Categories
ଆଞ୍ଚଳିକ

ବାଣପୁର ସେଣ୍ଟ୍ ଜାଭିୟର୍ସ ହାଇସ୍କୁଲରେ ଅନୁଷ୍ଠିତ ହେଲା ‘ମାଗଣା ହାଟ’

ବାଣପୁର( ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ସ୍ଥିତ ସେଣ୍ଟ୍ ଜାଭିୟର୍ସ ହାଇସ୍କୁଲ ପରିସରରେ ଆଜି ‘ମାଗଣା ହାଟ’ ନାମକ ଏକ ନିଆରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ଅନ୍ତର୍ଗତ ବହୁ ହିତାଧିକାରୀମାନେ ନିଃଶୁଳ୍କ ଭାବେ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉକ୍ତ ହାଟରୁ ଗ୍ରହଣ କରିଥିଲେ। ସ୍କୁଲର ଅଧ୍ୟକ୍ଷ ଡ. ଶକ୍ତି ପ୍ରସାଦ ମହାନ୍ତି ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

ସ୍କୁଲ ପକ୍ଷରୁ ପୂର୍ବରୁ ବାଣପୁରବାସୀଙ୍କ ଠାରୁ ସଂଗ୍ରହ କରାଯାଇଥିବା କମ୍ବଳ, ଚାଉଳ, ପୋଷାକ, ପାଠ୍ୟ ଉପକରଣ, ଶିଶୁ ମାନଙ୍କ ପୋଷାକ ଆଦିକୁ ନିଃଶୁଳ୍କ ଭାବେ ହାଟ ମାଧ୍ୟମରେ ହିତାଧିକାରୀଙ୍କୁ ବିତରଣ କରାଯାଇଥିଲା। ତେବେ ଆଶ୍ଚର୍ଯ୍ୟର ବିଷୟ ଉକ୍ତ କାର୍ଯ୍ୟକ୍ରମକୁ ଅଦ୍ଭୁତପୂର୍ବ ସଫଳତା ମିଳିଥିବାର ଦେଖାଯାଇଛି। ପାଖାପାଖି ଚାରି ଶହରୁ ଉର୍ଦ୍ଧ୍ଵ ହିତାଧିକାରୀ ମାନେ ଉକ୍ତ ହାଟକୁ ଆସି ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଆଗ୍ରହର ସହକାରେ ଗ୍ରହଣ କରିଥିଲେ।

ମାତ୍ର କେଇ ଘଣ୍ଟା ମଧ୍ୟରେ ହାଟ ଖାଲି ହୋଇଯାଇଥିବାର ଦେଖିବାକୁ ମିଳିଥିଲା। ଏପରିକି ବହୁ ବଞ୍ଚିତ ହିତାଧିକାରୀ ମାନେ ଅଗ୍ରିମ ହାଟ ପାଇଁ ଉତ୍କଣ୍ଠାର ସହକାରେ ଚାହିଁ ବସିବା ସହ ସେମାନଙ୍କ ନାମ ମଧ୍ୟ ପଞ୍ଜିକରଣ କରିଛନ୍ତି।

ତେବେ ଏହାକୁ ମିଶାଇ ଚତୁର୍ଥ ଥର ବାଣପୁରରେ ଏପରି କାର୍ଯ୍ୟକ୍ରମ ହୋଇଥିବାବେଳେ ସମଗ୍ର ବାଣପୁରବାସି ସେଣ୍ଟ୍ ଜାଭିୟର୍ସ ହାଇସ୍କୁଲର ଉକ୍ତ ମହତ କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା କରିଛନ୍ତି। ସ୍କୁଲର ଭାରପ୍ରାପ୍ତ ଅଧ୍ୟକ୍ଷ ଦେବରାଜ ପାଲଟାସିଂହ,ସତ୍ୟନାରାୟଣ ପ୍ରଧାନ, ରବିନାରାୟଣ ହୋତାଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉକ୍ତ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ।