Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଏମ୍ସ ଭୁବନେଶ୍ୱରରେ ବିରଳ ଗଳା କର୍କଟ ରୋଗର ଅଭିନବ ସଫଳ ଅସ୍ତ୍ରୋପଚାର

ଭୁବନେଶ୍ୱର: ବିକିରଣ (ରେଡିଏସନ୍) ଏବଂ କେମୋ ପ୍ରତିରୋଧୀ ବିରଳ ଗଳା କର୍କଟ (ଆଡେନଏଡ୍ ସିଷ୍ଟିକ୍ କାର୍ସିନୋମା) ଭଳି କୌଣସି ବିକଳ୍ପ ଚିକିତ୍ସା ପ୍ରକ୍ରିୟା ନଥିବା ପ୍ରାଣଘାତୀ ରୋଗରୁ ଜଣେ ଯୁବତୀଙ୍କୁ ରକ୍ଷା କରିବାକୁ ଯାଇ ଏମ୍ସ ଭୁବନେଶ୍ୱରର ଯୁବ ଡାକ୍ତର ଗୋଷ୍ଠୀଙ୍କ ଦ୍ବାରା ଅଭିନବ ଉପାୟରେ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହିତ ସମ୍ପନ୍ନ ହୋଇଛି। ଜଗତସିଂହପୁର ଜିଲ୍ଲାର ୨୫ ବର୍ଷ ବୟସ୍କା ଜଣେ ଯୁବତୀ ପ୍ରାୟ ଏକ ବର୍ଷରୁ ଅଧିକ ହେବ ଏହି ବିରଳ ଗଳା କର୍କଟ ରୋଗରେ ପିଡ଼ୀତ ଥିଲେ। ଏମ୍ସକୁ ଆସିବା ପୂର୍ବରୁ ଉକ୍ତ ଯୁବତୀ ଜଣଙ୍କ ରାଜ୍ୟର ବିଭିନ୍ନ ହସ୍ପିଟାଲକୁ ଏହାର ଚିକିତ୍ସା ପାଇଁ ଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା।

ବାକ୍ଯନ୍ତ୍ର ଏବଂ ଖାଦ୍ୟନଳୀର ସଂଯୋଗସ୍ଥଳରେ ହୋଇଥିବା ଏହି ଟ୍ୟୁମର ଫଳରେ ଯୁବତୀଜଣଙ୍କ ଶ୍ବାସକ୍ରିୟା ଏବଂ କଥା କହିବାରେ ଭୀଷଣ ସମସ୍ୟାର ସମ୍ମୁଖୀନ ହେଉଥିଲେ। ତେବେ ବିକିରଣ ଏବଂ କେମୋ ପ୍ରତିରୋଧୀ ଏହି ବିରଳ କର୍କଟରୁ ଉପଶମ ଦେବା ତଥା ତାଙ୍କର ଜୀବନ ରକ୍ଷା କରିବାକୁ ଏମ୍ସ ଭୁବନେଶ୍ୱରର ଇଏନ୍ଟି ଏବଂ ଗ୍ୟାଷ୍ଟ୍ରୋସର୍ଜରୀ ବିଭାଗର ଯୁବଡାକ୍ତରମାନଙ୍କୁ ନେଇ ଗଠିତ ଏକ ଦଶଜଣିଆ ଡାକ୍ତରୀ ଦଳ ପ୍ରାୟ ୧୪ ଘଣ୍ଟା ଧରି ଏହି ଅସ୍ତ୍ରୋପଚାର କରିଥିଲେ।

ଇଏନ୍ଟି ବିଭାଗର ବିଶେଷଜ୍ଞ ଡାକ୍ତର ବାକ୍ଯନ୍ତ୍ର(ଭଏସ୍ ବକ୍ସ୍), ଶ୍ବାସନଳୀ ଓ ଖାଦ୍ୟନଳୀର ଉପର ଭାଗ ଏବଂ ଥାଇରଏଡ୍ ଗ୍ରନ୍ଥିର କିଛି ଅଂଶ ଅସ୍ତ୍ରୋପଚାର ଦ୍ବାରା ବାହାର କରିଥିଲେ।

