Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ସର୍ଜନ୍‌ ଙ୍କ ସଫଳତା: ୪ ବର୍ଷର ଶିଶୁର ହେଲା ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର: ଏକ ଚାରି ବର୍ଷ ଶିଶୁର ବିରଳ ଅସ୍ତ୍ରୋପଚାର କରି ତାକୁ ସୁସ୍ଥ କରିବାରେ ସଫଳ ହୋଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ୍‌ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ସର୍ଜନ୍। ୪ ବର୍ଷର ଶିଶୁଟିର ଏକ ଜନ୍ମଗତ ତ୍ରୁଟି ଯୋଗୁଁ ମସ୍ତିଷ୍କର କିଛି ଅଂଶ ନାଶାରନ୍ଧ୍ରରେ ପ୍ରବେଶ କରିଥିଲା।

ଏହା ଫଳରେ ଶିଶୁଟି କେବଳ ବାମ ନାକ ବା ପାଟିରେ ନିଶ୍ୱାସ ନେଉଥିଲା ଏବଂ ବାରମ୍ବାର ବାନ୍ତି ହେବା ସହ ଗନ୍ଧ ମଧ୍ୟ ବାରି ପାରୁନଥିଲା। ଏହି ସବୁ ସମସ୍ୟା ନେଇ ଶିଶୁଟିର ପରିବାର ତାକୁ ସମ୍ ହସ୍ପିଟାଲ୍‌କୁ ଚିକିତ୍ସା ପାଇଁ ଆଣିଥିଲେ ବୋଲି ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଶିଷ୍ଟ ନ୍ୟୁରୋସର୍ଜନ୍ ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର।

ପରୀକ୍ଷାରୁ ଜଣାପଡ଼ିଥିଲା ଯେ ଶିଶୁଟିର ମସ୍ତିଷ୍କରୁ ନାକକୁ ଆସିଥିବା ରାସ୍ତାରେ ଏକ ଛିଦ୍ର ରହିଥିଲା ଓ ମସ୍ତିଷ୍କର କିଛି ଅଂଶ ତଳକୁ ଚାଲିଆସି ବାହାରକୁ ଦେଖାଯାଉଥିଲା ବୋଲି ସୋଆର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ଭାବେ କାର୍ଯ୍ୟରତ ପ୍ରଫେସର (ଡାକ୍ତର) ମହାପାତ୍ର କହିଛନ୍ତି।

ଏଭଳି ସମସ୍ୟା ଖୁବ୍ ବିରଳ ଓ ପ୍ରାୟ ୩ ଲକ୍ଷରେ ଜଣେ ଶିଶୁଙ୍କ ଠାରେ ଏହି ଜନ୍ମଗତ ସମସ୍ୟା ଦେଖାଦେଇଥାଏ। ଗତ ୫୨ ବର୍ଷ ମଧ୍ୟରେ ଏମ୍‌ସ ନୂଆଦିଲ୍ଲୀରେ ଏଭଳି ପ୍ରାୟ ୧୪୦ଟି ସର୍ଜରୀ କରାଯାଇଥିବା ସେ କହିଛନ୍ତି।

