Categories
ଆଞ୍ଚଳିକ

ବାଲୁଗାଁ: ବିଦେଶୀ ମଦ ଜବତ, ବେପାରୀ ଗିରଫ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନାରେ ନୂତନ ଆଇଆଇସି ଭାବେ ଜୟପ୍ରକାଶ ପରିଡ଼ା ଯୋଗ ଦେବା ପରେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପକୁ ରୋକିବା ଦିଗରେ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶେଷକରି ମଦ ଚୋରା ଚାଲାଣ, ବେପରୁଆ ଗାଡ଼ି ଚାଳନା ରୋକିବା ଦିଗରେ ଗୁରୁତ୍ୱ ଦେଉଛନ୍ତି ଆଇଆଇସି ଶ୍ରୀ ପରିଡ଼ା।

ବିଗତ ଦୁଇ ଦିନ ହେବ ବାଲୁଗାଁ ଥାନା ଅଞ୍ଚଳରେ ମଦ ଚଢ଼ାଉ ଜାରି ରହିଥିବା ବେଳେ ବୁଧବାର ଦିନ ୧୮.୬୪୦ ଲିଟର ବିଦେଶୀ ମଦ ଜବତ ହୋଇଛି। ଏହି ପରିପ୍ରେକ୍ଷୀରେ ବ୍ରଜରାଜପୁର ଗ୍ରାମର ଅଭିଯୁକ୍ତ କେଦାର ବେହେରା (୫୫) ଗିରଫ ହୋଇଛନ୍ତି।

ସେହିପରି ଭାବେ ଦୁଇ ଦିନ ମଧ୍ୟରେ ତିନି ଗୋଟି ମଦ ଜନିତ ମାମଲା ରୁଜୁ ହୋଇଥିବା ବେଳେ ତିନି ଅଭିଯୁକ୍ତ ଗିରଫ ହୋଇଛନ୍ତି।

ଅନୁରୂପ ଭାବେ ଟ୍ରାଫିକ ନିୟମ ଉଲଂଘନକାରୀଙ୍କ ଠାରୁ ଏକ ଲକ୍ଷ ଟଙ୍କା ଜରିମାନା ଆଦାୟ ହୋଇଥିବା ବେଳେ ପାଞ୍ଚ ଗୋଟି ୱାରେଣ୍ଟ ଗିରଫ ହୋଇଥିବାର ଆଇଆଇସି ଶ୍ରୀ ପରିଡ଼ା ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଆସିଲେ ବିଶ୍ୱ ବ୍ୟାଙ୍କର ପ୍ରତିନିଧି ଦଳ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ଅପରାହ୍ନରେ ବିଶ୍ୱ ବ୍ୟାଙ୍କର ଏକ ପ୍ରତିନିଧି ଦଳ ସୁଦୂର ନୂଆଦିଲ୍ଲୀରୁ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଆସିଥିଲେ। ଉକ୍ତ ଟିମ ସହ ଓସେପା ଉପ ନିର୍ଦ୍ଦେଶକ, ପ୍ରାଥମିକ ଶିକ୍ଷା ନିର୍ଦେଶାଳୟର ଯୁଗ ନିର୍ଦ୍ଦେଶିକା, ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱନାଥ ତରାଇ, ବିଇଓ ସନାତନ ଜାଲୀ ଏବଂ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଓ ସିଆରସିସି ମାନେ ଉପସ୍ଥିତ ଥିଲେ।

ଉକ୍ତ ଟିମ ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷା ବିଭାଗରେ ଅଧ୍ୟୟନ କରୁଥିବା ବିଭିନ୍ନ ଛାତ୍ରଛାତ୍ରୀ ମାନଙ୍କ ସହ ଭାବ ବିନିମୟ କରିଥିଲେ। ତତସହିତ ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷାର ବିକାଶ ଦିଗରେ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।

Categories
ଆଞ୍ଚଳିକ

ବାଲୁଗାଁ ଏନଏସି ଅଧ୍ୟକ୍ଷାଙ୍କ ଦ୍ବାରା ପାନୀୟ ଜଳ ପାଇପ ଲାଇନର ହେଲା ଶୁଭ ଉଦଘାଟନ

ସୀତାରାମ ଅଗ୍ରୱାଲ

ବାଲୁଗାଁ:  ବାଲୁଗାଁ ଏନଏସି ଏକ ନମ୍ବର ୱାର୍ଡ ଅନ୍ତର୍ଗତ ପାଟଶାଣୀ କଲୋନୀ ଠାରେ ବାଲୁଗାଁ ଏନଏସି ନଗରପାଳିକା ଶ୍ରୀମତୀ ସୁକାନ୍ତି ପାଇକରାୟ ଙ୍କ ଦ୍ୱାରା ନୂତନ ପାନୀୟ ଜଳ ପାଇପ ଲାଇନ ର ଶୁଭ ଉଦଘାଟନ ହୋଇଅଛି।

ଏଥିରେ ବାଲୁଗାଁ ଏନଏସି ବିଜେଡି ସଭାପତି ଶ୍ରୀ ଜୟନ୍ତ ସ୍ୱାଇଁ, ଭାଇସ ଚେୟାରମ୍ୟାନ ଶ୍ରୀ ଭଗବାନ ପ୍ରଧାନ, ଏମପି ପ୍ରତିନିଧି ଶ୍ରୀ ଅକ୍ଷୟ ରଣସିଂହ, କାଉନସିଲର ଶ୍ରୀ ଅଭିମନ୍ୟୁ ସ୍ୱାଇଁ, ଶ୍ରୀ ଲଷ୍ମୀଧର ସେଠି, ଶ୍ରୀମତୀ ସୁଜାତା ପଣ୍ଡା, ମମତା ପଣ୍ଡା, ଅନିତା ସ୍ୱାଇଁ, ବିଜେଡି ର ଅନେକ ବରିଷ୍ଠ ନେତା, କର୍ମୀ, ଛାତ୍ର ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ବାଲୁଗାଁରେ ମହିଳାଙ୍କ ଆତ୍ମହତ୍ୟା!, ଯୌତୁଜଜନିତ ନିର୍ଯ୍ୟାତନା ଅଭିଯୋଗ ଆଣିଲେ ବାପା

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ନାଭାଲ ଫାଣ୍ଡି ନିକଟସ୍ଥ ନୀଳାଦ୍ରି ବିହାର ଅଞ୍ଚଳରେ ଜଣେ ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାମ ରୋଜିରାଣୀ ମାଝୀ (୩୫)। ତାଙ୍କ ବାପ ଘର ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଗ୍ରାମ ହୋଇଥିବା ବେଳେ ୧୨ ବର୍ଷ ପୂର୍ବେ ଡୁଙ୍ଗମାଳ ପଞ୍ଚାୟତ ନୀଳାଦ୍ରିବିହାରର କୈଳାଶ ମାଝୀଙ୍କ ପୁତ୍ର ରୋହିତ କୁମାର ମାଝୀଙ୍କୁ ବିବାହ କରିଥିଲେ।

ତେବେ ଗତକାଲି ବିଳମ୍ବିତ ରାତ୍ରିରେ ରୋଜି ଘର ପଙ୍ଖାରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିଲେ। ଖବର ପାଇ ରୋଜିଙ୍କ ପରିବାରବର୍ଗ ଶ୍ୱଶୁର ଘରେ ପହଞ୍ଚିଥିଲେ। ତେବେ ରୋଜିଙ୍କ ପିତା ଖଲି ଜେନା ଅଭିଯୋଗ କରିଛନ୍ତି କି ତାଙ୍କୁ ସଦାବେଳେ ସ୍ୱାମୀ ଓ ଶ୍ୱଶୁର ଘରେ ଲୋକେ ଯୌତୁକ ଜନିତ ନିର୍ଯ୍ୟାତନା ଦେଇ ଆସୁଥିଲେ ଯାହାଫଳରେ ରୋଜି ମାନସିକ ଚାପରେ ଥାଇ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେଇଛନ୍ତି।

