Categories
ଅପରାଧ ଆଜିର ଖବର ଜାତୀୟ ଖବର

ବିମାନ ବନ୍ଦରରେ ଯାତ୍ରୀଙ୍କ ଠାରୁ ମିଳିଲା ୨୭ ଟି ସୁନା ବିସ୍କୁଟ, ଏୟାର ଇଣ୍ଡିଆ ବସ୍ ଡ୍ରାଇଭର ମଧ୍ୟ ଗିରଫ

ଲକ୍ଷ୍ନୌ: ଲକ୍ଷ୍ନୌ ବିମାନବନ୍ଦରରେ କଷ୍ଟମ ବିଭାଗ ଟିମ ୩୧୪୯.୨୮୦ ଗ୍ରାମ ସୁନା ବିସ୍କୁଟ ଜବତ କରିଛି। ଯାହାର ମୂଲ୍ୟ ୧,୬୮,୪୮,୬୪୮ ଟଙ୍କା ରହିଛି। ମସ୍କଟରୁ ଲକ୍ଷ୍ନୌ ଆସୁଥିବା ବ୍ୟକ୍ତିଙ୍କଠାରୁ ଏହି ସୁନା ଉଦ୍ଧାର କରାଯାଇଛି।

ଏହି ବିଷୟରେ ଗୁପ୍ତଚର ସୂଚନା ମିଳିବା ପରେ ଯାତ୍ରୀଙ୍କ ବ୍ୟାଗେଜ୍ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଥିଲା। ଯାତ୍ରୀଙ୍କ ସନ୍ଦେହଜନକ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ତାଙ୍କ ବ୍ୟାଗ ଯାଞ୍ଚ କରାଯାଇଥିଲା, ସେଥିମଧ୍ୟରୁ ୨୭ ଟି ସୁନା ବିସ୍କୁଟ ମିଳିଥିଲା, ଯାହାର ମୂଲ୍ୟ ୧ କୋଟି ୬୮ ଲକ୍ଷ ହେବ।

ପଚରାଉଚରା ବେଳେ ଏୟାର ଇଣ୍ଡିଆର ବସ୍ ଡ୍ରାଇଭର ମଧ୍ୟ ଏଥିରେ ଜଡିତ ଥିବା ଜଣାପଡିଛି। ପରେ, ସେ ମଧ୍ୟ ନିଜେ ଏଥିରେ ସାମିଲ ଥିବା ସ୍ୱୀକାର କରିଥିଲେ। ଯେଉଁଥିରେ ସେ ଏହି ସୁନାକୁ ବସ୍ ଯୋଗେ ବିମାନବନ୍ଦରର ବାହାରକୁ ନେଇଥାନ୍ତେ ଏବଂ ବାହାରେ ବିକ୍ରି କରିଥାନ୍ତେ। ଉଭୟଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର କରାଯିବ।