Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବବି ଦାସ ଏମିତି କାହିଁକି ଲେଖିଲେ, ଯାହାକୁ ନେଇ ଜାତୀୟ ଦଳ ଭିତରେ ସୃଷ୍ଟି ହୋଇଛି ଆଲୋଡନ

ଭୁବନେଶ୍ବର: ଆଜି ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସାମାଜିକ ଗଣମାଧ୍ୟମରେ ପୋଷ୍ଟିଂକୁ ନେଇ ଓଡିଶା ରାଜନୀତିରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଯେଉଁଥିରେ ସେ କହିଛନ୍ତି ଯେ, ବିଜେଡି ଟିକେଟ ପାଇବା ପାଇଁ ଜାତୀୟ ଦଳର ନେତାମାନେ ଆବେଦନ କରିଛନ୍ତି। ଏଥିସହିତ ୧୦ ହଜାରରୁ ଉର୍ଦ୍ଧ ବ୍ୟକ୍ତି ବିଜେଡି ଟିକେଟ ପାଇଁ ଆବେଦନ କରିଛନ୍ତି। ଯାହାକୁ ନେଇ ଜାତୀୟ ଦଳ ଭିତରେ ଆଲୋଡନ ସୃଷ୍ଟି ହୋଇଛି।

ସେ ତାଙ୍କ ଏକ୍ସରେ ଯାହା ଲେଖିଛନ୍ତି ତାହା ହେଲା

“ବିଗତ କିଛି ବର୍ଷ ଧରି ଜାତୀୟସ୍ତରର ସବୁ ସର୍ଭେ ରିପୋର୍ଟ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଦେଶର ୧ ନମ୍ବର ମୁଖ୍ୟମନ୍ତ୍ରୀ ହୋଇଥିବାର ଗୈାରବ ପ୍ରଦାନ କରିଛି। ସେହିଭଳି ୨୦୨୨ ପଂଚାୟତ ନିର୍ବାଚନରେ ୫୨ ପ୍ରତିଶତରୁ ଅଧିକ ଭୋଟ ହାର ସାଙ୍ଗକୁ ୩୦ ରୁ ୩୦ ଜିଲ୍ଲା ପରିଷଦରେ ଜିତାଇ, ବିଜୁ ଜନତା ଦଳ ଯେ ଓଡ଼ିଶାର ୧ ନମ୍ବର ରାଜନୈତିକ ଦଳ, ଓଡ଼ିଶାବାସୀ ତାହା ପ୍ରମାଣିତ କରିଛନ୍ତି।

ଏହି ଦୁଇଟି ନିରାଟ ସତ୍ୟ, ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ବିଜୁ ଜନତା ଦଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଭଲପାଇବାକୁ ପ୍ରତିପାଦିତ କରୁଛି। ୨୦୨୪ ସାଧାରଣ ନିର୍ବାଚନରେ ଦଳୀୟ ଟିକେଟ ପାଇଁ ୧୦ ହଜାରରୁ ଅଧିକ ଆବେଦନ ଦଳ ପାଖରେ ପ୍ରାପ୍ତ ହୋଇଛି। ଅତ୍ୟନ୍ତ ଖୁସିର କଥା ଯେ, ବହୁ ସଂଖ୍ୟକ ପେଶାଦାର ବ୍ୟକ୍ତି ଏବଂ ଜାତୀୟ ରାଜନୈତିକ ଦଳମାନଙ୍କର ନେତାମାନେ ମଧ୍ୟ ବିଜେଡି ଟିକେଟ ପାଇଁ ଆବେଦନ କରୁଛନ୍ତି।

