Categories
ଆଜିର ଖବର ରାଜ୍ୟ ଖବର

ବନାରସ-ସମ୍ବଲପୁର ଏକ୍ସପ୍ରେସ ବିଶାଖାପାଟନମ୍ ପର୍ଯ୍ୟନ୍ତ ସମ୍ପ୍ରସାରିତ

ଭୁବନେଶ୍ଵର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ, ଭାରତ ସରକାର ଧର୍ମେନ୍ଦ୍ର ପ୍ରଧାନ ଏବଂ ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସମ୍ବଲପୁର ରେଳ ଷ୍ଟେସନରୁ ବିଶାଖାପାଟନମ୍ ପର୍ଯ୍ୟନ୍ତ ବନାରସ-ସମ୍ବଲପୁର-ବନାରସ ଦ୍ୱି-ସାପ୍ତାହିକ ଏକ୍ସପ୍ରେସର ସମ୍ପ୍ରସାରଣକୁ ଶୁଭାରମ୍ଭ କରିଛନ୍ତି।

ସମ୍ବଲପୁରରେ ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟଗଣ୍ୟ ବ୍ୟକ୍ତି ସାଂସଦ ନୀତେଶ ଗଙ୍ଗଦେବ ଏବଂ ବିଧାୟକ ନାଉରି ନାୟକ ଉପସ୍ଥିତ ଥିବାବେଳେ ଭିଡିଓ କନଫରେନସିଂ ମାଧ୍ୟମରେ ସାଂସଦ ସୁରେଶ ପୂଜାରୀ ବରଗଡ଼ ରୋଡ଼ ଷ୍ଟେସନ ଠାରେ, ସଂଗୀତା କୁମାରୀ ସିଂ ଦେଓ ଏବଂ ନିରଂଜନ ବିଶି ବଲାଙ୍ଗୀର ଷ୍ଟେସନ ଠାରେ ଏବଂ ବସନ୍ତ କୁମାର ପଣ୍ଡା କେସିଙ୍ଗା ଷ୍ଟେସନରେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।

ଆଜି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଏହି ଟ୍ରେନ୍ ସମ୍ବଲପୁରରୁ ବିଶାଖାପାଟନମ୍ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଟ୍ରେନ୍ ଭାବରେ ଚାଲିବ। ଅବଶ୍ୟ, ଏହି ଟ୍ରେନ୍ ପାଇଁ ସମ୍ପ୍ରସାରଣ ଅଂଶରେ ନିୟମିତ ସେବା 22 ନଭେମ୍ବର 2023 ରୁ ବିଶାଖାପାଟନମ୍ ଠାରୁ ଏବଂ 23 ନଭେମ୍ବର 2023 ଠାରୁ ବନାରସରୁ ପ୍ରାରମ୍ଭ କରାଯିବ। ସମ୍ବଲପୁର ଏବଂ ବନାରସ ମଧ୍ୟରେ ଏହି ଟ୍ରେନ୍ ପାଇଁ ନିର୍ଦ୍ଧାରିତ ସମୟ ଏବଂ ରହଣି ଷ୍ଟେସନ ମାନଙ୍କରେ କୌଣସି ପରିବର୍ତ୍ତନ ନକରାଯାଇ ଏହି ଟ୍ରେନ୍ କୁ ବିଶାଖାପାଟନମ୍ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଅଛି।

