Categories
ଆଞ୍ଚଳିକ

ନାଚୁଣୀ ମହାବିଦ୍ୟାଳୟ ଆନୁକୁଲ୍ୟରେ ଅନୁଷ୍ଠିତ ବିପର୍ଯ୍ୟୟ ମୁକାବିଲା ସଭା

ନାଚୁଣୀ (ସୀତାରାମ ଅଗ୍ରୱାଲ): ଗୁରୁବାର ୧୨:୦୦ ଘଟିକା ସମୟରେ ନାଚୁଣୀ ନିକଟସ୍ଥ ସିଙ୍ଗିପୁର ପୂଜା ମଣ୍ଡପ ପ୍ରାନ୍ତରରେ ନାଚୁଣୀ ମହାବିଦ୍ୟାଳୟର ଉଦ୍ଭିଦବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ଡକ୍ଟର. ପ୍ରଦୀପ୍ତ କୁମାର ରଥଙ୍କ ଆହ୍ବାନ କ୍ରମେ ନାଚୁଣୀ ମହାବିଦ୍ୟାଳୟର ସମସ୍ତ ଛାତ୍ର/ଛାତ୍ରୀ ତଥା ସ୍କାଉଟ୍ ଛାତ୍ର/ଛାତ୍ରୀଙ୍କୁ ନେଇ ଏକ ‘ନବୀନ ଓଡ଼ିଶା- ଉନ୍ନତ ଓଡ଼ିଶା ‘ ପକ୍ଷରୁ ବିପର୍ଯ୍ୟୟ ମୁକାବିଲା କରିବା ପାଇଁ ଏକ ସୁରକ୍ଷା ଓ ନିରାପତ୍ତା ଉପରେ ଆଲୋଚନ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ଗଙ୍ଗାଧରପୁରର ଅଗ୍ନିସେବାବାହୀନି କର୍ମଚାରୀ ଓତାଙ୍କର ମୂଖ୍ୟ ଦଳାଇ ସାର୍ ଓ ଟାଙ୍ଗୀ ଅଗ୍ନିସେବା ଅଫିସର୍ ଫାୟରମ୍ୟାନ୍ ଶ୍ରୀଯୁକ୍ତ ବି.କେ ଦାସ ବିଭିନ୍ନ ପ୍ରକାର ସୁରକ୍ଷା ଓ ବିପର୍ଯ୍ୟସ୍ତ କାର୍ଯ୍ୟକ୍ରମ ଉପରେ ବିଭିନ୍ନ ପ୍ରକାର ପ୍ରାକ୍ଟିକାଲ ପରୀକ୍ଷା କରି ଛାତ୍ର ଛାତ୍ରୀ ମାନଙ୍କୁ ଦେଖାଇଥିଲେ।

ଉକ୍ତ ସଭାରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଶିବ ପ୍ରସାଦ ତ୍ରିପାଠୀ ଓ ନାଚୁଣୀ ମହାବିଦ୍ୟାଳୟର ନୋଡାଲ ଅଫିସର୍ ଅଧ୍ୟାପକ ଗୋଲଖ ବିହାରୀ ବାରିକ୍ ‘ନବୀନ ଓଡିଶା – ଉନ୍ନତି ଓଡ଼ିଶା’ ଉପରେ ଯୁବଶକ୍ତି ଓ ନାରୀ ସଶକ୍ତି କରଣର ବିଭିନ୍ନ ଦିଗରେ ଆଲୋକପାତ କରିଥିଲେ। ଉକ୍ତ ସଭାରେ ସିଙ୍ଗିପୁର ଓ ଗଙ୍ଗାଧରପୁର ଗ୍ରାମର ଅନେକ ବ୍ୟକ୍ତି ଉପସ୍ଥିତ ରହିବା ସହିତ, ନାଚୁଣୀ ମହାବିଦ୍ୟାଳୟର ରୋଭର ସୂର୍ଯ୍ୟକାନ୍ତ ସାହୁ, ମିଥୁନ ହରିଚନ୍ଦନ ଏବଂ ଆକାଶ ମୁଦୁଲି ସଭା କାର୍ଯ୍ୟକୁ ସାଫଲ୍ୟ ମଣ୍ଡନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟମାନଙ୍କୁ 7532 କୋଟି ଟଙ୍କା ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଅଧୀନ ବ୍ୟୟ ବିଭାଗ ପକ୍ଷରୁ ଆଜି 22ଟି ରାଜ୍ୟର ସରକାରଙ୍କୁ ବିପର୍ଯ୍ୟୟ ମୁକାବିଲା ନିମନ୍ତେ 7532 କୋଟି ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଛି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସୁପାରିସ ଆଧାରରେ ସମ୍ପୃକ୍ତ ରାଜ୍ୟର ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଆରଏଫ)କୁ ଏହି ଅର୍ଥ ମିଳିଛି। ଓଡ଼ିଶାକୁ ଏସଡିଆରଏଫ ପାଣ୍ଠି ବାବଦରେ 707 କୋଟି 60 ଲକ୍ଷ ଟଙ୍କା ମିଳିଛି।

