Categories
ଆଜିର ଖବର ରାଜ୍ୟ ଖବର

ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ମାସ୍କ ନପିନ୍ଧିବା ଏକ ବିଡମ୍ବନା: ବିଜେଡି

ଭୁବନେଶ୍ବର, କୋଭିଡ ସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ କରିବା ସମୟରେ ବିଜେପି ମୁଖପାତ୍ର ନିଜେ ମାସ୍କ ପରିଧାନ ନକରିବା ହେଉଛି ଏକ ବିଡମ୍ବନା। ଏଭଳି ଆଚରଣ ଖୋଦ୍ କେନ୍ଦ୍ର ସରକାର ଓ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦ୍ବାରା କୋଭିଡ ମାର୍ଗଦର୍ଶିକାର ଉଲ୍ଲଂଘନ ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି। ସେ କହିଛନ୍ତି ଯେ, କେବଳ ବିନା ମାସ୍କ ନୁହେଁ ବିଜେପି ନେତାମାନେ ସାମ୍ବାଦିକ ସମ୍ମିଳନୀରେ ଯେଭଳି ଲାଗି ଲାଗି ବସିଥିଲେ ତାହା ମଧ୍ୟ କୋଭିଡ ମାର୍ଗଦର୍ଶିକାରେ ଥିବା ସାମାଜିକ ଦୂରତ୍ବ କଟକଣାକୁ ଉପହାସ କରୁଛି।

ସେ କହିଛନ୍ତି ଦେଶର ପ୍ରଧାନମନ୍ତ୍ରୀ ଓ ରାଜ୍ୟ ମୁଖ୍ୟମନ୍ତ୍ରୀ କରୋନା କଟକଣା ମାନିବା ପାଇଁ ଅନୁରୋଧ ସତ୍ତ୍ବେ ଯେତେବେଳେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଓ ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା ଖୋଲାଖୋଲି ଭାବେ ନିୟମ ଉଲ୍ଲଂଘନ କରୁଛନ୍ତି, ସେତେବେଳେ କରୋନା ପରିଚାଳନା ସଂକ୍ରାନ୍ତରେ କହିବା ପାଇଁ ବିଜେପିର ନୈତିକତା ନାହିଁ।

ଓଡ଼ିଶାରେ ବିଜେପି ନେତାମାନେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ପୂର୍ବରୁ ମହାରାଷ୍ଟ୍ର, କର୍ଣ୍ଣାଟକ, ଗୁଜୁରାଟ, ଉତ୍ତରପ୍ରଦେଶର ସ୍ଥିତି ଦେଖିବାକୁ ଶ୍ରୀ ମହାନ୍ତି କହିଛନ୍ତି। କରୋନାକୁ ନେଇ ରାଜନୀତି କରିବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି। ଏଣୁ ଏପରି ରାଜନୀତିରୁ ବିରତ ରହିବାକୁ ସେ ରାଜ୍ୟ ବିଜେପିକୁ ପରାମର୍ଶ ଦେଇଛନ୍ତି।