Categories
ଆଞ୍ଚଳିକ

ବାଣପୁର ନଗର ମଣ୍ଡଳ ବିଜେପିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଲେ ରାଜ୍ୟ ସଭାପତି ସମୀର ମହାନ୍ତି

ସୀତାରାମ ଅଗ୍ରୱାଲ

ବାଣପୁର: ଆଗକୁ ଆସୁଛି ପୌର ଓ ପଞ୍ଚାୟତ ନିର୍ବାଚନ। ଏହି ପରିପ୍ରେକ୍ଷୀରେ ରାଜ୍ୟ ବିଜେପି ଧୀରେ ଧୀରେ ତାର ସଂଗଠନକୁ ମଜଭୁତ କରିବାରେ ଲାଗିଛି। ଅନୁରୂପ ଭାବେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ ମଧ୍ୟ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି। ବିଗତ କିଛି ଦିନ ହେଲା ବିଜେପି ଏହାର ସାଙ୍ଗଠନିକ ଭିତ୍ତିଭୂମିକୁ ସଜାଡ଼ିବାରେ ଲାଗିଛି ଏବଂ ନିଜକୁ ଶକ୍ତିଶାଳୀ କରିବାକୁ ପ୍ରୟାସ କରୁଛି।

ପୂର୍ବରୁ ବିଭିନ୍ନ ମଣ୍ଡଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ନିଜର ଶକ୍ତି ପ୍ରଦର୍ଶନ କରିସାରିଥିବାସ୍ଥଳେ ଆଜି ବାଣପୁର ନଗର ମଣ୍ଡଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ବାବା ବୋଖାରି କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମୁଖ୍ୟ ଅତିଥିଭାବେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ ଓ ବାଣପୁର ନଗର ମଣ୍ଡଳ ସଭାପତି ଭଗବାନ ପ୍ରଧାନ ଆଦି ଯୋଗ ଦେଇଥିଲେ।

ଉକ୍ତ ସଭାରେ ବାଣପୁର ଏନଏସିର ଶତାଧିକ ପୁରୁଷ ଓ ମହିଳା କର୍ମୀମାନେ ଯୋଗଦେଇ ଆଗାମୀ ପୌର ନିର୍ବାଚନରେ ବିଜେପିକୁ ବିପୁଳ ଭୋଟରେ ଜିତେଇବା ପାଇଁ ଦୃଢ଼ ସଂକଳ୍ପ ନେଇଥିଲେ। ଭାରତର ଜନପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶର ମନ୍ତ୍ରକୁ ଘରେ ଘରେ ପହଞ୍ଚାଇବା ପାଇଁ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ।

ସେହିପରି ଭାବେ ଦୀର୍ଘ ବର୍ଷ ଧରି ଦୁର୍ନୀତିରେ ଜଡିତ ଥିବା ବିଜେଡି ସରକାରକୁ ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନରେ ଚିଲିକା ବାସି ପ୍ରତ୍ୟାଖ୍ୟାନ କରି ବିଜେପିକୁ ଜିତାଇବେ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ମତ ରଖିଥିଲେ। ସଭା ଶେଷରେ ଆଗାମୀ ପୌର ନିର୍ବାଚନ ପରିଚାଳନା ପାଇଁ ପ୍ରତି ୱାର୍ଡର ୱାର୍ଡ ପ୍ରଭାରୀମାନଙ୍କୁ ଦଳ ପକ୍ଷରୁ ନିଯୁକ୍ତି କରାଯାଇଥିଲା।

ବୈଠକ ପରେ ଚିଲିକାର ବିଶିଷ୍ଟ ସମାଜସେବୀ ତଥା ବାଲୁଗାଁ ଏନଏସିର ପୂର୍ବତନ ଅଧ୍ୟକ୍ଷ ସ୍ବର୍ଗତ ଅଶୋକ ଦାସଙ୍କ ବାଣପୁର ସ୍ଥିତ ବାସଭବନକୁ ଯାଇଥିଲେ। ସ୍ବର୍ଗତ ଅଶୋକଙ୍କ ଦ୍ଵାଦଶାହ କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସଭାପତି ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଉକ୍ତ ବୈଠକରେ ଯୋଗଦେବା ପୂର୍ବରୁ ତାଙ୍କୁ ବାଲୁଗାଁ ଗାନ୍ଧୀଛକରେ ବାଲୁଗାଁ ନଗର ବିଜେପି ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେହିପରି ଭାବେ ଗାନ୍ଧୀଛକରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରୀ ମହାନ୍ତି ମାଲ୍ୟାର୍ପଣ କରିଥିଲେ। ଏବଂ ଶ୍ରୀ ମହାନ୍ତି ବାଣପୁର ଅଧିଷ୍ଠାତ୍ରୀ ଦେବୀ ମା ‘ ଭଗବତୀ ମନ୍ଦିରରେ ମା’ ଙ୍କ ଦର୍ଶନ ମଧ୍ୟ କରିଥିଲେ।