ଜାରି କରାଯାଇଥିବା ଅର୍ଥରାଶିର ରାଜ୍ୟୱାରୀ ତାଲିକା ନିମ୍ନରେ ଦିଆଗଲା:

(କୋଟି ଟଙ୍କାରେ)

କ୍ରଂସଂ ରାଜ୍ୟ ପରିମାଣ
  ଆନ୍ଧ୍ରପ୍ରଦେଶ 493.60
  ଅରୁଣାଚଳ ପ୍ରଦେଶ 110.40
  ଆସାମ 340.40
  ବିହାର 624.40
  ଛତିଶଗଡ 181.60
  ଗୋଆ 4.80
  ଗୁଜରାଟ 584.00
  ହରିୟାଣା 216.80
  ହିମାଚଳ ପ୍ରଦେଶ 180.40
   କର୍ଣ୍ଣାଟକ 348.80
   କେରଳ 138.80
   ମହାରାଷ୍ଟ୍ର 1420.80
  ମଣିପୁର 18.80
  ମେଘାଳୟ 27.20
  ମିଜୋରାମ 20.80
  ଓଡ଼ିଶା 707.60
  ପଞ୍ଜାବ 218.40
  ତାମିଲନାଡୁ 450.00
  ତେଲଙ୍ଗାନା 188.80
  ତ୍ରିପୁରା 30.40
  ଉତ୍ତରପ୍ରଦେଶ 812.00
  ଉତ୍ତରାଖଣ୍ଡ 413.20

ସାରା ଦେଶରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ମାର୍ଗଦର୍ଶିକାକୁ କୋହଳ କରାଯାଇଛି । ବିଗତ ବର୍ଷ ରାଜ୍ୟମାନଙ୍କୁ ଦିଆଯାଇଥିବା ଅର୍ଥରାଶିର ଉପଯୋଗିତା ପ୍ରମାଣପତ୍ରକୁ ଅପେକ୍ଷା କରିବା ବିନା ରାଜ୍ୟମାନଙ୍କୁ ତତ୍କାଳ ସହାୟତା ରାଶି ଜାରି କରାଯାଇଛି ।

ବିପର୍ଯ୍ୟୟ ପ୍ରଶମନ ଆଇନ 2005ର ଧାରା 48 (1) (କ) ଅନ୍ତର୍ଗତ ପ୍ରତ୍ୟେକ ରାଜ୍ୟରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଆରଏଫ)ର ଗଠନ କରାଯାଇଛି । କେନ୍ଦ୍ର ସରକାର ସାଧାରଣ ରାଜ୍ୟକୁ ଏସଡିଆରଏଫରେ 75 ପ୍ରତିଶତ ଓ ପୂର୍ବୋତ୍ତର ତଥା ହିମାଳୟ ରାଜ୍ୟରେ 90 ପ୍ରତିଶତ ଯୋଗଦାନ ଦେଇଥାନ୍ତି।

ଅର୍ଥ ଆୟୋଗଙ୍କ ସୁପାରିସ ଅନୁଯାୟୀ ଦୁଇଟି ସମାନ କିସ୍ତିରେ ବାର୍ଷିକ କେନ୍ଦ୍ରୀୟ ଅନୁଦାନ ଯୋଗାଇ ଦିଆଯାଏ। ମାର୍ଗଦର୍ଶିକା ଅନୁଯାୟୀ, ପୂର୍ବରୁ ଜାରି ହୋଇଥିବା କିସ୍ତି ପାଇଁ ଉପଯୋଗିତା ପ୍ରମାଣପତ୍ର ଏବଂ ରାଜ୍ୟମାନଙ୍କ ଦ୍ୱାରା ଏସଡିଆରଏଫ ପାଣ୍ଠି ମାଧ୍ୟମରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ଏକ ରିପୋର୍ଟ ହସ୍ତଗତ ହେବା ପରେ ପରବର୍ତ୍ତୀ କିସ୍ତି ଯୋଗାଇ ଦିଆଯଇଥାଏ। ତେବେ, ଜରୁରି ପରିସ୍ଥିତିକୁ ଦୃଷ୍ଟିରେ ରଖି, ଚଳିତ ଥର ଏସବୁ ଆବଶ୍ୟକତାକୁ କୋହଳ କରାଯାଇଛି ।

ବାତ୍ୟା, ମରୁଡ଼ି, ଭୂମିକମ୍ପ, ଅଗ୍ନିକାଣ୍ଡ, ବନ୍ୟା, ସୁନାମୀ, ଝଡ଼, ଭୂ-ସ୍ଖଳନ, ହିମସ୍ଖଳନ, ବାଦଲଫଟା ବର୍ଷା, କୀଟ ଆକ୍ରମଣ ଏବଂ କୁଆପଥର ବର୍ଷା ଏବଂ ଶୀତ ଲହରୀ ଭଳି ବିଜ୍ଞପିତ ବିପର୍ଯ୍ୟୟର ପୀଡ଼ିତମାନଙ୍କୁ ତତ୍କାଳ ସହାୟତା ଉପଲବ୍ଧ କରାଇବା ଜନିତ ଖର୍ଚ୍ଚର ମୁକାବିଲା ଲାଗି ଏସଡିଆରଏଫକୁ ଉପଯୋଗ କରାଯାଇଥାଏ।

ଅତୀତର ଖର୍ଚ୍ଚ, କ୍ଷେତ୍ର, ଜନସଂଖ୍ୟା ଏବଂ ବିପର୍ଯ୍ୟୟ ବିପତ୍ତି ସୂଚକାଙ୍କ ଭଳି ବହୁ କାରକ ଉପରେ ଆଧାର କରି ରାଜ୍ୟମାନଙ୍କୁ ଏସଡିଆରଏଫ ପାଣ୍ଠି ଆବଣ୍ଟନ କରାଯାଏ। ଏହି କାରକଗୁଡ଼ିକ ରାଜ୍ୟର ସଂସ୍ଥାଗତ କ୍ଷମତା, ବିପଦ, ଅଭିଜ୍ଞତା, ବିପତ୍ତି ଓ ଦୁର୍ବଳତାର ପରିଚୟ ଦେଇଥାନ୍ତି।

ପଞ୍ଚଦଶ ଅର୍ଥ ଆୟୋଗଙ୍କ ସୁପାରିସକୁ ଆଧାର କରି, କେନ୍ଦ୍ର ସରକାର 2021-22 ରୁ 2025-26 ମଧ୍ୟରେ ଏସଡିଆରଏଫ ପାଇଁ 1,28,122.40 କୋଟି ଟଙ୍କା ଆବଣ୍ଟନ କରିଛନ୍ତି । ଏଥିମଧ୍ୟରେ କେନ୍ଦ୍ର ସରକାରଙ୍କ ଅଂଶଧନ 98,080.80 କୋଟି ଟଙ୍କା ରହିଛି । କେନ୍ଦ୍ର ସରକାର ଏବେ ସୁଦ୍ଧା 34,140.00 କୋଟି ଟଙ୍କା ଯୋଗାଇ ଦେଇସାରିଛନ୍ତି । ଚଳିତ ଥର ଅର୍ଥରାଶି ଜାରି କରାଯିବା ପରେ ରାଜ୍ୟ ସରକାରଙ୍କୁ ଏବେସୁଦ୍ଧା ଜାରି ହୋଇଥିବା ଅର୍ଥ ପରିମାଣ 42,366 କୋଟି ଟଙ୍କାରେ ପହଞ୍ଚିଛି ।

