Categories
ଆଞ୍ଚଳିକ

ବାଣପୁର ମାଇନର ସ୍କୁଲର ୧୯୯୫-୯୬ ବ୍ୟାଚର ବନ୍ଧୁମିଳନ

ସୀତାରାମ ଅଗ୍ରୱାଲ

ବାଣପୁର: ଓଡ଼ିଶାର ଖ୍ୟାତିସମ୍ପର୍ଣ୍ଣ ସର୍ବପୁରାତନ ସ୍କୁଲ ବାଣପୁର ମାଇନର ସ୍କୁଲର ୧୯୯୫-୯୬ ମସିହାର ସପ୍ତମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ଏକ ବନ୍ଧୁମିଳନ ଉତ୍ସବ ସ୍ଥାନୀୟ ଉତ୍ତରାୟଣୀ ମନ୍ଦିର ପ୍ରାଙ୍ଗଣରେ ଏକ ମନୋଜ୍ଞ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।

ପ୍ରଥମେ ଏହି ବିଦ୍ୟାଳୟର ପୁରାତନ ଛାତ୍ର ଓଡ଼ିଶାର ପ୍ରଖ୍ୟାତ କବି ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ର, ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ଓ ଉଚ୍ଚତ୍ତମ ନ୍ୟାୟାଳୟର ପ୍ରଧାନ ବିଚାରପତି ରଙ୍ଗନାଥ ମିଶ୍ରଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ ତଦନାନ୍ତନ ପ୍ରଧାନଶିକ୍ଷକ ବ୍ରଜସୁନ୍ଦର ମହାପାତ୍ର, ସହକାରୀ ଶିକ୍ଷକ ତ୍ରିନାଥ ପ୍ରଧାନ, ଶିବପ୍ରସାଦ ମିଶ୍ର, ବାଳମୁକନ୍ଦ ଦାସ ଓ ଶିକ୍ଷୟିତ୍ରୀ ସୁଜାତା ପାତ୍ରଙ୍କୁ ଯଥୋଚିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

ପୁରାତନ ଛାତ୍ର ଲକ୍ଷ୍ମୀକାନ୍ତ ମିଶ୍ର ସ୍ବାଗତ ଭାଷଣଦେଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆଶୀର୍ବାଦ ଭିକ୍ଷା କରି ଏପରି ବନ୍ଧୁମିଳନରେ ଗୁରୂପୁଜନ ପରମ୍ପରା ସଦାସର୍ବଦା ବଜାୟ ରଖିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଦିବଂଗତ ଶିକ୍ଷକ କାହ୍ନୁଚରଣ ରାୟ ଓ ଜ୍ୟୋତିର୍ମୟୀ ମହାନ୍ତିଙ୍କ ଆତ୍ମାର ସଦ୍ଗତି ପ୍ରାର୍ଥନା ପରେ ପୁରାତନ ଛାତ୍ର ଜାନକୀ ବଲ୍ଲଭ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ଛାତ୍ର ଲକ୍ଷ୍ମୀକାନ୍ତ ମିଶ୍ର, ହରିହର ସୁବୁଦ୍ଧି, ଶେଖ୍ ହୁସେନ, ସୁଶାନ୍ତ ସାହୁ ଓ ରେଣୁବାଳା ଦାସଙ୍କ ନେତୃତ୍ୱରେ ପ୍ରାୟ ୪୦ ଜଣ ଛାତ୍ରଛାତ୍ରୀ ସେମାନଙ୍କ ପରିବାର ସହ ଏକତ୍ରିତ ହୋଇ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସାଧାରଣତଃ କଲେଜ ଓ ମ୍ୟାଟ୍ରିକସ୍ତରରେ ବନ୍ଧୁମିଳନ ଦେଖିବାକୁ ମିଳୁଥିବା ବେଳେ ସପ୍ତମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ବାଣପୁରରେ ପ୍ରଥମତଃ ଅନୁଷ୍ଠିତ ହୋଇଥିବାରୁ ସମସ୍ତେ ଏହାକୁ ପ୍ରଶଂସା କରିଥିଲେ।