Categories
ଆଜିର ଖବର ଜାତୀୟ ଖବର

ଭାରତ ୬ଜି ମେଣ୍ଟର ଶୁଭାରମ୍ଭ କଲା ଦୂରସଞ୍ଚାର ବିଭାଗ

ନୂଆଦିଲ୍ଲୀ: ନୂଆ ନୂଆ ପ୍ରଯୁକ୍ତିର ପ୍ରୟୋଗ ସହିତ ଦୂରସଞ୍ଚାର କ୍ଷେତ୍ର ନିରନ୍ତର ଭାବେ ଏକ ବିକଶିତ କ୍ଷେତ୍ର ଭାବେ ଆଗକୁ ବଢ଼ୁଛି। ଏହା ୱେର-ଲାଇନ୍‌ରୁ ମୋବାଇଲ ସେବା ଦିଗକୁ ପରିବର୍ତ୍ତିତ ହୋଇଛି। ମୋବାଇଲ ଏବେ ଲୋକଙ୍କ ଜୀବନଧାରା ପାଲଟିଛି। ମୋବାଇଲ ସେବା ମଧ୍ୟ ଟୁ-ଜି, ଥ୍ରୀ-ଜି ଠାରୁ ଆରମ୍ଭ କରି ଏବେ ଫୋର୍‌-ଜି ଓ ଫାଇଭ୍‌-ଜିରେ ପହଞ୍ଚିବା ସହିତ ୬-ଜି ଆଡ଼କୁ ଅଗ୍ରସର ହେଉଛି।

ସାର୍ବଜନୀନ ଓ ଶସ୍ତା ଯୋଗାଯୋଗ, ସ୍ୱଦେଶୀ ପ୍ରଯୁକ୍ତି ବିକାଶ, ଦୂରସଞ୍ଚାର ଓ ସେମିକଣ୍ଡକ୍ଟର ନିର୍ମାଣ ଇକୋସିଷ୍ଟମ ବିକଶିତ କରିବା, ୬-ଜି ପ୍ରଯୁକ୍ତି ଦିଗରେ ଆଗକୁ ବଢ଼ିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପକୁ ଆଉ ପାଦେ ଆଗକୁ ନେଇ ସଞ୍ଚାର ରାଷ୍ଟ୍ର ମନ୍ତ୍ରୀ ଦେବୁସିଂହ ଚୌହାନଙ୍କ ଉପସ୍ଥିତିରେ କେନ୍ଦ୍ର ରେଳ, ସଞ୍ଚାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କେତେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି :

ଭାରତ ୬ଜି ମେଣ୍ଟର ଗଠନ (ବି୬ଜିଏ) କରାଯିବ, ଏହା ଏକ ସରକାରୀ ଓ ଘରୋଇ କମ୍ପାନୀ, ଶିକ୍ଷାବିତ୍‌, ଗବେଷଣା ସଂସ୍ଥା ଓ ମାନକ ବିକାଶ ସଂଗଠନର ଏକ ସହଭାଗୀ ପ୍ଲାଟଫର୍ମ ଭାବେ କାର୍ଯ୍ୟ କରିବ।

ଭାରତ ୬ଜି ମେଣ୍ଟର ୱେବସାଇଟ୍‌ ଉନ୍ମୋଚନ କରାଯାଇଛି, ଯାହାର ଲିଙ୍କ ହେଉଛି https://bharat6galliance.com

ବି୬ଜିଏ ଅନ୍ୟ ୬ଜି ବିଶ୍ୱସ୍ତରୀୟ ସଂଗଠନର ସହିତ ସମନ୍ୱୟ ଓ ସହଭାଗିତା ପ୍ରତିଷ୍ଠା କରି କାର୍ଯ୍ୟ କରିବ ଏବଂ ଅନ୍ତର୍ଜାତୀୟ ସହଭାଗିତା ଓ ଜ୍ଞାନର ବିନିମୟକୁ ପ୍ରୋତ୍ସାହନ ଦେବ