ଅଭିଯୋଗ ଆଧାରରେ ବାଲୁଗାଁ ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଦେଇଛି। ବର୍ତ୍ତମାନ ଘଟଣାସ୍ଥଳରେ ଚିଲିକା ତହସିଲଦାରଙ୍କ ଉପସ୍ଥିତିରେ ରୁମ କବାଟ ଭାଙ୍ଗି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ।

Categories
ଆଞ୍ଚଳିକ

ବାଣପୁର-ବାଲୁଗାଁରେ ମାଡ଼ିଲାଣି ଆଖିଧରା ରୋଗ, ଜରୁରୀ ହୋଇପଡିଛି ସଚେତନତା

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁର ଓ ବାଲୁଗାଁରେ ମାଡିଗଲାଣି ଆଖିଧରା ରୋଗ। ଆଜିକାଲି ଏହା ସମସ୍ତଙ୍କୁ ସଂକ୍ରମିତ କରିବାରେ ଲାଗିଛି। ଗାଁ ଗହଳିରୁ ସହର ପର୍ଯ୍ୟନ୍ତ ସୁବୁଆଡେ ରୋଗୀ। ଏପରି ହେଉଛି ଯେ, ଦିନକୁ ଶତାଧିକ ରୋଗୀଙ୍କର ନାମ ଡାକ୍ତରଖାନାରେ ରେଜିଷ୍ଟ୍ରସନ ହେଉଛି। ସ୍କୁଲ ଓ କଲେଜ ପିଲାଙ୍କୁ ବି ଉକ୍ତ ରୋଗ ବହୁଳ ମାତ୍ରାରେ ଆକ୍ରାନ୍ତ କଲାଣି।

ସଚେତନତା ଅଭାବରୁ ଏବଂ ରୋଗୀମାନଙ୍କ ଅସାବଧାନତା କାରଣରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଜଣାଯାଇଛି। ତେବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହାର ପ୍ରତିକାର ପାଇଁ ମେଡିକାଲରେ ରୋଗୀଙ୍କୁ ଆଇଡ୍ରପ ଦିଆଯାଉଛି। ହେଲେ ବର୍ତ୍ତମାନ ଔଷଧର ଅଭାବ ଦେଖାଦେଇଥିବାରୁ ଖୋଲା ବଜାରରୁ ଡାକ୍ତରଖାନା କର୍ତ୍ତୃପକ୍ଷ ଆଇଡ୍ରପ କିଣି ରୋଗୀମାନଙ୍କୁ ଦେଉଥିବାର କହିଛନ୍ତି ମେଡିକାଲ ଅଧିକାରୀ ଡ଼ା ରମାକାନ୍ତ ନାୟକ।

ତେବେ ଆଖିଧରା ରୋଗ ଆଗରୁ ଥିଲା,ଏବେ ଅଛି ଏବଂ ଭବିଷ୍ୟତରେ ନିଶ୍ଚୟ ରହିବ। ଏହି ରୋଗ ଛୁଇଁବା ଦ୍ୱାରା ଗୋଟିଏ ରୋଗୀଠାରୁ ଅନ୍ୟ ବ୍ୟକ୍ତିକୁ ସଂକ୍ରମଣ ହୋଇଥାଏ। ଏହି ରୋଗକୁ କଂଜକ୍ଟିଭାଇଟିସ କୁହାଯାଏ। ଏହା ଏକ ଡିଆଁ ରୋଗ କି ଉଡ଼ା ରୋଗ ନୁହେଁ। ଏହି ରୋଗ ରୋଗୀ ନିଜ ଆଖିକୁ ହାତମାରି ବ୍ୟବହାର କରୁଥିବା ଯେକୌଣସି ବସ୍ତୁକୁ ଯଥା ମୋବାଇଲ,ଲାପଟପ,ବାସନକୁସନ ଏବଂ ବସ୍ତ୍ର ଯାହାକୁ ବି ଛୁଇଁଲେ ହେବା ନିଶ୍ଚିତ ବୋଲି ବାଣପୁର ଅଞ୍ଚଳର ଜନୈକ ଡାକ୍ତର କହିଛନ୍ତି।

ତେବେ ଯଦି ଆଖି ଧରିଥିବା ରୋଗୀଟି ଅନ୍ୟ ସଂସ୍ପର୍ଶରେ ନ ଆସିବ ଏହି ରୋଗ ଅଟକି ଯାଇପାରେ। ଏଥିପ୍ରତି ବାଣପୁର ଓ ବାଲୁଗାଁ ମେଡିକାଲ ପକ୍ଷରୁ ସଚେତନତା ଅଭିଯାନ କରାଯିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି।

Categories
ଅପରାଧ ଆଞ୍ଚଳିକ

ବାଲୁଗାଁ: ଏସିଡ୍‌ମାଡ଼ ଘଟଣାରେ ଜଣେ ଗିରଫ

ସୁଧାକର ମିଶ୍ର

ନୟାଗଡ଼: ନୟାଗଡ଼ ସଦରଥାନା ଅନ୍ତର୍ଗତ ବାଲୁଗାଁରେ ଘଟିଥିବା ଏସିଡ୍‌ମାଡ ଘଟଣାରେ ପୋଲିସ ଶନିବାର ଦିନ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ହେଲେ ବଣିଆସାହିର ବିଜୟ ପୃଷ୍ଟି।

ପ୍ରକାଶ ଯେ, ଇଟାମାଟି ଥାନା ଚମ୍ପତିପୁର ଗ୍ରାମର ମାନସ ସାଥୁଆଙ୍କ ଭଉଣୀ ଲକ୍ଷ୍ମୀପ୍ରିୟା ସଦରଥାନା ବାଲୁଗାଁର ବିଜୟ ପୃଷ୍ଟିଙ୍କୁ ବିବାହ କରିଥିଲେ। ବିଜୟ ଅନେକ ସମୟରେ ଲକ୍ଷ୍ମୀଙ୍କୁ ନିର୍ଯ୍ୟାତନା ଦେଉଥିଲେ। ଏନେଇ ଲକ୍ଷ୍ମୀ ଥାନାରେ ବିଭିନ୍ନ ସମୟରେ ଅଭିଯୋଗ କରିବା ପରେ ସମାଧାନ ହୋଇଥିଲା।

ଦୁଇଦିନ ତଳେ ବିଜୟ ପୁଣିଥରେ ଲକ୍ଷ୍ମୀକୁ ମାଡ ମାରିବାରୁ ସେ ଥାନାରେ ଅଭିଯୋଗ କରିବା ସହ ଘରକୁ ପଳାଇ ଯାଇଥିଲେ। ଗତକାଲି ମାନସ ବାଲୁଗାଁକୁ ସାର ନେବାକୁ ଆସି ଗାଁକୁ ଫେରୁଥିବା ବେଳେ ବିଜୟ ଏବଂ ଅନ୍ୟ ଦୁଇଜଣ ପୂର୍ବରୁ ପ୍ରସ୍ତୁତ ହୋଇ ଶିବମନ୍ଦର ପଛପଟେ ଲୁଚିଥିଲେ। ସେ ଆସିବା ଦେଖି ହଠାତ୍ ତାଙ୍କ ପଛପଟକୁ ଏସିଡ୍ ଫୋପାଡିଥିଲେ।

