Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଅହମଦାବାଦ୍‌ରେ ବିଜ୍ଞାନ କାରିଗର ମନ୍ତ୍ରୀଙ୍କ ସମ୍ମିଳନୀ, ମନ୍ତ୍ରୀ ଅଶୋକ ପଣ୍ଡା ଯୋଗଦେଇ କଲେ ଏହି ଦାବୀ

ଭୁବନେଶ୍ୱର : ରାଜ୍ୟଗୁଡ଼ିକରେ ବିଜ୍ଞାନ ଓ ବୈଷୟିକ ପରିମଣ୍ଡଳର ଅଭିବୃଦ୍ଧି ନିମନ୍ତେ କେନ୍ଦ୍ର ସରକାର ଅଧିକ ସମ୍ବଳ ଓ ସମର୍ଥନ ଯୋଗାଇଦେବା ଉପରେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଗୁରୁତ୍ୱାରୋପ କରିଛନ୍ତି। ଅହମଦାବାଦରେ ଆୟୋଜିତ ରାଜ୍ୟ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀମାନଙ୍କ ସମ୍ମିଳନୀରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା ବିଜ୍ଞାନ ଓ ବୈଷୟିକ ଗବେଷଣା, ଅଭିନବତ୍ୱ ଓ ଉଦ୍ୟମିତା କ୍ଷେତ୍ରରେ ଅଧିକ ସମ୍ବଳ ବିନିଯୋଗ ପାଇଁ ମତ ଦେଇଛନ୍ତି।

ମନ୍ତ୍ରୀ ଶ୍ରୀ ପଣ୍ଡା ରାଜ୍ୟଗୁଡ଼ିକର ଇନୋଭେସନ୍‌ ସିଷ୍ଟମ ଏବଂ କେନ୍ଦ୍ର ଇନୋଭେସନ୍‌ ସିଷ୍ଟମର ମିଳିତ ଉଦ୍ୟମ ଉପରେ ଗୁରୁତ୍ୱ ଦେବା ସହିତ ଘରୋଇ ଉଦ୍ୟୋଗଗୁଡ଼ିକର ସହଭାଗିତା ନିମନ୍ତେ ପରାମର୍ଶ ଦେଇଛନ୍ତି। ବିଜ୍ଞାନ ଓ କାରିଗରୀ କ୍ଷେତ୍ରର ଅଭିବୃଦ୍ଧି ନିମନ୍ତେ ଶିଳ୍ପାନୁଷ୍ଠାନଗୁଡ଼ିକ ସିଏସ୍‌ଆର୍‌ ପାଣ୍ଠିର କିଛି ଅଂଶ ବ୍ୟୟ କରିବା ସାଙ୍ଗକୁ ପ୍ରତି ରାଜ୍ୟ ଓ କେନ୍ଦ୍ରରେ ଏଥି ପାଇଁ ଏକ କର୍ପସ୍‌ ଫଣ୍ଡ ସୃଷ୍ଟି ଉପରେ ମନ୍ତ୍ରୀ ଶ୍ରୀ ପଣ୍ଡା କେନ୍ଦ୍ର ବିଜ୍ଞାନ ଓ କାରିଗରୀ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ରାଜ୍ୟରେ ବିଜ୍ଞାନ ଓ କାରିଗରୀ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ମନ୍ତ୍ରୀ ଶ୍ରୀ ପଣ୍ଡା ସୂଚନା ଦେଇଥିଲେ। ଭୁବନେଶ୍ୱରସ୍ଥିତ ଜୀବବିଜ୍ଞାନ ପ୍ରତିଷ୍ଠାନକୁ ବାୟୋ-ଇନ୍‌କୁ୍ୟବେସନ୍‌ ସେଣ୍ଟର ଓ ଷ୍ଟାର୍ଟଅପ୍‌ ଗବେଷଣା ନିମନ୍ତେ ୨ କୋଟି ଟଙ୍କା ଯୋଗାଇ ଦିଆଯାଇଛି ଓ ପ୍ରତିଷ୍ଠାନ ଅଧୀନରେ ୨୪ଟି ଷ୍ଟାର୍ଟଅପ୍‌ କାର୍ଯ୍ୟ କରୁଛି ବୋଲି ସେ କହିଥିଲେ।