ଏହା ବ୍ୟତୀତ ଦୂରସଞ୍ଚାର ପ୍ରଯୁକ୍ତି ବିକାଶ ପାଣ୍ଠି (ଟିଟିଡିଏଫ) ଅଧୀନରେ ୨୪୦ କୋଟି ୫୧ ଲକ୍ଷ ଟଙ୍କାର ଅନୁଦାନ ସହିତ ପ୍ରକଳ୍ପଗୁଡ଼ିକ ପାଇଁ ଦୁଇଟି ରାଜିନାମା ସ୍ୱାକ୍ଷରିତ ହୋଇଛି:

ଅର୍ବିଟାଲ୍‌ ଆଙ୍ଗୁଲାର ମୋମେଣ୍ଟମ (ଓଏଏମ) ସହିତ ୬ଜି ଟିଏଚଜେଡ୍‌ ଟେଷ୍ଟ ବେଡ୍‌ (ନୂଆ ପ୍ରଯୁକ୍ତି ପରୀକ୍ଷଣ କେନ୍ଦ୍ର) ଏବଂ ସମୀର, ଆଇଆଇଟି ମାଡ୍ରାସ, ଆଇଆଇଟି ଗୌହାଟୀ ଓ ଆଇଆଇଟି ପାଟନାର ସହଭାଗିତା ଜରିଆରେ ମଲ୍ଟିପ୍ଲେକ୍ସିଂ

ଆଧୁନିକ ଅପ୍ଟିକାଲ ସଞ୍ଚାର ଟେଷ୍ଟ ବେଡ୍‌ ବିକଶିତ କରାଯିବ ଯେଉଁଥିରେ ସହଭାଗୀ ସଦସ୍ୟ ରୂପରେ ଆଇଆଇଟି ମାଡ୍ରାସ, ଆଇଆଇଟି ଦିଲ୍ଲୀ, ଇନ୍ଦ୍ରପ୍ରସ୍ଥ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇନଫର୍ମେସନ ଟେକ୍ନୋଲୋଜି (ଆଇଆଇଆଇଟି) ଦିଲ୍ଲୀ, ସିଗ୍ନାଲଚିପ୍‌ ଇନୋଭେସନ୍ସ, ସିଗ୍ନାଲଟ୍ରୋନ ସିଷ୍ଟମ୍ସ ପ୍ରାଇଭେଟ୍‌ ଲିମିଟେଡ, ସାସମୋଟ୍‌ ଏଚଇଟି ଟେକ୍ନୋଲୋଜିଜ୍‌ ଲିମିଟେଡ, ଏସଏଫଓ ଟେକ୍ନୋଲୋଜିଜ୍‌ ପ୍ରାଇଭେଟ୍‌ ଲିମିଟେଡ, ଇଆରଏନଇଟି ଇଣ୍ଡିଆ, କ୍ୱାନଫ୍ଲୁଏନ୍ସ ପ୍ରାଇଭେଟ୍ ଲିମିଟେଡ, ଷ୍ଟେରଲାଇନ୍‌ ଟେକ୍ନୋଲୋଜିଜ୍‌ ଲିମିଟେଡ୍‌, ନାଭଟେକ, ତେଜସ୍‌ ନେଟୱର୍କ ଆଦି ସାମିଲ ରହିଛନ୍ତି।

ଆହୁରି ଡିସିଆଇଏସ (ଡିଜିଟାଲ କମ୍ପ୍ୟୁନିକେସନ ଇନୋଭେସନ ସ୍କୋୟାର) ଅଧୀନରେ ନିମ୍ନ ଘୋଷଣା କରାଯାଇଛି:

