Categories
ବିଶେଷ ଖବର ରାଜ୍ୟ ଖବର

ଫୁଲୁଛି ମହାନଦୀ, ସଂଧ୍ୟାକୁ ପଶିବ ୯ ଲକ୍ଷ କ୍ୟୁସେକ ଜଳ, ଆଜି ରାତି ବଡ ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ବର: ଆଜି ପ୍ରାୟତଃ ବର୍ଷାର ପରିମାଣ କମ ଥିବାରୁ ବିଭିନ୍ନ ନଦୀର ଜଳ ସ୍ତର ହ୍ରାସ ପାଇବାରେ ଲାଗିଛି। ହେଲେ ମହାନଦୀର ଉପରି ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଏହି ନଦୀ ଫୁଲିବାରେ ଲାଗିଛି। ଗତକାଲି ବରମୁଳଠାରେ ପ୍ରଚୁର ବର୍ଷା ହୋଇଛି, ହେଲେ ବରମୁଳରେ ପାଣି କମିଥିବାର ଜଣାପଡିଛି। ତେବେ ବର୍ତମାନ ମହାନଦୀର ମୁଣ୍ଡୁଳିଠାରେ ୮ ଲକ୍ଷ ୨୮ ହଜାର କ୍ୟୁସେକ ଜଳ ପ୍ରଭାହିତ ହେଉଛି। ଏହା ବଢ଼ି ଆଜି ସନ୍ଧ୍ୟା ସୁଦ୍ଧା ୯ ଲକ୍ଷରୁ ୯ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ମୁଣ୍ଡୁଳି ଠାରେ ପ୍ରବାହିତ ହେବ। ମହାନଦୀ ପାଇଁ ଆଜି ରାତି ବଡ ଗୁରୁତ୍ୱପୂର୍ଣ୍ଣ।

ବିପଦ ସଂକେତ ଉପରେ ଥିବା ବୈତରଣୀର ଜଳସ୍ତର ଆଖୁଆପଦା ଓ ଆନନ୍ଦପୁରଠାରେ କମିବାକୁ ଲାଗିଲାଣି। ତେବେ ବର୍ତ୍ତମାନ ସୁଦ୍ଧା କିଛି ବଡ଼ ଅଘଟଣ ହୋଇନି ବୋଲି ଜଳ ସଂପଦ ବିଭାଗ ତରଫରୁ କୁହାଯାଇଛି। ଆଜି ସକାଳେ ବ୍ରାହ୍ମଣୀର ଜଳସ୍ତର ଜେନାପୁରଠାରେ ବଢିବାକୁ ଲାଗିଛି। ହେଲେ ବିପଦ ସଂକେତ ତଳେ ଅଛି। କାଣୀ ନଦୀରେ ସାମାନ୍ୟ ଘାଇ ହୋଇଥିବାରୁ ତାକୁ ବଦଳା ଦିଆଯିବ ବୋଲି ଜଳସଂପଦ ବିଭାଗ କହିଛି।

ଅନ୍ୟ କେଉଁଠୁ ନଦୀବନ୍ଧ ଭାଙ୍ଗିବା ପରିସ୍ଥିତି ଉପୁଜିନି। ତେବେ ବର୍ତ୍ତମାନର ସ୍ଥିତି ଯାହା ଏବେ ବଡ଼ ଧରଣର ବନ୍ୟା ହେବ ନାହିଁ ବୋଲି ଅନୁମାନ କରାଯାଇଛି। ଏହା ଛୋଟରୁ ମଧ୍ୟମ ଧରଣର ବନ୍ୟା ହେବ ବୋଲି ସରକାର ଅନୁମାନ କରିଛନ୍ତି। ଏସଆରସି ଅଫିସରୁ ସବୁ ଜିଲ୍ଲପାଳମାନଙ୍କୁ ଆଲର୍ଟ କରାଯାଇଛି। ଆଜି ସକାଳ ୬ଟାରେ ଏସଆରସି ବୈଠକ ନେଇଥିଲେ। ନୟାଗଡ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା ଜିଲ୍ଲାପାଳ ଓ ଜଳ ସମ୍ପଦ ବିଭାଗର ଅଧିକାରୀମାନଙ୍କୁ ସଜାଗ ରଖାଯାଇଛି। ଆଜି ରାତିଟା ହେଉଛି ଗୁରୁତ୍ୱପୂର୍ଣ୍ଣ। କାରଣ ରାତିରେ ବନ୍ୟା ଜଳ ପ୍ରଭାହିତ ହେବ।

ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା ଜିଲ୍ଲାରେ ଆସନ୍ତାକାଲି ସକାଳେ ବନ୍ୟା ଜଳ ପ୍ରଭାହିତ ହେବ। ତେଣୁ ବରିଷ୍ଠ ଅଧିକାରୀମାନଙ୍କୁ ସେଠାକୁ ପଠାଯାଇଛି।  ବଂଶଧାରାରେ କିଛି ବିପଦ ନାହିଁ। ବରମୁଳ ଠାରେ ଅଧିକ ବର୍ଷା ହୋଇଥିବାରୁ ନୟାଗଡ଼ର ଗଣିଆ, କଟକର ବାଙ୍କୀର ତଳିଆ ଅଂଚଳର ଅଧିକ ପ୍ରଭାବିତ ହୋଇଛି।

ହୀରାକୁଦ ଉପରମୁଣ୍ଡରେ ଅଧିକ ବର୍ଷା ହୋଇଛି। ସେଠାରେ ୯୦ ରୁ ୧୦୦ ମିମି ବର୍ଷା ହୋଇଥିବାର ଜଣାପଡିଛି। ସୁନ୍ଦରଗଡ଼ର ଇବ ଓ ଭେଡେନରେ ପ୍ରଚୁର ବର୍ଷା ହୋଇଛି। ହେଲେ ହୀରାକୁଦରେ ଜଳସ୍ତର କମ ଅଛି। ଛତିଶଗଡ଼ ଗେଟ ଖୋଲି ଦେଇଛି। ପୁରୀର କଣାସ, ଅସ୍ତରଙ୍ଗ, ଜଗତସିଂହପୁରର ଏରସମା, କେନ୍ଦ୍ରାପଡ଼ାର ତଳିଆ ଅଞ୍ଚଳରେ ଅସୁବିଧା ହେବ ବୋଲି ଅନୁମାନ କରାଯାଇଛି।