Categories
ଆଜିର ଖବର ରାଜ୍ୟ ଖବର

ମେଣ୍ଢରାଜପୁର ବସ୍ ଟ୍ରାଜେଡ଼ି ଘଟଣାକୁ ବର୍ଷେ ପୁରିଲା: ଶ୍ରଦ୍ଧାଞ୍ଜଳି ଦେଲେ ଏସ୍‌ପି ଏବଂ ପ୍ରଶାସନିକ ଅଧିକାରୀ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତବର୍ଷ ମେଣ୍ଢରାଜପୁର ଗ୍ରାମରେ ଘଟିଥିବା ବସ୍ ଟ୍ରାଜେଡ଼ି ଘଟଣାରେ ଗତକାଲିକୁ ବର୍ଷେ ପୁରିଛି। ଏହି ଅବସରରେ ଆଜି ଅନୁଷ୍ଠିତ ବାର୍ଷିକ ଶୋକସଭାରେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ରଙ୍କ ସମେତ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀମାନେ ଗ୍ରାମରେ ପହଞ୍ଚି ଉକ୍ତ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଘଟଣା ଦିନ ଏକ ସାମାଜିକ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିବା ଏକ ବସ୍ ତଳେ ଓହଳି ରହିଥିବା ୧୧ କେ.ଭି. ବିଦ୍ୟୁତ ସଂସ୍ପର୍ଶରେ ଆସିଯିବାରୁ ଘଟଣାସ୍ଥଳରେ ୬ ଜଣ ଜୀଅନ୍ତା ପୋଡ଼ି ମୃତ୍ୟୁ ବରଣ କରିଥିବାବେଳେ ୩ ଜଣ ବ୍ରହ୍ମପୁର ଏମ୍‌କେସିଜିରେ ମୃତ୍ୟୁବରଣ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଆହୁରି ଅନେକ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ।

ରଙ୍ଗେଇଲୁଣ୍ଡା ବ୍ଲକ୍ ଡ଼ଙ୍କଲପାଟୁ ଗ୍ରାମର ୪୦ ଜଣ ପରିବାରବର୍ଗ ସିଲ୍ ସିଟି ନାମକ ଏକ ବସ୍‌ରେ ଏକ ନିବର୍ନ୍ଧ କାର୍ଯ୍ୟରେ ଯୋଗ ଦେବାକୁ ଘରୁ ହସ ଖୁସିରେ ବାହାରିଥିଲେ। କିଛି ଘଣ୍ଟା ପରେ ଗନ୍ତବ୍ୟସ୍ଥଳ ଚିକରଡ଼ାରେ ପହଞ୍ଚିଥାନ୍ତେ। ହୋଇଥାନ୍ତା ନିବର୍ନ୍ଧ, କିନ୍ତୁ ବାଟରେ ଛକି ରହିଥିଲା ମୃତ୍ୟୁ। ମେଣ୍ଡରାଜପୁର ଗାଁ ରାସ୍ତାରେ ମେଲକାତୁର ଗ୍ରାମ ନିକଟରେ ରାସ୍ତା ଉପରେ ଯାଇଥିବା ଅତି କମ୍ ଉଚ୍ଚତାରେ ଥିବା ଏକ ହାଇଭୋଲ୍‌ଟେଜ୍ ୧୧କେ.ଭି. ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବସ୍‌ଟି ଜଳିଯାଇଥିଲା।

ଗତକାଲି ମୃତକ ଡ଼ଙ୍କଲପାଡ଼ୁ ଗ୍ରାମର ବି. ରମା ଇରାମା ରେଡୀ, ସ୍ୱାମୀ ଚିନ୍ମୟା ରେଡୀ, ବି. ଅଚିମ୍ମା, କେ. ସନ୍ଧ୍ୟା, କାମରାଜୁ ରେଡ୍ଡୀ, ବି. ମୋହିନା, ବି. ରମେୟା ତୁଳସି ଆମ୍ମା, ୧୫ ବର୍ଷୀୟ ଛାତ୍ରୀ ସନ୍ତୋଷିନୀ ସାହୁ, ତରନ୍ୟା ରେଡ୍ଡୀ ପ୍ରମୁଖଙ୍କ ସହ ଅନ୍ୟାନ୍ୟ ମୃତକଙ୍କ ଫଟୋଚିତ୍ରରେ ଏସ୍‌ପି ଶ୍ରୀ ମିଶ୍ର ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଆଜିର ଏହି ଶ୍ରଦ୍ଧାଞ୍ଜଳି ସମାରୋହ ପରେ ଗ୍ରାମରେ ପୁଣିଥରେ ଉକ୍ତ ଦିନର ଘଟଣାମାନର ସ୍ମୃତିକୁ ରୋମନ୍ଥନ କରିଛି।