ଆମର ଦୃଢ଼ ବିଶ୍ୱାସ ଏହି ନିର୍ବାଚନରେ ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ଆଶୀର୍ବାଦ ବଳରେ ବିଜୁ ଜନତା ଦଳ ଏକ ଐତିହାସିକ ବିଜୟ ଆଡକୁ ଗତି କରୁଛି। ଏହି ବିପୁଳ ସଂଖ୍ୟକ ଆବେଦନ ଦର୍ଶାଉଛି, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ବଢ଼ି ବଢ଼ି ଚାଲିଛି। ନବୀନ ବାବୁଙ୍କୁ ଲାଗାତାର ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ପାଇଁ ଓଡ଼ିଶାବାସୀ ମନ ସ୍ଥିର କରିସାରିଛନ୍ତି। ”

ଏହାକୁ ନେଇ ବିଭିନ୍ନ ମହଲରେ ବେଶ ଆଲୋଚନା ଚାଲିଛି। ବିଶେଷ କରି ରାଜନୈତିକ ଦଳ ଭିତରେ ଏହାକୁ ନେଇ ଗୁଂଜରଣ ସୃଷ୍ଟି ହୋଇଛି। ମୁଖ୍ୟତଃ ଜାତୀୟ ଦଳ ହିସାବରେ ବିଜେପି ଓ କଂଗ୍ରେସରେ ଏହାକୁ ନେଇ ଭୂକମ୍ପ ସୃଷ୍ଟି ହୋଇଛି। କାରଣ କିଏ ବିଜେଡି ଟିକେଟ ପାଇଁ କିଏ ଆବେଦନ କରିଛି ତାହାକୁ ନେଇ ଚାଲିଛି ଖଳତାଡ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଧର୍ମେନ୍ଦ୍ରଙ୍କୁ କଡା ଜବାବ ଦେଲେ ପ୍ରଣବ; କହିଲେ ଉତ୍ତର ଦିଅ, କ୍ରୋଧାନ୍ୱିତ ହୁଅ ନାହିଁ

ଭୁବନେଶ୍ୱର: ବିଜୁଜନତା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଡା ଜବାବ ଦେଇଛନ୍ତି। ଟୁଇଟ୍‍ କରି ପ୍ରଣବ ସିଧା ଧର୍ମେନ୍ଦ୍ରଙ୍କୁ ନିଶାଣ କରିବା ସହିତ ତାଙ୍କ ଅପାରଗତା ନେଇ ଆଇନା ବି ଦେଖାଇଛନ୍ତି।

ପ୍ରଣବ ସିଧା କହିଛନ୍ତି ଯେ ଶ୍ରୀ ପ୍ରଧାନଙ୍କୁ ତାଙ୍କ ଅପାରଗତାର ଆଇନା ଦେଖାଇଲେ ସେ ଚିଡି ଯାଉଛନ୍ତି। ପ୍ରଶ୍ନ ପଚାରିଲେ ସେ ଜୋରରେ ରାଗି ଯିବା ସହିତ ତାଙ୍କ ରକ୍ତଚାପ ବଢି ଯାଉଛି। ତେଣୁ ଚିଡିଚିଡା ହୋଇ ବଢୁଥିବା ରକ୍ତଚାପକୁ କମାଇବା ପାଇଁ ପୂର୍ବଭଳି ନିୟମିତ ଯୋଗ କରିବାକୁ ବବି ଧର୍ମେନ୍ଦ୍ରଙ୍କୁ ପରାମର୍ଶ ଦେଇଛନ୍ତି।

ଟୁଇଟ୍‍ କରି ପ୍ରଣବ କହିଛନ୍ତି ଯେ ଶ୍ରୀ ପ୍ରଧାନ କେନ୍ଦ୍ରରେ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି। ହେଲେ ନିଜମାଟି ପାଇଁ ଗୋଟେ ନୂଆ ବିଶ୍ୱବିଦ୍ୟାଳୟ କରିବା ତ ଦୂରର କଥା, ନିଜ ଜିଲ୍ଲା ଅନୁଗୁଳ କିମ୍ବା ପଡୋଶୀ ଢେଙ୍କାନାଳ ଓ ସମ୍ବଲପୁରରେ ଗୋଟିଏ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ କିମ୍ବା ଜବାହାର ନବୋଦୟ ବିଦ୍ୟାଳୟଟିଏ କରିପାରି ନାହାନ୍ତି। ସେହିଭଳି ଦକ୍ଷତା ବିକାଶ କେନ୍ଦ୍ରଟିଏ ବି ସ୍ଥାପନ କରିପାରି ନାହାନ୍ତି।

