Categories
ଅପରାଧ ଆଜିର ଖବର ଜାତୀୟ ଖବର

ପୁଣି ବିବାଦରେ ଶିଳ୍ପା ଶେଟ୍ଟୀ ଏବଂ ରାଜ କୁନ୍ଦ୍ରା: ଉଭୟଙ୍କ ବିରୋଧରେ ରୁଜୁ ହେଲା ଠକେଇ ମାମଲା

ମୁମ୍ବାଇ: ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେସନରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ଠକେଇ ମାମଲା ରୁଜୁ ହୋଇଛି। ସୂତ୍ରରୁ ପ୍ରକାଶ ଯେ, ନିତିନ ବାରାଇ ନାମକ ଅଭିଯୋଗକାରୀ ବାନ୍ଦ୍ରା ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଜୁଲାଇ ୨୦୧୪ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏମ/ଏସଏଫଏଲ ପ୍ରାଇଭେଟ କମ୍ପାନୀର ନିର୍ଦ୍ଦେଶକ ଶିଳ୍ପା ଶେଟ୍ଟୀ, ରାଜ କୁନ୍ଦ୍ରା, କାଶୀଫ ଖାନ, ଦର୍ଷିତ ଶାହା ଏବଂ ସେମାନଙ୍କ ସହଯୋଗୀମାନେ ବରାଇଙ୍କ ସହ ଧୋକା କରିଛନ୍ତି।

ଅଭିଯୋଗ ମୁତାବକ ଏମ/ଏସଏଫଏଲ କମ୍ପାନୀର ଫ୍ରାଞ୍ଚାଇଜ୍ ନେଇ ପୁଣେର କୋରେଗାଓଁ ଅଞ୍ଚଳରେ ଏକ ସ୍ପା ଏବଂ ଜିମ୍ ଖୋଲିଲେ, ଏହା ବହୁତ ଲାଭଦାୟକ ହେବ ବୋଲି ବରାଇଙ୍କୁ କୁହାଯାଇଥିଲା। ଏହା ପରେ ବାରାଇଙ୍କୁ ୧ କୋଟି ୫୯ ଲକ୍ଷ ୨୭ ହଜାର ଟଙ୍କା ବିନିଯୋଗ କରିବାକୁ ପ୍ରସ୍ତୁତ କରାଯାଇଥିଲା। ଯାହା ପରେ ଅଭିଯୁକ୍ତମାନେ ବାରାଇଙ୍କ ଟଙ୍କାକୁ ସେମାନଙ୍କ ଲାଭ ପାଇଁ ବ୍ୟବହାର କରିଥିଲେ ଏବଂ ଯେତେବେଳେ ସେ ତାଙ୍କ ଟଙ୍କା ଫେରସ୍ତ ମାଗିଥିଲେ ସେତେବେଳେ ତାଙ୍କୁ ଧମକ ଦିଆଯାଇଥିଲା।

ବରାଇଙ୍କ ଅଭିଯୋଗ ପରେ ବାନ୍ଦ୍ରା ପୋଲିସ ଆଇପିସିର ଧାରା ୪୦୬, ୪୦୯, ୪୨୦, ୫୦୬, ୩୪ ଏବଂ ୧୨୦ (ବି) ଅନୁଯାୟୀ ଶିଳ୍ପା ଶେଟ୍ଟୀ, ରାଜ କୁନ୍ଦ୍ରା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଚି।

ମୁମ୍ବାଇ ପୋଲିସ ମଧ୍ୟ ଏହି ମାମଲାରେ ଅଭିଯୁକ୍ତଙ୍କୁ ପଚରାଉଚରା କରିପାରେ। ରାଜ କୁନ୍ଦ୍ରା, ଶିଳ୍ପା ଶେଟ୍ଟୀଙ୍କ ପକ୍ଷ ଜାଣିବା ପାଇଁ ପୋଲିସ ଶୀଘ୍ର ସେମାନଙ୍କ ସହ ଯୋଗାଯୋଗ କରିପାରେ।