ସେହିପରି ଗ୍ୟାଷ୍ଟ୍ରୋସର୍ଜରୀ ବିଶେଷଜ୍ଞ ବୃହଦ୍ନ୍ତ୍ର(କୋଲୋନ୍)ର ଏକ ଅଂଶକୁ କାଟି ବାହାର କରିବା ସହିତ ଏହାକୁ ଛାତି ମଧ୍ୟରେ ସ୍ତନ ହାଡ଼(ଷ୍ଟର୍ନମ୍) ତଳେ ଏବଂ ହୃତ୍ପିଣ୍ଡ ନିକଟରେ ଏକ କୃତ୍ରିମ ଟନେଲ୍ ସୃଷ୍ଟି କରି ଜିଭର ମୂଳ ସହିତ ପାକସ୍ଥଳୀକୁ ସଂଯୋଗ କରିଥିଲେ। ଏହି ପ୍ରକ୍ରିୟା ଦ୍ବାରା ଯୁବତୀଙ୍କର ଏକ ନୂତନ ଖାଦ୍ୟନଳୀ ସୃଷ୍ଟି କରାଯାଇପାରିଛି। ଏହି ଜଟିଳ ଏବଂ ବିରଳ କର୍କଟ ରୋଗର ଅଭିନବ ଉପାୟରେ ହୋଇଥିବା ଅସ୍ତ୍ରୋପଚାର ପରେ ରୋଗୀଙ୍କୁ ଆଇସିୟୁରେ ରଖାଯାଇଥିଲା। ଅସ୍ତ୍ରୋପଚାରର ଦୁଇ ମାସ ପରେ ଯୁବତୀଜଣଙ୍କ ବର୍ତ୍ତମାନ ସୁସ୍ଥ ଅନୁଭବ କରିବା ସହିତ ସ୍ବାଭାବିକ ଭାବେ ଶ୍ୱାସକ୍ରିୟା ସମ୍ପାଦନ କରିବା ଏବଂ ଖାଦ୍ୟ ଗ୍ରହଣ କରୁଛନ୍ତି। ଯାହାକି ଅସ୍ତ୍ରୋପଚାର କରିଥିବା ଡାକ୍ତରୀ ଦଳ ସହିତ ଯୁବତୀଙ୍କ ପରିବାରକୁ ଆନନ୍ଦିତ କରିଛି।

ଏପରି ଯନ୍ତ୍ରଣାଦାୟକ ପ୍ରାଣଘାତୀ କର୍କଟ ରୋଗର ସଫଳ ଅସ୍ତ୍ରୋପଚାରକୁ ନେଇ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏମ୍ସ ସର୍ବଦା ଏହିପରି ଆହ୍ବାନପୂର୍ଣ୍ଣ କାର୍ଯ୍ୟକୁ ସଫଳତାର ସହିତ କରିବା ନେଇ ପ୍ରତିଶ୍ରୁତିବଦ୍ଧ। ଏନେଇ ସମ୍ପୂର୍ଣ୍ଣ ଡାକ୍ତରୀ ଦଳଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଡ. ବିଶ୍ବାସ। ଆଗକୁ ମଧ୍ୟ ଏହିପରି ଜୀବନରକ୍ଷାକାରୀ କାର୍ଯ୍ୟ ଜାରି ରଖିବାକୁ ସେ ଉତ୍ସାହିତ କରିଛନ୍ତି।