ବିଶାଖାପାଟନମ୍ ପର୍ଯ୍ୟନ୍ତ ଏହି ଟ୍ରେନର ସମ୍ପ୍ରସାରଣ ଦକ୍ଷିଣ ଏବଂ ପଶ୍ଚିମ ଓଡିଶାର ଲୋକଙ୍କ ପାଇଁ ଏକ ଯୁଗାନ୍ତକାରୀ ପରିବର୍ତ୍ତନ। ଏହି ଟ୍ରେନର ସମ୍ବଲପୁରରୁ ବିଶାଖାପାଟନମ୍ ପର୍ଯ୍ୟନ୍ତ ସମ୍ପ୍ରସାରଣ ପଶ୍ଚିମ ଏବଂ ଦକ୍ଷିଣ ଓଡିଶାର ଅଧିବାସୀ ମାନଙ୍କ ପାଇଁ ବ୍ୟବସାୟ, ଶିକ୍ଷା ଏବଂ ଚିକିତ୍ସା ଭଳି ବିଭିନ୍ନ କାରଣରୁ ଯାତ୍ରା କରିବା ପାଇଁ ଏକ ଜୀବନ ରେଖା ଭାବରେ କାର୍ଯ୍ୟ କରିବ। ଏହା ବ୍ୟତୀତ ବନାରସ ଏବଂ ବିଶାଖାପାଟନମ୍ ମଧ୍ୟରେ ସିଧାସଳଖ ସଂଯୋଗ ଯୋଗୁଁ ପର୍ଯ୍ୟଟନ ଏବଂ ସାଂସ୍କୃତିକ ବିନିମୟରେ ଏହା ବୃଦ୍ଧି ପାଇବ।

ସମ୍ପ୍ରସାରିତ ଟ୍ରେନ୍, ବର୍ତ୍ତମାନ 18311 ବିଶାଖାପାଟନମ୍-ବନାରସ୍ ଏକ୍ସପ୍ରେସ୍ ପ୍ରତି ବୁଧବାର ଏବଂ ରବିବାର ଦିନ ଭୋର 04ଘ.10ମି.ରେ ବିଶାଖାପାଟନମ୍ ଛାଡିବ। ଫେରିବା ମାର୍ଗରେ 18312 ବନାରସ-ବିଶାଖାପାଟନମ୍ ଏକ୍ସପ୍ରେସ, ପ୍ରତ୍ୟେକ ଗୁରୁବାର ଏବଂ ସୋମବାର ଦିନ ଅପରାହ୍ନ 03 ଘଣ୍ଟାରେ ବନାରସ ଛାଡିବ।

ଏହି ଟ୍ରେନ ବରଗଡ ରୋଡ଼, ବାଲାଙ୍ଗୀର, ଟିଟିଲାଗଡ, କେସିଙ୍ଗା, ମୁନିଗୁଡା, ରାୟାଗଡା, ପାର୍ବତୀପୁରମ, ବବିଲି, ବିଜୟନଗରମ ଏବଂ କୋଟାଭାଲାସା ଭଳି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ସମ୍ପ୍ରସାରିତ ମାର୍ଗରେ ରହଣି କରିବ।

ଏହି ସମ୍ପ୍ରସାରଣ ସମ୍ବଲପୁର ଏବଂ ବନାରସ ମଧ୍ୟରେ ପ୍ରାୟ 28 ଘଣ୍ଟା 30 ମିନିଟର ବର୍ଦ୍ଧିତ ଯାତ୍ରା ସମୟ ସହିତ 895 କିମିରୁ 1400 କିମି ପର୍ଯ୍ୟନ୍ତ ଯାତ୍ରା ଦୂରତା ବୃଦ୍ଧି କରିବ।

ଏହି ଟ୍ରେନ୍ ବର୍ତ୍ତମାନ ପୂର୍ବର କନଭେଷନାଲ କୋଚ ପରିବେର୍ତ୍ତେ ଅତ୍ୟାଧୁନିକ ଏଲଏଚବି କୋଚ୍ ସହିତ ଚଳାଚଳ କରିବ ଯେଉଁଥିରେ ଗୋଟିଏ ଏସି-୨ ଟାୟାର୍, ଚାରିଟି ଏସି -3 ଟାୟାର୍, ଆଠଟି ସ୍ଲିପର ଶ୍ରେଣୀ, ଛଅଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ, ଗୋଟିଏ ଗାର୍ଡ ତଥା ଲଗେଜ୍ ଏବଂ ଦିବ୍ୟାଙ୍ଗଜନ କୋଚ୍ ଏବଂ ଗୋଟିଏ ପାୱାର୍ କାର୍ ରହିଛି।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ଅତିଥି ତଥା ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସ୍ୱାଗତ ଜଣାଇଥିବାବେଳେ ସମ୍ବଲପୁର ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଭିନୀତ ସିଂ ଧନ୍ୟବାଦ ଅର୍ପଣ କରିଥିଲେ।