କେବଳ ସେତିକି ନୁହେଁ ନିଜ ଟୁଇଟ୍‍ରେ ପ୍ରଣବ ୫୫ ନମ୍ବର ଜାତୀୟ ରାଜପଥର ଦୁରବସ୍ଥା ସଂକ୍ରାନ୍ତରେ ଧର୍ମେନ୍ଦ୍ରଙ୍କୁ ମନେ ପକାଇ ଦେଇଛନ୍ତି। ସେ କହିଛନ୍ତି ଯେ ଏହି ରାଜପଥ କାର୍ଯ୍ୟ ୧୦ ବର୍ଷ ହେଲା ସରିପାରୁନାହିଁ। ଯାହା ଖବର ମିଳୁଛି ଶ୍ରୀ ପ୍ରଧାନ ଏବେ ଖାଲଖମା ଯୋଗୁଁ ଜାତୀୟ ରାଜପଥ ବଦଳରେ ରାଜ୍ୟ ରାଜପଥରେ ଯିବାକୁ ଅଧିକ ଭରସା କରୁଛନ୍ତି।

ସେହି ଭଳି କାମାକ୍ଷା ପ୍ରସାଦ ସିଂହଦେଓ କେନ୍ଦ୍ରରେ ମନ୍ତ୍ରୀ ଥିବାବେଳେ ନିଜ ଜିଲ୍ଲା ପାଇଁ ଆଇଆଇଏମସି ସହ ଅନ୍ୟ କେନ୍ଦ୍ରୀୟ ପ୍ରକଳ୍ପ କିଭଳି କାର୍ଯ୍ୟକାରୀ କରାଇଥିଲେ ସେ ସଂକ୍ରାନ୍ତରେ ପ୍ରଣବ ତାଙ୍କ ଟୁଇଟ୍‍ରେ ମନେ ପକାଇ ଦେଇଛନ୍ତି।

ଏଥି ସହିତ ଏଭଳି ପ୍ରଶ୍ନ ଶୁଣି ରାଗିବା ଯୋଗୁଁ କି ଭଳି ଧର୍ମେନ୍ଦ୍ରଙ୍କ ରକ୍ତଚାପ ବଢିଯାଇଛି ତାହା ଉଲ୍ଲେଖ କରିବା ସହିତ ଆର୍ନ୍ତଜାତୀୟ ଯୋଗ ଦିବସରେ ଯେ ଭଳି ଯୋଗ କରୁଥିଲେ ଅନୁରୂପ ଭାବେ ନିୟମିତ ଯୋଗ ଜାରି ରଖିବାକୁ ପ୍ରଣବ ପରାମର୍ଶ ଦେଇଛନ୍ତି।

Categories
ଆଜିର ଖବର

ସମ୍ବଲପୁର ଲୋକସଭା ପାଇଁ ବିଜେଡିର ରଣନୀତି, ଧର୍ମେନ୍ଦ୍ରଙ୍କୁ ଟକ୍କର ଦେବା ପାଇଁ ଛିଡା ହେବେ ବବି ଦାସ !!