ସ୍ଥାନୀୟ ଲୋକେ ମାନସଙ୍କୁ ଡାକ୍ତରଖାନା ପଠାଇଥିଲେ ହେଲେ, ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା।

ସଦରଥାନା କେସ୍ ନଂ ୧୧୮/୨୦୨୩ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ସଦରଥାନା ଆଇଆଇସି ଅନିତା ସାହୁ ସୂଚନା ଦେଇଛନ୍ତି। ସଦରଥାନାରେ ମାମଲା ରୁଜୁ କରିବାର ୧୨ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରାଯାଇଛି।

Categories
ଆଞ୍ଚଳିକ

ବାଣପୁର-ବାଲୁଗାଁରୁ ଡକାୟତି ମାମଲା: ବନ୍ଧା ହେଲା ଆଉ ଜଣେ ଅଭିଯୁକ୍ତ, ଗିରଫ ସଂଖ୍ୟା ୭କୁ ବୃଦ୍ଧି

ସୀତାରାମ ଅଗ୍ରୱାଲ

ଚିଲିକା: ନିକଟରେ ବାଣପୁର-ବାଲୁଗାଁ ପୋଲିସ ମିଳିତ ଭାବେ ଶାଳିଆ ଡ୍ୟାମ ଠାରେ ବଡ ଧରଣର ଡକାୟତି ଯୋଜନା ପଣ୍ଡ କରିଥିବା ବେଳେ ୬ ଦୁର୍ଦ୍ଦାନ୍ତ ଡକାୟତଙ୍କୁ ଗିରଫ କରିଥିଲା। ତେବେ ଉକ୍ତ ଗ୍ୟାଙ୍ଗର ଅନ୍ୟ ତିନି ଅଭିଯୁକ୍ତ ଫେରାର ହୋଇଯାଇଥିବା ଖୋର୍ଦ୍ଧା ଏସପି ପ୍ରେସ ମିଟ ଜରିଆରେ ସୂଚନା ଦେଇଥିଲେ।

ବାଣପୁର ପୋଲିସ ଉକ୍ତ ତିନି ଫେରାର ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଜାଲ ବିଛାଇଥିବା ବେଳେ ଗତକାଲି ରାତିରେ ଜଣେ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଅଭିଯୁକ୍ତ ଜଣକ ନିରାକାରପୁର ଥାନା ଖଜୁରୀପଡା ଗ୍ରାମର ବବୁଲ ଖାନ ଓରଫ ଫିରୋଜ ଶାହ ବୋଲି ଜଣାପଡିଛି।

ବବୁଲଙ୍କୁ ବାଣପୁର ପୋଲିସ ବାଲୁଗାଁ ଷ୍ଟେସନ ପରିସରରୁ ଗିରଫ କରିଥିବା ଜଣାପଡିଛି।  ତେବେ ଖୁବଶୀଘ୍ର ଫେରାର ଥିବା ଅନ୍ୟ ଦୁଇ ଅଭିଯୁକ୍ତ ଗିରଫ ହେବେ ବୋଲି ଆଇଆଇସି ଜୟପ୍ରକାଶ ପରିଡ଼ା ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲା ପୋଲିସରେ ବଡ ଅଦଳବଦଳ, ୧୦ ଇନ୍ସପେକ୍ଟର ଜିଲ୍ଲା ପାର

ଖୋର୍ଦ୍ଧା: ସାଧାରଣ ନିର୍ବାଚନ ନିକଟତର ଥିବାବେଳେ ନିର୍ବାଚନ କମିଶନରଙ୍କ ନିୟମ ମୁତାବକ ଆଜି କେନ୍ଦ୍ରାଞ୍ଚଳ ଆଇଜି ଇନ୍ସପେକ୍ଟର ସ୍ତରରେ ବ୍ୟାପକ ଅଦଳବଦଳ କରିଛନ୍ତି । ଗୋଟିଏ ଜିଲ୍ଲାରେ ତିନି ବର୍ଷ କିମ୍ବା ଉକ୍ତ ଜିଲ୍ଲାରେ ୨୦୧୯ ମସିହା ସାଧାରଣ ନିର୍ବାଚନ ସମୟରେ ରହିଥିବା ପୋଲିସ ଅଧିକାରୀଙ୍କ ବଦଳି ହୋଇଛି ।

କେନ୍ଦ୍ରାଞ୍ଚଳ ଅଧୀନରେ ଥିବା କଟକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାର ଇନ୍ସପେକ୍ଟର ସ୍ତରରେ ବଡ଼ ଅଦଳବଦଳ ହୋଇଛି । ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲାର ୧୦ ଇନ୍ସପେକ୍ଟରଙ୍କ ଅନ୍ୟ ଜିଲ୍ଲାକୁ ବଦଳି ହୋଇଛି ।

ବଦଳି ହୋଇଥିବା ଅଧିକାରୀ ମାନେ ହେଲେ ଟାଙ୍ଗୀ ଆଇଆଇସି ଦିଗବିଜୟ ବିଶ୍ୱାଳ ନୟାଗଡ଼ ଜିଲ୍ଲା ,ବାଲୁଗାଁ ଆଇଆଇସି ରଶ୍ମିରଞ୍ଜନ ଦାସ ଜଗତସିଂହପୁର ଜିଲ୍ଲା, ବାଲୁଗାଁ ଅତିରିକ୍ତ ଆଇଆଇସି ରଶ୍ମିବାଳା ସେଠି ଜଗତସିଂହପୁର ଜିଲ୍ଲା,ବୋଲଗଡ଼ ଆଇଆଇସି ରଶ୍ମିରଞ୍ଜନ ସାହୁ ନୟାଗଡ଼ ଜିଲ୍ଲା,ସଦର ଆଇଆଇସି ବିଦିତା ନାୟକ ପୁରୀ ଜିଲ୍ଲା, ନିରାକାରପୁର ଆଇଆଇସି ଗୀତାଞ୍ଜଳି ନାୟକ ପୁରୀ ଜିଲ୍ଲା, ଜିଲ୍ଲା ପୋଲିସ ମୁଖ୍ୟାଳୟ ଇନ୍ସପେକ୍ଟର କବିତା ସାହୁ ପୁରୀ ଜିଲ୍ଲା, ଅର୍ଚନା ମଲିକ କଟକ ଜିଲ୍ଲା,ଲକ୍ଷ୍ମୀପ୍ରସାଦ ଶତପଥୀ ପୁରୀ ଜିଲ୍ଲା ଏବଂ ବିଜୟିନୀ ମଲ୍ଲଙ୍କ କେନ୍ଦ୍ରାପଡ଼ା ଜିଲ୍ଲାକୁ ବଦଳି ହୋଇଛି ।

Categories
ଆଞ୍ଚଳିକ

ବାଣପୁର-ବାଲୁଗାଁ ଅଞ୍ଚଳରେ ବଡ ଧରଣର ଡକାୟତ ଯୋଜନା ପଣ୍ଡ, ୬ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଓ ବାଲୁଗାଁ ଥାନା ଅଞ୍ଚଳରେ କିଛି ଦିନ ହେବ କ୍ରମାଗତ ଭାବେ ଲୁଟ, ଡକାୟତି ବଢୁଥିବା ବେଳେ ପୋଲିସ ପାଇଁ ଏହା ଚ୍ୟାଲେଞ୍ଜ ପାଲଟିଯାଇଛି। ଖୋର୍ଦ୍ଧା ଏସପି ଏହାକୁ ଗୁରୁତର ସହ ନେଇଛନ୍ତି ଏବଂ ଏସପି ଙ୍କ ନିର୍ଦ୍ଦେଶକ୍ରମେ ବାଣପୁର ଓ ବାଲୁଗାଁ ପୋଲିସ ଦ୍ୱାରା ବିଭିନ୍ନ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।