୬୬ଟି ଷ୍ଟାର୍ଟଅପ୍‌ ଓ ଏମଏସଏମଇ ପାଇଁ ୪୮ କୋଟି ଟଙ୍କାର ଅନୁଦାନ ଘୋଷଣା କରାଯାଇଛି

ଦୂରସଞ୍ଚାର କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ୭୫ ଜଣ ଉଦ୍ଭାବକଙ୍କୁ ଦୂରସଞ୍ଚାର ବିଭାଗ ଦ୍ୱାରା ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ସେମାନଙ୍କୁ ଅସାଧାରଣ ସଫଳତା ଓ ସମର୍ପଣ ନିମନ୍ତେ ସମ୍ମାନିତ କରାଯାଇଛି। ଦୂରସଞ୍ଚାର ବିଭାଗ ଡିସିଆଇଏସ ଯୋଜନା ଅଧୀନରେ ଏପରି ଷ୍ଟାର୍ଟଅପ୍ ଓ ଏମଏସଏମଇଗୁଡ଼ିକୁ ପାଣ୍ଠି ଯୋଗାଇ ଦେଇ ଆସୁଛି।

ଡିସିଆଇଏସର ବିସ୍ତୃତ ବିବରଣୀ https://dcis.dot.gov.in/ ରେ ଉପଲବ୍ଧ।

ଏହି କାର୍ଯ୍ୟକ୍ରମ ଅବସରରେ ଦୂରସଞ୍ଚାର ରାଷ୍ଟ୍ରମନ୍ତ୍ରୀ ଦେବୁ ସିଂହ ଚୌହାନ ଭାରତକୁ ବିଶ୍ୱ ଅର୍ଥ ବ୍ୟବସ୍ଥାର ସବୁଠୁ ଉଜ୍ଜ୍ୱଳ କ୍ଷେତ୍ର ଭାବେ ଅଭିହିତ କରିଥିଲେ। ସେ କହିଥିଲେ ଯେ, ଭାରତରେ ଦୂରସଞ୍ଚାର କ୍ଷେତ୍ର ସବୁଠୁ ଉଜ୍ଜ୍ୱଳ ପ୍ରଦର୍ଶନ କରୁଥିବା କ୍ଷେତ୍ର ଭାବେ ଉଭା ହୋଇଛି ଏବଂ ଏଥିପାଇଁ ସବୁ ଅଂଶୀଦାରମାନଙ୍କର ପ୍ରୟାସ ପ୍ରଶଂସନୀୟ। ସେ ଆହୁରି କହିଥିଲେ ଯେ, କେନ୍ଦ୍ର ସରକାର ବିଭିନ୍ନ ନାଗରିକ ଓ ଉଦ୍ୟୋଗ କୈନ୍ଦ୍ରିକ ସଂସ୍କାର କାର୍ଯ୍ୟକାରୀ କରିଛନ୍ତି। ଫଳରେ ସ୍ପେକ୍ଟ୍ରମ ନିଲାମୀ ପ୍ରକ୍ରିୟାରେ ସ୍ୱଚ୍ଛତା ଆସିପାରିଛି। ରେକର୍ଡ ୪୨ ଦିନ ମଧ୍ୟରେ ୧.୫ ଲକ୍ଷ କୋଟି ଟଙ୍କାର ସ୍ପେକ୍ଟ୍ରମ ନିଲାମ ହେବା ସହିତ ୯ ମାସ ମଧ୍ୟରେ ୨.୭୦ ଲକ୍ଷ 5ଜି ପ୍ରକଳ୍ପ ନିର୍ମାଣ କରାଯାଇଛି। ଭାରତରେ 5ଜି କାର୍ଯ୍ୟକାରିତା ବିଶ୍ୱରେ ସବୁଠୁ ଦ୍ରୁତ ଗତିରେ ହୋଇପାରିଛି। ସେ ପୁରସ୍କାର ବିଜେତାମାନଙ୍କର ପ୍ରୟାସକୁ ପ୍ରଶଂସା କରିଥିଲେ ଏବଂ ଫୋର୍‌ ଜି ଓ ଫାଇଭ୍‌ ଜିର ସ୍ୱଦେଶୀ ଡିଜାଇନ୍‌ ବିକଶିତ କରିବା ଲାଗି ସବୁ ଅଂଶୀଦାରମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ ଆହୁରି କହିଥିଲେ ଯେ, ଭାରତ ସିକ୍ସ ଜି ମେଣ୍ଟ ସହିତ ଭାରତ 6ଜି ପ୍ରଯୁକ୍ତି କ୍ଷେତ୍ରରେ ଅଗ୍ରଣୀ ହୋଇପାରିବ।