ଉପଯୁକ୍ତ ପରୀକ୍ଷା ନିରୀକ୍ଷା ପରେ ଚଳିତ ସପ୍ତାହରେ ଶିଶୁଟିର ଶରୀରରେ ଅସ୍ତ୍ରୋପଚାର କରାଯାଇଥିଲା। ଯେଉଁ ଅସ୍ତ୍ରୋପଚାର କରିବାକୁ ୧୯୬୦ ଓ ୧୯୭୦ ଦଶକରେ ୧୦ ରୁ ୧୨ ଘଂଟା ସମୟ ଲାଗୁଥିଲା ବର୍ତମାନ ଅତ୍ୟାଧୁନିକ ଜ୍ଞାନକୌଶଳ ସାହାଯ୍ୟରେ ତାହା ମାତ୍ର ସାଢ଼େ ତିନିଘଂଟାରେ ହୋଇପାରୁଛି ବୋଲି ପ୍ରଫେସର ମହାପାତ୍ର କହିଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ଉଭୟ ଶିଶୁ ଓ ତା’ର ବାପା ଉପସ୍ଥିତ ଥିଲେ। ମସ୍ତିଷ୍କରୁ ବାହାରି ନାକ ମଧ୍ୟକୁ ପଶିଆସିଥିବା ଅଂଶ ଅଦରକାରୀ ହୋଇଥିବାରୁ ତାହାକୁ ବାହାର କରି ଅସ୍ତ୍ରୋପଚାର ଦ୍ୱାରା ସୃଷ୍ଟି ହୋଇଥିବା ଛିଦ୍ରଟିକୁ ବନ୍ଦ କରି ଦିଆଯାଇଥିଲା। ଶିଶୁଟି ଏବେ ଧୀରେ ଧୀରେ ସୁସ୍ଥ ହେଉଛି ବୋଲି ପ୍ରଫେସର ମହାପାତ୍ର କହିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର କହିଥିଲେ ଯେ ସମ୍‌ରେ ଗୋଟିଏ ଛାତ ତଳେ ପରୀକ୍ଷା, ଚିକିତ୍ସା, ଅସ୍ତ୍ରୋପଚାର ଏବଂ ଯତ୍ନ ସମ୍ଭବ ହୋଇପାରୁଛି ଏବଂ ଏଭଳି ସର୍ଜରୀରେ ନ୍ୟୁରୋସର୍ଜରୀ, ପ୍ଲାଷ୍ଟିକ ସର୍ଜରୀ, ଇଏନ୍‌ଟି ଏବଂ ଆନେସଥେସିଆ ବିଭାଗ ମିଳିତ ଭାବେ କାର୍ଯ୍ୟ କରିଥାନ୍ତି।

ଶିଶୁଟିର ଚିକିତ୍ସା ଏବଂ ଅସ୍ତ୍ରୋପଚାର ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ସାହାଯ୍ୟରେ ସମ୍ପୂର୍ଣ୍ଣ ମାଗଣାରେ କରାଯାଇଛି ବୋଲି ସେ କହିଥିଲେ।

ସାମ୍ବାଦିକ ସମ୍ମିଳନୀରେ ସମ୍ ହସ୍ପିଟାଲ୍‌ର ଇଏନ୍‌ଟି ବିଭାଗର ମୁଖ୍ୟ ଡାକ୍ତର ସୌମ୍ୟ ରଞ୍ଜନ ଦାସ, ନ୍ୟୁରୋସର୍ଜରୀ ବିଭାଗର ପ୍ରଫେସର (ଡାକ୍ତର) ସୌଭାଗ୍ୟ ପାଣିଗ୍ରାହୀ ଓ ଡାକ୍ତର ରାମଚନ୍ଦ୍ର ଦେଓ, ଆସୋସିଏଟ ପ୍ରଫେସର ଡାକ୍ତର ସତ୍ୟଭୂଷଣ ସେନାପତି ଏବଂ ଆନେସ୍‌ଥେସିଓଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର (ଡାକ୍ତର) ରାଜୀବ ଲୋଚନ ସାମଲ୍ ଉପସ୍ଥିତ ଥିଲେ।

Categories
ଆଜିର ଖବର

ସମ୍ କର୍କଟ ବିଭାଗରେ ବିରଳ ଅସ୍ତ୍ରୋପଚାର: ମହିଳାଙ୍କ ପେଟରୁ ବାହାରିଲା ୧୦ କେଜିର ଟ୍ୟୁମର

ଭୁବନେଶ୍ୱର: ଜଣେ ମହିଳାଙ୍କ ପେଟରୁ ୧୦.୫ କେଜି ଓଜନର ଟ୍ୟୁମର ବାହାର କରିବାରେ ସଫଳ ହୋଇଛନ୍ତି ସମ୍ ହସ୍ପିଟାଲର ସର୍ଜନ। କଳାହାଣ୍ଡି ଅଂଚଳର ୫୦ ବର୍ଷିୀୟା ମହିଳାଙ୍କ ପେଟରେ ଏହି ଟ୍ୟୁମର ସୃଷ୍ଟି ହୋଇଥିବା ବେଳେ ସଫଳତାର ସହ ଏହାକୁ ବାହାର କରିପାରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର ସର୍ଜିକାଲ ଅଙ୍କୋଲୋଜି ବିଭାଗର ଆସୋସିଏଟ ପ୍ରଫେସର ଡାକ୍ତର ସଂଗ୍ରାମ କେଶରୀ ପଣ୍ଡା ଓ ତାଙ୍କ ଟିମ୍।