ତେବେ ଉକ୍ତ ଚଢ଼ାଉରେ ୬ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ ହୋଇଥିବା ଆଜି ଅପରାହ୍ନରେ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ବାଣପୁର ଥାନା ପରିସରରେ ଏକ ପ୍ରେସ ମିଟ ଜରିଆରେ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ମାନେ ହେଲେ ବାଲୁଗାଁ ଥାନା ନୂଆଗଡ ଅଞ୍ଚଳର ମାନସ ପଲେଇ (୨୮) ଓରଫ ଚାନ୍ଦୁ, ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଞ୍ଚଳର ଜିତେନ୍ଦ୍ର ପ୍ରଧାନ (୨୦) ଓ ଶିବରାମ ନାହାକ(୨୬) ଓରଫ ମୁନା, ବାଣପୁର ଥାନା ଅଞ୍ଚଳର ଆଦିତ୍ୟ ପ୍ରସାଦ ସୁବୁଦ୍ଧି (୨୦) ଓରଫ ଆଦି ଓ ସନ୍ତୋଷ ବସ୍ତି (୨୨) ଏବଂ ନିରାକାରପୁର ଥାନା ଅଞ୍ଚଳର ଶେଖ ଅରବାଜ (୨୦) ଓରଫ ନଟୁ। ସେମାନଙ୍କ ନିକଟରୁ ଗୋଟାଏ ଚାଇନା ପିସ୍ତଲ, ଦୁଇ ଗୋଟି ଖଣ୍ଡା, ଦୁଇ ଗୋଟି ବାଇକ, ବିଅର ବୋତଲ, ଚିଲି ପାଉଡର ଏବଂ ରୁମାଲ ଜବତ କରିଛି ପୋଲିସ।

ଏସପି ଙ୍କ ସୂଚନା ମୁତାବକ ଅଭିଯୁକ୍ତ ମାନସ ଜଣେ ପେସାଦାର ନିଶା ବେପାରି ଥିବା ବେଳେ ନିକଟରେ ଖୋର୍ଦ୍ଧା ପୋଲିସର ବାରମ୍ବାର ଚଢ଼ାଉ ଫଳରେ ମାନସ ନିଶା ବେପାର ଛାଡି ଚୋରି, ଡକାୟତି, ଛୀନତାଇ ଆଦି ଅପରାଧିକ କାର୍ଯ୍ୟକଳାପ ବାଣପୁର, ବାଲୁଗାଁ ଓ ଖଲିକୋଟ ଅଞ୍ଚଳରେ କରିବା ପାଇଁ ଏକ ଗ୍ୟାଙ୍ଗ ଗଠନ କରିଥିଲେ। ଏପରିକି କିଛି ଦିନ ହେବ ଏହି ଗ୍ୟାଙ୍ଗ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ଭିଆଉଥିଲେ।

ତେବେ ଏସପି ଙ୍କ ନିର୍ଦ୍ଦେଶକ୍ରମେ ଏବଂ ବାଲୁଗାଁ ଏସଡିପିଓଙ୍କ ତତ୍ତ୍ବାବଧାନରେ ବାଣପୁର, ବାଲୁଗାଁ ଓ ନାଚୁଣୀ ଆଇଆଇସି ଏକ ଟିମ ଗଠନ କରି ଉକ୍ତ ଗ୍ୟାଙ୍ଗକୁ ଧରିବା ପାଇଁ ପ୍ରୟାସ ଜାରି ରଖିଥିଲେ। ତେବେ ଗତ କାଲି ନାଇଟ ପାଟ୍ରୋଲିଂ କରୁଥିବା ବେଳେ ଅଭିଯୁକ୍ତ ମାନସ ପଲେଇ ଓ ଗ୍ୟାଙ୍ଗ ଶାଳିଆ ଡ୍ୟାମ ନିକଟସ୍ଥ ଏକ ଘରେ ଡକାୟତି କରିବା ପାଇଁ ଏକତ୍ରିତ ହୋଇଥିବାର ଖବର ପାଇଥିଲା ପୋଲିସ। ରାତି ୨.୩୦ ରେ ଉଭୟ ବାଣପୁର ଓ ବାଲୁଗାଁ ପୋଲିସର ଟିମ ଉକ୍ତ ସ୍ଥାନରେ ପହଞ୍ଚି ସମ୍ପୃକ୍ତ ଘରକୁ ଘେରାଉ କରିଥିଲେ। ଏହାଦେଖି ଅଭିଯୁକ୍ତ ମାନେ ପୋଲିସ ଉପରକୁ ମାରଣାସ୍ତ୍ରରେ ଆକ୍ରମଣ କରିବାକୁ ପଛାଇନଥିଲେ। କିନ୍ତୁ ପୋଲିସ ପରିଶେଷରେ ଉକ୍ତ ୬ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ୩ ଅଭିଯୁକ୍ତ ଘଟଣାସ୍ଥଳରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ।

ତେବେ ଉକ୍ତ ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ଥିବା ଏସପି କହିଛନ୍ତି। ଆଜିର ପ୍ରେସ ମିଟରେ ଏସପି ଙ୍କ ସମେତ ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ବାଣପୁର ଆଇଆଇସି ଜୟପ୍ରକାଶ ପରିଡ଼ା, ବାଲୁଗାଁ ଆଇଆଇସି ରଶ୍ମିରଞ୍ଜନ ଦାସ, ନାଚୁଣୀ ଆଇଆଇସି ଚନ୍ଦ୍ରଶେଖର ଜେନା ଆଦି ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ବାଲୁଗାଁ ମଙ୍ଗେଇ ପୋଖରୀରେ ବୁଡି ମହିଳା ମୃତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସାନ୍ତରାପୁର ସହିଦ ନଗରରେ ଅଭାବନୀୟ ଘଟଣା ଘଟିଯାଇଛି। ବାବୁ ପଣ୍ଡାଙ୍କ ସ୍ତ୍ରୀ ଟିକିନି ପଣ୍ଡା (୩୫) ନିକଟସ୍ଥ ମଙ୍ଗେଇ ପୋଖରୀରେ ଗାଧୋଉ ଥିବାବେଳେ ଅସାବଧାନତା ବଶତଃ ତାଙ୍କର ଗୋଡ ଖସି ଯିବାରୁ ପୋଖରୀ ମଧ୍ୟକୁ ପଶି ଯାଇଥିଲେ। ସେଠାରେ ଅନ୍ୟ ଜଣେ ମହିଳା ତାଙ୍କୁ ଦେଖି ସ୍ଥାନୀୟ କିଛି ବ୍ୟକ୍ତିଙ୍କୁ ଡାକିଥିଲେ। ହେଲେ କିଛି ଲୋକ ପୋଖରୀ ମଧ୍ୟରେ ଖୋଜାଖୋଜି କରିଥିଲେ ସୁଦ୍ଧା କୌଣସି ସୁଫଳ ନମିଳିବାରୁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

ଖବରପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ପୋଖରୀରେ ବହୁ ସମୟ ଧରି ଖୋଜାଖୋଜି କରିବାପରେ ମହିଳାଙ୍କୁ ପାଇ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ସେଠାରେ ମହିଳାଙ୍କୁ ମୃତ ଘୋଷଣା କରିଛନ୍ତି।