ଭୁବନେଶ୍ବର: ଲୋକସଭା ଓ ଓଡିଶା ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ବର୍ତ୍ତମାନ ରାଜ୍ୟର ପ୍ରମୁଖ ରାଜନୈତିକ ଦଳଗୁଡିକ ସେମାନଙ୍କର ରଣନୀତି ତିଆରି କରିବାରେ ଲାଗିଛନ୍ତି। ତେବେ ଏଥର ସମ୍ବଲପୁର ଲୋକସଭା ଆସନ ଉପରେ ପୁରା ରାଜ୍ୟର ନଜରରେ ରହୁଛି। ଏହାର କାରଣ ହେଲା ଯେ, ସେହି ଆସନରୁ ଲଢେଇ କରିବାକୁ ସଜବାଜ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ତେବେ ଏକ ବିଶେଷ ସୁତ୍ର ଅନୁସାରେ ଧର୍ମେନ୍ଦ୍ରଙ୍କୁ ଟକ୍କର ଦେବା ପାଇଁ ବିଜେଡିର ଟାଣୁଆ ତଥା ପାୱାରଫୁଲ ନେତା ପ୍ରଣବ ପ୍ରକାଶ ଦାସ ବା ବବି ଦାସଙ୍କୁ ପ୍ରସ୍ତୁତ କରାଯାଉଛି। କାରଣ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟକ୍କର ଦେବା ପାଇଁ ହେଲେ ବିଜେଡିର ଜଣେ ଟାଣୁଆ ନେତାର ଆବଶ୍ୟକ ରହିଛି। ବର୍ତ୍ତମାନ ପରିସ୍ଥିତିରେ ସମ୍ବଲପୁରରେ ସେପରି କେହି ନେତା ଦୃଷ୍ଟିକୁ ଆସୁ ନ ଥିବାରୁ କୁଆଡେ ବବିଙ୍କୁ ଛିଡା ହେବା ପାଇଁ ନିଷ୍ପତି ହେଉଛି ବୋଲି ଜଣାପଡିଛି।

ସେହି ସୁତ୍ର ଅନୁସାରେ ଜଣାପଡିଛି ଯେ, ନିକଟରେ ସମ୍ବଲପୁରରେ ଏକ ରୁଦ୍ଧ ଦ୍ବାର ବୈଠକ କରାଯାଇଥିଲା। ସେଥିରେ ପଶ୍ଚିମ ଓଡିଶାର ଅନ୍ୟତମ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ବରିଷ୍ଠ ନେତାଙ୍କୁ ନେଇ ଏହି ବୈଠକ ବସିଥିଲା। ସେହି ବୈଠକରେ ସମ୍ବଲପୁର ଲୋକସଭା ବା ଧର୍ମେନ୍ଦ୍ର ପ୍ରଧାନଙ୍କୁ କିଏ ଟକ୍କର ଦେବ ସେ ଉପରେ ଆଲୋଚନା ହୋଇଥିଲା। ସେଥିରେ ସମସ୍ତେ ବବି ଦାସ ଛିଡା ହୁଅନ୍ତୁ ବୋଲି କୁଆଡେ ମତ ପ୍ରକାଶ କରିଥିଲେ। ସେହି ଅନୁସାରେ ଦଳ ବବିଙ୍କୁ ଆଗକୁ ଆଣିବ ବୋଲି ଜଣାପଡିଛି।

ଧର୍ମେନ୍ଦ୍ର କେଉଁଠି ଛିଡା ହେବେ ତାହା ଜଣାପଡି ନ ଥିଲେ ମଧ୍ୟ ସେ ନିଶ୍ଚିତ ଭାବେ ଲୋକସଭା ନିର୍ବାଚନରେ ଲଢେଇ କରିବେ ବୋଲି ସ୍ପଷ୍ଟ ହୋଇଛି। ସେଥିପାଇଁ ତାଙ୍କୁ ବିଜେଡି ଏବେଠାରୁ ଟାର୍ଗେଟ କରିବାରେ ଲାଗିଛି। ଖୋଦ ବିଜେଡି ନେତା ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ତାଙ୍କୁ ତୀବ୍ର ସମାଲୋଚନା କରିବାରେ ଲାଗିଛନ୍ତି। ଏପରିକି ତାଙ୍କର ନିଜ ଜିଲ୍ଲାରେ ପାଣ୍ଡିଆନ ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କରିବାରେ ଲାଗିଛନ୍ତି।

