ସମ୍ ହସ୍ପିଟାଲରେ ହେଲା ୪୧ ବର୍ଷିୟ ବ୍ୟକ୍ତିଙ୍କ ଶରୀରରେ ବିରଳ ଅସ୍ତ୍ରୋପଚାର

Published: May 27, 2021, 2:33 pm IST

ଭୁବନେଶ୍ୱର: ୪୧ ବର୍ଷିୟ ଜଣେ ବ୍ୟକ୍ତିଙ୍କର ଶରୀରରେ ବିରଳ ଅସ୍ତ୍ରୋପଚାର କରିବାରେ ସଫଳ ହୋଇଛନ୍ତି ସମ୍ ହସ୍ପିଟାଲର ଶଲ୍ୟ ଚିକିତ୍ସକ। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ଆଣ୍ଡ ସମ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଏହି ରୋଗୀଙ୍କର ବାମପଟ ଆଡ୍ରିନାଲ୍ ଗ୍ଲାଣ୍ଡ (କିଡନି ଉପରେ ଥିବା ଗ୍ରନ୍ଥି)ରେ ୬ ସେଂଟିମିଟର ଆକୃତିର ଏକ ଟ୍ୟୁମରଟିକୁ ବିରଳ ଅସ୍ତ୍ରୋପଚାର ଜରିଆରେ କାଢ଼ିବାରେ ସଫଳ ହୋଇଛନ୍ତି ସମ୍‌ର ଶଲ୍ୟ ଚିକିତ୍ସକ।

ପଶ୍ଚିମ ବଙ୍ଗ ଖଡଗପୁର ଅଂଚଳର ସଞ୍ଜୀବ ସିଂ ନାମକ ଏହି ରୋଗୀ ଜଣକ ତଳି ପେଟରେ ଯନ୍ତ୍ରଣା ଅନୁଭବ କରିବାର ସମସ୍ୟା ନେଇ ଶନିବାର ସମ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପରୀକ୍ଷା ନିରୀକ୍ଷା ପରେ ଟ୍ୟୁମର ଥିବା ଜଣାପଡ଼ିଥିଲା। ରେଡ଼ିଓଲୋଜି ବିଭାଗର ମୁଖ୍ୟ ଡାକ୍ତର ସତ୍ୟ ମହାପାତ୍ର ସିଟି ସ୍କାନ ଦ୍ୱାରା ଏହି ଟ୍ରୁମରକୁ ଚିହ୍ନଟ କରିଥିଲେ।

ଶଲ୍ୟ ବିଭାଗର ଡାକ୍ତର ଜିତେନ୍ଦ୍ର ନାରାୟଣ ସେନାପତିଙ୍କ ନେତୃତ୍ୱରେ ଶଲ୍ୟ ଚିକିତ୍ସକଙ୍କର ଏକ ଟିମ୍ ଜଟିଳ ପ୍ରକ୍ରିୟା ଲ୍ୟାପ୍ରୋସ୍କୋପିକ ଆଡ୍ରିନାଲେକଟୋମି ମାଧ୍ୟମରେ ଏହି ଟ୍ୟୁମରଟିକୁ ସଫଳତାର ସହ କାଢ଼ିବାରେ ସକ୍ଷମ ହୋଇଥିଲେ। ରୋଗୀ ଜଣଙ୍କ ଏବେ ସୁସ୍ଥ ଥିବାବେଳେ ଖୁବ୍ ଅଳ୍ପ ଦିନ ମଧ୍ୟରେ ହସ୍ପିଟାଲରୁ ଡିସଚାର୍ଜ ହେବେବୋଲି ଜଣାପଡ଼ିଛି।

ସର୍ଜରୀ କରିଥିବା ଟିମ୍‌ରେ ଡାକ୍ତର ଜେ.ଆର. ପାଣି, ଡାକ୍ତର ବିନୟ କୋନର, ଡାକ୍ତର ସୁନୀଲ କର, ଡାକ୍ତର ସୋନାଲି ମହାନ୍ତି, ଡାକ୍ତର କିସାନ ରେଡ୍ଡି ଏବଂ ଡାକ୍ତର ସୌରଭ ତ୍ରିପାଠୀ ପ୍ରମୁଖ ସାମିଲ୍ ହୋଇ ଏହି ଅସ୍ତ୍ରୋପଚାରଟିକୁ ସଫଳ କରିଥିଲେ।

Related posts