ଦୀର୍ଘ ଦୁଇ ବର୍ଷ ଧରି ମହିଳା ଜଣଙ୍କର ପେଟ ଅସ୍ୱାଭାବିକ ଭାବେ ଫୁଲି ରହିଥିବା ବେଳେ ସେ ଠିକ୍ ଭାବରେ ଚଲାବୁଲା ମଧ୍ୟ କରି ପାରୁନଥିଲେ। ଅନେକ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ଯାଇ ନିରାଶ ହେବା ପରେ ଶେଷରେ ସମ୍‌ ହସ୍ପିଟାଲକୁ ଆସି ଡାକ୍ତର ପଣ୍ଡାଙ୍କ ନିକଟରେ ଏହି ମହିଳା ଜଣକ ଚିକିତ୍ସା ଆରମ୍ଭ କରିଥିଲେ।

ବିଭିନ୍ନ ପରୀକ୍ଷାନିରୀକ୍ଷା ପରେ ମହିଳା ଜଣକ କର୍କଟ ରୋଗରେ ପୀଡିତ ଥିବାର ଜଣାପଡିଥିଲା ଏବଂ ତାଙ୍କ ତଳିପେଟରେ ଏକ ବଡ ଟ୍ୟୁମର ସୃଷ୍ଟି ହୋଇଥିବା ଜଣାପଡିଥିଲା। ଏପରି ସମସ୍ୟାକୁ ଲିୟୋମାୟୋସାରକୋମା କୁହାଯାଏ ବୋଲି ଡାକ୍ତର ପଣ୍ଡା କହିଛନ୍ତି।

ଏହା ଏକ ବଡ ଟ୍ୟୁମର ଥିଲା ଏବଂ ପେଟ ଭିତରେ ଅନ୍ୟ ଅଙ୍ଗ ଗୁଡିକ ସହ ମଧ୍ୟ ଏହା ଯୋଡ଼ି ହୋଇ ରହିଥଲା। ତେଣୁ ଟ୍ୟୁମରଟିକୁ ଅନ୍ୟ ଅଙ୍ଗ ଗୁଡିକ ଠାରୁ ଅଲଗା କରି ଅସ୍ତ୍ରୋପଚାର ଜରିଆରେ ବାହାର କରିବା ଖୁବ୍‌ କଷ୍ଟକର ଥିଲା। ତେବୁ ଅତ୍ୟନ୍ତ ଯତ୍ନ ଓ ସତର୍କତାର ସହ ଏହି ଅସ୍ତ୍ରୋପଚାର କରାଯାଇଥିଲା ବୋଲି ଡାକ୍ତର ପଣ୍ଡା କହିଛନ୍ତି।

ଏଭଳି ସମସ୍ୟା ଆରମ୍ଭରୁ ଜଣାପଡେ ନାହିଁ ଏବଂ ପରବର୍ତୀ ଅବସ୍ଥାରେ ଏହା ଗୁରୁତର ହୋଇ ଉଠିଥାଏ। ତେଣୁ ଆମେ ସଫଳତାର ସହ ଅସ୍ତ୍ରୋପଚାର ସମ୍ପନ୍ନ କରିଛୁ ଏବଂ ରୋଗୀ ଜଣକ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ବୋଲି ଡାକ୍ତର ପଣ୍ଡା କହିଛନ୍ତି।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଏହି ଅସ୍ତ୍ରୋପଚାର କରାଯାଇଛି। ଡାକ୍ତର ପଣ୍ଡାଙ୍କ ସମେତ ଅସ୍ତ୍ରୋପଚାର ଟିମରେ ନିଶ୍ଚେତକ ବିଭାଗର ମୁଖ୍ୟ ପ୍ରଫେସର ଶାଶ୍ୱତ ପଟ୍ଟନାୟକ ଓ ସର୍ଜିକାଲ ଅଙ୍କୋଲୋଜି ବିଭାଗର ଡାକ୍ତର ସି. ପ୍ରଥମେଶ ଏବଂ ଡାକ୍ତର କେ. ବିକାଶ ପ୍ରମୁଖ ସାମିଲ୍ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ହସ୍ପିଟାଲରେ ଅସ୍ଥି ଯୁକ୍ତ ପୁଚ୍ଛ ବିଶିଷ୍ଟ ନବଜାତର ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର: ସୋଆ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ନ୍ୟୁରୋ ସର୍ଜନମାନେ ଏକ ନବଜାତ ଶିଶୁଠାରେ ଥୋରାସିକ ଅଂଚଳରେ ବିରଳ ଅସ୍ଥିଯୁକ୍ତ ଲାଞ୍ଜ ଦେଖିବାକୁ ପାଇଛନ୍ତି ଯାହାକୁ ପୃଥିବୀର ପ୍ରଥମ ଏପରି ଘଟଣା କୁହାଯାଉଛି।