ଇଏନ୍ଟି ବିଭାଗର ସହଯୋଗୀ ପ୍ରଫେସର୍ ଡ. ଦିଲ୍ଲୀପ କୁମାର ସାମଲ, ଗ୍ୟାଷ୍ଟ୍ୟୋସର୍ଜରୀ ବିଭାଗର ସହକାରୀ ପ୍ରଫେସର ଡ. ତନ୍ମୟ ଦତ୍ତ, ଜରୁରୀକାଳୀନ ବିଭାଗର (ନିଶ୍ଚେତକ) ସହକାରୀ ପ୍ରଫେସର୍ ଡ. ଅଜିତେଶ ସାହୁ ପ୍ରମୁଖ ଏହି ଅସ୍ତ୍ରୋପଚାରର ନେତୃତ୍ବ ନେଇଥିଲେ। ବରିଷ୍ଠ ଆବାସିକ ଡାକ୍ତର ଏବଂ ନର୍ସିଂ କର୍ମଚାରୀମାନେ ମଧ୍ୟ ଏହି ଅସ୍ତ୍ରୋପଚାରରେ ସହଯୋଗ କରିଥିଲେ। ଇଏନ୍ଟି ବିଭାଗର ମୁଖ୍ୟ ପ୍ରଫେସର୍ ପ୍ରଦୀପ୍ତ କୁମାର ପରିଡ଼ା ଏହି ଅସ୍ତ୍ରୋପଚାରର ନିରୀକ୍ଷଣ କରିଥିଲେ। ଭାରପ୍ରାପ୍ତ ଡିଡିଏ ରଶ୍ମୀ ରଂଜନ ସେଠୀ ଏପରି ସଫଳ ଅସ୍ତ୍ରୋପଚାର ନେଇ ଡାକ୍ତରୀ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ସ୍ବାସ୍ଥ୍ୟ

ଶରୀରର କ୍ଷତି କରେ ଲାପଟପ୍ ରୁ ବାହାରୁଥିବା ବିକିରଣ!: ସୁରକ୍ଷିତ ରହିବା ପାଇଁ ବ୍ୟବହାର କରନ୍ତୁ ଏହି ପଦ୍ଧତି

ନୂଆଦିଲ୍ଲୀ: ପରିବର୍ତ୍ତନଶୀଳ ଜୀବନଶୈଳୀରେ ଅନେକ ଥର ଆମେ ନିଜ ପ୍ରତି ଧ୍ୟାନ ଦେବାକୁ ଭୁଲିଯାଉ। ଘର କିମ୍ବା ଅଫିସ୍, ଲାପଟପ୍ ଏବଂ କମ୍ପ୍ୟୁଟରରୁ କାର୍ଯ୍ୟ ସବୁ ଆଜି ଆମ ଜୀବନର ଏକ ବିଶେଷ ଆବଶ୍ୟକତା ହୋଇପାରିଛି। ଅନେକ ଘଣ୍ଟା ଲାପଟପ୍ ଏବଂ କମ୍ପ୍ୟୁଟରରେ କାମ କରିବା ପରେ, ପୁଣି ଫୋନ୍ ରେ ବ୍ୟସ୍ତ ରହୁଛେ। ଯାହା ଶୋଇବା ପର୍ଯ୍ୟନ୍ତ ଆମ ସହିତ ରହେ। ସକାଳେ ପୁନର୍ବାର ଫୋନ ସହିତ ଦିନ ଆରମ୍ଭ ହୁଏ। ଏହାର ଅର୍ଥ ହେଉଛି ଯେ, ସକାଳୁ ଉଠିବା ଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ, ଆମେ ଏହି ଜିନିଷଗୁଡ଼ିକରେ ବ୍ୟସ୍ତ ରହୁଛେ। ଆପଣ କେବେ ଚିନ୍ତା କରିଛନ୍ତି କି ଯେଉଁ ଉପକରଣଗୁଡ଼ିକ ଆମେ ଦିନସାରା ଆଖିରେ ରଖିଥାଉ ତାହା ଆମ ପାଇଁ କେତେ ବିପଜ୍ଜନକ?

ଲୋକମାନେ ସେମାନଙ୍କର ମୂଲ୍ୟବାନ ସମୟକୁ ସୋସିଆଲ ମିଡିଆରେ ଘଣ୍ଟା ଘଣ୍ଟା ବିତାନ୍ତି, କାରଣ ଆଜି ଆମେ ଏଥିରେ ଅଭ୍ୟସ୍ତ ହୋଇଗଲେଣି। ବୋଧହୁଏ ସେସବୁଠାରୁ ଦୂରେଇ ରହିବା ଆପଣଙ୍କ ପାଇଁ ଏକ ଦୁଃସ୍ୱପ୍ନ। କିନ୍ତୁ ଏହା ଆପଣଙ୍କ ଆଖି ତଥା ଚର୍ମକୁ କିପରି କ୍ଷତି ପହଞ୍ଚାଉଛି, ତାହା ଜାଣିବା ଆବଶ୍ୟକ। ଏହା ଆପଣଙ୍କ ଦୃଷ୍ଟି ଶକ୍ତିକୁ ଦୁର୍ବଳ କରିବା ସହିତ ଆପଣଙ୍କ ମସ୍ତିଷ୍କର ପ୍ରତିକ୍ରିୟାକୁ ପ୍ରଭାବିତ କରିଥାଏ। ଏହା ସହିତ, ଆପଣ ମାନସିକ ସ୍ତରରେ କ୍ଳାନ୍ତ ଅନୁଭବ କରିପାରନ୍ତି, ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ।