Categories
ଆଜିର ଖବର ରାଜ୍ୟ ଖବର

ବିପର୍ଯ୍ୟୟ ମୁକାବିଲା ପାଇଁ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ପ୍ରକୃତି ଭିତ୍ତିକ ସମାଧାନ ଉପରେ ଗୁୁରୁତ୍ୱାରୋପ

ଭୁବନେଶ୍ୱର: ବିଶ୍ୱ ପରିବେଶ ଦିବସ ୨୦୨୩ ଅବ୍ୟବହିତ ପୂର୍ବରୁ ଓଡ଼ିଶାର ଚାରିଟି ବିପର୍ଯ୍ୟୟ ପ୍ରବଣ ଜିଲ୍ଲାରେ ବିପର୍ଯ୍ୟୟ ଜନିତ ବିପଦ ହ୍ରାସ କରିବା ପାଇଁ ପ୍ରକୃତି ଭିତିକ ସମାଧାନ (ଏନ୍‌ବିଏସ୍‌)ର ପ୍ରସାର ନିମନ୍ତେ ରିଲାଏନ୍ସ ଫାଉଣ୍ଡେସନର ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ ଅଧୀନରେ ବିବିଧ କାର୍ଯ୍ୟ୍ରକମ ହାତକୁ ନିଆଯାଇଛି।

ଜୁନ୍ ୧ରୁ ଆରମ୍ଭ ହୋଇଥିବା ଏହି ଦୁଇ ସପ୍ତାହବ୍ୟାପୀ ବିଶିଷ୍ଟ ଅଭିଯାନର ଅଂଶ ଭାବେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବୃକ୍ଷରୋପଣ ଓ ହେନ୍ତାଳବଣର ସଂରକ୍ଷଣ ବିଷୟରେ ସଚେତନତା ବଢ଼ାଇବା ଲାଗି କର୍ମଶାଳାମାନ ଆୟୋଜନ କରାଯାଉଛି। ଏପର୍ଯ୍ୟନ୍ତ ଅନୁଷ୍ଠିତ ହୋଇସାରିଥିବା ଏହି କର୍ମଶାଳାଗୁଡ଼ିକରେ ଜଗତସିଂହପୁର ଓ ବାଲେଶ୍ୱର ଜିଲ୍ଲାର ସ୍କୁଲ ଛାତ୍ରଛାତ୍ରୀ, ଗୋଷ୍ଠୀ ସଦସ୍ୟଙ୍କ ସମେତ ପିଆର୍‌ଆଇ ସଦସ୍ୟ, ସ୍ଥାନୀୟ ଯୁବ ସ୍ୱେଚ୍ଛାସେବୀ, ଆପଦା ମିତ୍ର, ବାତ୍ୟା ଆଶ୍ରୟ ସ୍ଥଳ ପରିଚାଳନା କମିଟିର ସଦସ୍ୟ ଓ ଏସ୍‌ଏଚ୍‌ଜିଗୁଡ଼ିକର ନେତୃବୃନ୍ଦ ଯୋଗ ଦେଇଥିଲେ। ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ୍‌ର ସାହାଡାବେଦୀ ତଥା ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍‌ର ଖରାସାହାପୁର ଓ କବୀରପୁର ଗ୍ରାମରେ ଅନୁ୍‌ଷ୍ଠିତ କର୍ମଶାଳାରେ ୧୦୦ରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ। ଚାରି ବିପର୍ଯ୍ୟୟ ପ୍ରବଣ ଜିଲ୍ଲା ବାଲେଶ୍ୱର, ଭଦ୍ରକ,ଜଗତସିଂହପୁର ଓ ଗଞ୍ଜାମରେ ସମାନ ଧରଣର କାର୍ଯ୍ୟକ୍ରମ ଆୟୋଜନ କରିବା ଯୋଜନା ରହିଛି।

