Categories
ଆଞ୍ଚଳିକ

ବାଣପୁର ଥାନା ଅଧିକାରୀଙ୍କ ବଦାନ୍ୟତା: ଦୁର୍ଘଟଣାରେ ଗୁରୁତର ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ନେଲେ ଡାକ୍ତରଖାନା

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ବାଣପୁର ବଜାରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ବଜାରକୁ ଆସିଥିବା ଜଣେ ୫୫ ବର୍ଷ ବ୍ୟକ୍ତିଙ୍କର ଗୋଡ଼ ଉପରେ ଟ୍ରକ ଚଢିଯାଇଥିଲା। ଯାହାଫଳରେ ସେ ଗୁରୁତର ହୋଇ ରାସ୍ତା ମଝିରେ ପଡିରହିଥିବା ଦେଖିବାକୁ ମିଳିଥିଲା। ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ମଙ୍ଗରାଜପୁର ଗ୍ରାମର ସୁରେଶ ପ୍ରଧାନ (୫୫)।

ଘଟଣାରୁ ପ୍ରକାଶ ଯେ, ଘର ସଉଦା ନିମନ୍ତେ ବାଣପୁର ବଜାରକୁ ସୁରେଶ ଯାଇଥିବା ବେଳେ ଏପି ୩୯ ୟୁ ୯୫୮୯ ନମ୍ବର ଥିବା ଏକ ୧୪ ଚକିଆ ଟ୍ରକ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ସେ ତଳେ ପଡିଯିବା ପରେ ଟ୍ରକର ଚକା ତାଙ୍କର ଦୁଇ ଗୋଡ଼ ଉପରେ ଚଢି ଯାଇଥିଲା।  ସେଥିରୁ ଡାହାଣପାଖ ଗୋଡ଼ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡିଛି।

ଘଟଣା ସ୍ଥଳରେ ସୁରେଶ ରକ୍ତ ଜୁଡୁବୁଡୁ ହୋଇ ଗୁରୁତର ଅବସ୍ଥାରେ ପଡ଼ିଥିବା ବେଳେ କେହି ବ୍ୟକ୍ତି ତାଙ୍କୁ ସାହାଯ୍ୟ କରୁନଥିବା ଦେଖିବାକୁ ମିଳିଥିଲା। ଉକ୍ତ ସମୟରେ ସେହି ବାଟ ଦେଇ ବାଣପୁର ଥାନାଧିକାରୀ ରମେଶ କୁମାର ଦେବତା ଯାଉଥିବା ବେଳେ ଏହା ଦେଖି ସଙ୍ଗେସଙ୍ଗେ ନିଜ ଗାଡ଼ିରୁ ଓହ୍ଲାଇ ନିଜ ଟିମ ସହ ଗୁରୁତର ଆହତ ହୋଇଥିବା ସୁରେଶଙ୍କୁ ବାଣପୁର ମେଡିକାଲ ନେଇଥିଲେ।

ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତର ସୁରେଶଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତରଣ କରିଛନ୍ତି। ତେବେ ବାଣପୁର ଆଇଆଇସି ଙ୍କ ଉକ୍ତ କାର୍ଯ୍ୟକୁ ଜନସାଧାରଣ ଭୁୟସୀ ପ୍ରଶଂସା କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ଆଇଆଇସି ସ୍ତରରେ ଅଦଳ ବଦଳ: ଖୋର୍ଦ୍ଧା ଟାଉନ୍ ଥାନାକୁ ଯିବେ ବାଣପୁର ଥାନା ଅଧିକାରୀ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ଅରାକ୍ଷୀ ଅଧିକ୍ଷକଙ୍କ ଅନୁମୋଦନ କ୍ରମେ ଜିଲ୍ଲାର ବହୁ ଥାନାର ଆଇଆଇସିମାନଙ୍କୁ ଅଦଳ ବଦଳ କରାଯିବା ସହ କେତେ ଗୋଟି ଥାନାରେ ନୂଆ ଆଇଆଇସି ନିଯୁକ୍ତି ଦିଆଯାଇଛି।

ଏହି କ୍ରମରେ ଖୋର୍ଦ୍ଧା ଜିଲ୍ଲାର ସବୁଠାରୁ ବୃହତ ଏବଂ ବ୍ୟସ୍ତବହୁଳ ଥାନା ରୂପେ ପରିଗଣିତ ବାଣପୁର ଥାନାର ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକଙ୍କ ବଦଳି ହୋଇଛି। ତାଙ୍କର ଖୋର୍ଦ୍ଧା ଟାଉନ ଥାନା ଆଇଆଇସି ରୂପେ ବଦଳି ହୋଇଛି। ତାଙ୍କ ଜାଗାରେ ବାଣପୁର ଥାନା ଭାର ସମ୍ଭାଳିବେ ବେଗୁନିଆ ଥାନା ଆଇଆଇସି ରଶ୍ମିରଂଜନ ସାହୁ।

ତେବେ ଦୀର୍ଘ ଦୁଇ ବର୍ଷରୁ ଉର୍ଦ୍ଧ୍ଵ ହେଲା ଶ୍ରୀ ପଟ୍ଟନାୟକ ଅତ୍ୟନ୍ତ ନିଷ୍ଠାର ସହ ବାଣପୁର ଥାନାରେ ନିଜ କାର୍ଯ୍ୟନିର୍ବାହ କରିଥିବାବେଳେ ବାଣପୁରବାସିଙ୍କ ପ୍ରିୟଭାଜନ ମଧ୍ୟ ହୋଇପାରିଛନ୍ତି। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବାଣପୁର ଥାନାର ବହୁ ଜଟିଳ ମାମଲାଗୁଡିକର ସମାଧାନ କରିପାରିଛନ୍ତି ଶ୍ରୀ ପଟ୍ଟନାୟକ। ଜଣେ ଶାନ୍ତ, ମିଷ୍ଟଭାସି ଏବଂ ନିଆରା ବ୍ୟକ୍ତିତ୍ୱର ଅଧିକାରୀ ଅଟନ୍ତି ଶ୍ରୀ ପଟ୍ଟନାୟକ। ପୂର୍ବରୁ ଏକାଧିକ ଆଇଆଇସି ବାଣପୁର ଥାନାକୁ ଆସିଥିବାବେଳେ ଶ୍ରୀ ପଟ୍ଟନାୟକଙ୍କ କାର୍ଯ୍ୟକାଳ ମଧ୍ୟରେ ପୋଲିସ ଏବଂ ଜନସାଧାରଣଙ୍କ ସମ୍ପର୍କ ବେଶ ନିବିଡ଼ ହୋଇପାରିଛି।

ଅନୁରୂପଭାବେ ନିକଟରେ ବାଣପୁର ଥାନାର ପୂର୍ବତନ ଏସଆଇ ବିଜୟ ମଲ୍ଲିକଙ୍କ ପଦୋନ୍ନତି ହୋଇଥିବାବେଳେ ସେ ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଆଇଆଇସି ରୂପେ ଦାୟିତ୍ୱ ନିର୍ବାହ କରିବେ।

ସୂଚନା ଥାଉକି ଟାଙ୍ଗୀ ଥାନା ଆଇଆଇସି ସରୋଜ ଉପାଧ୍ୟାୟଙ୍କ ଯାଜପୁର ଏସଡ଼ିପିଓ ଭାବେ ଦୀର୍ଘଦିନ ହେଲା ପଦୋନ୍ନତି ହୋଇସାରିଛି।