Categories
ଆଞ୍ଚଳିକ

ବାଣପୁର-ବାଲୁଗାଁରେ ଚଢା ଦରରେ ବିକ୍ରି ହେଉଛି ପରିବା, ଖାଉଟି ହନ୍ତସନ୍ତ, ପ୍ରଶାସନର ନାହିଁ ଲଗାମ

ସୀତାରାମ ଅଗ୍ରୱାଲ

ଚିଲିକା: ଶ୍ରାବଣ ମାସ ଆସିବାକୁ ଆଉ ଦିନ କେଇଟା ବାକି ଅଛି। ହେଲେ ଏହା ପୂର୍ବରୁ ପରିବା ଦର ଆକାଶ ଛୁଆଁ ହୋଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଓ ବାଲୁଗାଁ ବଜାରରେ ପରିବା ଦର ନାହିଁ ନଥିବା ମୂଲ୍ୟରେ ବିକ୍ରି ହେଉଛି। ଖାଉଟିମାନେ କେଉଁ ପରିବା କେତେ ପରିମାଣର ନେବେ ଦ୍ଵନ୍ଦରେ ପଡୁଥିବା ଦେଖାଯାଇଛି।

ଆଗରୁ କେବଳ ଟମାଟ ଦର ୧୨୦ ଟଙ୍କା ଥିବାବେଳେ ଏବେ ପ୍ରାୟ ସବୁ ପନିପରିବା ଦର ଆକାଶଛୁଆଁ। ବଜାରରେ ପୋଟଳ ୧୦୦ ଟଙ୍କା, ବିନସ ୨୦୦ ଟଙ୍କା, କଲରା ୮୦ ଟଙ୍କା, ଜହ୍ନି ୮୦ଟଙ୍କା, ବାଇଗଣ ୬୦ ଟଙ୍କା ଥିବାବେଳେ ମଧ୍ୟବିତ୍ତ ପରିବାର ବଜାରରୁ ପରିବା କିଣିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି।

ପରିବା ବ୍ୟବସାୟୀଙ୍କ କହିବା ମୁତାବକ ସ୍ଥାନୀୟ ଫସଲ ନ ଥିବା କାରଣରୁ, ମାତ୍ର ଶତକଡା ୨୫ ଭାଗ ପନିପରିବା ସ୍ଥାନୀୟ ଫସଲରୁ ଆସୁଛି। ତେଣୁ ଲୋକଙ୍କ ଚାହିଦା ଅନୁଯାୟୀ ପନିପରିବା ନିମନ୍ତେ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି। ପ୍ରଚଣ୍ଡ ଗ୍ରୀଷ୍ମ ପାଇଁ ଚଳିତ ବର୍ଷ ଚାଷୀମାନେ ପରିବା ଫସଲ କରିପାରି ନାହାନ୍ତି। ତେଣୁ ଆଗାମୀ ଦିନରେ ବର୍ଷାହେଲେ ପରିବା ଦର କମିବାର ଆଶା ରଖିଛନ୍ତି ବ୍ୟବସାୟୀ।

ସେପଟେ ପନିପରିବା ଦର ଉପରେ ପ୍ରଶାସନ କୌଣସି ଅଙ୍କୁଶ ଲଗାଇବାର ନିୟମ ନ ଥିବାରୁ ଲାଭଖୋର ବ୍ୟବସାୟୀ ମାନେ ଏହାର ଫାଇଦା ନେଉଛନ୍ତି ବୋଲି ଗ୍ରାହକ ଅଭିଯୋଗ କରିଛନ୍ତି।

Categories
ଆଞ୍ଚଳିକ

ବାଣପୁର-ବାଲୁଗାଁରେ ଅବକାରୀ ଚଢ଼ାଉ, ମହିଳା ସମେତ ୩ ଗିରଫ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଓ ବାଲୁଗାଁ ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରିଛି ବାଲୁଗାଁ ଅବକାରୀ ବିଭାଗ। ବାଲୁଗାଁ ଅବକାରୀ ଅଧିକାରୀ ବି. ମନୋଜ କୁମାରଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଛି। ଚଢ଼ାଉରେ ମହିଳାଙ୍କ ସମେତ ତିନି ଅଭିଯୁକ୍ତ ଗିରଫ ହୋଇଛନ୍ତି।

ବାଣପୁର ଥାନା ଅନ୍ତର୍ଗତ ବାଲେଡିହ ଗ୍ରାମ, ଭୀମପୁର ଗ୍ରାମ ଏବଂ ବାଲୁଗାଁ ଥାନା ଅନ୍ତର୍ଗତ ବଡ଼କୁଳ ଗ୍ରାମରେ ଅବକାରୀ ଚଢ଼ାଉ ହୋଇଥିବାବେଳେ ସମୁଦାୟ ୧୩୫ ଲିଟର ଦେଶୀ ମଦ ଓ ଏକ ବାଇକ ଜବତ ହୋଇଛି। ଅଭିଯୁକ୍ତ ମାନେ ହେଲେ ଗାଙ୍ଗୁଲି ଶବର (୨୭), ପ୍ରତିମା ଦେଇ (୫0) ଏବଂ ଭଗବାନ ସାମଲ (୫୨ )। ଅବକାରୀ ବିଭାଗ ତିନି ଗୋଟି ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: କାମ କରୁଥିବା ବେଳେ ଶ୍ରମିକଙ୍କ ମୃତ୍ୟୁ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ପୂର୍ବାହ୍ନରେ ବାଲୁଗାଁ ଶିଙ୍ଗେଶ୍ୱର ନିକଟରେ ଏକ ପାର୍କରେ କିଛି ଶ୍ରମିକ କାମ କରୁଥିବା ବେଳେ ହଠାତ ଜଣେ ଶ୍ରମିକ କାର୍ଯ୍ୟରତ ସମୟରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି।

ସୂଚନା ମୁତାବକ କୁହୁଡି ଅଞ୍ଚଳର ଅର୍ଜୁନ ବିଶ୍ୱାଳ (୬୦) ଦୀର୍ଘ ଦିନ ଧରି ବଡ଼କୁଳରେ ଭଡା ଘରେ ରହିଆସୁଥିଲେ। ସେ ଦିନ ମଜୁରିଆ ଭାବେ କାର୍ଯ୍ୟ କରି ପରିବାର ପୋଷଣ କରିଆସୁଥିଲେ। ପରିବାର କହିଲେ ସ୍ତ୍ରୀ, ତିନି ପୁଅ ବୋହୂ ଓ ନାତି ନାତୁଣୀ।

ଆଜି ସକାଳେ କାମକୁ ଆସିଥିବା ବେଳେ କାର୍ଯ୍ୟସ୍ଥଳୀରେ ହଠାତ ଅସୁସ୍ଥତା ଅନୁଭବ କରି ସେଠାରେ ପଡିଯାଇଥିଲେ। ତୁରନ୍ତ ସହଯୋଗୀ ଶ୍ରମିକଙ୍କ ସହାୟତାରେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁ ଅଞ୍ଚଳରେ ସମାନ ଢଙ୍ଗରେ ଡକାୟତି ଘଟଣା: ମାଷ୍ଟରମାଇଣ୍ଡଙ୍କୁ ଗିରଫ କଲା ପୋଲିସ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ନିକଟରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳର ଗୋପୀନାଥପୁର ଏବଂ ପ୍ରାଣଦେଇପୁର ଗ୍ରାମରୁ ସମାନ ଢଙ୍ଗରେ ଡକାୟତି ହୋଇଥିଲା। ହେଲେ ଆଜି ଉକ୍ତ ଘଟଣାର ମାଷ୍ଟରମାଇଣ୍ଡଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଏ ନେଇ ବାଲୁଗାଁ ଆଇଆଇସି ରଶ୍ମିରଞ୍ଜନ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଅଭିଯୁକ୍ତ ଜଣକ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଞ୍ଚଳର ଦିଲ୍ଲୀପ ସାହୁ ବୋଲି ଜଣାପଡିଛି।  ତେବେ ଉକ୍ତ ଡକାୟତିରେ ସାମିଲ ଥିବା ଅନ୍ୟ ଅପରାଧୀ ଫେରାର ଅଛନ୍ତି। ଅଭିଯୁକ୍ତ ଦିଲ୍ଲୀପଙ୍କ ନିକଟରୁ ପୋଲିସ ବହୁ ଚୋରି ଆସବାବପତ୍ର, କିଛି ନକଦ ଟଙ୍କା, ଗୋଟିଏ ବାଇକ ଏବଂ ଚୋରି ବ୍ୟବହୃତ ସାମଗ୍ରୀ ଜବତ କରିଛି।