ଅନୁରୂପ ଭାବରେ ଓଡ଼ିଶା ସରକାର ଶିକ୍ଷାନୁଷ୍ଠାନ ଓ ଗବେଷଣା ପ୍ରତିଷ୍ଠାନଗୁଡ଼ିକ ମଧ୍ୟରେ ଭାବବିନିମୟକୁ ସୁଦୃଢ଼ କରିବା ପାଇଁ ଭୁବନେଶ୍ୱର ସିଟି ନଲେଜ୍‌ ଇନୋଭେସନ୍‌ ସେଣ୍ଟର ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ରାଜ୍ୟର ବିଜ୍ଞାନ ଓ କାରିଗରୀ ନୀତି ପ୍ରଣୟନ ପ୍ରକ୍ରିୟା ଜାରି ରହିଛି ବୋଲି ଦର୍ଶାଇବା ସହିତ ମନ୍ତ୍ରୀ ଶ୍ରୀ ପଣ୍ଡା ରାଜ୍ୟର ୫୦୦ଟି ବିଦ୍ୟାଳୟରେ ଇନୋଭେସନ୍‌ ହବ୍‌ ଖୋଲିବାର ଯୋଜନା ରହିଛି ଓ ୨୦୨୩ ସୁଦ୍ଧା ୨୦୦ କୋଟି ଟଙ୍କା ବ୍ୟୟରେ ୫୦ଟି ହବ୍‌ ଖୋଲାଯିବ ବୋଲି କହିଛନ୍ତି।

ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିବା ଏହି ଦୁଇଦିନିଆ ଜାତୀୟ ସମ୍ମିଳନୀର ଲିଡରସିପ୍‌ ସେସନ୍‌ରେ ମନ୍ତ୍ରୀ ଶ୍ରୀ ପଣ୍ଡା ଅଂଶଗ୍ରହଣ କରିଥିଲେ। ସମ୍ମିଳନୀର ବିଭିନ୍ନ ଅଧିବେଶନରେ ବିଜ୍ଞାନ ଓ ବୈଷୟିକ ଦୃଶ୍ୟପଟ-୨୦୪୭, ୨୦୩୦ ସୁଦ୍ଧା ଘରୋଇ ଉଦ୍ୟୋଗଗୁଡ଼ିକରେ ଗବେଷଣା ନିମନ୍ତେ ଦୁଇଗୁଣା ପାଣ୍ଠି ବିନିଯୋଗ, କୃଷକଙ୍କ ଆୟବୃଦ୍ଧି ଦିଗରେ ବୈଷୟିକ ହସ୍ତକ୍ଷେପ, ସମସ୍ତ ପାଇଁ ସ୍ୱଚ୍ଛ ଶକ୍ତି ସମ୍ବଳ ଓ ଗଭୀର ସମୁଦ୍ର ମିଶନ ଇତ୍ୟାଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

କେନ୍ଦ୍ର ବିଜ୍ଞାନ ଓ ବୈଷୟିକ, ଭୂ-ବିଜ୍ଞାନ ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ, ଗୁଜୁରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ରଜନୀକାନ୍ତ ପଟେଲ୍‌, ଗୁଜୁରାଟର ଶିକ୍ଷା, ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ ଜିତୁଭାଇ ଏସ୍‌. ବାଘାନୀଙ୍କ ସମେତ ମନ୍ତ୍ରାଳୟର ସମସ୍ତ ବିଭାଗର ସଚିବ, ବିଭିନ୍ନ ରାଜ୍ୟର ବିଭାଗୀୟ ସଚିବ, ଶିଳ୍ପପତି, ଶିକ୍ଷାବିତ୍‌, ବୈଜ୍ଞାନିକ, ଉଦ୍ୟୋଗ କର୍ମକର୍ତ୍ତା ସମ୍ମିଳନୀର ବିଭିନ୍ନ ଅଧିବେଶନରେ ଅଂଶଗ୍ରହଣ କରି ମତବିନିମୟ କରିଥିଲେ। ଓଡ଼ିଶାରୁ ବିଭାଗର ଯୁଗ୍ମ ଶାସନ ସଚିବ ପୂଜା ମିଶ୍ର ଓ ବରିଷ୍ଠ ବୈଜ୍ଞାନିକ ଡ. ଏଲ୍‌.ଏନ୍‌. ପାଢ଼ୀ ମଧ୍ୟ ଏହି ସମ୍ମିଳନୀରେ ଯୋଗଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଜ୍ଞାନ ଓ କାରିଗରୀ ବିଭାଗ ସହ ବିସିକେଆଇସି ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

