Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ ସରକାର ଗଢିବା ସ୍ବପ୍ନ ଦେଖି ନୂଆଦିଲ୍ଲୀ ଅଧିବେସନରୁ ଫେରିଲେ ବିଜେପି ନେତା

ଭୁବନେଶ୍ବର: ଶେଷ ହେଲା ନୂଆଦିଲ୍ଲୀରେ ଚାଲିଥିବା ବିଜେପିର ରାଷ୍ଟ୍ରୀୟ ଅଧିବେସନ। ଏଥିରେ ସାରା ଭାରତରୁ ବିଜେପି ନେତାମାନେ ଯୋଗଦେଇଥିଲେ। ସେହିପରି ଓଡିଶାରୁ ପ୍ରାୟ ଦୁଇଶହରୁ ଉର୍ଦ୍ଧ ନେତା ଏହି ଅଧିବେସନରେ ଯୋଗ ଦେଇଥିଲେ। ଏହି ଅଧିବେସନ ଥିଲା କେବଳ ସଂଗଠନର ପ୍ରଚାର ଓ କର୍ମିଙ୍କୁ ଉତ୍ସାହିତ କରିବା। ସେଠାରେ ରାଜ୍ୟ ରଣନୀତି ସଂପର୍କରେ କିଛି ଆଲୋଚନା ହୋଇଥିବାର ଜଣାପଡୁ ନାହିଁ।

ହେଲେ ଓଡିଶା ବିଜେପି ନେତା ବେଶ୍ ଉତ୍ସାହିତ। ସେମାନେ ସେଠାରୁ କି ଗୁରୁମନ୍ତ୍ର ପାଇଲେ କେଜାଣି, ଅଧିବେସନ ନ ସରୁ ଓଡିଶାରେ ବିଜେପି ସରକାର ଗଠନ କରିବ ବୋଲି ଘୋଷଣା କଲେ। ବିଜେପି ସଭାପତି ମନମୋହନ ସାମଲ କହିଲେ ଯେ, ଓଡିଶାରେ ବିଜେଡି 24 ବର୍ଷରେ ଯାହା ନ କରିଛି ବିଜେପି ସରକାରକୁ ଆସିଲେ ତାହା 5 ବର୍ଷରେ କରିଦେବ। ଏହା ଏକ ରାଜନୈତିକ ବାଣ ଯାହା ଢୋ କରି ଫୁଟି ଉଭାନ ହୋଇଯିବ।

ମନମୋହନ କହିଛନ୍ତି ଯେ, ଏଥର ନିର୍ବାଚନରେ ଦଳର ସ୍ଳୋଗାନ ହେବ “ଫିର୍ ଏକବାର ମୋଦି ସରକାର, ଓଡିଶାରେ ବିଜେପି ସରକାର” ରହିବ। ଓଡ଼ିଶାରେ ବିଜେପି ବହୁମତରେ ସରକାର ଗଠନ କରୁ ବୋଲି ରାଜ୍ୟର ସାଧାରଣ ଜନତା ଚାହୁଛନ୍ତି। ତେଣୁ ଗଣତନ୍ତ୍ରରେ ଲୋକେ ଯାହା ଚାହୁଁଛନ୍ତି ତାକୁ ଆମ ଦଳ ସମ୍ମାନ ଦେବ ବୋଲି ମନମୋହନ ବେଶ ଉତ୍ସାହିତ ହୋଇ କହିଛନ୍ତି।

ସେହିପରି ସେ କହିଛନ୍ତି ଯେ, ମୋଦି ଓଡ଼ିଶାକୁ ଦେଇଥିବା ୧୮ଲକ୍ଷ ୮୩ହଜାର କୋଟି ଟଙ୍କାର ହିସାବ ଏଯାଏଁ ରାଜ୍ୟ ସରକାର ଦେଇପାରୁ ନାହାନ୍ତି। ଯାହା ରାଜ୍ୟ ସରକାରଙ୍କ ଭ୍ରଷ୍ଟ ଶାସନକୁ ପ୍ରମାଣିତ କରିଛି। ବିଜେପି ସରକାରକୁ ଆସିଲେ ରାଜ୍ୟର ଅଗଣିତ ଗରିବ ଜନତା ଯେଉଁ ୪୦ଲକ୍ଷ କୋଟି ଟଙ୍କା ଚିଟ୍‌ଫଣ୍ଡରେ ହରାଇଥିଲେ ତାହାକୁ ଦଳ ଫେରସ୍ତ କରିବ ବୋଲି ଶ୍ରୀ ସାମଲ କହିଛନ୍ତି।

ତେବେ ସାମଲଙ୍କ ଏହି ବକ୍ତବ୍ୟରେ କୌଣସି ନୂତନ ତଥ୍ୟ ନାହିଁ। ପୂର୍ବରୁ ମଧ୍ୟ ସେ ଏହିପରି ବିଜେଡି ସରକାରଙ୍କୁ ସମାଲୋଚନା କରିଆସୁଛନ୍ତି। ହେଲେ ଓଡିଶାରେ ବିଜେପି ସରକାର ଆସୁ ବୋଲି କାହିଁକି ମୋଦି କହୁ ନାହାଁନ୍ତି ବୋଲି ପରଚାରିଲେ ଚୁପ ରହୁଛନ୍ତି। ବିଜେଡି ସମର୍ଥନରେ କାହିଁକି ଅଶ୍ବିନୀ ବୈଷ୍ଣବ ରାଜ୍ୟସଭାକୁ ଗଲେ ବୋଲି ପଚାରିଲେ କଥାକୁ ବୁଲେଇ ବଙ୍କେଇ ଉତ୍ତର ଦେଉଛନ୍ତି।

ତେବେ ଘଟଣା ହେଲା ଯେ, ସେହି ଅଧିବେସନରେ ଯୋଗଦେଇଥିବା କିଛି ବିଜେପି ନେତା ନିଜ ନାମ ଗୋପନ ରଖି କହିଛନ୍ତି ଯେ କିଛି ନୂତନତ୍ବ ନାହିଁ। ରାଷ୍ଟ୍ରୀୟ ବିଜେପିର ଗୋଟିଏ ଉଦ୍ଦେଶ୍ୟ ମୋଦି ପୁଣି କିପରି ଆସନ୍ତୁ। କେନ୍ଦ୍ରରେ ବିଜେପି ସରକାର ରହୁ। ହେଲେ ରାଜ୍ୟରେ କିଏ ଆସିବ ନ ଆସିବ ସେଥିପାଇଁ ତାଙ୍କର କୈଣସି ଗୁରୁତ୍ବ ନାହିଁ। ତେଣୁ ଏଠାରେ କୌଣସି ରାଜ୍ୟ ରଣନୀତି ଉପରେ କିଛି ଆଲୋଚନା ହୋଇ ନାହିଁ।