Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ମଞ୍ଚସ୍ଥ ହେଲା ନାଟକ ‘ବିପ୍ଳବୀ ବାଜିଆ’

ଭୁବନେଶ୍ଵର: ରସୁଲଗଡ ବ୍ରହ୍ମଶ୍ୱର କଲୋନୀର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଓ ଛାତ୍ରୀ ମାନେ ପିଲାମାନଙ୍କ ମଧ୍ୟରେ ଜାତୀୟତା ଏବଂ ଦେଶପ୍ରେମର ଭାବନା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖି ଭଞ୍ଜ କଳା ମଣ୍ଡପ ଠାରେ ମଞ୍ଚସ୍ଥ କରିଛନ୍ତି ନାଟକ ‘ବିପ୍ଳବୀ ବାଜିଆ’।

ସର୍ବ କନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ତଥା ଭାରତର ଜଣେ ସାହସୀ ଶହୀଦ ବିପ୍ଲବୀ ବାଜି ରାଉତ, ଯିଏ ନିଜ ମାତୃଭୂମି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ, ତାଙ୍କ ଜୀବନରୁ ଅନୁପ୍ରାଣିତ ଏହି ନାଟକ। ମାତ୍ର ୧୨ ବର୍ଷ ବୟସରେ, ସେ ନିର୍ଭୟରେ ବ୍ରିଟିଶ ବନ୍ଧୁକର ସାମ୍ନା କରି ପ୍ରାଣ ତ୍ୟାଗ କରିଥିଲେ। ନୀଳକଣ୍ଠପୁର ଠାରେ ଅକ୍ଟୋବର ୧୧, ୧୯୩୮ ରାତିରେ, ବ୍ରିଟିଶ ସୈନିକ ମାନଙ୍କୁ ବ୍ରାହ୍ମଣୀ ନଦୀ ପାର କରିବାକୁ ମନା କରି ସେ ଦେଇଥିଲେ ଚରମ ବଳିଦାନ।

ଏହି ଷ୍ଟେଜ୍-ପ୍ଲେ ବା ନଟକର ମୂଳ ଉଦ୍ଦେଶ୍ୟ ଥିଲା ଭାରତରେ ସ୍ୱାଧୀନତା ସଂଗ୍ରାମର କମ୍ ଜଣାଶୁଣା ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନ, ସାହସିକତା ଏବଂ ସାହସକୁ ଆଲୋକିତ କରିବା, ବିଶେଷ ଭାବରେ ଶିଶୁ ଥିଏଟର ମାଧ୍ୟମରେ ସ୍ୱାଧୀନତାର ୭୫ତମ ବାର୍ଷିକୀ ପାଳନ ଅବସରରେ ‘ସ୍ଵାଧୀନତାର ଅମୃତ ମହୋତ୍ସବ’ ପାଳନ କରିବା। ଆମର ଲକ୍ଷ୍ୟ ହେଉଛି ପିଲାମାନଙ୍କ ସହିତ ନାଟ୍ୟ ପ୍ରଦର୍ଶନ ଆୟୋଜନ କରିବା ଏବଂ ରାଜ୍ୟ ମଧ୍ୟରେ ଶିଶୁ-କେନ୍ଦ୍ରିକ ଥିଏଟର କାର୍ଯ୍ୟକଳାପ ପାଇଁ ଏକ ସକରାତ୍ମକ ପରିବେଶ ସୃଷ୍ଟି କରିବା ବୋଲି ବିଦ୍ୟାଳୟର ଅଧିକାରୀ କହିଥିଲେ। ଏହି ମିଳିତ ପ୍ରୟାସକୁ ଲୋକପ୍ରିୟ ଅଭିନେତ୍ରୀ ତଥା ଥିଏଟର ବ୍ୟକ୍ତିତ୍ୱ ସୁଶ୍ରୀ ପିଙ୍କି ପ୍ରଧାନଙ୍କ ଦ୍ବାରା ପ୍ରତିଷ୍ଠିତ ‘ପିଙ୍କଉଡ୍ କ୍ରିଏସନ୍’, ଏବଂ ଯାହା ପୂର୍ବତନ ବ୍ୟୁରୋକ୍ରାଟ୍ ତଥା ସମ୍ମାନିତ ସାମାଜିକ ଉଦ୍ୟୋଗୀ ସମ୍ବିତ ତ୍ରିପାଠୀଙ୍କ ଦ୍ୱାରା ପ୍ରତିଷ୍ଠିତ ‘ପେସ୍’ ଫାଉଣ୍ଡେସନ୍ ସହଯୋଗ କରିଛନ୍ତି।

ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିଲେ ଓ ତାଙ୍କ ଛଡ଼ା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ଶିଶୁ ସାହିତ୍ୟିକ ଦାଶ ବେନହୁର, କେନ୍ଦ୍ର ସାହିତ୍ୟ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ନାତ୍ୟ ନିର୍ଦ୍ଦେଶକ ମନୋଜ ପଟ୍ଟନାୟକ, ସିନେ ସାମ୍ବାଦିକ ସୂର୍ଯ୍ୟ ଦେଓ, ଅଭିନେତା ସ୍ୱରାଜ ବାରିକ ଓ ପିଙ୍କି ପ୍ରଧାନ, ସମ୍ବିତ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେ ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର ଭୁବନ ବ୍ଲକରୁ ବାଜି ଉତ୍ତରାଧିକାରୀଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯକ୍ରମରେ ଭୁବନ ବ୍ଲକର ବାସିନ୍ଦାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇ ଥିଲା। ମଞ୍ଚସ୍ଥ ନାଟକ ବେଶ ଲୋକାଦୃତ ହୋଇଥିଲା। ନାଟକରେ ସମୁଦାୟ ୭ ଟି ଦୃଶ୍ୟ ରହିଥିଲା। ପ୍ରତିଟି ଦୃଶ୍ୟ ଶେଷରେ ତାଳିରେ କମ୍ପିଥିଲା ମଣ୍ଡପ। ନାଟକ ଶେଷରେ ପ୍ରତ୍ୟେକ ଦର୍ଶକଙ୍କ ଆଖି ଛଳ ଛଳ ଲକ୍ଷ୍ୟ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସ୍ତରୀୟ ଶହୀଦ ବାଜିରାଉତ ଓ ଲୋକନାୟକ ଜୟପ୍ରକାଶ ଜୟନ୍ତି ପାଳିତ

ଭୁବନେଶ୍ୱର : ସ୍ୱାଧୀନତା ସଂଗ୍ରାମରେ ଶହୀଦ ବାଜିରାଉତଙ୍କ ତ୍ୟାଗ ଓ ସାହସର ପଟାନ୍ତର ନାହିଁ। ପ୍ରଜାମଣ୍ଡଳ ଆନ୍ଦୋଳନ ସମୟରେ ବି୍ରଟିଶ ଫୌଜଙ୍କ ଗୁଳିରେ ପ୍ରାଣବଳୀ ଦେଇଥିବା ବାଜି ରାଉତ ଦେଶର କନିଷ୍ଠତମ ଶହୀଦ ଭାବରେ ସ୍ମରଣୀୟ। ଅନୁରୂପ ଭାବରେ ଲୋକନାୟକ ଜୟପ୍ରକାଶ ନାରାୟଣ ସ୍ୱାଧୀନତା ସଂଗ୍ରାମ, ଭୂଦାନ ଆନ୍ଦୋଳନ ଏବଂ ‘ସଂପୂର୍ଣ୍ଣ କ୍ରାନ୍ତି’ର ଅନ୍ୟତମ ନାୟକ ଭାବରେ ଅତୁଳନୀୟ ଅବଦାନ ରଖିଯାଇଛନ୍ତି।

ସମାଜବାଦୀ ଆଦର୍ଶ ଓ ସାମାଜିକ ନ୍ୟାୟର ପ୍ରତିଷ୍ଠା ନିମନ୍ତେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଅବଦାନ ଅବିସ୍ମରଣୀୟ ବୋଲି ଅତିଥିମାନେ ମତପ୍ରକାଶ କରିଛନ୍ତି।
ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ଶହୀଦ ବାଜିରାଉତଙ୍କ ଶ୍ରାଦ୍ଧ ଓ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଇସ୍ପାତ ଓ ଖଣି ଏବଂ ପୂର୍ତ୍ତ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ତତ୍‌କାଳୀନ ଓଡ଼ିଶାରେ ରାଜତନ୍ତ୍ର ଓ ବି୍ରଟିଶ ଶାସନ ବିରୁଦ୍ଧରେ ଗଡ଼ଜାତ ଆନ୍ଦୋଳନ ଓ ପ୍ରଜାମଣ୍ଡଳର ଭୂମିକା ସଂପର୍କରେ ଆଲୋକପାତ କରିଥିଲେ।