ଭୁବନେଶ୍ବର: ବିଜ୍ଞାନ ଓ କାରିଗରୀ ବିଭାଗ ଆନୁକୂଲ୍ୟରେ ରାଜ୍ୟ ବିଜ୍ଞାନ ଓ କାରିଗରୀ ପରିଷଦ ଏବଂ ଭୁବନେଶ୍ୱର ସିଟି ନଲେଜ ଇନୋଭେସନ୍‌ କ୍ଳଷ୍ଟର (ବିସିକେଆଇସି) ଫାଉଣ୍ଡେସନ୍‌ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି। ଆଜି ଅପରାହ@ରେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଉପସ୍ଥିତିରେ ଏହା ସ୍ୱାକ୍ଷରିତ ହୋଇଛି।

ସମ୍ମିଳିତ ଉଦ୍ୟମରେ ବିଜ୍ଞାନ ଓ କାରିଗରୀ କାର୍ଯ୍ୟକ୍ରମ ତଥା ଅଭିନବ ଭିତ୍ତିଭୂମିର ଉନ୍ନତିକରଣ ଉପରେ ବୁଝାମଣାପତ୍ରରେ ଗୁରୁତ୍ୱାରୋପ କରାଯାଇଛି।
ବିଜ୍ଞାନ ଓ କାରିଗରୀ କ୍ଷେତ୍ରରେ ରାଜ୍ୟର ସାମର୍ଥ୍ୟକୁ ଏପରି ପଦକ୍ଷେପ ଅଧିକ ସାହାଯ୍ୟ କରିବ ବୋଲି ଉଲ୍ଲେଖ କରି ମନ୍ତ୍ରୀ ଶ୍ରୀ ପଣ୍ଡା ରାଜ୍ୟରେ ବିଜ୍ଞାନ ଶିକ୍ଷା, ଗବେଷଣା, ଯୋଗାଯୋଗ ଓ ନୂତନ ଉଦ୍ଭାବନ ଇତ୍ୟାଦିକୁ ପ୍ରୋତ୍ସାହନ ଦେବାରେ ଏପରି ବୁଝାମଣା ଲାଭଦାୟକ ହେବ ବୋଲି ଆଶା ପ୍ରକାଶ କରିଛନ୍ତି। ସେ ମଧ୍ୟ ରାଜ୍ୟରେ ବାୟୋଟେକ୍‌ନୋଲୋଜି କ୍ଷେତ୍ରରେ ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦେଇଛନ୍ତି।

ବୁଝାମଣାପତ୍ର ଅନୁସାରେ ବିଜ୍ଞାନ ଓ କାରିଗରୀ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମରେ ବିସିକେଆଇସି ସହଯୋଗୀ ଭାବରେ କାର୍ଯ୍ୟ କରିବ। ରାଜ୍ୟର ବିଜ୍ଞାନ ଓ କାରିଗରୀ ନୀତି ପ୍ରଣୟନ, ବିଭିନ୍ନ ବିଜ୍ଞାନଭିତ୍ତିକ କୌଶଳର ହସ୍ତାନ୍ତରଣ, ଶିକ୍ଷା-ସ୍ୱାସ୍ଥ୍ୟ-ପରିମଳ-ପରିବେଶ ଓ ଯୋଗାଯୋଗ କ୍ଷେତ୍ରରେ ଅଧିକ ଜ୍ଞାନବିନିମୟ, ତାଲିମ ଓ ଦକ୍ଷତା ବୃଦ୍ଧି, ଉଦ୍ୟୋଗ ତଥା ବୁଦ୍ଧିଜୀବୀଙ୍କ ମିଳିତ ଉଦ୍ୟମ ନିମନ୍ତେ ପ୍ରୋତ୍ସାହନ ଏବଂ ବିଦ୍ୟାଳୟସ୍ତରରୁ ପରୀକ୍ଷାମୂଳକ ଶିକ୍ଷଣ ନିମନ୍ତେ କାର୍ଯ୍ୟକ୍ରମ ରୂପାୟନ ଇତ୍ୟାଦି କ୍ଷେତ୍ରରେ ଉଭୟ ବିଜ୍ଞାନ ଓ କାରିଗରୀ ବିଭାଗ ତଥା ବିସିକେଆଇସି ଏକତ୍ର କାର୍ଯ୍ୟ କରିବେ ବୋଲି ବୁଝାମଣାପତ୍ରରେ ଦର୍ଶାଯାଇଛି।