ସମାରୋହକୁ ସମ୍ବୋଧିତ କରି କେନ୍ଦ୍ର ରେଳ, ସଞ୍ଚାର, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗତ ୯ ବର୍ଷ ମଧ୍ୟରେ ବିଭିନ୍ନ ସଂସ୍କାର କାର୍ଯ୍ୟକାରୀ କରାଯାଇଛି ଯେଉଁଥିରେ ଢାଞ୍ଚାଗତ, ପ୍ରକ୍ରିୟାଗତ ସଂସ୍କାର ସହିତ ସହାୟତା ପଦକ୍ଷେପ ସାମିଲ ରହିଛି। ଫଳରେ ଦୂରସଞ୍ଚାର କ୍ଷେତ୍ର ଏକ ପ୍ରଗତିଶୀଳ କ୍ଷେତ୍ର ଭାବେ ଉଭା ହୋଇଛି। ସେ ଆହୁରି କହିଥିଲେ, ଭାରତ ଅନୁସରଣ କରୁଥିବା ପ୍ରଯୁକ୍ତିକୁ ସାରା ବିଶ୍ୱ ଅନୁସରଣ କରିଛି। ଗତ ୯ ବର୍ଷର ସଫଳତା ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ:

ଇଣ୍ଟରନେଟ୍‌ ଡେଟା ମୂଲ୍ୟ ୨୦୧୪ ରେ ଗୋଟିଏ ଜିବି ପିଛା ୩୦୦ ଟଙ୍କା ଥିବା ବେଳେ ୨୦୨୩ରେ ଏହା ୧୦ ଟଙ୍କାକୁ ହ୍ରାସ ପାଇଛି

ପୂର୍ବରୁ ରାଇଟ୍‌ ଅଫ୍‌ ୱେ ଅନୁମତି ପାଇଁ ୨୩୦ ଦିନ ଲାଗୁଥିବା ବେଳେ ଏବେ ତାହା ମାତ୍ର ୯ ଦିନକୁ ଖସି ଆସିଛି

ବିଟିଏସ୍‌ ସାଇଟ୍‌ ସଂଖ୍ୟା ୪ ଗୁଣା ବୃଦ୍ଧି ପାଇ ୨୫ ଲକ୍ଷରେ ପହଞ୍ଚିଛି

ଦୂରସଞ୍ଚାର କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ (ଏଫଡିଆଇ) ପରିମାଣ ୨୪ ବିଲିୟନ ଡଲାରକୁ ବୃଦ୍ଧି ପାଇଛି

ଫାଇଭ୍‌ ଜି କ୍ଷେତ୍ରରେ ଭାରତୀୟ ଦୂର ସଞ୍ଚାର ଉଦ୍ୟୋଗ ୨.୨୫ ଲକ୍ଷ କୋଟି ଟଙ୍କାର ନିବେଶ କରିଛନ୍ତି

ଦୂରସଞ୍ଚାର ସେବା ପ୍ରଦାନକାରୀମାନଙ୍କୁ ନିଲାମୀର ୨୪ ଘଣ୍ଟା ମଧ୍ୟରେ ସ୍ପେକ୍ଟ୍ରମ ଆବଣ୍ଟନ କରାଯାଉଛି