ଅନ୍ୟାୟ ବିରୁଦ୍ଧରେ ଆନ୍ଦୋଳନ ଓ ଦେଶଭକ୍ତିର ପ୍ରତୀକ ଥିଲେ ବାଜି ରାଉତ ବୋଲି ସେ କହିଥିଲେ। ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଥିଲେ ଯେ ଜୟପ୍ରକାଶ ନାରାୟଣ ଧନୀ ଓ ଗରିବଙ୍କ ମଧ୍ୟରେ ତଫାତ୍‌କୁ ହ୍ରାସ କରିବା, କ୍ଷମତା ଲିପ୍‌ସୁ ନହୋଇ ଦେଶର ସେବାରେ ନିଜକୁ ବ୍ରତୀ କରିବାକୁ ଚାହୁଁଥିଲେ। ଦେଶ ସ୍ୱାଧୀନ ହେଲେ ସମସ୍ତେ ସମାନ ସୁବିଧା ଓ ସମାନ ଅଧିକାର ପାଇବେ ବୋଲି ଜୟପ୍ରକାଶ ଯେଉଁ ସ୍ୱପ୍ନ ଦେଖିଥିଲେ, ସେହି ସାମ୍ୟବାଦର ଆବଶ୍ୟକତା ଏବେ ବି ରହିଛି। ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଜୟପ୍ରକାଶ ନାରାୟଣ ଓ ବାଜି ରାଉତଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ସେ ଆହ୍ୱାନ ଦେଇଥିଲେ।

ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ବିଜ୍ଞାନ ଓ କାରିଗରୀ, ସରକାରୀ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭୁ୍ୟ’ର ସଂପାଦକ ଡ. ଲେନିନ୍‌ ମହାନ୍ତି ତାଙ୍କ ବକ୍ତବ୍ୟରେ ଶହୀଦ ବାଜିରାଉତଙ୍କ ଅନନ୍ୟ ବଳିଦାନ ଉତ୍ତରପିଢ଼ିଙ୍କ ପାଇଁ ଦୃଷ୍ଟାନ୍ତ ସୃଷ୍ଟି କରିଥିବାବେଳେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଗଣତନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ନିମନ୍ତେ ସଂପୂର୍ଣ୍ଣ କ୍ରାନ୍ତିର ଆହ୍ୱାନ ଦେଇଥିଲେ ବୋଲି ମତ ପ୍ରକାଶ କରିଥିଲେ।

ଉତ୍କଳ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଅବସରପ୍ରାପ୍ତ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ତତ୍‌କାଳୀନ ଇଂରେଜ ଶାସକଙ୍କର ଅନ୍ୟାୟ, ଅତ୍ୟାଚାର ବିରୁଦ୍ଧରେ ବାଜିରାଉତଙ୍କର ସଂଗ୍ରାମୀ ଚିନ୍ତାଧାରା ଏବଂ ସାମାଜିକ ନ୍ୟାୟ ପ୍ରତିଷ୍ଠା ଓ ଦେଶର ସ୍ୱାର୍ଥ ପାଇଁ କ୍ରାନ୍ତିକାରୀ ବିପ୍ଳବ ଦିଗରେ ଜୟପ୍ରକାଶ ନାରାୟଣଙ୍କର ଭୂମିକା ସଂପର୍କରେ ତୁଳନାତ୍ମକ ବିଶ୍ଳେଷଣ କରିଥିଲେ। ଦେଶ ପାଇଁ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କର ଜୀବନବ୍ୟାପୀ ସଂଗ୍ରାମ ଓ ଆଦର୍ଶ ସଂପର୍କରେ ଅଲୋକପାତ କରିବା ସହ ୧୨ ବର୍ଷର ବାଳକ ବାଜିରାଉତଙ୍କର ଦେଶ ପାଇଁ ଅବଦାନ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛି ବୋଲି ସେ ପ୍ରକାଶ କରିଥିଲେ।

ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତି୍ରପାଠୀ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରି ଇଂରେଜମାନଙ୍କ ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ବାଜିରାଉତଙ୍କ ତ୍ୟାଗ ଅପୂର୍ବ ଦେଶଭକ୍ତିର ପ୍ରମାଣ ବୋଲି କହିଥିଲେ। ସେହିପରି ଲୋକନାୟକ ଜୟପ୍ରକାଶ ନାରାୟଣ ଦୁର୍ନୀତି ଓ ଗଣତାନ୍ତ୍ରିକ ଶାସନରେ ସେ୍ୱଚ୍ଛାଚାରିତା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ ବୋଲି ସେ ପ୍ରକାଶ କରିଥିଲେ। ପ୍ରାରମ୍ଭରେ ଶହୀଦ ବାଜିରାଉତ ଏବଂ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଫଟୋଚିତ୍ରରେ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ । ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ର ନାଥ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସୂଚନା ଅଧିକାରୀ ପ୍ରମିଳା ମାଝୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ଗଣମାଧ୍ୟମର ପ୍ରତିନିଧି ଯୋଗଦେଇଥିଲେ।