Categories
ଆଜିର ଖବର ରାଜ୍ୟ ଖବର

ଜାପାନରେ ଓଡ଼ିଶା ମହୋତ୍ସବ

ଭୁବନେଶ୍ୱର: ଓଡ଼ିଆ ଓ ଜାପାନୀମାନଙ୍କ ଜୀବନଧାରାରେ ବ୍ୟାପକ ସାମଞ୍ଜସ୍ୟ ରହିଛି। ଖାଦ୍ୟସଂସ୍କୃତି ସହିତ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ କର୍ମପ୍ରବଣତା ସମାନ ହୋଇଥିବାବେଳେ ଓଡ଼ିଶା ଓ ଜାପାନ ମଧ୍ୟରେ ସାଂସ୍କୃତିକ ସଂପର୍କ ବିଶେଷ ଉଲ୍ଲେଖଯୋଗ୍ୟ ବୋଲି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମତ ଦେଇଛନ୍ତି।

ଜାପାନର ରିଉକୋକୁ ବିଶ୍ୱବିଦ୍ୟାଳୟର କିଓଟୋ ହଲ୍‌ରେ ଓଡ଼ିଶା କଲଚରାଲ୍‌ ଏକ୍ସଚେଞ୍ଜ ସୋସାଇଟି ଜାପାନ ଆନୁକୂଲ୍ୟରେ ଆୟୋଜିତ ‘ଓଡ଼ିଶା ମହୋତ୍ସବ’ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା କହିଲେ ଯେ ଓଡ଼ିଶାର ଧଉଳିଠାରେ ୧୯୭୩ ମସିହାରେ ଭାରତ-ନିପନ ବୌଦ୍ଧ ସଂଘ ପକ୍ଷରୁ ସ୍ଥାପିତ ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ସମାରୋହ ନିକଟରେ ପାଳିତ ହୋଇଥିବାବେଳେ ଓଡ଼ିଶାରେ ବୌଦ୍ଧ ପର୍ଯ୍ୟଟନର ବିଶେଷ ଗୁରୁତ୍ୱ ରହିଛି।

ଶ୍ରୀ ପଣ୍ଡା କହିଲେ ଯେ ଓଡ଼ିଶା ଜାପାନ ସଂପର୍କ ଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ଜାପାନୀ ଭାଷା ଶିକ୍ଷଣ ଓ ଜୈବପ୍ରଯୁକ୍ତି କ୍ଷେତ୍ରରେ ଅଧିକତର ଗବେଷଣା ଏବଂ ଅଧ୍ୟୟନ ପାଇଁ ପ୍ରୟାସ ବିଶେଷ ଭାବରେ ଫଳପ୍ରଦ ସାବ୍ୟସ୍ତ ହେବ। ସହଭାଗିତା ବଳରେ ଓଡ଼ିଶା-ଜାପାନ ସଂପର୍କ ଦୃଢ଼ତର ହେବ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ଆଶାପ୍ରକାଶ କରିଥିଲେ।

ଓଡ଼ିଶା-ଜାପାନ ସଂସ୍କୃତିକ ପୃଷ୍ଠଭୂମି ଉପରେ ରାଜ୍ୟସଭା ସଦସ୍ୟ ସୁଜିତ କୁମାର, କିଓଟୋ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର କାଜିନୋବୁ ମିତ୍‌ସୁବା, ଜାପାନସ୍ଥିତ ଭାରତର କନ୍‌ସୁଲେଟ୍‌ ଜେନେରାଲ ଓସାକା କୋବେ, ଖ୍ୟାତିସଂପନ୍ନ ଚିତ୍ର ନିର୍ଦ୍ଦେଶକ ପଦ୍ମଶ୍ରୀ ନୀଳମାଧବ ପଣ୍ଡା, ବିଧାୟକ ଦେବୀପ୍ରସାଦ ମିଶ୍ର ବକ୍ତବ୍ୟ ରଖି ଜାପାନର ସଂସ୍କୃତିପ୍ରେମୀମାନଙ୍କ ଏପରି ଉଦ୍ୟମ ସାଂସ୍କୃତିକ ଭାବବିନିମୟ ଏବଂ ଅଧ୍ୟୟନକୁ ସୁଦୃଢ଼ କରିବ ବୋଲି ଆଶାବ୍ୟକ୍ତପୂର୍ବକ ଓଡ଼ିଶା ମହୋତ୍ସବ ଆୟୋଜନର ଭୂୟସୀ ପ୍ରଶଂସା କରିଥିଲେ।

ମହୋତ୍ସବରେ ଜଳବାୟୁ ପରିବର୍ତ୍ତନ ଆଧାରିତ ନୀଳମାଧବଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘କାଲିର ଅତୀତ’ ପ୍ରଦର୍ଶିତ ହୋଇଥିବାବେଳେ ଓଡ଼ିଶାର ପର୍ଯ୍ୟଟନ ବିଭବ ନେଇ ଏକ ଫଟୋ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ଜାପାନୀ ନୃତ୍ୟଶିଳ୍ପୀ ୟୁମିକୋ ହାନାନୋମିଆ ଓ ସୁଶ୍ରୀ ସାଚିକୋ ମୁରାକାମୀଙ୍କ ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ ପରିବେଷଣ ମହୋତ୍ସବର ଅନ୍ୟତମ ଆକର୍ଷଣ ଥିଲା। କଳାହାଣ୍ଡିର ମହାବୀର ସାଂସ୍କୃତିକ ଅନୁଷ୍ଠାନର ଶିଳ୍ପୀବୃନ୍ଦ ଘୁମୁରା ଓ ବଜାଶାଲ ଲୋକନୃତ୍ୟ ପରିବେଷଣ କରିଥିଲେ।