ବିଏସଏନଏଲ ବଜାରରେ ସ୍ଥିରତା ଆଣିବା ସହିତ ଏବେ ଲାଭ ଉପାର୍ଜନ କରୁଛି

ଆମେରିକା ସମେତ ୧୨ଟି ଦେଶକୁ ପ୍ରଯୁକ୍ତି ରପ୍ତାନି କରୁଛି ଭାରତ

ବର୍ତ୍ତମାନ 4ଜିର ପ୍ରସାର ୯୯%ରେ ପହଞ୍ଚିଛି ଏବଂ ଅବଶିଷ୍ଟ ୩୮ ହଜାର କୋଟି ଟଙ୍କା ବିନିଯୋଗ କରାଯାଇ ୧୦୦% ସଂଯୋଗ ସୁନିଶ୍ଚିତ କରାଯିବ

ଭାରତରେ ପ୍ରତି ମିନିଟ୍‌ରେ ଗୋଟିଏ ଟାୱାର ହାରରେ ଏବେ ସୁଦ୍ଧା ସଂଯୋଗ ହୋଇଛି ୨ ଲକ୍ଷ ୭୦ ହଜାରରୁ ଅଧିକ ଫାଇଭ୍‌ ଜି ଟାୱାର, ଦୁନିଆର ଶୀର୍ଷ ତିନୋଟି 5ଜି ଇକୋସିଷ୍ଟମ ମଧ୍ୟରେ ଭାରତ ସାମିଲ

ଭାରତର ଡିଜିଟାଲ ପେମେଣ୍ଟ ସିଷ୍ଟମରେ ଭାରତ ସହିତ ଜାପାନ ସହଭାଗୀ ହୋଇଛି

ଗ୍ରାମାଞ୍ଚଳରେ ପ୍ରାୟ ଦେଢ଼ ଲକ୍ଷ ବ୍ରଡବ୍ୟାଣ୍ଡ ସଂଯୋଗ ଯୋଗାଇ ଦିଆଯାଇଛି ।

ପିଏଲଆଇ ଅଧୀନରେ, ଦୂରସଞ୍ଚାର ଉତ୍ପାଦନ କ୍ଷେତ୍ରରେ ୧,୬୦୦ କୋଟି ଟଙ୍କାରୁ ଅଧିକ ନିବେଶ ହୋଇଛି

୬ଜି ପ୍ରଯୁକ୍ତିରେ ୨୦୦ରୁ ଅଧିକ ପେଟେଣ୍ଟ

ଶ୍ରୀ ବୈଷ୍ଣବ କହିଥିଲେ, ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତର ପରିଣାମ ସ୍ୱରୂପ ଭାରତ ଏବଂ ଆମେରିକାର ସହଭାଗିତାରେ ପ୍ରଯୁକ୍ତି ବିକଶିତ କରାଯିବ ଏବଂ ଭାରତର ବିକାଶରେ ଏହି ପରିବର୍ତ୍ତନ ନିର୍ଣ୍ଣାୟକ ସାବ୍ୟସ୍ତ ହେବ। ଏହି ଅବସରରେ ସେ ସେମିକଣ୍ଡକ୍ଟର ମିଶନର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ, ପ୍ରକଳ୍ପ ଘୋଷଣା ହେବାର ଦୁଇ ସପ୍ତାହ ମଧ୍ୟରେ ମାଇକ୍ରନ୍‌ ଟେକ୍ନୋଲୋଜିକୁ ଜମି ଅଧିଗ୍ରହଣ ଓ ପ୍ରକଳ୍ପ ଅନୁମୋଦନ ମିଳିସାରିଛି ଏବଂ ପ୍ରଥମ ଚିପ୍‌ ଉତ୍ପାଦନ ୟୁନିଟ୍‌ ପାଇଁ ଆସନ୍ତା ୪୦-୪୫ ଦିନ ମଧ୍ୟରେ ଭୂମିପୂଜନ ସମାରୋହ ଅନୁଷ୍ଠିତ ହେବ। ଚିପ୍‌ ଡିଜାଇନ୍‌ ପାଇଁ ୫ଟି ଡିଜାଇନ୍‌ କମ୍ପାନୀକୁ ଅନୁମୋଦନ ମିଳିଛି, ଏଥିମଧ୍ୟରୁ ଦୁଇଟି ଦୂରସଞ୍ଚାର କ୍ଷେତ୍ର ଲାଗି କାର୍ଯ୍ୟ କରିବେ। ସେ ଆହୁରି କହିଥିଲେ ଯେ, ଭାରତ ଶୂନ୍ୟ ଲାଟେନ୍ସୀ ସହିତ ଆଧୁନିକ ଅପ୍ଟିକାଲ ଯୋଗାଯୋଗ ପ୍ରଯୁକ୍ତି ବିକଶିତ କରୁଛି ଯାହା ଟେଲିମେଡ଼ିକାଲ ଏବଂ ଟେଲିସର୍ଜରୀ କ୍ଷେତ୍ରରେ ସହାୟକ ହୋଇପାରିବ। ସେ ଆହୁରି ଜୋର ଦେଇ କହିଥିଲେ ଯେ ଭାରତ ୬ଜି ମେଣ୍ଟ ଭାରତକୁ ୬ଜି ପ୍ରଯୁକ୍ତି ଓ ଆଇପିଆର କ୍ଷେତ୍ରରେ ଅଗ୍ରଣୀ କରିବା ଲାଗି ପ୍ରୋତ୍ସାହନ ଯୋଗାଇ ଦେବ।