ଏହିପରି ଯତ୍ନ ନିଅନ୍ତୁ:

ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଖାଦ୍ୟ ଖାଇବା ଆରମ୍ଭ କରନ୍ତୁ। ସେଗୁଡିକ ଚର୍ମରେ ଫ୍ରି ରେଡିକାଲ୍ ଉତ୍ପାଦନକୁ ସମାନ ରଖନ୍ତି। ଏହା ଚର୍ମର ପିଗମେଣ୍ଟେସନ୍ ହ୍ରାସ କରିବା ସହିତ ବାର୍ଦ୍ଧକ୍ୟକୁ ରୋକିବାରେ ସାହାଯ୍ୟ କରିବ।

ସମୟ ସମୟରେ ଚର୍ମକୁ ସଫା ରଖନ୍ତୁ। କ୍ରମାଗତ ଭାବରେ ଇଲେକ୍ଟ୍ରୋନିକ୍ ଉପକରଣଗୁଡିକୁ ଦେଖିବା ଜାରି ରଖନ୍ତୁ ନାହିଁ, ମଝିରେ ମଝିରେ ଛୋଟ ବିରତି ନିଅନ୍ତୁ।

ଇଲେକ୍ଟ୍ରୋନିକ୍ ଉପକରଣଗୁଡ଼ିକରୁ ନୀଳ ଆଲୋକ ଆପଣଙ୍କ ପାଇଁ କ୍ଷତିକାରକ ହୋଇଥାଏ। ତାହା ସୂର୍ଯ୍ୟଙ୍କଠାରୁ ନିର୍ଗତ ୟୁଭି ରଶ୍ମି ପରି ହୋଇଥାଏ। ତେଣୁ ଆପଣ ଯେତେବେଳେ ପରଦା ସାମ୍ନାରେ ଘଣ୍ଟା ଘଣ୍ଟା କାମ କରିବାକୁ ଯାଉଛନ୍ତି ନିଶ୍ଚିତ ପୂର୍ବରୁ ଏସପିଏଫ ଆଧାରିତ ମଶ୍ଚରାଇଜର ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ।

ଉଲ୍ଲେଖ ଯୋଗ୍ୟ ଯେ, ଇଲେକ୍ଟ୍ରୋନିକ୍ ଉପକରଣଗୁଡ଼ିକର ଉତ୍ତାପ ଆପଣଙ୍କ ତ୍ୱଚାକୁ ଡିହାଇଡ୍ରେଟ୍ କରିପାରେ। ତେଣୁ ଯେତେବେଳେ ଆପଣ ସମୟ ପାଇବେ, ମଝିରେ ମଝିରେ ଅଧିକରୁ ଅଧିକ ପାଣି ପିଅନ୍ତୁ। ଆପଣ ପ୍ରତିଦିନ ୨ ରୁ ୩ ଲିଟର ପାଣି ପିଇବା ଜରୁରୀ। ଏହା ସହିତ, ଆପଣ ଏପରି ଫଳ ଖାଇପାରିବେ, ଯାହା ଜଳର ଅଭାବ ପୂରଣ କରେ।

ଆଖିର ସୌନ୍ଦର୍ଯ୍ଯ ବଜାୟ ରଖିବା ଏବଂ ଆଖିରେ କୁଞ୍ଚିକୁ ରୋକିବା ପାଇଁ ଅଣ୍ଡର ଆଇ ଜେଲ ବ୍ୟବହାର କରାଯାଇପାରିବ।