ଜନ୍ମ ସମୟରେ ଶିଶୁମାନଙ୍କ ପୃଷ୍ଠ ଭାଗରେ ଲାଞ୍ଜ ଭଳି ବୃଦ୍ଧି ପାଉଥିବା ଅଂଶ ଏ ପର୍ଯ୍ୟନ୍ତ ୧୯୫ଟି ଘଟଣାରେ ଦେଖାଯାଇଛି ଯାହା ମଧ୍ୟରୁ ୨୬ ଜଣ ଶିଶୁଙ୍କ କ୍ଷେତ୍ରରେ ଏହି ବୃଦ୍ଧି ମେରୁଦଣ୍ଡର ଶେଷ ଅଂଶ ଅର୍ଥାତ୍ କକ୍ସିଜିଲ୍ ଅଂଚଳରେ ଦେଖିବାକୁ ମିଳିଥିଲା ବୋଲି ବିଶିଷ୍ଟ ନ୍ୟୁରୋସର୍ଜନ ତଥା ସୋଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର (ଡ଼) ଅଶୋକ କୁମାର ମହାପାତ୍ର ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ମାତ୍ର ଏହି ଶିଶୁ କ୍ଷେତ୍ରରେ ଏହି ବୃଦ୍ଧି ଥୋରାସିକ ଅଂଚଳରେ ଦେଖିବାକୁ ମିଳିଥିଲା ଯାହା ବିଶ୍ୱର ପ୍ରଥମ ଏପରି ଘଟଣା ବୋଲି ପ୍ରଫେସର (ଡ) ମହାପାତ୍ର କହିଛନ୍ତି।

ଏହିପରି ଲାଞ୍ଜ ଏକ ବିରଳ କନଜେନିଟାଲ ଅବସ୍ଥା। ସମ୍ ହସ୍ପିଟାଲରେ ପ୍ରଫେସର (ଡ) ମହାପାତ୍ର ଓ ଡକ୍ଟର ରାମଚନ୍ଦ୍ର ଦେଓ ଶିଶୁଟିର ସଫଳ ଅସ୍ତ୍ରୋପଚାର କରି ଏହି ଲାଞ୍ଜକୁ ବାହାର କରିପାରିଛନ୍ତି। ଗତ ନଭେମ୍ବର ୨୫ ତାରିଖରେ ଶିଶୁଟିର ଏକା ଥରେ ୩ଟି ଅସ୍ତ୍ରୋପଚାର କରାଯାଇଥିଲା। ଶିଶୁଟିର ଅବସ୍ଥା ଭଲ ରହିଛି।

ପ୍ରଫେସର (ଡ଼) ମହାପାତ୍ର ଏହିପରି ଘଟଣା ଘଟିଥାଏ ଓ ଏ ବିଷୟରେ ଜନସାଧାରଣଙ୍କୁ ଅବଗତ କରିବା ଆବଶ୍ୟକ ବୋଲି କହିଥିଲେ। ସାଧାରଣତଃ ଶିଶୁମାନଙ୍କ ଜନ୍ମ ପୂର୍ବରୁ ଏହି ଲାଞ୍ଜଟି ଉଭେଇଯାଇଥାଏ ଓ ଟେଲ ବୋନ ଭାବରେ ଶରୀରରେ ରହିଥାଏ ବୋଲି ସେ କହିଥିଲେ।

ନ୍ୟୁରୋସର୍ଜନ ଡକ୍ଟର ସୌଭାଗ୍ୟ ପାଣିଗ୍ରାହୀ ମଧ୍ୟ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ ହସ୍ପିଟାଲର ହୃଦରୋଗ ବିଭାଗ ଟିମ୍ ଦ୍ୱାରା ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର: ଜନ୍ମ ସମୟରୁ ଜୀବନ ସୃଷ୍ଟିକାରୀ ହୃଦରୋଗ ଥିବା ଜଣେ ୨୫ ବର୍ଷ ଯୁବକଙ୍କର ଶରୀରରେ ସଫଳତାର ସହ ବିରଳ ଅସ୍ତ୍ରୋପଚାର କରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସପିଟାଲର ହୃଦରୋଗ ବିଭାଗର ସର୍ଜନ। ସାରଦା ପ୍ରସନ୍ନ ପାତ୍ର ନାମକ ଯୁବକ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ଓ କୌଣସି କାମ କରିବାକୁ ସକ୍ଷମ ହୋଇପାରୁନଥିବା ବେଳେ ତାଙ୍କୁ ବିଭିନ୍ନ ପରୀକ୍ଷା ନିମନ୍ତେ ସମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା।

ପରୀକ୍ଷା ଦ୍ୱାରା ଦୁଇ ହୃଦଯନ୍ତ୍ରର ମଝିରେ ଥିବା ନିଳୟରେ ଏକ ବଡ ଛିଦ୍ର ରହିଥିବା ଦେଖିବାକୁ ମିଳିଥିଲା। ଏହା ବ୍ୟତିତ ଫୁସଫୁସକୁ ଯାଇଥିବା ଧମନୀ ସମ୍ପୂର୍ଣ ବନ୍ଦ ହୋଇଯାଇଥିଲା। ଏହି ଛିଦ୍ର ଦ୍ୱାରା ଶରୀରର ବିଶୂଦ୍ଧ ରକ୍ତ ଓ ଦୂଷିତ ରକ୍ତ ମିଶି ଯାଉଥିଲା ଏବଂ ଅମ୍ଳଜାନ ସ୍ତର ୭୦ ପ୍ରତିଶତ ରହୁଥିଲା।

ସେହିପରି ଧମନୀର ଆକାର ମଧ୍ୟ ଖୁବ୍ କମ୍ ଥିଲା ବୋଲି ସିଟିଭିଏସ ବିଭାଗର ସିନିୟର କନସଲଟାଂଟ ଡ. ସଂଗ୍ରାମ କେଶରୀ ବେହେରା କହିଛନ୍ତି। ଏହିଭଳି ଅବସ୍ଥାକୁ ଡାକ୍ତରୀ ଶବ୍ଦରେ ଟେଟ୍ରାଲୋଜି ଅଫ ଫାଲଟ ବୋଲି କୁହାଯାଏ ଯାହାକି ଏକ ଜନ୍ମଗତ ତ୍ରୁଟି ବୋଲି ସେ କହିଛନ୍ତି।

ସମ୍ପୃକ୍ତ ରୋଗୀ ଜଣକ ପ୍ରଥମେ କାର୍ଡିଓଲୋଜି ବିଭାଗର କନସଲଟାଂଟ ଡ. ଦିବ୍ୟରଞ୍ଜନ ବେହେରାଙ୍କ ପାଖରେ ଚିକିତ୍ସିତ ହୋଇଥିବା ବେଳେ ସେ ସର୍ଜରୀ ନିମନ୍ତେ କାଥଲାବରେ କଏଲ ଇନବୋଲିଜାଇସନ କରିଥିଲେ। କାର୍ଡିଆକ ଆନାସ୍ଥେସିସ ଡ. ସୁକାନ୍ତ କୁମାର ଭୋଇ ଏହି ସର୍ଜରୀରେ ଏକ ପ୍ରମୂଖ ଭୂମିକା ଗ୍ରହଣ କରିଥିଲେ। ଡ. ସଂଗ୍ରାମ କେଶରୀ ବେହେରା କହିଛନ୍ତି ଯେ, ସର୍ଜରୀ ହେବା ପୂର୍ବରୁ ରୋଗୀଙ୍କୁ ହାର୍ଟ-ଲଙ୍ଗ ମେସିନରେ ରଖାଯାଇଥିଲା।