ତେବେ ତଦନ୍ତରୁ ଜଣାପଡିଛି ଯେ, ଦିଲ୍ଲୀପ ଓ ତାଙ୍କ ସହଯୋଗୀ ଆଇପିଏଲ ଜୁଆ ଖେଳରେ ପାଞ୍ଚ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା ହାରିଯାଇଥିଲେ। ଯାହାଫଳରେ ଉକ୍ତ ଟଙ୍କା ପାଇବା ପାଇଁ ଏପରି ଅସତ ଉପାୟ ଅବଲମ୍ବନ କରୁଥିଲେ।

ଦିଲ୍ଲୀପ ବାଣପୁର ପାରିନୁଆଗାଁ ଅଞ୍ଚଳରେ ଦୀର୍ଘ ଦିନ ହେବ ରହିଆସୁଥିବା ବେଳେ ସେ ଦିନ ବେଳେ ବିଭିନ୍ନ ଘରକୁ ଟାର୍ଗେଟ କରୁଥିଲେ ଏବଂ ରାତିରେ ଚୋରି କରୁଥିଲେ। ତେବେ ଅଭିଯୁକ୍ତ ଦିଲ୍ଲୀପ ପୁର୍ବରୁ ଖଲ୍ଲିକୋଟ ପୋଲିସ ଦ୍ୱାରା ଗିରଫ ହୋଇଥିବା ବେଳେ ବାଣପୁର ଥାନା ଅଞ୍ଚଳର ଚାରି ଗୋଟି ଚୋରି ମାମଲାରେ ସେ ସମ୍ପୃକ୍ତ ଥିବା ଜଣାପଡିଛି।

Categories
ଆଞ୍ଚଳିକ

ବାଲୁଗାଁ: ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ପୌରାହିତ୍ୟରେ ବିଜେଡ଼ିର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ପୂର୍ବାହ୍ନରେ ବାଲୁଗାଁ ବିଜେଡି କାର୍ଯ୍ୟାଳୟ ଠାରେ ବିଜେଡି ପକ୍ଷରୁ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ପୌରାହିତ୍ୟରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନେତା ଏବଂ କର୍ମୀମାନେ ଏବେଠାରୁ ନିଜ ମଇଦାନରେ ସକ୍ରିୟ ହେଉଥିବାବେଳେ ସାଧାରଣ ଜନତାଙ୍କ ନିକଟତର ହେଉଥିବା ଦେଖିବାକୁ ମିଳୁଛି।

ଏହିପରିପ୍ରେକ୍ଷୀରେ ଆଜି ଚିଲିକା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରଘୁନାଥ ସାହୁ ବିଜେଡି ଦଳକୁ ସୁସଙ୍ଗଠିତ ତଥା ସୁଦୃଢ କରିବା ନେଇ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରିଛନ୍ତି।ଏହି ବନ୍ଧୁ ମିଳନରେ ଚିଲିକାର ପୂର୍ବତନ ବିଧାୟକ ଶ୍ରୀ ସାହୁ ଦଳୀୟ କର୍ମୀ ଓ ସାଧାରଣ ଲୋକଙ୍କୁ ଅଭିଭାଷଣ ଦେବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ।

ଏଥିସହିତ ଆଗକୁ ଆସୁଥିବା ୨୦୨୪ ସାଧାରଣ ନିର୍ବାଚନରେ ନିଶ୍ଚିତ ଭାବେ ବିରୋଧୀ ଦଳକୁ ଝଟକା ଦେବା ସହ ଶେଷ ଥର ପାଇଁ ନିର୍ବାଚନ ଲଢ଼ିବେ ଓ ଚିଲିକା ନିର୍ବାଚନମଣ୍ଡଳୀ ବାସୀଙ୍କ ସୁଖଦୁଃଖରେ ସଦାସର୍ବଦା ରହିବେ ବୋଲି ଜନସାଧାରଣଙ୍କୁ ଆଶ୍ୱାସନା ଦେଇଥିଲେ।

ସାରା ଓଡ଼ିଶା ବିଜେଡିର ବିକାଶ ଧାରାରେ ଅନୁପ୍ରାଣିତ ହେବ ଏବଂ ଆଗାମୀ ଦିନରେ ଚିଲିକା ନିର୍ବାଚନମଣ୍ଡଳୀରେ ବିଜେଡିର ବିଜୟ ଧ୍ବଜା ନିଶ୍ଚିତ ଉଡିବ ବୋଲି କହିଥିଲେ ଶ୍ରୀ ସାହୁ। ଅନୁଷ୍ଠିତ ଉତ୍ସବରେ ଉଭୟ ଚିଲିକା ଓ ବାଣପୁର ବ୍ଲକର ବହୁ ଆଗ ଧାଡ଼ିର କର୍ମୀ ଯୋଗଦେଇଥିବା ବେଳେ ଆଖପାଖ ଅଞ୍ଚଳର ଶତାଧିକ ଜନସାଧାରଣଙ୍କୁ ଦେଖିବାକୁ ମିଳିଥିଲା।

Categories
ଆଞ୍ଚଳିକ

କାଙ୍କଣ ଶିଖରୀରେ ରଥଯାତ୍ରାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ସ୍ଥାନ ପରିଦର୍ଶନ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଚିଲିକା ବ୍ଲକ ଅନ୍ତର୍ଗତ ନଇରୀ ସ୍ଥିତ ଲୀଳାକ୍ଷେତ୍ର କାଙ୍କଣ ଶିଖରୀରେ ପ୍ରସିଦ୍ଧ ରଥଯାତ୍ରା ନେଇ ସୋମବାର ପୂର୍ବାହ୍ନରେ ତହସିଲଦାର ଦିଲ୍ଲୀପ ଷଡ଼ଙ୍ଗୀ, ବିଡ଼ିଓ ଜଗଦୀଶ ଷଡ଼ଙ୍ଗୀ ଏବଂ ନାଚୁଣି ଆଇଆଇସି ଚନ୍ଦ୍ର ଶେଖର ଜେନା ଉକ୍ତ ଅଞ୍ଚଳ ଗସ୍ତ କରି ବ୍ୟବସ୍ଥା ପରଖିଥିଲେ। ଏହି ଅବସରରେ ଟ୍ରଷ୍ଟ ସମ୍ପାଦକ ସୁଶାନ୍ତ ସାହୁ ଚିଲିକା ହ୍ରଦରେ ନୌବିହାର ମାଧ୍ୟମରେ ଅନୁଷ୍ଠିତ ରଥଯାତ୍ରାର ବିସ୍ତୃତ କାର୍ଯ୍ୟକ୍ରମ ସମ୍ବନ୍ଧରେ ଅଧିକାରୀମାନଙ୍କୁ ସୂଚନା ଦେଇଥିଲେ। ଆସନ୍ତାକାଲି ରଥଯାତ୍ରାରେ ଟାପୁମଧ୍ୟକୁ ବିଗ୍ରହମାନଙ୍କୁ ନିରାପଦ ଭାବେ ନେବା ପାଇଁ ଡଙ୍ଗା ମାଲିକମାନଙ୍କୁ ସଚେତନ କରାଯାଇଥିଲା।

ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ବ୍ୟାପକ ପୋଲିସ୍ ଫୋର୍ସ ନିୟୋଜିତ ରହିବେ।ଏଥିସହିତ ଆସନ୍ତାକାଲି ସମସ୍ତ ଭକ୍ତଙ୍କୁ ପ୍ରଶାସନ ପକ୍ଷରୁ ମାଗଣା ପ୍ରସାଦ ମଧ୍ୟ ବଣ୍ଟନ କରାଯିବ। ଅନୁରୂପ ଭାବେ ଟାପୁ ଚତୁଃପାର୍ଶ୍ଵକୁ ସଫା କରିବା ପାଇଁ ଧୀବରମାନଙ୍କୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରାଯାଇଛି। ଭିଡ଼ ନିୟନ୍ତ୍ରଣ,ପାର୍କିଂ,ଚିକିତ୍ସା ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଯାହାଫଳରେ ସମସ୍ତ ଭକ୍ତଙ୍କୁ ଏହି ଅନନ୍ୟ ଯାତ୍ରାରେ ଭାଗ ନେବାକୁ ନିମନ୍ତ୍ରଣ କରାଯାଇଥିବା ଚିଲିକା ତହସିଲଦାର ଦିଲ୍ଲୀପ କୁମାର ଷଡ଼ଙ୍ଗୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସୋଲରି ରେଳ ଷ୍ଟେସନ ଠାରେ ଅଘଟଣ: ଟ୍ରେନରୁ ଖସି ଯୁବକଙ୍କ ପ୍ରାଣହାନୀ!

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଗତକାଲି ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ନିକଟସ୍ଥ ସୋଲରି ରେଳ ଷ୍ଟେସନ ଠାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ରେଳବାଇ ପୋଲିସ। ଯୁବକ ଜଣକ ବାଣପୁର ଅଞ୍ଚଳର ଗଗନ ଆଚାର୍ଯ୍ୟଙ୍କ ପୁତ୍ର ଅସିତ ଆଚାର୍ଯ୍ୟ (୨୦) ବୋଲି ଜଣାପଡିଛି। ସୋଲରି ସବ ଷ୍ଟେସନ ନିକଟରେ ତାଙ୍କ ମୃତଦେହ ଦୀର୍ଘ ସମୟ ଧରି ପଡିରହିଥିବା ବେଳେ ରାତିରେ ଏ ନେଇ ସୂଚନା ପାଇଥିଲା ବାଲୁଗାଁ ଆରପିଏଫ। ଘଟଣାସ୍ଥଳରେ ଖୋର୍ଦ୍ଧା ରୋଡ ଜିଆରପି ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବାଣପୁର ମେଡିକାଲ ପଠାଇଦେଇଥିବା ଜଣାପଡିଛି।

ତେବେ ପ୍ରାଥମିକ ତଦନ୍ତରୁ ଟ୍ରେନରୁ ଖସି ପଡ଼ିଥିବାରୁ ଯୁବକଙ୍କ ମୃତ୍ୟୁ ହୋଇଥାଇପାରେ ବୋଲି ଜିଆରପି ଏଏସଆଇ ପରୀକ୍ଷିତ ନାୟକ ସୂଚନା ଦେଇଛନ୍ତି। ଏ ନେଇ ଜିଆରପି କେସ ନମ୍ବର ୨୫/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ତେବେ ମୃତ ଅସିତ ଦିଲ୍ଲୀରେ ଚାକିରୀ କରୁଥିବାର ଜଣାପଡିଛି।

ଉଲ୍ଲେଖ ଥାଉ କି ଗଗନ ଆଚାର୍ଯ୍ୟଙ୍କର ତିନି ପୁଅ ମଧ୍ୟରୁ ଅସିତ ହେଉଛନ୍ତି ମଝିଆଁ ପୁଅ। ଶ୍ରୀଯୁକ୍ତ ଆଚାର୍ଯ୍ୟଙ୍କର ବଡ ପୁଅ କଟକ ବଡ ମେଡିକାଲରେ ଡାକ୍ତରୀ ପାଠ ପଢୁଥିବା ବେଳେ ସାନ ପୁଅ ରେଭେନ୍ସା କଲେଜରେ ଅଧ୍ୟୟନ କରୁଛନ୍ତି। ହେଲେ ଅସିତ କିଟ୍ ବିଶ୍ୱବିଦ୍ୟାଳୟରେ ଡିପ୍ଲୋମା ପାଠ ସାରି ଦିଲ୍ଲୀରେ ଚାକିରୀ କରିଥିଲେ। କିନ୍ତୁ ସେ ଉଚ୍ଚ ଶିକ୍ଷା (ଡିଗ୍ରୀ) କରିବା ଲକ୍ଷ୍ୟରେ ଗାଁକୁ ଆସିଥିଲେ। ତେଣୁ ସେ ଆଡମିସନ କରିବା ଉଦ୍ଦେଶ୍ୟରେ ଭୁବନେଶ୍ବର ଯାଉଥିଲେ ବୋଲି ଜଣାପଡିଛି। ହେଲେ ତା’ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଛି। ଅସିତଙ୍କ ମୃତ୍ୟୁ ଖବର ଶୁଣିବା ପରେ ବାଣପୁରରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Categories
ଆଞ୍ଚଳିକ

ବାଲୁଗାଁ: ପୋଖରୀରେ ବୁଡ଼ି ଛାତ୍ର ମୃତ, ଚଳିତ ମାଟ୍ରିକ ପରୀକ୍ଷାରେ ‘ଏ’ ଗ୍ରେଡରେ ହୋଇଥିଲେ ଉତ୍ତୀର୍ଣ୍ଣ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ରଘୁନାଥପୁର (ଲୂଣୁପୁଟ) ଗ୍ରାମର ଜଣେ ନାବାଳକ ପୋଖରୀରେ ବୁଡି ମୃତ୍ୟୁ ବରଣ କରିଥିବା ଜଣାପଡିଛି।

ଖବର ମୁତାବକ ଉକ୍ତ ଗ୍ରାମର ପ୍ରଶାନ୍ତ ପ୍ରଧାନଙ୍କ ବଡ଼ ପୁଅ ସୁବ୍ରତ ପ୍ରଧାନ (୧୬) ନିଜ ଗ୍ରାମ ପୋଖରୀକୁ ସ୍ନାନ ପାଇଁ ଯାଇଥିବା ବେଳେ କୌଣସି କାରଣ ବଶତଃ ପୋଖରୀରେ ବୁଡି ଯାଇଥିଲେ। ଏହା ଦେଖି ନିକଟରେ ଗାଧୋଉଥିବା ଅନ୍ୟ ପିଲାମାନେ ଗ୍ରାମରେ ଜଣାଇବା ପରେ ଗ୍ରାମର କିଛି ବ୍ୟକ୍ତି ସୁବ୍ରତଙ୍କୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