ଏହି ବାତ୍ୟା ପ୍ରବଣ ଜିଲ୍ଲାଗୁଡ଼ିକରେ ଥିବା ପାଂଚଟି ଉଚ୍ଚ ବିପଦସଙ୍କୁଳ ଗ୍ରାମରେ ହେନ୍ତାଳରୋପଣ (ବିଶେଷ କରି ରିଜୋଫୋରା, କାଣ୍ଡେଲିଆ କାଣ୍ଡେଲ ଓ ବ୍ରୁଗୁଏରା ଗାଇମ୍ନୋରିଜା ପ୍ରଜାତି) ଏବଂ ଫଳ ଧାରି ବୃକ୍ଷ ଓ ଜଙ୍ଗଲ ବୃକ୍ଷ ରୋପଣ କରାଯିବାର ଯୋଜନା ରହିଛି। ୨୦୨୩ ଜୁନ୍ ୫, ବିଶ୍ୱ ପରିବେଶ ଦିବସରୁ ଏହି ହେନ୍ତାଳ ଓ ବୃକ୍ଷ ରୋପଣ ଆରମ୍ଭ ହେବା ସହ ଫାଉଣ୍ଡେସନ ପକ୍ଷରୁ ୫୧,୦୦୦ ହେନ୍ତାଳ (ହାଇପୋକୋଟାଇଲ) ରୋପଣ କରାଯିବ। ବାଲେଶ୍ୱରର ବାହାନଗା ବ୍ଲକ୍‌ର ଖରାସାହାପୁର, ଭଦ୍ରକର ବାସୁଦେବପୁର ବ୍ଲକ୍‌ର ମୋହନପୁର, ଜଗତସିଂହପୁରର ଏରସମା ବ୍ଲକ୍‌ର ସାହାଡାବେଦୀ ଓ ଗଞ୍ଜାମର ଚିକିଟି ବ୍ଲକ୍‌ର ପତିସୁନାପୁର ଗ୍ରାମରେ ଏହି ବୃକ୍ଷରୋପଣ କରାଯିବ।

ଏହି ବୃକ୍ଷରୋପଣ କାର୍ଯ୍ୟ ୨୦୨୩ ଜୁନ୍ ୫ରୁ ୧୫ ମଧ୍ୟରେ ହେବ। ଏଥିସହିତ, ଓଡ଼ିଶାର ବାଲେଶ୍ୱର ଜିଲ୍ଲାର କବୀରପୁର ଓ ଖରାସାହାପୁର ସମେତ ଭଦ୍ରକ ଜିଲ୍ଲାର ମୂଳଡିହ ଗ୍ରାମରେ ଫଳ ଧାରି ବୃକ୍ଷ ଓ ଜଙ୍ଗଲ ଗଛ ରୋପଣ କରିବାର ଯୋଜନା ରହିଛି। ସ୍ଥାନୀୟ ବାସିନ୍ଦା ଓ ସ୍ୱେଚ୍ଛାସେବୀଙ୍କ ସମେତ ବାଲେଶ୍ୱରର ଭୂମିପୂତ୍ର ସେବା ପ୍ରତିଷ୍ଠାନ ଓ ରୁରାଲ୍ ଡେଭେଲପ୍‌ମେଂଟ୍ ସେଂଟର, ଜଗତସିଂହପୁରର ଦୋଳଗୋବିନ୍ଦ ଯୁବ କ୍ଲବ୍ ଓ ଗଂଜାମର ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସୋସାଇଟି ଭଳି ସଂଗଠନ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ବିଶ୍ୱ ପରିବେଶ ଦିବସ, ୨୦୨୩ରେ ଆଠଟି ରାଜ୍ୟର ୨୦ଟି ବିପର୍ଯ୍ୟୟ ପ୍ରବଣ ଜିଲ୍ଲାର ବିଭିନ୍ନ ସ୍ଥାନରେ ରିଲାଏନ୍ସ ଫାଉଣ୍ଡେସନର ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ ଅଧିନରେ ଏହି ଧରଣର ବିବିଧ କାର୍ଯ୍ୟକ୍ରମ ଆୟୋଜନ କରିବାର ଯୋଜନା ପ୍ରସ୍ତୁତ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ସେଣ୍ଡାଇ ଫ୍ରେମ୍‌ୱର୍କ ୨୦୧୫-୨୦୩୦ ର ସହନଶୀଳତା ବିଷୟ ଅନୁସାରେ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ବର୍ତମାନ ପ୍ରକୃତି-ଭିତିକ ସମାଧାନ (ଏନ୍‌ବିଏସ୍‌) ଉପରେ ଗୁରୁତ୍ୱାରୋପ କରାଯାଉଛି। ସେହି ଅନୁସାରେ ଛାତ୍ରଛାତ୍ରୀ ଓ ଗୋଷ୍ଠୀ ସଦସ୍ୟମାନଙ୍କ ମଧ୍ୟରେ ସଚେତନତା ବଢ଼ାଇବା ଓ ସେମାନଙ୍କୁ ସଚେତନ କରିବା ଲାଗି ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଲକ୍ଷ୍ୟ ରଖାଯାଇଛି । ବିଶ୍ୱ ପରିବେଶ ଦିବସରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମଗୁଡ଼ିକରେ ସାମିଲ ରହିଛି ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ। ଏହି ଅଭିଯାନଗୁଡ଼ିକର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ଜୈବବିବିଧତାରେ ଉନ୍ନତି, ମୃତିକା କ୍ଷୟକୁ ରୋକିବା ଏବଂ ଏହି ଉଚ୍ଚ ସମ୍ବେଦନଶୀଳ ଅଂଚଳରେ ପ୍ରବଳ ବେଗର ପବନରୁ ଗୋଷ୍ଠୀକୁ ସୁରକ୍ଷା ପ୍ରଦାନ କରିବା ଲାଗି ଜୈବ-ସୁରକ୍ଷା ବଳୟ ସ୍ଥାପନ କରିବା।

ଆନ୍ତର୍ଜାତିକ ବିପର୍ଯ୍ୟୟ ଡାଟାବେସ୍ (ଇଏମ୍‌ଡିଏଟି) ଅନୁସାରେ ୧୯୭୦ରୁ ୨୦୧୯ ମଧ୍ୟରେ ଭାରତରେ ଘଟିଥିବା ପ୍ରାୟ ୮୬% ବିପର୍ଯ୍ୟୟ ଘଟଣା ଓ ୯୮% ବିପର୍ଯ୍ୟୟ କ୍ଷୟକ୍ଷତିର କାରଣ ହେଉଛି ଜଳୀୟ-ପାଣିପାଗ ଜନିତ ଅତି ପ୍ରବଳ ମାତ୍ରାର ବିପର୍ଯ୍ୟୟ ଘଟଣା। ଜଳବାୟୁ ପରିବର୍ତନ, ଜୀବଜଗତର ଅବକ୍ଷୟ, ଓ ଅନୁପଯୁକ୍ତ ଜମି ବ୍ୟବହାର ଯୋଜନା ଯୋଗୁଁ ଏହି ଧାରା ଆଗକୁ ଜାରି ରହିବ ଏବଂ ଆହୁରି ତ୍ୱରାନ୍ୱିତ ହେବ ବୋଲି ଆଶଙ୍କା କରାଯାଉଛି। ବର୍ଦ୍ଧିତ ପ୍ରମାଣରୁ ଏହା ପ୍ରତିୟମାନ ହେଉଛି ଯେ ପ୍ରାକୃତିକ ଆର୍ଦ୍ରଭୂମିର ଦ୍ରୁତ ଅବକ୍ଷୟ ସମେତ ଜୀବନଜଗତ ଅବକ୍ଷୟ ହେଉଛି ଜଳ-ସମ୍ପର୍କିତ ବିପଦକୁ ବଢ଼ାବାର ଏକ ପ୍ରମୁଖ କାରଣ। ଫଳ ସ୍ୱରୂପ, ପ୍ରକୃତି ଭିତିକ ସମାଧାନ ଭଳି ବିପର୍ଯ୍ୟୟ ବିପଦ ହ୍ରାସ (ଡିଆରଆର) ରଣନୀତି ସାମାଜିକ ବିକାଶ ଲକ୍ଷ୍ୟ ପ୍ରତି ମହତ୍ୱପୂର୍ଣ୍ଣ ଯାଗଦାନ ପ୍ରଦାନ କରିବ ସହିତ ବ୍ୟକ୍ତିବିଶେଷଙ୍କ କଲ୍ୟାଣ ଓ ଜୀବନଜଗତ ସହନଶୀଳତାକୁ ସୁନିଶ୍ଚିତ କରିବ।