଛି। ଭାରତ ଏତେ ପରିମାଣରେ ସଂସ୍କାର ଦେଖାଯାଉଛି, କାରଣ ଏହାର ଦୃଷ୍ଟିକୋଣ ସ୍ପଷ୍ଟ, ତାହା ହେଉଛି ‘ଆତ୍ମନିର୍ଭରଶୀଳ ଭାରତ’।