ବିଜ୍ଞାନ ଓ କାରିଗରୀ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କହିଛନ୍ତି ଯେ ରାଜ୍ୟରେ ବିଜ୍ଞାନ ଓ କାରିଗରୀ ପରିବେଶର ଦୃଢ଼ୀକରଣକୁ ପ୍ରାଥମିକତା ଦେଇ ଶିକ୍ଷାନୁଷ୍ଠାନ, ସେ୍ୱଚ୍ଛାସେବୀ ସଂଗଠନ ଓ ନାଗରିକଙ୍କ ମଧ୍ୟରେ ମତାମତ ଆଦାନପ୍ରଦାନ କ୍ରମେ ବିଜ୍ଞାନ ଶିକ୍ଷା ତଥା ଗବେଷଣା କାର୍ଯ୍ୟକୁ ସଂପ୍ରସାରିତ କରିବାରେ ଏପରି ଉଦ୍ୟମ ଯଥେଷ୍ଟ ସହାୟକ ହେବ।

ବିଭାଗ ପକ୍ଷରୁ ରାଜ୍ୟ ବିଜ୍ଞାନ ଓ କାରିଗରୀ ପରିଷଦର ସଂପାଦକ ପୂଜା ମିଶ୍ର ଓ ବିସିକେଆଇସି ପକ୍ଷରୁ ତା’ର ଅଧ୍ୟକ୍ଷ ଡ. ମୃତୁ୍ୟଞ୍ଜୟ ସୁଆର ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିବାବେଳେ କାର୍ଯ୍ୟକ୍ରମରେ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ ବୌଦ୍ଧିକ ସଂପଦ ଅଧିକାର ପରିଚାଳନା ମାର୍ଗଦର୍ଶିକା ଉନ୍ମୋଚିତ

ଭୁବନେଶ୍ୱର:  ରାଜ୍ୟରେ ବୌଦ୍ଧିକ ସଂପଦ ସୃଷ୍ଟି ଏବଂ ସଂପୃକ୍ତ ପରିବେଶର ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ କାରିଗରୀ ବିଭାଗ ସହାୟତା ଦେଉଛନ୍ତି । ଜନସଚେତନତା ସୃଷ୍ଟି ପାଇଁ ୧୦ ଲକ୍ଷ ଟଙ୍କା, ପେଟେଣ୍ଟ ପଂଜୀକରଣ ପାଇଁ ୪୦ ହଜାର ଟଙ୍କା, ଆଟର୍ଣ୍ଣି ଦେୟ ୨୦ ହଜାର ଟଙ୍କା, ଜିଆଇ ପଂଜୀକରଣ ପାଇଁ ୧୦ ହଜାର ଟଙ୍କା ଓ ଦକ୍ଷତା ବିକାଶ ତଥା ତାଲିମ କର୍ମଶାଳା ଆୟୋଜନ ପାଇଁ ୬୦ ହଜାରରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ବୋଲି ବିଜ୍ଞାନ ଓ କାରିଗରୀ ବିଭାଗର ସଚିବ ମନୋଜ କୁମାର ମିଶ୍ର ପ୍ରକାଶ କରିଛନ୍ତି ।