ଅମୃତ କାଳର ନୂଆ ପର୍ଯ୍ୟାୟରେ ଜନ ଅନୁସନ୍ଧାନକୁ ସାମିଲ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ ଅନୁରୂପ, ଭାରତ ସରକାର ସାରା ଦେଶରେ ଡିଜିଟାଲ ଓ ମୋବାଇଲ ସମାବେଶିତାର ବିସ୍ତାର ସୁନିଶ୍ଚିତ କରିବା ଲାଗି ନିରନ୍ତର ଭାବେ ଷ୍ଟାର୍ଟଅପ୍‌, ଉଦ୍ୟୋଗ, ଶିକ୍ଷାଜଗତ, ଗବେଷଣା ଓ ବିକାଶ ଅନୁଷ୍ଠାନ ସହିତ ମିଶି କାର୍ଯ୍ୟ କରୁଛନ୍ତି। ଏଥିସହିତ ଶେଷ ମାଇଲରେ ଡିଜିଟାଲ ବିପ୍ଳବ ପହଞ୍ଚାଇବା ଲାଗି ମୋବାଇଲ ଓ ଡିଜିଟାଲ ସେବାର ଦ୍ରୁତ ବିସ୍ତାର କରିବା ଜରିଆରେ ସାଧାରଣ ନାଗରିକଙ୍କୁ ସଶକ୍ତ କରୁଛନ୍ତି।

ପୃଷ୍ଠଭୂମି

ଭାରତ ଜି ମେଣ୍ଟ (ବିଜିଏ) ସମ୍ପର୍କରେ

ବି୬ଜିଏର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ପ୍ରଯୁକ୍ତି ଆବଶ୍ୟକତା ଠାରୁ ଊର୍ଦ୍ଧ୍ୱକୁ ଯାଇ 6ଜିର ବ୍ୟବସାୟିକ ଓ ସାମାଜିକ ଆବଶ୍ୟକତାକୁ ବୁଝିବା, ଏସବୁ ଆବଶ୍ୟକତା ଉପରେ ସହମତିକୁ ପ୍ରୋତ୍ସାହନ ଦେବା ଏବଂ ଉଚ୍ଚ-ପ୍ରଭାବୀ ମୁକ୍ତ ଗବେଷଣା ଓ ବିକାଶ ପ୍ରୟାସକୁ ପ୍ରୋତ୍ସାହିତ କରିବା।

ବି୬ଜିଏ ଭାରତୀୟ ଷ୍ଟାର୍ଟଅପ୍‌, କମ୍ପାନୀ ଏବଂ ନିର୍ମାଣ ଇକୋସିଷ୍ଟମକୁ ଏକତ୍ରିତ କରି ଏକ ସହଭାଗିତା ପ୍ରତିଷ୍ଠା କରିବ ଯାହା ଭାରତରେ ଜି ପ୍ରଯୁକ୍ତିର ଡିଜାଇନ, ବିକାଶ ଓ କାର୍ଯ୍ୟକାରିତାକୁ ଆଗେଇ ନେବ। ଦେଶରେ ଭିତରେ ଷ୍ଟାଣ୍ଡାର୍ଡ ସଂକ୍ରାନ୍ତୀୟ ପେଟେଣ୍ଟ ସୃଷ୍ଟିକୁ ତ୍ୱରାନ୍ୱିତ କରି ଏବଂ ଥ୍ରୀଜିପିପି ଓ ଆଇଟିୟୁ ଭଳି ଅନ୍ତର୍ଜାତୀୟ ମାନକୀକରଣ ବା ଷ୍ଟାଣ୍ଡାର୍ଡାଇଜେସନ ସଂଗଠନଗୁଡ଼ିକରେ ସକ୍ରିୟ ଭାବେ ଯୋଗଦାନ ଦେଇ ବି୬ଜିଏ ଭାରତକୁ 6ଜି ଉଦ୍ଭାବନ କ୍ଷେତ୍ରରେ ଅଗ୍ରଣୀ କରାଇବାକୁ ଲକ୍ଷ୍ୟ ରଖିଛି।

ବି୬ଜିଏର ଅନ୍ୟତମ ପ୍ରମୁଖ ଲକ୍ଷ୍ୟ ହେଉଛି ଭାରତୀୟ ଦୂରସଞ୍ଚାର ପ୍ରଯୁକ୍ତି ଜନିତ ଉତ୍ପାଦ ଓ ସେବାକୁ ବଜାର ପହଞ୍ଚ ଯୋଗାଇ ଦେବା ଏବଂ 6ଜି ପ୍ରଯୁକ୍ତି କ୍ଷେତ୍ରରେ ଦେଶକୁ ବିଶ୍ୱସ୍ତରରେ ନେତୃତ୍ୱ ନେବା ଲାଗି ସକ୍ଷମ କରିବା। ଏହି ଲକ୍ଷ୍ୟ ହାସଲ କରିବା ଲାଗି, ଏସବୁ ପ୍ରୟାସ ପ୍ରଯୁକ୍ତି ମାଲିକାନା ଓ ସ୍ୱଦେଶୀ ନିର୍ମାଣକୁ ପ୍ରୋତ୍ସାହନ ଦେବ, ପ୍ରଯୁକ୍ତି ସହଭାଗୀ ଉଦ୍ଭାବନର ଏକ ସଂସ୍କୃତି ସୃଷ୍ଟି କରିବ, ଆମଦାନୀ ହ୍ରାସ କରିବ, ରପ୍ତାନି ସୁଯୋଗ ବଢ଼ାଇବ ଏବଂ ବୌଦ୍ଧିକ ସମ୍ପତ୍ତି ସୃଷ୍ଟିକୁ ଆଗେଇ ନେବ।

