Categories
ବିଶେଷ ଖବର ରାଜ୍ୟ ଖବର

ରବିବାର ଦିନ ଘରେ ବସି ଦେଖନ୍ତୁ ବଣ୍ଡା ମହିଳାଙ୍କ ଲୁଗା ବୁଣା ପ୍ରଣାଳୀ, କେମିତି ଦେଖିବେ ?

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ପ୍ରତ୍ୟେକ ରବିବାର ଦିନ ଦର୍ଶକମାନଙ୍କ ନିମନ୍ତେ ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍‌ ଟୁର୍‌ର ବ୍ୟବସ୍ଥା କରାଯାଇଛି ।

ଜାନୁଆରୀ ୨ ତାରିଖ ଦିନ ଦର୍ଶକମାନେ ଫେସ୍‌ବୁକ୍‌ ଓ ଟୁଇଟର ପେଜ୍‌ @stscdev, @scstrti ଖୋଲି ‘ବଣ୍ଡା’ ଜନଜାତି ସଂପ୍ରଦାୟଙ୍କ ବୟନ ପ୍ରଣାଳୀ ସଂପର୍କରେ ଜାଣିପାରିବେ ବୋଲି ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର (ଡ.) ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି ।

ବଣ୍ଡା ଜନଜାତି ମହିଳାମାନେ ସେମାନଙ୍କ ଅନନ୍ୟ ସାଜସଜ୍ଜା ଓ ଲଣ୍ଡିତ ମସ୍ତକ ପାଇଁ ବେଶ୍‌ ଜଣାଶୁଣା । ଏକ ଛୋଟ ବହୁରଙ୍ଗ ଥିବା ସ୍କାର୍ଟ ବଣ୍ଡା ମହିଳାମାନଙ୍କ ପୋଷାକ ଅଟେ । ଏହି ସ୍କାର୍ଟକୁ ‘ରିଙ୍ଗା’ କୁହାଯାଏ । ଏହା ପାରମ୍ପରିକ ଭାବେ କେରଙ୍ଗ ତନ୍ତୁ ବ୍ୟବହାର କରାଯାଇ ବୁଣାଯାଏ । ସେମାନଙ୍କ ଲୁଗାବୁଣା ତନ୍ତ କାଠରେ ତିଆରି ହୋଇଥାଏ । ସେହି ତନ୍ତ ଦ୍ୱାରା ସୂତା ପ୍ରସ୍ତୁତ କରାଯାଏ । ଏହା ଏକ ସରଳ ଯନ୍ତ୍ର ହୋଇଥିବାରୁ ତାହାକୁ ଗୋଟିଏ ସ୍ଥାନରୁ ଅନ୍ୟତ୍ର ସହଜରେ ନିଆଯାଇପାରେ ।

ପୂର୍ବରୁ ବଣ୍ଡା ମହିଳାମାନେ ଜଙ୍ଗଲରୁ କେରଙ୍ଗ ଶାଖା ସଂଗ୍ରହ କରୁଥିଲେ । ଏହାକୁ ପ୍ରକ୍ରିୟାକରଣ କରି ତନ୍ତୁ ପ୍ରସ୍ତୁତ କରୁଥିଲେ । ତନ୍ତୁ ବା ସୂତାକୁ ଜୈବିକ ରଙ୍ଗରେ ରଙ୍ଗୀନ କରୁଥିଲେ । ସଂପ୍ରତି ଏହି ପାରମ୍ପରିକ ବସ୍ତ୍ର ନିମନ୍ତେ ରଙ୍ଗୀନ ସୂତା ବ୍ୟବହାର କରାଯାଉଛି । ବଣ୍ଡା ଜନଜାତି ମହିଳାମାନେ ପରିଧାନ କରୁଥିବା ‘ରିଙ୍ଗା’କୁ ତିଆରି କରିବା ନିମନ୍ତେ ଦୁଇରୁ ତିନିଦିନ ଲାଗୁଥିବାବେଳେ ପୁରୁଷମାନଙ୍କ ଲୁଗା ପ୍ରସ୍ତୁତ କରିବାକୁ ଗୋଟିଏ ଦିନ ଲାଗିଥାଏ ।