ଆଜି ପୂର୍ବାହ୍ନରେ ‘ରାଜ୍ୟରେ ବୌଦ୍ଧିକ ସଂପଦ ପରିବେଶର ପ୍ରୋତ୍ସାହନ’ ଶୀର୍ଷକ ଏକ କର୍ମଶାଳାରେ ଯୋଗଦେଇ ଶ୍ରୀ ମିଶ୍ର କହିଛନ୍ତି ଯେ ବୌଦ୍ଧିକ ସଂପଦ ସୃଷ୍ଟି ନିମନ୍ତେ ବ୍ୟକ୍ତିବିଶେଷ ତଥା ଷ୍ଟାର୍ଟଅପ୍‌ ଉଦ୍ୟୋଗୀମାନେ ସରକାରଙ୍କଠାରୁ ବୈଷୟିକ, ଆଇନଗତ ଏବଂ ଆର୍ଥିକ ସହାୟତା ପାଇବାର ବ୍ୟବସ୍ଥା କରାଯାଇଥିବାବେଳେ ଅଧିକ ସଂଖ୍ୟକ ବୌଦ୍ଧିକ ସଂପଦ ସୃଷ୍ଟି ଉପରେ ଉଦ୍ୟମ ହେବା ଆବଶ୍ୟକ ।

ରାଜ୍ୟ ସରକାରଙ୍କ ବିଜ୍ଞାନ ଓ କାରିଗରୀ ବିଭାଗ ଏବଂ ଭୁବନେଶ୍ୱରସ୍ଥିତ ସଫଫେୱୟାର ଟେକ୍‌ନୋଲୋଜି ପାର୍କର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କର୍ମଶାଳାରେ ଉଦ୍‌ଘାଟନ ପର୍ବ ବ୍ୟତିରେକ ବୌଦ୍ଧିକ ସଂପଦ ସୃଷ୍ଟି, ଏହାର ବିକାଶ ଓ ପରିବେଶ ପ୍ରୋତ୍ସାହନ ନେଇ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ବୌଦ୍ଧିକ ସଂପଦ ଅଧିକାର ପରିଚାଳନା ସଂପର୍କିତ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକାର ମୁଦି୍ରତ ଏବଂ ଡିଜିଟାଲ୍‌ ସଂସ୍କରଣ ମଧ୍ୟ ଏହି କର୍ମଶାଳାରେ ଉନ୍ମୋଚିତ ହୋଇଥିଲା ।

ରାଜ୍ୟରେ ବୌଦ୍ଧିକ ସଂପଦ ଅଧିକାରର ସ୍ଥିତି ଓ ପରିବେଶ ସଂପର୍କରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ଅତିରିକ୍ତ ଶାସନ ସଚିବ ଉଦୟ ନାରାୟଣ ଦାସ, ବୈଷୟିକ ସଂସ୍ଥା ଲେକ୍ସ ପ୍ରୋଟେକଫରର କାର୍ଯ୍ୟକର୍ତ୍ତା ଅରବିନ୍ଦ ପଣ୍ଡା, ସଫଫେୱୟାର ଟେକ୍‌ନୋଲୋଜି ପାର୍କ(ହେଡ୍‌କ୍ୱାର୍ଟର)ର ନିର୍ଦ୍ଦେଶକ ସୁବୋଧ ସଚନ୍‌, ଭୁବନେଶ୍ୱର ଏସ୍‌ଟିପିଆଇର ନିର୍ଦ୍ଦେଶକ ମାନସ ରଞ୍ଜନ ପଣ୍ଡା ଓ ବିର୍ଲା ଗ୍ଲୋବାଲ୍‌ ୟୁନିଭରସିଟିର କୁଳପତି ପି.ପି. ମାଥୁର ପ୍ରମୁଖ ବକ୍ତବ୍ୟ ରଖି ବୌଦ୍ଧିକ ସଂପଦ ଅଧିକାର, କପି ରାଇଟ୍‌, ଶିଳ୍ପ ରୂପରେଖ ପ୍ରସ୍ତୁତି ଇତ୍ୟାଦି ଉପରେ ଆଲୋକପାତ କରିଥିଲେ ।

କର୍ମଶାଳାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ପଦାଧିକାରୀ, ବୁଦ୍ଧିଜୀବୀ, ଗବେଷକ ତଥା ଶିଳ୍ପ ଏବଂ ଷ୍ଟାର୍ଟଅପ୍‌ ସଂପୃକ୍ତ ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିଥିଲେ ।