Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଅଶାନ୍ତ ହେଲା ବିଜେବି କଲେଜ ପରିସର: ଛାତ୍ରଙ୍କୁ ଆକ୍ରମଣ କଲେ ଅଣଛାତ୍ର, ୩ ଗୁରୁତର

ଭୁବନେଶ୍ବର: ବିଜେବି କଲେଜ ପରିସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। କ୍ରିକେଟ ଖେଳକୁ ନେଇ ସେଠାରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଛି। ବିଜେବି କଲେଜ ପଡିଆରେ ଖେଳିବାକୁ ନେଇ ଛାତ୍ର-ଅଣଛାତ୍ର ମଧ୍ୟରେ ବିବାଦ ହୋଇଛି। ବିବାଦ ଏତେ ବଢିଯାଇଥିଲା ଯେ, ଛାତ୍ରଙ୍କ ଉପରକୁ ଅଣଛାତ୍ରମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ବିଜେବି କଲେଜ ପଡ଼ିଆରେ ଆମ୍ବେଦକର ହଷ୍ଟେଲର ଛାତ୍ରମାନେ କ୍ରିକେଟ ଖେଳୁଥିଲେ। କିନ୍ତୁ ସେହି ସ୍ଥାନରେ ଅଣଛାତ୍ରମାନେ ଖେଳିବାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଥିଲା। ଯାହାପରେ ଅଣଛାତ୍ରମାନେ ଉତ୍ତେଜିତ ହୋଇ ଛାତ୍ରମାନଙ୍କ ଉପରକୁ ଆକ୍ରମଣ କରିଥିଲେ। ୧୫ରୁ ଉର୍ଦ୍ଧ୍ଵ ଅଣଛାତ୍ର ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଥିବା ବେଳେ ୩ ଜଣ ଛାତ୍ର ଗୁରୁତର ଆହତ ହୋଇଥିଲେ। ଆହତ ଛାତ୍ରମାନଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।

ତେବେ ବଦଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୪ ରୁ ୫ ସନ୍ଦିଗ୍ଧଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।

ଉଲ୍ଲେଖ ଥାଉ କି, ବିଜେବି କଲେଜ ଗ୍ରାଉଣ୍ଡରେ ପ୍ରତିଦିନ ଶହ ଶହ ପିଲା ଖେଳିବା ପାଇଁ ଯାଅନ୍ତି। ସେଠାରେ ଛାତ୍ରମାନଙ୍କ ସହ ଅଣଛାତ୍ରମାନେ ଦୌଡିବା, ଫୁଟବଲ, କ୍ରିକେଟ ଇତ୍ୟାଦି ଖେଳ ଖେଳିବାକୁ ଯାଇଥାନ୍ତି। ପ୍ରତିଦିନ ସକାଳୁ ସେହି ପଡ଼ିଆରେ ପ୍ରବଳ ଜନଗହଳି ହୋଇଥାଏ।

ତେବେ ଏଭଳି ଘଟଣା ପରେ ସେଠାରେ ଏକ ଅପ୍ରତିକର ପରିସ୍ଥିତି ସୃଷ୍ଟି ହୋଇଛି। ଯାହାକୁ ନେଇ ଶାନ୍ତି ଶୃଙ୍ଖଳାରେ ସକାଳୁ ବ୍ୟାୟମ କରୁଥିବା ଲୋକମାନଙ୍କ ମଧ୍ୟରେ ସଦେହ ସୃଷ୍ଟି ହୋଇଛି। ସେମାନଙ୍କ ପକ୍ଷରୁ ଏଭଳି ଘଟଣାକୁ କଡା ନିନ୍ଦା କରାଯାଇଥିବା ବେଳେ ଦୋଷୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ର‌୍ୟାଗିଂ ବନ୍ଦ ପାଇଁ କଠୋର ଆଇନ୍ ଓ ରୁଚିକାକୁ ନ୍ୟାୟ ଦାବିରେ ଏଆଇଏସ୍‌ଏଫ୍ ପକ୍ଷରୁ ବିକ୍ଷୋଭ

