Categories
ଆଜିର ଖବର ରାଜ୍ୟ ଖବର

‘ସମାଜ’ ଖବରକାଗଜର ନୂଆ ସଂପାଦକ ହେଲେ ପ୍ରମୋଦ ମହାପାତ୍ର

ଭୁବନେଶ୍ବର: ଓଡିଶାର ସର୍ବ ପୁରାତନ ଖବରକାଗଜ ସମାଜର ନୂଆ ସଂପାଦକ ଭାବେ ଯୋଗଦେଇଛନ୍ତି ବରିଷ୍ଠ ସାମ୍ବାଦିକ ପ୍ରମୋଦ ମହାପାତ୍ର। ସେ ପୂର୍ବରୁ ଏହି ଖବରକାଗଜରେ ସେ କାର୍ଯ୍ୟକାରୀ ସଂପାଦକ ଭାବେ କାମ କରିଥିଲେ। ଗତକାଲି ଚୟନ କମିଟ ତାଙ୍କର ନାମ ସୁପାରିଶ କରିବା ପରେ ତାଙ୍କୁ ନୂଆ ସଂପାଦକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି।

ଲୋକସେବକ ମଣ୍ଡଳ ତରଫରୁ ପ୍ରକାଶିତ ଏହି ସର୍ବପୁରାତନ ଖବର କାଗଜର ସମାଜ ପାଇଁ ସଂପାଦକ ପଦ ନିମନ୍ତେ ଦରଖାସ୍ତ ଆହ୍ବାନ କରାଯାଇଥିଲା। ପ୍ରାରମ୍ଭିକ ଚୟନରେ ଶେଷରେ ମୋଟ ଆଠ ଜଣ ପ୍ରାର୍ଥୀଙ୍କୁ ସାକ୍ଷାତକାର ପାଇଁ ଡକାଯାଇଥିଲା। ଗତକାଲି କଟକ ସମାଜ ଅଫିସରେ ଏହି ସାକ୍ଷାତକାର ନିଆଯାଇଥିଲା। ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ଚୟନ କମିଟି ଶେଷରେ ପ୍ରମୋଦ ମହାପାତ୍ରଙ୍କ ନାମକୁ ମୋହର ମାରିଥିଲେ।

ଏହାପରେ ସମାଜ ଅନୁଷ୍ଠାନ ତରଫରୁ ତାଙ୍କୁ ସ୍ବାଗତ କରାଯାଇଥିଲା। ଏଥିରେ ଲୋକସେବକ ମଣ୍ଡଳର ଉପସଭାପତି ଦୀପକ ମାଲବ୍ୟ, ସର୍ବଭାରତୀୟ ସଂପାଦକ ଭୀମସେନ ଯାଦବ, ଓଡିଶା ଶାଖା ଅଧ୍ୟକ୍ଷ ନିରଂଜନ ରଥ, ଲୋକସେବକ ମଣ୍ଡଳର ସଂପାଦକ ଡ. ପ୍ରଭାସ ଆଚାର୍ଯ୍ୟ ଯୋଗଦେଇଥିଲେ।