Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ପ୍ରେମ, ବିବାହ ଓ ବିଚ୍ଛେଦକୁ ନେଇ କଞ୍ଚାଲଙ୍କାରେ ଆସୁଛି ‘ହାର୍ଟ ଲେସ୍‌’

ଭୁବନେଶ୍ୱର: ବିବାହ ଏକ ସାମାଜିକ ପରମ୍ପରା। ପତି ପତ୍ନୀ ଉଭୟ ଏହାକୁ ନିଭାଇବାକୁ ଶପଥ ନିଅନ୍ତି। କିନ୍ତୁ ସତରେ କଣ ସ୍ୱାମୀ ସ୍ତ୍ରୀ ଏହି ଶପଥ ପାଳନ କରନ୍ତି? ଗୋଟିଏ ପଟେ ଅୟସ ଆରାମ, ଆଉ ଗୋଟିଏ ପଟେ ସ୍ୱାମୀଙ୍କ ଇଚ୍ଛା ଅନିଚ୍ଛାର ଲକ୍ଷ୍ମଣରେଖା। ଏହାରି ଭିତରେ ସନ୍ତୁଳି ହେଉଥିବା ସ୍ତ୍ରୀ କଣ କରିପାରେ? ତେବେ ପ୍ରେମ, ବିବାହ ଓ ବିଚ୍ଛେଦକୁ ନେଇ ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାରେ ଆସୁଛି ନୂଆ ସର୍ଟ ମୁଭି ‘ହାର୍ଟ ଲେସ୍‌’। ଯେଉଁଥିରେ ଡାକ୍ତରଖାନାରେ ମରଣ ସହ ଲଢ଼େଇ କରୁଥିବା ଝିଅକୁ ନେଇ ସ୍ୱାମୀ କିଭଳି ସ୍ତ୍ରୀ ସହ ସଉଦା କରୁଛି ତାହା ଚିତ୍ରଣ ହୋଇଛି। ଆସନ୍ତା ଜୁନ୍ ୩ରେ ଏହି ସର୍ଟ ଫିଲ୍ମର ଷ୍ଟ୍ରିମିଂ ହେବ ବୋଲି ଜଣାପଡିଛି।

ସିନେମାର କାହାଣୀ ଓ ଚିତ୍ରନାଟ୍ୟ ସୁଧାରାଗ ବାନାର୍ଜୀ ଲେଖିଥିବା ବେଳେ ନିଶାନ୍ତ ମାଜିଥିଆ ସଂଳାପ ଲେଖିଛନ୍ତି। ମମତା, ପ୍ରିତୀରାଜ ଓ ପ୍ରସନଜିତ ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ। ଅନେକ ସୁପରହିଟ୍ ମ୍ୟୁଜିକ ଭିଡିଓ ଓ ସର୍ଟ ମୁଭି ଭେଟି ଦେଇଥିବା ରାଜା ଡି ‘ହାର୍ଟ ଲେସ୍‌’ର ନିର୍ଦ୍ଦେଶନା ଦେଇଛନ୍ତି। ନିକଟରେ ଷ୍ଟ୍ରିମିଂ ହୋଇଥିବା ତାଙ୍କ ନିର୍ଦ୍ଦେଶିତ ବ୍ରେକ ଅପ୍ ରୁଲ୍ସ ଓ ସୁପାରୀକୁ ଦର୍ଶକ ବଢ଼ିଆ ରେସପନ୍ସ ଦେଇଥିଲେ। ପ୍ରକାଶ ପ୍ରହରାଜ ପ୍ରଯୋଜନା ଭାର ସମ୍ଭାଳିଥିବା ବେଳେ ସର୍ବେଶ୍ୱର ଦାସ ଡିଓପି, କେ ଡି ସିପୁନ ଏଡିଟିଂ ଓ ଭାଗ୍ୟଧର ପାଣି କ୍ରିଏଟିଭ୍ ଦେଖିଛନ୍ତି।

ପୂର୍ବରୁ ରଂଗୀଲା, ସୁପାରୀ, ଟ୍ରୁ ଲି ୟୋରର୍ସ ଭଳି ସର୍ଟ ଫିଲ୍ମ ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାରେ ଧମାଲ କରିଛି। ଏଥର ‘ହାର୍ଟ ଲେସ୍‌’କୁ ମଧ୍ୟ ଦର୍ଶକ ବେଶ ପସନ୍ଦ କରିବେ ବୋଲି ପ୍ରଯୋଜନା ସଂସ୍ଥା ଦୃଢ଼ୋକ୍ତି ପ୍ରକାଶ କରିଛି।