Categories
ବିଶେଷ ଖବର ବ୍ୟବସାୟ

ରାଜ୍ୟ ବାଣିଜ୍ୟକର ଏବଂ ଜିଏସ୍‌ଟି ବିଭାଗର ଦକ୍ଷତା ବିକାଶ କାର୍ଯ୍ୟକ୍ରମ

ଭୁବନେଶ୍ୱର: ରାଜ୍ୟ ବାଣିଜ୍ୟକର ଏବଂ ଜିଏସ୍‌ଟି ବିଭାଗରେ କାର୍ଯ୍ୟରତ ଅଧିକାରୀମାନଙ୍କର ଏକ ସାତଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ୨୪ ତାରିଖ ଦିନ ରାଜ୍ୟ ବାଣିଜ୍ୟକର ଏବଂ ଜିଏସ୍‌ଟି ଆୟୁକ୍ତ ଶ୍ରୀ ସଞ୍ଜୟ କୁମାର ସିଂହଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି। ଭାରତ-ଯୁକ୍ତରାଜ୍ୟ ଅର୍ଥନୈତିକ ସହଯୋଗିତା କାର୍ଯ୍ୟକ୍ରମ ଅଧିନରେ ଯୁକ୍ତରାଜ୍ୟ ସରକାରଙ୍କ ବୈଦେଶିକ ରାଜ୍ୟଗୋଷ୍ଠୀ ଏବଂ ବିକାଶ ଅଫିସ୍‌ ଏବଂ ଓଡ଼ିଶା ସରକାରଙ୍କ ବାଣିଜ୍ୟକର ଓ ଜିଏସ୍‌ଟି ବିଭାଗର ମିଳିତ ଆନୁକୂଲ୍ୟରେ ଏହି ପ୍ରଶିକ୍ଷଣ ଆରମ୍ଭ ହୋଇଛି।

ଏଫ୍‌ସିଡିଓର ଅର୍ଥନୀତି ଓ ବିତ୍ତ ବିଭାଗ ମୁଖ୍ୟ ଆଦମ ଟେଲର, ବିତ୍ତୀୟ ଅପରାଧ ଯୋଗସୂତ୍ର ଅଧିକାରୀ ଜୁଲିଆନ୍‌ ସଲଦାନହା, ରାଜସ୍ୱ ଓ କଷ୍ଟମ ବିଭାଗର ଶ୍ରୀମତୀ ହିରାବତୀ ଗୋଖେଲ ମଧ୍ୟ ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଭୁବନେଶ୍ୱରସ୍ଥିତ ମଧୁସୂଦନ ଦାସ ଆଞ୍ଚଳିକ ବିତ୍ତୀୟ ପରିଚାଳନା ପ୍ରତିଷ୍ଠାନରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସଭାରେ ରାଜ୍ୟ ବାଣିଜ୍ୟକର ଓ ଜିଏସ୍‌ଟି ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

ଏହି ସାତଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଭାଗନେବା ପାଇଁ ରାଜ୍ୟ ବାଣିଜ୍ୟକର ଓ ଜିଏସ୍‌ଟି ବିଭାଗର ୬୫ ଜଣ ଅଧିକାରୀଙ୍କୁ ଚୟନ କରାଯାଇଛି । ବିଶେଷ କରି ସୂଚନା ପ୍ରଯୁକ୍ତି (ଆଇଟି), ଇ-କମର୍ସ, ଅର୍ଥ, ବ୍ୟାଙ୍କିଙ୍ଗ୍‌ ଓ ବୀମା, ଅଡିଟ୍‌ ଏବଂ ସଫଫ ସ୍କିଲ ବିକାଶ କ୍ଷେତ୍ରରେ ଏହି ପ୍ରଶିକ୍ଷଣ ଦିଆଯିବ ।

ନିଜର ଉଦ୍‌ଘାଟନୀ ଅଭିଭାଷଣରେ ବାଣିଜ୍ୟକର ଓ ଜିଏସ୍‌ଟି ଆୟୁକ୍ତ ଶ୍ରୀଯୁକ୍ତ ସିଂହ କହିଲେ ଯେ ଉଭୟ ଜିଏସ୍‌ଟି ଆଇନ ଓ ବ୍ୟବସାୟର କାର୍ଯ୍ୟଧାରାରେ ପରିବର୍ତ୍ତନ ହୋଇଚାଲିଛି । ବ୍ୟବସାୟ କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳର ବ୍ୟାପକ ବ୍ୟବହାର ଯୋଗୁଁ ଘଟିଥିବା ପରିବର୍ତ୍ତନ ଏକ ବଡ଼ ଆହ୍ୱାନ ରୂପେ ଉଭା ହୋଇଛି । ବ୍ୟବସାୟଗୁଡ଼ିକ ସଂପୂର୍ଣ୍ଣ ରୂପେ ବୈଷୟିକ ଜ୍ଞାନକୌଶଳ ଦ୍ୱାରା ପରିଚାଳିତ ହେଉଥିବାରୁ ଏଗୁଡ଼ିକ ଅଧିକରୁ ଅଧିକ ଜଟିଳ ଅନୁଭୂତ ହେଉଛନ୍ତି । ତେଣୁ ଦୈନନ୍ଦିନ ଟିକସ ପ୍ରଶାସନ ବ୍ୟବସ୍ଥାକୁ ସୂଚାରୁ ରୂପେ ପରିଚାଳନା କରିବାକୁ ହେଲେ ଟିକସ ଅଧିକାରୀମାନେ ନିଜର ଦକ୍ଷତା ଅଭିବୃଦ୍ଧି କରିବା ଦରକାର ।

ପ୍ରଶିକ୍ଷଣ ଗ୍ରହଣ କରୁଥିବା ଏହି ଅଧିକାରୀମାନେ ସମୟକ୍ରମେ ରାଜ୍ୟ ବାଣିଜ୍ୟକର ଏବଂ ଜିଏସ୍‌ଟି ସଂସ୍ଥାର ମାଷ୍ଟର ଟ୍ରେନର ଭାବେ କାର୍ଯ୍ୟ କରିବେ । ପିଡବ୍ଲୁସିର କର୍ମକର୍ତ୍ତାଙ୍କ ସହଯୋଗରେ ଏଫ୍‌ସିଡିଓ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିଛି। ବିଭିନ୍ନ କେସ୍‌ ଷ୍ଟଡି ମାଧ୍ୟମରେ ଅଧିକାରୀମାନଙ୍କୁ ବାସ୍ତବ କ୍ଷେତ୍ରରେ ଘଟୁଥିବା କିଛି ଘଟଣାବଳୀ ସହିତ ପରିଚିତ କରାଇବା ଉଦ୍ଦେଶ୍ୟରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ପ୍ରସ୍ତୁତ କରାଯାଇଛି।