Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଶ୍ରବଣବାଧିତଙ୍କ ପାଇଁ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଯୋଗାଇ ଦେବ ଅତ୍ୟାଧୁନିକ ଶ୍ରବଣ ଯନ୍ତ୍ର

ଭୁବନେଶ୍ୱର: ଶ୍ରବଣବାଧିତଙ୍କ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଅତ୍ୟାଧୁନିକ ଶ୍ରବଣ ଯନ୍ତ୍ର କିଣିବା ନିମନ୍ତେ ବ୍ୟବସ୍ଥା କରାଯାଇଛି। ପ୍ରାୟ ୮୦୦ ଅତ୍ୟାଧୁନିକ ଶ୍ରବଣ ଯନ୍ତ୍ର କିଣିବା ନିମନ୍ତେ ବିଭାଗୀୟ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ନିର୍ଦ୍ଦେଶ ଦେଇଛନ୍ତି।

ବିଟିଇର ୮ ଚ୍ୟାନେଲ ଓ ୧୨ ଚ୍ୟାନେଲବିଶିଷ୍ଟ ପ୍ରତ୍ୟେକରୁ ୨୦୦ ଲେଖାଏଁ ଏବଂ ଆଇଟିସିର ୮ ଓ ୧୨ ଚ୍ୟାନେଲ୍‌ବିଶିଷ୍ଟ ପ୍ରତ୍ୟେକରୁ ୨୦୦ ଲେଖାଏଁ କରି ମୋଟ ୮୦୦ ଅତ୍ୟାଧୁନିକ ଶ୍ରବଣ ଯନ୍ତ୍ର କିଣିବା ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି। ଉତ୍ତମ ବ୍ରାଣ୍ଡର ଶ୍ରବଣ ଯନ୍ତ୍ର ଉପରେ ଗୁରୁତ୍ୱ ଦିଆଯାଇଛି। ଏଗୁଡ଼ିକ ପାରମ୍ପରିକ ଶ୍ରବଣ ଯନ୍ତ୍ରଠାରୁ ଅଧିକ ଉନ୍ନତ।

ବିଟିଇ ଶ୍ରବଣ ଯନ୍ତ୍ରଟି କାନର ଉପରେ ରଖାଯିବ ଓ ଏହା କାନର ପଛପାଖରେ ଝୁଲି ରହିବ। ଏପରି ଯନ୍ତ୍ର ସବୁ ବୟସର ଲୋକଙ୍କ ସବୁପ୍ରକାର ଶ୍ରବଣ ବାଧକତାକୁ ଦୂର କରିବାରେ ସହାୟକ ହେବ। ଅନ୍ୟପକ୍ଷରେ ଆଇଟିସି ଶ୍ରବଣ ଯନ୍ତ୍ରଟି କାନ ଭିତରେ ରହିପାରିବ। ଅତ୍ୟନ୍ତ ଗୁରୁତର ଶ୍ରବଣ ସମସ୍ୟା ରହିଥିବା ଲୋକମାନଙ୍କ ପାଇଁ ଏହା ଅତ୍ୟନ୍ତ ଉପାଦେୟ ହେବ।