Categories
ଆଜିର ଖବର ରାଜ୍ୟ ଖବର

କୋଭିଡ ରୋଗୀଙ୍କ ଭଲମନ୍ଦ ବୁଝିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ, ଫୋକସରେ 5 ଜିଲ୍ଲା

ଭୁବନେଶ୍ବର, କୋଭିଡ ରୋଗୀଙ୍କ ସୁବିଧା ଓ ନିରାପତ୍ତା ପ୍ରତି ବିଶେଷ ଧ୍ୟାନ ଦେବାକୁ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ କୋଭିଡ ମୁକାବିଲା ସଂପର୍କରେ ସମୀକ୍ଷା କରିବା ସହିତ ମୁଖ୍ୟମନ୍ତ୍ରୀ ରାଜ୍ୟର ୫ଟି ଫୋକସ୍‌ ଜିଲ୍ଲାରେ ତଦାରଖ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ପରାମର୍ଶ ଦେଇଛନ୍ତି। କୋଭିଡ ଯୋଦ୍ଧାମାନଙ୍କ ମନୋବଳ ଯେପରି ଅତୁଟ ରହିବ ସେଥିପାଇଁ ସେମାନଙ୍କ ସହ ନିୟମିତ ଯୋଗାଯୋଗରେ ରହିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପର୍ଯ୍ୟବେକ୍ଷକ ମାନଙ୍କୁ ପରାମର୍ଶ ଦେଇଥିଲେ।

CM's Relief Fund must be allowed to accept grants from pvt co ...

ପରୀକ୍ଷା ପାଇଁ ଅଧିକ ଲାବୋରେଟୋରୀ ଟେକନିସିଆନ ଓ ଅଧିକ ଆମ୍ବୁଲାନ୍‌ସ ମୁତୟନ କରିବା ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଛନ୍ତି । କୋଭିଡ ରୋଗୀଙ୍କ ମୃତଦେହକୁ ମର୍ଯ୍ୟାଦାପୂର୍ଣ୍ଣ ଭାବରେ ସତ୍କାର କରାଯିବା ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ସେ ପରାମର୍ଶ ଦେଇଥିଲେ। ଅନ୍ୟାନ୍ୟ ବିଷୟଗୁଡ଼ିକ ଉପରେ କୋଭିଡ ଯୋଦ୍ଧାମାନଙ୍କୁ ନିୟମିତ ତାଲିମ ଓ ଉତ୍ତମ ଖାଦ୍ୟ ଯୋଗାଣ ପାଇଁ ସେ ବୈଠକରେ ଜୋର୍ ଦେଇଛନ୍ତି।

ରାଜ୍ୟର 5ଟି ଜିଲ୍ଲା ଗଞ୍ଜାମ,କଟକ, ଯାଜପୁର, ସୁନ୍ଦରଗଡ ଓ ଖୋର୍ଦ୍ଧାରେ ଅଧିକ ପ୍ରବାସୀଙ୍କ ଆଗମନ ତଥା ଯିବା ଆସିବା କାରଣରୁ ପରିସ୍ଥିତି ଗମ୍ବୀର ରହିଛି। ତେଣୁ ଏହିସବୁ ଜିଲ୍ଲା ଉପରେ ଅଧିକ ଫୋକସ୍‌ କରାଯାଇ ପଦକ୍ଷେପ ନିଆଯାଇଛି।

ଗଞ୍ଜାମ ଜିଲ୍ଲାରେ ଅଧିକ ମାନବ ସମ୍ବଳ ସହିତ ଅଧିକ ଭେଣ୍ଟିଲେଟର, ଆମ୍ବୂଲାନ୍ସ, ଶଯ୍ୟା ଆଦିର ବ୍ୟବସ୍ଥା କରି ସମସ୍ତ ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ କହିଥିଲେ ଯେ ରାଜ୍ୟରେ କୋଭିଡ ମୁକାବିଲା ପାଇଁ ଥିବା ସମସ୍ତ ନୀତି ଓ ନିର୍ଦ୍ଦେଶକୁ କଡାକଡି ପାଳନ କରାଯାଉଛି।