Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ତିର୍ତ୍ତୋଲ ବ୍ଲକରେ ପ୍ରହସନ ପାଲଟିଛି ଶିକ୍ଷା ବ୍ୟବସ୍ଥା: ୬୦ ବିଦ୍ୟାର୍ଥୀଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ

ରମେଶ ମହନ୍ତି

ଜଗତସିଂହପୁର: ତିର୍ତ୍ତୋଲ ବ୍ଳକ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା ଏକ ରକମ ପ୍ରହସନରେ ପରିଣତ ହୋଇଥିବା ଦେଖିବାକୁ ମିଳିଛି। ଏକ ସୁନ୍ଦର ସମାଜ ଗଠନରେ ଛାତ୍ରଛାତ୍ରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଦ୍ୟାଳୟ ଏକ ମନ୍ଦିର ଛାତ୍ରଛାତ୍ରୀମାନେ ଦେଶର ଭବିଷ୍ୟତ କୁହାଯାଉଥିବା ବେଳେ ଏହି ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନେ ନିଜର ଭବିଷ୍ୟତ ତିଆରି କରିବାର ମୂଳଦୁଆ ପକାଇଥାନ୍ତି। ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତକୁ ଦୃଷ୍ଟିରେ ରଖି ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସରକାର କୋଟି କୋଟି ଟଙ୍କା ନିବେଶ କରୁଥିବା ଡଣ୍ଡିମ ପିଟୁଥିବା ବେଳେ ବାସ୍ତବରେ ସ୍କୁଲ ଗୁଡିକର ଅବସ୍ଥା କହିଲେ ନ ସରେ। ଖୋଲା ଆକାଶ ତଳେ ଭଙ୍ଗା ଦଦରା କାନ୍ଥ ଘରେ ଅତ୍ୟନ୍ତ ବିପଦପୂର୍ଣ୍ଣ ଅବସ୍ଥାରେ ଖରା ବର୍ଷା ଆଉ ଶୀତ କାକରକୁ ଖାତିରି ନକରି ପାଠ ପଢୁଛନ୍ତି ବିଦ୍ୟାର୍ଥୀ। ଏପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସାମନ୍ତରାୟପୁର ପଞ୍ଚାୟତରେ।

ସୂଚନାନୁଯାୟୀ ଉକ୍ତ ପଞ୍ଚାୟତର ବିଳାସପୁର୍ ଗ୍ରାମରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଅନନ୍ତ ଗାଦିବ୍ରହ୍ମ ସଂସ୍କୃତ ବିଦ୍ୟାଳୟରେ ପାଖାପାଖି ୬୦ ବିଦ୍ୟାର୍ଥୀଙ୍କୁ ପାଠ ପଢାଇବା ପାଇଁ ୬ଜଣ ଶିକ୍ଷକ ନିଯୁକ୍ତ ଅଛନ୍ତି। ଏହି ବିଦ୍ୟାଳୟଟି ଗତ ଫନି ବାତ୍ୟାରେ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। କେବଳ ରହିଯାଇଥିଲା ଭଙ୍ଗା ଦଦରା ଅବସ୍ଥାରେ ଚାରି ପାଖ କାନ୍ଥ। ଏବେ ଯାଏ ସେଇ ବିପଦପୂର୍ଣ୍ଣ ଚାରି କାନ୍ଥ ଓ ଖୋଲା ଆକାଶ ତଳେ ଚାଲିଛି ପାଠପଢ଼ା। ଏମିତିକି ଶିକ୍ଷକ ମାନେ ବସିବା ଚେୟାର ଟେବୁଲ ମଧ୍ୟ ଭାଙ୍ଗି ଯାଇଛି।

କିଛିଦିନ ପୂର୍ବେ ଏହି ବିଦ୍ୟାଳୟରୁ ଚୋରି ହୋଇଥିବା ନେଇ ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା। ଏହି ବିଦ୍ୟାଳୟକୁ ମରାମତି କରାଯିବା ପାଇଁ ସରକାରୀ ଅନୁଦାନ ଆସିଥିବା କୁହାଯାଉଥିବା ବେଳେ ସ୍ଥାନୀୟ ପ୍ରଶାସନର ଉଦାସୀନତା ହେତୁ ଠିକାଦାର ପକ୍ଷରୁ ଆଜି ପର୍ଯ୍ୟନ୍ତ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଉ ନାହିଁ ବୋଲି କୁହାଯାଉଛି। ଏବାବଦରେ ଉକ୍ତ ବିଦ୍ୟାଳୟର ଶିକ୍ଷକମାନଙ୍କ ପକ୍ଷରୁ ତିର୍ତ୍ତୋଲ ବ୍ଲକ ଶିକ୍ଷାଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କାହା ସ୍ବାର୍ଥରେ ଏହି ବିଦ୍ୟାଳୟକୁ ଅଣଦେଖା କରାଯାଉଛି ତାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

ଶୁଣିବାକୁ ମିଳୁଛି ଶିକ୍ଷା ବିଭାଗର କିଛି ଅସାଧୁ କର୍ମଚାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏହି ମରାମତି କାର୍ଯ୍ୟ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରୁନାହିଁ। ଏହି ବିଦ୍ୟାଳୟରେ ବିପଦସଙ୍କୁଳ ଅବସ୍ଥାରେ ପାଠ ପଢୁଥିବା ବିଦ୍ୟାର୍ଥୀ ମାନଙ୍କର ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲିହୋଇ ଯାଉଥିବାରୁ ଯଥାଶୀଘ୍ର ଉଚ୍ଚ ପ୍ରଶାସନିକ ଅଧିକାରୀ ଏହି ବିଦ୍ୟାଳୟ ଉପରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ଏନେଇ ତିର୍ତ୍ତୋଲ ବ୍ଲକ ଶିକ୍ଷା ଅଧିକାରୀ ସୁଷମା ମଲ୍ଲିକଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଶ୍ରୀମତୀ ମଲ୍ଲିକ କୌଣସି ମନ୍ତବ୍ୟ ଦେବାକୁ ସିଧା ସଳଖ ମନା କରିଦେଇଥିଲେ।