Categories
ଆଜିର ଖବର ରାଜ୍ୟ ଖବର

ପ୍ରାଚୀନ ତାଳପତ୍ର ପୋଥି ସଂରକ୍ଷଣ ନିମନ୍ତେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପକ୍ଷରୁ ପନ୍ଦରଦିନିଆ ତାଲିମ କାର୍ଯ୍ୟକ୍ରମ

ଭୁବନେଶ୍ୱର: ପ୍ରାଚୀନ ତାଳପତ୍ର ପୋଥି ସଂରକ୍ଷଣ ନିମନ୍ତେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପକ୍ଷରୁ ଏକ ପନ୍ଦରଦିନିଆ ତାଲିମ କାର୍ଯ୍ୟକ୍ରମ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ଏହି କାର୍ଯ୍ୟକ୍ରମ ରାଜ୍ୟ ସଂଗ୍ରହାଳୟରେ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର, ଏମ୍‌.ଫିଲ୍‌ ଏବଂ ପିଏଚ୍‌ଡିରେ ଅଧ୍ୟୟନରତ ପ୍ରାୟ ୮୦ ଜଣ ବିଦ୍ୟାର୍ଥୀ ଯୋଗଦେଇ ପ୍ରାଚୀନ ପୋଥିଗୁଡ଼ିକର ସଂରକ୍ଷଣ ନିମନ୍ତେ ବ୍ୟବହାରିକ ତାଲିମ ଗ୍ରହଣ କରିବେ। ପ୍ରାଚୀନ ସାହିତ୍ୟ ହେଉଛି ବାସ୍ତବ ସାହିତ୍ୟର ମୂଳପିଣ୍ଡ। ଏଥିରେ ରହିଥିବା ସୁସମୃଦ୍ଧ ସାହିତ୍ୟ, ସଂସ୍କୃତି, ପରମ୍ପରା, ଇତିହାସ, ଆୟୁର୍ବେଦ ଚିକିତ୍ସା ପଦ୍ଧତି, ଗଣିତ, ଶିଳ୍ପ, ବାସ୍ତୁ ଶାସ୍ତ୍ର ଏବଂ ଅନେକ ବେଦ, ଉପନିଷେଦ ଓ ପୁରାଣ ସଂପର୍କିତ ବିଷୟବସ୍ତୁକୁ କିପରି ଉଦ୍ଧାର କରାଯାଇ ଅଧିକ ଦିନ ପର୍ଯ୍ୟନ୍ତ ସଂରକ୍ଷିତ ରଖାଯାଇପାରିବ ସେ ସଂପର୍କରେ ବିଶେଷଜ୍ଞମାନେ ପ୍ରଶିକ୍ଷଣ ଦେବେ।

ଆସନ୍ତାକାଲିର କାର୍ଯ୍ୟକ୍ରମକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଉଦ୍‌ଘାଟନ କରିବେ। ଏଥିରେ ଭାଷାବିତ୍‌ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ମୁଖ୍ୟବକ୍ତା, ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ମୁଖ୍ୟ ଅତିଥି, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ମଧୁସୂଦନ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେବେ।

ଏଥିରେ ବିଶେଷଜ୍ଞ ଭାବେ ଡ. ଗୌରାଙ୍ଗ ଚରଣ ଦାସ, ଡ. ପ୍ରଦୀପ୍ତ କୁମାର ପଣ୍ଡା, ଡ. ଫଣୀନ୍ଦ୍ର ଭୂଷଣ ନନ୍ଦ, ଡ. ସନ୍ତୋଷ କୁମାର ରଥ, ଡ. ରମେଶ ଚନ୍ଦ୍ର ମଲ୍ଲିକ, ଡ. ସନ୍ତୋଷ କୁମାର ତି୍ରପାଠୀ, ଅରୁଣ କୁମାର ନାୟକ, ବିଭାସ କୁମାର, ଜ୍ୟୋତି ରାଜ୍‌, ପର୍‌ବିନ୍ଦର୍‌ କୌର, ଅନୁରାଧା ଚୌଧୁରୀ, ଆଜ୍‌ଫର୍‌ ଅହମ୍ମଦ୍‌ ଯୋଗଦେବେ।

ତାଲିମ ପରେ ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନ କରାଯିବ ଏବଂ ଏଥିରୁ ଉପଲବ୍ଧ ଜ୍ଞାନ ଭବିଷ୍ୟତ ପିଢ଼ି ପାଇଁ ଉପଯୋଗୀ ହୋଇପାରିବ ବୋଲି ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଭାଗ୍ୟଲିପି ମଲ୍ଲ ଜଣାଇଛନ୍ତି।