ଓଡ଼ିଶା କଲଚରାଲ୍‌ ଏକ୍ସଚେଞ୍ଜ ସୋସାଇଟି ପକ୍ଷରୁ ପରବର୍ତ୍ତୀ ସମୟରେ ଅଧିକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ସୋସାଇଟିର କର୍ମକର୍ତ୍ତା ଉଲ୍ଲେଖ କରିଥିଲେ।

Categories
ବିଶେଷ ଖବର

‘କୃଷି ଓଡ଼ିଶା ୨୦୨୩’: ଜଳବାୟୁ ଉପଯୋଗୀ ଚାଷ ଉପରେ ଗୁରୁତ୍ବ

ଭୁବନେଶ୍ୱର: ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ପାରମ୍ପରିକ କୃଷି କାର୍ଯ୍ୟରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ପଡ଼ିବ। ଫସଲର ବିବିଧିକରଣ ଓ ଜଳବାୟୁ ସହନଶୀଳ ଚାଷକାର୍ଯ୍ୟ ଦ୍ୱାରା ବର୍ଦ୍ଧିତ ଜନସଂଖ୍ୟାର ଖାଦ୍ୟ ଚାହିଦା ପୂରଣ କରିହେବ ବୋଲି ବିଜ୍ଞାନ ଓ କାରଗରୀ, ସରକାରୀ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି।

ଗତକାଲି କୃଷି ଓଡ଼ିଶା ୨୦୨୩ର ଦ୍ୱିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା କହିଲେ ଯେ ସମନ୍ୱିତ କୃଷି କାର୍ଯ୍ୟ ଫଳରେ କୃଷକମାନଙ୍କର ରୋଜଗାର ବୃଦ୍ଧି ପାଇବ। କୃଷି ସହିତ ଉଦ୍ୟାନ କୃଷି, ଗୋପାଳନ, କୁକୁଡ଼ା ପାଳନ ଓ ମତ୍ସ୍ୟଚାଷ ଆଦି ଆନୁଷଙ୍ଗିକ କାର୍ଯ୍ୟ ଦ୍ୱାରା କୃଷକମାନଙ୍କର ଆୟବୃଦ୍ଧିରେ ସହାୟକ ହୋଇଥାଏ। ଏଥି ସହିତ କୃଷି ଯାନ୍ତ୍ରିକୀକରଣ ବର୍ତ୍ତମାନ ସମୟର ଆବଶ୍ୟକତା ହୋଇଥିବାବେଳେ ଯାନ୍ତ୍ରିକୀକରଣ ଫଳରେ ଚାଷୀମାନଙ୍କର ଜୀବନରେ ଅନେକ ପରିବର୍ତ୍ତନ ଆସିପାରିଛି ବୋଲି କହିଥିଲେ।

ସବୁଜ ବିପ୍ଳବ ସମୟରେ କୃଷି କାର୍ଯ୍ୟରେ ବ୍ୟାପକ ପରିବର୍ତ୍ତନ ଆସିଥିବାବେଳେ କୃଷି ଯାନ୍ତ୍ରିକୀକରଣ ଫଳରେ କୃଷି କାର୍ଯ୍ୟ ଏକ ନୂତନ ମୋଡ଼ ନେବାକୁ ଯାଉଛି । ଛୋଟ ଛୋଟ କୃଷି ଯନ୍ତ୍ରପାତି ବ୍ୟବହାର ଫଳରେ ମଧ୍ୟ କୃଷି ଉତ୍ପାଦନରେ ଉଲ୍ଲେଖନୀୟ ବୃଦ୍ଧି ଘଟୁଛି ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା କହିଥିଲେ। ସଂପ୍ରତି ଚାଷୀମାନେ ଅନେକ ବିଦେଶୀ ଫଳ ଓଡ଼ିଶାରେ ଚାଷ କରିବା ସହିତ ଉଚ୍ଚ ମୂଲ୍ୟର ଫସଲ ମଧ୍ୟ ଚାଷ କରୁଛନ୍ତି। କୃଷି ଓଡ଼ିଶାର ଆୟୋଜନ ମାଧ୍ୟମରେ ରାଜ୍ୟର ଚାଷୀମାନେ ନୂତନ ଜ୍ଞାନକୌଶଳ, ଯନ୍ତ୍ରପାତି, ଫସଲ କିସମ ଆଦି ବିଷୟରେ ସହଜରେ ଜାଣିବାର ସୁଯୋଗ ପାଉଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ମତବ୍ୟକ୍ତ କରିଥିଲେ।

ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ କହିଲେ ଯେ କୃଷି ରାଜ୍ୟ ଜିଡ଼ିିପିର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇଥିବାବେଳେ ୭୦ ପ୍ରତିଶତ କୃଷି ଶ୍ରମିକ ମହିଳା ଅଟନ୍ତି। ମହିଳାମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦ୍ୱାରା ମହିଳା ସଶକ୍ତିକରଣ ସମ୍ଭବ ହେବ ବୋଲି ଶ୍ରୀମତୀ ଦାସ କହିଥିଲେ। ଏଥି ସହିତ ଅଣଧାନ ଚାଷ ସମେତ କୁକୁଡ଼ା ଓ ମତ୍ସ୍ୟଚାଷ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏଥି ସହିତ ବିଗତ ୨୦ ବର୍ଷ ମଧ୍ୟରେ ଉପଯୁକ୍ତ କୃଷି ନୀତି ଯୋଗୁ ରାଜ୍ୟ ଚାଉଳ ଉତ୍ପାଦନରେ ଏକ ନିଅଣ୍ଟିଆ ରାଜ୍ୟରୁ ଆଜି ବଳକା ରାଜ୍ୟରେ ପରିଣତ ହୋଇପାରିଛି ବୋଲି ଶ୍ରୀମତୀ ଦାସ କହିଥିଲେ।

ଉତ୍ସବରେ ସମବାୟ ବିଭାଗର ସଚିବ ସଂଜୀବ କୁମାର ଚଢ଼ା କହିଲେ ଯେ ଉପଯୁକ୍ତ ବିକି୍ରବଟାର ସୁବିଧା ଦ୍ୱାରା କୃଷକମାନେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ ପାଇଁ ଅଧିକ ମୂଲ୍ୟ ପାଉଥିବାରୁ ବଜାର ବ୍ୟବସ୍ଥାକୁ ବିଭାଗ ପକ୍ଷରୁ ସୁଦୃଢ଼ କରାଯାଉଛି। ସମବାୟ ବ୍ୟାଙ୍କ ପକ୍ଷରୁ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ କୃଷି ଋଣ ଅଗ୍ରାଧିକାର ଭିତ୍ତିରେ ଯୋଗାଇ ଦିଆଯାଉଛି ବୋଲି ଶ୍ରୀ ଚଢ଼ା କହିଥିଲେ।

ଉତ୍ସବରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡ. ପ୍ରଭାତ କୁମାର ରାଉଳ କହିଲେ ଯେ ନୂତନ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଫଳରେ ରାଜ୍ୟରେ ଆଜି କୃଷି କ୍ଷେତ୍ରରେ ବିକାଶ ସମ୍ଭବ ହୋଇପାରିଛି। ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଭିନ୍ନ ମହାବିଦ୍ୟାଳୟ, ଅନୁଷ୍ଠାନ ଓ କୃଷି ବିଜ୍ଞାନ କେନ୍ଦ୍ର ମାଧ୍ୟମରେ ଚାଷୀମାନଙ୍କୁ ପ୍ରଯୁକ୍ତିିବିଦ୍ୟାର ପ୍ରୟୋଗ ସଂପର୍କରେ ନିୟମିତ ପ୍ରଶିକ୍ଷଣ ଦିଆଯାଉଛି।

ଉତ୍ସବ ପ୍ରାରମ୍ଭରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା ସ୍ୱାଗତ ଭାଷଣ ଦେଇଥିବାବେଳେ ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ଉନ୍ନୟନ ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଭିନ୍ନ ଜିଲ୍ଲାର ସଫଳ ଓ ଅଗ୍ରଣୀ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଅହମଦାବାଦ୍‌ରେ ବିଜ୍ଞାନ କାରିଗର ମନ୍ତ୍ରୀଙ୍କ ସମ୍ମିଳନୀ, ମନ୍ତ୍ରୀ ଅଶୋକ ପଣ୍ଡା ଯୋଗଦେଇ କଲେ ଏହି ଦାବୀ

ଭୁବନେଶ୍ୱର : ରାଜ୍ୟଗୁଡ଼ିକରେ ବିଜ୍ଞାନ ଓ ବୈଷୟିକ ପରିମଣ୍ଡଳର ଅଭିବୃଦ୍ଧି ନିମନ୍ତେ କେନ୍ଦ୍ର ସରକାର ଅଧିକ ସମ୍ବଳ ଓ ସମର୍ଥନ ଯୋଗାଇଦେବା ଉପରେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଗୁରୁତ୍ୱାରୋପ କରିଛନ୍ତି। ଅହମଦାବାଦରେ ଆୟୋଜିତ ରାଜ୍ୟ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀମାନଙ୍କ ସମ୍ମିଳନୀରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା ବିଜ୍ଞାନ ଓ ବୈଷୟିକ ଗବେଷଣା, ଅଭିନବତ୍ୱ ଓ ଉଦ୍ୟମିତା କ୍ଷେତ୍ରରେ ଅଧିକ ସମ୍ବଳ ବିନିଯୋଗ ପାଇଁ ମତ ଦେଇଛନ୍ତି।

ମନ୍ତ୍ରୀ ଶ୍ରୀ ପଣ୍ଡା ରାଜ୍ୟଗୁଡ଼ିକର ଇନୋଭେସନ୍‌ ସିଷ୍ଟମ ଏବଂ କେନ୍ଦ୍ର ଇନୋଭେସନ୍‌ ସିଷ୍ଟମର ମିଳିତ ଉଦ୍ୟମ ଉପରେ ଗୁରୁତ୍ୱ ଦେବା ସହିତ ଘରୋଇ ଉଦ୍ୟୋଗଗୁଡ଼ିକର ସହଭାଗିତା ନିମନ୍ତେ ପରାମର୍ଶ ଦେଇଛନ୍ତି। ବିଜ୍ଞାନ ଓ କାରିଗରୀ କ୍ଷେତ୍ରର ଅଭିବୃଦ୍ଧି ନିମନ୍ତେ ଶିଳ୍ପାନୁଷ୍ଠାନଗୁଡ଼ିକ ସିଏସ୍‌ଆର୍‌ ପାଣ୍ଠିର କିଛି ଅଂଶ ବ୍ୟୟ କରିବା ସାଙ୍ଗକୁ ପ୍ରତି ରାଜ୍ୟ ଓ କେନ୍ଦ୍ରରେ ଏଥି ପାଇଁ ଏକ କର୍ପସ୍‌ ଫଣ୍ଡ ସୃଷ୍ଟି ଉପରେ ମନ୍ତ୍ରୀ ଶ୍ରୀ ପଣ୍ଡା କେନ୍ଦ୍ର ବିଜ୍ଞାନ ଓ କାରିଗରୀ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ରାଜ୍ୟରେ ବିଜ୍ଞାନ ଓ କାରିଗରୀ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ମନ୍ତ୍ରୀ ଶ୍ରୀ ପଣ୍ଡା ସୂଚନା ଦେଇଥିଲେ। ଭୁବନେଶ୍ୱରସ୍ଥିତ ଜୀବବିଜ୍ଞାନ ପ୍ରତିଷ୍ଠାନକୁ ବାୟୋ-ଇନ୍‌କୁ୍ୟବେସନ୍‌ ସେଣ୍ଟର ଓ ଷ୍ଟାର୍ଟଅପ୍‌ ଗବେଷଣା ନିମନ୍ତେ ୨ କୋଟି ଟଙ୍କା ଯୋଗାଇ ଦିଆଯାଇଛି ଓ ପ୍ରତିଷ୍ଠାନ ଅଧୀନରେ ୨୪ଟି ଷ୍ଟାର୍ଟଅପ୍‌ କାର୍ଯ୍ୟ କରୁଛି ବୋଲି ସେ କହିଥିଲେ।

ଅନୁରୂପ ଭାବରେ ଓଡ଼ିଶା ସରକାର ଶିକ୍ଷାନୁଷ୍ଠାନ ଓ ଗବେଷଣା ପ୍ରତିଷ୍ଠାନଗୁଡ଼ିକ ମଧ୍ୟରେ ଭାବବିନିମୟକୁ ସୁଦୃଢ଼ କରିବା ପାଇଁ ଭୁବନେଶ୍ୱର ସିଟି ନଲେଜ୍‌ ଇନୋଭେସନ୍‌ ସେଣ୍ଟର ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ରାଜ୍ୟର ବିଜ୍ଞାନ ଓ କାରିଗରୀ ନୀତି ପ୍ରଣୟନ ପ୍ରକ୍ରିୟା ଜାରି ରହିଛି ବୋଲି ଦର୍ଶାଇବା ସହିତ ମନ୍ତ୍ରୀ ଶ୍ରୀ ପଣ୍ଡା ରାଜ୍ୟର ୫୦୦ଟି ବିଦ୍ୟାଳୟରେ ଇନୋଭେସନ୍‌ ହବ୍‌ ଖୋଲିବାର ଯୋଜନା ରହିଛି ଓ ୨୦୨୩ ସୁଦ୍ଧା ୨୦୦ କୋଟି ଟଙ୍କା ବ୍ୟୟରେ ୫୦ଟି ହବ୍‌ ଖୋଲାଯିବ ବୋଲି କହିଛନ୍ତି।

ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିବା ଏହି ଦୁଇଦିନିଆ ଜାତୀୟ ସମ୍ମିଳନୀର ଲିଡରସିପ୍‌ ସେସନ୍‌ରେ ମନ୍ତ୍ରୀ ଶ୍ରୀ ପଣ୍ଡା ଅଂଶଗ୍ରହଣ କରିଥିଲେ। ସମ୍ମିଳନୀର ବିଭିନ୍ନ ଅଧିବେଶନରେ ବିଜ୍ଞାନ ଓ ବୈଷୟିକ ଦୃଶ୍ୟପଟ-୨୦୪୭, ୨୦୩୦ ସୁଦ୍ଧା ଘରୋଇ ଉଦ୍ୟୋଗଗୁଡ଼ିକରେ ଗବେଷଣା ନିମନ୍ତେ ଦୁଇଗୁଣା ପାଣ୍ଠି ବିନିଯୋଗ, କୃଷକଙ୍କ ଆୟବୃଦ୍ଧି ଦିଗରେ ବୈଷୟିକ ହସ୍ତକ୍ଷେପ, ସମସ୍ତ ପାଇଁ ସ୍ୱଚ୍ଛ ଶକ୍ତି ସମ୍ବଳ ଓ ଗଭୀର ସମୁଦ୍ର ମିଶନ ଇତ୍ୟାଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

କେନ୍ଦ୍ର ବିଜ୍ଞାନ ଓ ବୈଷୟିକ, ଭୂ-ବିଜ୍ଞାନ ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ, ଗୁଜୁରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ରଜନୀକାନ୍ତ ପଟେଲ୍‌, ଗୁଜୁରାଟର ଶିକ୍ଷା, ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ ଜିତୁଭାଇ ଏସ୍‌. ବାଘାନୀଙ୍କ ସମେତ ମନ୍ତ୍ରାଳୟର ସମସ୍ତ ବିଭାଗର ସଚିବ, ବିଭିନ୍ନ ରାଜ୍ୟର ବିଭାଗୀୟ ସଚିବ, ଶିଳ୍ପପତି, ଶିକ୍ଷାବିତ୍‌, ବୈଜ୍ଞାନିକ, ଉଦ୍ୟୋଗ କର୍ମକର୍ତ୍ତା ସମ୍ମିଳନୀର ବିଭିନ୍ନ ଅଧିବେଶନରେ ଅଂଶଗ୍ରହଣ କରି ମତବିନିମୟ କରିଥିଲେ। ଓଡ଼ିଶାରୁ ବିଭାଗର ଯୁଗ୍ମ ଶାସନ ସଚିବ ପୂଜା ମିଶ୍ର ଓ ବରିଷ୍ଠ ବୈଜ୍ଞାନିକ ଡ. ଏଲ୍‌.ଏନ୍‌. ପାଢ଼ୀ ମଧ୍ୟ ଏହି ସମ୍ମିଳନୀରେ ଯୋଗଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଶ୍ରବଣବାଧିତଙ୍କ ପାଇଁ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଯୋଗାଇ ଦେବ ଅତ୍ୟାଧୁନିକ ଶ୍ରବଣ ଯନ୍ତ୍ର

ଭୁବନେଶ୍ୱର: ଶ୍ରବଣବାଧିତଙ୍କ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଅତ୍ୟାଧୁନିକ ଶ୍ରବଣ ଯନ୍ତ୍ର କିଣିବା ନିମନ୍ତେ ବ୍ୟବସ୍ଥା କରାଯାଇଛି। ପ୍ରାୟ ୮୦୦ ଅତ୍ୟାଧୁନିକ ଶ୍ରବଣ ଯନ୍ତ୍ର କିଣିବା ନିମନ୍ତେ ବିଭାଗୀୟ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ନିର୍ଦ୍ଦେଶ ଦେଇଛନ୍ତି।

ବିଟିଇର ୮ ଚ୍ୟାନେଲ ଓ ୧୨ ଚ୍ୟାନେଲବିଶିଷ୍ଟ ପ୍ରତ୍ୟେକରୁ ୨୦୦ ଲେଖାଏଁ ଏବଂ ଆଇଟିସିର ୮ ଓ ୧୨ ଚ୍ୟାନେଲ୍‌ବିଶିଷ୍ଟ ପ୍ରତ୍ୟେକରୁ ୨୦୦ ଲେଖାଏଁ କରି ମୋଟ ୮୦୦ ଅତ୍ୟାଧୁନିକ ଶ୍ରବଣ ଯନ୍ତ୍ର କିଣିବା ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି। ଉତ୍ତମ ବ୍ରାଣ୍ଡର ଶ୍ରବଣ ଯନ୍ତ୍ର ଉପରେ ଗୁରୁତ୍ୱ ଦିଆଯାଇଛି। ଏଗୁଡ଼ିକ ପାରମ୍ପରିକ ଶ୍ରବଣ ଯନ୍ତ୍ରଠାରୁ ଅଧିକ ଉନ୍ନତ।

ବିଟିଇ ଶ୍ରବଣ ଯନ୍ତ୍ରଟି କାନର ଉପରେ ରଖାଯିବ ଓ ଏହା କାନର ପଛପାଖରେ ଝୁଲି ରହିବ। ଏପରି ଯନ୍ତ୍ର ସବୁ ବୟସର ଲୋକଙ୍କ ସବୁପ୍ରକାର ଶ୍ରବଣ ବାଧକତାକୁ ଦୂର କରିବାରେ ସହାୟକ ହେବ। ଅନ୍ୟପକ୍ଷରେ ଆଇଟିସି ଶ୍ରବଣ ଯନ୍ତ୍ରଟି କାନ ଭିତରେ ରହିପାରିବ। ଅତ୍ୟନ୍ତ ଗୁରୁତର ଶ୍ରବଣ ସମସ୍ୟା ରହିଥିବା ଲୋକମାନଙ୍କ ପାଇଁ ଏହା ଅତ୍ୟନ୍ତ ଉପାଦେୟ ହେବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଜ୍ଞାନ ଓ କାରିଗରୀ ବିଭାଗ ସହ ବିସିକେଆଇସି ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

ଭୁବନେଶ୍ବର: ବିଜ୍ଞାନ ଓ କାରିଗରୀ ବିଭାଗ ଆନୁକୂଲ୍ୟରେ ରାଜ୍ୟ ବିଜ୍ଞାନ ଓ କାରିଗରୀ ପରିଷଦ ଏବଂ ଭୁବନେଶ୍ୱର ସିଟି ନଲେଜ ଇନୋଭେସନ୍‌ କ୍ଳଷ୍ଟର (ବିସିକେଆଇସି) ଫାଉଣ୍ଡେସନ୍‌ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି। ଆଜି ଅପରାହ@ରେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଉପସ୍ଥିତିରେ ଏହା ସ୍ୱାକ୍ଷରିତ ହୋଇଛି।

ସମ୍ମିଳିତ ଉଦ୍ୟମରେ ବିଜ୍ଞାନ ଓ କାରିଗରୀ କାର୍ଯ୍ୟକ୍ରମ ତଥା ଅଭିନବ ଭିତ୍ତିଭୂମିର ଉନ୍ନତିକରଣ ଉପରେ ବୁଝାମଣାପତ୍ରରେ ଗୁରୁତ୍ୱାରୋପ କରାଯାଇଛି।
ବିଜ୍ଞାନ ଓ କାରିଗରୀ କ୍ଷେତ୍ରରେ ରାଜ୍ୟର ସାମର୍ଥ୍ୟକୁ ଏପରି ପଦକ୍ଷେପ ଅଧିକ ସାହାଯ୍ୟ କରିବ ବୋଲି ଉଲ୍ଲେଖ କରି ମନ୍ତ୍ରୀ ଶ୍ରୀ ପଣ୍ଡା ରାଜ୍ୟରେ ବିଜ୍ଞାନ ଶିକ୍ଷା, ଗବେଷଣା, ଯୋଗାଯୋଗ ଓ ନୂତନ ଉଦ୍ଭାବନ ଇତ୍ୟାଦିକୁ ପ୍ରୋତ୍ସାହନ ଦେବାରେ ଏପରି ବୁଝାମଣା ଲାଭଦାୟକ ହେବ ବୋଲି ଆଶା ପ୍ରକାଶ କରିଛନ୍ତି। ସେ ମଧ୍ୟ ରାଜ୍ୟରେ ବାୟୋଟେକ୍‌ନୋଲୋଜି କ୍ଷେତ୍ରରେ ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦେଇଛନ୍ତି।

ବୁଝାମଣାପତ୍ର ଅନୁସାରେ ବିଜ୍ଞାନ ଓ କାରିଗରୀ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମରେ ବିସିକେଆଇସି ସହଯୋଗୀ ଭାବରେ କାର୍ଯ୍ୟ କରିବ। ରାଜ୍ୟର ବିଜ୍ଞାନ ଓ କାରିଗରୀ ନୀତି ପ୍ରଣୟନ, ବିଭିନ୍ନ ବିଜ୍ଞାନଭିତ୍ତିକ କୌଶଳର ହସ୍ତାନ୍ତରଣ, ଶିକ୍ଷା-ସ୍ୱାସ୍ଥ୍ୟ-ପରିମଳ-ପରିବେଶ ଓ ଯୋଗାଯୋଗ କ୍ଷେତ୍ରରେ ଅଧିକ ଜ୍ଞାନବିନିମୟ, ତାଲିମ ଓ ଦକ୍ଷତା ବୃଦ୍ଧି, ଉଦ୍ୟୋଗ ତଥା ବୁଦ୍ଧିଜୀବୀଙ୍କ ମିଳିତ ଉଦ୍ୟମ ନିମନ୍ତେ ପ୍ରୋତ୍ସାହନ ଏବଂ ବିଦ୍ୟାଳୟସ୍ତରରୁ ପରୀକ୍ଷାମୂଳକ ଶିକ୍ଷଣ ନିମନ୍ତେ କାର୍ଯ୍ୟକ୍ରମ ରୂପାୟନ ଇତ୍ୟାଦି କ୍ଷେତ୍ରରେ ଉଭୟ ବିଜ୍ଞାନ ଓ କାରିଗରୀ ବିଭାଗ ତଥା ବିସିକେଆଇସି ଏକତ୍ର କାର୍ଯ୍ୟ କରିବେ ବୋଲି ବୁଝାମଣାପତ୍ରରେ ଦର୍ଶାଯାଇଛି।

ବିଜ୍ଞାନ ଓ କାରିଗରୀ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କହିଛନ୍ତି ଯେ ରାଜ୍ୟରେ ବିଜ୍ଞାନ ଓ କାରିଗରୀ ପରିବେଶର ଦୃଢ଼ୀକରଣକୁ ପ୍ରାଥମିକତା ଦେଇ ଶିକ୍ଷାନୁଷ୍ଠାନ, ସେ୍ୱଚ୍ଛାସେବୀ ସଂଗଠନ ଓ ନାଗରିକଙ୍କ ମଧ୍ୟରେ ମତାମତ ଆଦାନପ୍ରଦାନ କ୍ରମେ ବିଜ୍ଞାନ ଶିକ୍ଷା ତଥା ଗବେଷଣା କାର୍ଯ୍ୟକୁ ସଂପ୍ରସାରିତ କରିବାରେ ଏପରି ଉଦ୍ୟମ ଯଥେଷ୍ଟ ସହାୟକ ହେବ।

ବିଭାଗ ପକ୍ଷରୁ ରାଜ୍ୟ ବିଜ୍ଞାନ ଓ କାରିଗରୀ ପରିଷଦର ସଂପାଦକ ପୂଜା ମିଶ୍ର ଓ ବିସିକେଆଇସି ପକ୍ଷରୁ ତା’ର ଅଧ୍ୟକ୍ଷ ଡ. ମୃତୁ୍ୟଞ୍ଜୟ ସୁଆର ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିବାବେଳେ କାର୍ଯ୍ୟକ୍ରମରେ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀଙ୍କ ଦ୍ୱାରା ହିତାଧିକାରୀଙ୍କୁ କୃତ୍ରିମ ଅଙ୍ଗ ବଣ୍ଟନ

ଭୁବନେଶ୍ୱର : ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା  ମାଲକାନଗିରି ଜିଲ୍ଲାର ୧୭ ଜଣ ଭିନ୍ନକ୍ଷମ ହିତାଧିକାରୀଙ୍କୁ କୃତ୍ରିମ ଅଙ୍ଗ ବିତରଣ କରିଛନ୍ତି। କ୍ୟାପିଟାଲ ହସ୍‌ପିଟାଲ ପରିସରସ୍ଥିତ ରାଜ୍ୟ ଭିନ୍ନକ୍ଷମ ପୁନର୍ବାସ ପ୍ରତିଷ୍ଠାନରେ ଆୟୋଜିତ ଏହି ବିତରଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ରାଜ୍ୟରେ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ପ୍ରାୟ ୬ ହଜାର ଭିନ୍ନକ୍ଷମ ହିତାଧିକାରୀଙ୍କୁ ରୋବୋଟିକ୍‌ ଥେରାପି ସହାୟତା କ୍ରମେ ପ୍ରସ୍ତୁତ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ବିତରଣ କରାଯାଇଛି। ରାଉରକେଲା ଓ ବ୍ରହ୍ମପୁରଠାରେ ମଧ୍ୟ ଆଧୁନିକ ପୁନର୍ବାସ କେନ୍ଦ୍ର ଖୁବ୍‌ଶୀଘ୍ର ପ୍ରତିଷ୍ଠା କରାଯିବ ଓ ଏହି ସୁବିଧା ଉପଲବ୍ଧ ହେବ ବୋଲି ମନ୍ତ୍ରୀ ପଣ୍ଡା କହିଛନ୍ତି।

ଆଜିର କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, ବିଭାଗର ନିର୍ଦ୍ଦେଶିକା ଶ୍ରୀମତୀ ବ୍ରତତୀ ହରିଚନ୍ଦନ ଉପସ୍ଥିତ ଥିଲେ। ସମସ୍ତ ହିତାଧିକାରୀଙ୍କ ସହିତ ମନ୍ତ୍ରୀ ଶ୍ରୀ ପଣ୍ଡା ମତବିନିମୟ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ଭୁବନେଶ୍ୱରରୁ ରାଜସ୍ଥାନ ଜୟପୁରକୁ ଚାଲିଲା ସିଧା ବିମାନ ଚଳାଚଳ, ଶୁଭାରମ୍ଭ କଲେ ମନ୍ତ୍ରୀ ସିନ୍ଧିଆ

ନୂଆଦିଲ୍ଲୀ: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ଭୁବନେଶ୍ୱରରୁ ରାଜସ୍ଥାନର ଜୟପୁର ମଧ୍ୟରେ ସିଧାସଳଖ ବିମାନ ଚଳାଚଳର ଶୁଭାରମ୍ଭ କରିଛନ୍ତି । କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳ ଓ ଯୋଗାଯୋଗ ଏବଂ ଆଇଟି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ, ରାଜ୍ୟ ଯୋଜନା ଓ ସମନ୍ୱୟ, ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା, ରାଜ୍ୟ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମଧ୍ୟ ଏହି କାଯ୍ୟକ୍ରମରେ ଭର୍ଚୁଆଲ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ରାଜ୍ୟ ସରକାର, ଇଣ୍ଡିଗୋ ଏୟାରଲାଇନ୍ସର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

ଏହି ଅବସରରେ ଶ୍ରୀ ସିନ୍ଧିଆ କହିଛନ୍ତି ଯେ ଭୁବନେଶ୍ୱର ହେଉଛି ମନ୍ଦିରମାଳିନୀ ସହର । ଏହା ହିନ୍ଦୁ, ବୌଦ୍ଧ ଏବଂ ଜୈନ ସମ୍ପ୍ରଦାୟ ପାଇଁ ଧାର୍ମିକ ହବ୍ ଅଟେ । ଅଧିକନ୍ତୁ, ଏକ ଧାର୍ମିକ ହବ୍ ବ୍ୟତୀତ ଏହି ସହର ଦେଶର ସ୍ମାର୍ଟ ସିଟି ତାଲିକାରେ ସ୍ଥାନ ପାଇଛି । ଦେଶର ପ୍ରମୁଖ ଆଇଟି ଏବଂ ଶିକ୍ଷା ହବ୍ ମଧ୍ୟରେ ଭୁବନେଶ୍ୱର ଅନ୍ୟତମ । ବର୍ତ୍ତମାନ ଭୁବନେଶ୍ୱର ୩୮ଟି ବିମାନ ଚଳାଚଳ ଦ୍ୱାରା ୧୯ ଟି ସହର ସହିତ ଯୋଡି ହୋଇଛି ।

ମନ୍ତ୍ରୀ ଆହୁରି କହିଛନ୍ତି ଯେ, ବିମାନ ଚଳାଚଳରେ ବିନିଯୋଗ ସର୍ବଦା ଅନେକ ଲାଭ ପ୍ରଦାନ କରିଥାଏ । ପ୍ରତି ୧୦୦ ଟଙ୍କା ନିବେଶରେ ଦେଶର ଜିଡିପିରେ ୩୨୫ ଟଙ୍କା ଯୋଗ ହୋଇଥାଏ । ଆଗକୁ ବିମାନ ଚଳାଚଳ କ୍ଷେତ୍ର ଅପାର ନିଯୁକ୍ତି ସୁଯୋଗ ଆଣିବ – ରୋଜଗାରର ଏକ ପ୍ରବେଶ ଦ୍ୱାର ହେବ । ୨୦୦ କୋଟି ଟଙ୍କା ବ୍ୟୟରେ ନୂତନ ଟର୍ମିନାଲ ସୌଧର ବିକାଶ କାର‌୍ୟ୍ୟ ଧାର‌୍ୟ୍ୟ ସମୟରେ ସରିବ ବୋଲି ମନ୍ତ୍ରୀ ନିଶ୍ଚିତ କରିଛନ୍ତି ।

ଶ୍ରୀ ସିନ୍ଧିଆ ଆହୁରି ମଧ୍ୟ କହିଛନ୍ତି ଯେ ଆମର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା କୁହାଯାଇଛି ଯେ ୨୦୭୦ ସୁଦ୍ଧା ଭାରତ ନେଟ ଜିରୋ ନିର୍ଗମନର ଉଚ୍ଚାଭିଳାଷୀ ମାଇଲ ଖୁଣ୍ଟ ହାସଲ କରିବାକୁ ଲକ୍ଷ୍ୟ ରଖିଛି । ସେ କହିଛନ୍ତି ଯେ ଆମର ସମସ୍ତ ବିମାନବନ୍ଦରକୁ ସବୁଜ ବିମାନବନ୍ଦର କରିବା ପାଇଁ ନିରନ୍ତର ଶକ୍ତି ସମ୍ବଳ କାର‌୍ୟ୍ୟକାରୀ କରିବାକୁ ଆମେ ଲକ୍ଷ୍ୟ ରଖିଛୁ । “ମୁଁ ଗର୍ବିତ ଯେ ଭୁବନେଶ୍ୱର ବିମାନବନ୍ଦରର ବିଜୁଳି ଚାହିଦାର ୮୦% ସୌର ଶକ୍ତି ଦ୍ୱାରା ପୂରଣ ହେଉଛି ଏବଂ ଏହା ଦେଶ ପାଇଁ ଏକ ଉଦାହରଣ ପାଲଟିଛି । ଅଧିକନ୍ତୁ, ଝାରସୁଗୁଡା ପରି ଉଡାନ ବିମାନବନ୍ଦରଗୁଡିକ ମଧ୍ୟ ଅନେକ ସଫଳତା ହାସଲ କରୁଛନ୍ତି । ଏହି ବିମାନବନ୍ଦର ଏକ ମାସରେ ୧ ଲକ୍ଷରୁ ଅଧିକ ଯାତ୍ରୀ ପରିବହନ ରେକର୍ଡ କରିଛି ।”

ଏହି ମାର୍ଗରେ ନୂତନ ବିମାନ ଯୋଗେ ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳର ଲୋକମାନେ ଭୁବନେଶ୍ୱର ଏବଂ ଜୟପୁର ମଧ୍ୟରେ ସିଧାସଳଖ ବିମାନ ସଂଯୋଗ ପାଇବେ, ଯାହା ଯାତ୍ରୀମାନଙ୍କ ନିରବଚ୍ଛିନ୍ନ ଯାତାୟତକୁ ସହଜ କରିବ । ଭୁବନେଶ୍ୱରରୁ ଜୟପୁର ମଧ୍ୟରେ ଏହି ନୂତନ ବିମାନ ସହିତ ପଯ୍ୟଟକ ଓ ଯାତ୍ରୀମାନେ ବିମାନ ସଂଯୋଗ ପାଇଁ ଏକାଧିକ ବିକଳ୍ପ ପାଇବେ ଯାହା ପର‌୍ୟ୍ୟଟନ ସମ୍ଭାବନାକୁ ବଢାଇବ ଏବଂ ଏହି ଅଞ୍ଚଳର ଆର୍ଥିକ କାର‌୍ୟ୍ୟକଳାପକୁ ବୃଦ୍ଧି କରିବ ।