ଭୁବନେଶ୍ୱର : ଗତ ଜୁଲାଇ ୨ ତାରିଖ ରାଜ୍ୟ ରାଜଧାନୀ ଭୁବନେଶ୍ୱରର ଖ୍ୟାତିସମ୍ପନ୍ନ ବିଜେବି କଲେଜରେ ର‌୍ୟାଗିଂର ଶିକାର ହୋଇ +୩ ପ୍ରଥମ ବର୍ଷର ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା, ଆତ୍ମହତ୍ୟା ନୁହେଁ ପରନ୍ତୁ ସୁଚିନ୍ତିତ ହତ୍ୟାକାଣ୍ଡ । ଏହାର ପ୍ରତିବାଦରେ ତଥା ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନରେ ର‌୍ୟାଗିଂ ବନ୍ଦ ପାଇଁ କଠୋର ଆଇନ୍ ପ୍ରଣୟନ ଦାବିରେ ଅଖିଳ ଭାରତ ଛାତ୍ର ସଂଘ (ଏଆଇଏସ୍‌ଏଫ୍‌) ପକ୍ଷରୁ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଏହି ବିକ୍ଷୋଭରେ ଏଆଇଏସ୍‌ଏଫ୍ ରାଜ୍ୟ ସଭାପତି ସଂଘମିତ୍ରା ଜେନା, ମନୋରଞ୍ଜନ ରାଉତ, ଶାଶ୍ୱତ ପତି, ଜୀବନବନ୍ଧୁ ଭୋଇ, ମନୋଜ କୁମାର କର, ସନ୍ତୋଷ କୁମାର ସାହୁ, ରଶ୍ମିରଞ୍ଜନ ଜାଲି, ସୁନିଲ୍ ବଟୁ, ନାରାୟର ବେହେରା, ସୁଚିସ୍ମିତା ଜେନା, ବଳରାମ କୁଶଲିଆ, ଜୀଗନ୍ତ ବାତ୍ରା ପ୍ରମୁଖ ନେତୃତ୍ୱ ନେଇଥିଲେ । ଅପରାହ୍ନ ୫ ଘଟିକା ଠାରୁ ବିଜେବି କଲେଜ ସମ୍ମୁଖରେ ଏଆଇଏସ୍‌ଏଫ୍ ନେତୃତ୍ୱରେ ଛାତ୍ରଛାତ୍ରୀଙ୍କ ଧାରଣା ଚାଲୁ ରହିଛି ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳାଫଳ: ରାଜ୍ୟରେ ଚତୁର୍ଥ ସ୍ଥାନ ହାସଲ କଲେ ମୂର୍ତ୍ତି କଳାକାରଙ୍କ ପୁଅ ନିମାଇଁ

ଅରବିନ୍ଦ କର

ଖଇରା: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ପଳସା ପଂଚାୟତର ମଳିହା ଗ୍ରାମ ପାଇଁ ଗର୍ବ ଆଉ ଗୌରବ ଆଣିଛନ୍ତି ନିମାଇଁ ବିଶ୍ୱରଂଜନ ବେହେରା। ସେ ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ରାଜ୍ୟ ସ୍ତରରେ ଚତୁର୍ଥ ସ୍ଥାନ ହାସଲ କରିପାରିଛନ୍ତି। ଭୁବନେଶ୍ବର ସ୍ଥିତ ବିଜେବି କଲେଜର ଛାତ୍ର ନିମାଇଁ ୯୪% ନମ୍ବର ରଖି ଏହି କୃତିତ୍ୱ ହାସଲ କରିଛନ୍ତି। ବାପା ଜଣେ ମୂର୍ତ୍ତି କଳାକାର ହୋଇଥିବା ବେଳେ ମା’ ଗୃହିଣୀ। ଏକ ଗରିବ ପରିବାରରେ ଜନ୍ମ ହୋଇ ସେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଏନେଇ ସାରା ଓଡିଶାରୁ ଶୁଭେଚ୍ଛାର ସୁଅ ଛୁଟୁଥିବା ବେଳେ ଏ ସଫଳତାକୁ ସେ ବାପା ମା ଓ ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ଶ୍ରେୟ ଦେଇଛନ୍ତି।