ପ୍ରଥମେ ତାଙ୍କର ଭେଂଟ୍ରିକୁଲାର ସେପ୍ଟାଲ ଡିଫେକ୍ଟକୁ ବନ୍ଦ କରାଯାଇଥିଲା, ଦକ୍ଷିଣ ପଟର ଭେଂଟ୍ରିକୁଲାର ଆଉଟଫ୍ଲୋ ଟ୍ରାକକୁ ବଡ କରାଯାଇ ଏକ ଟ୍ରାଂସଆନୁଲାର ପ୍ୟାଚ ଲଗାଯାଇଥିଲା। ଏହାଛଡା ଏକ ଭଲ୍‌ଭ ମଧ୍ୟ ଲଗାଯାଇଥିଲା। ରୋଗୀ ଏବେ ସୁସ୍ଥ ହେବା ପରେ ମଙ୍ଗଳବାର ତାଙ୍କୁ ଡିସଚାର୍ଜ କରାଯାଇଛି ବୋଲି ଡାକ୍ତର ବେହେରା କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ହସ୍ପିଟାଲରେ ହେଲା ୪୧ ବର୍ଷିୟ ବ୍ୟକ୍ତିଙ୍କ ଶରୀରରେ ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର: ୪୧ ବର୍ଷିୟ ଜଣେ ବ୍ୟକ୍ତିଙ୍କର ଶରୀରରେ ବିରଳ ଅସ୍ତ୍ରୋପଚାର କରିବାରେ ସଫଳ ହୋଇଛନ୍ତି ସମ୍ ହସ୍ପିଟାଲର ଶଲ୍ୟ ଚିକିତ୍ସକ। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ଆଣ୍ଡ ସମ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଏହି ରୋଗୀଙ୍କର ବାମପଟ ଆଡ୍ରିନାଲ୍ ଗ୍ଲାଣ୍ଡ (କିଡନି ଉପରେ ଥିବା ଗ୍ରନ୍ଥି)ରେ ୬ ସେଂଟିମିଟର ଆକୃତିର ଏକ ଟ୍ୟୁମରଟିକୁ ବିରଳ ଅସ୍ତ୍ରୋପଚାର ଜରିଆରେ କାଢ଼ିବାରେ ସଫଳ ହୋଇଛନ୍ତି ସମ୍‌ର ଶଲ୍ୟ ଚିକିତ୍ସକ।

ପଶ୍ଚିମ ବଙ୍ଗ ଖଡଗପୁର ଅଂଚଳର ସଞ୍ଜୀବ ସିଂ ନାମକ ଏହି ରୋଗୀ ଜଣକ ତଳି ପେଟରେ ଯନ୍ତ୍ରଣା ଅନୁଭବ କରିବାର ସମସ୍ୟା ନେଇ ଶନିବାର ସମ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପରୀକ୍ଷା ନିରୀକ୍ଷା ପରେ ଟ୍ୟୁମର ଥିବା ଜଣାପଡ଼ିଥିଲା। ରେଡ଼ିଓଲୋଜି ବିଭାଗର ମୁଖ୍ୟ ଡାକ୍ତର ସତ୍ୟ ମହାପାତ୍ର ସିଟି ସ୍କାନ ଦ୍ୱାରା ଏହି ଟ୍ରୁମରକୁ ଚିହ୍ନଟ କରିଥିଲେ।

ଶଲ୍ୟ ବିଭାଗର ଡାକ୍ତର ଜିତେନ୍ଦ୍ର ନାରାୟଣ ସେନାପତିଙ୍କ ନେତୃତ୍ୱରେ ଶଲ୍ୟ ଚିକିତ୍ସକଙ୍କର ଏକ ଟିମ୍ ଜଟିଳ ପ୍ରକ୍ରିୟା ଲ୍ୟାପ୍ରୋସ୍କୋପିକ ଆଡ୍ରିନାଲେକଟୋମି ମାଧ୍ୟମରେ ଏହି ଟ୍ୟୁମରଟିକୁ ସଫଳତାର ସହ କାଢ଼ିବାରେ ସକ୍ଷମ ହୋଇଥିଲେ। ରୋଗୀ ଜଣଙ୍କ ଏବେ ସୁସ୍ଥ ଥିବାବେଳେ ଖୁବ୍ ଅଳ୍ପ ଦିନ ମଧ୍ୟରେ ହସ୍ପିଟାଲରୁ ଡିସଚାର୍ଜ ହେବେବୋଲି ଜଣାପଡ଼ିଛି।

ସର୍ଜରୀ କରିଥିବା ଟିମ୍‌ରେ ଡାକ୍ତର ଜେ.ଆର. ପାଣି, ଡାକ୍ତର ବିନୟ କୋନର, ଡାକ୍ତର ସୁନୀଲ କର, ଡାକ୍ତର ସୋନାଲି ମହାନ୍ତି, ଡାକ୍ତର କିସାନ ରେଡ୍ଡି ଏବଂ ଡାକ୍ତର ସୌରଭ ତ୍ରିପାଠୀ ପ୍ରମୁଖ ସାମିଲ୍ ହୋଇ ଏହି ଅସ୍ତ୍ରୋପଚାରଟିକୁ ସଫଳ କରିଥିଲେ।