ଏହାଦ୍ବାରା ସ୍ପଷ୍ଟ ହୋଇଛି ଯେ, କୌଣସି ପ୍ରକାରରେ ଧର୍ମେନ୍ଦ୍ରଙ୍କ ବିଜୟକୁ ବିଜେଡି ରୋକିବା ପାଇଁ ସମସ୍ତ କଳ ବଳ କୌଶଳ ପ୍ରୟୋଗ କରିବ। ଯେପରିକି ଗତ ନିର୍ବାଚନରେ ବୈଜୟନ୍ତ ପଣ୍ଡାଙ୍କୁ କରିଥିଲେ। ବର୍ତ୍ତମାନ ବିଜେଡି ଚାହୁଁ ନାହିଁ ଯେ, ଧର୍ମେନ୍ଦ୍ର ପ୍ରଧାନ କୌଣସି ପ୍ରକାରରେ ବିଜୟ ହୋଇ ପୁଣି କେନ୍ଦ୍ରରେ ମନ୍ତ୍ରୀ ହୁଅନ୍ତୁ। ସେଥିପାଇଁ ବିଜେଡି ବର୍ତ୍ତମାନଠାରୁ ଧର୍ମେନ୍ଦ୍ରଙ୍କ ବିଜୟ ରାସ୍ତାକୁ ରୁନ୍ଧିବାରେ ଲାଗିଛି।

ପୂର୍ବରୁ ବବିଙ୍କୁ ବିଜେଡିର ସମ୍ବଲପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ଫଳରେ ପର୍ଯ୍ୟବେକ୍ଷକଙ୍କ ନାମରେ ସେ ଲୋକସଂପର୍କ ରଖିବା କାର୍ଯ୍ୟ ମଧ୍ୟ ଆରମ୍ଭ କରିଦେଇଛନ୍ତି। ଅନ୍ୟପକ୍ଷରେ ପାଣ୍ଡିଆନ ମଧ୍ୟ ସମ୍ବଲପୁରକୁ ଗସ୍ତ କରି ସେଠାକାର ଲୋକସଂପର୍କକୁ ମଜବୁତ କରିବାରେ ଲାଗିଛନ୍ତି। ସେଥିପାଇଁ ବବି ଦାସ ସମ୍ବଲପୁର ଲୋକସଭା ପାଇଁ ଉପଯୁକ୍ତ ପ୍ରାର୍ଥୀ ହେବେ ବୋଲି ଦଳ ନିଷ୍ପତି କରିଛି।

ଅନ୍ୟପକ୍ଷରେ ବବି ଦାସ ବା ପ୍ରଣବ ପ୍ରକାଶ ଦାସ ହେଉଛନ୍ତି ବିଜେଡିର ଜଣେ ଟାଣୁଆ ତଥା ତୃତୀୟ କ୍ଷମତା କେନ୍ଦ୍ର ନେତା। ଦଳରେ ନବୀନ ପଟ୍ଟନାୟକଙ୍କ ପରେ ପାଣ୍ଡିଆନ ଏବଂ ଏହାପରେ ବବି ଦାସ ହିଁ ହେଉଛନ୍ତି ଦଳର ହର୍ତ୍ତାକର୍ତ୍ତା। ଉଭୟ ପାଣ୍ଡିଆନ ଏବଂ ବବି ଆଜି ପର୍ଯ୍ୟନ୍ତ ବିଭିନ୍ନ ନିର୍ବାଚନ ଓ ଉପନିର୍ବାଚନରେ ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛନ୍ତି। ସେଥିପାଇଁ ବବି ହିଁ ବିଜେଡିର ଉପଯୁକ୍ତ ପ୍ରାର୍ଥୀ ହେବେ ବୋଲି ନିଷ୍ପତି କରାଯାଇଛି।