ଦୂରସଞ୍ଚାର ପ୍ରଯୁକ୍ତି ବିକାଶ ପାଣ୍ଠି (ଟିଟିଡିଏଫ) ସମ୍ପର୍କରେ

ଅକ୍ଟୋବର ପହିଲା ୨୦୨୨ରେ ଦୂରସଞ୍ଚାର ବିଭାଗ/ୟୁନିଭର୍ସାଲ ସର୍ଭିସ ଓବ୍ଲିଗେସନ୍‌ ଫର୍ମ (ୟୁଏସଓଏଫ) ଦ୍ୱାରା ଦୂରସଞ୍ଚାର ପ୍ରଯୁକ୍ତି ବିକାଶ ପାଣ୍ଠି (ଟିଟିଡିଏଫ)ର ଶୁଭାରମ୍ଭ କରାଯାଇଥିଲା। ୟୁଏସଓଏଫର ବାର୍ଷିକ ସଂଗ୍ରହରୁ ୫ ପ୍ରତିଶତ ଟିଟିଡିଏଫ ଯୋଜନା ପାଇଁ ଉପଲବ୍ଧ ହେବ ଏବଂ ଏହି ଅର୍ଥ ପ୍ରଯୁକ୍ତି, ଉତ୍ପାଦ ଓ ସେବାର ଗବେଷଣା ଓ ବିକାଶ ପାଇଁ ବିନିଯୋଗ କରାଯିବ। ଆଧୁନିକ ପ୍ରଯୁକ୍ତି ବିକାଶ ଓ ଉତ୍ପାଦନ ଜରିଆରେ ଡିଜିଟାଲ ବ୍ୟବଧାନକୁ ଦୂର କରିବା ଏବଂ ଦୂରସଞ୍ଚାର ଇକୋସିଷ୍ଟମ ନିର୍ମାଣ ଓ ବିକାଶ ପାଇଁ ଶିକ୍ଷାବିତ୍‌, ଷ୍ଟାର୍ଟଅପ୍‌, ଗବେଷଣା ପ୍ରତିଷ୍ଠାନ ମଧ୍ୟରେ ସମନ୍ୱୟ ସ୍ଥାପନ କରିବା ଏହି ଯୋଜନାର ଉଦ୍ଦେଶ୍ୟ।

ଘରୋଇ ଆବଶ୍ୟକତାକୁ ପୂରଣ କରିବା ଲାଗି ନିର୍ଦ୍ଦିଷ୍ଟ ଭାବେ ଡିଜାଇନ କରାଯାଇଥିବା ସ୍ୱଦେଶୀ ପ୍ରଯୁକ୍ତିକୁ ପ୍ରୋତ୍ସାହନ ଦେବା ଓ କାର୍ଯ୍ୟକାରୀ କରିବା ନିମନ୍ତେ ଭାରତୀୟ ସଂସ୍ଥାଗୁଡ଼ିକୁ ଦୂରସଞ୍ଚାର ପ୍ରଯୁକ୍ତି ବିକାଶ ପାଣ୍ଠି (ଟିଟିଡିଏଫ) ଯୋଜନାରେ ଅନୁଦାନ ଯୋଗାଇ ଦିଆଯାଇଥାଏ। ଦୂରସଞ୍ଚାର ପ୍ରଯୁକ୍ତି ବିକାଶ ପାଣ୍ଠି (ଟିଟିଡିଏଫ) ଯୋଜନା ଅନ୍ତର୍ଗତ, ୟୁଏସଏଓଏଫ ଏବଂ ଦୂରସଞ୍ଚାର ବିଭାଗ ମଧ୍ୟ ସାରା ଦେଶର ଆବଶ୍ୟକାକୁ ପୂରଣ କରିବା ଲାଗି ମାନକ ବିକଶିତ କରିବା ଲାଗି ଲକ୍ଷ୍ୟ ରଖିଛନ୍ତି। ଏଥିସହିତ ଗବେଷଣା, ଡିଜାଇନ, ପ୍ରୋଟୋଟାଇପ, ୟୁଜ୍‌ କେସ୍‌, ପାଇଲଟ୍‌ ଏବଂ ପ୍ରୁଫ୍‌ ଅଫ୍‌ କନସେପ୍ଟ ଟେଷ୍ଟିଂ ଆଦି ପାଇଁ ଏକ ଇକୋସିଷ୍ଟମ ପ୍ରସ୍ତୁତ କରିବା ଲାଗି ଲକ୍ଷ୍ୟ ରଖାଯାଇଛି।