ମୃତ ସୁବ୍ରତ ଛାତ୍ର ଜୀବନରୁ ଜଣେ ମେଧାବୀ ଛାତ୍ର ଥିବା ବେଳେ ଚଳିତ ଦଶମ ଶ୍ରେଣୀ ପରୀକ୍ଷାରେ ସେ ‘ଏ’ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିଲେ। ତେବେ ସୁବ୍ରତଙ୍କ ଅକସ୍ମାତ ମୃତ୍ୟୁ ଖବର ପାଇ ପରିବାର ବର୍ଗ ଭାଂଗିପଡିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Categories
ଆଞ୍ଚଳିକ

ବାଲୁଗାଁ ବାଣପୁର ଏନଏସି ପାଇଁ ଅନୁମୋଦନ ହୋଇଛି ୪୦୦ କୋଟି ଟଙ୍କା; ପ୍ରଶାନ୍ତ ଜଗଦ୍ଦେବ

ସୀତାରାମ ଅଗ୍ରୱାଲ

ବାଣପୁର: ବାଲୁଗାଁ ଏବଂ ବାଣପୁର ଏନଏସି ପାଇଁ ୨୦୦ କୋଟି ଲେଖାଏଁ ମୋଟ ୪୦୦ କୋଟି ଟଙ୍କା ଅନୁମୋଦନ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅନୁମୋଦନ କରିଛନ୍ତି ବୋଲି କହିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ‘ସମୀକ୍ଷା’ କୁ ଏକ ସାକ୍ଷାତକାର ଦେଇ ସେ ଏହି ଘୋଷଣା କରିଛନ୍ତି।

ବିଧାୟକଙ୍କ କହିବା କଥା ଯେ, ଚିିଲିକା ନିର୍ବାଚନ ମଣ୍ଡଳୀର ଏହି ଦୁଇ ଏନଏସିର ଷ୍ଟର୍ମୱାଟର ଡ୍ରେନେଜ ବ୍ୟବସ୍ଥା ପାଇଁ ୪୦୦ କୋଟି ଟଙ୍କା ଅନୁମୋଦ ହୋଇଛି। ଏହି କାମର ଏକ ଡିପିଆର ପ୍ରସ୍ତୁତ କରିବା ପାଇଁ ଏକ କୋଟି ଟଙ୍କା ପ୍ରାରମ୍ଭିକ ପର୍ଯ୍ୟାୟରେ ମଞ୍ଜୁର ହୋଇସାରିଛି। ଡିପିଆର ପ୍ରସ୍ତୁତି ପରେ ଏହାର କାମ ଆରମ୍ଭ ହେବ ବୋଲି ବିଧାୟକ କହିଛନ୍ତି।

Categories
ଆଞ୍ଚଳିକ

ବୋରିଆ ସାହିରେ ଅଗ୍ନିକାଣ୍ଡ: ନିଆଁକୁ ଆୟତ୍ତ କଲା ବାଣପୁର ଅଗ୍ନିଶମ ବାହିନୀ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ବଡ଼କୁଳ ବୋରିଆ ସାହି ଗ୍ରାମରେ ଅଗ୍ନିକାଣ୍ଡ ଘଟିଯାଇଛି। ଉକ୍ତ ଗ୍ରାମର ନୀଳକଣ୍ଠ ବେହେରାଙ୍କ ଚାଳ ଘରେ ନିଆଁ ଲାଗିଯାଇଛି। ଫଳରେ ଏକ ବଖରା ଘର ଏବଂ ବହୁ ଆସବାବପତ୍ର ଜଳିପୋଡ଼ି ପାଉଁଶ ହୋଇଯାଇଛି।

ଖବର ପାଇ ବାଣପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।  ତେବେ ଏହା ବିଦ୍ୟୁତ ସଟସର୍କିଟ ଲାଗି ହୋଇଥିବାର ପ୍ରାଥମିକ ତଦନ୍ତରୁ ଜଣାପଡିଛି।  ନୀଳକଣ୍ଠ ଗରିବ ଶ୍ରେଣୀର ବ୍ୟକ୍ତି ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ ସାଧାରଣରେ ଦାବି ହେଉଛି।

Categories
ଆଞ୍ଚଳିକ

ଦିନ ଦ୍ବିପହରରେ ବାଲୁଗାଁ ଅଞ୍ଚଳରୁ ଲୁଟ ଅଭିଯୋଗ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ପ୍ରଚଣ୍ଡ ରୌଦ୍ର ତାପ ସାଙ୍ଗକୁ ଗୁଳୁଗୁଳିରେ ବଜାର ଘାଟ ଜନଶୁନ୍ୟ ହେଉଥିବାର ଫାଇଦା ନେଇ ସ୍ପଷ୍ଟ ଦିବାଲୋକରେ ବାଲୁଗାଁ ଗୋପୀନାଥପୁର ଛକ ନିକଟ ତୁଳସୀ ନଗରରେ ଏକ ବଡ଼ ଧରଣର ଡକାୟତି ହୋଇଥିବାର ଅଭିଯୋଗ ହୋଇଛି।

ଖବର ମୁତାବକ ଦିନ ଦ୍ୱିପ୍ରହରରେ କିଛି ଦୁର୍ବୃତ୍ତ ଏକ ନୀଳ ରଙ୍ଗର କାରରେ ଆସି ତୁଳସୀ ନଗର ସ୍ଥିତ ଅନିରୁଦ୍ଧ ପ୍ରାଣିଗ୍ରାହୀଙ୍କ ଘର ଗ୍ରିଲର ତାଲା ଏବଂ ମୁଖ୍ୟ କବାଟ ତାଲା ଭାଙ୍ଗି ହଜାର ହଜାର ଟଙ୍କା ସହ ଭରି ଭରି ସୁନା ଅଳଙ୍କାର ଚୋରି କରି ଚମ୍ପଟ ମାରିଥିବା ଅଭିଯୋଗ ହେଇଛି।ଘରେ କିଏ ନଥିବା ସୁଯୋଗ ନେଇ ଶୋଇବା ଘରେ ଥିବା ଦୁଇଟି ରୁମର ଦୁଇଟା ଆଲମିରା ଭାଙ୍ଗି ପ୍ରାୟ ୧୦ ଭରିରୁ ଉର୍ଦ୍ଧ ସୁନା ଅଳଙ୍କାର ସହିତ ନଗଦ ୫୦ହଜାର ଟଙ୍କା ଚୋରି କରି ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି।ଅନିରୁଦ୍ଧ ପାଣିଗ୍ରାହୀ ଶ୍ରାଦ୍ଧ ଦେବାକୁ ବାହାରକୁ ଯାଇଥିବା ବେଳେ ସେହି ଘରେ ତାଙ୍କ ପୁଅ ଥିଲେ। କିନ୍ତୁ ଦ୍ୱିପ୍ରହର ସମୟରେ ଘର ଓ ଗ୍ରିଲ ଚାବି ପକାଇ ନିକଟସ୍ଥ ନିଜ ଗ୍ରାମ ଇଞ୍ଜନପୁରରୁ ଖାଇସାରି ଫେରିବା ବେଳକୁ ଗ୍ରୀଲ ଓ ମୁଖ୍ୟ କବାଟ ତାଲା ଭାଙ୍ଗି ଝୁଲୁଥିବା ଦେଖିଥିଲେ। ଏହା ଦେଖି ତୁରନ୍ତ ବାଲୁଗାଁ ଥାନାକୁ ଅବଗତ କରିଥିଲେ।

ଖବର ପାଇ ଘଟଣା ସ୍ଥଳରେ ବାଲୁଗାଁ ପୋଲିସ ପହଞ୍ଚି ଟିକିନିଖି ତଦନ୍ତ ଜାରି ରହିଥିବାର ଆଇଆଇସି ରଶ୍ମି ରଞ୍ଜନ ଦାଶ ସୂଚନା ଦେଇଛନ୍ତି।